spot_img
Home Blog Page 3206

ମୃତକଙ୍କ ଆତ୍ମାର ସଦଗତି ପାଇଁ ବାହାନଗାରେ ଚାଲିଛି ବେଦପାଠ

ବାଲେଶ୍ବର: ଆଜି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ମହାଯଜ୍ଞ । ଏହାସହିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଉଛି । ଭୋର ୫ଟାରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛି । ଆଉ କିଛି ସମୟ ପରେ ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ କରାଯିବ ।

ପରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସାମୂହିକ ବେଦପାଠ ଓ ଦୀପଦାନ କରିବା କାର୍ଯ୍ୟକ୍ରମ ରହିଛି । ବାହାନଗାରେ ଲୌହ ଦାନବର ନରସଂହାର ଏବେ ବି ଲୋକଙ୍କ ମନରୁ ଯାଇନି । ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ କାମନା କରି ବାହାନଗାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଆସନ୍ତାକାଲି ସକାଳେ କଳସ ଶୋଭାଯାତ୍ରା କରାଯିବ । ଅପରାହ୍ଣରେ ବିଷ୍ଣୁପୁର ଋତମ୍ଭରା ଆର୍ନ୍ତଜାତୀୟ ସଂଘ ତରଫରୁ ୫୦୦୮ ଦୀପଦାନ କରାଯିବ ।

ଭଦ୍ରକରେ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି 5T ସଚିବ

ଭଦ୍ରକ: ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ବିକାଶର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି 5T ସଚିବ । ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରିବେ । ପରେ କ୍ରିଉ ଟ୍ରେନିଂ ସେଣ୍ଟର ଯିବେ 5T ସଚିବ । ସେଠାରେ ମିଶନ ଶକ୍ତି କାଫେ ଯାଇ ମାଆଙ୍କ ସହିତ ଆଲୋଚନା କରି ଜଳଖିଆ କରିବେ ।

କାଳି ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିବେ 5T ସଚିବ । ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯାଇ ଅଗ୍ରଗତିର ସମୀକ୍ଷା କରିବେ । ଏହି ପ୍ରକଳ୍ପ ଦ୍ବାରା ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁରକୁ ପାନୀୟ ଜଳ ଯୋଗାଣ ହେବ । ପରେ ଇନଡୋର ଷ୍ଟାଡିୟମ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ବାସୁଦେବପୁରରେ ବସଷ୍ଟାଣ୍ଡ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।

ସିଏଚସିରେ ଆମ ହସପିଟାଲ ରୂପାନ୍ତରଣ କାମର ଅନୁଧ୍ୟାନ କରିବା ପରେ ଏବି ହାଇସ୍କୁଲରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ BCCUBB ହାଇସ୍କୁଲରେ ରୂପାନ୍ତରଣ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ । ରକ୍ତତୀର୍ଥ ଇରାମ ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ । ପରେ ଦିନତମାମ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ।

ତାତିଠୁ କଲବଲ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା, ମୁଖ୍ୟ ଶାସନ ସଚିବ ନେବେ ବୈଠକ

ଭୁବନେଶ୍ବର: ଉତ୍କଟ ବିଦ୍ୟୁତ୍ କାଟ୍ ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଆଜି ଟାଟା ପାଓ୍ବାର ସହ ମୁଖ୍ୟ ଶାସନ ସଚିବ ବୈଠକ ନେବେ । ବ୍ୟାକଅପ୍ ପ୍ଲାନ୍ ସହ ବିପର୍ଯ୍ୟୟ ପରେ ବିଦ୍ୟୁତ୍ ସରବରାହ ଶୀଘ୍ର କାର୍ଯ୍ୟକ୍ଷମ ହେବାର ମେକାନିଜିମ୍ ନେଇ ବିତରଣ କମ୍ପାନୀଙ୍କୁ ମଡେଲ ମଗାଯିବ । କାଳବୈଶାଖୀ ପରେ ପାରଦ ନିୟମିତ ୪୦ ଡିଗ୍ରୀ ଉପରେ ରହୁଛି ।

