spot_img
Home Blog Page 30

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା, ଦିଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ହଟିବ ଶବ୍ଦ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା, ଦିଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ହଟିବ ଶବ୍ଦ

ନନ୍ଦଘୋଷ ବ୍ୟୁରୋ:  ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ଧାମ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ । ଆଜି ଏହି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀଙ୍କ ଚିଠିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ । ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଦିଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରରୁ ଧାମ ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମୟରେ ଦିଘାରେ ଜଗନ୍ନାଥ ମନ୍ଦିର ତିଆରି ହେବା ସହ ଏହି ସ୍ଥଳକୁ ଧାମ କରାଯାଇଥିଲା । ସେତେବେଳେ ଓଡ଼ିଶାରେ ପ୍ରବଳ ବିରୋଧ ସତ୍ତ୍ବେ ତତ୍କାଳୀନ ମମତା ବାନାର୍ଜୀଙ୍କ ସରକାର ଧାମ ଶବ୍ଦ ହଟାଇ ନଥିଲେ । ଗତବର୍ଷ ମେ’ ମାସରେ ମୋହନ ଚରଣ ମାଝୀ ଧାମ ଶବ୍ଦ ହଟାଇବାକୁ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସେତେବେଳେ ମମତା ବାନାର୍ଜୀ ଏହାକୁ ଗ୍ରହଣ କରି ନଥିଲେ । ଏବେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଧାମ ଶବ୍ଦ ହଟିବାକୁ ଯାଉଛି ।

ଦେଶର ଆଧ୍ୟାତ୍ମିକ ପରମ୍ପରାରେ ଚାରୋଟି ସ୍ଥାନକୁ ଧାମ ଘୋଷଣା କରିଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଧାମ । ଯାହାକୁ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଆସନ୍ତା ଦୁଇଦିନ ଭିତରେ ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୁରୀ ସାଂସଦ । ଏହାସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଗଣିତ ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କୁ କୃତଜ୍ଞତା ଜଣାଯାଇଛି ।

୧୨ରୁ ୯, ୯ରୁ ପୁଣି ୪: ଉଜ୍ବଳା ଯୋଜନା ଚଞ୍ଚକତାକୁ ନେଇ ସରକାର ଉପରେ ବର୍ଷିଲେ ବିରୋଧୀ

୧୨ରୁ ୯, ୯ରୁ ପୁଣି ୪: ଉଜ୍ବଳା ଯୋଜନା ଚଞ୍ଚକତାକୁ ନେଇ ସରକାର ଉପରେ ବର୍ଷିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଗ୍ୟାସ ଦର ବଢିବା ପରେ ଏବେ ମା’ଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛନ୍ତି ସରକାର । ଉଜ୍ବଳା ହିତାଧିକାରୀଙ୍କ ସିଲିଣ୍ଡରକୁ ଆହୁରି କମ କରି ହାଣ୍ଡିଶାଳରେ ସରକାର ପକାଇଛନ୍ତି ଚଡ଼କ । ଏଣିକି ୯ଟି ସିଲିଣ୍ଡର ବଦଳରେ ମାତ୍ର ୪ଟି ସିଲିଣ୍ଡର ମିଳିବ । ସରକାରଙ୍କ ଏହି ଉଜ୍ବଳା ଚଞ୍ଚକତା ବିରୋଧରେ ବର୍ଷିଛନ୍ତି ବିରୋଧୀ । ବିଜେପିକୁ ପ୍ରଲୋଭନ ଓ ପ୍ରତାରଣାର ସରକାର କହି ବିଜେଡି କଟାକ୍ଷ କରିଥିବା ବେଳେ, କ’ଣ ମହଙ୍ଗା ମାଡ଼ ବିଜେପି ମହିଳାଙ୍କୁ ବାଧୁନି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ସରକାରଙ୍କ ପକ୍ଷରୁ ସଫେଇ ଦେବାକୁ ଯାଇ ପୁଣି ଥର ଯୁଦ୍ଧକୁ ଆଳ କରିଛି ବିଜେପି ।

