କଟକ: କଟକରେ ବଡ଼ ଧରଣର ସାଇବର ଠକେଇ । ଜଣେ ସରକାରୀ ଅବସରପ୍ରାପ୍ତ ଅଧିକାରୀଙ୍କଠାରୁ ଠକିନେଲେ ୨୦ ଲକ୍ଷରୁ ଅଧିକ ଟଙ୍କା । ଜଣେ ବିଦେଶୀ ଯୁବତୀ ସରକାରୀ ଅବସରପ୍ରାପ୍ତ ଅଧିକାରୀଙ୍କଠାରୁ ୨୦ ଲକ୍ଷ ୬୧ ହଜାର ଠକିଛନ୍ତି । ଠକାମିର ଶିକାର ହେବା ପରେ ସରକାରୀ ଅଧିକାରୀ ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅଧିକ ତଦନ୍ତ ଜାରି ରଖିଛି ସାଇବର ପୋଲିସ ।
ସାଉଥ-ଓ୍ବେଷ୍ଟ ଦିଲ୍ଲୀ ଆର.କେ ପୁରମରେ ଡବଲ ମର୍ଡର, ଘରେ ପଶି ଦୁଇ ଭଉଣୀଙ୍କୁ ଗୁଳିମାଡ଼
ନୂଆଦିଲ୍ଲୀ: ଅସୁରକ୍ଷିତ ରାଷ୍ଟ୍ରୀୟ ରାଜଧାନୀ । ଏକାଧିକ ଲୋମହର୍ଷକ ହତ୍ୟାକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ରାଜଧାନୀ ଛାତି ଉପରେ ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟଇ କରିଛି । ସାଉଥ-ଓ୍ବେଷ୍ଟ ଦିଲ୍ଲୀରେ ଘରେ ପଶି ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନେଣଦେଣ ବିବାଦରୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି । ମୃତ ଦୁଇ ମହିଳାଙ୍କ ଭାଇଙ୍କ କହିବା ମୁତାବକ, କିଛି ଯୁବକ ତାଙ୍କୁ ଟଙ୍କା ମାଗିବାକୁ ଆସିଥିଲେ । ଯୁକ୍ତିତର୍କ ପରେ ସେମାନେ ଚାଲିଯାଇଥିଲେ । ହେଲେ କିଛି ସମୟ ପରେ ସେମାନେ ପୁଣି ଆସି ଗୁଳିମାଡ଼ କରିଥିଲେ । ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ପେଟରେ ଗୁଳି ବାଜିଛି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।
ସେପଟେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉପ-ରାଜ୍ୟପାଳଙ୍କୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେନ୍ଦ୍ର ସରକାରଙ୍କ ଅଧୀନରେ ଦିଲ୍ଲୀର ଆଇନଶୃଙ୍ଖଳା ଦାୟିତ୍ବ ରହିଥିବା ବେଳେ ସେମାନେ ସରକାର କବଜା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । LGଙ୍କ ବଦଳରେ ଦିଲ୍ଲୀ ସରକାରଙ୍କ ଅଧୀନରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଥିଲେ ଦିଲ୍ଲୀ ସବୁଠୁ ସୁରକ୍ଷିତ ସ୍ଥାନ ହୋଇଥାନ୍ତା ବୋଲି ଟୁଇଟ କରିଛନ୍ତି କେଜ୍ରିଓ୍ବାଲ ।
NDRF ତୃତୀୟ ବାଟାଲିୟନରେ ମାଙ୍କଡ଼ର ଉତ୍ପାତ, ୫ ଯବାନ ଆହତ
କଟକ: କଟକ ମୁଣ୍ଡଳୀ ଏନଡିଆରଏଫ୍ ତୃତୀୟ ବାଟାଲିଅନରେ ପାଗଳ ହନୁ ମାଙ୍କଡ଼ର ଉତ୍ପାତ । ୨ ଦିନ ହେବ ପାଗଳ ମାଙ୍କଡ଼ ଉତ୍ପାତ ମଚାଇଛି । ପାଗଳ ମାଙ୍କଡ ଆକ୍ରମଣରେ ୫ରୁ ଅଧିକ ଏନଡିଆରଏଫ୍ ଯବାନ ଆହତ । ସେମାନଙ୍କ ଚିକିତ୍ସା ଜାରି ରହିଛି । ଖବର ପାଇ ଡମପଡ଼ା ବନାଞ୍ଚଳ ଅଧିକାରୀ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ଯନ୍ତା ବସାଇଥିଲେ ବି ମାଙ୍କଡଟିକୁ ଧରିବାରେ ସଫଳ ହୋଇନାହିଁନ୍ତି । ଯଦି ମାଙ୍କଡଟି ଜନ୍ତାରେ ନପଡ଼େ ତେବେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ଡମପଡା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ମାଙ୍କଡଟିକୁ ତୁରନ୍ତ ଧରାନଗଲେ ଆହୁରି ଯବାନ ଆହତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ଗୁଜରାଟ ପରେ ରାଜସ୍ଥାନରେ ତାଣ୍ଡବ ରଚୁଛି ବାତ୍ୟା
