କାଠମାଣ୍ଡୁ: ନେପାଳରେ ହେଲିକପ୍ଟର ନିଖୋଜ । ହେଲିକପ୍ଟରରେ କ୍ୟାପଟେନ ଚେତ ଗୁରୁଙ୍ଗଙ୍କ ସହ ୫ ଜଣ ଯାତ୍ରୀ ଥିଲେ । ୫ ଜଣ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ । ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା 9NMV ହେଲିକପ୍ଟର ଉଡାଣ ଭରିବାର ମାତ୍ର ୧୫ ମିନିଟ ପରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ହେଲିକପ୍ଟରକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ।
ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା
ଭୁବନେଶ୍ୱର: ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ସାଢେ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ କମିଟିର ସଦସ୍ୟମାନେ ସାମିଲ ହେବେ । ଜନଜାତିଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗକୁ କ’ଣ କରାଯିବ ସେନେଇ ଆଲୋଚନା କରାଯିବ । ବିଶେଷକରି ଆଦିବାସୀଙ୍କ ଜଙ୍ଗଲ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ, ସାଂସ୍କୃତିକ ସଂରକ୍ଷଣ ଓ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ଦେବା ଉପରେ ଆଲୋଚନା କରାଯିବ ।
ଅନୁଗୁଳରେ 5T ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା, ଖଲାରି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା
ଅନୁଗୁଳ: ଦ୍ବିତୀୟ ଦିନରେ ଅନୁଗୁଳରେ ବିକାଶ କାର୍ଯ୍ୟର ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର କମିଟି ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ । ଏହାସହ ଜଳୀୟ ପ୍ରକଳ୍ପ ନବୀକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଯାତ୍ରୀ ନିବାସ ଓ ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିର କମିଟି ପକ୍ଷରୁ ଦାବି କରାଯାଇଛି । ତେବେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଏହି ଅବସରରେ ଲୋକଙ୍କ ଠାରୁ ବିଭିନ୍ନ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ ।
ଏହାପରେ ଅନୁଗୁଳ ଖଲାରି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । 5T ସ୍କୁଲ ରୂପାନ୍ତରଣର ସମୀକ୍ଷା କରିବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ । ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସ୍ମାର୍ଟ କ୍ଲାସ ସମ୍ପର୍କରେ ପଚାରି ବୁଝିଥିଲେ 5T ସଚିବ ଭିକେ ପାଣ୍ଡିଆନ୍ । ଇ-ଲାଇବ୍ରେରୀ ବାବଦରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ଆଗରୁ କେମିତି ଥିଲା ଓ 5T ରୂପାନ୍ତରଣ ପରେ କେମିତି ଲାଗୁଛି, ସେ ନେଇ ଜଣ ଜଣଙ୍କୁ ପଚାରି ଫିଡବ୍ୟାକ୍ ନେଇଥିଲେ । ପିଲାମାନଙ୍କ ଶିକ୍ଷାର ଉନ୍ନତି ପାଇଁ 5T ସ୍କୁଲ ରୂପାନ୍ତରଣ ହୋଇଛି । ଭଲ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲର ରୂପାନ୍ତରଣ କରିଥିବା ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ 5T ସଚିବ । ପ୍ରତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ପଚାରିଥିଲେ । ଏହା ଜରିଆରେ ସେ ପିଲାମାନଙ୍କ ଆତ୍ମବିଶ୍ଵାସ ବଢ଼ାଇ ଥିଲେ । ସେହିପରି ପିଲାମାନଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ ।
ରାଜ୍ୟରେ ନିଯୁକ୍ତିର ସମ୍ଭାର, ୩ ହଜାର ୨୬୬ କୋଟି ଟଙ୍କାର ୧୧ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟରେ ନିବେଶର ସମ୍ଭାର । ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ୧୧୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ୩ ହଜାର ୨୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ବାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଧାତବ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ପୋଷାକ, ଆଇଟି ଏବଂ ଇଏସଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧାରେ ନେଷ୍ଟଲ ଇଣ୍ଡିଆ ଲିମିଟେଡ୍ ତରଫରୁ ୮୯୦ କୋଟି ଟଙ୍କାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଏଥିରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଖୋର୍ଦ୍ଧାରେ ମେସର୍ସ କଲଗଟୋଜ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୦ କୋଟି ଟଙ୍କାରୁ ଅଧି୍କ ବିନିଯୋଗରେ ୧.୨ ମେଗାଓ୍ବାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାଓ୍ବାର ପ୍ଲାଣ୍ଟ ସହିତ ଏକ ସମନ୍ବିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହାଦ୍ବାରା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।
ଯାଜପୁରରେ ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍ ତରଫରୁ ୯୮୦ କୋଟି ଟଙ୍କାରେ ରସାୟନିକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବାକୁ ରହିଛି । ସେହିପରି ପ୍ଲାଷ୍ଟିକ କ୍ଷେତ୍ରରେ ଖୋର୍ଦ୍ଧାରେ ଆଇଡିଭିବି ରିସାଇକ୍ଳିଂ ଅପରେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୩୧୮ କୋଟି ଟଙ୍କା ନିବେଶ କରିବ । ପର୍ଭ ପ୍ୟାକିଂ ତରଫରୁ ୧୫୨ କୋଟି ଟଙ୍କା ନିବେଶ କରାଯିବ । ସେହିପରି ଆର୍ଡିବି ରାସାୟନସ ଲିମିଟେଡ ୫୯ କୋଟି ଟଙ୍କା ବିନିଯୋଗରେ ଫ୍ଲେକିବଲ ଇଣ୍ଟରମିଡିଏଟ ବଲ୍କ କଣ୍ଟେନର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ । ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯେଉଁଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ ନିସୁମ କନସଲଟିଂ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ୨୦୦ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି । ଗୋଟିଏ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ।
କେନ୍ଦ୍ର ଅଥିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିବ ଜିଏସଟି ପରିଷଦର ୫୦ତମ ବୈଠକ
ନୂଆଦିଲ୍ଲୀ: ମଙ୍ଗଳବାର ବସିବ ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମିଲ ହେବେ । ବୈଠକରେ କେନ୍ଦ୍ର ପାଖରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଦୋହରାଇବ ଓଡ଼ିଶା । ଦୀର୍ଘ ବର୍ଷଧରି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ବାରମ୍ବାର ଦାବି କରିବା ସହ ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏହି ଦାବିକୁ ଉଠାଇଛନ୍ତି । ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୮ଲକ୍ଷ ଆଦିବାସୀ କେନ୍ଦୁପତ୍ର ତୋଳାଳି ତଥା ବନ୍ଧାଳୀ ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । ପରିବାରର ପେଟ ପୋଷିବା ପାଇଁ କେନ୍ଦୁପତ୍ର ହିଁ ସେମାନଙ୍କ ମୁଖ୍ୟ ରୋଜଗାର । କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲଗାଇବା ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ PESA ଆଇନ-୧୯୯୬କୁ ଉଲ୍ଲଂଘନ କରୁଛି । ଜିଏସଟି ପରିଷଦର ୫୦ ତମ ବୈଠକ ପୁର୍ବରୁ କେନ୍ଦୁପତ୍ରରୁ ଜିଏସଟି ଛାଡ଼ କରିବା ଦାବି ଜୋରଦାର ହୋଇଛି ।

