spot_img
Home Blog Page 2929

ଗାୟତ୍ରୀବାଳା ପଣ୍ଡାଙ୍କୁ ଟାଇମ୍ସ ପାଓ୍ବାର ଓମେନ ସମ୍ମାନ

ଭୁବନେଶ୍ବର: ସାହିତ୍ୟିକ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ଟାଇମ୍ସ ପାଓ୍ବାର ଓମେନ ସମ୍ମାନ ୨୦୨୩ ପ୍ରଦାନ । ଗାୟତ୍ରୀବାଳା ପଣ୍ଡା ନିଜ କଲମ ମୁନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣି ସମାଜ ସଂସ୍କାର କ୍ଷେତ୍ରରେ ନୂଆ ଅଧ୍ୟାୟର ଆରମ୍ଭ କରିଥିବାରୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ପୂର୍ବରୁ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହୁରି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏଥିସହ ପ୍ରଖ୍ୟାତ କବିତା ସଂକଳନ ଦୟାନଦୀ ଲାଗି ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାଧନା ଜାରି ରଖିଛନ୍ତି ଗାୟତ୍ରୀବାଳା । ଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି ତାଙ୍କ କବିତା ଓ ଗଳ୍ପ ସଂକଳନ ।

ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷିଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସେହିପରି ସ୍ୱାସ୍ଥ୍ୟ, ସାହିତ୍ୟ, ଗମନାଗମନ, କଳା ସଂସ୍କୃତି, ସାମାଜିକ ନ୍ୟାୟ, ଶିକ୍ଷା କ୍ଷେତ୍ରରେ ସାମାଜିକ ସଂସ୍କାର ଆଣିବାରେ ଉଲ୍ଲେଖନୀୟ ଅବଦାନ ଥିବା ୩୨ ଜଣ ବିଶିଷ୍ଟ ମହିଳାଙ୍କୁ ଟାଇମ୍ସ ପାଓ୍ବାର ଓମେନ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଓଡ଼ିଆ ଭାଷା ସଂସ୍କୃତି ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସୁଲେଖିକା ଡକ୍ଟର ଇତିରାଣୀ ସାମନ୍ତ, ପ୍ରଶାସନିକ କ୍ଷେତ୍ରରେ ଅବଦାନ ପାଇଁ ଝାରସୁଗୁଡା ଜିଲ୍ଲାପାଳ ଆବୋଲି ନରଭାନେ, ବାଲେଶ୍ବର ଏସପି ସାଗରିକା ନାଥ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ଆଣିଥିବା ଶିକ୍ଷାବିତ ଇପ୍ସିତା ଶତପଥୀ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର ମାଧୁରୀ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ମହିଳାମାନଙ୍କର ସାମାଜିକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଓ ରହିଥିବ ବୋଲି ରାଜ୍ୟପାଳ କହିଛନ୍ତି । ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ବିଶିଷ୍ଟ ମହିଳାମାନେ ଅନ୍ୟ ମହିଳାଙ୍କୁ ଅଧିକରୁ ଅଧିକ ଉତ୍ସାହ ପ୍ରଦାନ କରି ସାମାଜିକ ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଆଣିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ ।

ହତ୍ୟା କରିବା ପରେ ସାଙ୍ଗ ମୃତଦେହକୁ ଚିକିତ୍ସା ବାହାନାରେ ମେଡିକାଲ ନେଲା ସାଙ୍ଗ

ଭୁବନେଶ୍ବର: ପିଟିପିଟି ମାରିଲା, ଧରାପଡିବା ଭୟରେ ମୃତଦେହକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଲା । ଧାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରି ମିଛ ନାଟକ କରୁଥିବା ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ କୋପରେଟିଭ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିବା ଅମିତ କାନୁନଗୋ ।

