spot_img
Home Blog Page 2929

ଖୋଲୁଛି ମଣିପୁର କ୍ରାଇମ ଫାଇଲ, ସାମ୍ନାକୁ ଆସୁଛି ୩ ମାସର ବୀଭତ୍ସ କାଣ୍ଡ

ଇମ୍ଫାଲ: ମଣିପୁରରେ ବର୍ବରତାର ଆଉ ଏକ ଘଟଣାର ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଦିନ ଘଟିଥିଲା ଆଉ ଲୋମହର୍ଷକ ଘଟଣା । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ ହିଂସାକାରୀ । ୨୧ ଓ ୨୬ ବର୍ଷର ଦୁଇ ଯୁବତୀଙ୍କୁ ଯୌନ ଶୋଷଣ ପରେ ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ରାଜଧାନୀ ଇମ୍ଫାଲଠାରୁ କିଛି ଦୂର କୋନୁଙ୍ଗ ମମାଙ୍ଗସ୍ଥିତ ଏକ କାର ସର୍ଭିସ ସେଣ୍ଟରରେ ଦୁଇ ଯୁବତୀ କାମ କରୁଥିଲେ । ସର୍ବସମ୍ମୁଖରେ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାରେ ଏକାଧିକ ମହିଳା ହିଂସାକାରୀ ମଧ୍ୟ ସମ୍ପୃକ୍ତ ରହିଥିଲେ ବୋଲି ପୋଲିସ କହିଛି । ହତ୍ୟା ପରେ ମୃତଦେହକୁ ଏକ ଖୋଲାପଡ଼ିଆରେ ଫୋପାଡ଼ି ଦିଆଯାଇଥିଲା । ସେମାନଙ୍କ ଶରୀର ରକ୍ତ ଜୁଡୁବୁଡୁ ଥିଲା । ଚୁଟି କାଟି ଦିଆଯାଥିବା ବେଳେ ଡ୍ରେସ ମଧ୍ୟ ଚିରି ଦିଆଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

ରାଜ୍ୟରେ ଏଭଳି ଭୟାନକ ବାତାବରଣ ଥିଲା ଯେ, କିଛି ଦିନ ପର୍ଯ୍ୟନ୍ତ ମୃତଦେହ ନେବାକୁ ବି ପରିବାର ଲୋକେ ଆସିନଥିଲେ । ହେଲେ କିଛିଦିନ ପରେ ଜଣେ ଯୁବତୀଙ୍କ ମାଆ ଥାନାରେ ଜିରୋ ଏଫଆଇଆର ଦେଇଥଲେ । ମେ ପ୍ରଥମ ସପ୍ତାହର ଘଟଣା ହୋଇଥିଲେ ବି ଏବେ ଯାଏଁ ପୋଲିସ ଜଣଙ୍କୁ ବି ଗିରଫ କରିନି । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ ପାଖରେ ଗଣଦୁଷ୍କର୍ମ, ହତ୍ୟା, ଲୁଟପାଟ ଘଟଣାର ହଜାର ହଜାର ମାମଲା ରୁଜୁ ହୋଇଛି ।

କଟକରେ ଭଡ଼ାଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର, ଅସୁସ୍ଥତାରୁ ୧୫ ଦିନ ଛୁଟିରେ ଥିଲେ ଏମ୍‌. ଚନ୍ଦ୍ରଶେଖର

କଟକ: ବନ୍ଦଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜର ଏକ ଭଡ଼ାଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଡାକ୍ତରଙ୍କ ନାଁ ଏମ୍‌. ଭେଙ୍କଟ ଚନ୍ଦ୍ରଶେଖର । ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ମଳଶାସନ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । କଟକ ଚାଉଳିଆଗଞ୍ଜରେ ଭଡ଼ା ଘରରେ ଏକାକୀ ରହୁଥିଲେ ଡାକ୍ତର । ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏମ୍‌. ଭେଙ୍କଟ ଚନ୍ଦ୍ରଶେଖରଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ।

ଡାକ୍ତରଙ୍କ ମୃତ୍ୟୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେମିତି ହେଲା ଡାକ୍ତର ଏମ୍‌. ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ? ଅସୁସ୍ଥ ଥିବାରୁ ସେ ୧୫ଦିନ ଛୁଟିରେ ଥିଲେ । ୪ ବର୍ଷ ହେଲା ସେ କଟକ ଚାଉଳିଆଗଞ୍ଜରେ ଭଡ଼ାଘରେ ରହୁଥିଲେ । ଗତ ୪-୫ ଦିନ ଧରି ବାହାରେ ତାଙ୍କୁ କେହି ଦେଖି ନଥିବା କୁହାଯାଉଛି । ଆଜି ବନ୍ଦ ଘରୁ ଦୁର୍ଗନ୍ଧ ଆସିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ବନ୍ଦଘରୁ ପୋଲିସ ଡାକ୍ତର ଏମ୍‌. ଭେଙ୍କଟ ଚନ୍ଦ୍ରଶେଖରଙ୍କ ଗଳିତ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

 

ବିକାଶ କାର୍ଯ୍ୟରେ ବାଧା ଦେଉଛନ୍ତି ଅପରାଜିତା ଷଡ଼ଙ୍ଗୀ, ନିଜ ନିର୍ବାଚନମଣ୍ଡଳୀରେ ହେଲା ଜୋରଦାର ବିରୋଧ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ଭୁବନେଶ୍ବର ସହିଦ ନଗର ଫ୍ୟାନ୍ସି ମାର୍କେଟରେ ଅପରାଜିତାଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ କରିଛନ୍ତି । ବିକାଶମୂଳକ କାର୍ଯ୍ୟରେ ବାଧା ଦେବା କରିବା ଅଭିଯୋଗରେ ବିରୋଧ କରାଯାଇଛି । ଗୋ ବ୍ୟାକ୍ ନାରା ଦେଇ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିଛନ୍ତି ।

 

ବଲାଙ୍ଗୀର ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ଯା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ପଣ୍ଡରାପିଟା ଗାଁ ମୁଖ୍ୟ ବସ୍ତିରୁ ମୃତ ଦେହ ଉଦ୍ଧାର କରିଛି ବଲାଙ୍ଗୀର ସଦର ଥାନା ପୋଲିସ । ମୃତ ଯୁବକ ଜଣକ ହେଲେ ଭାସ୍କର ତାଣ୍ଡି । ଘଟଣାକୁ ନେଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ  ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ମୃତଦେହଟି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଟକ ଯୁବକ ଗାଁର ପ୍ରେମରାଜ ପୋଢ଼ ବୋଲି ଜଣାପଡିଛି ।

କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୪ ଛାତ୍ରଛାତ୍ରୀଙ୍କୁ କାମୁଡ଼ିଲା ବିଷାକ୍ତ ସାପ, ୩ ଜଣଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରରେ ଅଘଟଣ । କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ୩ ଜଣଙ୍କ ପିଲାଙ୍କ ମୃତ ହୋଇଛି । ଜଣେ ଗୁରୁତରକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀଙ୍କୁ ସାପ କାମୁଡିଥିଲା । ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ।

ଇରାକରେ ଦୁନିଆରେ ସବୁଠୁ ବଡ଼ ଶ୍ମଶାନ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଶ୍ମଶାନ, ଯେଉଁଠି ପ୍ରତିଦିନ ୨୦୦ ଲୋକଙ୍କ ଶବଦାହ କରାଯାଏ । ଏହି ଶ୍ମଶାନଟି ଇରାକର ନଜାଫ ସହରରେ ଅବସ୍ଥିତ । ଏହାର ନାମ ହେଉଛି ଓ୍ବାଡି ଅଲ-ସଲାମ ଯାହାକୁ ଶାନ୍ତି ଉପତ୍ୟକା ମଧ୍ୟ କୁହାଯାଇଥାଏ । ଇରାକବାସୀଙ୍କର ବିଶ୍ବାସ ଅନୁଯାୟୀ ଏହି ସମାଧି ସ୍ଥଳରେ ମୃତ ବ୍ୟକ୍ତିଙ୍କୁ ସମାଧି ଦିଆଗଲେ ଆତ୍ମା ସିଧାସଳଖ ଈଶ୍ବରଙ୍କ ନିକଟକୁ ଯାଇଥାଏ । ତେଣୁ ଏହି ବିଶ୍ବାସ ଅନୁଯାୟୀ ଇରାକର ଲୋକମାନେ ସେମାନଙ୍କର ପ୍ରିୟ ଲୋକଙ୍କୁ ଏହି ଶ୍ମଶାନରେ ସମାଧି ଦେଇଥାନ୍ତି ।

ରଏଟର୍ସ ନ୍ୟୁଜ ଏଜନ୍ସିର ରିପୋର୍ଟ ଅନୁଯାୟୀ, ଶିଆ ମୁସଲମାନଙ୍କ ପାଇଁ ଏହି ସହର ପବିତ୍ର ଏବଂ ଏହି କାରଣରୁ ଶିଆ ମୁସଲମାନମାନେ ସେମାନଙ୍କର ମୃତ ସମ୍ପର୍କୀୟଙ୍କୁ ସମାଧି ଦେବା ପାଇଁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି । ଯେହେତୁ ଇରାକରେ ଇସଲାମିକ୍ ଷ୍ଟେଟର ଆଧିପତ୍ୟ ବୃଦ୍ଧି ପାଇଛି, ସେହିଦିନଠାରୁ ଏହି ଶ୍ମଶାନ ମଧ୍ୟ ବୃଦ୍ଧି ପାଉଛି । ଶ୍ମଶାନର ଐତିହାସିକ ଜିହାଦ୍ ଅବୁ ସାୟବଙ୍କ ମତରେ ବର୍ତ୍ତମାନ ଏଠାରେ ପ୍ରତିଦିନ ୧୫୦ ରୁ ୨୦୦ ଲୋକଙ୍କୁ ସମାଧି ଦିଆଯାଉଛି ।

ମୁସଲମାନମାନେ ନିଜ ସମ୍ପର୍କୀୟଙ୍କୁ ଏଠାରେ କବର ଦେବାକୁ କାହିଁକି ଚାହାଁନ୍ତି ?

ଏହି ପବିତ୍ର ଶ୍ମଶାନରେ ଶିଆ ମୁସଲମାନଙ୍କର ପ୍ରଥମ ଇମାମ ଅଲି ବିନ୍ ଅବି ତାଲିବଙ୍କ ସମାଧି ଅଛି। ଯିଏ କି ଭବିଷ୍ୟବକ୍ତା ମହମ୍ମଦଙ୍କ ଜ୍ୱାଇଁ ଥିଲେ । ଏହି କାରଣରୁ, ଲୋକମାନେ ମୃତ ସମ୍ପର୍କୀୟଙ୍କୁ ତାଙ୍କ କବର ନିକଟରେ କବର ଦେବାକୁ ଚାହାଁନ୍ତି ।

ବଳିଦାନର ପୁରସ୍କାର ଭାବରେ ୱାଡ ଅଲି-ସଲାମରେ ସମାଧି

ଶିଆ ପାରାମିଲିଟାରୀମାନେ ଲଢେଇ କରିବା ପାଇଁ ସାନ୍ନାକୁ ଯିବା ପୂର୍ବରୁ ଅଲିଙ୍କ ସୁନା ଗମ୍ବୁଜ ମନ୍ଦିର ପରିଦର୍ଶନ କରନ୍ତି ଏବଂ ଅନୁରୋଧ କରନ୍ତି ଯେ ଯଦି ଶହିଦ ହୋଇଯାଆନ୍ତି ତେବେ ତାଙ୍କୁ ବଳିଦାନର ପୁରସ୍କାର ଭାବରେ ୱାଡ ଅଲି-ସଲାମରେ ସମାଧି ଦିଆଯିବ । ୨୦୨୧ ରଏଟର୍ସ ଅନୁଯାୟୀ, ୨୦୧୪ରେ ଉତ୍ତର ଏବଂ ପଶ୍ଚିମ ଇରାକର ବୃହତ ଅଂଶକୁ ନିୟନ୍ତ୍ରଣ କରିବା ପରେ ହିଂସା ବୃଦ୍ଧି ପାଇବା ପୂର୍ବରୁ ପ୍ରାୟ ୨୫ ବର୍ଗ ମିଟର ସମାଧିସ୍ଥଳର ମୂଲ୍ୟ ପ୍ରାୟ ୫ ନିୟୁତ ଇରାକୀ ଡିନାରକ ବୃଦ୍ଧି ପାଇଛି । ପ୍ରାୟତ ସବୁ ସମାଧି ପୋଡା ହୋଇଥିବା ଇଟା ଏବଂ ପ୍ଲାଷ୍ଟରରେ ନିର୍ମିତ, ଏବଂ କୁରାନୀୟ କାଲିଗ୍ରାଫିରେ ସଜାଯାଇଥାଏ, କିଛି କବର ଭୂମି ତଳେ ଆଉ କିଛି କବର ଭୂମି ଉପରେ ଥାଏ, ଯାହା ସେମାନଙ୍କ ଭିତରେ ଥିବା ସମ୍ପତ୍ତିକୁ ସୂଚାଇଥାଏ ।

ଭାରସାମ୍ୟ ହରାଇପୋଖରୀରେ ପଡ଼ିଲା ବସ୍, ୩ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ଛତ୍ରକଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସିଲା ଯାତ୍ରୀବାହୀ ବସ୍ । ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୫ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । ଗାଡ଼ି ଚାଳକଙ୍କ ଅବହେଳା ପାଇଁ ବସ୍‌ ପୋଖରୀରେ ପଡ଼ିଯାଇଥିବା ଅଭିଯୋଗ ହୋଇଛି । କ୍ଷମତାଠାରୁ ଅତ୍ୟଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍ । ୫୨ ଜଣ ଯିବାର କ୍ଷମତା ଥିବା ବେଳେ, ବସ୍‌ରେ ୬୦ ଯାତ୍ରୀ ଥିଲେ । ଶନିବାର ସକାଳ ୯ଟାରେ ପୁରୋଜପୁରରୁ ବସଟି ବାହାରିଥିଲା । ୧୦ଟା ବେଳକୁ ଛତ୍ରକଣ୍ଡାରେ ପହଞ୍ଚିଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀରେ ପଡ଼ିଯାଇଥିଲା ବସ୍ । ବସ୍‌ ଓଭରଲୋଡ୍ ଥିବାରୁ ଶୀଘ୍ର ପାଣିରେ ବୁଡିଯାଇଥିଲା ।

ବାଂଲାଦେଶରେ ବସ୍ ଦୁର୍ଘଟଣାରେ ଗୋଟିଏ ମାସରେ ୫୬୨ ଜଣଙ୍କ ମୃତ୍ୟୁ ହେଲାଣି । କେବଳ ଜୁନରେ ୫୫୯ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ୨୦୭ଟି ବାଇକ୍‌ ଦୁର୍ଘଟଣା ହୋଇଥିବା ବେଳେ, ୧୬୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ମାସକରେ ୭୮ ମହିଳା ଓ ୧୧୪ ଶିଶୁଙ୍କର ମୃତ୍ୟୁ ହେଲାଣି ।

ଖୋଲିଲା ହୀରାକୁଦ୍ ଗେଟ୍, ପୂଜାର୍ଚ୍ଚନା ପରେ ଖୋଲାଯାଇଛି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ୍ ଗେଟ୍ । ଆସିବ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ୫ଟି ଗେଟ୍ ଖୋଲାଯାଇଛି । ବାମ ପଟର ୩ଟି ଓ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲିଛି । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ୬୧୪.୮୧ ଫୁଟରେ ପହଂଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ । ବନ୍ୟାଜଳ ନିୟନ୍ତ୍ରଣରେ ସହଯୋଗ କରୁନି ଛତିଶଗଡ । ଜୁନ ୨୩ରେ ହୋଇଥିବା ବୈଠକରେ ଛତିଶଗଡ଼ ଆସିନଥିଲା । N.C.D.S  ମିଟିଂରେ ବି ସହଯୋଗ କରିନି ଛତିଶଗଡ ବୋଲି କହିଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।

ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା, ଘର ଭିତରେ ଲହଡି ମାରୁଛି ବନ୍ୟାପାଣି

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା । ବାଦଲ ଫଟା ବର୍ଷା ଯୋଗୁଁ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି । ଘରେ ଘରେ ପଶିଛି ପାଣି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ଘର ଭିତରେ ବନ୍ୟା, ଅନ୍ୟପଟେ ପ୍ରବଳ ବର୍ଷା । ଲୋକେ ନାଁ ଘରେ ରହିପାରୁଛନ୍ତି ନାଁ ବାହାରେ । ମହାରାଷ୍ଟ୍ର, ଗୁଜୁରାଟ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ସହ ଭୂସ୍ଖଳନ ହୋଇଛି । ଉତ୍ତରପ୍ରଦେଶର ବିଜନୋରର କୋଟାବାଲି ନଦୀର ଜଳସ୍ତର ବଢ଼ିଯିବାରୁ ପରିସ୍ଥିତି ଭୟଙ୍କର । ହରିଦ୍ୱାର ଯାଉଥିବା ଏକ ବସ୍ ନଦୀ ଜଳରେ ଫସିବାରୁ ଚିତ୍କାର କରିଥିଲେ । ତୁରନ୍ତ ଘଟଣାସ୍ଥଳରେ ଜେସିବି ପହଁଚି ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ଲଗାତର ଭାବେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଲୋକମାନେ ଭୟଭୀତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜମ୍ମୁରେ ପ୍ରବଳ ବର୍ଷା ଫଳରେ ଚେନାବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଉପକୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବା ଫଳରେ ଲୋକେ ପାଣି ଘେରରେ ରହିଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ପ୍ରଶାସନ ।

 

ଏବେ ବର୍ଷାରୁ ନାହିଁ ନିସ୍ତାର, ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନନଷ୍ଟପ୍ ବର୍ଷା

ଭୁବନେଶ୍ୱର: ଏବେ ବର୍ଷାରୁ ନାହିଁ ନିସ୍ତାର । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୧୧୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ବର୍ଷା ପାଇଁ ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନନଷ୍ଟପ୍ ବର୍ଷା ହେବ । ଏପଟେ ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ୧ ଜୁନରୁ ୨୨ ଜୁଲାଇ ଯାଏ ୩୮୭.୧ ଏମଏମ ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବର୍ଷା ୪୪୮.୮ ଏମଏମ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେବା ସହ ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ବାକି ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।