spot_img
Home Blog Page 2915

ଶରଦ ପୱାରଙ୍କୁ ଚ୍ୟାଲେଞ୍ଜ, ଅଜିତ କହିଲେ ଏନସିପି ସିମ୍ବଲରେ ହିଁ ନିର୍ବାଚନ ଲଢ଼ିବୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଏନସିପି ନେତା ଅଜିତ ପୱାର ନିଜ ସମର୍ଥକଙ୍କ ସହ ସିନ୍ଦେ ସରକାରକୁ ସମର୍ଥନ ଦେଇଛନ୍ତି । ଏଥିସହିତ ସେ ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ୮ ଏନସିପି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଦଳ ସହ ବିଦ୍ରୋହ କରିବା ପରେ ଏବେ ଦଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି ଅଜିତ ପୱାର । ଶପଥ ନେବା ପରେ ଅଜିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳର ବିସ୍ତାର ଖୁବଶୀଘ୍ର ହେବ ଏବଂ ଏଥିରେ ଆଉ କିଛି ମନ୍ତ୍ରୀ ସାମିଲ ହେବେ । ଏଥିସହିତ ଅଜିତ ପୱାର ଏହା ମଧ୍ୟ କହିଛନ୍ତି ଯେ ଏନସିପିର ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢ଼ିବେ ।

ସେ କହିଛନ୍ତି ଦଳର ନାଁ ମଧ୍ୟ ମୋ ସହିତ ରହିବ । ଏହିଭଳି ଅଜିତ ପୱାର ଦାଦା ଶରଦ ପୱାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି । ଅଜିତ ପୱାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଦଳର ସମସ୍ତ ବିଧାୟକ ଏବଂ ନେତା ତାଙ୍କ ସହିତ ଅଛନ୍ତି । ଅଜିତ ଆଗକୁ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଦେଶର ବିକାଶ ପାଇଁ କାମ କରୁଛନ୍ତି । ଏଥିପାଇଁ ମୋତେ ଲାଗିଲା ଯେ ଆମେ ବି ଏଥିରେ ସାମିଲ ହେବା ଜରୁରୀ । ଅଜିତଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଯେ ସେ ଆଗକୁ ଏନସିପି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ରାଜନୀତିର ଚାଣକ୍ୟ ଭାବେ ଜଣାଯାଉଥିବା ଶରଦ ପୱାର ଦଳ ନିଜ ପାଖରେ ରଖିବା ପାଇଁ କି ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଦେଖିବା ବାକି ରହିଲା ।

ଦେବଗଡ଼ରେ ନକଲି ନୋଟ କାରବାର ବେଳେ ଜଣଙ୍କୁ ଗିରଫ କଲା ପୋଲିସ

ଦେବଗଡ଼: ଦେବଗଡ଼ରେ ନକଲି ନୋଟ କାରବାର ବେଳେ ଜଣଙ୍କୁ ଗିରଫ କଲା ପୋଲିସ । ବସଷ୍ଟାଣ୍ଡ ନିକଟରେ ନକଲି ନୋଟ ଦେଇ ସାମଗ୍ରୀ କିଣୁଥିବାବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ବିନୋଦ ସିଂ ଗିରଫ ହୋଇଛନ୍ତି । ନକଲି ନୋଟ ସନ୍ଦେହରେ ପ୍ରଥମେ ଦୋକାନୀ ତାଙ୍କୁ ଅଟକାଇଥିଲେ । ସେଠାରୁ କୌଶଳ କ୍ରମେ ଖସିଯାଇଥିଲା ଅଭିଯୁକ୍ତ । ଦୋକାନୀଙ୍କ ଅଭିଯୋଗ ଆଧାରରେ ପୋଲିସ ବିନୋଦର ଘରେ ଚଢ଼ାଉ କରି 135 ଖଣ୍ଡ ନକଲି ପାଞ୍ଚ ଶହ ଓ 20 ଖଣ୍ଡ 200 ଟଙ୍କିଆ ନୋଟ ଜବତ ହୋଇଛି ।