ଅଭିଯୁକ୍ତ ବିକାଶ ମହାପାତ୍ରର ସିରିପୁର ଅଂଚଳରେ ଏକ ପାନ ଦୋକାନ ରହିଛି । ବିକାଶ ମୃତ ଅମିତ କାନୁନଗୋଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲା । ଅମିତ ଓ ଲକ୍ଷ୍ମଣ ବିକାଶକୁ ଧାର ୨୦ ହଜାର ଟଙ୍କା ମାଗିବାକୁ ଜୁନ ୨୧ ତାରିଖ ରାତିରେ ଯାଇଥିଲେ । ଟଙ୍କା ମାଗିବାରୁ ଅଭିଯୁକ୍ତ ବିକାଶ ଉଭୟଙ୍କୁ ନିର୍ଘାତ ମାଡ ମାରିଥିଲା । ବିକାଶର ମାଡ଼ରେ ଅମିତ ଓ ଲକ୍ଷ୍ମଣ ବେହୋସ ହୋଇ ତଳେ ପଡିଯାଇଥିଲେ । ନିଶାଶକ୍ତ ଅବସ୍ଥାରେ ମାଡ଼ ମାରିବାରୁ ଅମିତଙ୍କ ମୃତ୍ୟୁ ଘଟିଥିଲା ।

ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ପ୍ରଥମେ ଲକ୍ଷ୍ମଣକୁ ରାସ୍ତା କଡରେ ପଡିଥିବା ଦେଖି ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ନେଇଥିଲେ । ଏହାଦେଖି ବିକାଶ ଚତୁରତାର ସହ ଅମିତଙ୍କ ପତ୍ନୀଙ୍କୁ ଫୋନ କରି ସେ ମଦ ପିଇ ରାସ୍ତାରେ ପଡିଥିବା କଥା କହିଥିଲେ l ଏମିତିକି କାହାକୁ ସନ୍ଦେହ ନହେବା ପାଇଁ ଅଭିଯୁକ୍ତ ଅମିତଙ୍କ ପରିବାର ଲୋକଙ୍କ ସହ ରହିଥିଲେ l କିନ୍ତୁ ଲକ୍ଷ୍ମଣଙ୍କୁ ହୋସ ଆସିବା ପରେ ବିକାଶର ସବୁ ଚାଲ ଫେଲ ମାରିଥିଲା । ଏହାସହ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ମିଛ ନାଟକ ଉପରୁ ପର୍ଦ୍ଦା ହଟାଇଥିଲା । ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ବିକାଶକୁ ଦଫା ୩୦୨ ଓ ୩୦ରେ  କୋର୍ଟ ଚାଲାଣ କରିଛି ପୋଲିସ ।

ଚନ୍ଦ୍ରଶେଖର ଆଜାଦ ରାବଣଙ୍କୁ ଗୁଳିମାଡ଼

ସରହନପୁର: ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣ । ଉତ୍ତରପ୍ରଦେଶ ସରହନପୁରରେ ଗୁଳି ମାଡ଼ । ତାଙ୍କୁ ତୁରନ୍ତ ନିକଟରେ ଥିବା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖରଙ୍କ ପେଟରେ ସାମାନ୍ୟ ଆଘାତ କରି ସିଟରେ ବାଜିଥିଲା ଗୁଳି ।

ସେ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି । ଚନ୍ଦ୍ରଶେଖର ଆଜାଦ ନିଜ ସହଯୋଗୀଙ୍କ ସହ କାରରେ ଯାଉଥିବା ବେଳେ ଦେଓବନ୍ଦ ନିକଟରେ ଆଉ ଏକ ଗାଡ଼ିରେ କିଛି ଲୋକ ଆସି ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ସହରଣପୁର ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି କହିଛି ।

ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ୩ଟି ଯୋଜନାକୁ ନୀତି ଆଯୋଗଙ୍କ ପ୍ରଶଂସା

