spot_img
Home Blog Page 32

କାକୁଡ଼ିଖାଇଙ୍କୁ କାକୁଡ଼ି ବଳି

ପୁରୀ: କାକୁଡ଼ିଖାଇଙ୍କୁ କାକୁଡ଼ି ବଳି । ଶାରଦୀୟ ପୂଜାରେ ସ୍ବତନ୍ତ୍ର ପରମ୍ପରା । ଶ୍ରୀକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ପ୍ରତିନିଧି ମାଆ କାକୁଡ଼ି ଖାଇ । ମହାଷ୍ଟମୀରେ ମାଆଙ୍କ ନିକଟରେ କାକୁଡ଼ି ବଳି । ଶ୍ରୀକ୍ଷେତ୍ରରେ ଶକ୍ତି ସ୍ୱରୂପିଣୀ ମାଆ ଦୁର୍ଗାଙ୍କ ଉପାସନା ପାରମ୍ପରିକ ଭାବେ ଷୋଳପୂଜା ଠାରୁ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ତ୍ରିଦିନାତ୍ମକ ସ୍ୱତ୍ରନ୍ତ୍ର ପୂଜା ଅନୁଷ୍ଠିତ ହେଉଛି। ଅଧିଷ୍ଟାତ୍ରୀ ଦେବୀ ବିମଳାଙ୍କର ପ୍ରତିନିଧି ମାଆ କାକୁଡିଖାଇ ଶ୍ରୀମନ୍ଦିର ବାହାରେ ପୂଜିତ ହେଉଛନ୍ତି । ବିଶେଷ କରି ଏହି ତ୍ରିଦିନାତ୍ମକ ପୂଜା ସମୟରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ଆବିର୍ଭାବ ହୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ସ୍ୱତନ୍ତ୍ର ସନ୍ଧି ପୂଜା କରାଯାଉଛି l ତେବେ ମାଆଙ୍କ ନିକଟରେ ଏହି ସମୟରେ କାକୁଡ଼ି ବଳି ଦେବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ଜାରି ରହିଛି ।

ଦୁର୍ଗାପୂଜା ସମୟରେ ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କୁ ମହିଳାମାନେ ଦର୍ଶନ କରିବା ବାରଣ ଥିବାରୁ କାକୁଡିଖାଇଙ୍କୁ ଦର୍ଶନ କରିଥାନ୍ତି । ପରିବାର କଲ୍ୟାଣ ଓ ମାନସିକ ପୂର୍ତ୍ତି ଉପଲକ୍ଷେ ମାଆଙ୍କ ନିକଟରେ କାକୁଡ଼ି ବଳି ଦେବାର ପରମ୍ପରା ରହିଛି । ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ କାକୁଡି ବଳି ଦେଇ ନିଜ ମୋକାମନା ଜଣାଇ ଆଶିଷ ନିଅନ୍ତି । ତେଣୁ ମହାଅଷ୍ଟମୀରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ଦେଖାଯାଇଛି।

ଦେବୀଙ୍କ ନିକଟରେ ଏହି କାକୁଡି ବଳି ପରମ୍ପରା ବେଶ ପ୍ରାଚୀନ ହୋଇଥିବା ହେତୁ ମାଆଙ୍କୁ ଏ ନେଇ କାକୁଡିଖାଇ ନାମରେ ପ୍ରଶିଦ୍ଧ ଥିବା ବିଶ୍ୱାସ ରହିଛି