ଜବତ ନକଲି ନୋଟର ମୂଲ୍ୟ 69 ହଜାର 500 ଟଙ୍କା । ଏହା ସହିତ ଗୋଟିଏ ପାସ ବୁକ 14ଟି ଏଟିଏମ କାର୍ଡ, 6ଟି ମୋବାଇଲ ଫୋନ ଓ ଗୋଟିଏ ବୋଲେରୋ ଜବତ କରିବା ସହ ବିନୋଦକୁ ଗିରଫ କରାଯାଇଚି । ପୋଲିସର ପଚରାଉଚରା ପରେ ଅଭିଯୁକ୍ତ କହିଛି, ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସାଲଡେଗା ଗାଁର ପୁନେଇଁ ଓରାମ 30 ହଜାର ଟଙ୍କା ଅସଲି ନୋଟ ବଦଳରେ ଏକ ଲକ୍ଷ ଟଙ୍କା ନକଲି ନୋଟ ଦେଇଥିଲେ । ନକଲି ନୋଟ କାରବାରର ମୂଳରେ ପହଞ୍ଚିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ।

ସାତ କୋଟି ଠକେଇ ଅଭିଯୋଗରେ ଦ୍ବାରିକା ଜୁଏଲାରୀ ଓ ତାର ସହଯୋଗୀଙ୍କ ଘରେ CBI ରେଡ୍

ଭୁବନେଶ୍ୱର: ସାତ କୋଟି ଠକେଇ ଅଭିଯୋଗରେ ଦ୍ବାରିକା ଜୁଏଲାରୀ ଓ ତାର ସହଯୋଗୀଙ୍କ ଘରେ CBI ଚଢ଼ାଉ କରିଛି । CBI DSP ଦିବାକର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଛି । CBI ଦ୍ବାରିକା ଜୁଏଲାରୀ ମୁଖ୍ୟ ଦ୍ବାରିକାନାଥ ପାତ୍ର, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଓ ଅନ୍ୟ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଭୁବନେଶ୍ବରର 6ଟି ଜାଗାରେ ରେଡ୍ ହୋଇଥିବାବେଳେ ବହୁ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ସହିଦ ନଗର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା ।

2013 ମସିହାରେ ଦ୍ବାରିକା ଜୁଏଲାରୀର ଦ୍ବାରିକାନାଥ ଓ ଭାଗୀଦାର ତତ୍କାଳୀନ ଆହ୍ଲାବାଦ ବ୍ୟାଙ୍କ୍ ତଥା ବର୍ତ୍ତମାନର ଇଣ୍ଡିଆନ ବ୍ୟାଙ୍କରୁ ଛଅ କୋଟି ଟଙ୍କା କ୍ୟାସ କ୍ରେଡିଟରେ ନେଇଥିଲେ । ଏଥିରେ ଦ୍ବାରିକାନାଥଙ୍କ ଝିଅ ଗ୍ୟରେଣ୍ଟର ରହିଥିଲେ । ଏହି ଟଙ୍କାରେ ସୁନା, ରୁପା ପଥର କିଣିବେ ବୋଲି ବ୍ୟାଙ୍କରେ ଉଲ୍ଲେଖ କରିଥିଲେ । ପରେ ଏହି ଟଙ୍କା ନ ଶୁଝିବାରୁ ଏହା ଠକେଇ ବୋଲି 2022 ମାର୍ଚ୍ଚରେ ଘୋଷଣା ହୋଇଥିଲା । ଏହି ଟଙ୍କାରୁ ଦ୍ବାରିକାଙ୍କ ପୁଅ ଉମାଶଙ୍କରଙ୍କ ବିଲଡର କମ୍ପାନୀ ଆକାଉଣ୍ଟକୁ ତିନି କୋଟି 55 ଲକ୍ଷ ଯାଇଥିଲା । ବ୍ୟାଙ୍କର ଅସାଧୁ ଅଧିକାରୀଙ୍କ ସହ ହାତ ମିଳାଇ ଏଭଳି ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ CBI ଜାଣିପାରିଛି ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ବିସ୍ତୃତି

