spot_img
Home Blog Page 34

ଏଥର ବଜେଟରେ କାହାକୁ ମିଳିବ କେତେ ଗୁରୁତ୍ବ ?

ଭୁବନେଶ୍ୱର : ଏଥର ରାଜ୍ୟ ବଜେଟ ପରିମାଣ ଟପିବ ୩ ଲକ୍ଷ କୋଟି ଟଙ୍କା । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଆଣିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ । ରାଜ୍ୟ ବିକାଶର ଗୋଲାପୀ ଚିତ୍ର ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଦେଖାଇଛନ୍ତି । ରାଜ୍ୟର ବାର୍ଷିକ ଅଭିବୃଦ୍ଧି ୭ ପ୍ରତିଶତରୁ ବୃଦ୍ଧି ପାଇ ୯.୫ ପ୍ରତିଶତ ହେବ ବୋଲି ଲକ୍ଷ୍ୟ ରହିଛି। ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବଢାଇବା, ବହୁମୁଖୀ ଦାରିଦ୍ର୍ୟକୁ କମାଇବା, ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ଲକ୍ଷେ ୮୦ ହଜାରରୁ ବଢାଇ ୩୨ଲକ୍ଷ କରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ଏହାର ଝଲକ ବଜେଟରେ ଦେଖିବାକୁ ମିଳିବ। ମୁଖ୍ୟତଃ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ସରକାର ଫୋକସ କରିବେ। ଏଥିପାଇଁ ବୃହତ ଶିଳ୍ପ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଗ୍ରାଧିକାର ଦେବାବୁ ପଡ଼ିବ। ଗତବର୍ଷ ଶିଳ୍ପ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୧୫ଶହ ୬୭ କୋଟିର ବ୍ୟବସ୍ଥା ହୋଇଥିଲା। ଏଥିରୁ ୩୦ କୋଟି ଏମ୍ଏସଏମ୍ଇର ଋଣ ସବସିଡି ବାବଦକୁ, ୩୫ କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାର୍କ ପାଇଁ, ୬୦ କୋଟି ଆର୍ଥିକ ସହାୟତା ଏବଂ ୨୫କୋଟି ଷ୍ଟାର୍ଟଅପ୍ ସେକ୍ଟର ପାଇଁ ଦେଇଥିଲେ। ଏଥର ଏହା ବୃଦ୍ଧି ହେବା ସହ ବ୍ୟାଙ୍କ ଋଣ ସହଜ କରିବାକୁ ସରକାର ସ୍ବତନ୍ତ୍ର ନୀତି ଆଣିବେ ବୋଲି ଆଶା ରହିଛି।

ଗତଥର ବଜେଟରେ ୪୫କୋଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ୫୦କୋଟି ଫୁଡ ପାର୍କ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ଏଥିରୁ କେତେ ଖର୍ଚ୍ଚ ହୋଇଛି ? ଲୋକଙ୍କ କାମରେ କେତେ ଲାଗିଛି ? ତାର ସୂଚନା ସ୍ପଷ୍ଟ ଭାବେ ଉପଲବ୍ଧ ନାହିଁ। ଓଡିଶା ଏବେ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାରେ ଦେଶରେ ଦ୍ଵିତୀୟ, ଆର୍ଥିକ ଅଭିବୃଦ୍ଧିରେ ଏକ ନମ୍ବର । ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପ୍ରକଳ୍ପ ହେଉଛି, ହେଲେ ନିର୍ଦ୍ଧାରିତ ସମୟରେ ସରୁନଥିବାରୁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ମିଳୁନାହିଁ। ଏଥର ବଜେଟରେ ପାନୀୟ ଜଳ ପ୍ରକଳ୍ପ ଉପରେ ସରକାର ଫୋକସ କରିବେ ବୋଲି ଆଶା କରାଯାଉଛି। ବଜେଟରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଉପରକୁ ଉଠାଇବା ପାଇଁ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ମିଳିପାରେ । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୨ ଲକ୍ଷ ୬୬ ହଜାର ୮୦୦ କୋଟି ଟଙ୍କାର ବଜେଟ ଆଣିଥିଲେ । ଅତିରିକ୍ତ ବଜେଟରେ ଆଉ ୧୭ ହଜାର ୪୪୦ କୋଟି ଟଙ୍କା ଯୋଡିଲେ। ଏଥର ବଜେଟ ପରିମାଣ ପ୍ରାୟ ୩ଲକ୍ଷ ୧୫ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି।