କୋଲକାତା ଟ୍ରାଜେଡ଼ି, ଓଡ଼ିଶାରେ ଭୟ

ଭୁବନେଶ୍ୱର: କୋଲକାତା ଟ୍ରାଜେଡ଼ି, ଓଡ଼ିଶାରେ ଭୟ । କଣ୍ଟ୍ରୋଲ ରୁମରୁ ମନିଟରିଂ, କମିଟି କର୍ତ୍ତୃପକ୍ଷଙ୍କୁ ତାଗିଦ । ଗାଇଡଲାଇନ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ । କୋଲକତା ଚୋର୍ ବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଅଘଟଣ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ଓ ୪୦ ରୁ ଉର୍ଦ୍ଧ୍ବ ଗୁରୁତର ହେବା ପରେ ଓଡ଼ିଶାରେ ବି ବଢିଛି ଚିନ୍ତା । ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ପୋଲିସ ଡିଜି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଅଗ୍ନିଶମ, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା ରହିଛି । ଟ୍ରାଫିକ ସମସ୍ୟା ସମ୍ପର୍କରେ ମନିଟରିଂ ଚାଲିଛି । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧୀନରେ ୭ ଟି ଜିଲ୍ଲା ରହିଥିବା ବେଳେ ପୂଜା ପାଇଁ ସବୁଠି ସଜାଗ ରହିଛି ପୋଲିସ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ବେଶ ଚ୍ୟାଲେଞ୍ଜ ଥିଲେ ମଧ୍ୟ ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଛି । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ମଣ୍ଡପ ଓ ମଣ୍ଡପ ଚତୁପାର୍ଶ୍ଵ ଅଞ୍ଚଳ ସିସିଟିଭି ସର୍ଭେଲାନ୍ସରେ ରହିଛି ।

କୋଲକତା ଟ୍ରାଜେଡି ପରେ ବିଭିନ୍ନ ମଣ୍ଡପର ସୁରକ୍ଷା ବ୍ୟବସ୍ଥାକୁ ବରିଷ୍ଠ ପୋଲିସ ଅଧିକାରୀମାନେ ମନିଟର କରୁଥିବା ବେଳେ ଆକ୍ସନ ମୋଡ଼କୁ ଆସିଛନ୍ତି ପୋଲିସ କମିଶନର ।  ପୋଲିସର ଦାୟିତ୍ୱ ସହ ପୂଜା କମିଟିର ସହଭାଗିତା କଥାକୁ କହିଛନ୍ତି କମିଶନର । ପୂର୍ବରୁ ପୂଜା ପ୍ରସ୍ତୁତି ମିଟିଂ ବେଳେ କମିଟିମାନଙ୍କୁ ଭଲ୍ୟୁଣ୍ଟର ରଖିବା, ସିସିଟିଭି ଲଗାଇବା, ଅଗ୍ନିଶମ ବ୍ୟବସ୍ଥା, ଟ୍ରାଫିକ, ମହିଳା ସୁରକ୍ଷା ଆଦିକୁ ନେଇ ଅବଗତ କରାଯାଇଥିବା ସେ କହିଛନ୍ତି । ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡ଼ି ସମୟରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି । ଏସବୁଥିରେ କୌଣସି ଅସୁବିଧା ପରିଲକ୍ଷିତ ହେଲେ କମିଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ପୂଜା ସମୟରେ ଲୋକେ ବାହାରକୁ ବୁଲି ଯାଉଥିବାରୁ ଆନ୍ତରାଜ୍ୟ ଲୁଟେରା ହଲ୍ଲାବୋଲ ଡାକରା ଦେବାର ସମ୍ଭାବନା ରହିଛି । ଏସବୁକୁ ମାତ୍ ଦେବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଡିଜିପି ।…

ସମୁଦ୍ରରେ ଭାସୁଛି ପୁଳା ପୁଳା ଆଇଫୋନ୍ ଏବଂ ପରଫ୍ୟୁମ୍ !

