ନୂଆଦିଲ୍ଲୀ: G-20 ଶିଖର ସମ୍ମିଳନୀ ପୂର୍ବରୁ ବଢ଼ିଲା ଇଣ୍ଡିଆ ବିବାଦ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଆସନ୍ତା ୯ ତାରିଖରେ ରାଷ୍ଟ୍ରପତି ଭବନରେ ରାତ୍ରଭୋଜନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ କରାଯାଇଛି ବୋଲି ଜୟରାମ ରମେଶ କହିଛନ୍ତି । ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରଖାଯିବା ପରେ ଏହି ନାଁ ଚର୍ଚ୍ଚାରେ ରହିଛି ।ବିଜେପି ନେତା ଲଗାତାର ମେଣ୍ଟ ନାଁକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ପୂର୍ବରୁ ବିଜେପି ସାଂସଦ ଦାବି କରିଛନ୍ତି ।
୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ଦୁର୍ଘଟଣା, ୨ ବୁଲେଟ ଆରୋହୀ ମୃତ
ନୂଆପଡ଼ା: ଖଡିଆଳରୁ ନୂଆପଡାକୁ ସଂଯୋଗ କରୁଥିବା ୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଜଣ ବୁଲେଟ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ହେଲେ ଗୋବିନ୍ଦ ନାଗ ଓ ସୁନିଲ ବେହେରା । ସେହିପରି ଗୁରୁତର ହେଲେ ବାରପଦର ଗାଁର ଆଲୋକ ରାଉତ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ବଡମହେଶ୍ବର ଗାଁ ନିକଟରେ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ପାଇଁ ଶିକ୍ଷକମାନଙ୍କୁ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ ପ୍ରଦାନ କରାଯିବ ଗୁରୁବ୍ରହ୍ମା ସମ୍ମାନ
ଭୁବନେଶ୍ୱର: ଆଜି ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜିର ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଅପରାହ୍ମ ୩ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।
ଆଜି ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ
ନନ୍ଦିଘୋଷ ବ୍ୟୁରୋ: ଆଜି ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୩ ଜିଲ୍ଲା ରାୟଗଡା, କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ସୋନପୁର ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ଆକସ୍ମିକ ବନ୍ୟା ସହ ଦୃଶ୍ୟମାନ କ୍ଷମତା କମିବ। ବର୍ଷା ସମୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ । ଜୁନ ୧ତାରିଖରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୦ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଥିବା ବେଳେ ସାମ୍ଭାବ୍ୟ ଲଘୁଚାପରେ କେବଳ ଦକ୍ଷିଣ ଓଡ଼ିଶାର ନିଅଣ୍ଟିଆ ଭରଣା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

