spot_img
Home Blog Page 3064

ତିନୋଟି ବିଭାଗର ୨୬୯ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦେବେ ନବୀନ

ଭୁବନେଶ୍ବର: ଆଜି ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ନିଯୁକ୍ତି ପର୍ବ ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ମନୋନୀତ ୨୬୯ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ।

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୧୬୦ ଜଣ ପ୍ରଧାନଶିକ୍ଷକ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ୯୦ ଜଣ ବ୍ଲକ୍ ସାମଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗରେ ୧୯ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି ।

ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଦିଗଦର୍ଶନ ଦେବେ । ରାଜ୍ୟରେ ଦିନକୁ ଦିନ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ବେଳେ ଯୁବକ ଯୁବତୀମାନେ ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି ।

ତାତି କମିଥିଲେ ବି ସାଢେ ୧୧ ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିଛି । କିଛି ସ୍ଥାନରେ ବର୍ଷା ପରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ କୋହଲା ପାଗ ହୋଇଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ରହିଛି ।

ତାତି କମିଥିଲେ ବି ଝାରସୁଗୁଡାରେ ତାପମାତ୍ରା ୩୮.୮ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁରରେ ୩୭.୬, ହୀରାକୁଦରେ ୩୭.୪, ଚାନ୍ଦବାଲି ୩୬, ପୁରୀ ୩୩.୮, ପାରାଦୀପ ୩୩.୨, ଭୁବନେଶ୍ୱର ୩୩.୨, କେନ୍ଦୁଝର ୩୧, ବାଲେଶ୍ୱର ୩୦ ଓ ଗୋପାଳପୁରର ତାପମାତ୍ରା ୨୮.୬ ଡିଗ୍ରୀ ରହିଛି ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ଥିବା ବେଳେ ଏହାରି ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଉଛି ।

ଶତାୟୁ ବୃଦ୍ଧାଙ୍କୁ ଦିଅଁ ଦର୍ଶନ କରାଇଲେ ପୋଲିସ କର୍ମଚାରୀ

ପୁରୀ: ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ବେଳେ ପୁରୀରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଶତାୟୁ ବୃଦ୍ଧାଙ୍କୁ ହାତରେ ଟେକି ଟେକି ନେଇ ଦିଅଁ ଦର୍ଶନ କରାଇଥିଲେ ଜଣେ ପୋଲିସ କର୍ମଚାରୀ । ବୃଦ୍ଧା ଜଣକ ଚାଲି ପାରୁନଥିଲେ । ତେଣୁ ଶ୍ରୀମନ୍ଦିର ଭିତରକୁ ବୃଦ୍ଧାଙ୍କୁ ହାତରେ ଟେକି ଟେକି ନେଇ ଦିଅଁ ଦର୍ଶନ କରାଇଥିଲେ ପୋଲିସ କର୍ମଚାରୀ । ପ୍ରବଳ ଭିଡ଼ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ ବୃଦ୍ଧା ।

ଦର୍ଶନ କରି ଆତ୍ମାଶାନ୍ତି ହୋଇଛି ବୋଲି ସେ କହିଛନ୍ତି । ଜଗତ କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପୁଅ ଭଳି ପୋଲିସ କର୍ମଚାରୀ ଜଣକ ତାଙ୍କୁ ସାହାଯ୍ୟ କରିଥିବାରୁ କଲ୍ୟାଣ ଅଜାଡ଼ି ଦେଇଥିଲେ ବୃଦ୍ଧା । ପୋଲିସ କର୍ମଚାରୀଙ୍କ ଏଭଳି ସେବା ମନୋବୃତ୍ତିକୁ ସବୁ ଆଡୁ ପ୍ରଶଂସା କରାଯାଉଛି ।

ଠିପି ଖୋଲା ବିଦେଶୀ ମଦ ଦୋକାନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ

ଭୁବନେଶ୍ବର: ଠିପି ଖୋଲା ବିଦେଶୀ ମଦ ଦୋକାନରେ ଅଗ୍ନିକାଣ୍ଡ । ସହିଦନଗର ଭବାନୀ ମଲ ନିକଟରେ ଥିବା ମଦ ଦୋକାନରେ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମଦ ଦୋକାନ ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଛି । ବିଲ୍ଡିଂ ପଛ ପଟେ ଥିବା ଓଡିଶା ବିଲ୍ଡିଂକୁ ନିଆଁ ବ୍ୟାପିଛି ।

ଦୁଇଟି ଅଗ୍ନିଶମ ବାହିନୀ କର୍ମକର୍ତ୍ତା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ, ୧୧ଟା ପରେ କେବଳ ବେଢା ପରିକ୍ରମାକୁ ଅନୁମତି

ପୁରୀ: ସରିଲା ପବିତ୍ର ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିବାରୁ ଆଜି ସକାଳ ୮ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ ହୋଇଥିଲା । ପରେ ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହୋଇଥିଲା । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତ ଯିବାକୁ ନିଷ୍ପତି ହୋଇଥିଲା ।

ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ । ଏବେ ଦର୍ଶନ ବନ୍ଦ ରହିଛି । ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । 11ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ । ଭକ୍ତ କେବଳ ବେଢା ପରିକ୍ରମା ସହ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ ।

ରାଜଧାନୀରେ ଘର ଆଗରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଚେନ୍‌ ବ୍ରେସଲେଟ୍‌

