spot_img
Home Blog Page 3337

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ

ଖୋର୍ଦ୍ଧା: ଜିଲ୍ଲାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ଓ କେନ୍ଦୁଝର ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହୋଇଛି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ। ଏଥିସହ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି। ସେହିପରି କେନ୍ଦୁଝର ଓ ବଡବିଲରେ ୨ଟି ଟ୍ରାଫିକ ପୋଲିସ ଷ୍ଟେସନ ହେବ। ଏଥିପାଇଁ ୨୪ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି।

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍‌ ଇନିସପେକ୍ଟର , ୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି।

ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ମଧ୍ୟ ସୃଷ୍ଟି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଏହାଦ୍ଵାରା ଏହି ଦୁଇ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍‌ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନସ୍‌ପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି।

କର୍ଣ୍ଣାଟକ ବ୍ୟାଟେଲ୍‌: ମହିଳାଙ୍କୁ ୨ ହଜାର ବେକାରୀ ଯୁବକଙ୍କୁ ୩ ହଜାର ଦେବ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ୮ଦିନ ପୂର୍ବରୁ ସଂକଳ୍ପ ପତ୍ର ଜାରି କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରାଯାଇଛି । ଇସ୍ତାହାରରେ ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କୁ ଫୋକସ କରିଛି ଦଳ । ରାଜ୍ୟ ପରିବହନ ଯାନରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା ଦିଆଯିବ । ନୂଆ ଶିକ୍ଷା ନୀତିକୁ ରଦ୍ଦ କରି ରାଜ୍ୟ ଶିକ୍ଷା ନୀତି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କନ୍ନଡ ଓ ସଂସ୍କୃତ ଭାଷାର ବିକାଶକୁ ଗୁରୁତ୍ବ ଦିଆଯିବ । ସଂରକ୍ଷଣ ସୀମା ୫୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯିବ । ପରିବାରର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ମାସିକ ୨ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ । ଏହାଛଡ଼ା ବେରୋଜଗାର ଥିବା ସ୍ନାତକ ଡିଗ୍ରୀ ଧାରୀ ଯୁବକଙ୍କୁ ୨ ବର୍ଷ ଯାଏଁ ମାସିକ ୩ହଜାର ଟଙ୍କା ଲେଖାଏଁ ଭତ୍ତା ଆକାରରେ ଦିଆଯିବ । ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ମାସିକ ମିଳିବ ଦେଢ଼ ହଜାର ଟଙ୍କା ।

ସମାଜରେ ଘୃଣା ସୃଷ୍ଟିକାରୀ ସଂଗଠନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନକୁ କର୍ଣ୍ଣାଟକରେ ବ୍ୟାନ କରାଯିବ ବୋଲି ନିର୍ବାଚନୀ ଇସ୍ତାହାର ରିଲିଜ ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ରାତିରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ମାସିତ ୫ହଜାର ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ । ଏହାଛଡ଼ା କଂଗ୍ରେସ ସରକାର ଗଠନ କରିବାର ଗୋଟିଏ ବର୍ଷ ଭିତରେ ବିଜେପି ସରକାର ଦ୍ବାରା ପାରିତ ହୋଇଥିବା ସମସ୍ତ ଜନବିରୋଧୀ ଆଇନକୁ ରଦ୍ଦ କରିଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି ।

ଗୃହ ଜ୍ୟୋତି ଯୋଜନାରେ ୨ଶହ ୟୁନିଟ ବିଜୁଳି ମାଗଣାରେ ଦିଆଯିବ । ଏହାଛଡ଼ା ଦୁଗ୍ଧ ଚାଷୀଙ୍କ ପାଇଁ ସବସିଡିକୁ ୫ଟଙ୍କାରୁ ୭ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି କଂଗ୍ରେସ । କଂଗ୍ରେସ ସଂକଳ୍ପ ପତ୍ର ଉନ୍ମୋଚନ ବେଳେ ଦଳର ଅଧ୍ୟକ୍ଷ ଖଡଗେ, ପିସିସି ସଭାପତି ଡି କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ଉପସ୍ଥିତ ଥିଲେ ।

