spot_img
Home Blog Page 3039

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା । ଶନିବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁସ । ତେବେ ଭୂକମ୍ପରେ ମୃତାହତ ନେଇ କୌଣସି ସୂଚନା ନାହିଁ । ଭୂକମ୍ପ ଭୟରେ ଲୋକ ଘରୁ ବାହାରକୁ ବାହାରିଆସିଥିଲେ । ଚାଇନାର ସାଙ୍ଗଡଙ୍ଗରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପରେ ୧୦ ଜଣ ଆହତ ହୋଇଛନ୍ତି ।

ଚନ୍ଦ୍ରର କକ୍ଷ ପଥରେ ଚନ୍ଦ୍ରଯାନ-୩, ଆଜି ଆହୁରି ହେବ ନିକଟବର୍ତ୍ତୀ

ନୂଆଦିଲ୍ଲୀ: ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବା ବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରୟାନ-୩ । ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବା ବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି ।

ଆଜି ଫ୍ରେଣ୍ଡସିପ୍ ଡେ’, ବନ୍ଧୁ ପାଇଁ ଦିନ ଟିଏ

ନୂଆଦିଲ୍ଲୀ: ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ବିଶେଷକରି ଭାରତ ଓ ବାଙ୍ଗଲାଦେଶ ସମେତ ଅନେକ ରାଷ୍ଟ୍ରରେ ପାଳନ ହୁଏ ବନ୍ଧୁତ୍ବ ଦିବସ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ ।

ଝାଡ଼ଖଣ୍ଡ ଗିରିଡ଼ିରେ ଭୟାବହ ବସ୍ ଦୁର୍ଘଟଣା, ୩ ଯାତ୍ରୀ ମୃତ

ରାଞ୍ଚି: ଝାଡ଼ଖଣ୍ଡ ଗିରିଡ଼ିରେ ଭୟାବହ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍ । ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୩ ଯାତ୍ରୀଙ୍କ ମୃତ୍ୟୁ ୧୫ ଯାତ୍ରୀ ଗୁରୁତର ଆହତ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସରକାରଙ୍କ ତରଫରୁ ଆହତ ଓ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଝାଡ଼ଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ।

୨୦ଟି ଗେଟରୁ ହୀରାକୁଦରେ ନିଷ୍କାସନ ହେଉଛି ବନ୍ୟାଜଳ, ରାଜ୍ୟର ସବୁ ନଦୀରେ ବିପଦସଙ୍କେତ ତଳେ ଜଳସ୍ତର

ସମ୍ବଲପୁର: ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ରାଜ୍ୟର ସବୁ ନଦୀରେ ଏବେ ବିପଦସଙ୍କେତ ତଳେ ଜଳ ପ୍ରବାହିତ ହେଉଛି । ବାମପଟୁ ୧୩ ଦକ୍ଷିଣ ପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୮୮ ହଜାର ୯୩୧ ଘନଫୁଟ ଜଳ ଓ ୩ ଲକ୍ଷ ୫୫ ହଜାର ୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଓ ମହାନଦୀ ନିମ୍ନ ଅବବାହିକାର ସ୍ଥିତିକୁ ହିସାବ କରି ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇଥିବାରୁ ସେତେଟା ବିପଦ ହୋଇନି । ଉପକୂଳରେ ଦୟାନଦୀ ଓ ରାଜୁଆ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗୁଛି । ବନ୍ୟାସ୍ଥିତି ନେଇ ବରିଷ୍ଠ ଅଧିକାରୀମାନେ ମନିଟରିଂ କରୁଛନ୍ତି ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କଣାସ ବ୍ଲକ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ, ଜଗତସିଂହପୁରର ଏରସମା ଓ ମାଛଗାଁ ପ୍ରଭାବିତ ହେବାର ଆଶଂକା ରହିଥିବାରୁ ପ୍ରଶାସନ ସଜାଗ ରହିଛି । ମହାନଦୀର ବନ୍ୟା ଜଳରେ କଟକ ଜିଲ୍ଲା ବାଙ୍କୀର କୁଶପଙ୍ଗି, ପାଥପୁର, ଓସ୍ତିଆ, ଭଗିପୁର, ବନ୍ଦାଳ, ଶିମିଳିପୁର, ବିଲିପଡ଼ା ପଞ୍ଚାୟତ ପାଣି ଘେରକୁ ଆସିଯାଇଛି । ବନ୍ୟା ଜଳ କମୁଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ପ୍ରଭାବିତ ହୋଇଛି । କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ସାଇଲୋ ପଞ୍ଚାୟତରେ ପାଣି ପଶିଛି । ସାଇଲୋ ପଞ୍ଚାୟତର ତେରମାଣପୁରରେ ଘାଇ ସୃଷ୍ଟି ହେବା ସହ ଜିଲ୍ଲାନାସୀ ପଞ୍ଚାୟତର ନେନ୍ତୁଳିଆଖମାର ପଞ୍ଚାୟତ ସ୍କୁଲ ନିକଟରେ ସୃଷ୍ଟି ହୋଇଛି ଦୁଇଟି ଘାଇ। ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଇ ଗୁଡିକର ତ୍ବରିତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୬୧ ଗୋଟି ପଞ୍ଚାୟତର ଏକ ଲକ୍ଷ ୮୧ ହଜାର ୬୬୭ ଲୋକ ପ୍ରଭାବିତ ହୋଇଛନ୍ତି ।

ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ । ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ କରାଇଦେବାକୁ କହି ଅଧ୍ୟାପକ ତପନ କୁମାର ପୃଷ୍ଟି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କାଇପଦର ଠାରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା କରନ୍ତି ତପନ କୁମାର ପୃଷ୍ଟି । ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ମାଗିଥିଲେ ତପନ । ଏନେଇ ସଦର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନକଲି ସାର୍ଟିଫିକେଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

‘ମୋ ଘର’ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା “ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ସହାୟତା ପ୍ରଦାନ ସଂପର୍କରେ ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତା​‌ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟରେ କାର୍ଯ୍ୟକ୍ଷମ ୩୯ଟି ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷମାନେ ଯୋଗ ଦେଇଥିଲେ ।

ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ଗରିବ ତଥା  ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଋଣସହାୟତା ପ୍ରଦାନ ଜରିଆରେ ପକ୍କା ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ “ମୋ ଘର”  ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ରାଜ୍ୟ ସରକାର ତରଫରୁ ହିତାଧିକାରୀଙ୍କୁ ଗୃହଋଣ ବାବଦରେ ସବସିଡି ପ୍ରଦାନର ବ୍ୟବସ୍ଥା ରହିଛି ।ବ୍ୟାଙ୍କ ତରଫରୁ ହିତାଧିକାରୀମାନଙ୍କୁ ଋଣ ପ୍ରଦାନରେ ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଅସୁବିଧାର ସମୁଖୀନ ହେବାକୁ ପଡିପାରେ, କିନ୍ତୁ ଗୃହନିର୍ମାଣ କରିବାକୁ ଇଛୁକ ଯୋଗ୍ୟ ଆବେଦନକାରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଆତ୍ମନିରୀକ୍ଷଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତାକରିବାକୁ ମୁଖ୍ୟଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

 ବୈଠକରୁ ଜଣାଯାଇଛି ଯେ ଶୁକ୍ରବାର ସୁଦ୍ଧା ବିଭିନ୍ନ ବିଭିନ୍ନ ପଂଚାୟତ ସମିତି ସ୍ତରରେ ୨ଲକ୍ଷ ୭୬ ହଜାର୨୫୦ଟି ଆବେଦନ ଗ୍ରହଣ କରାଯାଇଛି । ଦରଖାସ୍ତ ଗ୍ରହଣ ପରେ ଋଣ ମଞ୍ଜୁର ପାଇଁ ପ୍ରାଥମିକ ଆବଶ୍ୟକତା ରହିଥିବା ବ୍ୟାଙ୍କମାନଙ୍କ ଦ୍ୱାରା ସେ ସବୁର ଯାଂଚ, କ୍ଷେତ୍ର ପରିଦର୍ଶନ ଓ ଆଇନ୍‌ ପରାମର୍ଶଦାତାଙ୍କ ଠାରୁ ମତ ସଂଗ୍ରହ କରିବା ପ୍ରକ୍ରିୟାର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ବ୍ୟାଙ୍କମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।