ନନ୍ଦିଘୋଷ ବ୍ୟୁରୋ: ବାଇଆ କରିଛି ଆଇଫୋନ୍ ଲୋଭ । ଜୀବନକୁ ପାଣି ଛଡାଇ ସମୁଦ୍ରକୁ ଡେଇଁ ପଡିଲେ ଶହ ଶହ ମତ୍ସଜୀବୀ ।  ଗଭୀର ସମୁଦ୍ର ଭିତରୁ ଲୁଟିନେଲେ ଆଇଫୋନ୍ ଏବଂ ପରଫ୍ୟୁମ୍ ।  ଅକ୍ଟୋବର ୧୪ ତାରିଖରେ ଜିଏଫଏସ୍ ପ୍ରାଇଡ ଜାହାଜ ବୁଡିବା ପରେ ଏବେ ଶହ ଶହ ମତ୍ସଜୀବୀ ଇରାନ ଉପସାଗର ଉପକୂଳରେ ଭିଡ ଜମାଇଛନ୍ତି । ସେମାନଙ୍କର ଛୋଟ ଡଙ୍ଗା ଏବଂ ଉଦ୍ଧାର ଜାହାଜରେ ଯାଇ ପାଣି ଭିତରକୁ ଡେଇଁ ପଡିଛନ୍ତି । ମାଛ ଧରିବା ପାଇଁ ନୁହେଁ ବରଂ, ଲୁଟ କରିବା ପାଇଁ । ବୁଡିଯାଇଥିବା ମାଲବାହୀ ଜାହାଜରୁ ଆଇଫୋନ୍, ଫରାସୀ ପରଫ୍ୟୁମ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ସବୁ ବୋହି ନେଇ ଯାଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଘଟଣାସ୍ଥଳରୁ ମିଳିଥିବା ଫୁଟେଜରେ କିଛି ଡଙ୍ଗାଗୁଡିକ ଆଂଶିକ ଭାବରେ ବୁଡି ରହିଥିବା କଣ୍ଟେନରଗୁଡିକ ମଧ୍ୟରେ ଗତି କରୁଥିବା ଦେଖାଯାଉଛି । ଯେତେବେଳେ କି କିଛି ଲୋକ ପାଣିରୁ ବାକ୍ସଗୁଡିକୁ ବାହାର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସିଙ୍ଗାପୁର ପତାକା ବ୍ୟବହାର କରି ଚାଲୁଥିଲା ଜିଏଫଏସ୍ ପ୍ରାଇଡ୍ । ହେଲେ ଜାହାଜରେ ନିଆଁ ଲାଗିବା ପରେ ଏହା ବୁଡି ଯାଇଥିଲା । ସମସ୍ତ ୨୧ ଜଣ କ୍ରୁ ମେମ୍ବରଙ୍କୁ ଦୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ କେହି ଆହତ ହୋଇନଥିବା ଖବର ରେକର୍ଡ କରାଯାଇ ନାହିଁ ।  ହେଲେ ଇରାନର ଇସଲାମିକ ରିଭୋଲ୍ୟୁସଦାରୀ ଗାର୍ଡ କର୍ପସ ନୌସେନା କହିବାନୁସାରେ, ଜାହାଜଟି ଅନଧିକୃତ ଏବଂ ବିପଦପୂର୍ଣ୍ଣ ରାସ୍ତାରେ ପ୍ରବେଶ କରିଥିଲା । ଯେଉଁଠାରେ ସେ ଏକ ସି-ମାଇନ୍ ସହ ଧକ୍କା ହୋଇଥିଲା  । ଯାହାଫଳରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ୨,୫୦୦ ରୁ ଅଧିକ କଣ୍ଟେନର ସହିତ ଜାହାଜଟି ବୁଡି ଯାଇଥିଲା ।  ‘‘ଜିଏଫଏସ୍ ପ୍ରାଇଡ୍’’ ୨୪ ଘଣ୍ଟା ମଧ୍ୟରେ ବୁଡିଥିବା ଦ୍ବୀତିୟ ଏବଂ ଯୁଦ୍ଧ ଆାରମ୍ଭ ହେବା ପରଠାରୁ ବୁଡିଥିବା ତୃତୀୟ ଜାହାଜ  । ତେଣୁ IRGC ର ନୌସେନା ଜାହାଜଗୁଡିକୁ ସେହି ଅଞ୍ଚଳ ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି । ହର୍ମୁଜ ପ୍ରଣାଳୀ ଏବଂ ଏହାର ଆଖପାଖ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ସମୟରେ ଏହି ଜାହଜ ବୁଡିବା ଘଟଣା ଘଟିଛି ।

 

ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ।

କଳାହାଣ୍ଡି: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାଦ୍ୟର ଗର୍ଜନରେ ପ୍ରକମ୍ପିତ ହେଉଛି ପରିବେଶ । ପରମ୍ପରା ଅନୁଯାୟୀ, ମହାଷ୍ଟମୀର ମଧ୍ୟରାତ୍ରିରେ ମାଙ୍କ ବିଜୟ ପ୍ରତିମା ଛତରକୁ ଫାଶୀଡଙ୍ଗରର ଜେନାଖାଲକୁ ନିଆଯାଇଥାଏ । ସେଠାରେ ଗୁପ୍ତପୂଜା ଓ ସନ୍ଧିପୂଜା ସମ୍ପନ୍ନ ହେବା ପରେ ମହାଷ୍ଟମୀ ଦିନ ଭୋରରୁ ଆରମ୍ଭ ହୁଏ ମା’ଙ୍କ ବିଜୟ ପ୍ରତିମା ଛତରର ମନ୍ଦିର ଅଭିମୁଖେ ଯାତ୍ରା । ବର୍ଷକୁ ଥରେ ଏହି ଛତରଯାତ୍ରାରେ ମା’ଙ୍କ ବିଜୟ ପ୍ରତିମା ଛତରର ଦର୍ଶନ ମିଳିଥାଏ ।  ତେଣୁ ଏହି ଦିନକୁ ଅପେକ୍ଷା କରିଥାନ୍ତି ଅସଂଖ୍ୟ ଭକ୍ତ।