କଣ୍ଟାପଡା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲା ପ୍ରଶାସନ, ଧାରଣାରେ ବସିଲେ ନିର୍ବାଚିତ ପ୍ରତିନିଧି…

ନିଆଳି : ନିଆଳି କଣ୍ଟାପଡା ବ୍ଲକରେ ଅଭାବନୀୟ ସ୍ଥିତି। ବ୍ଲକ କାର୍ଯ୍ୟାଳୟକୁ ନିର୍ବାଚିତ ପ୍ରତିନିଧିଙ୍କ ପ୍ରବେଶ ନିଷେଧ l ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲା ପ୍ରଶାସନ l ଫଳରେ ଧାରଣାରେ ବସିଲେ ନିର୍ବାଚିତ ପ୍ରତିନିଧି। ପଞ୍ଚାୟତ ସମିତି ନିଷ୍ପତ୍ତିକୁ ମାନୁ ନାହିଁ ବ୍ଲକ ପ୍ରଶାସନ l ବ୍ଲକର ସମସ୍ତ ଉନ୍ନୟନ ଓ ଜନକଲ୍ୟାଣକାରୀ କାର୍ଯ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟ ଓ ଉପାଧ୍ୟାକ୍ଷଙ୍କ ତତ୍ୱାବଧାନରେ କରାଯିବାକୁ ସମିତିର ୬ଷ୍ଠ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଥିଲା l ଏ ସମ୍ପର୍କରେ ବାରମ୍ବାର ଆଲୋଚନା ପରେ କୌଣସି କାର୍ଯ୍ୟକ୍ରମ କରା ନଯିବାରୁ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଆଜି ନିର୍ବାଚିତ ପ୍ରତିନିଧି ମାନେ ଆଲୋଚନା ପାଇଁ ବ୍ଲକ ଅଫିସ ଆସିଥିବା ସମୟରେ କାର୍ଯ୍ୟାଳୟରେ ପ୍ରଶାସନ ତାଲା ପକାଇଥିବା ଦେଖିବାକୁ ମିଳିଥିଲା। ବ୍ୟାପକ ପୋଲିସ ସୁରକ୍ଷାରେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା l ପ୍ରଶାସନର ଏପରି ପଦକ୍ଷେପର ପ୍ରତିବାଦ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ବିସ୍ଥାପିତଙ୍କ ପାଇଁ ଅଭିଶାପ ପାଲଟିଛି ରାଷ୍ଟ୍ରାୟତ କମ୍ପାନି, ନାଲକୋ ପାଇଁ ଅନ୍ଧାରରେ କୋରାପୁଟ ଡେଙ୍ଗାଡାନିଗୁଡ଼ା…

ଜୟପୁର ;  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଡେଙ୍ଗାଡାନିଗୁଡ଼ା ଗାଁ । ଗାଁରେ ରହୁଛନ୍ତି ପ୍ରାୟ ୧୩୦ ପରିବାର । ରାଷ୍ଟ୍ରାୟତ ଶିଳ୍ପ ପ୍ରତିଷ୍ଠା ହେଲେ ଗାଁର ଉନ୍ନତି ହେବ ଭାବି ଭିଟାମାଟିକୁ କମ୍ପାନୀ ହାତରେ ଟେକି ଦେଇଥିଲେ । ଏବେ ସେହି କମ୍ପାନୀ ଗ୍ରାମବାସୀଙ୍କ ପାଇଁ ପାଲଟିଛି ଅଭିଶାପ । ଇଏ ହେଉଛନ୍ତି ଜିରୁ ଭୋଇ । ବୟସ ୩୫ ବର୍ଷ । ଗାଁକୁ ଲାଗିଥିବା ଆଲମିନୁୟମ୍ କମ୍ପାନି ଅଞ୍ଚଳ ସବୁବେଳେ ଗାଈ ଚାରାଇବାକୁ ଯାଉଥିଲେ । ପ୍ରତିଦିନ କମ୍ପାନିର ରେଡ ମଡ ପଣ୍ଡର କେମିକାଲ୍ ଯୁକ୍ତ ଧୁଳି ଓ ପାଣି ଦ୍ବାରା ସେ ଏବେ ପେଟ ରୋଗରେ ଆକ୍ରାନ୍ତ । ସେହିପରି ଗାଁର ଚାଷୀ ରାମ ଜାନି । କମ୍ପାନିର ପ୍ରଦୁଷଣ ତାଙ୍କ ଆଖି ଦୁଇଟିକୁ ନଷ୍ଟ କରିଦେଇଛି । ଏପରି ଗୋଟିଏ କି ଦୁଇଟି ଘଟଣା ନୁହେଁ କମ୍ପାନିର ବିଶାକ୍ତ ପାଣି ଅନେକ ଚର୍ମ ଓ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଅଭିଯୋଗ ହୋଇଛି ।

