ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ପରେ ବିବାଦ । ନିଜର ବୟାନ ପରେ ଏକ ଫ୍ଲାଇଂ କିସ୍ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ଏନେଇ କେନ୍ଦ୍ରମନ୍ତ୍ରୀ ଶୋଭା କାରନ୍ଦଲାଜେ ଓ ଅନ୍ୟ କେତେକ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ କରିଛନ୍ତି ଅଭିଯୋଗ । ସେମାନେ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଲକ୍ଷ୍ୟ କରି ରାହୁଲ ଏହି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ରାହୁଲଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସ୍ବାକ୍ଷର କରିଛନ୍ତି ବିଜେପିର ୨୧ ସାଂସଦ । ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସେମାନେ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ରାହୁଲ ଆଜି ପ୍ରଥମେ ଉଦବୋଧନ ଦେଇଥିବାବେଳେ ସ୍ମୃତି ଇରାନି ନିଜ ପକ୍ଷ ରଖିଥିଲେ । ମାତ୍ର ସ୍ମିୃତି ଇରାନି ଭାଷଣ ଦେଉଥିବାବେଳେ ରାହୁଲ ଏହି ଇଙ୍ଗିତ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ । ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସହିତ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ବଂଶଲ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥା କିପରି କଡ଼ାକଡ଼ି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଦୁଇ ବନକର୍ମଚାରୀଙ୍କ ହତ୍ୟା ପରେ ସର୍ଚ୍ଚ ଅପରେସନ, ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଓ ମାରଣାସ୍ତ୍ର ଆଦି ଜବତ କରାଯାଇଥିବା ବେଳେ ପୋଲିସର ଏହି ସଫଳତାକୁ ପୋଲିସ ଡିଜିପି ପ୍ରଶଂସା କରିଛନ୍ତି । ବନବିଭାଗ ସହ ଶିମିଳିପାଳ ପାଇଁ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଅଭୟାରଣ୍ୟକୁ ସୁରକ୍ଷା ଦେବାରେ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଡିଜିପି ବଂଶଲ କହିଛନ୍ତି ।
ଅଭୟାରଣ୍ୟକୁ ଶିକାରୀ ଓ ଶିକାରମୁକ୍ତ କରିବା ସମ୍ପର୍କରେ ଆଇଜି ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗେନାନୀ ପ୍ରମୁଖ ଡିଜିପିଙ୍କ ଗସ୍ତ ବେଳେ ସାମିଲ ହୋଇଥିଲେ ।
ସଂସଦ ଯିବା ରାସ୍ତାରେ ଅଟକିଗଲେ ରାହୁଲ, ଦୁର୍ଘଟଣା ପୀଡିତଙ୍କୁ କଲେ ସାହାଯ୍ୟ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଇଲେ ମାନବିକତା । ଗାଡିରୁ ଓହ୍ଲାଇ ସ୍କୁଟରରୁ ପଡିଯାଇଥିବା ଜଣେ ବ୍ୟକ୍ତିଙ୍କୁ କଲେ ସହାୟତା । ଆଜି ୧୦ ଜନପଥରୁ ଲୋକସଭା ଅଭିମୁଖେ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ ଛୋଟ ଦୁର୍ଘଟଣାରେ ସ୍କୁଟରରୁ ପଡିଯାଇଥିବା ଦେଖିଥିଲେ ।