ବଳିପ୍ରଥା ଯୋଗୁଁ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ରକ୍ତରଞ୍ଜିତ ହୋଇଥାଏ । ମାନସିକଧାରୀ ଦେବୀଙ୍କ ପାଖରେ ବୋଦା, ଛେଳି ଓ କୁକୁଡ଼ା ବଳି ଦେଇଥାନ୍ତି। ଏହାସହ ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି। ଛତର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ସିସିଟିଭି ଓ ଡ୍ରୋନ୍ ଯୋଗେ ସମଗ୍ର ଯାତ୍ରା ଉପରେ ନଜର ରଖାଯିବ।

ବିରାଜିଲେ ଜଗତ ଜନନୀ: ଉତ୍ସବମୁଖର ଗାଁ ଠୁ ସହର

ନନ୍ଦିଘୋଷ ବ୍ୟୁରୋ: ବିରାଜିଲେ ମହାମାୟା । ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ଚକ୍ଷୁଦାନ ପରେ ହୋମଯଜ୍ଞରେ କମ୍ପିଲା ମଣ୍ଡପ ପରିସର । ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ବିଭିନ୍ନ ମଣ୍ଡପରେ ଆଜିଠାରୁ ଆରମ୍ଭ ହୋଇଛି ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜା । ଏହାରି ଭିତରେ ଚଳିତବର୍ଷ ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ପର୍ବତରେ ଶୈବପୀଠ ସହ ଭିତରେ ସର୍କସ ଥିମ୍ ତୋରଣରେ ପୂଜା ପାଉଛନ୍ତି ମାଆ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସିସିଟିଭି ସହ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ସେହିଭଳି ବମିଖାଲ ଦୁର୍ଗାପୂଜା ସମିତି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ ପାଇଁ ଦୁବାଇ ଥିମ୍ ତୋରଣ ସହ ଭିତରେ ଚାନ୍ଦି ରୁପାରେ ସଜ୍ଜା ଯାଇଛି । ଭସାଣୀରେ କମିଟି ପକ୍ଷରୁ ଏଥର ଆକର୍ଷଣୀୟ ଟ୍ରେନ୍ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସେପଟେ ଦୁର୍ଗାପୂଜା ପାଇଁ କମ୍ପୁଛି କଟକ । ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା ଓ ଶିବ ପାର୍ବତୀ । କିନ୍ତୁ କଟକ କଟକର ବାଖରାବାଦ୍ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଛି ଅଭନବ ପୂଜା । ଏଠାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ଭାରତ ମାତା । ଅନ୍ୟପଟେ ସମ୍ବଲପୁର ସହରରେ ମହାଆଡ଼ମ୍ବରରେ ଚାଲିଛି ଜଗତଜନନୀଙ୍କ ପୂଜା । ସହରର ପ୍ରମୁଖ ଦୁର୍ଗାପୂଜା କମିଟି ଧନୁପାଲି, ଗୋବିନ୍ଦତୋଲା, ଫାଟକ ସମେତ ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ମାଆଙ୍କ ପୂଜା। ଚଣ୍ଡୀପାଠରେ ଭକ୍ତିମୟ ହୋଇଉଠିଛି ସମଗ୍ର ପରିବେଶ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର । ସନ୍ଧ୍ୟା ହେଲେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଏବେ ଖଚାଖଚ ଭିଡ଼ । ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ଧାରରେ ସ୍କୁଲ ପିଲାଙ୍କ ଭବିଷ୍ୟତ !