ଗାଁର ୪ଟି ନଳକୂପ କାମ କରୁ ନଥିବାରୁ ଲୋକେ ଝରଣା ଉପରେ ନିର୍ଭର କରନ୍ତି । କମ୍ପାନିର କେମିକାଲ୍ ଯୁକ୍ତ ପାଣି ସିପେଜ୍ ହୋଇ ପାଣିରେ ମିଶୁଛି । ପ୍ରଶାସନ ପକ୍ଷରୁ ୮ଲକ୍ଷ ଟଙ୍କା ବ୍ୟୟରେ ଏକ ଟାଙ୍କି କରାଯାଇ ପାଣି ଯୋଗାଇବାକୁ ବ୍ଯବସ୍ଥା ହୋଇଥିଲା । ହେଲେ ତାହା ଏବେ ଅଚଳ । କମ୍ପାନିର ରେଡମଡ ପଣ୍ଡ ଯୋଗୁଁ ଚାଷ କାମ ପ୍ରଭାବିତ ହୋଇଛି । ସେପଟେ ନାଲକୋର ପେରିଫେରି ଅଞ୍ଚଳରେ ସମସ୍ତ ବ୍ଯବସ୍ଥା କରିବା ସହ ଚିକିତ୍ସା କରାଯାଉଥିବା ପ୍ରେସନୋଟ ମାଧ୍ୟମରେ ସୁଚନା ଦେଇଛନ୍ତି କମ୍ପାନି କର୍ତ୍ତୃପକ୍ଷ । ଜିଲ୍ଲାପାଳଙ୍କ କହିବା କଥା, ନାଲକୋ କର୍ତ୍ତୃପକ୍ଷ ସେମାନଙ୍କ କାର୍ଯ୍ୟ ତୁଲାଇବା ସହ ସରକାରଙ୍କ ଅନେକ ଯୋଜନା ବି ଆମେ କାର୍ଯ୍ୟକାରୀ କରିଛୁ । କମ୍ପାନି ଓ ପ୍ରଶାସନ କରୁଛି ସବୁ କରୁଛି, ହେଲେ ପ୍ରକୃତରେ ଏହା ଲୋକଙ୍କ ପାଇଁ କେତେ ଉପଯୋଗୀ ହେଉଛି ତାହା ଗାଁର ଚିତ୍ରରୁ ସ୍ପଷ୍ଟ ଅନୁମେୟ ।

ଜୀବନ ବଞ୍ଚାଉଛି AI କ୍ୟାମରା, ବର୍ଷକରେ ୪୬ ଦୁର୍ଘଟଣା ରୋକିବା ସହ ଉଦ୍ଧାର ହେଲେଣି ୨୭୦ ହାତୀ

ରାଉରକେଲା : ଜୀବନ ବଞ୍ଚାଉଛି AI କ୍ୟାମେରା । ହାତୀ-ମଣିଷ ଲଢ଼େଇରେ ଲାଗୁଛି ରୋକ୍ । ବର୍ଷକରେ ୪୬ ଦୁର୍ଘଟଣା ରୋକିବାରେ ସକ୍ଷମ । ବଞ୍ଚିଲାଣି ୨୭୦ ହାତୀଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାର ମହିପାଣି ସଂରକ୍ଷିତ ଜଙ୍ଗଲର AI କ୍ୟାମେରା ଯୋଗୁଁ ୩ଟି ହାତୀଙ୍କ ଜୀଵନ ସୁରକ୍ଷା କରାଯାଇଛି । ରେଲୱେ ଲାଇନ ପାର ହେଉଥିବାବେଳେ ରୋକାଯାଇ ପାରିଛି ଦୁର୍ଘଟଣା । ରାତି ୧୨ଟା ୩୩ରେ ରେଲୱେ ଫାଟକ ନିକଟରେ ଡିଟେକ୍ଟ କରିଥିଲା AI କ୍ୟାମେରା । ତୁରନ୍ତ ବନ ବିଭାଗ ପଦକ୍ଷେପ ନେଇ ୨୩ ହାତୀଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇ ଦିଆଯାଇଥିଲା । AI କ୍ୟାମେରା ଯୋଗୁଁ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ରୋକାଯିବା ସହ ହାତୀଙ୍କ ଜୀବନ ବଞ୍ଚାଯାଇ ପାରିଛି ବୋଲି କହିଛନ୍ତି ଡିଏଫଓ ।