ତେବେ ଅନ୍ୟମାନଙ୍କ ପରି ସେ ସେଠାରୁ ଚାଲି ନଯାଇ ନିଜ ଗାଡି ଅଟକାଇଥିଲେ । ଗାଡିରୁ ଓହ୍ଲାଇ ସେ ପଡିଯାଇଥିବା ଲୋକଙ୍କ ନିକଟକୁ ଯାଇଥିଲେ । ସ୍କୁଟର ଆରୋହୀଙ୍କ ସ୍ବାସ୍ଥ୍ୟାବସ୍ଥା ସେ ପଚାରିଥିଲେ । ସ୍କୁଟର ଆରୋହୀଜଣକ ସୁସ୍ଥ ଥିବା ସେ ଜାଣିବାକୁ ପାଇିଥିଲେ । ପରେ ରାହୁଲ ହ୍ୟାଣ୍ଡସେକ କରି ସଂସଦ ଅଭିମୁଖେ ବାହାରିଥିଲେ ।
ରାଜଧାନୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ରାତି ଅଧରେ ମହିଳାଙ୍କୁ ଉଠାଇ ନେଇ ଅଟକ ରଖିଲେ
ଭୁବନେଶ୍ବର: ରାଜଧାନୀରେ ଗୋଷ୍ଠୀ ସଙ୍ଘର୍ଷ । ନିଶା ଖାଇ ଶବର ସାହିର ଯୁବକଙ୍କୁ ଆକ୍ରମଣ କଲେ ଅରବିନ୍ଦ ନଗର ବସ୍ତିର କିଛି ଯୁବକ । ଘଟଣାର ମୁଖ୍ୟ କାର୍ପଟଦାର୍ ଲେଡି ଡନଙ୍କୁ ଉଠାଇ ନେଲେ ଶବର ସାହିର ଶତାଧିକ ଲୋକ । ଗତକାଲି ଶବର ସାହିର କିଛି ଯୁବକ ଅରବିନ୍ଦ ନଗର ବସ୍ତି ନିକଟସ୍ଥ ଏକ ଦୋକାନରୁ ଖାଇବା ଆଣିବାକୁ ଯାଇଥିବା ବେଳେ ସେଠାରେ ଥିବା ସ୍ଥାନୀୟ କିଛି ଯୁବକ ଶବର ସାହିର ଟୁନା ଦେହୁରୀ ଓ ତାଙ୍କ ଭାଇଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।
ଟୁନା ସାଙ୍ଗରେ ଯାଇଥିବା ଭାଇ ଓ ସାଙ୍ଗ ଜୀବନ ବିକଳରେ ଦୌଡ଼ିବା ବେଳେ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଘଟଣାକୁ କେନ୍ଦ୍ର କରି ଗତ କାଲି ରାତିରେ ଶବର ସାହିର ଶତାଧିକ ମହିଳା ପୁରୁଷ ଅରବିନ୍ଦ ନଗର ଯାଇ ଆକ୍ରମଣକାରୀଙ୍କୁ ଖୋଜିବା ବେଳେ ଦୁଇ ପୁରୁଷ ଆକ୍ରମଣକାରୀ ଖସି ପଳାଇଥିଲେ ।
ପ୍ରଥମେ ଆକ୍ରମଣ କରିଥିବା ମହିଳାଙ୍କୁ ଶବର ସାହିର ଲୋକମାନେ ଉଠାଇ ଆଣି ସମାଧାନ ପାଇଁ ସାହିରେ ଅଟକ ରଖିଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଥାନାର ପୋଲିସ ସମେତ ପିସିଆର କର୍ମୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଦୀର୍ଘ ଦୁଇଘଣ୍ଟା ଧରି ଅଟକ ଥିବା ମହିଳାଙ୍କୁ ପୋଲିସ ସାହି ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଏନେଇ ତଦନ୍ତ କରୁଛି ପୋଲିସ ।
ରାଗିଂ କାରଣରୁ ହାଇଦ୍ରାବାଦରେ ଜୀବନ ହାରିଲେ ଓଡିଆ ଆଇଆଇଟି ଛାତ୍ରୀ
ହାଇଦ୍ରାବାଦ: ତେଲାଙ୍ଗାନା ହାଇଦ୍ରାବାଦ ଆଇଆଇଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ଝିଅ ମମିତା ନାଏକଙ୍କ ମୃତଦେହ ହଷ୍ଟେଲର ବନ୍ଦ କୋଠରୀ ଭିତରୁ ଉଦ୍ଧାର ହୋଇଛି ।
ଏନେଇ ଆଇଆଇଟି କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ଖବର ପାଇ ପରିବାର ଲୋକ ସେଠାକୁ ଯାଇ ମୃତଦେହ ଆଣିବାର ବ୍ୟବସ୍ଥା କରୁଛନ୍ତି । ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରାଗିଂ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ଜୁଲାଇ ୨୬ ତାରିଖରେ ମମିତା ଏମଟେକ୍ ପ୍ରଥମ ବର୍ଷରେ ନାମ ଲେଖାଇ ହଷ୍ଟେଲକୁ ଯାଇଥିଲେ ।

