spot_img
Home Blog Page 3193

ଆଜିଠାରୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ 5T ସଚିବ

କନ୍ଧମାଳ : କେତେ ଆଗେଇଛି କନ୍ଧମାଳ ଜିଲ୍ଲାର ବିକାଶ । କେଉଁଥିରେ ହୋଇଛି ଉନ୍ନତି, କ’ଣ କ’ଣ ରହିଛି ବାକି । ଆଜିଠାରୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇ ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ଗୁଦାରିରରେ ପହଞ୍ଚିବା ପରେ ସେଠାରୁ ବଲସକୁମ୍ପା ଯାଇ ବରାଳଦେବୀ ମନ୍ଦିର ପରିଦର୍ଶନ କରିବେ ।

ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପେ୍ଲ ନେଇ ବିଚାର ଆଲୋଚନା କରିବା ସହିତ ନାଗରିକ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଫୁଲବାଣୀ ନୂଆ ବସଷ୍ଟାଣ୍ଡ ଯାଇ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରିବେ । ସନ୍ଧ୍ୟାରେ କରୋନେସନ ପଡ଼ିଆଠାରେ ବ୍ୟାଙ୍କ ମିତ୍ର, ଏମବିକେ ଓ ମିଶନ ଶକ୍ତି ସଦସ୍ୟାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପୋଲିସ ରିଜର୍ଭ ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ ଫାଇଭ-ଟି ସଚିବ ।

ସେହିପରି ଆସନ୍ତାକାଲି ସକାଳେ ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଏସ୍ଏଚଡିଙ୍କ ଦ୍ବାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ ଓ ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ଯ୍ୟାଳୟ ପରିଦର୍ଶନ କରିବେ ।

ଏହାପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବାଲିଗୁଡାରେ ପାଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।

ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ ଫାଇଭ-ଟି ସଚିବ । ଦାରିଙ୍ଗବାଡ଼ିର ହିଲ୍‌ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଜି.ଉଦୟଗିରି ଯାଇ କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସ୍ଏଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ତିରୁପତି ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଅଘଟଣ

ଅମରାବତୀ : ତିରୁପତିରେ ଅଘଟଣ । ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଥିବା ଏକ ଫଟୋଫ୍ରେମ ଓ୍ବାର୍କସପ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡରେ ଅନେକ ଦୋକାନ ବି ନଷ୍ଟ ହୋଇଛି । ଆଜି ମଧ୍ୟାହ୍ନରେ ତିରୁପତି ସହର ଅନ୍ତର୍ଗତ ଲାବଣ୍ୟ ଫଟୋ ଫ୍ରେମ ଓ୍ବାର୍କସପରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ତିନିମହଲା କୋଠାରେ ଲାଗିଥିବା ନିଆଁର ତେଜ ଏତେ ଅଧିକ ଥିଲା ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ତେବେ ମନ୍ଦିର ନିକଟରେ ଥିବା ଗୋବିନ୍ଦରାଜସ୍ବାମୀ ମନ୍ଦିରର ରଥକୁ ନିଆଁ କବଳରୁ ରକ୍ଷା କରାଯାଇପାରିଛି ।

ଗୋଟିଏ ମିସନରେ ମହାକାଶକୁ ୪୧ଟି ଉପଗ୍ରହ ପ୍ରେରଣ

ନୂଆଦିଲ୍ଲୀ : ଗୋଟିଏ ମିସନରେ ମହାକାଶକୁ ଏକାଥରକେ ୪୧ଟି ଉପଗ୍ରହ ପ୍ରେରଣ କଲା ଚୀନ । ଲଙ୍ଗ ମାର୍ଚ୍ଚ ୨ଡି ରକେଟରେ ଏହି ଉପଗ୍ରହ ପ୍ରେରଣ କରିଛି ଚୀନ । ଗୋଟିଏ ମିସନରେ ମହାକାଶକୁ ସର୍ବାଧିକ ସଂଖ୍ୟକ ସାଟେଲାଇଟ ପ୍ରେରଣ କରିବା ଚୀନ ଇତିହାସରେ ପ୍ରଥମ ।