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ବିସ୍ତୃତି । ଆସନ୍ତା ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଆଜି ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ଏବେ ମୌସୁମୀ ପ୍ରଭାବ ଦୁର୍ବଳ ରହିଛି ।

ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ବଭାବିକ ଠାରୁ ୮୭ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଜୁନ ଆରମ୍ଭରୁ ଏଯାଏଁ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ମୌସୁମୀ ଦୁର୍ବଳ ଥିଲା, ଏବେ ତାହା ସ୍ବଭାବିକ ସ୍ଥିତିକୁ ଆସୁଛି । ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡିଶାରେ ଅର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଛି । ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି । ୪ ତାରିଖ ପରେ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଜାତୀୟ ରାଜପଥ ୫୫ରେ ଦୁର୍ଘଟଣା, ଦୁଇ ଟ୍ରକ ମଝିରେ ଚାପିହୋଇ ଦମ୍ପତି ମୃତ

ଅନୁଗୁଳ: ଜାତୀୟ ରାଜପଥ ୫୫ରେ ପୁଣି ଏକ ଦୁର୍ଘଟଣା ଘଟିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ଦୁଇ ଟ୍ରକ ମଝିରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ ମୋଟର ସାଇକେଲରେ ବଡକେରା ପଟରୁ ଅନୁଗୋଳ ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ଟ୍ରକ ଥିବା ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡେଇ ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳି ପାରି ନାହିଁ ।

ବାହାଘରର ତିନି ମାସ ପରେ ପ୍ରେମିକ ସହ ଗର୍ଭବତୀ ସ୍ତ୍ରୀ ଫେରାର

ଢେଙ୍କାନାଳ: ସାତ କଳସ ଆଠ ଦ୍ବୀପକୁ ସାକ୍ଷୀ ରଖି ହୋମ ନିଆଁରେ ସାତ ଜନମ ପାଇଁ ପରସ୍ପରର ହାତ ଧରିଥିଲେ । ବରର ରୋଷଣୀ ଓ ଡିଜେର ତାଳେ ତାଳେ ବର ପକ୍ଷ ମସଗୁଲ ହୋଇ ବିବାହର ମଜା ମଧ୍ୟ ନେଇଥିଲେ । ବିବାହ ସରିଥିଲା । ବହୁ ହସ ଖୁସିରେ ଚାଲିଥିଲା ନୂଆଁ ଦମ୍ପତିଙ୍କ ବିବାହ ଇନିଙ୍ଗସ । ହେଲେ ପ୍ରେମ ଆଗରେ ଫିକା ପଡିଗଲା ସବୁକିଛି । ତିନି ମାସର ଗର୍ଭବତୀ ସ୍ତ୍ରୀ ନିଜର ପ୍ରେମିକ ସହିତ ଫେରାର ମାରିଲା । ଆଉ ଧନ ବାଟକୁ ଚାହିଁ ବସିଛି ହତଭାଗା ସ୍ୱାମୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗାଁ ।

ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ପ୍ରଧାନ ବୈଦିକ ରୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପାଲଲହଡ଼ା ବ୍ଲକ ଖମାର ଥାନା ଖେମଳା ପଞ୍ଚାୟତ ଅନ୍ତର୍ଗତ ଘେନକାନି ଗାଁର ନବିନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ । ବ୍ୟାଣ୍ଡ ବାଜା ସାଙ୍ଗକୁ ଡିଜେର ତାଳେ ତାଳେ ଡେଇଁଥିଲେ ବର ଯାତ୍ରୀ । ହିନ୍ଦୁ ଧର୍ମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କନ୍ୟା ଘର ଲୋକ ଝିଅକୁ ମଧ୍ୟ ଛାଡି ନେଇଥିଲେ । ହେଲେ ବିବାହ ହୋଇଥିବା ଝିଅର ମନ କିନ୍ତୁ ମାନୁ ନଥଲା । ମନ ଥିଲା ପୂର୍ବତନ ପ୍ରେମିକ ପାଖରେ ।