ରାଜ୍ୟରେ ପ୍ରଥମକରି ରାଉରକେଲା ବନଖଣ୍ଡର ୪ଟି ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଟାୱାର କ୍ୟାମେରା ଲଗାଯାଇଛି । ହାତୀ ଚଳାଚଳ କରୁଥିବା ଡଲାକୁଦର, କୁଚେଇତା ସୋନାଖାନ ଓ ମହିପାଣି ନିକଟରେ ୧୨୦ ଫୁଟ ଉଚ୍ଚତା ଏହି ଟାୱାର ଦ୍ବାର ୫ କିଲୋମିଟର ଦୂରର 360 ଡିଗ୍ରୀ ଦୃଶ୍ୟ ରେକର୍ଡ ହୋଇ ପାରୁଛି । ରାଉରକେଲା ଡିଏଫଓଙ୍କ କାର୍ଯ୍ୟଳୟରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ୍ । ଏହାଦ୍ବାରା ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରାଯାଇ ହାତୀ ମଣିଷ ଲଢେଇ ରୋକା ଯାଇ ପାରୁଛି । ବର୍ଷକ ମଧ୍ୟରେ ୪୬ ଟି ଦୁର୍ଘଟଣା ରୋକାଯିବା ସହ ୨୭୦ ଟି ହାତୀଙ୍କ ଜୀବନ ବଞ୍ଚିଛି ବୋଲି କହିଛନ୍ତି ଡିଏଫଓ । AI କ୍ଯାମରା ଯୋଗୁ ହାତୀଙ୍କ ଜୀବନ ବଞ୍ଚିବା ସହ ହାତୀ-ମଣିଷ ଲଢେଇରେ ଲାଗିଛି ରୋକ ।

ଅପରାଧର ଅନ୍ତୁଡ଼ିଶାଳ ପାଲଟିଛି ବସ୍ତି, ନିଶା ପାଇଁ ବୁଲୁଛି ହତିଆର, ଚାଲୁଛି ଭୁଜାଲି..

ଭୁବନେଶ୍ୱର : ନିଶା ପାଇଁ ବୁଲୁଛି ହତିଆର, ଚାଲୁଛି ଭୁଜାଲି । ମହିଳାଙ୍କୁ ଢାଲ କରି ଚାଲୁଛି ନିଶା ସିଣ୍ଡିକେଟ । ବସ୍ତିରେ ବେଧଡକ ଅପରାଧ, ବେଫିକର ଅପରାଧୀ । ନାଁ କୁ ମାତ୍ର ବସ୍ତିକୁ ଚାଲ ଅଭିଯାନ । ବବଲୁ ଥିଲେ ଘରର ରୋଜଗାରିଆ ପୁଅ। ମା’, ସ୍ତ୍ରୀଙ୍କ ସହ ଦୁଇ ଛୁଆଙ୍କ ବୋଝ ତାଙ୍କ ମୁଣ୍ଡରେ ଥିଲା । ହେଲେ ପୂର୍ଵ ଶତ୍ରୁତା, ପରକିୟା ଓ ନିଶା କାରବାର ପାଇଁ ଜିତେନ୍ଦ୍ର ଦାସ ଓରଫ ବବ୍ଲୁଙ୍କ ହୋଇଥିଲା ହତ୍ୟା । ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଅପରାଧୀଙ୍କ ଘର ମଧ୍ୟ ଭାଙ୍ଗିଥିଲେ ।  ହତ୍ୟାକାରୀଙ୍କୁ ମଧ୍ୟ ତୁରନ୍ତ ଧରିବାରେ ସଫଳ ହୋଇଥିଲା ନୟାପଲ୍ଲୀ ପୋଲିସ । କିନ୍ତୁ ଘଟଣାକୁ ଦେଢ଼ମାସ ବିତିନଥିବା ବେଳେ ଏବେ ପୁଣି ଅପରାଧୀ ହାତରେ ଖଣ୍ଡା ଧରି ଆତଙ୍କ ଖେଳାଇଛନ୍ତି । ଆଉ ଗୋଟେ ମର୍ଡର କରିବେ ବୋଲି ଧମକ ଦେଉଛନ୍ତି । ନିଶା ସିଣ୍ଡିକେଟକୁ ବେଧଡକ ଚଳାଇଛନ୍ତି । ଏଭଳି ସ୍ଥିତିରେ ନିଜ ଜୀବନ ପ୍ରତି ବିପଦ ଥିବା କହି ପୋଲିସ ସେବା ଭବନରେ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ୟୁନିଟ ୮ ଅଞ୍ଚଳର ବସ୍ତି ବାସିନ୍ଦା ।