ତାଇୟୁଆନ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଏହି ଉପଗ୍ରହ ପ୍ରେରଣ କରାଯାଇଛି । ମହାକାଶ ଷ୍ଟେସନକୁ ୩ ଜଣ ଯାତ୍ରୀଙ୍କୁ ପଠାଇବାର କିଛି ସପ୍ତାହ ପରେ ଚୀନ ଏହି ରେକର୍ଡ କରିଛି । ଲଙ୍ଗମାର୍ଚ୍ଚ ରକେଟ ସିରିଜର ଏହା ହେଉଛି ୪୭୬ତମ ଫ୍ଲାଇଟ ମିଶନ ।

କମର୍ସିଆଲ ରିମୋଟ ସେନସିଂ ସର୍ଭିସ ଓ ଟେକ୍ନୋଲୋଜି ଭେରିଫିକେସନ କାର୍ଯ୍ୟରେ ଏହି ସାଟେଲାଇଟ ବ୍ୟବହୃତ ହେବ । ଗତ କିଛି ବର୍ଷ ଧରି ଚୀନ ମହାକାଶ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ସହ ଅଧିକ ସଂଖ୍ୟକ ଉପଗ୍ରହ ପ୍ରେରଣ କରୁଛି । ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମାନବ ପ୍ରେରଣ ଲାଗି ଚୀନ ଯୋଜନା କରିଛି ।

କର୍ଣ୍ଣାଟକ ପାଠ୍ୟପୁସ୍ତକରୁ ହଟିଲା ଆରଏସଏସ ପ୍ରତିଷ୍ଠାତା ହେଡଗେବାରଙ୍କ ନାମ

ବେଙ୍ଗାଲୁରୁ: କର୍ଣ୍ଣାଟକ ପାଠ୍ୟପୁସ୍ତକରୁ ହଟିଲା ଆରଏସଏସ ପ୍ରତିଷ୍ଠାତା କେ.ବି. ହେଡଗେବାର ଓ ଅନ୍ୟାନ୍ୟ ହିନ୍ଦୁତ୍ବବାଦୀ ନେତା ସଂକ୍ରାନ୍ତ ପାଠ୍ୟକ୍ରମ । ତାଙ୍କ ସ୍ଥାନରେ ଜବାହାରଲାଲ ନେହରୁ, ବି.ଆର. ଆମ୍ବେଦକର ପ୍ରମୁଖ ସ୍ଥାନ ପାଇବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ପୂର୍ବତନ ବିଜେପି ସରକାର ଅମଳରେ କନ୍ନଡ ଓ ସୋସିଆଲ ସାଇନ୍ସରେ ହେଡଗେବାର, ହିନ୍ଦୁବାଦୀ ନେତା ଭି.ଡି. ସଭରକରଙ୍କ ଜୀବନୀ ସମ୍ପର୍କରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ସ୍ଥାନ ପାଇଥିଲା । ମାତ୍ର ନୂଆ ନିୟମ ଅନୁସାରେ ସେହି ପାଠ୍ୟପୁସ୍ତକଗୁଡିକରେ ସମାଜସେବୀ ତଥା ସଂସ୍କାରକ ସାବିତ୍ରୀବାଇ ଫୁଲେ, ଚକ୍ରବର୍ତ୍ତୀ ସୁଲିବେଲେ, ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧି, ବି.ଆର. ଆମ୍ବେଦକରଙ୍କ ସମ୍ପର୍କିତ ବିଷୟ ସ୍ଥାନ ପାଇବ ।

ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଏହି ବିଷୟ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଗତ ନିର୍ବାଚନ ସମୟରେ ପାଠ୍ୟ ପୁସ୍ତକଗୁଡିକରେ ପରିବର୍ତ୍ତନ ଆଣିବା ସହ ନୂଆ ଶିକ୍ଷାନୀତି ରଦ୍ଦ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କ୍ୟାବିନେଟ ବୈଠକରେ ପାଠ୍ୟପୁସ୍ତକରେ ସଂଶୋଧନ ଅଣାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚକେ ପାଟିଲ ।

