ନୂଆଦିଲ୍ଲୀ: ବିଦେଶରୁ ଫେରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି- ଆଦାନୀ ପ୍ରସଙ୍ଗରେ ସତ ସାମ୍ନାକୁ ଆସିବା କ୍ଷେତ୍ରରେ ଡରୁଛନ୍ତି ସରକାର । ସେ ନିଶ୍ଚିତ ଯେ ସଂସଦରେ ତାଙ୍କୁ କହିବା ଲାଗି ଅଧିକାର ଦିଆଯିବ ନାହିଁ । ସେ ପାର୍ଲାମେଣ୍ଟରେ ଯାହା କହିଥିଲେ ତାହାକୁ ଉଦ୍ଦେଶ୍ୟମୂଳକ ଭାବେ ହଟାଇ ଦିଆଯାଇଛି । ଦେଶବାସୀଙ୍କ ଦୃଷ୍ଟି ଏଡ଼ାଇବା ଲାଗି ଚାଲିଛି ଅପଚେଷ୍ଟା । ବ୍ରିଟେନରେ ସେ ଭାରତ ସମ୍ପର୍କରେ ଯାହା କହିଥିଲେ ସେଥିଲାଗି ସେ କ୍ଷମା ମାଗିବେନି ।
ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଡ୍ରାଇଭର-ଡ୍ରାଇଭର ମୁହାଁମୁହିଁ, ରାସ୍ତା କ୍ଲିୟର କରିବାରୁ ପୋଲିସ ସହ ଧସ୍ତାଧସ୍ତି
ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଡ୍ରାଇଭର-ଡ୍ରାଇଭର ମୁହାଁମୁହିଁ । ରାଜ୍ୟ ଓ ରାଜ୍ୟ ବାହାରର ଡ୍ରାଇଭରଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି । ୧୬ ନଂ ରାଜପଥରେ କାଲିଠୁ ମାଲ ପରିବହନ ଗାଡି ଛିଡ଼ାହୋଇ ରାସ୍ତା ଜାମ୍ ହୋଇଥିଲା । ଯାହାକୁ ନେଇ ଉଭୟ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଛି । ପୋଲିସ ପହଞ୍ଚି ରାସ୍ତା କ୍ଲିୟର କରି ଗାଡ଼ିଗୁଡ଼ିକୁ ଛାଡ଼ିବାରୁ ପୋଲିସକୁ ମଧ୍ୟ ବିରୋଧ କରିଥିଲେ ଡ୍ରାଇଭର । ଏବେ ରାସ୍ତା କ୍ଲିୟର ହୋଇଥିବା ବେଳେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି ।
୨୫ରେ ସିବିଆଇରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ
ନୂଆଦିଲ୍ଲୀ : ଚାକିରି ଲାଗି ଜମି ମାମଲା । ଆସନ୍ତା ୨୫ ତାରିଖରେ ସିବିଆଇ ନିକଟରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଦିଲ୍ଲୀ ହାଇକୋର୍ଟ ନିକଟରେ ଏହା କହିଛନ୍ତି ତେଜସ୍ବୀ । ୩ ଥର ସମନ ଏଡାଇବା ପରେ ଆସନ୍ତା ୨୫ରେ ହାଜର ହେବା ଲାଗି କହିଛନ୍ତି ତେଜସ୍ବୀ ।
ତେଜସ୍ବୀଙ୍କ ଏହି ବୟାନ ପରେ ଚଳିତ ମାସରେ ତେଜସ୍ବୀଙ୍କୁ ଗିରଫ କରାଯିବା ସମ୍ଭାବନା ନାହିଁ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିବେ ନାହିଁ ଗତଥର କହିଥିଲେ ତେଜସ୍ବୀ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା ।
୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି । ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ଏହି ମାମଲାରେ ଚାକିରି ଲାଗି ଜମି ଦୁର୍ନୀତି ହୋଇଥିଲା । ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା । ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା ।