ଦିନରେ ଟାଣ ଖରା ସାଙ୍ଗକୁ ରାତିରେ ଗରମ ଗୁଳୁଗୁଳି ଅସହ୍ୟ କରୁଛି । ଏଥିପାଇଁ ଫ୍ୟାନ୍ ଓ ଏସି ଭରସା । କିନ୍ତୁ କେଉଁଠି ଲୋ’ ଭୋଲଟେଜ୍ ତ କେଉଁଠି ଟ୍ରାନସଫର୍ମର ଲୋଡ୍ ନେଇ ପାରୁନି । ବିଦ୍ୟୁତ୍ କାଟ୍ ଯୋଗୁ ଲୋକ ତତଲା କଡ଼େଇରେ ସିଝୁଛନ୍ତି । କାଳବୈଶାଖୀ ପରେ ମନ୍ଥର ଗତିରେ ମରାମତି ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପରର ବ୍ୟାକଅପ୍ ପ୍ଲାନ୍ ନଥିବାରୁ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ଭର୍ତ୍ସନା କରିଥିଲେ ରାଜନେତା

ଆସନ୍ତା ୧୪ ଯାଏଁ ସିଝିବ ଓଡିଶା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଅଗ୍ନିବର୍ଷା । ଉପାନ୍ତରୁ ଉପକୂଳ ସବୁଠି ସ୍ଥିତି ସାଙ୍ଘାତିକ । ତତଲା ତାଓ୍ବାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆସନ୍ତା ୧୪ ତାରିଖ ଯାଏଁ ଜାରି ହୋଇଛି ସିଭିୟର ହିଟଓ୍ବେଭ୍ ଆଲର୍ଟ । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ ।

ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା, ୮୮% ଆଦ୍ରତା ରେକର୍ଡ ହୋଇଛି । ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ ଛୋଟ ପିଲା , ବୟସ୍କ ବ୍ୟକ୍ତି ତଥା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ଆଜି ପ୍ରବଳ ଖରା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝର ଲାଗି ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ସୁନ୍ଦରଗଡ, କନ୍ଧମାଳ, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କାଲି ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେଣୁ ସିଧାସଳଖ ଖରାରୁ ଦୁରେଇ ରହିବା ସହ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଖରାଟିଆ ଚାଷ କରିଥିବା ଚାଷୀ ଭାଇମାନେ ନିଜ ଜମିରେ ଜଳସେଚନ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ସହ ସିଧାସଳଖ ଖରାରୁ ଦୁରେଇ ରଖିବାକୁ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ପ୍ରାକମୌସୁମୀ ବର୍ଷାର ଅଭାବ ତାପମାତ୍ରା ବୃଦ୍ଧିର କାରଣ ହୋଇଛି । ବାତ୍ୟା ‘ବିପର୍ଯ୍ୟୟ’ ଉପକୂଳମୁହାଁ ହେଲେ ଯଦି ଜଳୀୟବାଷ୍ପ ଓଡ଼ିଶାମୁହାଁ ହେବ ତେବେ ତାପମାତ୍ରାରେ ଘଟିପାରେ ପରିବର୍ତ୍ତନ ।

ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଲେ ଜୋକୋଭିକ, ବିଜୟ ସହ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାଁରେ କଲେ

ପ୍ୟାରିସ: ସର୍ବିଆର ଟେନିସ ଷ୍ଟାର ନୋଭାକ ଜୋକୋଭିକ ତୃତୀୟଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ୩୬ ବର୍ଷୀୟ ଜୋକୋଭିକ ନରୱେର ଟେନିସ ତାରକା କ୍ୟାପ୍ସର ରୁଡଙ୍କୁ ପୁରୁଷ ଏକକ ଫାଇନାଲରେ ୭-୬, ୬-୩, ୭-୫ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ସପ୍ତମ ଥର ପାଇନାଲ ମୁକାବିଲା ଖେଳୁଥିଲେ । ଜୋକୋଭିକଙ୍କ ଏହା ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅଟେ । ସେ ରାଫେଲ ନାଡାଲଙ୍କ ୨୨ ଟାଇଟଲ ବିଜୟ ରେକର୍ଡକୁ ପଛରେ ପକାଇଛନ୍ତି । ସେ ମେନ୍ସ ଟେନିସରେ ସବୁଠୁ ଅଧିକ ଗ୍ରାଣ୍ଡ ସ୍ଲାମ ଜିତିଥିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଜୋକୋଭିକ ଫ୍ରେଞ୍ଚ ଓପନ ଜିତିଥିବା ସବୁଠୁ ବୟସ୍କ ଖେଳାଳି ଭାବେ ମଧ୍ୟ ଜଣାଯାଇଛନ୍ତି । ସେ ୩୬ ବର୍ଷ ୨୦ ଦିନର ବୟସରେ ଏହି ସଫଳତା ଅର୍ଜନ କରିଛନ୍ତି । ଜୋକୋଭିକ ରାଫେଲ ନାଡାଲଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ।