ପରିସ୍ଥିତିରେ ପଡି ସିନା ବିବାହ କରିଥିଲେ । ହେଲେ ସ୍ୱାମୀ ପ୍ରତି ତାଙ୍କର ମନ ଆଦୌ ନଥିଲା । ତେଣୁ ନିଜ କଷ୍ଟକୁ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୧ ଗୋଟି ଦୁଃଖପୂର୍ଣ୍ଣ ରିଲ୍ସ କରିଥିଲେ । ଯାହା ନିଜ ପ୍ରେମିକ ପାଖରେ ହୃଦୟର ବେଦନାକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏକଥା ସ୍ୱାମୀ ତୃତୀୟା ଜାଣି ପାରିନଥିଲେ । ସୋସିଆଲ ସାଇଟରେ ନିଜ ଭାବପୂର୍ଣ୍ଣ ଅନ୍ତରର କଥାକୁ ସେୟାର କରିଥିଲେ ସୌଦାମିନୀ ଓରଫ ପୁରୀ । ନୂଆ ନୂଆ ବିବାହ କରିଥିବା ତୃତୀୟା କିନ୍ତୁ ସ୍ତ୍ରୀ ପୁରୀ ପାଇଁ ପାଗଳ ହୋଇଥିଲେ ।

ରଜ ଆସିଲା, ଆଉ ସଜବାଜ ହେଲା ସ୍ତ୍ରୀ ପୁରୀ । ଝିଅର ବାପ ଘର ଲୋକ ଆସି ପୁରୀକୁ ଘରକୁ ଡାକି ନେଇଥିଲେ । ଆଉ ଠିକ କିଛିଦିନ ପରେ ଶ୍ୱଶୁର ଘର ଲୋକ ଫୋନ କରି ତୃତୀୟାକୁ କହିଥିଲେ ଯେ ଝିଅ ରାତି ୯ଟାରେ କେଉଁ ଆଡେ ପଳେଇ ଯାଇଛି । ଏ କଥା ଶୁଣି ସତେ ଯେପରି ତୃତୀୟାଙ୍କ ମୂର୍ଦ୍ଦନା ଫାଟି ଗଲା । ଚାରିଆଡେ ସ୍ତ୍ରୀକୁ ଖୋଜିଲେ ହେଲେ ପାଇଲେ ନାହିଁ କିନ୍ତୁ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ଅନ୍ୟ କେଉଁ ପୁରୁଷ ସହିତ ପଳେଇ ଯାଇଛି । ଏ ନେଇ ସେ ନିଜର ଦୁଃଖକୁ ପରିପ୍ରକାଶ କରିଛନ୍ତି । ଧନ ତୁ ଫେରିଆ ବୋଲି ନିବେଦନ ମଧ୍ୟ କରିଛନ୍ତି ସ୍ୱାମୀ ତୃତୀୟା ।

ସୌଦାମିନୀଙ୍କ ଇନଷ୍ଟାଗ୍ରାମ ରିଲ୍ସ ଗୁଡିକ ଦେଖିଲେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ସେ ବିବାହକୁ ନେଇ ଡିପ୍ରେସନରେ ଥିଲେ । ଆଉ ସେ ରିଲ୍ସ ମାଧ୍ୟମରେ ନିଜ ପ୍ରେମିକକୁ ଶୀଘ୍ର ନେଇଯିବାକୁ ନିବେଦନ ମଧ୍ୟ କରିଥିଲେ । ଏଠି ନିଜ ଲୋକ ପର ବୋଲି ସେ ମଧ୍ୟ ରିଲ୍ସରେ କହିଥିଲେ । ତେବେ ପୁରୀ ବାହାଘରର ତିନି ମାସ ମଧ୍ୟରେ ତିନି ମାସର ଗର୍ଭବତୀ ମଧ୍ୟ ଥିଲେ । ଯାହା ସୂଚନା ଦେଇଛନ୍ତି ଗାଁର ଆଶା ଦିଦି । ଏବଂ ରଜ ପରେ ତାଙ୍କୁ ପ୍ରଥମ ଟୀକା ଦିଆଯିବ ବୋଲି ମମତା କାର୍ଡ ମଧ୍ୟ କରାଯାଇଥିଲା ।

