spot_img
Home Blog Page 33

ଶୀତଳା ମାତା ମନ୍ଦିର ନିକଟରେ ଭୟଙ୍କର ଦୁର୍ଘଟଣା, ୧୫ ମୃତ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ଗ୍ୱାଲିୟରରେ ଭୟଙ୍କର ଦୁର୍ଘଟଣା । ଶୀତଳା ମାତା ମନ୍ଦିର ନିକଟରେ ଭକ୍ତଙ୍କ ଉପରକୁ ମାଡ଼ିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୯ ଜଣ ଆହତ କୁହାଯାଉଛି ।

ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୧ଟାରେ ଶୀତଳା ମାତା ମନ୍ଦିର ରୋଡ୍‌ରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ମନ୍ଦିର ବାହାର ପାଚେରିରେ ଧକ୍କା ହୋଇଥିଲା । ଫଳରେ ପାଚେରିଟି ଭୁଶୁଡ଼ି ପଡ଼ିଥିଲା । ପରେ ଟ୍ରକ୍‌ଟି ରାସ୍ତାରେ ଥିବା ଲୋକଙ୍କୁ ଧକ୍କା ଦେଇଥିଲା । ପାଚେରି ଭାଙ୍ଗି ପଡ଼ିବା ପରେ ମାଟି ଓ ଭଗ୍ନାବଶେଷ ତଳେ ପ୍ରାୟ ୪୦ରୁ ୫୦ ଜଣ ଲୋକ ଫସିରହିଥିଲେ । ଖବର ପାଇ, ତୁରନ୍ତ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଡାକ୍ତରୀ ଟିମ୍ ସେମାନଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର ଓ ଚିକିତ୍ସା ଜାରି ରଖିଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ, ମହିଳାଙ୍କ ସମେତ ଦୁଇ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିଛି ।

ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ଉପରେ ରୋକ୍ ଥିବା ଓ ପୋଲିସ ଚେକ୍ ପୋଷ୍ଟ ଥିବା ସତ୍ତ୍ୱେ ଧାନ ବୋଝେଇ ଟ୍ରକ୍ କିପରି ସେହି ରାସ୍ତାରେ ପ୍ରବେଶ କଲା, ସେନେଇ ଜିଲ୍ଲାପାଳ ରୁଚିକା ଚୌହାନ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଅଷ୍ଟମୀ ତିଥିରେ ମହାଗୌରୀ ରୂପରେ ଜଗତଜନନୀ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ମହାଷ୍ଟମୀ । ନବରାତ୍ରିର ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ‘ସୌମ୍ୟ ରୂପ’ ଅଟେ। ତେବେ ଆସନ୍ତୁ ଜାଣିବା କାହିଁକି ଅଷ୍ଟମୀ ତିଥିରେ ମହାଗୌରୀ ବେଶରେ ପୂଜା ପାଆନ୍ତି ଜଗତଜନନୀ ।

ଏହି ସ୍ବରୂପରେ ମାଆଙ୍କ ସଂପୂର୍ଣ୍ଣ ଶରୀର ଗୌର ବର୍ଣ୍ଣ ଅଟେ । ଶ୍ୱେତ ବସ୍ତ୍ର ପରିହିତା ଦେବୀ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ।ପୌରାଣିକ ମତ ଅନୁଯାୟୀ, ଭଗବାନ ଶିବଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ମାଆ କଠୋର ତପସ୍ୟା କରିଥିଲେ । ସେଥିପାଇଁ ତାଙ୍କ ବର୍ଣ୍ଣ ମଳିନ ପଡ଼ିଯିବା ସହ ସେ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପରେ ମାଆ ନିଜ ସ୍ବାସ୍ଥ୍ୟ ଓ ସ୍ୱରୂପର ପୁନଃ ପ୍ରାପ୍ତି ପାଇଁ ତପସ୍ୟା କରିଥିଲେ । ଏହି ତପସ୍ୟା ପରେ ମା’ ସଂପୂର୍ଣ୍ଣ ଗୌରବର୍ଣ୍ଣ ଧାରଣ କରିଥିଲେ । ଏହାପରଠୁ ମାଆଙ୍କୁ ‘ମହାଗୌରୀ’ ରୂପେ ପୂଜା କରାଯାଏ ।