ନନ୍ଦିଘୋଷ ବ୍ୟୁରୋ:  ଚକାଚକ ସ୍କୁଲ । ସ୍ମାର୍ଟ କ୍ଲାସ୍ ରୁମ୍, କମ୍ପ୍ୟୁଟର ବି ଅଛି। ହେଲେ ନାହିଁ ବିଦ୍ୟୁତ୍। ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ହାଇସ୍କୁଲରେ ନାହିଁ ବିଜୁଳି। ଫଳରେ ଆଧୁନିକ ଶିକ୍ଷାଦାନ ସୁବିଧାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ବକେୟା ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ବର୍ଷେରୁ ଅଧିକ ସମୟ ହେଲା ବିଦ୍ୟୁତ୍ ସଂଯୋଗ କଟିଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷାଦାନର ସୁଯୋଗ ଦେବା ଲକ୍ଷ୍ୟରେ ବିଦ୍ୟାଳୟରେ ୫ଟି ଯୋଜନାରେ ସ୍ମାର୍ଟ କ୍ଲାସ୍ ରୁମ୍ ଓ କମ୍ପ୍ୟୁଟର ଭଳି ସୁବିଧା ଯୋଗାଇ ଦେଇଥିଲେ ପୂର୍ବ ସରକାର । କିନ୍ତୁ ବର୍ତ୍ତମାନର ସରକାରଙ୍କ ଅବହେଳା ଯୋଗୁଁ ବର୍ଷେରୁ ଅଧିକ ସମୟ ହେଲା ବିଦ୍ୟାଳୟରେ ନାହିଁ ବିଜୁଳି । ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏହି ଆଧୁନିକ ଶିକ୍ଷା ଉପକରଣର ବ୍ୟବହାର ହୋଇପାରୁନି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି l

ବିଦ୍ୟୁତ ନ ଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଜଳୁନି ବଲବ, ବୁଲୁନି ଫ୍ୟାନ। ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ବିଜୁଳି ନଥିବାରୁ ସ୍ମାର୍ଟ କ୍ଲାସ୍ରୁମ୍ ଓ କମ୍ପ୍ୟୁଟରରେ ଶିକ୍ଷା ଗ୍ରହଣ କରିବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଗୋଟେ ପଟେ ଡିଜିଟାଲ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପଟେ ବିଦ୍ୟୁତ୍ ସଂଯୋଗ ଅଭାବରୁ ବିଦ୍ୟାଳୟରେ ସେହି ବ୍ୟବସ୍ଥା ଅଚଳ ହୋଇ ରହିବା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଖୁବଶୀଘ୍ର ବକେୟା ବିଲ ପୈଠ କରାଯିବ ବୋଲି ଡିଇଓ କହିଛନ୍ତି…। ଏଠି ପ୍ରଶ୍ନ ବିଦ୍ୟାଳୟରେ କେବେ ବକେୟା ବିଦ୍ୟୁତ୍ ବିଲ୍ ପୈଠ ହେବ ? ଏବଂ କେବେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଶିକ୍ଷାଦାନର ସୁବିଧା ମିଳିବ ?

ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ: ଅନେକ ମୃତାହତ !

ନନ୍ଦିଘୋଷ ବ୍ୟୁରୋ: କାନାଡାର ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଉଗ୍ର ରୂପ ଧାରଣ କରିଛି ଯେ, ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଲବର୍ଟା ନିକଟରେ ଥିବା ସାମରିକ ଘାଟିରେ ଏହି ନିଆଁ ଲାଗିଥିଲା । କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଡେଭିଡ୍ ମ୍ୟାକଗୁଣ୍ଟି ଏହି  ଅଗ୍ନିକାଣ୍ଡରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି, କିନ୍ତୁ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରିନାହାନ୍ତି । ସେ ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର ଏବଂ ସଙ୍କଟଜନକ ବୋଲି କହିବା ସହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଏବଂ ଏହାର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଥିବା କହିଛନ୍ତି ।

କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏକ୍ସରେ ଲେଖିଛନ୍ତି ଯେ, ଏକ ଗମ୍ଭୀର ଘଟଣା ଘଟିଛି ଯାହା ଫଳରେ ଏହି ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ସେ  ଆହୁରି କହିଛନ୍ତି, ‘‘ପ୍ରଭାବିତ ସମସ୍ତ ସାହାସୀ ମହିଳା ଏବଂ ପୁରୁଷଙ୍କ ସହିତ ମୋର ସମବେଦନା ଅଛି ।’’