୨୦୧୪ରେ କ୍ଷମତାକୁ ଆସିଲେ । ମା’ ମାନଙ୍କୁ ସ୍ବପ୍ନ ଦେଖାଇଲେ ।  ମା’ମାନେ ଆଉ ଚୁଲି ଫୁଙ୍କି ଅସୁସ୍ଥ ହେବେନି। ରୋଷେଇ ଘରେ ଏଲପିଜି ସିଲିଣ୍ଡରରେ ରୋଷେଇ କରିବେ । ଚୁଲି ଫୁଙ୍କି ଫୁଙ୍କି ଲୁହ ବାହାର କରି ଆଉ ମା’ଙ୍କ ଆଖି ଖରାପ ହେବନି । ଏପରି ସୁନେଲୀ ସ୍ବପ୍ନ ଦେଖାଇ ବିଜେପି ସରକାର ୨୦୧୬ ମସିହାରେ ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ହିଁ ମୁଣ୍ଡ ଟେକିଥିଲା ବିବାଦ । ରିଫିଲିଂ ଖର୍ଚ୍ଚ ସରକାର ଏତେ ବଢ଼ାଇଥିଲେ ଯେ, ଥରେ ସିଲିଣ୍ଡରରୁ ଗ୍ୟାସ ସରିଲେ ପୁଣି ଥରେ ବ୍ୟବହାର କରିବାକୁ ଡରିଲେ ମହିଳା । ଏତିକିରେ ସରକାରଙ୍କ ପ୍ରହେଳିକା ବନ୍ଦ ହେଲାନି ଯେ, ଉଜ୍ବଳା ଯୋଜନାରେ ଯେଉଁ ୧୨ଟି ସିଲିଣ୍ଡର ମିଳୁଥିଲା, ତାହା କମି ୯ରେ ପହଞ୍ଚିଲା । ହେଲେ ଏବେ ଦୁଇ ଦିନରେ ଡବଲ ଝଟକା ଦେଇଛନ୍ତି ସରକାର । ଦୁଇଥରେ ଘରୋଇ ଏଲପିଜି ଦରରେ ବଢ଼ିଲାଣି ୮୯ ଟଙ୍କା ବଢ଼ିଲା । ଉଜ୍ଜ୍ବଳା ସିଲିଣ୍ଡର ୯ରୁ ୪କୁ ଖସିଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି କୋଟି କୋଟି ଉଜ୍ବଳା ହିତାଧିକାରୀଙ୍କୁ ନିରାଶ କରିଛି । ସରକାରୀ ତୈଳ ବିପଣନ କମ୍ପାନୀ ଘରୋଇ ଏଲପିଜି ସିଲିଣ୍ଡର ପ୍ରତି ପ୍ରାୟ ୭୦୦ ଟଙ୍କା କ୍ଷତି ସହୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି ।

ହାଣ୍ଡିଶାଳକୁ ବାରମ୍ବାର ସରକାର ଟାର୍ଗେଟ କରୁଥିବାରୁ ବର୍ଷିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ମା’ଙ୍କ ଦୁଃଖ ଦୂର କରିବେ ବୋଲି କହି ଭୋଟ ନେଲା ବିଜେପି । ହେଲେ ଏବେ ୧୨ରୁ ୪କୁ ଖସିଲା ଉଜ୍ବଳା ସିଲିଣ୍ଡର । ଆଗକୁ ଶୂନ ହେବାକୁ ବେଶି ଦିନ ଲାଗିବନି । ଏହା ବିଜେପିର ଅସଲ ମୁଖାକୁ ପଦାରେ ପକାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପିର କଷଣରେ ଲୋକେ କେମିତି ଚଳିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କୁଆଡେ ଗଲେ ବିଜେପି ନେତ୍ରୀ ? ସେମାନଙ୍କୁ କ’ଣ ମହଙ୍ଗା ମାଡ଼ ବାଧୁନି ବୋଲି କଂଗ୍ରେସ ପଚାରିଛି ।

ବିଜେପି କିନ୍ତୁ ଅଜବ ଯୁକ୍ତି ବାଢ଼ିଛି । ଯୁଦ୍ଧ ଚାଲିଛି ଆଡଜଷ୍ଟ କର । ଯୁଦ୍ଧ ପାଇଁ ଖାଉଟି କ୍ଷତି ସହିଛନ୍ତି । ପ୍ରଧାନମନ୍ତ୍ରୀ କାଣ୍ଟଛାଣ୍ଟ କରି ଚାଲିବାକୁ ଅନୁରୋଧ କରିଥିଲେ । ତେଣୁ ଏଲପିଜି ଉପରେ ବଢୁଥିବା ସରକାରୀ ବ୍ୟୟ ଓ ଅନ୍ତର୍ଜାତୀୟ ବଜାରରେ ଉଚ୍ଚ ଇନ୍ଧନ ମୂଲ୍ୟ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ବିଜେପି ଯୁକ୍ତି ବାଢିଛି ।

ଉଜ୍ଜଳା ଯୋଜନାରେ ସିଲିଣ୍ଡର କମିବାରୁ କାଠ ବା ଗୋବର ଗ୍ୟାସରେ ରୋଷେଇକୁ ଫେରିବାକୁ ପଡ଼ିବ । ବାଧ୍ୟ ହୋଇ ମହିଳାମାନେ ପୁଣି ଧୂଆଁ ଦେଉଥିବା ଚୁଲି ବ୍ୟବହାର କରିବେ । ଏହାଦ୍ୱାରା ଆଖି ଜଳିବା ସହ ଫୁସଫୁସ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି । ବର୍ଷକୁ ୪ଟି ସିଲିଣ୍ଡରର ଅର୍ଥ ହେଉଛି ମାସକୁ ୦.୩୩ ସିଲିଣ୍ଡର । ଯାହା ୪ରୁ ୫ ଜଣିଆ ପରିବାର ପାଇଁ ଯଥେଷ୍ଟ ନୁହେଁ । ଏହା ଅର୍ଥନୈତିକ ବୋଝ ବି ବଢ଼ାଇବ । ୪ଟା ପରେ ସବସିଡି ବିନା ପୂରା ଦାମରେ ସିଲିଣ୍ଡର କିଣିବାକୁ ପଡ଼ିବ ।