ବସ୍ତିରେ ଅପରାଧ ରୋକିବା ସହ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କମିଶରେଟ ପୋଲିସ ଚଳାଇଛି ବସ୍ତିକୁ ଚାଲ ଅଭିଯାନ । କିନ୍ତୁ ଅଧିକାଂଶ ସମୟରେ ବସ୍ତିରେ ହିଁ ଦେଖିବାକୁ ମିଳୁଛି ସଙ୍ଗୀନ ଅପରାଧ । ଆଉ ଏସବୁକୁ ଖୋରାକ ଯୋଗାଉଛି ନିଶା କାରବାର। ମଙ୍ଗଳବାର ଠିକ ସମାନ ଢଙ୍ଗରେ ରାଜଧାନୀର ଛାତି ଉପରେ ହେରୋଇନ କାରବାର କରୁଥିବା ବେଳେ ଗିରଫ ହୋଇଥିଲା ଲେଡି ଡନ୍ ପାନ୍ନା । ମଇଁଶିଖାଲ ବସ୍ତିରେ ଚଢ଼ାଉ ବେଳେ ଅନ୍ନପୂର୍ଣ୍ଣା ବେହେରା ଓରଫ ପାନ୍ନା ଠାରୁ ମିଳିଥିଲା ୪୦ ଲକ୍ଷ ଟଙ୍କାର ଦାମୀ ନିଶା । ମହିଳାଙ୍କୁ ଢାଲ କରି ଲେଡି ଡନ ଚଳାଇଥିଲା ନିଶା ସିଣ୍ଡିକେଟ । ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ । ବସ୍ତିର ଅଧିକାଂଶ ଅପରାଧ ପଛରେ ରହୁଛି ନିଶା କାରବାର ଲିଙ୍କ । କେତେବେଳେ ନିଶାଶକ୍ତ ଅବସ୍ଥାରେ ରକ୍ତ ବୋହୁଛି ତ ଆଉ କେତବେଳେ ନିଶା ବେପାର ପାଇଁ ମୁଣ୍ଡ ଗଡୁଛି । ଏସବୁକୁ ରୋକିଲେ ହୁଏତ ବସ୍ତି ଅପରାଧରେ ଲାଗିପାରିବ ଲଗାମ ।

ଓଡ଼ିଶାରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ସ୍ପିରୁଲିନା ଚାଷ….

ଖୋର୍ଦ୍ଧା : ଶୈବାଳ ଚାଷ ବା ସ୍ପିରୁଲିନା ଫାର୍ମିଂ। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଖାଦ୍ୟ ଉତ୍ସ । ଓଡ଼ିଶାରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ସ୍ପିରୁଲିନା ଚାଷ। ଏହି ଚାଷ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପବିତ୍ର ସାହୁ । ସେ ଜଣେ ଆଇଟି ଇଞ୍ଜିନିୟର ସହ ଚାଟାର୍ଡ ଆକାଉଣ୍ଟାଣ୍ଟ। ବିଦେଶରୁ ଫେରି ଆଖୁପଦର ଅଞ୍ଚଳରେ ଏହି ଚାଷ ଆରମ୍ଭ କରି ସଫଳ ହୋଇଛନ୍ତି । ଏଥିରୁ ତିଆରି ଟାବ୍ଲେଟରୁ ମିଳିବ ପ୍ରୋଟିନ, ଆଇରନ ଏବଂ ରୋଗ ପ୍ରତିରୋଧକ ଶକ୍ତି।