ଭୁବନେଶ୍ବର: ରାଜଧାନୀରେ କାଳବୈଶାଖୀ ରାତିରେ ଲୁଟେରାଙ୍କ ଆତଙ୍କ । ଘର ଆଗରୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ ଓ ବ୍ରେସଲେଟ୍ । ବାଇକରେ ୩ ଜଣ ଲୁଟେରା ମୁହଁରେ ରୁମାଲ ବାନ୍ଧି ଆସି ଲୁଟ କରିଛନ୍ତି । ବିରୋଧ କରିବାରୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ଲୁଟେରା । ଲୁଟର ଶୀକାର ହୋଇଛନ୍ତି ଅଶୋକ ସ୍ବାଇଁ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ।

ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁଣି ଧର୍ମଗଡରେ ଦନ୍ତା ଆତଙ୍କ, ଆଜି ଜଣଙ୍କୁ ଆକ୍ରମଣ କରି ନେଲା ଜୀବନ

ଭବାନୀପାଟଣା: ଧର୍ମଗଡରେ ଦନ୍ତା ଉତ୍ପାତ । ପୁଣି ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଧର୍ମଗଡ ଗଡିଆଜୋର୍ ଗାଁର ହୋଇଥିବା ସୂଚନା । ଦୁଇ ଦିନ ମଧ୍ୟରେ ହାତୀ ଆକ୍ରମଣରେ ଗଲାଣି ଦୁଇ ଦୁଇଟି ଜୀବନ । ସେପଟେ ହାତୀକୁ କାବୁ କରିବାରେ ବିଫଳ ହୋଇଛି ବନବିଭାଗ । ଫଳରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

 

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ପହଞ୍ଚିଲେ ମହିମା ସାଧୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଯୋରନ୍ଦାବାସୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ । ମହିମା ପୀଠର ବିକାଶ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମହିମା ଗାଦିର ସାଧୁମାନଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଖୁସି ପ୍ରକାଶ କରିଛନ୍ତି ।

ମହିମା ଗାଦିର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପୂର୍ବରୁ 5T ସଚିବ ଭି.କେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନ କରିଥିଲେ । 5T ସଚିବଙ୍କ ପରାମର୍ଶକ୍ରମେ ଢେଙ୍କାନାଳ ଜିଲ୍ଲାପାଳ ପ୍ରକଳ୍ପ ପ୍ରସ୍ତାବ ପଠାଇଥିଲେ । ଏହାପରେ ମହିମା ଗାଦିର ନକଳେବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଖୁବଶୀଘ୍ର କାମ ଆରମ୍ଭ ହୋଇ ଆସନ୍ତା ବର୍ଷ ମାଘ ପୂର୍ଣ୍ଣିମା ପୂର୍ବରୁ ଶେଷ ହେବ ।

ଆସାମରେ ବିପଦ ସଙ୍କେତ ଉପରେ ବ୍ରହ୍ମପୁତ୍ର, ରାଜସ୍ଥାନରେ ୨୦୦ ମିମି ବର୍ଷା ରେକର୍ଡ

ଗୌହାଟୀ/ଜୟପୁର: ଆସାମରେ ବନ୍ୟା ସ୍ଥିତି ସାଂଘାତିକ । ବିପଦ ସଙ୍କେତ ଉପରେ ବ୍ରହ୍ମପୁତ୍ର । ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି । ଲଗାଣ ବର୍ଷା ଯୋଗୁ ବଢୁଛି ଜଳସ୍ତର । ରାଜ୍ୟର ୧୦ ଜିଲ୍ଲାର ୩୭ ହଜାରରୁ ଅଧିକ ଲୋକ ଜଳବନ୍ଦୀ । ଗୌହାଟୀରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରାରାଜ୍ୟରେ ନଦୀ ବନ୍ଧ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବର୍ଷା, ବନ୍ୟା ଯୋଗୁ ସାରାରାଜ୍ୟରେ ଅନେକ ସଡ଼କ, ସ୍କୁଲ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ବନ୍ୟାପାଣିରେ ବୁଡ଼ି ରହିଛି ।

ସେପଟେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟାସ୍ଥିତି ଉପୁଜିଛି । ଜଲୋର, ସିରୋହି ଓ ବାଡମେରର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ୪ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ଶହ ମିମି ବର୍ଷା ରେକର୍ଡ ହୋଇଛି । ହଜାରେରୁ ଅଧିକ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏନଡିଆରଏଫ ଓ ଏସଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁ ଅଜମେରସ୍ଥିତ ଜଓ୍ବାହରଲାଲ ନେହରୁ ହସ୍ପିଟାଲରେ ପାଣି ପଶିଯାଇଛି । ରୋଗୀମାନେ ହନ୍ତସନ୍ତ ହେଉଥିବା ବେଳେ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ବି ବିଭନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ନେପାଳରେ ମୌସୁମୀଜନିତ ବର୍ଷା ପରେ ବନ୍ୟା ସ୍ଥିତି, ଭାସିଗଲେ ୫

କାଠମାଣ୍ଡୁ: ନେପାଳରେ ପ୍ରକୃତିର ତାଣ୍ଡବ । ମୌସୁମୀଜନିତ ବର୍ଷା ପରେ ବନ୍ୟା ସ୍ଥିତି । ପୂର୍ବ ନେପାଳର ୫ ଜିଲ୍ଲାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ଏବେ ବି ନିଖୋଜ ଅଛନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁ ସ୍ଥିତି ଅତି ସାଂଘାତିକ ହୋଇଛି ।

 

କୋଶି ପ୍ରାନ୍ତର ତାପ୍ଲୋଜଙ୍ଗ, ପଞ୍ଚଥର, ସଂଖୁବାସଭା, ତେହରଥୁମ ଜିଲ୍ଲା ଅତିମାତ୍ରାରେ ପ୍ରଭାବିତ ହୋଇଛି । ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।