କହିରଖୁଛୁ ଯେ, ଏହି ସମାରିକ ଘାଟି ଆଲବର୍ଟାର ଓ୍ବେନରାଇଟ୍ ନିକଟରେ ଅବସ୍ଥିତ, ଯାହା ଏଡମୋଣ୍ଟନରୁ ପ୍ରାୟ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ । ଏହା କାନାଡାର ସବୁଠାରୁ ବିଜି ମିଲିଟ୍ରୀ ଟ୍ରେନିଙ୍ଗ ସେଣ୍ଟର ମଧ୍ୟରୁ ଗୋଟିଏ ।  ଏଠାରେ କାନାଡିଆନ୍ ମ୍ୟାନ୍ୟୋର୍ ଟ୍ରେନିଙ୍ଗ ସେଣ୍ଟର ରହିଛି , ଯେଉଁଠାରେ ଯୁଦ୍ଧକ୍ଷେତ୍ର ଭଳି ବାସ୍ତବବାଦୀ ପରିସ୍ଥିତିର ଅଭ୍ୟାସ କରାଯାଏ । ଏଡାଛଡା ଏଠାରେ ଥାର୍ଡ କାନାଡିଆନ୍ ଡିଭିଜନ୍ ଟ୍ରେନିଙ୍ଗ ସେଣ୍ଟର ମଧ୍ୟ ଅଛି, ଯେଉଁଠାରେ ସମାରିକ ତାଲିମ ପ୍ରଦାନ କରାଯାଏ ।

ସେପଟେ ଓ୍ବେନରାଇଟ୍ ମ୍ୟୁନିସିପାଲ ଡିଷ୍ଟ୍ରିକ୍ଟ କହିଛି ଯେ, ନିଆଁ ସମାରିକ ଘାଟିର ବାହ୍ୟ ଅଂଶକୁ ପାର୍ କରିଯାଇଛି ଏବଂ ପ୍ରବଳ ପବନ ହେତୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଗ୍ନିଶ୍ରମ ବାହିନୀ ନିଆଁ ଲିଭାଇବା ପାଇଁ କାମ କରୁଛନ୍ତି  ଏବଂ ଏପର୍ଯ୍ୟନ୍ତ କୌଣସି ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଜାରି କରାଯାଇ ନାହିଁ

।

 

ଦଶହରାରେ ରାବଣ ନୁହେଁ ‘‘ଅସରପା ପୋଡି’’ !

ନନ୍ଦିଘୋଷ ବ୍ୟୁରୋ: ରାମଲୀଳାକୁ ଅପମାନ ! ଦଶହରାରେ ରାବଣ ବଦଳରେ ଜଳିବ ଅସରପା । ବିବାଦ ବଢିବା ପରେ ସାମ୍ନାକୁ ଆସିଲା ସତ । ଜାତୀୟ ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ଏଭଳି ଖବର । ଏଠାରେ ଏକ ରାମଲୀଳା କାର୍ଯ୍ୟକ୍ରମରେ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ପ୍ରତିମୂର୍ତ୍ତି ସହିତ ଏକ ୩୦ ଫୁଟ ଉଚ୍ଚ ଅସରପାର କୁଶପୁତ୍ତଳିକା ଦାହ କରାଯିବ । ଯାହାକୁ ନେଇ ଦେଖାଦେଇଛି ବିବାଦ । କିଛି ସୋସିଆଲ ମିଡିଆ ୟୁଜର ଧାର୍ମିକ କାର୍ଯ୍ୟକ୍ରମ ସହିତ ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛନ୍ତି, କିନ୍ତୁ ଆୟୋଜକଙ୍କ କହିବା କଥା ଯେ ଏହି ପଦକ୍ଷେପ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ।  ପିତମପୁରାରେ ବାର୍ଷିକ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି କହିଛି ଯେ, କକ୍ରୋଚ ମଇଳାର ପ୍ରତୀକ । ତେଣୁ ସ୍ବଚ୍ଚ ଭାରତ ଏବଂ ସ୍ବଚ୍ଛ ଦିଲ୍ଲୀ ଅଭିଯାନର ଅଂଶ ଭାବରେ ସ୍ବଚ୍ଛତା ବିଷୟରେ ସେଚତନକା ପ୍ରସାର କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