ଜୟପୁର: ଗୁଜରାଟ ପରେ ରାଜସ୍ଥାନରେ ତାଣ୍ଡବ ରଚୁଛି ବାତ୍ୟା । ବିପର୍ଯ୍ୟୟ ପ୍ରଭାବରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ବାଡମେର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ରାଜସ୍ଥାନର ମରୁଭୂମିରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଆଜି ବି ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ପକ୍ଷରୁ ବାଡମେର, ଜାଲୋର, ସିରୋହି ଜିଲ୍ଲା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି । ସେହିପରି ଉଦୟପୁର,ଜୟପୁର, ଦୋଶା, ଅଲଓ୍ବର, କୋଟା ଆଦି ଜିଲ୍ଲା ପାଇଁ ୟେଲୋ ଅଲର୍ଟ ଜାରି କରାଯାଇଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଜୁଳି ଖୁଣ୍ଟ ଉପୁଡି ପଡିଥିବାରୁ ୫ ଶହରୁ ଅଧିକ ଗାଁ ଅନ୍ଧାରରେ ରହିଛି । ତଳିଆ ଅଞ୍ଚଳଗୁଡ଼ିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନଡିଆରଏଫ ଓ ସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଲୋକମାନଙ୍କ ଘରଭିତରେ ପାଣି ପଶିଯାଇଥିବା ବେଳେ ଅନେକ ଲୋକ ଛାତ ଉପରେ ଆଶ୍ରୟ ନେଇଛନ୍ତି । ସୋମବାର ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ପାକିସ୍ତାନ ସୀମାବର୍ତ୍ତି ଅଂଚଳର ଗାଁ ଗୁଡିକରେ ଥିବା କଚ୍ଚା ଘର ଭାଙ୍ଗି ମାଟିରେ ମିଶିଯାଇଛି । ଯୁଦ୍ଧ କାଳୀନ ଭିତିରେ ଏନଡିଆରଏଫ, ଏସଡିଆରଏଫ ଟିମ୍ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ମୁଶଳ ଧାରାରେ ବର୍ଷା ଓ ପବନର ବେଗ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି । ଅନ୍ୟପଟେ ଝଡତୋଫାନକୁ ଆଖିରେ ରଖି ୧୩ଟି ଟ୍ରେନକୁ ବାତିଲ କରି ଦିଆଯାଇଛି ।
ସାରା ରାଜ୍ୟରେ ନିଆଁ ବର୍ଷା, ଦିନ ୧୧.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ପାର୍
ଭୁବନେଶ୍ୱର: ସାରା ରାଜ୍ୟରେ ନିଆଁ ବର୍ଷା । ୧୧.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ପାର୍ । ୪୨.୬ ଡିଗ୍ରୀ ସହ ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ହୀରାକୁଦରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୯.୮ ଡିଗ୍ରୀ, କେନ୍ଦୁଝରରେ ୩୯ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୮ ଡିଗ୍ରୀ ଓ ଗୋପାଳପୁରରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଗୋପାଳପୁରରେ ୭୯ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି । ପୁରୀରେ ୭୬%, ଭୁବନେଶ୍ବରରେ କମିଛି ଗୁଳୁଗୁଳି । ଝାରସୁଗୁଡ଼଼ାରେ ସବୁଠୁ ଅଧିକ ତାତି ଥିବା ବେଳେ ୨୬ ପ୍ରତିଶତ ରହିଛି ଆର୍ଦ୍ରତା । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଜି ୧୨ ଜିଲ୍ଲାରେ ସ୍ବାଭାବିକଠାରୁ ୬.୫ ଡିଗ୍ରୀରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ।
ପ୍ରକାଶ ପାଇଲା JEE ଆଡଭାନ୍ସ ୨୦୨୩ ପରୀକ୍ଷାଫଳ
ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ଆଡଭାନ୍ସ ୨୦୨୩ ଫଳ । ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ୧ ଲକ୍ଷ ୮୦ ହଜାର ୩୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୩ ହଜାର ୩୭୩ ଜଣ । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ରହିଛି ୭ ହଜାର ୫୦୯ । କମନ ରାଙ୍କ ଲିଷ୍ଟରେ ଛାତ୍ର ବର୍ଗରେ IIT ହାଇଦ୍ରାବାଦ ଜୋନର ବବିଲାଲା ଚିଦବିଳାସ ରେଡ୍ଡୀ ଟପ୍ପର ହୋଇଛନ୍ତି । ସେ ୩୬୦ ମାର୍କରୁ ରଖିଛନ୍ତି ୩୪୧ ମାର୍କ । ଛାତ୍ରୀ ବର୍ଗରେ ଟପ୍ପର ହୋଇଛନ୍ତି IIT ହାଇଦ୍ରାବାଦ ଜୋନର ନ୍ୟାୟକାନ୍ତି ନାଗା ଭାଗ୍ୟ ଶ୍ରୀ । ସାଧାରଣ ବର୍ଗରେ ୩୯ ହଜାର ୧୭୬ ଜଣ ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି ୧୩ ହଜାର ୮୨୮ । ଓବିସି ଏନସିଏଲ ବର୍ଗରେ ୬୬ ହଜାର ୬୧୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୯ ହଜାର ୨୯ । ସାଧାରଣ ଇଡବ୍ଲୁଏସ ବର୍ଗରେ ୩୦ ହଜାର ୩୪୮ ଜଣ ପରୀକ୍ଷାର୍ଥୀ ଥିବାବେଳେ ୫ ହଜାର ୩୬୩ ପାସ୍ କରିଛନ୍ତି ।
ଜଳ ପରିଚାଳନାରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା
ଗଞ୍ଜାମ: ଜଳ ପରିଚାଳନାରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା । ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହାସହ ଦକ୍ଷ ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି ।
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଜାତୀୟ ଜଳ ପୁରସ୍କାର ପାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଏକ ଉଲ୍ଲେଖନୀୟ ସଫଳତା, ଗଞ୍ଜାମ ଜିଲ୍ଲାର ଏହି ସଫଳତା ସବୁ ଜିଲ୍ଲା ପ୍ରଶାସନକୁ ଜଳ ସମ୍ବଳ ପରିଚାଳନା ଓ ସଂରକ୍ଷଣରେ ଉତ୍କର୍ଷତା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୩.୨ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ଆଜି ରାଜ୍ୟକୁ ଦେଇଛି ସଫଳତା ।
ଆଜି ମହାପ୍ରଭୁଙ୍କ ଅନବସରର ଅନ୍ତିମ ଦିନ, ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି
ପୁରୀ: ଆଜି ମହାପ୍ରଭୁଙ୍କ ଅନବସରରେ ଅନ୍ତିମ ଦିନ । ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଆସନ୍ତାକାଲି ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଆସନ୍ତା ମଙ୍ଗଳବାର ରଥାରୂଢ ହୋଇ ଗୁଣ୍ଡିଚା ଯିବେ ମହାବାହୁ ।
ସେପଟେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ରଥଯାତ୍ରା ବେଳେ ପୁରୀକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସହର ଉପରେ ରଖାଯିବ ତୀକ୍ଷ୍ଣ ନଜର । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି । ରେଳବାଇ ଓ ତଟ ସୁରକ୍ଷା ସହ, ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ରୁ ଉର୍ଦ୍ଧ ଅଧିକାରୀ ମୁତୟନ କରାଯିବ । ଅନ୍ୟପଟେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ କରାଯାଇଛି ।