ବ୍ୟାଙ୍କମାନେ ଆବଶ୍ୟକ କଲେ ଆବେଦନକାରୀଙ୍କ ଦରଖାସ୍ତକୁ ଯାଞ୍ଚ ଓ ପ୍ରୋସେସିଂ କାର୍ଯ୍ୟରେ ସହାୟତା ପାଇଁ ସଂପୃକ୍ତ ବ୍ଲକ କର୍ତ୍ତୃପକ୍ଷମାନେ ସହାୟତା ପ୍ରଦାନ କରିବେ। ଯେଉଁ ବ୍ୟାଙ୍କ ମୁଖ୍ୟମାନେ ଅଦ୍ୟାବଧି ସେମାନଙ୍କ ଅଧିନସ୍ଥ ଶାଖା ବ୍ୟାଙ୍କକୁ “ମୋ ଘର” ଗାଇଡଲାଇନ୍‌ ପ୍ରେରଣ କରି ନାହାଁନ୍ତି, ସେମାନେ ଯଥାଶୀଘ୍ର ତାହା ପ୍ରେରଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ବ୍ରାଞ୍ଚ ମ୍ୟାନେଜର ମାନେ  ଆବଶ୍ୟକ ଥିବା ବ୍ୟାଙ୍କ ସଂପର୍କିତ ଆଇଟି ପ୍ଲାଟଫର୍ମରେ ଆରଏଚ୍ (ରୁରାଲ ହାଉସିଂ) ପୋର୍ଟାଲକୁ ଅପଡେଟ୍ (ଅନ୍ୟତନ) କରିବାକୁ କୁହାଯାଇଛି,  ଯାହାକି ସେମାନଙ୍କ ପାଇଁ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜାଣିବାକୁ ସୁବିଧା ହେବ।

ବିଭିନ୍ନ ବ୍ୟାଙ୍କକୁ ସେମାନଙ୍କ ଦ୍ୱାରା ଗୃହ ଋଣ ମଂଜୁର ହେବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ୧୫ ଦିନ ମଧ୍ୟରେ  ‘ମୋ ଘର’  ଯୋଜନା ସଂପର୍କିତ ପ୍ରଡକ୍ଟ କୋଡ୍ ସମସ୍ତ ଶାଖାକୁ ପ୍ରେରଣ କରିବାକୁ ମୁଖ୍ୟ ଶାସନ ସଚିବ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ଶାଖା ମାନଙ୍କରେ ରହିଥିବା ବିଭିନ୍ନ ଅନୁସନ୍ଧାନକୁ ଦୂର କରିବା ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀ (ଫିଲ୍ଡ ଅଫିସର) ମାନେ ଏ ଦିଗରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଭେଟି କୃତଜ୍ଞତା ଜଣାଇଲେ ଅଣସଂଗଠିତ ଶ୍ରମିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଣସଂଗଠିତ ଶ୍ରମିକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ କୃତଜ୍ଞତା । ଡେଲିଭରି ବୟ, କଳାକାର, ଶିଳ୍ପୀ, ବୁଲାବିକାଳି,ସେଲୁନ ସ୍ପା କର୍ମଚାରୀ,ପଥର କରୀଗର, ବୁଲା ମାଛବିକାଳି, କମାର, କୁମ୍ଭାର, ଲୋକକଳା କଳାକାରଙ୍କ ଭଳି ପାଖାପାଖି ୫୦ ଟି ବର୍ଗର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି । ଗତ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୫୦ ଟି ବର୍ଗର ଅଣସଂଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ନେଇ ଘୋଷଣା କରିବା ସହ ସହାୟତା ରାଶି ବୃଦ୍ଧି କରିଥିଲେ ।

ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଥିଲେ । ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୭ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ । ତେଣୁ ମୁଖ୍ୟମନ୍ତ୍ରୀ ଙ୍କ ନିସ୍ପତି ଭାରତ ବର୍ଷରେ ବିରଳ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।

ବାରର ଏକ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବାରର ଏକ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବରର କଟକ ରୋଡ ଲକ୍ଷ୍ମୀସାଗରରେ ଥିବା ଦୀପାଲି ବାରର 205 ନମ୍ବର ରୁମରେ ରହିଛି ଯୁବତୀଙ୍କ ମୃତ ଦେହ । ମୃତକ ହେଲେ ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କାଲି ପରିବାର ଲୋକ ଆସିଲେ ମୃତ ଦେହ ଉଦ୍ଧାର କରାଯିବ । ଗତକାଲି ସକାଳ ୩ଟା ୨୦ରେ ଗେଷ୍ଟ ହିସାବରେ ରେଜିଷ୍ଟରରେ ଏଣ୍ଟ୍ରି କରିଥିଲେ ଶୁଭଲକ୍ଷ୍ମୀ । ଆଜି ମୃତ ଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ବାର କର୍ତ୍ତୃପକ୍ଷ ।