ରାଫେଲ ଗତ ବର୍ଷ ୩୬ ବର୍ଷ ୨ ଦିନର ବୟସରେ ଏହି ଟାଇଟଲ ଜିତିଥିଲେ । ଜୋକୋଭିକ ଲଗାତାର ଦ୍ୱିତୀୟଥର ଗ୍ରାଣ୍ଡସ୍ଲାମ ମଧ୍ୟ ଜିତିଛନ୍ତି । ସେ ଜାନୁଆରୀରେ ଆୟୋଜିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ମଧ୍ୟ ନିଜ ନାଁରେ କରିଥିଲେ । ସେବେ ଜୋକୋଭିକ ଗ୍ରୀସର ଷ୍ଟେଫନୋସ ସିତସିପାସଙ୍କୁ ଲଗାତାର ସେଟରେ ୬-୩, ୭-୬, ୭-୬ ରେ ହରାଇଥିଲେ । ଜୋକୋଭିକ ତୃତୀୟ ଥର ଫ୍ରେଞ୍ଚ ଓପନ ଜିତିଛନ୍ତି । ସେ ସବୁଠୁ ଅଧିକ ୧୦ ଅଷ୍ଟ୍ରେଲିଆନ ଓପନ, ୭ ୱିମ୍ବଲଡନ, ୩ ୟୁଏସ୍ ଓପନ, ୩ ଫ୍ରେଞ୍ଚ ଓପନ ଟାଇଟଲ ନିଜ ନାଁରେ କରିଛନ୍ତି । ସେ ପ୍ରଥମଥର ୨୦୧୬ରେ ଫ୍ରେଞ୍ଚ ଓପନ ଜିତିଥିଲେ । ଏହାପରେ ୨୦୨୧ରେ ଦ୍ୱିତୀୟଥର ଜିତିଥିଲେ । ପ୍ରତ୍ୟେକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ସର୍ବନିମ୍ନ ତିନୋଟି ଟାଇଟଲ ଜିତିବାରେ ରେକର୍ଡ ମଧ୍ୟ ସେ ହାସଲ କରିଛନ୍ତି ।

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା: ସିବିଆଇ ହେପାଜତରେ ୫ ଅଭିଯୁକ୍ତ

ବାଲେଶ୍ୱର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ସିବିଆଇ ହେପାଜତରେ ୫ ଅଭିଯୁକ୍ତ ଥିବା ସୂଚନା । ବାହାନଗା ଷ୍ଟେସନର ASMଙ୍କ ସହ ୫ଜଣ CBI ହେପାଜତରେ ଥିବା ସୂଚନା । ୪ ସିଗନାଲ କର୍ମଚାରୀଙ୍କୁ ପଚରାଉଚରା ପରେ ହେପାଜତକୁ ସେମାନଙ୍କୁ ନେଇଥିବା ସୂଚନା ମିଳିଛି । CBIର ଅନ୍ୟ ଏକ ୪ଜଣିଆ ଟିମ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରିଛି । କ୍ୟାମେରା ସାହାଯ୍ୟରେ କ୍ଷତିଗ୍ରସ୍ତ ଟ୍ରାକର CBI ସ୍କାନିଂ କରିଛି । ଗତ ଜୁନ ୨ ତାରିଖରେ ବାହାନଗାରେ ଭୟଙ୍କର ଦୁର୍ଘଟଣା ଘଟିବା ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା ।

ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ତିନି ପରିବର୍ତ୍ତନ ପାଇଁ ପରାମର୍ଶ ଦେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲରେ ପୁଣି ଗୋଟେଥର ଭାରତକୁ ବିଫଳତାର ସାମ୍ନା କରିବାକୁ ପଡ଼ିଛି । ରବିବାର ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନରେ ପରାଜିତ କରିଛି । ଲଣ୍ଡନର ଦ ଓଭାଲ ମୈଦାନରେ ଏହି ମହାମୁକାବିଲା ହୋଇଥିଲା । ପ୍ରକାଶଥାଉକି, ଭାରତକୁ ଡବ୍ଲୁଟିସି ଫାଇନାଲରେ ଲଗାତାର ଦ୍ୱିତୀୟଥର ପରାଜୟର ସାମ୍ନା କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆକୁ ପ୍ରଥମ ସଂସ୍କରଣର ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ପରାଜିତ କରିଥିଲା । ସେ ସମୟରେ ଦଳର ଅଧିନାୟକ ଥିଲେ ବିରାଟ କୋହଲି ।

