spot_img
Home Blog Page 3367

ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେବ ’ଶଙ୍ଖ ଭବନ’

ଭୁବନେଶ୍ୱର :  ଓଡିଶା ବାସୀଙ୍କ ସେବାରେ ଲୋକାର୍ପିତ ହେଲା  । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶଙ୍ଖ ଭବନକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଭଲ ପାଉଥିବା ତଥା ନୂଆ ଓ ସଶକ୍ତ ଓଡିଶା ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଶଙ୍ଖ ଭବନ । ଏହାର ପ୍ରତ୍ୟେକ କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ସେବାରେ ସମର୍ପିତ ହେବ । ବିଶ୍ଵ ଦରବାରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ଏହା କାର୍ଯ୍ୟ କରିବ । ଏହା ସହ ବସୁଧୈବ କୁଟୁମ୍ବକମ ବାର୍ତ୍ତାର ବି ପ୍ରଚାର ଓ ପ୍ରସାର କରିବ ଶଙ୍ଖ ଭବନ ।

ମୁଖ୍ୟମନ୍ତ୍ରୀ କହିଥିଲେ,୧୯୯୭ ଥିଲା ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବରେ ଓଡିଶା ବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ବିଜୟର ଶଙ୍ଖ ବାଜି ଚାଲିଛି । ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ । ଶଙ୍ଖ ଭବନ କେବଳ ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ । ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ ।

ବିଜୁ ଜନତା ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ-ସ୍ଥିରତା ଆମକୁ ସଫଳତା ଦେଇଛି, ସାଧୁତା ଆନନ୍ଦର ମାର୍ଗ ଖୋଲିଛି । ଶାନ୍ତି ଆମକୁ ସମୃଦ୍ଧି ଦେଇଛି, ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି । ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ,ଛାତ୍ର,ମହିଳା କର୍ମୀ ଓ ନେତା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ ; ଆସନ୍ତା ଦୁଇ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବାବେଳେ ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ତାତିରେ ବ୍ରେକ୍ ଲାଗିବା ସହ କୋହଲା ପାଗ ଜାରି ରହିଛି ।

ଆଜି ୧୮ ଜିଲ୍ଲାରେ ପ୍ରବଳ ବର୍ଷାନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି ହୋଇଛି ।

ପ୍ରବଳ କୁଆପଥର ବୃଷ୍ଟି ନେଇ ୮ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ । ଏଥିପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁକାବିଲା ନେଇ ଚିଠି ଲେଖିଛନ୍ତି ଏସ୍ଆରସି । ବିଶେଷ କରି ବିଜୁଳି ଘଡଘଡି ସହ ପବନ ଯୋଗୁଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ୨୮ ତାରିଖ ପରେ ରାଜ୍ୟକୁ ପୁଣି ଫେରିବ ତାତି । କିଛି ଜିଲ୍ଲାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଲୋକାର୍ପିତ ହେଲା ବିଜେଡି ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’

ଭୁବନେଶ୍ୱର : ଲୋକାର୍ପିତ ହେଲା ବିଜେଡି କାର୍ଯ୍ୟାଳୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ ।

ଭୁବନେଶ୍ବର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି । ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସାଜିଛି । ଆଜି ଉଦଘାଟନୀ କାର୍ଯ୍ୟାକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି ।

୩ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହାଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ଦ୍ବିତୀୟ ମହାଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ ଏକ ଅଡିଟୋରିୟମର ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ ।

ରାଜ୍ୟ ବିହନ ପରୀକ୍ଷାଗାର ପରିସରରେ ନୂତନ ପ୍ରଶାସନିକ ଗୃହ ଓ କୃଷକ ଆବାସ ଉଦଘାଟିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ରାଜ୍ୟ ବିହନ ପରୀକ୍ଷାଗାରର ପରିସରରେ ନୂତନ ପ୍ରଶାସନିକ ଗୃହ ଓ କୃଷକ ଆବାସ ଉଦଘାଟନ ହୋଇଛି ।  କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଗୃହକୁ ଉଦଘାଟନ କରିଛନ୍ତି । ଆଜିଠୁ ଆରମ୍ଭ ହେଉଥିବା ନୂତନ ସେବା ଦ୍ଵାରା କୃଷକ ଅନେକ ସୁବିଧା ପାଇବେ ଏବଂ ପରୀକ୍ଷାଗାରର କ୍ଷମତା ଓ ଦକ୍ଷତା ବଢିବ ବୋଲି କହିଛନ୍ତି ମନ୍ତ୍ରୀ ।

ଉଦଘାଟିତ ହୋଇଥିବା କୃଷକ ଗୃହ ସମ୍ପୂର୍ଣ୍ଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ । ଏବେ ବାର୍ଷିକ ହାରାହାରି ୧୪ ହଜାର ବିହନ ନମୁନା ପରୀକ୍ଷା କରାଯିବାର କ୍ଷମତା ରହିଛି ପରୀକ୍ଷାଗାରରେ। ଏହାସହ ପରୀକ୍ଷାଗାରରେ ଏକ ଜିନ୍ ବ୍ୟାଙ୍କ ରହିଛି । ଯେଉଁଥିରେ ରାଜ୍ୟ ମଧ୍ୟରୁ ଧାନ ଓ ଅଣଧାନ ଫସଲର ୧୩୬୧ଟି ଦେଶୀ ବିହନ ସଂଗୃହୀତ ହୋଇଛି । ଏସବୁ ସଂଗୃହୀତ ଜିନ୍ ବ୍ୟବହାର କରି ଭବିଷ୍ୟତ ପାଇଁ ଉନ୍ନତ କିସମର ବିହନ ବାହାର କରାଯାଇ ପାରିବ ବୋଲି କହିଛନ୍ତି କୃଷିମନ୍ତ୍ରୀ।