ସେପଟେ ଅନେକ ସୋସିଆଲ ମିଡିଆ ୟୁଜର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସମସାମୟିକ ରାଜନୈତିକ ଘଟଣାଗୁଡକୁ ଏକ ଧାର୍ମିକ ମହୋତ୍ସବ ସହ ଜୋଡିବା ଦ୍ବାରା ଏହା ଲୋକଙ୍କ ଭାବନାକୁ ଆଘାତ ଦେଇପାରେ ଏବଂ ପର୍ବର ପାରମ୍ପରିକ ଗୁରୁତ୍ବରୁ ଧ୍ୟାନ ହଟାଇପାରେ । ଏନେଇ ଜଣେ ୟୁଜର ଲେଖିଛନ୍ତି, ‘‘ଦଶହରା ଅସତ୍ୟ ଉପରେ ସତ୍ୟର ବିଜୟ । ଏହି ସୁନ୍ଦର ପରମ୍ପରାକୁ ସମସାମୟିକ ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ପାଇଁ ଏକ ମଞ୍ଚରେ କାହିଁକି ପରିଣତ କରାଯିବ ?’’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଅସରପାକୁ ରାବଣ ସହ ତୁଳନା କରିବା ଦ୍ବାରା ସିଜେପି ଉପରେ କୌଣସି ପ୍ରଭାବ ପଡିବ ନାହିଁ କିନ୍ତୁ, ଏହା ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇପାରେ । ଏହାଛଡା ଆଉ ଜଣେ ୟୁଜର ଦିଲ୍ଲୀର ପରିବେଶଗତ ଚିନ୍ତାକୁ ଉଦ୍ଧୃତ କରି ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଯେତେବେଳେ ପୂରା ସହର ପୂର୍ବରୁ ହିଁ ବାୟୁ ପ୍ରଦୂଷଣ ସହିତ ସଂଘର୍ଷ କରୁଛି, ସେତେବେଳେ ଏତେ ବଡ କୁଶପୁତ୍ତଳିକା ଜାଳିବା କଣ ଦରକାର ।

ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ରାଜନୈତି ଉଦ୍ଦେଶ୍ୟ ରଖି ଏପରି କରାଯାଉଥିବା ଚର୍ଚ୍ଚା ହେଉଛି ।

 

 

୬୫ ଲକ୍ଷରୁ ଅଧିକ ଟଙ୍କାର ହେରଫେର ଅଭିଯୋଗ: ବନ୍ଧା ହେଲେ ବରିଷ୍ଠ କିରାଣି

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିର ମହାପ୍ରଭାବ। ଖବର ପ୍ରସାରଣ ପରେ ଆକ୍ସନ୍ ମୋଡରେ ଭିଜିଲାନ୍ସ । ୬୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଅପବ୍ୟବହାର ଅଭିଯୋଗରେ ଶେଷରେ ବନ୍ଧା ହେଲେ ଜଙ୍ଗଲ ବିଭାଗର ବାବୁ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଡିଭିଜନାଲ ଫରେଷ୍ଟ ଅଫିସରଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ଥିବା ସୁଜିତ ଜେନାଙ୍କ ନାଁରେ ଦରମା, ପେନସନ୍, ଏରିଅର୍ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାର ଟଙ୍କା ହେରଫେର କରିଥିବା ନେଇ ସାଘାଂତିକ ଅଭିଯୋଗ ହୋଇଥିଲା । ସେ ପ୍ରାୟ ୩୭ ଲକ୍ଷ ୮୩ ହଜାର ୧୯୪ ଟଙ୍କାର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ସୌମ୍ୟ ରଞ୍ଜନ ବେହେରା ଓ ରଶ୍ମି ରଞ୍ଜନ ସ୍ୱାଇଁ । ସୌମ୍ୟ ରଞ୍ଜନଙ୍କ ନାଁରେ ୧୦ ଲକ୍ଷ ୪୮ ହଜାର ୮୬୬ ଟଙ୍କା ଓ ରଶ୍ମି ରଞ୍ଜନ ସ୍ୱାଇଁଙ୍କ ନାଁରେ ୮ ଲକ୍ଷ ୮୬ ହଜାର ୧୯୩ ଟଙ୍କାର ଅପବ୍ୟବହାର ନେଇ ଅଭିଯୋଗ ହୋଇଥିଲା।

ଅନ୍ୟପଟେ, ସୁଜିତଙ୍କ ମାଆ ସତ୍ୟଭାମା ଜେନାଙ୍କ ନାଁରେ ମଧ୍ୟ ୮ ଲକ୍ଷ ୭୨ ହଜାର ୫୨୦ ଟଙ୍କାର ଅପବ୍ୟବହାର ଅଭିଯୋଗରେ ଦର୍ଶାଯାଇଛି। ଟଙ୍କା ଚଳୁ କରି ଫେରାର ଅଭିଯୋଗର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ନେଇଛି ଭିଜିଲାନ୍ସ।

କୁଳପତିଙ୍କ ନିଯୁକ୍ତିକୁ ଖାରଜ କଲେ ହାଇକୋର୍ଟ !

