spot_img
Home Blog Page 3278

ମଣିବାବାଙ୍କୁ ଜଳାଭିଷେକ ପାଇଁ ଏକାଠି ଶହଶହ ଗୋପାଳ

ଭଦ୍ରକ: ବାବା ଆଖଣ୍ଡଳମଣିଙ୍କ ପବିତ୍ର ବୈଶାଖୀ ବ୍ରତ ଆସନ୍ତା ୧୪ରୁ ଅର୍ଥାତ ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହେବ। ଏହି ମାସରେ ମଣିବାବାଙ୍କୁ ଜଳାଭିଷେକ ପାଇଁ ଶହଶହ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ଜଳାଭିଷେକ କରିବେ । ଏକମାସ ଧରି ମଣିବାବାଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବ ।

ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି ସହ ସମସ୍ତ ପହିଲି ନୀତି ୫ଟା ସୁଧା ସରିବା ପରେ ଗୋପାଳମାନଙ୍କ ଜଳଲାଗି ନିମନ୍ତେ ସକାଳ ୯ଟା ପର୍ଯ୍ଯନ୍ତ ସାହଣମେଲା କରାଯିବ। ଏହି ସମୟରେ ଗୋପଳ ଭକ୍ତମାନେ ଧୋତି ଗାମୁଛା ପରିଧାନ କରିବା ସହ ଏକ ଛୋଟ ପାତ୍ରରେ ଜଳ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ତାହାସହ ଗୋପାଳମାନେ ଆଣିଥିବା ଜଳଭାର ଯେପରି ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ବ୍ଯାଘାତ ନହେବ ସେଥିପାଇଁ ଉଭୟ ଗୋପାଳ ଭକ୍ତ ଓ ସେବାୟତଙ୍କୁ ଉପଜିଲାପାଳ ପରାମର୍ଶ ଦେଇଥିଲେ। ମନ୍ଦିର ସେବାୟତଙ୍କ ଦ୍ବାରା ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ମନ୍ଦିର ଟ୍ରଷ୍ଟିଙ୍କ ଅଧ୍ଯକ୍ଷତାରେ ମନ୍ଦିର ଅତିଥି ଭବନରେ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଭଟିଣ୍ଡାର ସେନା କ୍ୟାମ୍ପରେ ଗୁଳିମାଡ, ୪ ମୃତ

ଚଣ୍ଡିଗଡ: ପଞ୍ଜାବ ଭଟିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନରେ ଆଖିବୁଜା ଗୁଳିମାଡ । ଭୋର ପ୍ରାୟ ସାଢ଼େ ୪ଟା ବେଳେ ହୋଇଥିବା ଗୁଳିମାଡ଼ରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅଫିସର୍ସ ମେସ ଉପରେ ହମଲା କରିଥିବା ଦୁର୍ବୃତ୍ତ ସାଧା ପୋଷାକରେ ଥିବା ଜଣାପଡ଼ିଛି । ସାଉଥ ଓ୍ବେଷ୍ଟର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଗୁଳିମାଡ ପରେ ପୁରା ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । କୁଇକ ରିଆକ୍ସନ ଟିମ୍ ତଦନ୍ତ ଆରମ୍ଭ କରିଛି। କିଛିଦିନ ପୂର୍ବରୁ ୟୁନିଟ ଗାର୍ଡଙ୍କ ରୁମରୁ ଏକ ଇନସାସ ଆସଲ୍ଟ ରାଇଫଲ ଗାଏବ ହୋଇଯାଇଥିଲା ।

ବିହାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ପାଟନା: ବିହାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୋର ୫ଟା ୩୫ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ପୂର୍ଣ୍ଣିଆ, ଅରରିଆ, ଭାଗଲପୁର ସମେତ ଅନେକ ଜିଲ୍ଲା ଭୁକମ୍ପରେ ଥରିଛି  । ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । ଭୂକମ୍ପ ଭୟରେ ଲୋକ ଘରୁ ବାହାରି ଆସିଥିଲେ ।

ଅରରିଆର ରାଣୀଗଞ୍ଜ ଭୂକମ୍ପ କେନ୍ଦ୍ରସ୍ଥଳ ରହିଛି  । ରବିବାର ଓ ସୋମବାର ବିଳମ୍ବିତ ରାତି ୨ଟାରେ ଆଣ୍ଡାମାନ ନିକୋବର ସମୂହରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା  । ୨୪ ଘଣ୍ଟା ମଧ୍ୟରେ ଏହା ତୃତୀୟ ଝଟକା ଥିଲା  । ସେପଟେ ପଶ୍ଚିମ ନେପାଳରେ ବି ଝଟକା ଅନୁଭୂତ ହୋଇଛି  । ଗତମାସରେ ବି ଉତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା  ।

