ପୁରୀ: ଆସନ୍ତା ୯ ତାରିଖରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକ ଲାଗି କରିବା ନେଇ ସ୍ଥିରୀକୃତ କରିବ ସେହି ଦିନ ଦତ୍ତ ମହାପାତ୍ର ସେବାୟତ ବନକ ଲାଗି ନୀତି ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଆଜି ପରିଚାଳନା କମିଟି ବୈଠକରେ ବନକ ଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହେବାକୁ ଥିବାବେଳେ ଅନିବାର୍ଯ୍ୟ କାରଣ ଯୋଗୁ ବାତିଲ କରାଯାଇଥିଲା । ଆସନ୍ତାକାଲି ଶ୍ରୀମନ୍ଦିରରେ ନକ୍ଷେତ୍ର ବନ୍ଦାପନା ନୀତି ଥିବାରୁ ବନକ ଲାଗି ନୀତି ହୋଇପାରିବ ନାହିଁ । ସେହିପରି ଗୁରୁବାର ଦିନ ଏକାନ୍ତ ଓ ଅନ୍ୟାନ୍ୟ ନୀତି ରହିଛି ତେଣୁ ବନକ ଲାଗି ହୋଇପାରିବ ନାହିଁ । ଏଣୁ ଆସନ୍ତା ୯ ତାରିଖ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।
ଗଭୀର ଅବପାତର ରୂପ ନେଲା ଲଘୁଚାପ, ୬ ଘଣ୍ଟା ପାଇଁ ଟ୍ୱିନ୍ ସିଟିକୁ ଆଲର୍ଟ
ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଉତ୍ତର ଭାଗରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିକୁ ସତର୍କତା ଜାରି ହୋଇଛି । ଘଣ୍ଟାପ୍ରତି ୨୦ ରୁ ୩୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା । ପ୍ରବଳ ବର୍ଷା ଫଳରେ ଦୃଶ୍ୟମାନ କ୍ଷମତା କମିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ । ବଜ୍ରପାତ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ଅତି ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ରେଡ ଆଲର୍ଟ ହୋଇଛି । ବାଲେଶ୍ବର, ମୟୁରଭଞ୍ଜ,କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ,ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୫୫ ରୁ ୫୪ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ହେବ ଆଧୁନିକୀକରଣ, ୧୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ କ୍ରିମିନାଲ ଜଷ୍ଟିସ୍ ବ୍ୟବସ୍ଥାକୁ ବଡ଼ ବୁଷ୍ଟ । ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ଯୋଜନା ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଉପକ୍ରମରେ ଅପରାଧିକ ନ୍ୟାୟ ପଦ୍ଧତିକୁ ଏହା ଅଧିକ ସୁଦୃଢ଼ କରିବ । ମର୍ଡନାଇଜେସନ ଅଫ ଫରେନ୍ସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନ ବା MFSSO ନାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ବାଲେଶ୍ୱର ଓ ସମ୍ବଲପୁରରେ ହେବ ଆଞ୍ଚଳିକ ଫରେନ୍ସିକ ଲାବ୍ । ଦୁଇଟି ଆଞ୍ଚଳିକ ଲାବ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ବିଭିନ୍ନ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
କେନ୍ଦ୍ର ମା’ ଯୋଜନା କେତେ ଆଗେଇଛି ? ରାଜ୍ୟସଭାରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: କେନ୍ଦ୍ରର ମାଆ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯୋଜନାରେ କେତେଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଏଥିରେ ବଜେଟରେ ବ୍ୟୟ ବରାଦ କରାଯାଇଛି କି ? ଯଦି କରାଯାଇଛି, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟଓ୍ବାରୀ କେତେ ଅନୁଦାନ ଦିଆଯାଇଛି । ଯଦି ଅନୁଦାନ ଦିଆଯାଇନି, ତେବେ ସେନେଇ ତଥ୍ୟ ଦର୍ଶାଇବାକୁ ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାଓ୍ବାର ଉତ୍ତର ରଖିଛନ୍ତି ।
ମାଆ ଯୋଜନାରେ ପ୍ରଥମ ୬ ମାସରେ ସ୍ତନ୍ୟପାନକୁ ଗୁରୁତ୍ବ ଦିଆଯାଇଛି । ତିନି ବର୍ଷରୁ କମ୍ ଶିଶୁ ଯେଉଁମାନେ ଜନ୍ମର ଘଣ୍ଟାକ ମଧ୍ୟରେ ସ୍ତନ୍ୟପାନ କରିଛନ୍ତି ଏବଂ ୬ ମାସ କିମ୍ବା ତା’ଠାରୁ କମ୍ ଶିଶୁଙ୍କୁ ସ୍ତନ୍ୟପାନ କରାଯାଇଛି ସେମାନଙ୍କୁ ମାଆ ଯୋଜନାରେ ସହାୟତା ଦିଆଯାଉଛି । ଏନେଇ ଗୃହରେ ରାଜ୍ୟଓ୍ବାରୀ ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଯୋଜନାରେ ଓଡ଼ିଶାକୁ ୨୦୨୧-୨୨ରେ ୨୭ କୋଟି ୨୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨୦୨୨-୨୩ ପାଇଁ ୨୪ ଲକ୍ଷ ଟଙ୍କା ଦିଆଯାଇଛି ।
ଦିଲ୍ଲୀ ବିଲକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା , କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ
ନୂଆଦିଲ୍ଲୀ : ଦିଲ୍ଲୀ ବିଲକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା । କେନ୍ଦ୍ରର ତାନାସାହି ଶାସନ ବିରୋଧରେ ଗର୍ଜିଲେ ବିରୋଧୀ । ଦିଲ୍ଲୀର କଳା ଆଇନ ପ୍ରତ୍ୟାହାର ପାଇଁ ଦାବି କରିବା ସହ କେନ୍ଦ୍ର ସରକାର ବିରୋଧରେ ଜୋରଦାର ନାରାବାଜି କରିଛନ୍ତି ଇଣ୍ଡିଆ ସଦସ୍ୟ । ପାର୍ଲାମେଣ୍ଟ ବାହାରେ ସରକାର ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆ ସଦସ୍ୟ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଦେଶର ସଂଘୀୟ ଢାଞ୍ଚା ବିରୋଧୀ । ଏହାସହ କେନ୍ଦ୍ରର ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ବିରୋଧୀ କହିଛନ୍ତି ।
ସଂସଦରେ ଦୁଇ ପକ୍ଷର ବହୁମତ ବିନା ସାମ୍ବିଧାନିକ ବିଲ ପାସ୍ କରାଯିବା ସାଂସଦୀୟ ନିୟମର ବିରୋଧାଚରଣ । କେନ୍ଦ୍ରର ଏହି ବିଲ ଅସମ୍ବିଧାନିର ଓ ଲୋକତନ୍ତ୍ର ବିରୋଧୀ । ଦିଲ୍ଲୀରେ ଲୋକତନ୍ତ୍ରକୁ ନଷ୍ଟ କରି ବାବୁତନ୍ତ୍ର ଲାଗୁ କରିବାକୁ ବିଜେପି ଚାହୁଁଛି ବୋଲି ଆପ୍ କହିଛି । ଦିଲ୍ଲୀରେ ବିଜେପିର ଲଗାତାର ହାର୍ ଯୋଗୁ ସରକାରଙ୍କୁ ନିରସ୍ତ୍ର କରିବାକୁ ହିନ ପ୍ରୟାସ କରାଯାଉଛି ବୋଲି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା କହିଛନ୍ତି ।
ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ବହୁମତ ଥିବାରୁ ବିଲ ପାସ୍ କରାଇ ଦିଆଯିବ ନାହିଁ ବୋଲି ବିରୋଧୀ କହିଛନ୍ତି । ସେପଟେ ଭାରତୀ-ଚୀନ ବର୍ଡରରେ ଉତ୍ତେଜନା ସ୍ଥିତି, ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଫାୟାରିଂ ପ୍ରସଙ୍ଗରେ ଆଲୋଚନା ପାଇଁ ଲୋକସଭାରେ ମୁଲତବି ପ୍ରସ୍ତାବ ଦେଇଛି କଂଗ୍ରେସ । ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଛି ଆପ୍ ।
ଶ୍ରୀକୃଷ୍ଣଙ୍କ ପ୍ରେମରେ ମୁସଲିମ୍ ମହିଳା ଶବନମ୍
ଲକ୍ଷ୍ନୌ : କୃଷ୍ଣ ପ୍ରେମରେ ମୁସଲମାନ ମହିଳା । କୁହାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଓ ଲୀଳା କ୍ଷେତ୍ର ବୃନ୍ଦାବନ ସମଗ୍ର ବିଶ୍ୱରେ ଭକ୍ତି ଏବଂ ପ୍ରେମର ତୀର୍ଥସ୍ଥାନ ପାଲଟିଛି । ସେଥିପାଇଁ ଏହି ସହରରେ ଦେଶ ବିଦେଶର ବିଭିନ୍ନ ଧର୍ମର ଭକ୍ତଙ୍କୁ ଦେଖିବାକୁ ମିଳେ । କାହ୍ନା ପ୍ରେମରେ ପଡ଼ି ଘରଦ୍ବାର ଛାଡ଼ି ଲୀଲାକ୍ଷେତ୍ର ବୃନ୍ଦାବନରେ ପହଞ୍ଚିଛନ୍ତି ଉତ୍ତର ପ୍ରଦେଶ ମୁରାଦାବାଦର ଶବନମ । କୃଷ୍ଣ ପ୍ରେମରେ ପଡ଼ିବା ପରେ ଧର୍ମ ଭୁଲି ପରିବାର ଛାଡ଼ି ବୃନ୍ଦାବନବାସୀ ପାଲଟିଛନ୍ତି ଶବନମ ।
ଶବନମ୍ ଉତ୍ତରପ୍ରଦେଶର ମୋରାଡାବାଦର ଜିଗର କଲୋନୀ ନିବାସୀ । ଶବନମ ପିଲାଦିନୁ ହିନ୍ଦୁ ଦେବୀଦେବତାଙ୍କୁ ପୂଜା କରୁଥିଲେ । ୨୦୦୦ ମସିହାରେ, ଶବନମ୍ ଦିଲ୍ଲୀର ଶାହଦରାରେ ବିବାହ କରିଥିଲେ । ମାତ୍ର ବିବାହର ୫ ବର୍ଷ ପରେ ଶବନମଙ୍କର ଛାଡପତ୍ର ହୋଇଥିଲା । ବିବାହ ପରେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଥିଲେ । ହେଲେ ଗତ ୪ ମାସ ହେବ ସେ ବୃନ୍ଦାବନରେ ପହଞ୍ଚିଛନ୍ତି । ଗୋବର୍ଦ୍ଧନ ପରିକ୍ରମା ମାର୍ଗ ସ୍ଥିତ ଗୋପାଳ ଆଶ୍ରମ ଏବେ ଶବନମଙ୍କ ନୂଆ ଠିକଣା ପାଲଟିଛି । ବାକି ଜୀବନ ବୃନ୍ଦାବନରେ ରହି କାଟିବାକୁ ଯୋଜନା କରିଛନ୍ତି ବୋଲି ଶବନମ କହିଛନ୍ତି ।
ଆଜି ସମ୍ବଲପୁରୀ ଦିନ୍, ସମସ୍ତ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ସମ୍ବଲପୁରୀ ଛାପା
ସମ୍ବଲପୁର : ଆଜି ସମ୍ବଲପୁରୀ ଦିନ୍ । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶାଅନୁସାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସମ୍ବଲପୁରୀ ପୋଷାକ ପିନ୍ଧି ଆସୁଛନ୍ତି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ । ଜିଲ୍ଲାପାଳଙ୍କ କାଯ୍ୟାଳୟଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ସମ୍ବଲପୁରୀ ଛାପା ଦେଖିବାକୁ ମିଳିଛି । ସମ୍ବଲପୁରୀ ଲେଖକ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ ଅବସରରେ ଆଜି ସମ୍ବଲପୁରୀ ଦିନ୍ ପାଳନ କରାଯାଉଛି । ଯାହାକୁ ନେଇ ବେଶ ଉତ୍ସାହିତ ପଶ୍ଚିମ ଓଡ଼ିଶାବାସୀ ।
ପଛପଟୁ ଧକ୍କା ଦେଲା ପୋଲିସ ଭ୍ୟାନ୍, ଘଟଣାସ୍ଥଳରେ ଯୁବକ ମୃତ
ନୟାଗଡ଼ : ପୋଲିସ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଖଣ୍ଡପଡା ଥାନା ବରପାଲି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକଙ୍କ ନାଁ ମିଳନ ମହାପାତ୍ର ହୋଇଥିବାବେଳେ ସେ ନୟାଗଡ଼ ରୋଟାରୀ କ୍ଲ ରେ ଫିଜିଓ ଥେରାପିସ୍ଟି ଭାବେ କାମ କରୁଥିଲେ ।
ବର୍ଷା ପବନ ଯୋଗୁଁ ମିଳନ ନୟାଗଡ଼ରୁ ନିଜ ଘର ଖଣ୍ଡପଡ଼ା ଫେରୁଥିବାବେଳେ ପଛ ପଟୁ ପୋଲିସ ଗାଡି ଆସି ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଯାଇଥିଲା । ଯାହା ଦ୍ୱାରା ଘଟଣାସ୍ଥଳରେ ମିଳନଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକ ମାନେ ଖଣ୍ଡପଡା ଏବଂ ନୟାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି, ଯାହାଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।, ସୂଚନା ପାଇ ଘଟଣାସ୍ଥଳରେ ଖଣ୍ଡପଡା SDPO ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି
ଭିଡ଼ ହିଂସାରେ ଜଳୁଛି ହରିୟାଣା, ଧାର୍ମିକ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ
ଚଣ୍ଡିଗଡ଼ : ହିଂସାର ନିଆଁରେ ଜଳୁଛି ହରିୟାଣା । ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଗଣ୍ଡଗୋଳ ହୋଇଛି । ଗୁରୁଗ୍ରାମ ପର୍ଯ୍ୟନ୍ତ ବ୍ୟାପିଲା ଅଶାନ୍ତି । ପଥର ମାଡ଼ ସାଙ୍ଗକୁ ପୋଡାଜଳା ହୋଇଛି । ଫଳରେ ୨ ଜଣ ହୋମାଗାର୍ଡଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।
ହରିୟାଣାର ମୁମଲିମ ବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା ବେଳେ ହଠାତ୍ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ । ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ନେଇଥିଲା । ସଂଘର୍ଷରେ କିଛି କାର ଜଳି ଯାଇଥିବା ଦେଖିବାକୁ ମିଳିଛି । ହରିୟାଣା ପୋଲିସ ଗଣ୍ଡଗୋଳଗାରୀଙ୍କୁ ଘଉଡ଼ାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ଉତ୍ତ୍ୟକ୍ତ ଲୋକେ ୪ଟି ଗାଡ଼ି ଏବଂ ଏକ ଦୋକାନ ଜାଳି ଦେଇଛନ୍ତି ।