ନିୟନ୍ତ୍ରଣ ବାହାରେ ମଣିପୁର ସ୍ଥିତି, ଜାଳିଦେଲେ କେନ୍ଦ୍ରମନ୍ତ୍ରୀଙ୍କ ଘର

ଇମ୍ଫାଲ : ଭୟଙ୍କର ହେବାରେ ଲାଗିଛି ମଣିପୁର ସ୍ଥିତି । ବାରମ୍ବାର ବିଗିଡୁଛି ଆଇନଶୃଙ୍ଖଳା । କେନ୍ଦ୍ରମନ୍ତ୍ରୀ ଆର.କେ. ରଞ୍ଜନସିଂଙ୍କ ଇମ୍ଫାଲସ୍ଥିତ ଘରକୁ ଗତକାଲି ଉତ୍ତ୍ୟକ୍ତ ଲୋକେ ପୋଡି ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୧୨ ଶହ ଲୋକ ଗତକାଲି ରାତିରେ ଅଚାନକ କେନ୍ଦ୍ରମନ୍ତ୍ରୀଙ୍କ ଘରେ ପହଞ୍ଚି ଲଙ୍କାକାଣ୍ଡ ଘଟାଇଛନ୍ତି । ଏହି ହିଂସାବେଳେ କେନ୍ଦ୍ରମନ୍ତ୍ରୀ ଘରେ ନଥିବା ସୂଚନା ମିଳିଛି ।

ଇମ୍ଫାଲରେ କର୍ଫ୍ୟୁ ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ କୋଙ୍ଗବାସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ଗରେ ପହଞ୍ଚି ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ । ଘରେ ମୁତୟନ ଥିବା ନିରାପତ୍ତା କର୍ମୀ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାରେ ସକ୍ଷମ ହୋଇ ନଥିଲେ । ଆକ୍ରମଣକାରୀମାନେ ପେଟ୍ରୋଲ ବୋମା ଫିଙ୍ଗିବା ସହ ଚାରିପଟୁ ଘେରାବନ୍ଦୀ କରି ହମଲା କରିଥିଲେ ।

ଗତ ମେ ମାସରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହୋଇଥିଲା । ମାତ୍ର ସେମାନଙ୍କୁ ଘଉଡାଇ ଦିଆଯାଇଥିଲା । ନିଜକୁ ଏସଟି ମାନ୍ୟତା ଦେବା ଦାବିରେ ମେତେଇମାନେ ଗତ ମେ ୩ ତାରିଖରେ ଆନ୍ଦୋଳନ ଆରମ୍ଭ କରିବା ପରଠାରୁ ରାଜ୍ୟରେ ହିଂସା ବଳବତ୍ତର ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହିଂସାରେ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି ।

ଜାମ୍ମୁ-କାଶ୍ମୀର କୁପଓ୍ବାରାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର କୁପଓ୍ବାରାରେ ୫ ଆତଙ୍କବାଦୀ ନିହତ । LOC ନିକଟରେ ସେନା-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେନା ଓ ପୋଲିସ ପକ୍ଷରୁ ଜଏଣ୍ଟ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ କୁପଓ୍ବାଡା ନିକଟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ ।

କାଉଣ୍ଟର ଫାୟାରିଂରେ ୫ଆତଙ୍କବାଦୀ ନିପାତ ହୋଇଥିବା କାଶ୍ମୀର ADGP ବିଜୟ କୁମାର ସୂଚନା ଦେଇଛନ୍ତି । ଏନକାଉଣ୍ଟର ପରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । କୁପଓ୍ବାଡାଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା

୧୨୫ ଗାଁର ୫ହଜାରରୁ ଅଧିକ ପିଲାଙ୍କୁ ମିଳିଲା ହକି କିଟ୍, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ୧୨୫ ଗାଁର ୫ହଜାରରୁ ଅଧିକ ପିଲାଙ୍କୁ ହକି କିଟ୍ ପ୍ରଦାନ କରାଯାଇଛି । ପିଲାଙ୍କର ହକି ପ୍ରତି ଆଗ୍ରହ ବଢ଼ିଥିବାରୁ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ଜେଏସପି ଫାଉଣ୍ଡେସନର ଭୂମିକାକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କ୍କୀଙ୍କୁ ଧନ୍ୟବାଦ ଦେଲେ ନବୀନ ।