ଆକାଶରୁ ଅଗ୍ନି ବର୍ଷା, ମ୍ୟାନମାରରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନାପିଡ: ମିଆଁମାରରେ ସେନାର ଏୟାରଷ୍ଟ୍ରାଇକ୍ । ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମିଆଁମାରର ସାଗାଇ ପ୍ରଦେଶର ପାଜିଗି ଗାଁରେ ସେନା ଶାସନ ବିରୋଧୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆକାଶମାର୍ଗରୁ ହୋଇଛି ବୋମାବର୍ଷା । ସେନା ପକ୍ଷରୁ ଗୁଳିମାଡ଼ ବି ହୋଇଥିଲା । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ରହିଛନ୍ତି ।

ଲୋକାରଣ୍ୟ ଥିବା ସ୍ଥାନ ଆଖି ପିଛୁଲାକେ ଶ୍ମଶାନରେ ପରିଣତ ହୋଇଛି । ଗତକାଲି ସେନାର ଏହି ଦମନଲୀଳାକୁ ତୀବ୍ର ନିନ୍ଦା କରିଛି ଜାତିସଂଘ । ୧ ଫେବ୍ରୁଆରୁ ୨୦୨୧ରେ ସେନା ସତ୍ତାକୁ ଆସିଥିଲା । ଏହାପରେ ଦେଶରେ ଏମର୍ଜେନ୍ସି ଜାରି ହୋଇଥିଲା । ମିଆଁମାରର ବିଭିନ୍ନ ନେତାଙ୍କୁ କବଜା କରିଦିଆଗଲା । ଏହାପରେ ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏବେସୁଦ୍ଧା ସେନା ଦ୍ବାରା ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।

ଭୁଟାନ ନିକଟରେ ବେଆଇନ ନିର୍ମାଣ କରୁଛି ଚୀନ, ଉପୁଜିପାରେ ଉତ୍ତେଜନା ପରିସ୍ଥିତି

ନୂଆଦିଲ୍ଲୀ: ଭାରତ ଚୀନ ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜିପାରେ । ଭାରତ ସୀମାକୁ ଲାଗିଥିବା ଭୁଟାନର ଆମୋଚୁ ନଦୀ ନିକଟରେ ଅନେକ ଗୁଡିଏ ବେଆଇନ ନିର୍ମାଣ କରିଥିବା ଦେଖିବାକୁ ମିଳିଛି । ଯାହା ଡୋକଲାମର ଖୁବ ନିକଟତର । ଯେଉଁଠୁ ଭାରତର ସିଲିଗୁଡି ପ୍ରୋଜେକ୍ଟକୁ ସିଧାରାସ୍ତା ରହିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମି ଡୋକଲାମ ଉପରେ ଅନେକ ଦିନ ଧରି ନଜର ରଖିଥିବା ବେଳେ ଭାରତୀୟ ସେନା ଆଲର୍ଟରେ ରହିଛନ୍ତି ।

ଖାଲି ନିର୍ମାଣ ନୁହେଁ, କମ୍ୟୁନିକେସନ ଟାଓ୍ବାର ମଧ୍ୟ ସ୍ଥାପନ କରିଛି ପିଏଲଏ । ଡୋକଲାମରେ ୨୦୧୭ରେ ଭାରତ-ଚୀନ ସାମ୍ନା ସାମ୍ନି ହେବା ସହ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏଭଳି ବେଆଇନ ନିର୍ମଣା ପାଇଁ ଭୁଟାନ ଚୀନ୍ ଆଗରେ ଆତ୍ମସମର୍ପଣ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ପୂର୍ବରୁ ଭୁଟାନ ରାଷ୍ଟ୍ରଦୂତ ଭାରତକୁ କହିଥିଲେ ଯେ ଭୁଟାନ ସୀମାରେ ଚୀନ କୌଣସି ନିର୍ମାଣ କରିନାହିଁ । ନିକଟରେ ଅରୁଣାଚଳ ସୀମାକୁ ଲାଗି ରହିଥିବା ଅଞ୍ଚଳ ଗୁଡିକର ନାଁ ପରିବର୍ତ୍ତନ କରିଥିଲା ଚୀନ । ଯାହାକୁ ନେଇ ଭାରତ ସରକାର ପ୍ରତିକ୍ରୀୟାଶୀଳ ହୋଇଥିଲେ । ଅରୁଣାଚଳପ୍ରଦେଶକୁ ମଧ୍ୟ ଚୀନ ନିଜର ଅଂଶ ବୋଲି ଦାବି କରୁଛି ।