ତିନି ରଥ ନିର୍ମାଣରେ ବ୍ୟସ୍ତ ମହାରଣା ସେବକ, ଚାଲିଛି ବିନ୍ଧ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାରୁ ରଥ ନିର୍ମାଣରେ ବ୍ୟସ୍ତ ମହାରଣା । ଚାଲିଛି ତିନି ରଥର ୪୨ ଗୋଟି ତୁମ୍ବରେ ବିନ୍ଧ ନିର୍ମାଣ କାର୍ଯ୍ୟ । ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ ହେବାକୁ ଥିବା ବେଳେ ଭୋଇ ସେବକମାନେ ଯନ୍ତା ଗାଡ଼ ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଭଉଁରୀ ଦିନ ସୁଦ୍ଧା ତିନି ରଥର ଦୁଇଗୋଟି ଚକରେ ଅଖ ସଂଯୋଗ କରାଯିବା ପରମ୍ପରା ରହିଛି ।

ସେପଟେ ରଥ ନିର୍ମାଣ ପାଇ ଆବଶ୍ୟକ ଲୁହା କଣ୍ଟା । ଏଥିପାଇଁ ଦୋଳବେଦୀ କୋଣରେ ଥିବା କମାର ଶାଳରେ ଚାଲିଛି ଆବଶ୍ୟକୀୟ କଣ୍ଟା ପ୍ରସ୍ତୁତି । ଓଝା ସେବକ ମାନେ ୪୨ଟି ଚକ ପାଇଁ ଆବଶ୍ୟକୀୟ ୧ ହଜାର ୩୪୪ ଟି ଅର କଣ୍ଟା ନିର୍ମାଣ କରୁଛନ୍ତି । ଏହାସହ ଚକର ବଳା, ପନ୍ଦାରୀ ସମେତ ବିଭିନ୍ନ ପ୍ରକାର କଣ୍ଟା ନିର୍ମାଣ ପାଇଁ ଲାଗିପଡ଼ିଛନ୍ତି ସେବାୟତ ।

ତିହାର ଜେଲରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟର ତିଲୁ ତାପୁରିଆର ମୃତ୍ୟୁ

ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ବାର । ଦୁଇ ଗ୍ୟାଙ୍ଗ ହମଲାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାପୁରିଆର ମୃତ୍ୟୁ ହୋଇଛି । ଜିତେନ୍ଦର ଗୋଗି ଗ୍ୟାଙ୍ଗ ସଦସ୍ୟ ତିଲୁ ଓ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ତିଲୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ସକାଳ ପ୍ରାୟ ସାଢ଼େ ୬ଟାରେ ଘଟଣା ଘଟିଥିବା ଜଣାପଡ଼ିଛି ।

ରୋହିଣୀ କୋର୍ଟରେ ସୁଟଆଉଟ ମାମଲାରେ ତିଲୁର ନାଁ ସାମ୍ନାକୁ ଆସିଥିଲା । ୨୦୨୧ରେ ଦୁଇ ସୁଟର ଓକିଲ ଡ୍ରେସରେ ଆସି ଜଜ୍‌ଙ୍କ ଆଗରେ ଗ୍ୟାଙ୍ଗଷ୍ଟାର ଜିତେନ୍ଦର ଗୋଗିକୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ହିଁ ଗୋଗିର ମୃତ୍ୟୁ ହୋଇଥିଲା । ପୋଲିସର ପାଲଟା ଗୁଳିମାଡରେ ଦୁଇ ସୁଟରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଗତ ୧୯ଦିନ ମଧ୍ୟରେ ତିହାର ଜେଲରେ ଦୁଇ ଥର ଗ୍ୟାଙ୍ଗଓ୍ବାର ହୋଇଥିବା ବେଳେ ୨ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରାଯାଇଛି । ୧୪ ଏପ୍ରିଲରେ ମଧ୍ୟ ଦୁଇ ଗ୍ୟାଙ୍ଗ ମଧ୍ୟରେ ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ତିଲୁ ତାଜପୁରିଆର ମୃତ୍ୟୁକୁ ଜେଲ କର୍ତ୍ତୃପକ୍ଷ ହୃଦଘାତ ଜନିତ କହୁଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ଗୌହାଟୀ: ସରିଲା ଦୁଇ ଚର୍ଚ୍ଚିତ ଜିଲ୍ଲାପାଳଙ୍କ ବିବାହ। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗୌହାଟୀର ଏକ ତାରକା ହୋଟେଲରେ ବାହାଘର ଶେଷ ହୋଇଛି। ବାହାଘରର ସଙ୍ଗୀତ କାର୍ଯ୍ୟକ୍ରମରେ ଚଞ୍ଚଲ ଓ ଅନନ୍ୟା ଖୁସିରେ ନାଚିଥିଲେ  । ଉଭୟଙ୍କ ଏହା ଦ୍ଵିତୀୟ ବାହାଘର  ।