ଏହି ରୂପରେ ମାଆଙ୍କ ବିଭିନ୍ନ ଅଲୌକିକ ଲୀଳା ମଧ୍ୟ ରହିଛି। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ ଓ ଚୈତନ୍ୟମୟୀ ବୋଲି ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ, ମାଆଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହେବା ସହ ମାନସିକ ଶାନ୍ତିରେ ଅଭିବୃଦ୍ଧି ହୋଇଥାଏ । ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ ।

ଆଜିଠୁ ଜାପାନରେ ୫ମ ଏସିଆନ୍ ପାରା ଗେମ୍ସ, ୪୫ଟି ଦେଶର ଖେଳାଳି ସାମିଲ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଜାପାନର ଆଇଚି-ନାଗୋୟାଠାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ । ‘ଇମାଜିନ୍ ୱାନ୍ ହାର୍ଟ’  ମୋଟୋ ସହିତ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଏସିଆର ୪୫ଟି ଦେଶରୁ ପ୍ରାୟ ୩,୦୦୦ ପାରା-ଆଥଲେଟ୍ ୧୮ଟି ଭିନ୍ନ ଭିନ୍ନ ଖେଳରେ ନିଜର ଭାଗ୍ୟ ପରୀକ୍ଷା କରିବେ । ଜାପାନର ପାଲୋମା ମିଜୁହୋ ଷ୍ଟାଡିୟମରେ ଆଜି ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଓଡ଼ିଶାର ଗର୍ବ ପାରା-ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଓ ଦ୍ରୁତ ଧାବିକା ସିମରନ୍ ଶର୍ମା । ଏହି ଦୁଇ ଷ୍ଟାର୍ ଆଥଲେଟ୍ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରି ଦଳର ମାର୍ଚ୍ଚ ପାଷ୍ଟର ନେତୃତ୍ୱ ନେବେ। ଚଳିତ ଥର ଭାରତ ତରଫରୁ ୨୮୧ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ପଠାଯାଇଛି । ଯେଉଁଥିରେ ୧୧୨ ଜଣ ପୁରୁଷ ଓ ୫୬ ଜଣ ମହିଳାଙ୍କ ସହ ମୋଟ ୧୬୮ ଜଣ ଆଥଲେଟ୍ ୧୧ଟି କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛନ୍ତି ।

ଖେଳର ପ୍ରଥମ ଦିନରେ ହିଁ ଭାରତ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଆନୁଷ୍ଠାନିକ ଉଦ୍‌ଘାଟନୀ ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତର ପଦକ ପକ୍କା ହୋଇସାରିଛି । ମହିଳା ବ୍ୟାଡମିଣ୍ଟନ ଡବଲ୍ସରେ ମାନସୀ ଜୋଶୀ ଓ ତୁଳସୀମତି ମୁରୁଗେସନଙ୍କ ଯୋଡ଼ି ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି, ଯାହା ଦ୍ୱାରା ଭାରତର ପ୍ରଥମ ପଦକ ନିଶ୍ଚିତ ହୋଇଛି । ଏହା ସହିତ ପାରାଲିମ୍ପିକ୍ ଚାମ୍ପିୟନ କୃଷ୍ଣା ନାଗର ଓ ନୀତେଶ କୁମାର ମଧ୍ୟ ବିଜୟର ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ସୋମବାର ଅର୍ଥାତ୍ ଅକ୍ଟୋବର ୧୯ରୁ ମୁଖ୍ୟ ମେଡାଲ୍ ଇଭେଣ୍ଟ ଗୁଡ଼ିକ ଆରମ୍ଭ ହେବ, ଯେଉଁଠି ଭାରତର ସୁମିତ ଅଣ୍ଟିଲ, ଅବନୀ ଲେଖରା ଓ ଶୀତଲ ଦେବୀଙ୍କ ଭଳି ଷ୍ଟାର୍ ଖେଳାଳି ମାନେ ମଇଦାନକୁ ଓହ୍ଲାଇବେ

ସାଉଦି ଆକ୍ରମଣରେ ୟେମେନ୍ ର ୩ ଶିଶୁ ମୃତ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି ହୁତି ଓ ସାଉଦି ଆରବ ସଂଘର୍ଷ । ତେଣେ ୟେମେନ୍ ଉପରେ ଆକ୍ରମଣ କରିଛି ସାଉଦି ଆରବ । ଶନିବାର ରାତି ତମାମ ସାଉଦି ଆରବ ଆକ୍ରମଣ କରିଥିବା ବେଳେ ୟେମେନ୍ ରେ ୩ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଛି । ଏନେଇ ହୁତି ବିଦ୍ରୋହୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହୁତିଙ୍କ ସବା ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ସାଉଦି ବାୟୁସେନା ପକ୍ଷରୁ ଧାମାର ପ୍ରଦେଶର ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ହୁତିଙ୍କ ପକ୍ଷରୁ ସାଉଦି ଉପରେ ବାରମ୍ବାର ଆକ୍ରମଣ ହେଉଛି । ଯେଉଁଥିରେ ଲୋହିତ ସାଗରରେ ଥିବା ଜାହାଜ, ତୈଳ କେନ୍ଦ୍ର ଓ ରିୟାଦର ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି ।

ଗତ ସପ୍ତାହରେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ହୁତିମାନଙ୍କ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୩ରୁ ଅକ୍ଟୋବର ୧୫ ତାରିଖ ମଧ୍ୟରେ ସାଉଦିର ଆକ୍ରମଣରେ ୧୧୫ ଜଣ ୟେମେନ୍ ନାଗରିକଙ୍କ ମୃତ୍ୟୁ ‌ହୋଇଥିବାବେଳେ ୩୦୫ ଜଣ ଆହତ ହୋଇଛନ୍ତି।

କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ୪୦ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜାରେ ଅଘଟଣ। ଉତ୍ତର କୋଲକାତା ଚୋରବାଗାନ ପୂଜା ପେଣ୍ଡାଲ ଭୁଶୁଡ଼ିବା ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ପାଖାପାଖି ୪୦ ଜଣ ଆହତ ହୋଇଥି୍ବା ନେଇ କୁହାଯାଉଛି।

ସୂଚନା ଅନୁଯାୟୀ, ଶନିବାର ରାତି ୭ଟା ୪୦ରେ ଏହି ଅଘଟଣ ଘଟିଥିଲା। ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ଯୋଗୁଁ ପେଣ୍ଡାଲର କିଛି ଅଂଶ ଭାଙ୍ଗି ପଡ଼ିଥିଲା। ପରେ ଆରମ୍ଭ ହୋଇଥିଲା ଦଳାଚକଟା। ଏନେଇ ଖବର ମିଳିବା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ମଣ୍ଡପ ପରିସରରେ ଥିବା ସିସିଟିଭି ଫୁଟେଜକୁ ଜବତ କରାଯାଇଛି। ଆହତମାନଙ୍କୁ କଲିକତା ମେଡିକାଲ କଲେଜ ସମେତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ପଶ୍ଚିମବଙ୍ଗ ସରକାର ହେଲପଲାଇନ ନମ୍ବର1800-345-5678 ଜାରି କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ। ସେପଟେ ଏହି ଘଟଣାକୁ ନେଇ ଉଦବେଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଦେବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

ଆଜି ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆଜି ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ । ଦିନ ୧୧ଟାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରୀଶ ଟଣ୍ତନ ନବନିଯୁକ୍ତ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀଙ୍କ ସମେତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ହାଇକୋର୍ଟ ବିଚାରପତି, ସାଂସଦ ଓ ବିଧାୟକଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ଯୋଗ ଦେବେ ।

ଶନିବାର ଶ୍ରୀ ରାମ ଓ ତାଙ୍କ ପତ୍ନୀଙ୍କ ସହ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶା ଆସିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ‌ହେମନ୍ତ ଶର୍ମା, ପୋଲିସ ଡିଜି ବିନୟତୋଷ ମିଶ୍ର, ରାଜ୍ୟପାଳଙ୍କ ସଚିବ ରୂପାରୋଶନ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ବରିଷ୍ଠ ନେତାମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହାପରେ ଉଭୟ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀ ଲୋକଭବନରେ କିଛି ସମୟ ବିତାଇଥିଲେ । ସଂଧ୍ୟାରେ ଶ୍ରୀ ରାମ ପତ୍ନୀଙ୍କ ସହ ଭୁବନେଶ୍ବରସ୍ଥିତ ଲୋକଭବନରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସୂଚନା ଥାଉ କି, ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ବ୍ରଜ ମୋହନ ରାମ ୧୯୯୧ରୁ ୧୯୯୫ ଯାଏଁ ବିହାରର ଲାତେହର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ପରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ପାଲାମୁ ଲୋକସଭାରୁ ୧୯୯୬, ୧୯୯୮ ଓ ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଝାଡ଼ଗଣ୍ଡ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି। ବିଜେପିର ଜଣେ ଟାଣୁଆ ନେତା ହୋଇଥିବାରୁ ଓଡ଼ିଶା ରାଜ୍ୟପାଳ ଭାବେ ଆସିଲା ପରେ ବିଜେପିର ଶକ୍ତି ବୃଦ୍ଧି ପାଇଁ କାମ କରିବେ ବୋଲି କହିଥିଲେ।

ଛାତ୍ର ସଂସଦ ନିର୍ବାଚନ ପରେ ଏବେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର : ପଂଚାୟତ ନିର୍ବାଚନ ପୂର୍ବରୁ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି ରାଜ୍ୟ ସରକାର। ପ୍ରଥମେ ପ୍ରତି ପଂଚାୟତକୁ ବର୍ଷକୁ ୩ କୋଟି ଟଙ୍କା ଦେବା ପରେ ଏବେ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଂଜୁର କରିଛନ୍ତି। ଏଥିପାଇଁ  ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରିଛନ୍ତି ସରକାର। ହେଲେ ବିଜେଡି ଅଭିଯୋଗ କରିଛି, ବିଜେପି ସରକାର ଗଠନ କରିବାର ଅଢେଇ ବର୍ଷ ହୋଇଥିଲେ ମଧ୍ୟ ଲୋକଙ୍କ ପାଖରେ କୌଣସି ଯୋଜନା ପହଞ୍ଚାଇ ପାରୁ ନାହାନ୍ତି। ଏ ସରକାର ଅପାରଗ ବୋଲି ସମସ୍ତେ ଜାଣିଲେଣି। ଓଡ଼ିଶାବାସୀ ମୋହନ ସରକାର ଉପରୁ ମୁହଁ ଫେରାଇଲେଣି। ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଭତ୍ତା ନ ମିଳିବା, ଚାଷୀଙ୍କ ଧାନ କିଣା ନ ହେବା, ସାର ନ ମିଳିବା, ରାସନ ସମସ୍ୟା ଲାଗି ରହିଛି।  ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ସରକାର ବିଫଳ। ତେଣୁ ଛାତ୍ର ସଂସଦ ନିର୍ବାଚନରେ ସରକାରଙ୍କୁ ଉଚିତ ଜବାବ ଦେଇଛନ୍ତି ଛାତ୍ରଛାତ୍ରୀ। ଏହାର ପ୍ରଭାବ ପଡ଼ିବ ପଞ୍ଚାୟତ ନିର୍ବାଚନରେ। ସରକାର ଯେତେ ପ୍ୟାକେଜ ଘୋଷଣା କଲେ ମଧ୍ୟ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ ନାହିଁ। ବିଜେପି ପଞ୍ଚାୟତ ଦଖଲ କରି ପାରିବ ନାହିଁ ବୋଲି କହିଛି ବିଜେଡି।  …

ବିରୋଧୀ ଦଳରେ ଥାଇ ବି ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଂଗଠନ ବଡ଼ ବିଜୟ ହାସଲ କରିଥିବାରୁ ଚିନ୍ତାରେ ପଡ଼ିଛି ଶାସକ ଦଳ। କୁହାଯାଉଛି, ୨୦୨୯ ରେ ରାଜ୍ୟରେ ହେବ ଶାସନର ପଟ୍ଟ ପରିବର୍ତ୍ତନ। କଂଗ୍ରେସ ଆଶା ରଖିଛି, ଛାତ୍ର ସଂସଦ ନିର୍ବାଚନରେ ଭଲ ପ୍ରଦର୍ଶନ ହୋଇନଥିଲେ ମଧ୍ୟ ଦଳ ପଂଚାୟତ ନିର୍ବାଚନରେ ଭଲ କରିବ। ସେପଟେ ବିଜେପି ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, ଛାତ୍ର ସଂସଦ ପରି ପଂଚାୟତ ବି ଦଖଲ କରିବ ବିଜେପି।  …

ଛାତ୍ର ସଂସଦ ନିର୍ବାଚନ ସରୁ ସରୁ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ।

 

ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଭୁବନେଶ୍ବରରେ

ଭୁବନେଶ୍ବର :ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ବିମାନବନ୍ଦରରେ ଦିଆଗଲା ଗାର୍ଡ଼ ଅଫ୍ ଅନର୍। ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ପ୍ରମୁଖ। ଆସନ୍ତାକାଲି ଲୋକଭବନର ଅଭିଷେକ ହଲରେ ହେବ ଶପଥ ଗ୍ରହଣ। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ କରାଇବେ ପଦ ଗୋପନୀୟତାର ଶପଥ ପାଠ।  ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହେବ ଶପଥ ଗ୍ରହଣ ଉତ୍ସବ। ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ବ୍ରଜ ମୋହନ ରାମ ୧୯୯୧ରୁ ୧୯୯୫ ଯାଏଁ ବିହାରର ଲାତେହର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ପରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ପାଲାମୁ ଲୋକସଭାରୁ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଝାଡ଼ଗଣ୍ଡ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ସସ୍ତ୍ରୀକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଗସ୍ତ କରିଥିଲେ।

ରାଜ୍ୟପାଳ ଭାବେ ନାମ ଘୋଷଣା ପରେ ବ୍ରଜ ମୋହନ ରାମଙ୍କ ବିବୃତିକୁ ନେଇ ଚର୍ଚ୍ଚା ହୋଇଥିଲା। ବିଜେପିର ଜଣେ ଟାଣୁଆ ନେତା ହୋଇଥିବାରୁ ଓଡ଼ିଶା ରାଜ୍ୟପାଳ ଭାବେ ଆସିଲା ପରେ ବିଜେପିର ଶକ୍ତି ବୃଦ୍ଧି ପାଇଁ କାମ କରିବେ ବୋଲି କହିଥିଲେ। ଯଦିଓ ପରେ ତାଙ୍କ ବିବୃତି ବଦଳାଇଥିଲେ, ହେଲେ ଏହାକୁ ନେଇ ରାଜ୍ୟ ଓ ଦେଶରେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ।

ଓଡ଼ିଶାରେ ତିନି ବର୍ଷରେ ତିନି ରାଜ୍ୟପାଳ ଦେଖିଲାଣି। ପୂର୍ବତନ ରାଜ୍ୟପାଳ ରଘୁବର ଦାସ ତାଙ୍କ ପୁଅର ଆଚରଣ ପାଇଁ ନିନ୍ଦିତ ହେବା ସହ ଅତ୍ୟଧିକ ରାଜନୈତିକ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏହାପରେ ହରିବାବୁ କମ୍ଭମପାଟି ଦୁଇ ବର୍ଷ ପୂରଣ କରିବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ସରିଯାଇଛି। କୁଳପତି ମାନଙ୍କ ବୈଠକ ପରେ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା ହୋଇଥିଲା।

୬୦%ରୁ ଅଧିକ କଲେଜ, ୫୦% ବିଶ୍ବବିଦ୍ୟାଳୟରେ ଶଙ୍ଖନାଦ

ଭୁବନେଶ୍ବର : ରାଜ୍ୟର ୨୮୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ୧୭୦ କଲେଜରେ ବିଜେଡି ବିଜୟ ଲାଭ କରିଥିବାର ଦମ୍ଭୋକ୍ତି ଦେଖାଇ ଆସିଛି ଛାତ୍ର ବିଜେଡି । ଆଜି ନବୀନ ନିବାସର ଦୃଶ୍ୟ ଦେଖି ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ମାଲକାନଗିରିରୁ ମୟୂରଭଞ୍ଜ, କଟକରୁ କେନ୍ଦ୍ରାପଡ଼ା, ବାଲେଶ୍ବରରୁ କୋରାପୁଟ, ସାରା ରାଜ୍ୟରେ ଛାତ୍ର ବିଜେଡି ପକ୍ଷରୁ କଲେଜ ନିର୍ବାଚନ ଜିତିଥିବା ଛାତ୍ର ନେତାଙ୍କ ଭିଡ଼ ଜମିଥିଲା । ନବୀନଙ୍କ ସମାନ୍ୟ ଝଲକ ପାଇ ଫଟୋ ଓ ସେଲଫି ଉଠାଇବାକୁ ସମସ୍ତଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା । ଛାତ୍ର ସଂସଦ ନିର୍ବାଚନରେ ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ସ୍ବୀକାର କରି ସମସ୍ତେ ପହଞ୍ଚିଥିଲେ ନବୀନ ନିବାସ । ବିଜୟ ଲାଭ କରିଥିବା ଛାତ୍ର ବିଜେଡିର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ପ୍ରକୃତ ଜେନ-ଜିର ଆଖ୍ୟା ଦେଇଥିଲେ ନବୀନ ପଟ୍ଟନାୟକ ।

ଛାତ୍ର ସଂସଦ ନିର୍ବାଚନରେ ବାରମ୍ବାର ଦେଖିବାକୁ ମିଳିଥିଲା ସରକାରୀ କଳ ସହ ଅର୍ଥ ଓ ବାହୁ ବଳର ଅପବ୍ୟବହାର । ହେଲେ ରାଜ୍ୟ ବିଜେପି ଅନୈତିକ ଉପାୟ ଅଵଲମ୍ବନ କରିଥିବା ସତ୍ତ୍ବେ ବିଜେଡି ଜିତିଥିବାରୁ ଛାତ୍ର ବିଜେଡି ନେତାମାନେ ବହୁତ ଭଲ କରିଥିବା ନେଇ ନବୀନ ସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁଥି ପାଇଁ ୬୦ ପ୍ରତିଶତରୁ ଅଧିକ କଲେଜ ଜିତିଛନ୍ତି ଓ ୫୦ ପ୍ରତିଶତ ବିଶ୍ବବିଦ୍ୟାଳୟରେ ଛାତ୍ର ବିଜେଡି ଜିତିଛି । ସେହିପରି ଓଡ଼ିଶାର ସମସ୍ତ ଛାତ୍ର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ । ବିଜେଡି ସବୁବେଳେ ଛାତ୍ର ସମାଜ ସହ ଠିଆ ହୋଇଛି ଓ ଠିଆ ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି । ତେବେ ଛାତ୍ର ନିର୍ବାଚନରେ ବିଜେପି ନିମ୍ନ ସ୍ତରକୁ ଖସି ଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ହେଲେ ସତ୍ୟ, ନ୍ୟାୟ ଓ ଅହିଂସା ସମେତ ନବୀନ ପଟ୍ଟନାୟକଙ୍କ ଆଦର୍ଶର ଜୟ ହୋଇଥିବା ନେଇ ସୁଜାତା ସ୍ପଷ୍ଟ କରିଛନ୍ତି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଉଦାହରଣ ଭାବେ ନେଇ ସେ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ୧୫୦୦ ଭୋଟ ଗଣିବାକୁ ୧୫ ଘଣ୍ଟା ଲାଗିବା ବିଜେପି ସରକାରଙ୍କ ଦକ୍ଷତାର ପ୍ରମାଣ ଦେଇଛି । ଏହା ଦ୍ବାରା ଆଗାମୀ ପୀଢ଼ିକୁ ବିଜେପି ସରକାର କଣ ବାର୍ତ୍ତା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ବିଜେପି ଆତ୍ମସମୀକ୍ଷା କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଜେନ-ଜି ଏବେ ଜାଗ୍ରତ ଓ ବିଜେପି ସରକାରକୁ ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । କାରଣ ବିକାଶ କାମ କରିବା ବଦଳରେ ବିପରିତ ମାର୍ଗରେ ସରକାର ଯାଉଥିବା ନେଇ ବିଜେଡି ଅଭିଯୋଗ କରିଛି । ସରକାରୀ କଳ ବଳ କୌଶଳ ଓ ଅର୍ଥ ବଳ ଲଗାଇ ନିର୍ବାଚନ ଜିତିବାକୁ ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଗଲା । ହେଲେ ଜେନ-ଜିଙ୍କ ଆକ୍ରୋଶର ହିସାବ କରିବାକୁ ରାଜ୍ୟ ବିଜେପି ସରକାର ଭୁଲି ଯାଇଥିବାର କଟାକ୍ଷ କରିଛି ବିଜୁ ଜନତା ଦଳ ।

 