ହେଲେ ପ୍ରେମରେ ଅନ୍ଧ ପୁରୀ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଝିଅର ବାପା ନବିନା କହିଛନ୍ତି । ସ୍ତ୍ରୀର ବାଟକୁ ଚାହିଁ ବସିଛି ସ୍ୱାମୀ ତୃତୀୟା । କଥା ଦେଇଥିଲା ମୁଁ ରଜରେ ଘରୁ ଆସିଲେ ବୁଲିବାକୁ ବାହାରକୁ ଯିବା । ହେଲେ ତୃତୀୟାକୁ ଆଜି ଠକି ଦେଇଛି ପୁରୀ । ପୁରୀ ପାଇଁ ପାଗଳ ପ୍ରାୟ ତୃତୀୟା । ଗାଁ ଲୋକ ୟାକୁ ନେଇ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ଏ ନେଇ ତୃତୀୟା ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ହେଲେ କଣ ହେବ । ଆଉ କଣ ପୁରୀ ଫେରି ଆସିବ ????? ଏ ସବୁକୁ ନେଇ ନିନ୍ଦା କରିଛନ୍ତି ଗ୍ରାମବାସୀ । ପ୍ରେମ ପାଇଁ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହିତ ଗର୍ଭବତୀ ସ୍ତ୍ରୀ ଫେରାର ହୋଇଯିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ସ୍ତ୍ରୀର ବାଟକୁ ଚାହିଁ ବସି ରହିଛି ହତଭାଗା ସ୍ୱାମୀ ।

ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ଫାଟ୍ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାଓ୍ୱାର । ବିରୋଧୀଦଳ ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ୱାର । ଅଜିତ ପାଓ୍ୱାରଙ୍କ ସହ ଏନସିପିର ୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।

ଆଜି ଅଜିତ ପାଓ୍ୱାରଙ୍କ ସହ ୨୯ ବିଧାୟକ ବିଜେପି-ଶିବସେନା ସରକାରରେ ସାମିଲ ହେବା ପାଇଁ ରାଜଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ରାଜଭବନରେ ପହଞ୍ଚିଲେ । ବିରୋଧୀ ଦଳ ପଦ ଛାଡି ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।  ଏନସିପି ପୁର୍ନଗଠନ ନେଇ ଖୁସିନଥିଲେ ଅଜିତ ପାଓ୍ୱାର ।

ମହାରାଷ୍ଟ୍ରରେ ’ପାଓ୍ବାର’ ଗେମ୍, ବିରୋଧୀଦଳ ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ୱାର !

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ଫାଟ୍ । ରାଜଭବନ ପହଞ୍ଚିଲେ ଏନସିପି ନେତା ଅଜିତ୍ ପାଓ୍ବାର । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ରାଜଭବନରେ ପହଞ୍ଚିଲେ । ଅଜିତ୍ ପାଓ୍ୱାର ୨୯ ବିଧାୟକଙ୍କ ସହ ସରକାରରେ ହୋଇପାରନ୍ତି ସାମିଲ । ବିରୋଧୀ ଦଳ ପଦ ଛାଡି ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ୍ ।  ଅଜିତ ପାଓ୍ୱାର ସରକାରରେ ସାମିଲ ହେବା ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏନସିପି ପୁର୍ନଗଠନ ନେଇ ଖୁସିନଥିଲେ ଅଜିତ ପାଓ୍ୱାର । ସେହିପରି ଏନସିପି ବିଧାୟକ ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଦିଲୀପ ବାଲସେ ପାଟିଲ ଓ ଅନିଲ ପାଟିଲ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ଏକଦା ଏହି ୫ ଜଣ ନେତା ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଘନିଷ୍ଠ ଥିଲେ । କିନ୍ତୁ ଆଜି ଏହି ୫ ନେତାଙ୍କ ସହ ମୋଟ ୨୯ ବିଧାୟକ ସିନ୍ଧେଙ୍କ ସରକାରରେ ସାମିଲ ହେବେ । ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମହାରାଷ୍ଟ୍ର ରାଜଭବନରେ ଶପଥ ଗ୍ରହଣ ପାଇଁ ହେଉଛି ଜୋରଦାର ପ୍ରସ୍ତୁତି ।

ସମାନ ନାଗରିକ ସଂହିତା ସମର୍ଥନରେ ମାୟାବତୀ

ଲକ୍ଷ୍ନୌ: ଆମ୍ ଆଦମୀ ପାର୍ଟି ପରେ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବହୁଜନ ସମାଜ ପାର୍ଟି । ଏକ ବଡ଼ ବିବୃତ୍ତି ଦେଇ ବିଏସପି ମୁଖ୍ୟ ମାୟାବତୀ ଆଜି କହିଛନ୍ତି ଯେ ତାଙ୍କ ଦଳ ୟୁନିଫର୍ମ ସିଭିଲ କୋଡ୍ ବିରୋଧରେ ନୁହେଁ । କିନ୍ତୁ ୟୁସିସି ସହ ଜଡ଼ିତ ସମସ୍ତ ଦିଗକୁ ବିଜେପି ବିଚାର କରିବା ଉଚିତ୍ । ଆମ ଦଳ ୟୁସିସିର କାର୍ଯ୍ୟକାରିତା ବିରୋଧରେ ନୁହେଁ । ୟୁସିସି କାର୍ଯ୍ୟକାରୀ କରିବାରେ ବିଜେପି ମଡେଲ ଉପରେ ଆମର ମତଭେଦ ରହିଛି । ୟୁସିସି ସହ ଜଡିତ ସମସ୍ତ ଦିଗକୁ ବିଜେପି ବିଚାର କରିବା ଉଚିତ୍। ଆମ ଦଳ UCC ର କାର୍ଯ୍ୟକାରିତା ବିରୁଦ୍ଧରେ ନୁହେଁ | ୟୁସିସି କାର୍ଯ୍ୟକାରୀ କରିବାର ବିଜେପି ମଡେଲ ଉପରେ ଆମର ମତଭେଦ ରହିଛି। ୟୁସିସି ମାଧ୍ୟମରେ ସଂକୀର୍ଣ୍ଣ ମାନସିକ ରାଜନୀତି କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି କହିଛନ୍ତି ମାୟାବତୀ ।

ଯଦି ବିଜେପି ଏହାକୁ ରାଜନୈତିକ ଏଜେଣ୍ଡାଠାରୁ ଉପରକୁ ଉଠାଏ ତେବେ ଆମେ ଏହାକୁ ସମର୍ଥନ କରିବୁ, ନଚେତ୍ ଆମେ ଏହାକୁ ବିରୋଧ କରିବୁ ବୋଲି କହିଛନ୍ତି ମାୟାବତୀ । ୟୁସିସିକୁ ଆଲୋଚନାର ବିଷୟ କରି ସରକାର ଧ୍ୟାନ ଆକର୍ଷଣ କରିବାକୁ ରାଜନୀତି କରୁଛନ୍ତି । ୟୁସିସି ବିଷୟରେ ପୂର୍ବରୁ ମଧ୍ୟ ସମ୍ବିଧାନରେ ଉଲ୍ଲେଖ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଦେଶରେ ବହୁ ଜନସଂଖ୍ୟା ବିଶିଷ୍ଟ ଦେଶ । ଏଠାରେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସି, ବୈଦ୍ଧ ଧର୍ମ ଅନୁସରଣ କରନ୍ତି। ସେମାନଙ୍କର ଖାଇବା, ଜୀବନଯାପନ ଏବଂ ଜୀବନଶୈଳୀ ଏବଂ ରୀତିନୀତି ଅନୁଯାୟୀ ସେମାନଙ୍କର ନିଜସ୍ୱ ପଦ୍ଧତି ଅଛି । ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ ।