ଗତ ଫେବ୍ରୁଆରୀ ୧୯ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ବଲପୁରରେ ହୋଇଥିଲା  । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ପୂର୍ବରୁ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାପାଳ ଥିବା ସ୍ଵଧାଦେବ ସିଂଙ୍କୁ ବିବାହ କରିଥିଲେ  । ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଥିବା ଅବଦର ଏମ୍ ଅଖତରକୁ ବିବାହ କରିଥିଲେ  । ତେବେ ବିବାହ ବିଚ୍ଛେଦ ପରେ ଚଞ୍ଚଲ ଓ ଅନନ୍ୟାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  ।

୩ ଦିନିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୁଲିଯିବେ ଶିମିଳିପାଳ

ବାରିପଦା: ଓଡ଼ିଶା ଆସୁଛନ୍ତି ମହାମହିମ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି ମୟୂରଭଞ୍ଜ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦା ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି । ୪ ତାରିଖରେ ସେ ଆସିବାକୁ ଥିବା ବେଳେ ୬ତାରିଖରେ ଦିଲ୍ଲୀ ଫେରିବାର ଅଛି ।

ଏହି ଗସ୍ତ ସମୟରେ ନିଜ ଗାଁ ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୋସାଣି ପରିଦର୍ଶନ, ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ପରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ୫ ତାରିଖ ଶୁକ୍ରବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟ ବୁଲିଯିବେ ମହାମହିମ । ତେଣୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ ।

ରାଷ୍ଟ୍ରପତି ମ୍ୟାଡାମ ଦ୍ରୌପଦି ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୁଗନାନୀ ଏନେଇ ସୂଚନା ଦେଇଛନ୍ତି । ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଶିମିଳିପାଳ ଆସୁଥିବାରୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥେୟତା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ଶିମିଳିପାଳ ବୁଲିବା ପରେ ସନ୍ଧ୍ୟାରେ ବାରିପଦା ଅତିଥିଭବନରେ ରାତ୍ରିଯାପନ କରିବେ । ପରଦିନ ଅର୍ଥାତ୍ ୬ ତାରିଖ ଶନିବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ।

ଆସନ୍ତା ୧୧ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା

ଭୁବନେଶ୍ବର: ଡରାଉଛି ମେ’ ମାସ । ଆସନ୍ତା ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଆକଳନ କରିଛି ଆମେରିକାନ୍ GFS ମଡେଲ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ବିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ । ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ଏହାର ନାଁ ରହିବ ମୋଚା ।

ଯାହାର ନାମକରଣ କରିଛି ୟେମେନ । ତେବେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ମାତ୍ର ଏହା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବା ସମ୍ଭାବନା ନାହିଁ । ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୁଳ ଥିବା ବେଳେ ତାହା ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ନାହିଁ ।

ସିଷ୍ଟମ୍ ଉପରେ ନଜର ରଖାଯଇଥିବା କହିଛନ୍ତି ଆଇଏମଡି ଡିଜି । ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରିଥିଲା । ପରେ ପରେ ଅମ୍ଫନ, ୟାଶ୍ ଏବଂ ଆସାନୀ ବାତ୍ୟା ବି ମେ ମାସରେ ସ୍ଥଳଭାଗ ଛୁଇଁଛି ।

୧୦ ବର୍ଷ ପରେ ପୁଣି ଆଇପିଏଲ୍ ପଡିଆରେ ମୁହାଁମୁହିଁ କୋହଲି ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ବିରାଟ କୋହଲି ବନାମ ଗୌତମ ଗମ୍ଭୀର । ୧୦ ବର୍ଷ ପରେ ପୁଣି ଆଇପିଏଲ୍ ଫିଲ୍ମରେ ଦୁଇ ଖେଳାଳିଙ୍କ ମଧ୍ୟରେ ଘମାଘୋଟ ଝଗଡ଼ା । ମ୍ୟାଚ୍‌ ପରେ ମୈଦାନରେ ମୁହାଁମୁହିଁ ହେଲେ ଉଭୟ । ଆଇପିଏଲ୍ ୨୦୨୩ରେ ପୁଣି ଚର୍ଚ୍ଚାକୁ ଆସିଲା ବିରାଟ ଓ ଗମ୍ଭୀରଙ୍କ କଳି । ସାଖି ରହିଲା ଲୌକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ କ୍ରିକେଟ୍ ଷ୍ଟାଡିୟମ ।