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖେ ୧୬୬କିମିX୧୮୦୫୪ କିଲୋମିଟରର ଅଣ୍ଡାକାର କକ୍ଷପଥରେ ଘୂରିବ । ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର କକ୍ଷପଥକୁ ଧରିବା ପାଇଁ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଥ୍ରଷ୍ଟର୍ସ ଅନ୍ ରଖିଥିଲା । ଏଥିସହିତ ଚନ୍ଦ୍ରଯାନ ଚନ୍ଦ୍ରର ଗ୍ରାଭିଟିରେ ଫସିଯାଇଥିଲା । ଏବେ ତାହା ଚନ୍ଦ୍ରର ଚାରିପାଖେ ଘୂରିବ । ଏହାକୁ ଲୁନାର ଅର୍ବିଟ ଇଞ୍ଜେକ୍ସନ ବା ଇନସର୍ସନ ମଧ୍ୟ କୁହାଯାଇଥାଏ । ଚନ୍ଦ୍ରର ଚାରିପାଖେ ପାଞ୍ଚଟି କକ୍ଷପଥ ପରିବର୍ତ୍ତନ ହେବ । ଆଜି ପରେ ୬ ଅଗଷ୍ଟ ରାତି ୧୧ଟା ଆଖପାଖରେ ଚନ୍ଦ୍ରଯାନର ଅର୍ବିଟକୁ ୧୦ରୁ ୧୨ ହଜାର କିଲୋମିଟରର କକ୍ଷପଥରେ ରଖାଯିବ ।

୯ ଅଗଷ୍ଟ ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ ସମୟରେ ଏହାର ଅର୍ବିଟକୁ ବଦଳାଯାଇ ୪ରୁ ୫ ହଜାର କିମିର କକ୍ଷପଥରେ ପ୍ରବେଶ କରାଯିବ । ୧୪ ଅଗଷ୍ଟ ଅପରାହ୍ନରେ ଏହାକୁ ହ୍ରାସ କରାଯାଇ ୧୦୦୦ କିମି କରାଯିବ । ପଞ୍ଚମ ଅର୍ବିଟ ମ୍ୟାନ୍ୟୁୱରରେ ଏହାକୁ ୧୦୦ କିମି କକ୍ଷରେ ପ୍ରବେଶ କରାଯିବ । ୧୭ ଅଗଷ୍ଟରେ ପ୍ରୋପଲ୍ସନ ମଡ୍ୟୁଲ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । ୧୮ ଏବଂ ୨୦ ଅଗଷ୍ଟରେ ଡିଅର୍ବିଟିଙ୍ଗ ହେବ । ଅର୍ଥାତ ଚନ୍ଦ୍ରର କକ୍ଷପଥର ଦୂରତା ହ୍ରାସ ପାଇବ । ଏହାପରେ ୨୩ ସନ୍ଧ୍ୟା ୫ଟା ବାଜି ୪୭ ମିନିଟରେ ଚନ୍ଦ୍ରଯାନର ଲ୍ୟାଣ୍ଡିଂ କରାଯିବ ।

କିନ୍ତୁ ଏବେ ୧୮ ଦିନର ଯାତ୍ରା ବାକି ଅଛି । ଚନ୍ଦ୍ରର ଅର୍ବିଟକୁ ଧରିବା ପାଇଁ ଚନ୍ଦ୍ରଯାନର ବେଗକୁ ପ୍ରାୟ ୩୬୦୦ କିମି ପ୍ରତିଘଣ୍ଟାକୁ ବୃଦ୍ଧି କରାଯାଇଥିଲା । କାରଣ ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀ ତୁଳନାରେ ୬ଗୁଣା କମ୍ ଅଟେ । ଯଦି ଅଧିକ ଗତି ରୁହେ ତେବେ ଚନ୍ଦ୍ରଯାନ ଏହାକୁ ଅତିକ୍ରମ କରିଥାନ୍ତା । ଏଥିପାଇଁ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରଯାନର ବେଗକୁ କମ୍ କରି ୨ ବା ୧ କିମି ପ୍ରତି ସେକେଣ୍ଡ ହ୍ରାସ କରିଛନ୍ତି । ଏହି ଗତି କାରଣରୁ ତାହା ଚନ୍ଦ୍ରର କକ୍ଷପଥକୁ ଧରିବାରେ ସକ୍ଷମ ହୋଇଥିଲା । ଏବେ ଧୀରେ ଧୀରେ ଚନ୍ଦ୍ରର ଚାରିପାଖେ ତାର ଅର୍ବିଟର ଦୂରତାକୁ କମ୍ କରାଯାଇ ଦକ୍ଷିଣ ଧ୍ରୁବ ଆଖପାଖରେ ଲ୍ୟାଣ୍ଡ କରାଯିବ ।