ଖରା ତାତିକୁ ବଳି ଗଲା ବଲାଙ୍ଗୀର ଜଳାଶୟ ରାଜନୀତି

ଖରା ତାତିକୁ ବଳି ଗଲା ବଲାଙ୍ଗୀର ଜଳାଶୟ ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଖରାତାତି ଠୁ ବଳି ଯାଇଛି ଜଳାଶୟ ରାଜନୀତି । କଂଗ୍ରେସ ବରିଷ୍ଠ ନେତା ଓ ବଲାଙ୍ଗୀର ପୌରପାଳିକା ମଧ୍ୟରେ ଦୀର୍ଘଦିନ ହେବ ଚାଲିଥିବା ଶୀତଳ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି । ପୌରପାଳିକା ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ବିଭିନ୍ନ ସମୟରେ ବର୍ଷୁଥିବା କଂଗ୍ରେସ ବରିଷ୍ଠ ନେତାଙ୍କୁ ପୌରପାଳିକା ପକ୍ଷରୁ ଦିଆଯାଇଛି କଡା ଜବାବ । ଲକ୍ଷ୍ମୀଯୋର ପ୍ରକଳ୍ପରେ ହୋଇଥିବା ୨୦ କୋଟିର ଦୁର୍ନୀତି ନରସିଂହଙ୍କୁ ଦେଖାଯାଉନାହିଁ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି । ସେପଟେ ନରସିଂହ ମିଶ୍ର ମଧ୍ୟ ପାଲଟା ଜବାବ ଦେଇଛନ୍ତି ।

ଜଳାଶୟ ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ନରସିଂହଙ୍କ ପ୍ରତିବାଦ ଜାରି । ପୌରପାଳିକା ପକ୍ଷରୁ ଅନବରତ ଭାବେ ବଲାଙ୍ଗୀର ସହରର ବିକାଶମୂଳକ କାର୍ଯ୍ୟ ଚାଲିଛି । ପୂର୍ବ ସରକାରଙ୍କ ଅନୁଦାନରେ ବଲାଙ୍ଗୀରର ବିକାଶର ଚିତ୍ର ବଦଳିଛି । ସହରର ରାସ୍ତାଘାଟ, ଡ୍ରେନେଜ, ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ ସମସ୍ୟାର ସମାଧାନ କରାଯାଇଛି । ବିକାଶ ଦେଖି ସହ୍ୟ କରି ପାରୁନାହାନ୍ତି ବଲାଙ୍ଗୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନରସିଂହ ମିଶ୍ର ବୋଲି କହିଛନ୍ତି ପୌରଧକ୍ଷା । ନରସିଂହ ମିଶ୍ରଙ୍କ ବିଧାୟକ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ପରିବାରର କେବଳ ବିକାଶ ହୋଇଛି । କୌଣସି ପୋଖରୀର ପୁନରୁଦ୍ଧାର ସେ କରିନାହାନ୍ତି । ଲକ୍ଷ୍ମୀଜୋରକୁ ମିନି ବ୍ୟାଙ୍କକ କରିବାକୁ ୨୦ କୋଟି ଆଣିଥିଲେ । ଏବେ ମିନି ବ୍ୟାଙ୍କକ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ନରସିଂହ ମିଶ୍ରଙ୍କ ରକ୍ତରେ ଦୁର୍ନୀତି ଭର୍ତ୍ତି ହୋଇ ରହିଛି ବୋଲି ଅଭିଯୋଗ ହୋଇଛି । ନରସିଂହ ମିଶ୍ର ଯେଉଁ ଲକ୍ଷ୍ମୀଜୋରର ବିକାଶ କରିଥିଲେ ତାହା ବ୍ୟବହାର ଉପଯୋଗୀ ହୋଇନାହିଁ ବୋଲି ପୌରପାଳିକା ପକ୍ଷରୁ ଅଭିଯୋଗ ହୋଇଛି । ଯଦି ମହାରାଣୀ ସାଗର ଓ ଲକ୍ଷ୍ମୀଜୋରରେ ଦୁର୍ନିତି ହୋଇଛି ତାହା ହେଲେ ଭିଜିଲାନ୍ସ ତଦନ୍ତ କରୁ ବୋଲି କହିଛନ୍ତି ପୌରାଧକ୍ଷା ଓ କାଉନସିଲର ସଦସ୍ୟ ।

ମୁଣ୍ଡ ନେଉଛି ମଦ, ନିଶାସକ୍ତ ଭାବେ ଡ୍ରାଇଭିଂ ଯୋଗୁଁ ବଢୁଛି ଦୁର୍ଘଟଣା

ମୁଣ୍ଡ ନେଉଛି ମଦ, ନିଶାସକ୍ତ ଭାବେ ଡ୍ରାଇଭିଂ ଯୋଗୁଁ ବଢୁଛି ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ନେଉଛି ମଦ । ନିଶାଶକ୍ତ ଭାବେ ଡ୍ରାଇଭିଂ ଯୋଗୁଁ ବଢୁଛି ଦୁର୍ଘଟଣା । ସତ ଚେଷ୍ଟା ପରେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ । ମେ’ ମାସରେ ଭୁବନେଶ୍ୱରରେ ଧରାପଡିଛି ୬ ଶହରୁ ଊର୍ଦ୍ଧ୍ବ ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ କେସ । ସହରରେ ବଢୁଥିବା ହିଟ ଆଣ୍ଡ ରନ୍ ଏବେ ପାଲଟିଛି ମୁଣ୍ଡବିନ୍ଧା ।