ଓଡିଶାର ଖଣି ଉପରେ ଆନ୍ଧ୍ରର ଆଖି

ଭୁବନେଶ୍ବର  : ଓଡିଶାର ଖଣି ଉପରେ ଆନ୍ଧ୍ରର ଆଖି । କୋଟିଆ ନିର୍ବାଚନ ନେଇ ଉଷ୍ମ ରାଜ୍ୟ ରାଜନୀତି । ବିଜେଡି କହିଲା କୁଆଡେ ଗଲା ଓଡ଼ିଆ ଅସ୍ମିତା ? ସରକାରଙ୍କ ନିରବତାକୁ ନେଇ ବର୍ଷିଲା କଂଗ୍ରେସ ।.. ..ଓଡ଼ିଶାରେ ଆନ୍ଧ୍ର କରିବ ପଂଚାୟତ ନିର୍ବାଚନ । ଏଥିପାଇଁ ପ୍ରକାଶ କରିଛି ବିଜ୍ଞପ୍ତି । ଯାହାକୁ ନେଇ ସାରା ଓଡ଼ିଶାରେ ପ୍ରତିବାଦର ସ୍ୱର । ବାରମ୍ବାର ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି କୋଟିଆକୁ ନିଜ କବଜାକୁ ନେବାକୁ ଚାହୁଁଛି ହେଲେ ଓଡିଶା ସରକାର ସବୁ ଜାଣି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଯାହାଜୁ ନେଇ ମୋହନ ସରକାର ଉପରେ ବର୍ଷିଛି ବିଜେଡି । ବିଜେପି ସରକାରର ଓଡ଼ିଆ ଅସ୍ମିତା ନାରା କୁଆଡେ ଗଲା ବୋଲି ଦଳ ପ୍ରଶ୍ନ କରିଛି ।  କୋଟିଆ ଓଡ଼ିଶାର । ଏଠି ଆନ୍ଧ୍ରକୁ ପଂଚାୟତ ନିର୍ବାଚନ କରାଇ ଦିଆଯିବ ନାହିଁ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । ଟ୍ରିପଲ ଇଂଜିନ ସରକାର ଥାଇ କାହିଁକି ବିଜେପି ଓଡ଼ିଶାର ସୀମାକୁ ସୁରକ୍ଷା ଦେଉନାହିଁ ବୋଲି ଦଳ ପ୍ରଶ୍ନ କରିଛି ।

କୋଟିଆ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ଓଡ଼ିଶାର ଜମିକୁ ବିଜେପି ସରକାର ଆନ୍ଧ୍ର ପାଖରେ ବନ୍ଧା ପକାଇଛି ବୋଲି ଦଳ ଅଭିଯୋଗ କରିଛି । କୋଟିଆରେ ଥିବା ଖଣିଜ ସମ୍ପଦ ଉପରେ ଆନ୍ଧ୍ର ସରକାର କୁନଜର ପକାଇଛି । ସେଥିପାଇଁ ଆନ୍ଧ୍ର ଓଡ଼ିଶାରେ ଅନୁପ୍ରବେଶ କରୁଛି । ଓଡିଶା ଗଠନର ୧୯ ବର୍ଷ ପରେ ଗଠିତ ଆନ୍ଧ୍ର କିପରି କୋଟିଆକୁ ନିଜର କରିବାକୁ ଚାହୁଁଛି ବୋଲି ରାଜ୍ୟ ସରକାରକୁ ପ୍ରଶ୍ନ କରିଛି ଦଳ । ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ରାଜ୍ୟ ସରକାର ଓଡ଼ିଆ ତ ବୋଲି ପ୍ରଶ୍ନ କରି ଦଳ କଟାକ୍ଷ କରିଛି । ବିଜେପି ସାଂସଦ ମାନେ କୋଟିଆ ପ୍ରସଙ୍ଗରେ ଚୁପ କାହିଁକି ? କଂଗ୍ରେସ ଏ ସବୁର ବିରୋଧ କରିବ । କଂଗ୍ରେସର ସ୍ୱତନ୍ତ୍ର ଟିମ କୋଟିଆ ଯିବ ବୋଲି ଦଳ କହିଛି । ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଚିରାଚରିତ ଉତ୍ତର ରଖିଛି ।

କୋଟିଆରେ ବାରମ୍ବାର ଆନ୍ଧ୍ରର ବିଭିନ୍ନ ମନମୁଖୀ କାର୍ଯ୍ୟକ୍ରମ ନେଇ ବିଜେପି ସରକାରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । ଆନ୍ଧ୍ର କୋଟିଆକୁ ନେଇ ଷଡ଼ଯନ୍ତ୍ର କରୁଥିବା ବେଳେ ଓଡିଶା ସରକାର କାହିଁକି ଚୁପ ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି ।..