ଏହି ପ୍ରୟାସ ଓଡ଼ିଶାରେ ହକିକୁ ପରବର୍ତ୍ତି ସ୍ତରକୁ ନେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ତୃଣମୂଳ ସ୍ତରରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ସୁନ୍ଦରଗଡ଼ ହକିର ଏନ୍ତୁଡ଼ିଶାଳ । ହକି ସାରା ବିଶ୍ବରେ ଓଡ଼ିଶା ତଥା ସୁନ୍ଦରଗଡକୁ ସ୍ବତନ୍ତ୍ର ପରିଚୟ ଦେଇଛି । ଦୁଇ ଦୁଇଟି ବିଶ୍ବକପ୍ ସଫଳତାର ସହ ଆୟୋଜନ କରିପାରିଛି ଓଡ଼ିଶା । ବିର୍ସାମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମ ହୋଇପାରିଛି । ଏଥିପାଇଁ ସୁନ୍ଦରଗଡ଼ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଦିଲ୍ଲୀପ ତିର୍କୀ ଆମ ଓଡ଼ିଶାର ଗୌରବ । ତେଣୁ ସେ ଉଦୀୟମାନ ହକି ଖେଲାଳିଙ୍କ ପାଇଁ ପ୍ରେରଣା ହୁଅନ୍ତୁ । ପରିଶ୍ରମ ଓ ଉତ୍ସର୍ଗୀକୃତ ହୋଇ ହକିକୁ ଭଲ ପାଇଲେ ଆପଣମାନେ ଜଣେ ଜଣେ ଦିଲ୍ଲୀପ ତିର୍କୀ ହୋଇ ଦେଶର ସୁନାମ ବଢ଼ାଇପାରିବେ ବୋଲି ପିଲାଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରିଲିଜ୍ ହେଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’

ମୁମ୍ୱାଇ : ରିଲିଜ୍ ହୋଇଛି ଦେଶର ସବୁଠୁ ହାଇବଜେଟ୍ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍‌ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି।

ପ୍ରଥମ ଥର ପାଇଁ ରାମାୟଣକୁ ଏତେ ବଡ଼ ଆକାରରେ ସିଲଭର୍ ସ୍କ୍ରିନରେ ରିଲିଜ୍ କରାଯାଇଛିା ସେଥିପାଇଁ ଆକ୍ସନ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ। ସେହିପରି କୀର୍ତ୍ତି ସେନନ୍‌ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି।

ସିନେମା ରିଲିଜ୍ ପୂର୍ବରୁ ଏହା ବିବାଦରେ ଥିଲା। ପ୍ରଭୁ ଶ୍ରୀରାମ ଓ ଅନ୍ୟ ଚରିତ୍ରର ଚିତ୍ରଣକୁ ନେଇ ଖପ୍ପା ଥିଲେ ଫ୍ୟାନ୍ସ। ଏପରିକି ନିର୍ଦ୍ଦେଶକ ଓମ୍ ରାଉତ ସିନେମାର ରିଲିଜ୍ ଡେଟ୍ ଦୁଇ ଥର ଘୁଞ୍ଚାଇଥିଲେ। ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭାରତର ସବୁଠୁ ହାଇବଜେଟ୍ ସିନେମାା।

ଗୁଜରାଟରେ ବିପର୍ଯ୍ୟୟର ରୌଦ୍ର ରୂପ ; ଦୁଇ ମୃତ, ୨୨ରୁ ଅଧିକ ଆହତ

ଗାନ୍ଧୀନଗର: ଗୁଜରାଟରେ ବିପର୍ଯ୍ୟୟର ରୌଦ୍ର ରୂପ । ରାତି ୧୨ଟାରେ ଲ୍ୟାଣ୍ଡଫଲ ପରେ ତାଣ୍ଡବ ରଚିଲା ବାତ୍ୟା ପ୍ରଭାବରେ ଶହ ଶହ ଗଛ ଭାଙ୍ଗି ପଡ଼ିଥିବା ବେଳେ ଉଦ୍ଧାରକାରୀ ଟିମ୍ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି । ଅବିଶ୍ରାନ୍ତ ବର୍ଷା ଯୋଗୁ ଅନେକ ରାସ୍ତା ଜଳମଗ୍ନ ହୋଇଛି । ୯୪୦ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଜୁଆର ମାଡ଼ି ଆସିବା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି ।

