ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ସମୟରେ ଅଘଟଣ । ଦୁଇ ମହଲା କୋଠାର ବାଲକୋନି ଭୁଶୁଡ଼ି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି । ସେହିପରି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ବାଲକୋନୀରେ ରଥଯାତ୍ରା ଦେଖିବା ପାଇଁ କ୍ଷମତାଠୁ ଅଧିକ ଲୋକ ଛିଡା ହୋଇଥିଲେ । ଏହି ଘଟଣା ଦରିୟାପୁର ଅଞ୍ଚଳରେ ଘଟିଛି । ଅବଶ୍ୟ ବାଲକୋନୀରୁ ପଡ଼ିଥିବା ଲୋକମାନଙ୍କୁ କମ୍ ଆଘାତ ଆସିଛି । ହେଲେ ତଳେ ରଥ ଟଣା ଦେଖୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଏହି ଅଘଟଣ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୧୦ ଜଣ ସାମିଲ ଅଛନ୍ତି ।
ଢେଙ୍କାନାଳ ରଥଯାତ୍ରାରେ ଅଘଟଣ, ଜଣେ ମୃତ
ଢେଙ୍କାନାଳ: ଢେଙ୍କାନାଳ ରଥଯାତ୍ରାରେ ଅଘଟଣ । ରଥଟଣା ଆରମ୍ଭରୁ ତଳେ ପଡି ଜଣେ ମୃତ । ମୃତକ ସ୍ଥାନୀୟ ଶାସନ ଅଞ୍ଚଳ ନିରୋଦ କୁମାର ରଥ । ରଥଟଣା ଆରମ୍ଭ ହେବାବେଳେ ନିରୋଦ ରଥ ଦଉଡି଼ରେ ଛନ୍ଦି ହୋଇ ତଳେ ପଡି ଯାଇଥିଲେ । ଫଳରେ କିଛି ଲୋକ ତାଙ୍କ ଉପରେ ଚଢି ଯାଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ସରିଲା ତିନି ରଥରେ ଛେରାପହଁରା, ଆଉ କିଛି ସମୟରେ ଆରମ୍ଭ ହେବ ରଥଟଣା
ପୁରୀ: ଆଜି ମହାପ୍ରଭୁଙ୍କ ରଥଯାତ୍ରା । ରତ୍ନବେଦୀ ଛାଡ଼ି ମାଉସୀ ମା’ ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତୀ । ପହଣ୍ଡି ହୋଇ ଆସି ରଥାରୁଢ଼ ହେବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଛି । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।ଏହାପରେ ଆରମ୍ଭ ହେବ ରଥଟଣା । ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ।
ରଶ୍ମିକା ମନ୍ଦାନଙ୍କ ସହ ଠକେଇ, ମ୍ୟାନେଜର ଲଗାଇଲେ ୮୦ ଲକ୍ଷ ଟଙ୍କାର ଚୂନ
ମୁମ୍ବାଇ: ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନଙ୍କ ସହ ଠକେଇ । ରଶ୍ମିକାକୁ ଧୋକ୍କା ଦେଲା ମ୍ୟାନେଜର। ମ୍ୟାନେଜର ଲଗାଇଲେ ୮୦ ଲକ୍ଷ ଟଙ୍କାର ଚୂନ । ଧରାପଡ଼ିବା ପରେ ଚାକିରୀରୁ ବିଦା ହେଲା ମ୍ୟାନେଜର । ସାଉଥ୍ ଆକ୍ଟ୍ରେସ ରଶ୍ମିକା ମନ୍ଦାନଙ୍କୁ ବଡ଼ ଝଟକା । ରଶ୍ମିକାଙ୍କ ସହ ୮୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ତାଙ୍କ ମ୍ୟାନେଜର ଏଭଳି କରିଥିବା ଜଣାପଡିଛି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରି ଆସୁଥିଲେ ମ୍ୟାନଜେର । ଧିରେ ଧିରେ କରି ଟଙ୍କା ୮୦ ଲକ୍ଷ ଟଙ୍କାର ଜାଲିଆତି କରିଛନ୍ତି ମ୍ୟାନେଜର । ରଶ୍ମିକା ଏକଥା ଜିଣିବା ପରେ ମ୍ୟାନେଜରକୁ ଚାକିରୀରୁ ବିଦା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରଶ୍ମିକାଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।
ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମ୍ୟାନେଜର ଦୀର୍ଘ ଦିନ ଧରି ରଶ୍ମିକାଙ୍କ ସହ କାମ କରିଆସୁଥିଲେ । ମଉକା ଦେଖି ଟଙ୍କା ଜାଲିଆତି କରୁଥିଲେ । ରଶ୍ମିକା ଏହି ବିଷୟ କୌଣସି ସୁରକ ପାଇନଥିଲେ । ଯେତେବେଳେ ତାଙ୍କର ସନ୍ଦେହ ହୋଇଥିଲା ସେତେବେଳକୁ ୮୦ ଲକ୍ଷ ଟଙ୍କାର ଚୂନ ମାରିସାରିଥିଲା ମ୍ୟାନେଜର । ଏହି ସମସ୍ତ ଘଟଣାକୁ ରଶ୍ମିକା ସାମ୍ନାକୁ ଆଣିବାକୁ ଚାହୁଁନାହାନ୍ତି । ଏନେଇ ସେ କୌଣସି ଚର୍ଚ୍ଚା କରିବାକୁ ମଧ୍ଯ ଚାହୁଁ ନାହାନ୍ତି । ଏସବୁରୁ ସେ ଦୂରେଇ ରହିବାକୁ ଚାହାନ୍ତି । ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ମ୍ୟାନେଜରକୁ କାମରୁ ବାହାର କରିଦେଇଛନ୍ତି ।
ତେବେ ଆପଣଙ୍କୁ କହି ରଖିବୁ କି, ରଶ୍ମିକାଙ୍କ ଆଗାମୀ ଫିଲ୍ମ ଖୁବ ଶୀଘ୍ର ଆସିବାକୁ ଯାଉଛି । ଏବେ ତାଙ୍କୁ ରଣବୀର କାପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିବ । ନିକଟରେ ମେକର୍ସମାନେ ଫିଲ୍ମର ପ୍ରି-ଟିଜର ରିଲିଜ କରିଛନ୍ତି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଚଳଚ୍ଚିତ୍ର ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ ।
ପୁରୀରେ ଅସହ୍ୟ ଗରମ ଓ ଗୁଳୁଗୁଳି, ଦିନ ସାଢ଼େ ୧୧ଟା ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ
ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ପବିତ୍ର ରଥଯାତ୍ରାରେ ପୁରୀରେ ଦେଖିବାକୁ ମିଳିଛି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି । ଦିନ ୧୧ଟା୩୦ ସୁଦ୍ଧା ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବର୍ତ୍ତମାନ ପୁରୀରେ ଆର୍ଦ୍ରତା ୬୯ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଓ ଉଚ୍ଚ ଆର୍ଦ୍ରତା ହେତୁ ଗୁଳୁଗୁଳି ରହିଥିବାରୁ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରାଯାଇଛି ।
ରଥଯାତ୍ରାରେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା
ଭୁବନେଶ୍ୱର: ରଥଯାତ୍ରାରେ ଠାକୁରଙ୍କୁ କଳା କନା ବୁଲାଇଲେ ଲୁଟେରା । ପୋଲିସର କଡ଼ା ପହରାକୁ ଲୁଟେରାଙ୍କ ବେଖାତିର । ନିକୋ ପାର୍କ ନିକଟରେ ଥିବା ମନ୍ଦିରରୁ ଭୋର ସମୟରେ ହୋଇଛି ଲୁଟ୍ । ମଧୁସୂଦନ ନଗର ସୁନାଦେଇ ମନ୍ଦିରରୁ ନେଇଗଲେ ଅଳଙ୍କାର । ପ୍ରାଙ୍ଗଣରେ ଥିବା ରାମ ଓ ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ । ରୂପା ମୁକୁଟ, ସୁନା ଅଳଙ୍କାର, ନଗଦ ଟଙ୍କା, ଘଣ୍ଟ ଘଣ୍ଟା ଲୁଟ୍ । ଲୁଟ ସାମଗ୍ରୀ ମଧ୍ୟରେ ମା’ ଙ୍କ ମନ୍ଦିରରେ ଥିବା ୧୨ ଟି ସୁନା ଆଖି ମଧ୍ୟ ରହିଛି । ଗ୍ୟାସ କଟରରେ କାଟି ଲୁଟେରା ଲୁଟ୍ କରିଥିବା ସ୍ପଷ୍ଟ । ଲୁଟର ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସହିଦନଗର ଥାନା ପକ୍ଷରୁ ଜାରି ରହିଛି ତଦନ୍ତ । ମନ୍ଦିର କମିଟି ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ।