ଉଗ୍ର ହିଂସାରେ ଜଳୁଛି ଫ୍ରାନ୍ସ, ୫ ଦିନ ଧରି ସାରାଦେଶରେ ପୋଡ଼ାଜଳା

ପ୍ୟାରିସ୍: ଉଗ୍ର ହିଂସାରେ ଜଳୁଛି ଫ୍ରାନ୍ସ । ପୋଲିସ ଗୁଳିରେ ନାବାଳଙ୍କ ମୃତ୍ୟୁ ପରେ ରକ୍ତାକ୍ତ ହୋଇଛି ରୋମାଣ୍ଟିକ ସହର । ୫ ଦିନ ଧରି ସାରାଦେଶରେ ନିଆଁ ଜଳୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ୫୦ ହଜାର ସୈନ୍ୟ ଓ ପୋଲିସ କର୍ମୀ ମୁତୟନ କରାଯାଇଛି । ଗତକାଲି ରାତିରେ ୪୨୭ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ଏବେସୁଦ୍ଧା ପ୍ରାୟ ୩ ହଜାର ଲୋକଙ୍କୁ ହେପାଜତକୁ ନେଇଛି ପୋଲିସ । ପ୍ୟାରିସ ମେୟରଙ୍କ ଘର ଆଗରେ ରଖାଯାଇଥିବା କାରରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଗତ ୫ ଦିନ ମଧ୍ୟରେ ୨ ହଜାରରୁ ଅଧିକ ଗାଡ଼ି ପୋଡ଼ି ଦିଆଯାଇଛି । ଦଙ୍ଗାକାରୀଙ୍କୁ ରୋକିବାକୁ ପୋଲିସ ଲୁହ ବୁହା ଗ୍ୟାସ ଓ ଓ୍ବାଟର କ୍ୟାନନ ମାଡ଼ କରିଛି । ପୋଲିସ ଗୁଳିରେ ମୃତ ନାବାଳଙ୍କର ଆଜି ଶେଷକୃତ୍ୟ କରାଯାଇଥିବା ବେଳେ ଶ୍ମଶାନରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି ।

ପୋଲିସ ଗୁଳିରେ ନାବାଳଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ହିଁ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ସଶସ୍ତ୍ର ଯାନ, ହେଲିକପ୍ଟର ଏବଂ ୪୫,୦୦୦ ପୋଲିସ କର୍ମଚାରୀଙ୍କୁ ପ୍ୟାରିସ, ଲ୍ୟେ ଏବଂ ମାର୍ସିଲରେ ନିୟୋଜିତ କରାଯାଇଛି । ଫ୍ରାନ୍ସରେ ଚାଲିଥିବା ହିଂସାତ୍ମକ ବିରୋଧ ବିଦେଶର ଚିନ୍ତା ବଢାଇ ଦେଇଛି। ଆଗାମୀ ଶୀତଋତୁରେ ଫ୍ରାନ୍ସ ରଗବୀ ବିଶ୍ୱକପ୍ ଏବଂ ୨୦୨୪ର ଗ୍ରୀଷ୍ମ ସମୟରେ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ ଆୟୋଜନ କରୁଛି। ଯଦି ବିରୋଧ ଦୀର୍ଘ ସମୟ ଧରି ଚାଲେ ତେବେ ଅନ୍ତରାଷ୍ଟ୍ରୀୟସ୍ତରରେ ଫ୍ରାନ୍ସ ସରକାରଙ୍କୁ ଅପଦସ୍ଥ ହେବାକୁ ପଡ଼ିପାରେ । ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ନାଗରିକ ତଥା ପର୍ଯ୍ୟଟକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।