ବର୍ଷା ଓ ବନ୍ୟାଜନିତ କାରଣରୁ ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି । ସମୁଦ୍ର କୂଳଠାରୁ ୧୦କିମି ଦୂରରେ ରହିଥିବା ଅଞ୍ଚଳ ଅତ୍ୟଧିକ ପ୍ରଭାବିତ ହେଇଛି । ଏବେ ବି ଗୁଜରାଟରେ ବିପର୍ଯ୍ୟୟର ପ୍ରଭାବ ରହିଛି । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ସୌରାଷ୍ଟ୍ର, କଚ୍ଛ, ନର୍ଥ ଗୁଜରାଟ ଓ ସାଉଥ ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

ପବନର ବେଗ ୯୦ରୁ ୧୦୦ କଲୋମିଟର ପର୍ଯ୍ୟନ୍ତ ରହିବ । କଚ୍ଛ, ଦ୍ବାରକା, ପୋରବନ୍ଦର, ରାମନଗର, ରାଜକୋଟ, ଜୁନାଗଡ଼ ଓ ମୋରବି ପାଇଁ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ମଧ୍ୟ ଉଠିବା ଆଶଙ୍କା ରହିଛି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ରାଜସ୍ଥାନ ଓ ଉତ୍ତର ଗୁଜରାଟରେ ଅତି ପ୍ରବଳ ବର୍ଷା ହେବ ବୋଲି IMD ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗୁଜରାଟ, ମହାରାଷ୍ଟ୍ର ସମେତ ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ଆସାମ ଆଦି ୯ ରାଜ୍ୟରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ପଡ଼ିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଜାରି ରହିଛି ।

ଭୁବନେଶ୍ବର ଗ୍ୟାରେଜ ଛକରେ ୨ଟି ଦାମୀ କୋଠା ଠାବ ହୋଇଛି । ୪ ହଜାର ବର୍ଗଫୁଟର ଜାଗାରେ ଦୁଇ ମହଲା କୋଠା ରହିଛି । ଯୁଆଡେ ଦେଖିବ ଖାଲି ରୁମ୍ । ଘରର ଇଣ୍ଟେରିଏର ଡିଜାଇନ ସାଙ୍ଗକୁ ଦାମୀ ସୋଫା ସେଟ, ଦାମୀ ଖଟ ଓ ମଡୁଲାର କିଚେନ ଲାଗିଛି । ଲକରରେ ସୁନା ଓ ଟଙ୍କା ଥିବା ଭିଜିଲାନ୍ସ ଅନୁମାନ କରିଛି ।

ରାଧାକ୍ରିଷ୍ଣ ନଗରରେ ଆଲିଶାନ ୩ ମହଲା କୋଠାରୁ ଦୁଇଟି ରୁପା ହାତୀ ମିଳିଛି । ଏହି ହାତୀରେ ରୁପାର ପ୍ରଲେପ ଦିଆଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ । ରେଡ୍ ବେଳେ ୨୦ଟି ଏଲଆଇସି, ୧୫ଟି ବ୍ୟାଙ୍କ ଖାତା ଓ ପାସ ବୁକ ଠାବ ହୋଇଛି ।

ଭୁବନେଶ୍ବରରେ ଏବେ ୬ଟି ଘର ଠାବ ହୋଇଛି । ଗ୍ୟାରେଜ ଛକରେ ଦୁଇଟି କୋଠା, ଭୀମଟାଙ୍ଗୀ, ଶିଶୁପାଳ ଗଡ଼, ଲୁଇସ ରୋଡ଼, ରବି ଟକିଜରେ ଘର ରହିଛି । ସେହିପରି ନିମାପଡ଼ା ଖେଲାରରେ ୩୦ଟି ଦୋକାନ ଘର ଓ ଫାର୍ମ ହାଉସ ରହିଛି । ଘରର ଇଣ୍ଟେରିୟର ଡିଜାଇନର ମୂଲ୍ୟ ଜାଣିବା ପାଇଁ ଆରକିଟେକଚର ଇଞ୍ଜିନିୟରଙ୍କୁ ଡାକିଛି ଭିଜିଲାନ୍ସ । ରେଡ୍‌ରେ ୨ ଡିଏସପି, ୬ ଇନସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।