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷୀଙ୍କ ପାଇଁ ଚାଷ ଅନୁକୂଳର ମହାପର୍ବ । ଆଜି କୃଷି ଦିବସ ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅଖିମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇଥିଲେ। ଏହାପରେ ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଷ୍ଟିହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟଶସ୍ୟର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୨ଟି ମିଲେଟ୍ outlet ଖୋଲାଯାଇ ସାରିଲାଣି। କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିଛନ୍ତି ନବୀନ । ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control systi ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ରସ୍ତରରୁ ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରାଜ୍ୟ ସରକାରଙ୍କ ଫାଇଭ-ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଶିଶୁ ସନ୍ତାନମାନଙ୍କ ପାଇଁ ଏକ creche ‘କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ ଉଜଘାଟନ କରିଛନ୍ତି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଲୋକାର୍ପିତ ହେବ ବିଜେଡି କାର୍ଯ୍ୟାଳୟ, ଶଙ୍ଖ ଭବନକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ବିଜେଡି କାର୍ଯ୍ୟାଳୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ । ଭୁବନେଶ୍ବର ୟୁନିଟ୍ ୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି । ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସାଜିଛି ।

ଆଜି ଉଦଘାଟନୀ କାର୍ଯ୍ୟାକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହିବେ । ୩ ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହାଲାରେ ପ୍ରେସ୍ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ଦ୍ବିତୀୟ ମହାଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ ଏକ ଅଡିଟୋରିୟମର ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ ।

 

ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ଅବକାରୀ ବିଭାଗ, ୩ ଗିରଫ

କଳାହାଣ୍ଡି: କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥରେ ଚାଲିଛି ଗଞ୍ଜେଇ କାରବାର । ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଜଣିଆ ରାକେଟକୁ ଗିରଫ କରିଛି ଅବକାରୀ ବିଭାଗ । ୫ ଲକ୍ଷ ଟଙ୍କାର ଗଞ୍ଜେଇ ସହିତ ଗୋଟିଏ କାରକୁ ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲା ରାମପୁର ଥାନା ପଜିବାହାଳୀ ଛକ ନିକଟରେ ଅବକାରୀ ବିଭାଗର ପାଟ୍ରୋଲିଂ ବେଳେ ଏକ କାରରୁ ୨୨ କେଜି ଗଞ୍ଜେଇ ଜବତ ହୋଇଛି ।

ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଛତିଶଗଡର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ମାଫିଆମାନେ ଏହି ଗଞ୍ଜେଇକୁ ମୋହନଗିରିରୁ ଛତିଶଗଡ ରାୟପୁରକୁ ଚାଲାଣ କରୁଥିବା ଜଣାପଡିଛି ।

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଅନୁକୂଳ ହେବ ରଥକାମ । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ବୈଶାଖ ମାସ ତୃତୀୟା ସତ୍ୟ ଯୁଗର ଉତ୍ପତି ଦିବସ ହୋଇଥିବା ବେଳେ ରାଜଗୁରୁ ଓ ସ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ଅନୁକୂଳ କରାଯିବ ରଥ କାମ । ଏହି ଅବସରରେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢ଼ୀ ବାନ୍ଧିବା ପରେ ଆରମ୍ଭ ହେବ ରଥକାମ ।

ସେହିପରି ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ପାଇଁ ନୌବିହାର କରିବେ ମହାପ୍ରଭୁ । ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ଡଵ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ କରିବେ ନୌକା ବିହାର । ଏଥିପାଇଁ ନରେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚିତ୍ରକର ସେବାୟତମାନେ ରଙ୍ଗ କରିବା ସହ ମହାରଣା ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦା ଓ ଭଦ୍ରା । ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଅପରାହ୍ନ ୩ଟାରେ ଦ୍ବାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩ଟା ୩୦ରେ ବିମାନକୁ ଦିଅଁ ବିଜେ କରିବେ । ଅପରାହ୍ନ ୪ଟାରେ ରଥ କାମ ପାଇଁ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ ।

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଅଖିମୁଠି ଅନୁକୂଳ କରିବେ ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିବେ ଚାଷୀମାନେ । ଏହି ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିଛିଦିନ ତଳେ ଚାଷୀଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାର ଅର୍ଥ ପ୍ରଦାନ କରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି । ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି ।

ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ସହାୟତା ଦିଆଯାଉଛି । ବିନାସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏ କୃଷିଋଣ ଦିଆଯାଉଛି । ସ୍ଵତନ୍ତ୍ର କୃଷି ବଜେଟ୍ ଆଣିବା ସହ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ।

ଲୋକସେବା ଭବନ ପରିସରରେ ଖୋଲିବ ମିଲେଟ୍ ଶକ୍ତି କାଫେ

ଭୁବନେଶ୍ୱର:  ଆଜିଠୁ ଲୋକସେବା ଭବନ ପରିସରରେ ଖୋଲିବ ମିଲେଟ୍ ଶକ୍ତି କାଫେ । ଅକ୍ଷୟ ତୃତୀୟା ଅବସରରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ ମିଶନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ। ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ । ଏହାଦ୍ବାରା ଏସଏଚଜି ସଦସ୍ୟା ମଧ୍ୟ ଉପକୃତ ହେବେ  । ଅନ୍ୟପଟେ ଆଜି କୃଷି ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।