ଚଡକ ଯାତ୍ରା ପାଇଁ ଚନ୍ଦନେଶ୍ବରରେ ପ୍ରବଳ ଭିଡ, ଆଜି ନୀଳପର୍ବ

ବାଲେଶ୍ବର: ଚଡକ ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଚନ୍ଦନେଶ୍ବର ଶୈବପୀଠ । ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ବାବାଙ୍କ ଆଶୀର୍ବାଦ ଓ ଅର୍ଘ୍ୟ ପାଇବା ପାଇଁ ବ୍ୟାକୁଳ ହୋଇଉଠିଛନ୍ତି ଭକ୍ତ । ପଞ୍ଚମ ଅର୍ଘ୍ୟ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଆଜି ଦ୍ବିତୀୟ ଅର୍ଘ୍ୟ । ଆଜି କାମିନା ବିହାର ଆରମ୍ଭ ହେବା ପରେ ନୀଳପର୍ବ ଅନୁଷ୍ଠିତ ହେବ । ବ୍ରତଧାରୀ ମାନେ ନିଳ ପୋଖରିରୁ ବୁଡ ଲଗାଇ ମନ୍ଦିରର ଚତୁର୍ପାଶ୍ବରେ ଭକ୍ତି ପରିକ୍ରମା କରୁଛନ୍ତି ।

ବ୍ରତଧାରୀମାନେ ୧୩ ଦିନ ଧରି ପଇତା ଧାରଣ କରି ନିର୍ଜଳା ଉପବାସ କରିଥାନ୍ତି । ରାତ୍ରିରେ ଅର୍ଘ୍ୟ ପ୍ରଦାନ ପରେ ହବିଷ ସେବନ କରିଥାନ୍ତି । ଚଳିତ ବର୍ଷ ମେଳାକୁ ସୁଚାର ରୁପେ ପରିଚାଳନା କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତଙ୍କ ସ୍ବାସ୍ଥ୍ୟସବୋ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବର ମଧ୍ୟ ଖୋଲିଛି ପ୍ରଶାସନ ।

ଶିଶୁ ଓ ବୟସ୍କଙ୍କୁ ଟାର୍ଗେଟ କରୁଛି ନୂଆ ଭାରିଆଣ୍ଟ, ୪ ସପ୍ତାହ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଟେନସନ ବଢାଉଛି କୋରୋନାର ନୂଆ ଭାରିଆଣ୍ଟ । XBB1.16 ଭାରିଆଣ୍ଟ ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ କ୍ଷତି ପହଞ୍ଚାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୪ ସପ୍ତାହ ବହୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ କରୋନା ନିୟମ ମାନି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଭାରିଆଣ୍ଟ ଶିଶୁ ଓ ବୃଦ୍ଧଙ୍କୁ ଅଧିକ ସଂକ୍ରମିତ ହେବାର ଦେଖାଯାଉଛି ।

କୋରୋନାର ତୃତୀୟ ଲହରରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଉଛନ୍ତି । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଠାରେ ମଧ୍ୟ ଲକ୍ଷଣ ଅନେକ ଦିନ ଦେଖିବାକୁ ମିଳିଛି । କୋରନାର XBB1.16 ଭାରିଆଣ୍ଟ ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ଶକ୍ତିଶାଳୀ । ସତର୍କ ରହିଲେ ମଧ୍ୟ ଏଥିରେ ଅନେକ ଲୋକ ସଂକ୍ରମଣ ହେଉଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଦିଲ୍ଲୀର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ।

ଏହି ଭାରିଆଣ୍ଟରେ ୧୨ ବର୍ଷରୁ କମ୍ ବୟସ୍କ ପିଲାମାନେ ସଂକ୍ରମିତ ହେଉଛନ୍ତି । ଥଣ୍ଡା, ଜର, ତଣ୍ଟି କାଟିବା ଛଡା ଆଖି ନାଲି ପଡ଼ିଲେ ମଧ୍ୟ କୋଭିଡ ସଂକ୍ରମଣର ଲକ୍ଷଣ ବୋଲି ଡାକ୍ତର କହିଛନ୍ତି । କୋଭିଡ ଲକ୍ଷଣ ଦେଖାହେଲେ ପିଲାମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି ।