ନନ୍ଦିଘୋଷ ବ୍ୟୁରୋ:  ଗୌହାଟି ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଆସାମ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ରାଜୀବ ମୋହନ ପନ୍ତଙ୍କ ନିଯୁକ୍ତିକୁ ଖାରଜ କରିଛନ୍ତି ହାଇକୋର୍ଟ। ୧୦ବର୍ଷର ଅଭିଜ୍ଞତା ହାସଲ କରି ନଥିବା ରାଜୀବଙ୍କୁ ଏହି ପଦବୀରେ ନିଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି ଅଦାଲତ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନିୟମ ଅନୁସାରେ କୁଳପତି କ୍ଷେତ୍ରରେ ୧୦ ବର୍ଷର ଅଭିଜ୍ଞତା ବାଧ୍ୟତାମୂଳକ ହୋଇଥିବା ସତ୍ତ୍ବେ ତାଙ୍କ କ୍ଷେତ୍ରରେ ଏହା ପାଳନ ହୋଇ ନଥିଲା। ରାଜୀବଙ୍କ ନିଯୁକ୍ତିକୁ ଖାରଜ କରି ଅକ୍ଟୋବର ୧୪ରେ ରାୟ ଶୁଣାଣିଥିଲେ ହାଇକୋର୍ଟ। ୪ ମାସ ଭିତରେ ସାନି ପ୍ରକ୍ରିୟା ଅବଲମ୍ବନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୦ ବର୍ଷର ବାଧ୍ୟତାମୂଳକ ଅଭିଜ୍ଞତା ହାସଲ କରି ନଥିବା ରାଜୀବଙ୍କୁ କିପରି କୁଳପତି ଭାବେ ନିଯୁକ୍ତି ଦିଆଗଲା- ସେନେଇ ହାଇକୋର୍ଟରେ ଦାୟର ହୋଇଥିଲା ପିଟିସନ। ରାଜୀବ ଉତ୍ତର ପୂର୍ବ ଆଞ୍ଚଳିକ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତିଷ୍ଠାନ ବା NERIST ଓ ଜାତୀୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନରେ ଅଭିଜ୍ଞତା ହାସଲ କରିଥିଲେ ବି ତାହାର ମୋଟ ସମୟ ୧୦ ବର୍ଷ ହେଉନଥିଲା। ତଥାପି ତାଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଆରଏସଏସ ଚାପରେ ରାଜୀବଙ୍କୁ ଏହି ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଥିଲା। ଏପରିକି MAରେ ରାଜୀବ ୫୫ ପ୍ରତିଶତ ମାର୍କ ରଖି ନଥିଲେ ବୋଲି ଜଣାଯାଇଥିଲା। ସେହିପରି ସର୍ଚ୍ଚ-କମ୍-ସିଲେକସନ କମିଟିରେ ବି ଅନିୟମିତତା ହୋଇଥିଲା। ଭିସିଙ୍କ ନିଯୁକ୍ତି ନେଇ ହାଇକୋର୍ଟ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ରିପୋର୍ଟ ମାଗିଥିଲେ ବି କୋର୍ଟଙ୍କୁ ସହଯୋଗ କରାଯାଇ ନଥିଲା। କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏହି ରିପୋର୍ଟ ଦିଆଯାଇଥିଲା।

ଉତ୍ତରାଖଣ୍ଡରେ ଜନ୍ମିତ ରାଜୀବ ଅତୀତରେ ଆରଏସଏସ ସହ ସମ୍ପୃକ୍ତ ଥିଲେ। ଏହି ନିଯୁକ୍ତି ବିରୋଧରେ ଗତ ୨୦୨୫ରେ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଡକ୍ଟର ସମୀର ବେହେରା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ।