ପାରାଦୀପ: ପାରାଦୀପ କୁଜଙ୍ଗରେ ଡବଲ ମର୍ଡର । ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା । କୁଜଙ୍ଗ ଏକ୍ସପ୍ରେସ ଓ୍ବେ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦୁଇ ମହିଳା ହେଲେ ନିର୍ମଳା ଲେଙ୍କା ଓ ଅନିତା ରାଉତ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଯୁବକଙ୍କୁ ଗିରଫ କରିଛି କୁଜଙ୍ଗ ପୋଲିସ । ସୂଚନା ଅନୁସାରେ, ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁନାଥ ନାମକ ଜଣେ ଯୁବକ ସେହି ଗ୍ରାମର ଦୁଇ ଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ରରେ ଅତିନିର୍ମମ ଭାବେ ହତ୍ୟା କରିଛି । ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଣାର ତଦନ୍ତ କରୁଛି । ଦୁଇ ମହିଳାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ନାଟୋ ରାଷ୍ଟ୍ର ବିରୋଧରେ ଋଷର ମେଗାପ୍ଲାନ, ପଡୋଶୀ ବେଲାଋଷରେ ମୁତୟନ କଲା ଆଣବିକ ଅସ୍ତ୍ର
ନୂଆଦିଲ୍ଲୀ: ନାଟୋ ରାଷ୍ଟ୍ର ବିରୋଧରେ ଋଷର ମେଗାପ୍ଲାନ୍ । ପଡୋଶୀ ବେଲାଋଷରେ ମୁତୟନ କଲା ଆଣବିକ ଅସ୍ତ୍ର । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି- ପାଶ୍ଚାତ୍ୟ ରାଷ୍ଟ୍ରକୁ ଚେତାବନୀ ଦେବା ସକାଶେ ଏହି କୌଶଳଗତ ଅସ୍ତ୍ର ମୁତୟନ କରାଯାଇଛି । କୌଣସି ସ୍ଥିତିରେ ଯେପରି ଋଷର ପରାଜୟ ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଇକୋନୋମିକ ଫୋରମ ବୈଠକରେ ଯୋଗ ଦେଇ ପୁଟିନ କହିଛନ୍ତି- ବର୍ତ୍ତମାନ ଋଷ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଚାହେଁ ନାହିଁ । ଋଷର ସୀମା କିମ୍ବା ରାଷ୍ଟ୍ରର ସାର୍ବଭୌମତ୍ବ ଉପରେ ଆଞ୍ଚ ଆସିଲେ ହିଁ ଋଷ ଏହି ସବୁ ଅସ୍ତ୍ରର ବ୍ୟବହାର କରିବ । ବହୁ ବର୍ଷ ଧରି ଋଷର ଘନିଷ୍ଠ ରାଷ୍ଟ୍ର ଭାବେ ବେଲାଋଷ ରହିଆସିଛି ଏବଂ ଗତବର୍ଷ ଫେବ୍ରୁଆରୀରେ ୟୁକ୍ରେନ ଆକ୍ରମଣ ପରଠାରୁ ବେଲାଋଷକୁ ଲଞ୍ଚପ୍ୟାଡ ଭାବେ ବ୍ୟବହାର କରିଆସିଛି ଋଷ । ସେ କହିଛନ୍ତି- ଆଣବିକ ଅସ୍ତ୍ର ପ୍ରସଙ୍ଗରେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ଆଲୋଚନା ହୋଇଛି ଏବଂ ବେଲାଋଷର ସୀମାନ୍ତରେ ଏହାକୁ ମୁତୟନ କରାଯାଇଛି ।
ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ହେବା ପରେ ସମଗ୍ର ନାଟୋ ଲାଗି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଏହି ୩ ନାଟୋ ସଦସ୍ୟ ରାଷ୍ଟ୍ର ସହ ବେଲାଋଷର ସୀମା ପ୍ରାୟ ୧୨୫୦ କିଲୋମିଟର ଯାଏ ଲମ୍ବିଛି । କିଛିଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ- ବେଲାଋଷରେ ଋଷ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ କରାଯିବା ଲାଗି ବ୍ୟବସ୍ଥା ଜୁଲାଇ ୧ ସୁଦ୍ଧା ଶେଷ ହେବ । ଏହା ସହ ଆଣବିକ ଅସ୍ତ୍ର ପରିବହନ କରିବାକୁ ବେଲାଋଷର ଯୁଦ୍ଧବିମାନଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ସେ କହିଥିଲେ ।
ଉଗାଣ୍ଡାରେ ସବୁଠାରୁ ବଡ଼ ଗଣହତ୍ୟା, ୪୧ ଜଣଙ୍କୁ ହତ୍ୟା କଲା ଆଲାଏଡ ଡେମୋକ୍ରାଟିକ ଫୋର୍ସ
ନୂଆଦିଲ୍ଲୀ: ଉଗାଣ୍ଡାରେ ଚଳିତ ଦଶନ୍ଧିରେ ସବୁଠାରୁ ବଡ଼ ଗଣହତ୍ୟା । ୪୧ ଜଣଙ୍କୁ ହତ୍ୟା କରିଛନ୍ତି ଆଲାଏଡ ଡେମୋକ୍ରାଟିକ ଫୋର୍ସ । ମୃତକଙ୍କ ମଧ୍ୟରେ ଅଛନ୍ତି ୩୮ଜଣ ସ୍କୁଲ ଛାତ୍ରଛାତ୍ରୀ । ଉଗାଣ୍ଡାର ସୀମାନ୍ତ ମୋନ୍ଦଓ୍ବେ ଅନ୍ତର୍ଗତ ଲୁବିରିହା ସେକେଣ୍ଡାରୀ ସ୍କୁଲରେ ଘଟିଛି ଏହି ନରସଂହାର । ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଜଗୁଆଳୀ ଓ ଦୁଇ ଜଣ ସାଧାରଣ ଲୋକ । ଆଲାଏଡ ଡେମୋକ୍ରାଟିକ ଫୋର୍ସ ସହ ଇସଲାମିକ ଷ୍ଟେଟ ଗ୍ରୁପର ସମ୍ପର୍କ ରହିଛି । ଏଡିଏଫର ଆକ୍ରମଣକୁ ପ୍ରତିହତ କରିବା ଲାଗି ଉଗାଣ୍ଡା ଓ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ପରୁ ମିଳିତ ସମରାଭ୍ୟାସ କରିବାର କିଛି ଦିନ ପରେ ଏହି ଗଣହତ୍ୟା ଘଟିଛି ।
ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ରାଞ୍ଚି କୋର୍ଟଙ୍କ ସମନ
ରାଞ୍ଚି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୁସକିଲ କମ୍ ହେବାର ନାଁ ନେଉ ନାହିଁ । ମୋଦି ସରନେମ ମାମଲାରେ ଏବେ ରାଞ୍ଚି କୋର୍ଟ ତାଙ୍କୁ ସମନ କରିଛନ୍ତି । ୪ ଜୁଲାଇରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ପକ୍ଷରୁ କଂଗ୍ରେସ ନେତାଙ୍କୁ ଜାରି ଏହା ଶେଷ ସମନ ଅଟେ । ଏପରି ସ୍ଥିତିରେ ଯଦି ସେ ଏଥର ମଧ୍ୟ ହାଜର ନହୁଅନ୍ତି ତେବେ ତାଙ୍କ ସମସ୍ୟା ଆହୁରି ବଢ଼ିପାରେ । ପ୍ରକାଶଥାଉକି, ଏହି ମାମଲାରେ ପ୍ରଦୀପ ମୋଦି ନାମକ ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ, ଯାହା ଉପରେ ଏମପି-ଏମଏଲଏ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ ଦିଆଯାଇଥିବା ଆବେଦନକୁ ପୂର୍ବରୁ ହିଁ ଖାରଜ କରିଦେଇଥିଲେ ।
ଏପରି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ଓକିଲ କୋର୍ଟଙ୍କୁ ୧୫ ଦିନର ସମୟ ମାଗିଥିଲେ । ଯାହା ଉପରେ କୋର୍ଟ ରାହୁଲ ଗାନ୍ଧିଙ୍କୁ ଶେଷ ସମନ ଜାରି କରି ୪ ଜୁଲାଇରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମଧ୍ୟ ରାହୁଲଙ୍କ ବିରୋଧରେ ଏହି ସମ୍ବନ୍ଧରେ ମାନହାନି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ସୁରଟ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ଯେଉଁ କାରଣରୁ ଜନପ୍ରତିନିଧି ଆଇନ ଅନୁସାରେ ସାଂସଦ ସଦସ୍ୟତା ରଦ୍ଦ ହୋଇଯାଇଥିଲା ।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ କାଉଣ୍ଟର ଆଟାକ
ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ କାଉଣ୍ଟର ଆଟାକ। ମୁଖ୍ୟମନ୍ତ୍ରୀଙ୍କ ୩ଟି ବିକାଶମୂଳକ କାମ ଐତିହ୍ୟ ପରିକ୍ରମା ପ୍ରକଳ୍ପ, ବିଜୁ ସେତୁ ଯୋଜନା ଏବଂ ସ୍କୁଲ ରୂପାନ୍ତରିତ କାମକୁ 5T ସଚିବ ତଦାରଖ କରୁଛନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି। ସେ କେଉଁଠି ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ନଡ଼ିଆ ବାଡେଇ ଶୁଭ ଦେଉନାହାନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କ କାମକୁ ତଦାରଖ କରୁଛନ୍ତି। ଏହା ଦ୍ବାରା ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସାଧାରଣ ଲୋକେ ସଚେତନ ହେଉଛନ୍ତି। ଫଳରେ ଲୋକପ୍ରିୟତା ବୃଦ୍ଧି ପାଉଛି।
ଅପରାଜିତା ନିଜେ ବିଏମସି କମିଶନର ଥିବା ବେଳେ ମେୟରଙ୍କୁ ଅଣଦେଖା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ସପକ୍ଷରେ ପ୍ରଚାର ପ୍ରସାର କରୁଥିଲେ। ପରେ ଚାକିରୀ ଛାତି ଆସି ସାଂସଦ ହୋଇଛନ୍ତି। ଆସନ୍ତା ୨୦୨୪ ରେ ଅପରାଜିତା କେତେ ଲୋକପ୍ରିୟ ତାହା ଲୋକେ ଠିକଣା ଜବାବ ଦେବେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟ କାମ ଐତିହ୍ୟ ସ୍ଥଳ ବିକାଶ କରିବା। ଅପରାଜିତା ଅମଲାତାନ୍ତ୍ରିକ ମନୋଭାବ ରଖି ଯେଉଁ ଅଭିଯୋଗ କରିଛନ୍ତି ତାର ସତ୍ୟତା ନାହିଁ। ବିଜେପି ତଥା ଅପରାଜିତା ଷଡ଼ଙ୍ଗୀ ଯଦି ଓଡିଶା ସ୍ବାର୍ଥ ପାଇଁ ସ୍ବର ଉଠାନ୍ତେ ତାହେଲେ ଆମେ ସାବାସି ଦିଅନ୍ତେ।
ଆନ୍ଧ୍ର ସରକାର ଓଡିଶା ବିରୋଧରେ ଯାଇ ପୋଲାଭରମ୍ ପ୍ରକଳ୍ପ କଲେ। ଯାହା ଦ୍ବାରା ଓଡ଼ିଶାର ୧୦ ହଜାର ଆଦିମ ଆଦିବାସୀଙ୍କର ଜୀବନ ଜୀବିକା ବିପନ୍ନ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରି ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରିଛନ୍ତି। କାହିଁକି ଅପରାଜିତା ମୁହଁ ଖୋଲୁନାହାନ୍ତି। ଛତିଶଗଡ ସରକାର ଓଡ଼ିଶାର ଗଙ୍ଗା ମହାନଦୀକୁ ଶୁଖେଇ ସାରିଲେଣି। କହିଁକି ଅପରାଜିତା ତା ବିରୋଧରେ ମୁହଁ ଖୋଲିନାହାନ୍ତି। କିନ୍ତୁ ଓଡିଶା ସରକାର ଯେଉଁ ଭଲ କାର୍ଯ୍ୟ କରୁଛନ୍ତି ତା ବିରୋଧରେ ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ସାଂସଦ ଯେଉଁ ପ୍ରୟାସ କରିଛନ୍ତି ଲୋକ ତାହାର ଜବାବ ଦେବେ।