୨୦୨୧ରେ ଫାଇନାଲ ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନରେ ଆୟୋଜିତ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ମିଳିବା ପରେ ଅଧିନାୟକ ରୋହିତ ଶର୍ମା ଡବ୍ଲୁଟିସି ଫାଇନାଲରେ ତିନୋଟି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ରୋହିତଙ୍କ ଦାବି ଉପରେ ମୋହର ମାରିବ କି ନାହିଁ । ରୋହିତ ପ୍ରେସ କନଫରେନ୍ସରେ କହିଛନ୍ତି ଯେ ଡବ୍ଲୁଟିସି ଫାଇନାଲର ଆୟୋଜନ କେବଳ ଜୁନ ମାସରେ ଏବଂ ଇଂଲଣ୍ଡରେ ନହେବା ଆବଶ୍ୟକ ।

ସେ କହିଛନ୍ତି ଯେ ଫାଇନାଲ ପାଇଁ ଗୋଟିଏ ମ୍ୟାଚ୍ ବଦଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ରଖାଯିବା ଆବଶ୍ୟକ । ରୋହିତ କହିଛନ୍ତି, କେବଳ ଜୁନ ମାସରେ ହିଁ ଡବ୍ଲୁଟିସି ଫାଇନାଲ୍ ଖେଳାନଯାଉ । ଏହି ଫାଇନାଲ୍ ବିଶ୍ୱର କୌଣସି ବି ସ୍ଥାନରେ ଖେଳାଯାଇପାରିବ । କେବଳ ଇଂଲଣ୍ଡରେ ହିଁ ଖେଳାଯିବ ଏହା ଜରୁରୀ ନୁହେଁ । ଆମେ କଠୋର ପରିଶ୍ରମ କରିଥିଲୁ, କଡ଼ା ଟକ୍କର ମଧ୍ୟ ଦେଇଛୁ ଏବଂ ଏଠାରେ ପହଞ୍ଚିବା ପାଇଁ ଆମେ କେବଳ ଗୋଟିଏ ମ୍ୟାଚ୍ ଖେଳିଛୁ । ମୋତେ ଲାଗୁଛି ଯେ ଆଗାମୀ ଡବ୍ଲୁଟିସି ସେଶନରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ ବେଷ୍ଟ ଏବଂ ଆଇଡିଆଲ ହେବ ।

ଅଧିନାୟକ ରୋହିତ ଏହା ବ୍ୟତୀତ ଟ୍ରଫି ନଜିତିବାକୁ ନେଇ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଭାରତ ୧୦ ବର୍ଷ ହେବ କୌଣସି ଆଇସିସି ଟ୍ରଫି ଜିତିନାହିଁ । ରୋହିତ କହିଛନ୍ତି ଏହା ନୈରାଶ୍ୟଜନକ ଏବଂ ହୃଦୟ ଭାଙ୍ଗିବା ଭଳି ଯେ ଆମେ ଟ୍ରଫି ଜିତିପାରିଲୁ ନାହିଁ । ମୁଁ ବହୁତ ନିରାଶ ହୋଇଛି । ଖେଳାଳି ମଧ୍ୟ ବହୁତ ନିରାଶ ହୋଇଛନ୍ତି । ଆଗାମୀ ଡବ୍ଲୁଟିସି ଫାଇନାଲ ପାଇଁ ବେଷ୍ଟ ଖେଳାଳି ଚୟନ କରାଯିବା ଆବଶ୍ୟକ । ଏହା ନିର୍ଦ୍ଧାରିତ କରିବାର ଆବଶ୍ୟକ ଯେ ଆଗାମୀ ଡବ୍ଲୁଟିସି ଫାଇନାଲ ପାଇଁ କିଏ କିଏ ସର୍ବଶ୍ରେଷ୍ଠ ଖେଳାଳି ଅଛନ୍ତି । ଏହା ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ଏହି ଦିଗରେ ନିଷ୍ପତ୍ତି ନେବୁ ।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମ

ବାଲେଶ୍ୱର: ବାହାନଗାରେ ଲୌହ ଦାନବର ନରସଂହାର । ଶୋକର ବୁଡିଛି ସାରା ଅଞ୍ଚଳ । ୧୦ ଦିନ ପରେ ବି ମନରୁ ଲିଭୁନି ସେହି କାଳ ରାତିର ଦୃଶ୍ୟ । ଶବର ପାହାଡ଼ ଉପରେ କରମଣ୍ଡଳ ଲେଖିଥିଲା ଦୁଃଖଦ ଅଧ୍ୟାୟ । ଅନେକଙ୍କୁ କରିଦେଲା ଅନାଥ । ମୃତକଙ୍କ ଆତ୍ମାର ସଦଗତି ପାଇଁ ବାହାନଗାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗୋସାଇଁ ପୋଖରୀରେ ସାମୂହିକ ମୁଣ୍ଡନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଲୋକେ । କାର୍ଯ୍ୟକ୍ରମରେ ବାହାନଗା, ସୋର ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା, ସ୍ବେଚ୍ଛାକୃତ ଭାବରେ ଜଣକ ପରେ ଜଣେ ଆସି ମୁଣ୍ଡନ ହୋଇଛନ୍ତି ।

ଯେଉଁମାନେ ମୁଣ୍ଡନ ହେଉଛନ୍ତି ସେମାନଙ୍କୁ ନୂଆଲୁଗା, ମାଳ, ପରିଧାନ କରିବା ପାଇଁ ସଂଘଠନ ପକ୍ଷରୁ ଯୋଗାଇ ଦିଆ ଯାଇଛି । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି, ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାସିନ୍ଦା । ଆସନ୍ତାକାଲି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେବ ବିଶ୍ବଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ମଙ୍ଗଳବାର ସକାଳେ କଳସ ଶୋଭାଯାତ୍ରା କରାଯିବ । ଆଗାମୀ ଦିନରେ ଏପରି କାଳ ରାତି ଆଉ କେବେ ନଆସୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।

ପ୍ରଥମଥର ମହିଳା ହକି ଜୁନିୟର ଏସିଆ କପ୍ ଜିତିଲା ଭାରତ

ଟୋକିଓ: ଭାରତୀୟ ହକି ଦଳ ଜୁନିୟର ଏସିଆ କପ୍ ଫାଇନାଲରେ ଚାରିଥରର ଚମ୍ପିଆନ ଦକ୍ଷିଣ କୋରିଆକୁ ପରାଜିତ କରି ଇତିହାସ ରଚିଛି । ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମଥର ପାଇଁ ଏସିଆ କପ୍ ଜିତିଛି । ସେହିପରି ଏହା ପୂର୍ବରୁ ସେମିଫାଇନାଲରେ ବିଜୟ ସହ ଭାରତୀୟ ଦଳ ଜୁନିୟର ବିଶ୍ୱକପ ପାଇଁ ମଧ୍ୟ କ୍ୱାଲିଫାଏ କରିଥିଲା ।

ଜୁନିୟର ବିଶ୍ୱକପ୍ ଚଳିତ ବର୍ଷ ୨୯ ନଭେମ୍ବରରରୁ ୧୦ ଡିସେମ୍ବର ମଧ୍ୟରେ ଆୟୋଜିତ ହେବ । ଜାପାନର କାକାମିଗହାରା ସହରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ପ୍ରଥମ ହାଫରେ ବରାବର ସ୍ଥିତିରେ ଥିଲେ । ଉଭୟ ଟିମ୍ ପ୍ରଥମ ହାଫରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଭାରତ ପାଇଁ ପ୍ରଥମ ଗୋଲ୍ ଅନ୍ନୁ (୨୨ ମିନିଟ) ଏବଂ ଦ୍ୱିତୀୟ ଗୋଲ (୪୧ମିନିଟ) କରିଥିଲେ । ସେହିପରି କୋରିଆ ପାଇଁ ଏକମାତ୍ର ଗୋଲ ପାର୍କ ସେୟୋନ କରିଥିଲେ ।

ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ

ଭଦ୍ରକ: କେନ୍ଦୁଝର ଜିଲ୍ଲା ପରେ ଦୁଇ ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ନେହେରୁ ଷ୍ଟାଡିୟମରେ ପହଞ୍ଚି ଖେଳାଳିଙ୍କ ସହ ଆଲୋଚନା ପରେ ଲୋକଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଚରମ୍ପାରେ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ସେଠାରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ ସହିତ ଇ-ଲାଇବ୍ରେରୀ ବ୍ୟବସ୍ଥା କରାଯିବ । ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଫାଇଭ-ଟିରେ ଉପକ୍ରମରେ ରୂପାନ୍ତର କରାଯିବ ବୋଲି ଫାଇଭ-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଫାଇଭ-ଟି ସଚିବ ।

ବିକାଶ କାମର ଅନୁଧ୍ୟାନ ସହିତ ରୋଗୀଙ୍କ ସହ ଆଲୋଚନା କରିଥିଲେ । ଉନ୍ନତ ମାନର ଚିକିତ୍ସା ପାଇଁ କ’ଣ ଅସୁବିଧା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ସିଭିଲ ସୋସାଇଟି ଓ ସଂଘ ସହିତ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ମାଆ ଭଦ୍ରକାଳୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ-ଟି ସଚିବ । ସେଠାରେ ମନ୍ଦିରର ଉନ୍ନତିକରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।