ତେଣୁ ଆଇପିଏଲର ନିୟମ ଉଲ୍ଲଂଘନ କରିଥିବାରୁ ଉଭୟଙ୍କୁ ଜରିମାନା ହୋଇଛି । ଜରିମାନା ବାବଦକୁ କଟିବ ଶହେ ପ୍ରତିଶତ ମ୍ୟାଚ୍ ଫି। ସେହିପରି ନବୀନ ଉଲ-ହକ୍‌ଙ୍କର କଟିବ ୫୦ ପ୍ରତିଶତ ମ୍ୟାଚ୍ ଫି । ଗତକାଲି ଆରସିବି ଓ ଏଲଏସଜି ମଧ୍ୟରେ ଥିଲା ମୁକାବିଲା । ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ୧୮ ରନରେ ମାତ୍ ଦେଲା ବେଙ୍ଗାଳୁରୁ । ମ୍ୟାଚ୍ ଜିତିବାକୁ ବେଙ୍ଗାଳୁରୁ ଟିମ୍ ଲକ୍ଷ୍ନୌକୁ ୧୨୭ ରନର ଟାର୍ଗେଟ୍ ଦେଇଥିଲା । ହେଲେ ୧୦୮ ରନ କରିବାରେ ସକ୍ଷମ ହୋଇଥିଲେ ।

ଏହାପରେ ସମସ୍ତ ଖେଳାଳି ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ କୌଣସି କାରଣକୁ ନେଇ ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ବିରାଟ ଓ ଗୌତମଙ୍କ ମଧ୍ୟରେ ଜୋରଦାର ଝଗଡ଼ା ବେଳେ ଖେଳାଳି ଓ ଷ୍ଟାଫ୍‌ ଆସି ମିଂମାସା କରିଥିଲେ । ଉଭୟ ଉଭୟଙ୍କ ଦୋଷ ସ୍ବୀକାର କରିଛନ୍ତି । ୨୦୧୩ ଆଇପିଏଲ୍ ମ୍ୟାଚ୍ ବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ । ଏବେ ଗମ୍ଭୀର ଲକ୍ଷ୍ନୌ ସୁରପର ଜିଆଣ୍ଟ୍ସର ମେଣ୍ଟର ଅଛନ୍ତି । ପୂର୍ବରୁ ବେଙ୍ଗାଳୁରୁ ଟିମ୍‌ର କ୍ୟାପଟେନ୍ ଥିଲେ କୋହଲି ।

ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ ଆରମ୍ଭ, ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି

ଭୁବନେଶ୍ବର: ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ଅବକାଶକାଳୀନ ଗୃହକାର୍ଯ୍ୟ । ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦଶରେ ଆରମ୍ଭ ହେଲା ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସ୍କୁଲକୁ ଦିଆଯାଇଛି ଏସଓପି ଏବଂ ନିୟମାବଳୀ ।

ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯାଇ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ସରକାରୀ ଛୁଟିଦିନ ବ୍ୟତିତ ଅନ୍ୟ ସବୁଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ପ୍ରତ୍ୟେକ ବିଦ୍ୟାର୍ଥୀ ନିକଟରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଟୋଲଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି ।

ଏହି ଟୋଲଫ୍ରି ନମ୍ବର ଜରିଆରେ ଛାତ୍ରଛାତ୍ରୀ ସେମାନଙ୍କ ପ୍ରଶ୍ନ ସିଧାସଳଖ ପଚାରି ପାରିବେ ଏବଂ ନିୟୋଜିତ ଶିକ୍ଷକମାନେ ଏହାର ସମାଧାନ କରିବେ । କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଉଛି । ପାଠ୍ୟକ୍ରମ ସମ୍ବନ୍ଧିତ ଅନୁଭୂତ ସମସ୍ୟାର ସରଳ ସମାଧାନ ଓ ସ୍ପଷ୍ଟୀକରଣ ନିମନ୍ତେ ୧୪ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ଗାଁରେ ଯାଇ କାମ ଖୋଜିବାକୁ ଯୁବପୀଢୀଙ୍କୁ ଚୀନ ସରକାରଙ୍କ ଚେତାବନୀ

ବେଜିଂ: ବେକାରୀଙ୍କୁ ସରକାର ନିଯୁକ୍ତି ଦେବାକୁ ଭାରତରେ ଦାବି ହେବା ସ୍ବାଭାବିକ କଥା । ମାତ୍ର ଚୀନର ସବୁଠାରୁ ଧନୀ ପ୍ରଜାତନ୍ତ୍ରରେ କରାଯାଇଥିବା ନୂଆ ନିୟମ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଦେଶରେ ବେକାରୀ ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଗୁଆଙ୍ଗଦଙ୍ଗ ପ୍ରଜାତନ୍ତ୍ର କର୍ତ୍ତୃପକ୍ଷ କରିଛନ୍ତି ନୂଆ ନିୟମ । ଗାଁକୁ ଯାଇ କାମ ଖୋଜିବାକୁ ପ୍ରାୟ 3 ଲକ୍ଷ ଗ୍ରାଜୁଏଟ ବେକାର ଯୁବକଯୁବତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଗୁଆଙ୍ଗଦଙ୍ଗର ପଡୋଶୀ ସହର ହେଉଛି ବିଶ୍ବର ଅନ୍ୟତମ ସମୃଦ୍ଧ ସହର ହଂକଂ । ତେବେ ସେଠାରେ ନିଯୁକ୍ତି ଦେବା ସପକ୍ଷରେ ନାହାନ୍ତି ସରକାର । ଗୁଆଙ୍ଗଦଙ୍ଗ କର୍ତ୍ତୃପକ୍ଷ କହିଛନ୍ତି- ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା କଲେଜ ଗ୍ରାଜୁଏଟ ଓ ଯୁବ ଉଦ୍ୟୋଗପତିମାନେ ଗ୍ରାମକୁ ଯାଇ କାମ ଖୋଜିବେ । ସେହିପରି ଗ୍ରାମାଞ୍ଚଳର ଯୁବକଯୁବତୀମାନେ ନିଜ ଅଞ୍ଚଳରେ ରହି କାମଧନ୍ଦା ଖୋଜିବାକୁ ବି ଦିଆଯାଇଛି ପରାମର୍ଶ । ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ହେଲେ ସହରାଞ୍ଚଳ ଯୁବକମାନେ ଗ୍ରାମାଞ୍ଚଳକୁ ଯାଇ କାମ ଧନ୍ଦା ଖୋଜିବାକୁ ଗତ ଡିସେମ୍ବର 2022ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆହ୍ବାନ ଦେଇଥିଲେ ।

ଜିନପିଙ୍ଗଙ୍କ ଏହି ନିର୍ଦ୍ଦେଶକୁ ପ୍ରାଥମିକତା ଦେଇଛନ୍ତି ଗୁଆଙ୍ଗଦଙ୍ଗ କର୍ତ୍ତୃପକ୍ଷ । ଅତୀତର ମାଓ ଜେ ଦୁଂଙ୍କ ସମୟରେ ବି ଗ୍ରାମାଞ୍ଚଳରେ କାମଧନ୍ଦା କରିବାକୁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ପଠାଇଦିଆଯାଇଥିଲା । ଚୀନରେ ବର୍ତ୍ତମାନ ବେକାରୀ ଯଥେଷ୍ଟ ବଢିବାରେ ଲାଗିଛି । ପ୍ରତି 5 ଜଣରେ ଜଣେ ବେକାର ଥିବା ସୂଚନା ମିଳିଛି । ଦେଶରେ 16ରୁ 24 ବର୍ଷ ବୟସ୍କ ବେକାରଙ୍କ ହାର ଜାତୀୟ ହାରର 19 ଦଶମିକ 6 ପ୍ରତିଶତ ରହିଛି । ସର୍ଭେ ଅନୁସାରେ ଚୀନର ବିଭିନ୍ନ ସହରରେ ବେକାରଙ୍କ ସଂଖ୍ୟା 1 କୋଟି 10 ଲକ୍ଷ ରହିଛନ୍ତି । ଦେଶର ଅର୍ଥନୀତିରେ ଘାଟା ଆସିଥିବାବେଳେ ଦେଶରେ ଚାକିରି ଅନୁପାତ ବ୍ୟାପକ ହ୍ରାସ ପାଇଛି । ଆଇଟି କ୍ଷେତ୍ର ଧିମେଇ ଯିବାର ପ୍ରଭାବ ନିଯୁକ୍ତି କ୍ଷେତ୍ର ଉପରେ ପଡୁଛି ।