ଭୁବନେଶ୍ବର: ମିଲେଟ କ୍ଷେତ୍ରରେ ଓଡିଶା ମିଲେଟ ମିଶନର ଅବଦାନକୁ ଜାତୀୟ ସ୍ତରରେ ମିଳିଛି ପ୍ରଶଂସା । ନିମୋନିଆ ଓ ଡାଇରିଆ ଭଳି ରୋଗର ନିୟନ୍ତ୍ରଣ ଯୋଗୁଁ ରାଜ୍ୟରେ କମିଛି ଶିଶୁ ମୃତ୍ୟୁ ହାର । ଏହାସହ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଭଳି ପଦକ୍ଷେପକୁ ନୀତି ଆୟୋଗଙ୍କ ପ୍ରଶଂସା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲ୍ଲକ୍ଷେ ନୀତି ଆୟୋଗ ଦେଶର ୭୫ଟି ବେଷ୍ଟ ପ୍ରାକ୍ଟିସକୁ ନେଇ ପ୍ରକାଶ କରିଛି ସ୍ୱତନ୍ତ୍ର ସୋସିଆଲ ସେକ୍ଟର ରିପୋର୍ଟ ।

ଓଡ଼ିଶା ମିଲେଟ ମିଶନ ଦେଇଛି ନୂଆ ପରିଚୟ । ସବୁଠି ଓଡ଼ିଶା ପାଇଛି ସଫଳତା । ଶିଶୁ ମୃତ୍ୟୁହାର କମାଇବାରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ । ଯୋଗାଯୋଗ କ୍ଷେତ୍ରରେ ବି କମ୍ୟୁନିଟି ରେଡ଼ିଓ କରୁଛି କମାଲ । ଓଡ଼ିଶାର ୩ଟି ସରକାରୀ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲ୍ଲକ୍ଷେ ବିଭିନ୍ନ ରାଜ୍ୟର ୭୫ଟି ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମକୁ ନେଇ ନୀତି ଆୟୋଗ ପ୍ରକାଶ କରିଛି ସ୍ବତନ୍ତ୍ର ରିପୋର୍ଟ । ‘ବେଷ୍ଟ ପ୍ରାକ୍ଟିସ ଇନ୍ ସୋସିଆଲ ସେକ୍ଟର: ଏ କମ୍ପେଡ଼ିୟମ ୨୦୨୩’ ରିପୋର୍ଟରେ ସାମାଜିକ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାର ନେଉଥିବା ଭଲ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ଏପରିକି ସବୁ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମକୁ ଅନ୍ୟମାନେ ଅନୁକରଣ କରିବା ଉଚିତ ବୋଲି ନୀତି ଆୟୋଗ ପରାମର୍ଶ ଦେଇଛି ।

ରାଜ୍ୟରେ ମିଲେଟ ଚାଷ ବୃଦ୍ଧି ସହ ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବ ଦେଉଛି ଓଡ଼ିଶା । ୨୦୧୭ରୁ ୫ ଜିଲ୍ଲାରେ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାମ କରୁଛି । ଏହାକୁ ଛତିଶଗଡ଼ ଓ ମହାରାଷ୍ଟ୍ର ସରକାର ଅନୁକରଣ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ବିଷୟରେ ଅଧିକ ଜାଣିବା ପାଇଁ କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିବା ସହ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଏହା ଉପରେ ଗବେଷଣା କରୁଛି । ସେହିପରି ନିମୋନିଆ ଓ ଡାଇରିଆ ରୋଗର ନିରାକରଣ ପାଇଁ ରାଜ୍ୟ ସରକାର ଏଚବିଏନସି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ଘରେ ନବଜାତ ଶିଶୁଙ୍କ ଯତ୍ନ ନେବା ପାଇଁ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ନୀତି ଆୟୋଗ ମତ ଦେଇଛି । ଏହାଦ୍ବାରା ରାଜ୍ୟରେ ଶିଶୁ ମୃତ୍ୟୁହାର କମିପାରିଛି । କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଉତ୍ତମ ଯୋଗାଯୋଗ ପାଇଁ ଜିଲ୍ଲା ପ୍ରଶାସନର ‘ଢେମସା ରେଡ଼ିଓ’ ଆଦିବାସୀ ଭାଷାରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ସ୍ବାସ୍ଥ୍ୟ ସମ୍ପର୍କୀତ ଗୁରୁତ୍ବପୂର୍ଣ୍ଣ ସୂଚନା ସ୍ଥାନୀୟ ଅଞ୍ଚଳରେ ଖୁବ୍ ଗ୍ରହଣୀୟ ହୋଇଛି ।

ପୂବର୍ରୁ ଓଡ଼ିଶା ସରକାରଙ୍କ ମମତା ଯୋଜନା, ସ୍ବଚ୍ଛ ଖଣି କାରବାର ପାଇଁ ଆଇଥ୍ରୀଏମ୍ଏସ୍ ଭଳି କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟଗୁଡ଼ିକ ଆପଣାଇବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ଏବେ ରାଜ୍ୟର ଆଉ ୩ଟି ସର୍ବଶ୍ରେଷ୍ଠ ଯୋଜନାକୁ ନୀତି ଆୟୋଗର ସ୍ବୀକୃତି ଦେଇଛି ।

ବିରୋଧୀଙ୍କ ହୀନ ରାଜନୀତିକୁ ବିଜେଡିର କଡ଼ା ଜବାବ, ଦିଲ୍ଲୀରୁ ଦୌଲତାବାଦ ନଦୌଡ଼ି ଲୋକଙ୍କ ପାଖରେ ପହଞ୍ଚ

ଭୁବନେଶ୍ବର: ଜନସେବା ରାଜ୍ୟ ସରକାରଙ୍କ ମୂଳମନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ସେବା ପାଇଁ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, 5T ସଚିବ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖ ବୁଝୁଛନ୍ତି । ଏଥିରେ ଲୋକମାନେ ଖୁସି ହେଉଛନ୍ତି । ହେଲେ କିଛି ଲୋକ ଭୁବନେଶ୍ବରରେ ବସି ଦିଲ୍ଲୀରୁ ଦୌଲତାବାଦ ଦଉଡୁଛନ୍ତି । ସେମାନଙ୍କ କଥା ଲୋକେ ଗ୍ରହଣ କରୁନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ କହିଛନ୍ତି । ବିରୋଧୀଙ୍କ ହୀନ ରାଜନୀତିକୁ ଏମିତି ଦୃଢ ଜବାବ ଦେଇଛି ବିଜେଡି ।

ଲୋକଙ୍କ ପାଖକୁ ଯାଉଛି ବିଜେଡି । ଗ୍ରାଉଣ୍ଡରେ ଲୋକଙ୍କର ସୁଖ ଦୁଃଖ ବୁଝୁଛନ୍ତି ସରକାର । ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, 5T ସଚିବ ଜିଲ୍ଲା ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ପାଖକୁ ଯାଇ ଜନସେବା ଜାରି ରଖିଛନ୍ତି । 5T ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ହୀନ ରାଜନୀତି ଓ ତୁମ୍ବିତୋଫାନ କରିବା ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି ବିଜେଡି । ବିରୋଧୀଙ୍କୁ ଦିଲ୍ଲୀରୁ ଦୌଲତାବାଦ ନଦଉଡ଼ି ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅନ୍ୟପଟେ 5T ସଚିବ ଭି.କେ. ପାଣ୍ଡିଆନ ବିକାଶ ଓ ଲୋକଙ୍କ କାମ ପାଇଁ ଜିଲ୍ଲାଗସ୍ତ କରୁଥିବାରୁ ଲୋକେ ଖୁସି ହେଉଛନ୍ତି । ଲୋକ ଯଦି ଖୁସି ଭୁବନେଶ୍ବରରେ କାହାର ଫିଡବ୍ୟାକ ଦରକାର । ଗାଁକୁ ଯାଇ ଲୋକଙ୍କୁ ପଚାରିବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଛି ବିଜେଡି ।

5T ସଚିବଙ୍କ ଗସ୍ତକୁ ନେଇ କାହିଁକି ବିଜେପି ବିରୋଧ କରୁଛି, ବିଜେଡି ତା’ର ଗୁମର ଖୋଲିଛି । ବିଜେଡିର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହେଲେ ରାଜ୍ୟ ବିଜେପିର କ୍ୟାପେଟନ କିଏ ? ସେକଥା ବିଜେପି ନେତାଙ୍କୁ ଜଣାନାହିଁ । ବିଭିନ୍ନ ସମସ୍ୟାରେ ବିଜେପି ଘାଣ୍ଟି ହେଉଛି । କାହା ନିର୍ଦ୍ଦେଶରେ କେଉଁଠି ଯିବେ, ସେମାନେ ବାଟ ପାଉନାହାନ୍ତି । ପ୍ରଥମେ ବିଜେପି କ୍ୟାପଟେନ ସ୍ଥିର କରୁ, ତା’ପରେ ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛି ବିଜେଡି ।

ରଥ ଟାଣୁ ଟାଣୁ ଜୀବନ୍ତ ଜଳି ୬ ମୃତ, ୧୮ ଆହତ

ଉମରକୋଟି: ଇସ୍କନର ବାହୁଡ଼ା ଯାତ୍ରା ବେଳେ ତ୍ରିପୁରା ଉମରକୋଟି ଜିଲ୍ଲା ଚୌମୁନୀ ଅଞ୍ଚଳରେ ଅଘଟଣ । ରଥ ଟାଣୁ ଟାଣୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳିଗଲେ ୬ ଶ୍ରଦ୍ଦାଳୁ । ମୃତକଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି । ଦୁର୍ଘଟଣାରେ ୧୮ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୁରୁତରମାନଙ୍କୁ ଅଗରତାଲା ସରକାରୀ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି ।

ରଥ ଟଣା ଯାଉଥିବା ବେଳେ ଏହାର ଚୂଡ଼ାବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ କରେଣ୍ଟ ଲାଗି ଘଟଣାସ୍ଥଳରେ ୬ ଜଣ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ପ୍ରାୟ ଅପରାହ୍ନ ସାଢ଼େ ୪ଟାରେ ଘଟିଥିଲା । ଶ୍ରଦ୍ଧାଳୁ ରଥ ଟାଣୁଥିବା ବେଳେ ରଥର ଚୂଡ଼ା ୧୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା ।

ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ

ପୁରୀ: ବାହୁଡ଼ିଲେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଥିଲା ।

ତିନି ରଥରେ ଗଜପତି ମହାରାଜ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା ପାଇଁ ପ୍ରସ୍ତୁତି । ତିନି ରଥରୁ ଚାରମାଳ ଫିଟାଯିବା ପରେ ଅଶ୍ବ ଯୋଖା ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରଥ ଟଣା । ପ୍ରଥମେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିତରେ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । ଏହାପରେ ଆରମ୍ଭ ହୋଇଥିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ।

ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ନନ୍ଦିଘୋଷଙ୍କ ନନ୍ଦିଘୋଷ ରଥ ଟଣା । ତିନି ରଥ ମାଉସୀ ମାଆ ମନ୍ଦିର ପାଖରେ ଗୋଟିକ ପରେ ଗୋଟିଏ ଅଟକି ଥିଲା । ଏଠାରେ ମାଉସୀ ତିନି ଭାଇ ଭଉଣୀଙ୍କୁ ପୋଡପିଠା ଖାଇବାକୁ ଦେଇଥିଲେ । ସେଠାରୁ ତାଳଧ୍ବଜ ଏବଂ ଦର୍ପଦଳନ ଆସି ସିଂହଦ୍ବାର ସମ୍ମୁଖରେ ଅଟକି ଥିଲେ ।

ହେଲେ ଜଗାଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ଥିଲା । ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଗଜପତି ମହାରାଜ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ଥିଲେ । ସେଠାରେ ଗଜପତି ମହାରାଜ ଲକ୍ଷ୍ମୀନାରାୟଣଙ୍କ ଭେଟ କରାଇଥିଲେ । ଏହାପରେ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖକୁ ଆସିଥିଲା ।

ଜାତୀୟ ପୁରସ୍କାର ପ୍ରାପ୍ତ ପଞ୍ଚାୟତିରାଜ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ଦେଶରେ ଶ୍ରେଷ୍ଠତ୍ବ ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଦେଶରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ହୋଇଥିବା ଗଞ୍ଜାମକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଶ୍ରେଷ୍ଠ ବ୍ଲକ ହିଞ୍ଜିଳିକାଟୁ, ଗଞ୍ଜାମର ୫ ଓ ସୁନ୍ଦରଗଡ଼ର ଗୋଟିଏ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧିତ ହୋଇଥିବା ପଞ୍ଚାୟତଗୁଡିକ ହେଲା ଗଞ୍ଜାମର କଞ୍ଚୁରୁ, ଶାସନ, ଆମ୍ବଗାଁ, କୁଲାଡ ଓ ଆଙ୍କୁଲି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁଗଡ଼ ପଞ୍ଚାୟତ ସମ୍ବର୍ଦ୍ଧିତ ହୋଇଛି ।

ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଆମ ପଞ୍ଚାୟତ ସେବା ପୋର୍ଟାଲ (OSR) ଓ ସାମାଜିକ ସମୀକ୍ଷା ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଦେଶରେ ଶ୍ରେଷ୍ଠତ୍ବ ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣୁଥିବା ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରୁଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ କେନ୍ଦ୍ର ଦେଉଥିବା ଆର୍ଥିକ ସୁରସ୍କାରର ୬ ଗୁଣା ରାଜ୍ୟ ସରକାର ଦେବେ । ସେହିଭଳି ଦ୍ବିତୀୟ ସ୍ଥାନ ହାସଲ କରୁଥିବା ଅନୁଷ୍ଠାନଙ୍କୁ କେନ୍ଦ୍ର ତୁଳନାରେ ୩ ଗୁଣା ଓ ତୃତୀୟ ସ୍ଥାନ ହାସଲ କରୁଥିବା ଅନୁଷ୍ଠାନକୁ ୨ ଗୁଣା ଆର୍ଥିକ ପୁରସ୍କାର ରାଜ୍ୟ ସରକାର ଦେବେ ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆଜି ଓଡ଼ିଶା ପାଇଁ ଆନନ୍ଦର ଦିନ । ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାମ ଆରମ୍ଭ ହେଲା । ଏହି ଅବସରରେ ଗାଁ ସରକାର ଭୁବନେଶ୍ବରରେ ଏକାଠି ହୋଇଛନ୍ତି ।’

ଦେଶରେ ସୁନାମ ଅର୍ଜନ କରିଥିବା ୮ଟି ପଞ୍ଚାୟତିରାଜ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଆମ କାମ ଆମ ପରିଚୟ ବୋଲି କହିଥିଲେ । ଏମିତି ଉତ୍ସାହର ସହ ଲୋକଙ୍କ ପାଇଁ କାମ କରି ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଆଗକୁ ସେ କହିଥିଲେ,‘ବିକାଶର ସବୁ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ହୋଇ ପାରିଛି । ପୁରସ୍କାରଠାରୁ ବଡ଼ ଲୋକଙ୍କ ଆସ୍ଥା । ଏହାକୁ ବଜାଇ ରଖିବାକୁ ଉଦ୍ୟମ କରନ୍ତୁ । ଦେଶରେ ଶ୍ରେଷ୍ଠତ୍ବ ହାସଲ କରି ପୁରସ୍କୃତ ହୋଇଥିବା ସଂସ୍ଥାଗୁଡିକୁ ୫୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ପରସ୍କାର ପ୍ରଦାନ କରାଯାଇଛି ।’

୨୩ ବର୍ଷ ଧରି ଓଡ଼ିଶାର ବିକାଶ ପାଇଁ ଆମେ କାମ କରି ଆସୁଛନ୍ତି । ସବୁ କ୍ଷେତ୍ରରେ ରୂପାନ୍ତର ଆସୁଛି । ମିଶନଶକ୍ତି, ସ୍କୁଲ ରୂପାନ୍ତରଣ, ସ୍ବାସ୍ଥ୍ୟ ଓ ବିଜ୍ଞାନରେ ରୂପନ୍ତରଣ, ଖେଳ, BSKY ପରି କାର୍ଯ୍ୟକ୍ରମ ଆମ ବିକାଶର ହୋଲମାର୍କ ପାଲଟିଛି । ପଞ୍ଚାୟତିରାଜ ସଂସ୍ଥାଙ୍କ ସଫଳତା ଏଥିରେ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି । BSKY ଭଳି କାର୍ଯ୍ୟକ୍ରମ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉଛି । 5T ନୀତି ରାଜ୍ୟ ବିକାଶର ଆଧାର ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଘୋଷଣା ଅନୁସାରେ ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଦ୍ବିତୀୟ ସ୍ଥାନ ହାସଲ କରିଥିବା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ବଣାଇ ବ୍ଲକର ବଣାଇଗଡ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି ।

ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ୨ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ଟି ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବ । ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତ ଅନୁଷ୍ଠାନଙ୍କ ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ । ପଞ୍ଚାୟତିରାଜ ଅନୁଷ୍ଠାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଞ୍ଚାୟତଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ଲୋକାଲ ଚାମ୍ପିଅନ ଟ୍ରେନିଂ ପ୍ରୋଗ୍ରାମ କରାଯିବ । ଅନୁସୂଚିତ ଅଞ୍ଚଳର ୭୦ଟି ବ୍ଲକରେ ସାଟେଲାଇଟ ଇଣ୍ଟରାକ୍ଟିଭ୍ ଟର୍ମିନାଲ ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ । ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ  ସାଟେଲାଇଟ ବେସଡ ଷ୍ଟୁଡିଓ ରହିବ ।

ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ 

ସହାରନପୁର: ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଉତ୍ତରପ୍ରଦେଶ ସହାରନପୁରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ତାଙ୍କୁ ତୁରନ୍ତ ନିକଟରେ ଥିବା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚନ୍ଦ୍ରଶେଖରଙ୍କ ପେଟରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ସେ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି। ଚନ୍ଦ୍ରଶେଖର ଆଜାଦ ନିଜ ସହଯୋଗୀଙ୍କ ସହ କାରରେ ଯାଉଥିବା ବେଳେ ଦେଓବନ୍ଦ ନିକଟରେ ଆଉ ଏକ ଗାଡ଼ିରେ କିଛି ଲୋକ ଆସି ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ।

ସହାରନପୁର ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଖୁବଶୀଘ୍ର ଧରାପଡ଼ିବେ ବୋଲି କହିଛନ୍ତି। ତେବେ ଦୁବୃର୍ତ୍ତ ମାନେ ହରିଆଣାର ନଂ ପ୍ଲେଟ୍ ଥିବା ଗାଡ଼ିରେ ଆସିଥିବା ନେଇ ସୂଚା ମିଳିଛି ।

ରଥଟଣା ବେଳେ ଅଘଟଣା: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ମୃତ

କୋରାପୁଟ/କେନ୍ଦୁଝର: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ରଥଟଣା ବେଳେ କୋରାପୁଟ ଓ କେନ୍ଦୁଝରରେ ଅଘଟଣ । ଉଭୟ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।

ଖରବ ଅନୁସାରେ କୋରାପୁଟରେ ରଥ ଟଣା ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । କୋରାପୁଟ ସଦର କୋଲାବ ନଗରରେ ଘଟିଛି ଅଘଟଣ । ମୃତକ ହେଲେ ୨୮ ବର୍ଷୀୟ ବାବୁଲା ନାୟକ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସେହିପରି କେନ୍ଦୁଝରରେ ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।