୧୬ ଯାଏଁ ସ୍କୁଲ ସହ ଅଙ୍ଗନୱାଡି ଛୁଟି, ଗ୍ରୀଷ୍ମପ୍ରବାହ ପାଇଁଁ ନବୀନଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ସହିତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଜାପାନ ଗସ୍ତରୁ ଫେରିବା ମାତ୍ରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ନବୀନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ପିଲାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନଜରରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ବିଭିନ୍ନ ଜିଲ୍ଲାକୁ ହିଟ ଓ୍ବେଭ ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ସହିତ ପାନୀୟ ଜଳ ଯୋଗାଣ, ଜଳାଭାବ ଦୂର, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ମୌସୁମୀ ଆଗମନ ବାବଦରେ ସଠିକ ସୂଚନା ରଖି ଆଗାମୀ ଯୋଜନା ପ୍ରସ୍ତୁତ କରାଯିବ । ଏହି ଅବସରରେ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହା ଉପରେ ନଜର ରଖି ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଏସକେଓ୍ବାଇ କାର୍ଯ୍ୟକଳାପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟର ସାଢେ ତିନି କୋଟିରୁ ଅଧିକ ଲୋକ ବିଏସକେଓ୍ବାଇ ସହାୟତାରେ ମାଗଣା ଚିକିତ୍ସା ସେବା ପାଇପାରୁଛନ୍ତି ।

ଆସନ୍ତା ୫ ଦିନ ତାତିରୁ ମିଳିବନି ତ୍ରାହି, ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ

ଭୁବନେଶ୍ବର: ସୂର୍ଯ୍ୟ ଉଇଁଲେ ବାହାରକୁ ବାହାରିବାକୁ ଡର ଲାଗୁଛି । ଉପାନ୍ତରୁ ଉପକୂଳ ସବୁଠି ତାତିର ରାଜୁତି । ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମପ୍ରବାହ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।

କାଲିଠୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । କାଲି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ । ୧୪ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ସମ୍ବଲପୁର । ୧୫ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼ , ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଏବଂ ଝାରସୁଗୁଡା ଜିଲ୍ଲାକୁ ହିଟଓ୍ବେଭ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିଛି।

ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।ସେପଟେ ସବୁ ଜିଲ୍ଲାପାଳଙ୍କୁ ହିଟ୍ ଓ୍ବେଭ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି SRC ।

ଅଂଶୁଘାତରେ କାହାର ମୃତ୍ୟୁ ହୋଇଥିଲେ ତତ୍କାଳ ତଦନ୍ତ କରାଯିବ । ୨ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଂଶୁଘାତ ଜନିତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଶ୍ରମିକ ମାନେ ଖରା ସମୟରେ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଯାଉଥିଲେ ପାଣି ବୋତଲ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଝାରସୁଗୁଡାରେ ଜମୁଛି ପ୍ରଚାର, ଦୀପାଳିଙ୍କ ପାଇଁ ଭୋଟ୍ ମାଗିଲେ ହେଭିୱେଟ୍

ଝାରସୁଗୁଡା: ଜମିଲାଣି ଉପନିର୍ବାଚନ ମାହୋଲ  । ସକାଳେ କୋଲାବିରା ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରଚାର କରିଥିବାବେଳଏ ସନ୍ଧ୍ୟାରେ କିର୍ମିରା ବ୍ଲକରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ,ମନ୍ତ୍ରୀ ଟୁକୁନି ସାହୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ପାଇଁ ଭୋଟ ମାଗିଛନ୍ତି ।

ଦୀପାଳିଙ୍କ ସହିତ ଭାଇ ବିଶାଳ ଦାସ ମଧ୍ୟ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସହିତ ସ୍ବର୍ଗତ ନବ କିଶୋର ଦାସଙ୍କ ସ୍ବପ୍ନକୁ ନେଇ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ୍ । ବ୍ରଜରାଜନଗର ଓ ପଦମପୁର ଭଳି ଏଠାରେ ମଧ୍ୟ ବିପୁଳ ବ୍ୟବଧାନରେ ଦଳ ବିଜୟୀ ହେବ ବୋଲି ଆଶା ରଖିଛି ।