ଖାରବେଳନଗର ଥାନା ଅଧୀନରେ ମଦ ପିଇ ଧରାପଡିଥିବା ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ପଛକୁ ରହିଛି ଲକ୍ଷ୍ମୀସାଗର ଓ କ୍ୟାପିଟାଲ ପୋଲିସ ଷ୍ଟେସନ । ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ କେସରେ ସାରା ଭୁବନେଶ୍ୱରରେ ଧରାପଡିଛି ୬୭୩ଟି ମାମଲା । ଯେଉଁଥିପାଇଁ ହିଟ ଆଣ୍ଡ ରନ ବଢୁଥିବା ମଧ୍ୟ ଦେଖାଯାଉଛି । ସାରା ଦେଶରେ ବାର୍ଷିକ ପାଖାପାଖି ୫୭ ହଜାର ହିଟ ଆଣ୍ଡ ରନ କେସ ସାମ୍ନାକୁ ଆସୁଥିବା ବେଳେ ଆଧିକାଂଶର କାରଣ ମଦ ପିଇ ଡ୍ରାଇଭିଂ ।

ହିଟ ଆଣ୍ଡ ରନ କେସରେ ସାରା ଦେଶରେ ଉତ୍ତରପ୍ରଦେଶ ଆଗରେ ଥିବା ବେଳେ ତା’ ପଛକୁ ରହିଛି ମଧ୍ୟପ୍ରଦେଶ ଓ ବିହାର । ଗୋଟିଏ ପଟେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସହର ଭିତରକୁ ଭାରିଯାନ ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ ପୋଲିସର ନିୟମ ଏବେ ପାଣିର ଗାର ପାଲଟିଛି । କେବଳ ଓଡ଼ିଶାରେ ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ସାରା ଦେଶରେ ଦିନକୁ ଗଡୁଛି ପାଖାପାଖି ୫ ଶହ ମୁଣ୍ଡ । ସଡକ ସୁରକ୍ଷା ସପ୍ତାହ ପାଳନ ଆଳରେ ପଲ୍ୟୁସନ, ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ଟ୍ରିପଲ ରାଇଡିଂରେ କୋଟି କୋଟି ଟଙ୍କାର ଫାଇନ କଟୁଛି । କିନ୍ତୁ ପରିବହନ ବିଭାଗ, ପୋଲିସ ଓ ଏନଏଚଆଇ ମଧ୍ୟରେ ବିଭାଗୀୟ ତାଳମେଳ ରହୁ ନଥିବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । କାଗଜପତ୍ରରେ ସଡକ ସୁରକ୍ଷା ଚାଲିଥିବା ବେଳେ ଏହାର କୌଣସି ବାସ୍ତବତା ନଥିବା ଅଭିଯୋଗ ହେଉଛି ।

ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନାଙ୍କ ଜାମିନ ଖାରଜ

ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନାଙ୍କ ଜାମିନ ଖାରଜ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ସବ-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନା ମହାନ୍ତିର ନିୟମିତ ଜାମିନ ଆବେଦନ ଖାରଜ । ଅନ୍ତରୀଣ ଜାମିନରେ ଥିବା ମୁନାଙ୍କୁ ସରେଣ୍ଡର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୧ ତାରିଖ ସୁଦ୍ଧା ସରେଣ୍ଡର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ପାଇଥିଲେ ମୁନା ।

ମୁନାକୁ ଦଶପଲ୍ଲାରେ ଥିବା ଏକ ଫାର୍ମ ହାଉସରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମୁନା ସମେତ ଦୁଇ ସହଯୋଗୀ ସୁକାନ୍ତ ମହାରଣା ଏବଂ ଶ୍ରୀକାନ୍ତ ମହାରଣାକୁ ଗିରଫ କରାଯାଇଥିଲା । ୨୦୨୫ ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟରେ ସବ-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ, ମୁନା ସହ ତାଙ୍କ ସହଯୋଗୀଙ୍କ ଗୋଟିଏ ଫାର୍ମ ହାଉସରୁ ଗିରଫ କରାଯାଇଥିଲା ।

ଶାଳ ଫୁଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ଦଲାଲ ମାଲାମାଲ

ଶାଳ ଫୁଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ଦଲାଲ ମାଲାମାଲ

ନନ୍ଦିଘୋଷ ବ୍ୟୁରୋ: ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଉପୁଜୁଛି ସମସ୍ୟା । ଶାଳ ଫୁଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀମାନେ ଖରାକୁ ଖାତିର ନକରି ଜଙ୍ଗଲରୁ ଶାଳ ଫୁଲ ସଂଗ୍ରହ କରୁଛନ୍ତି । ହେଲେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ହେଉଛନ୍ତି ଅଭାବୀ ବିକ୍ରିର ଶିକାର । ଏହାର ଫାଇଦା ଉଠାଉଛନ୍ତି ଦଲାଲ । ଶାଗ, ମାଛ ଦରରେ ଶାଳ ଫୁଲ କିଣି ନେଉଥିବା ଅଭିଯୋଗ ।

ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ସାମଗ୍ରୀକୁ ଟିଡିସିସି ଜରିଆରେ ବିକ୍ରି କରିବାର ବ୍ୟବସ୍ଥା ରହିଛି । ମାତ୍ର ବିଜେପି ସରକାର ଏହି ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଫଳରେ ଶାଳ ମଞ୍ଜି ସଂଗ୍ରହ କରୁଥିବା ତୋଳାଳିମାନେ ସର୍ବନିମ୍ନ ମୂଲ୍ୟ ପାଇପାରୁନାହାଁନ୍ତି ।

ଭାଷଣରେ ଚାଲିଛି ଯୋଜନା, ଲୋକଙ୍କୁ ମିଳୁନି ପିଇବାକୁ ମୁନ୍ଦେ ପାଣି

ଭାଷଣରେ ଚାଲିଛି ଯୋଜନା, ଲୋକଙ୍କୁ ମିଳୁନି ପିଇବାକୁ ମୁନ୍ଦେ ପାଣି

ନନ୍ଦିଘୋଷ ବ୍ୟୁରୋ: ପ୍ରଚଣ୍ଡ ଦ୍ରୌଦ୍ରତାପକୁ ଅସହ୍ୟ ଗୁଳୁଗୁଳି । ସୁଖି ଗଲାଣି ଜଳ ଉତ୍ସ । ପିଇବା ପାଣି ମୁନ୍ଦେ ପାଇଁ ଉପାନ୍ତରୁ ଉପକୂଳ ଡହଳ ବିକଳ ହେଉଛନ୍ତି ଲୋକେ । ହେଲେ ପାଣି ଯୋଗାଇବାରେ ସରକାର ଫେଲ । ଖୋଦ ଭୁବନେଶ୍ଵର ଉପକଣ୍ଠରେ ପାଣି ପାଇଁ ଲୋକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଜଟଣୀ ବ୍ଲକ ବଡ଼ତୋଟା ଗାଁର ଏକ ନମ୍ବର ୱାର୍ଡରେ ଥିବା ନଳକୂପ ଆଗରେ ଗରା, ବାଲଟି ଥୋଇ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି ମହିଳା । ଭୂତଳ ଜଳସ୍ତର ଖସିଯିବାରୁ ସେଥିରୁ ବାହାରୁଛି ଲୌହ ମିଶ୍ରିତ ପାଣି । ହେଲେ ବିକଳ୍ପ ନଥିବାରୁ ଏହି ପାଣି ପିଇବାକୁ ଲୋକେ ବାଧ୍ୟ ହେଉଥିବା ଅଭିଯୋଗ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ପଦନପୁର ପଞ୍ଚାୟତ ବଡ଼ତୋଟା ଗାଁରେ ଏକ ନମ୍ବର ୱାର୍ଡରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ୱାର୍ଡରେ ପାଇପ ଲାଇନ ପଡ଼ିଛି, ହେଲେ ସେଥିରୁ ପାଣି ମୁନ୍ଦାଏ ବାହାରୁନି । କୂଅଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଗୋଟିଏ ମାତ୍ର ନଳକୂପ ୨ ଶହ ପରିବାରଙ୍କ ପାଲଟିଛି ସାହାରା । ଭୂତଳ ଜଳସ୍ତର ଖସି ଖସି ଯିବାରୁ ଗୋଟିଏ ଗରା ପାଣି ପାଇଁ ଟ୍ୟୁବଲ ପାଖରେ ୧୦ରୁ ୧୫ ମିନିଟ ଠିଆ ହେବାକୁ ପଡୁଛି । ସେଥିରୁ ଲୁହା ମିଶ୍ରିତ ପାଣି ବାହାରୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି ।

ପୂର୍ବ ସରକାର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରିଥିଲେ । ଗ୍ରୀଷ୍ମରେ ଗାଁକୁ ଗାଁ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ କରୁଥିଲେ । ସରକାର ପରିବର୍ତ୍ତନ ପରେ ଲୋକ ହିତକର ଯୋଜନା ଠପ ହୋଇଯାଇଛି । ପାନୀୟ ଜଳ ସମସ୍ୟା ସଂପର୍କରେ ୱାର୍ଡର ମହିଳାମାନେ ଜଟଣୀ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ସରପଞ୍ଚଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ କହିଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ ।

ଶିଶୁଙ୍କ ପାଇଁ ଆସିଥିବା ୯୫ କ୍ବିଣ୍ଟାଲ ଗହମ ପାଣିରେ ଭସାଇ ଦେଲେ ସିଡିପିଓ

ଶିଶୁଙ୍କ ପାଇଁ ଆସିଥିବା ୯୫ କ୍ବିଣ୍ଟାଲ ଗହମ ପାଣିରେ ଭସାଇ ଦେଲେ ସିଡିପିଓ

ନନ୍ଦିଘୋଷ ବ୍ୟୁରୋ: ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଶିଶୁ ବିକାଶ ପ୍ରକଳ୍ପ-୨ରେ ଶିଶୁଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଭଦ୍ରକରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିଶୁମାନଙ୍କ ଖାଦ୍ୟ ପାଇଁ ଆସିଥିବା ୯୫ କ୍ବିଣ୍ଟାଲ ଗହମକୁ ପାଣିରେ ଭସାଇ ଦେଇଛନ୍ତି ସିଡିପିଓ । ଲକ୍ଷ ଲକ୍ଷ ଟଙ୍କାର ଗହମ ଏପରି ପାଣିରେ ଫିଙ୍ଗା ଯିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଶିଶୁ ବିକାଶ ପ୍ରକଳ୍ପ-୨ ଅଧୀନରେ ତ୍ରିନାଥ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ସରକାରୀ ଉଦାସୀନତା ଯୋଗୁଁ ଏତେ ପରିମାଣର ଗହମ ନଷ୍ଟ ହୋଇଗଲା, ହେଲେ କେହି ତା’ର ଦାୟିତ୍ବ ନେଲେ ନାହିଁ । ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଦାବି ଜୋର ଧରିଛି ।

ଏବେ ପ୍ରଶ୍ନ ଉଠୁଛି, ଏତେ ପରିମାଣରେ ଖାଦ୍ୟଶସ୍ୟ ନଷ୍ଟ ହୋଇଗଲା। ଏ ନେଇ କାହା ପାଖରେ କିପରି ଆଗରୁ ଖବନ ନଥିଲା ? କାହିଁକି ଠିକ ସମୟରେ ଗହମଗୁଡ଼ିକ ବ୍ୟବହାର ହେଲାନି କାହିଁକି ? ଏତେ ପରିମାଣର ଖାଦ୍ୟକୁ ନଷ୍ଟ କରଗଲା ଏହାର ଭରଣା କିଏ କରିବ ? ଭଦ୍ରକ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବର ଅଛି ତ ?

ହର୍ମୁଜରୁ ଅଦୃଶ୍ୟ ହୋଇ ଭାରତରେ ପହଞ୍ଚୁଛି ଜାହାଜ, ରହସ୍ୟ କ’ଣ ?

ହର୍ମୁଜରୁ ଅଦୃଶ୍ୟ ହୋଇ ଭାରତରେ ପହଞ୍ଚୁଛି ଜାହାଜ, ରହସ୍ୟ କ’ଣ ?

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ପଶ୍ଚିମ ଏସିଆ । ଆମେରିକା-ଇରାନ ଯୁଦ୍ଧର ଅଗ୍ନି କେବଳ ସାମରିକ ନୁହେଁ, ବ୍ୟବସାୟିକ ନିଆଁ ଲଗାଇଛି । ବିଶେଷ କରି ହର୍ମୁଜ ଉପରେ ଏବେ ସାରା ବିଶ୍ବର ନଜର । ଦୁଇ ଦେଶ ମଧ୍ୟରେ ସଂଘର୍ଷ ସାରା ବିଶ୍ବ ଉପରେ ପକାଇଛି ପ୍ରଭାବ  । ହର୍ମୁଜ ଦେଇ ଆସୁଥିବା ଜାହାଜ ଉପରେ ଆକ୍ରମଣ ନାକେବଳ ଉକ୍ତ ଦେଶ, ବରଂ ବ୍ୟବସାୟିକ ସଂସ୍ଥଙ୍କର ବି ନିଦ ହଜାଇ ଦେଇଛି । ଆଉ ଏହାରି ଭିତରେ ଏବେ ଆସିଛି ଏକ ବଡ଼ ଖବର । ବିଶେଷ କରି ଭାରତର ତେଲ, ଗ୍ୟାସ୍ ଆମଦାନୀକୁ ନେଇ ଏଇ ଏହି ଖବର ଆସୁଛି । ମିଳିଥିବା ସୂଚନା ଅନୁସାରେ ହର୍ମୁଜରେ ପହଞ୍ଚୁ ପହଞ୍ଚୁ ଭାରତୀୟ ଜାହାଜ ହଠାତ ଅଦୃଶ୍ୟ ହୋଇଯାଇ ଭାରତରେ ପହଞ୍ଚି ଯାଉଛନ୍ତି ।

ଆଜ୍ଞା ହଁ ଠିକ ଶୁଣିଛନ୍ତି । ଭାରତୀୟ ଜାହାଜ ହର୍ମୁଜ ପାର ହେବା ବେଳେ ହଠାତ ଅଦୃଶ୍ୟ ହୋଇଯାଉଛନ୍ତି, ଆଉ ପରେ ଠିକ ସ୍ଥାନରେ ପହଞ୍ଚି ଯାଉଛନ୍ତି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତିବା ପାଇଁ ଏହି ପନ୍ଥା ଆପଣାଉଥିବା ଜଣାପଡିଛି ।ପ୍ରକୃତ କଥା ହେଲା, ହର୍ମୁଜ ଅତିକ୍ରମ କରିବା ସମୟରେ ତେଲ ଟ୍ୟାଙ୍କର ଗୁଡିକ ସେମାନଙ୍କ ଅଟୋମେଣ୍ଯଇକ ଟ୍ରାକିଂ ସିଷ୍ଟମ (ASI) ବନ୍ଦ କରି ଦେଉଛନ୍ତି । ଫଳରେ, ଆମେରିକା ହେଉ କି ଇରାନ ଆଉ ସେ ଜାହାଜକୁ ଟ୍ରାକ କରିପାରୁନାହାଁନ୍ତି ।

ପ୍ରଥମେ ଇରାନ ଓ ଋଷ ପରି ଦେଶ ପ୍ରଦିବନ୍ଧକରୁ ରକ୍ଷା ପାଇବାକୁ ଜାହାଜର ଟ୍ରାକିଂ ସିଷ୍ଟମ ବନ୍ଦ କରୁଥିଲେ । ଏହାକୁ ସିପିଂ ଭାଷାରେ ସ୍ୟାଡୋ ପ୍ଲିଟ କୁହାଯାଇଥାଏ । ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ହର୍ମୁଜ ଏବେ ବିଶ୍ବର ସବୁଠାରୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ ପାଲଟିଛି । ଆଉ ଏହି ଅଞ୍ଚଳ ଦେଇ ବ୍ୟବସାୟିକ ଜାହାଜ ଯିବାର ଅର୍ଥ ଆକ୍ରମଣକୁ ଆମନ୍ତୟଣ କରିବା ସଦୃଶ୍ୟ ହୋଇଛି । ଏମିତି ସ୍ଥିତିରେ କମ୍ପାନୀମାନେ ସତର୍କ ହୋଇଯାଇଛନ୍ତି । ଏପରିକି ଅଣ ପ୍ରତିବନ୍ଧକ ରାଷ୍ଟ୍ର ବି ଏବେ ଏହି ଜଳରାସ୍ତାକୁ ଲୁଚିଛପି ପାର ହେଉଛନ୍ତି । ଭୋର୍ଟ୍ରେକ୍ସା ଅନୁସାରେ ମାର୍ଚ୍ଚରୁ ମେ’ ମଧ୍ୟରେ ଏହି ରାସ୍ତା ଅତିକ୍ରମ କରିଥିବା ୫୭ ପ୍ରତିଶତ ଜାହାଜ ନିଜ ସିଷ୍ଟମ ବନ୍ଦ କରିଛନ୍ତି ।

ଭାରତରେ ସୁରକ୍ଷିତ ପହଞ୍ଚୁଛି ଜାହାଜ

ଭାରତ ପାଇଁ ଖଉସି ଖବର ହେଲା ଅଶୌଧିତ ତେଲ, ଏଲଏନଜି ଓ ଏଲପିଜି ନିୟମିତ ଭାବେ ବିନା କୌଣସି ଅବରୋଧରେ ଭାରତରେ ପହଞ୍ଚୁଛି । ଭାରତ ନିଜର ତେଲ ଆବଶ୍ୟତକାର ୪୦ ପ୍ରତିଶତ, ଏଲଏନଜି ୬୦ ପ୍ରତିଶତ ଓ ଏଲପିଜି ୯୦ ପ୍ରତିଶତ ଆମଦାନୀ ଏହି ହର୍ମୁଜ ରାସ୍ତାରେ ହିଁ ହୋଇଥାଏ । ତଥ୍ୟ ଅନୁସାରେ ଅଶୌଧିତ ତେଲ ସହ କ୍ଲିନ ପ୍ରଡକ୍ଟ ପେଟ୍ରୋଲ ଓ ଡିଜେଲ, ଏଲପିଜି ଜାହାଜ ବି ଡାର୍କ ମୋଡ ବ୍ୟବହାର କରି ଭାରତରେ ପହଞ୍ଚୁଛନ୍ତି ।

କେତେ ବିପଦଜ୍ଜନକ ଡାର୍କ ମୋଡ ଖେଳ ?

ଅନ୍ତରାଷ୍ଟ୍ରିୟ ସାମୁଦ୍ରିକ ନିୟମ ଅନୁସାରେ ଜାହାଜର ଏଆଇଏସ ସବୁବେଳେ ଚାଲୁ ରହିବା ଆବଶ୍ୟକ । ସିଷ୍ଟମ ବନ୍ଦ ହେବା ଦ୍ବାରା ଜାହାଜ ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥାଏ । ସିଧା ଭାଷାରେ କହିବାକୁ ଗଲେ ଜାହାଜର ରାଡରରୁ ଅଦୃଶ୍ୟ ହୋଇଟାଇଥାଏ । ଏମିତି ସ୍ଥିତିରେ ସିଷ୍ଟମ ବନ୍ଦ ହେବା ଫଳରେ ହର୍ମୁଜ ପରି ଅତ୍ୟଧିକ ଟ୍ରାଫିକିଂ ରାସ୍ତାରେ ଅନ୍ୟ ଜାହାଜ ସହ ଧକ୍କା ହେବାର ସମ୍ଭାବନା ରହିଛି । ଆକ୍ରମଣ ଭୟ ତେ ଘାରିଛି ଯେ, ଏତେ ବିପଦ ଥିଲେ ବି ଜାହାଜ ଗୁଡିକ ସିଷ୍ଟମ ବନ୍ଦ କରିବା ପୂର୍ବରୁ ଥରେ ବି ଚିନ୍ତା କରୁନାହାନ୍ତି ।

ଅନଲାଇନ ଗେମ୍ ପାଇଁ ବାପା-ଭଉଣୀକୁ ହତ୍ୟା କଲା ପୁଅ…

ଅନଲାଇନ ଗେମ୍ ପାଇଁ ବାପା-ଭଉଣୀକୁ ହତ୍ୟା କଲା ପୁଅ…

ନନ୍ଦିଘୋଷ ବ୍ୟୁରୋ : ଅନଲାଇନ ଗେମ ନେଲା ଜୀବନ ! ମୋବାଇଲ ଗେମ୍ ନିଶାରେ ପୁଅ ଭୁଲିଗଲା ହିତାହୀତ ଜ୍ଞାନ । ଗେମ୍ ଖେଳିବାକୁ ପଇସା ନ ଦେବାକୁ ବାପା-ଭଉଣୀକୁ କଲା ହତ୍ୟା। କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରୁ ଏକ ଭୟଙ୍କର ଘଟଣା  ସମ୍ନାକୁ ଆସିଛି । ମୋବାଇଲରେ ଗେମ୍‌ ଖେଳିବା ନିଶା ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । ଗଙ୍ଗାବତୀ ତାଲୁକର ଅଯୋଧ୍ୟା ଗାଁରେ ଜଣେ ୧୭ ବର୍ଷୀୟ ପୁଅ ତାଙ୍କ ବାପା ଓ ଭଉଣୀକୁ ଛୁରୀ ଭୁସି ହତ୍ୟା କରିଛି । ମାଆ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲା ଚିକିତ୍ସୀତ ହେଉଛନ୍ତି ।  ଘଟଣା ପରେ ଅଭିଯୁକ୍ତ ଅନ୍ୟ ଏକ ପୀଡିତାଙ୍କୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ଜିଲ୍ଲାର ଗଙ୍ଗାବତୀ ଗାଁର ପୋଲିସ ଷ୍ଟେସନରେ  ହୋଇଛି ।

ପୋଲିସ ଅନୁସାରେ ଏହି ଘଟଣାଟି ଶନିବାର ଦିନ ରାତି ପ୍ରାୟ ସାଢ଼େ ୧୦ଟାରେ ହୋଇଥିଲା । ମୃତକ ହେଲେ ଭେଙ୍କଟ ନାଇଡୁ ବୟସ ୪୫ ଏବଂ ତାଙ୍କ ୧୯ ବର୍ଷୀୟ ଝିଅ ପ୍ରଗତି। ଭେଙ୍କଟ ନାଇଡୁ ଏକ ଘରୋଇ ସ୍କୁଲରେ ସୁପରଭାଇଜର ଭାବେ କାମ କରୁଥିଲେ । ସେଠାରେ ତାଙ୍କ ପତ୍ନୀ ସୌଜନ୍ୟା ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ମୃତ ଭେଙ୍କଟ ନାଇଡୁଙ୍କ ବାପା ଥାଟ୍ଟା ରାଓଙ୍କ ଅଭିଯୋଗ କ୍ରମେ ଘଟଣାଟି ରୁଜୁ କରି ପୋଲିସ ତଦନ୍ତ କରୁଛି ।

ଘଟଣାର ତଦନ୍ତ ଅନୁସାରେ ରାତି ପ୍ରାୟ ୯ଟାରେ ପୁରା ପରିବାର ଏକାଠି ମିଶି ଭୋଜନ କରିଥିଲେ । ତା’ପରେ ରାତି ପ୍ରାୟ ୧୦.୩୦ ସମୟରେ ଏକ କଠୋରୀ ଭିତରୁ ଜୋର ଶବ୍ଦ ଶୁଭିଲା । ଯେତେବେଳେ ପରିବାରର ଅନ୍ୟ ସଦସ୍ୟ ସେଠାରେ ଆସି ପହଞ୍ଚିଲେ ତ ଭିତରପଟୁ ଘର କବାଟ ବନ୍ଦ ଥିଲା, ପରିବାର ଲୋକେ ପୋଡ଼ଶୀଙ୍କ ସାହାର୍ଯ୍ୟ  ନେଇ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ  ।ସେଠାରେ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଚାରିଜଣ ଲୋକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।

ପୋଲିସ କହିବା ଅନୁସାରେ ପ୍ରଥମ ତଦନ୍ତରୁ ଜଣାପଡିଛି ଯେ ପୁଅଟି ମୋବାଇଲ ଗେମ ଖେଳିବା ନିଶାରେ ଥିଲା । ସେ ଖେଳିବା ସମୟରେ ତାକୁ କେହି ବାଧା ଦେଉଥିଲେ କିମ୍ୱା କଥା ହେଉଥିଲେ ରାଗି ଯାଉଥିଲା । ତଦନ୍ତ ପରେ ଏହା ମଧ୍ୟ ଜଣା ପଡିଲା ଯେ ସେ ତାଙ୍କ ବାପାଙ୍କୁ ପଇସା ମାଗିଥିଲେ,ହେଲେ ବାପା ତାଙ୍କୁ ମନା କରିଥିଲେ । ଏହି କାରଣକୁ ବିବାଦ ବଢ଼ିବା ପରେ ହତ୍ୟା ସନ୍ଦେହ ଉଠୁଛି । ପୋଲିସର କହିବା ଅନୁସାରେ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି । ଅଭିଯୁକ୍ତ କିଶୋର ଏବଂ ଆହତ ମାଆଙ୍କ ବୟାନ ରେକର୍ଡ ହେବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ।