spot_img
Home Blog Page 2944

ସିଲାବସ ସାଙ୍ଗକୁ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର : ବଦଳିଲା ଯୁକ୍ତ ଦୁଇ ସିଲାବସ ଆଉ ପରୀକ୍ଷା ପ୍ରଣାଳୀ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲବସ ଅନୁଯାୟୀ ହେବ। CBSE ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି।

ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାର ରେ ଛାତ୍ର ଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କଳା ଓ ବାଣିଜ୍ୟ ବିଭାଗ ବିଷୟରେ ଶିଲାବସ୍‌ ପରିବର୍ତ୍ତନ ହୋଇନି ।

ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା

କେନ୍ଦ୍ରାପଡ଼ା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା । କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ । ଆଜି ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି । ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତା ମୂଳକ କରାଯାଇଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ୩ଟି ଏଣ୍ଟ୍ରି ପଏଣ୍ଟ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ । ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ରହିଥିବା ୫ଟି ଫାଇବର ବୋଟରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ନୈସର୍ଗିକ ଶୋଭା ଉପଭୋଗ କରିପାରିବେ ।

ଚଳିତବର୍ଷ ଭିତରକନିକାକୁ ସମ୍ପୂର୍ଣ୍ଣ ଭାବେ ପଲିଥିନମୁକ୍ତ କରାଯାଇଛି । ବାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଭିତରକନିକାକୁ ନୌକା ଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ, ନଇ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ସାଙ୍ଗକୁ ନଦୀ ମଧ୍ୟରେ କୁମ୍ଭୀରଙ୍କ ମିଳନର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।

ଆଜି ସଂସଦରେ ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ନୂଆଦିଲ୍ଲୀ :  ଆଜି ସଂସଦରେ ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ମଣିପୁର ହଟ୍ଟଗୋଳ ଭିତରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ଦୃଢ ବିରୋଧ କରୁଛନ୍ତି ବିରୋଧୀ ସଦସ୍ୟ । ବିଲ ଆଗତ ପୂର୍ବରୁ ସବୁ ବିରୋଧୀ ଦଳଙ୍କୁ ଭେଟି ବିରୋଧ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ନିଜ ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ଆପ ତରଫରୁ ହୁଇପ ଜାରି କରାଯାଇଛି । ଆପ କହିଛି କେନ୍ଦ୍ର ସରକାର ଅଗଣାତାନ୍ତ୍ରିକ ଓ ଦିଲ୍ଲୀବାସୀଙ୍କ ସ୍ବାର୍ଥ ବିରୋଧରେ ଏହି ବିଲ୍ ଆଣିବାକୁ ଯାଉଛନ୍ତି । ନିର୍ବାଚିତ ସରକାରକୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନିର୍ବାଚିତ ସରକାର ନେଇପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ତେବେ ତରବରିଆ ଭାବେ କେନ୍ଦ୍ର ସରକାର ଏହି ବିଲ୍ ଆଣି ଗଣତନ୍ତ୍ର ବିରୋଧୀ କାମ କରୁଥିବା ଆପ ଅଭିଯୋଗ ଆଣିଛି । ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଅନୁସାରେ, ଦିଲ୍ଲୀର ଗ୍ରୁପ ଏ ଅଧିକାରୀଙ୍କ ବଦଳି ଏବଂ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନର ଅଧିକାର ଉପରାଜ୍ୟପାଳଙ୍କ ହାତରେ ରହିବ । ଯାହାକୁ ଦିଲ୍ଲୀ ସରକାର ବିରୋଧ କରୁଛନ୍ତି ।

ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା, କ୍ରେନ୍ ଖସି ୧୫ ଶ୍ରମିକ ମୃତ

ମୁମ୍ୱାଇ : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ହାଇଓ୍ବେ ନିର୍ମାଣ ବେଳେ ବଡ଼ ଦୁର୍ଘଟଣା । ପୋଲ କାର୍ଯ୍ୟ ଚାଲିଥିବା ବେଳେ ଶହେ ଫୁଟ ଉପରୁ ଗ୍ରିଡର ମେସିନ ଖସି ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ମହାରାଷ୍ଟ୍ର ଥାନେ ଜିଲ୍ଲା ଶାହାପୁରରେ । ମହାରାଷ୍ଟ୍ର ରାଜ୍ୟ ସଡ଼କ ନିଗମ ପକ୍ଷରୁ ମୁମ୍ବାଇରୁ ନାଗପୁରକୁ ସଂଯୋଗ କରୁଥିବା ଏହି ୭୦୧ କିମି ଲମ୍ବର ହାଇଓ୍ବେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବଡ଼ ଅଘଟଣ ଘଟିଛି ।

ଏବେ ବି କେତେଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ବିଳମ୍ବିତ ରାତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳ ଗ୍ରିଡର ମେସିନ ସହ କ୍ରେନ ଓ ସ୍ଲାବ ଖସିପଡ଼ିଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ NDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସନ୍ଧାନୀ କୁକୁର ସାହାଯ୍ୟରେ ମଧ୍ୟ ଫସି ରହିଥିବା ଲୋକଙ୍କୁ ରେସ୍କ୍ୟୁ ପାଇଁ ଉଦ୍ୟମ ଚାଲିଛି ।

ହସ୍ପିଟାଲରେ ଚିକିତ୍ସାଧୀନ କେତେଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ପୋଲିସ ସହ ଦମକାଳବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି ।

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ, ଉଭୟ ଦଳ ପାଇଁ କର ବା ମର ସ୍ଥିତି

ନୂଆଦିଲ୍ଲୀ :  ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ୩ଟିକିଆ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିବାବେଳେ ଦ୍ବିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଥିଲା ଓ୍ବେଷ୍ଟଇଣ୍ଡିଜ୍ । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଆଜି ମ୍ୟାଚରେ ପୂର୍ବ ଦୋଷକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ସେପଟେ ମ୍ୟାଚ୍ ଜିତି ସିରିଜ ବିଜୟୀ ହେବାକୁ ଇଣ୍ଡିଜ ଦଳର ପ୍ରସ୍ତୁତି କରିଛି

ଆଉ ପାଦେ ଆଗେଇଲା ମିଶନ ଚନ୍ଦ୍ରଯାନ, ମଧ୍ୟରାତ୍ରୀରେ ପୃଥିବୀ ଛାଡ଼ିଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ :  ପୃଥିବୀ ଛାଡ଼ିଲା ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା ।

ଏହି ସମୟରେ ଥ୍ରଷ୍ଟ ଇଞ୍ଜିନକୁ ଫାୟାର କରାଯାଇଥିଲା । ଚନ୍ଦ୍ରଯାନ-୩ ପୃଥିବୀର ଅତି ନିକଟରେ ଅର୍ଥାତ ନିକଟତମ ବିନ୍ଦୁ ପେରିଗୀରେ ପହଞ୍ଚିବା ପରେ ଇଞ୍ଜିନକୁ ଫାୟାର କରାଯାଯାଇଥିଲା । ତାର ୬ ସାତ ଘଣ୍ଟା ପୂର୍ବରୁ ଥ୍ରଷ୍ଟ ଇଞ୍ଜିନ ଷ୍ଟାର୍ଟ କରି ଗତିକୁ ବୃଦ୍ଧି କରାଯାଇଥାଏ । ଚନ୍ଦ୍ରଯାନ-୩ ପୃଥିବୀ ଛାଡ଼ିବା ସହିତ ପୁଣି ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୩ ।

ଆଜିଠୁ ଯୁକ୍ତଦୁଇ ପାଠପଢା, ପ୍ରଥମ ଦିନରେ ହେବ ଇଣ୍ଡକ୍ସନ କ୍ଲାସ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ପାଠପଢା । ଶ୍ରେଣୀଗୃହରେ ବସି ପାଠପଢିବେ ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଆଜି ପ୍ରଥମ ଦିନରେ ହେବ ଇଣ୍ଡକ୍ସନ କ୍ଲାସ । ପ୍ରତି ଶିକ୍ଷାନୁଷ୍ଠାନରେ ଆୟୋଜନ ହେବ ପ୍ରବେଶ ଉତ୍ସବ । ପ୍ରଥମେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବ । ପରେ ସମସ୍ତଙ୍କୁ ଏକାଠି କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ପ୍ରଥମ କ୍ଲାସ କରିବେ ।

ଏଥିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅବଗତ କରାଯିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ପରିଚିତ କରାଯିବ । ସିଲାବସ, ପରୀକ୍ଷା ପ୍ରଶ୍ନ ଢାଞ୍ଚା ଏବଂ କଲେଜର ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ନବାଗତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ପିଲାଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯିବ । ନିଜ ନିଜ ବିଭାଗର ଟାଇମ ଟେବୁଲ ପ୍ରଦାନ କରାଯିବା ସହ ରାଗିଂ ସମ୍ପର୍କରେ ସଚେତନ କରିବେ କଲେଜ କର୍ତ୍ତୃପକ୍ଷ ।

ଅଗଷ୍ଟ ୧୪ସୁଦ୍ଧା ବାଧ୍ୟତାମୂଳକ ହେବ ୟୁନିଫର୍ମ ଓ ଆଇକାର୍ଡ । ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ପୋର୍ଟାଲ ବାବଦରେ ସଚେତନ କରାଯାଇ ରାଜ୍ୟ ସରକାର ପ୍ରଦାନ କରୁଥିବା ବିଭିନ୍ନ ବୃତ୍ତି ସମ୍ପର୍କରେ ଅବଗତ କରାଯିବ ।

ଚରମ ସୀମାରେ ସାମ୍ପ୍ରଦାୟିକ ହିଂସା , ପୁଣି ମାମଲାର ଶୁଣାଣି କରିବେ ସିଜେଆଇଙ୍କ ଖଣ୍ଡପୀଠ

ଇମ୍ଫାଲ : କୁକୀ-ମିତେଇ ବିବାଦରେ ଜଳୁଛି ମଣିପୁର । ଜନଜାତି ମାନ୍ୟତାକୁ ନେଇ ଚରମ ସୀମାରେ ପହଞ୍ଚିଛି ସାମ୍ପ୍ରଦାୟିକ ହିଂସା । ମଣିପୁରର ବର୍ବର ଭିଡିଓ ଭାଇରାଲକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଆଜି ଦିନ ୨ଟାରେ ପୁଣି ମାମଲାର ଶୁଣାଣି କରିବେ ସିଜେଆଇଙ୍କ ଖଣ୍ଡପୀଠ। ଗତକାଲି ମଣିପୁର ପୀଡ଼ିତାଙ୍କ ପିଟିସନର ଶୁଣାଣି କରି ସରକାରଙ୍କ ଉପରେ ବର୍ଷିଥିଲେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ। ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।

ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଘଟଣାର ୧୪ଦିନ ଯାଏଁ କାହିଁକି FIR ହୋଇ ନଥିଲା ? ହିଂସା ପରଠୁ ପୋଲିସ କେତେ ମାମଲା ରୁଜୁ କରିଛି? ଅଭିଯୁକ୍ତଙ୍କୁ ଗିରଫ କରିବାକୁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ? ଧାରା ୧୬୪ରେ କେତେ ଜଣଙ୍କ ବୟାନ ରେକର୍ଡ ହୋଇଛି ? ଏସବୁର ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ସେପଟେ ଗୃହରେ ମଧ୍ୟ ମଣିପୁର ପ୍ରସଙ୍ଗରେ ଅଚଳାବସ୍ଥା ଜାରି ରହିଛି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା ପରେ ମଣିପୁର ସ୍ଥିତି ପାଇଁ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ବିରୋଧୀ।

ଅବପାତର ରୂପନେଲା ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର : ଚଳିତ ମୌସୁମୀ ସିଜିନର ପ୍ରଥମ ଅବପାତ । ବଙ୍ଗୋପସାଗରରେ ଅବପାତର ରୂପନେଲା ଲଘୁଚାପ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଏହା ବାଂଲାଦେଶର ଖେପୁପରାଠାରୁ ୨୦୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଦୀଘାଟାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ୪୩୦ କିଲୋମିଟରରେ ରହିଛି । ସନ୍ଧ୍ୟା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ଉପତ୍ୟକା ଅତିକ୍ରମ କରିବ । ସମ୍ଭାବ୍ୟ ଅବପାତ ପ୍ରଭାବରେ ଆଗାମୀ ୩ଘଣ୍ଟା ପାଇଁ ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷିବ ।
ଆଜି ଓଡ଼ିଶାରେ ଉତ୍ତର ଉପକୂଳ, ଉତ୍ତର, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଯଥା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେଉଁଝର, ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର,ସମ୍ବଲପୁର, ବଲାଙ୍ଗୀର, ବୌଦ ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ । ସେପଟେ ରେକର୍ଡ ଭାଙ୍ଗିଲା ରାଜଧାନୀର ବର୍ଷା । ୨୪ ଘଣ୍ଟାରେ ବର୍ଷିଲା ୨୫୮ ମିଲିମିଟର ବର୍ଷା ହୋଇଛି । ଗତକାଲି ବର୍ଷାରେ ରାସ୍ତାରେ ଚାଲୁଥିଲା ପାଣି । ଘରେପାଣି ପଶିଥିବା ଦେଖିବାକୁ ମିଳିଛି । ୧୯୬୯ ଜୁଲାଇ ୩୦ ରେ ହୋଇଥିଲା ସର୍ବକାଳୀନ ରେକର୍ଡ । ସର୍ବାଧିକ ୨୮୨.୮ ମିଲିମିଟର ବର୍ଷା ହୋଇଥିଲା । ୨୦୧୮ ଜୁଲାଇ ୩୧ ରେ ୧୯୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ୨୦୧୨ ରୁ ୨୦୨୩ ମଧ୍ୟରେ ଗତକାଲି ସବୁଠୁ ଅଧିକ ବର୍ଷା ହୋଇଛି ।

ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଦଳର ନେତୃତ୍ୱ ନେବେ ଜସପ୍ରୀତ ବୁମରାହ

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିଛି ବିିସିସିଆଇ । ଅଗଷ୍ଟ ମାସରେ ଆୟରଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଭାରତୀୟ ଦଳ । ଏହି ସିରିଜ ପାଇଁ ୩୧ ଜୁଲାଇ ଅର୍ଥାତ ଆଜି ଭାରତୀୟ ଦଳର ଘୋଷଣା କରାଯାଇଛି । ଟିମର ନେତୃତ୍ୱ ଦ୍ରୁତତମ ବୋଲର ଜସପ୍ରୀତ ବୁମରାହ କରିବେ । ୧୫ ସଦସୀୟ ଦଳରେ ଅଧିକତମ ଯୁବା ଖେଳାଳିଙ୍କୁ ସ୍ଥାନ ମିଳିଛି । ଆୟରଲ୍ୟାଣ୍ଡ ବିପକ୍ଷ ଭାରତୀୟ ଦଳକୁ ପାଞ୍ଚ ଦିନ ଭିତରେ ଟି-୨୦ ମ୍ୟାଚ୍ (୧୮,୨୦ ଏବଂ ୨୩ ଅଗଷ୍ଟ) ଖେଳିବାର ଅଛି । ଏହି ତିନୋଟି ମ୍ୟାଚ୍ ଡବଲିନରେ ଖେଳାଯିବ । ତେବେ ଏହି ଗସ୍ତ ପାଇଁ ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, ବିରାଟ କୋହଲିଙ୍କ ଭଳି ସିନିୟର ଖେଳାଳିଙ୍କୁ ସାମିଲ କରାଯାଇନାହିଁ ।

ସେମାନଙ୍କୁ ଅଗଷ୍ଟ-ସେପ୍ଟେମ୍ବର ମାସରେ ହେବାକୁ ଥିବା ଏସିଆ କପ୍ ଏବଂ ବିଶ୍ୱକପକୁ ଦୃଷ୍ଟିରେ ରଖି ବିଶ୍ରାମ ଦିଆଯାଇଛି । ଦୀର୍ଘ ସମୟ ପରେ ଦଳକୁ ଫେରିଛନ୍ତି ଜସପ୍ରୀତ ବୁମରାହ । ବୁମରାହଙ୍କ ପିଠିରେ ଯନ୍ତ୍ରଣା କାରଣରୁ ଅସ୍ତ୍ରୋପଚାର ହୋଇଥିଲା ଏବଂ ସେ ଦଳରୁ ବାଦ୍ ପଡ଼ିଥିଲେ । ସେ ଶେଷ ମ୍ୟାଚ୍ ଗତ ବର୍ଷ ୨୫ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା । ଏହାପରେ ସେ ଦଳରୁ ବାଦ୍ ପଡ଼ିଥିଲେ । ବୁମରାହ ପ୍ରତ୍ୟାବର୍ତ୍ତନ କରିବା ଟିମ୍ ଇଣ୍ଡିଆ ପାଇଁ ଭଲ ଖବର ଅଟେ କାରଣ ଏବେ ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ୍ ହେବାରେ ବହୁତ ସମୟ ବାକି ଅଛି । ଏବଂ ସେ ସମୟ ସୁଦ୍ଧା ସେ ନିଜକୁ ସୁଦୃଢ଼ କରିନେଇଥିବେ ।

ଆୟରଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ: ଜସପ୍ରୀତ ବୁମରାହ (ଅଧିନାୟକ), ଋତୁରାଜ ଗାୟକ୍ୱାଡ଼ (ଉପଅଧିନାୟକ), ଶିଭମ ଦୁବେ, ୱାଶିଂଟନ ସୁନ୍ଦର, ଶାହବାଦ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆଭେଶ ଖାନ ।