ପ୍ରାୟ ୫ ଏକର ଜାଗାରେ ଛୋଟ ଛୋଟ ପଲ୍ଲୀ ହାଉସ ନିର୍ମାଣ କରି ଆଧୁନିକ ପ୍ରଣାଳୀରେ ସେଡ୍ ନିର୍ମାଣ କରାଯାଇଛି। ଗଙ୍ଗା ନଦୀ ପାଖରୁ ଶିଉଳି ଆଣି  ଏଠି ଚାଷ କରାଯାଉଛି। ଏହି ନୀଳ ଶୈବାଳ ଉଭୟ ମଧୁର ଓ ଲୁଣି ପାଣିରେ ବଢ଼ିଥାଏ। ଶିଉଳିକୁ ନେଇ ପରୀକ୍ଷାଗାରରେ ପରୀକ୍ଷା କରି ଶୁଖାଇ ପାଉଡର ଓ ଟାବ୍ଲେଟ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଆଗ୍ରୋନୋମିଷ୍ଟ ମାନେ ନିଯୁକ୍ତ ହୋଇ ଗବେଷଣା ସହିତ ଉତ୍ପାଦନରେ ଲାଗିଛନ୍ତି। ଏହି ସ୍ପିରୁଲିନାକୁ ମିଳିତ ଜାତିସଂଘ  ଓ WHO ଭବିଷ୍ୟତର ସର୍ବୋତ୍ତମ ଖାଦ୍ୟ ବୋଲି ଘୋଷଣା କରିଛନ୍ତି। ମହାକାଶଚାରୀ ମାନଙ୍କ ପାଇଁ ଦୀର୍ଘକାଳୀନ ମହାକାଶ ମିଶନରେ ନାସା ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଛି।

ରାସ୍ତା ପାଲଟିଛି ମରଣଯନ୍ତା, ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ୨ଟି ପଞ୍ଚାୟତର ଲୋକେ…

ଏରସମା : ଆବଡ଼ା ଖାବଡ଼ା ରାସ୍ତା । କେଉଁଠୁ କଂକ୍ରିଟ ବାହାରି ଯାଇଛି ତ ଆଉ କେଉଁଠି ବଡ ବଡ ଗର୍ତ୍ତ। ଏହି ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ନିଇତି ଯାତାୟାତ କରୁଛନ୍ତି ୨ଟି ପଞ୍ଚାୟତର ୧୦ହାଜର ରୁ ଉର୍ଦ୍ଧ ଲୋକେ। ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳର। ଓଲରାରୁ ଗଡହରିଶପୁର ମୟୂରଲାଞ୍ଜି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାର ଅବସ୍ଥା ଏପରି ଯେ, ବର୍ଷା ହେଲେ ଶହ ଶହ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ। । ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବା ବେଳେ  ରାସ୍ତାର ଦୁରାବସ୍ଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଛି ।

୨ ବର୍ଷ ହେବ ରାସ୍ତା ସମସ୍ୟା ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧିଙ୍କୁ  ଜଣାଇଥିଲେ ସୁଦ୍ଧା ସମାଧାନ ହେଉନଥିବାବେଳେ ଖାଲି ମିଳୁଛି ଫମ୍ପା ପ୍ରତିଶୃତି। ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିଲେ ସୁଦ୍ଧା ତାଙ୍କ ନଜରକୁ ଆସିନାହିଁ।  ଏନେଇ ଜଳ ସେଚନ ଓ ଲୁଣା ତଟବନ୍ଧ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଖୁବଶୀଘ୍ର ରାସ୍ତାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି।

ସୋସାଇଟି ସେକ୍ରେଟାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଧାନ କିଣାବିକା…

ପଟ୍ଟାମୁଣ୍ଡାଇ : ମିଲର ମାଲାମାଲ । ଚାଷୀ ବେହାଲ । ସୋସାଇଟି ସେକ୍ରେଟାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଧାନ କିଣାବିକା। ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକର ବିଭିନ୍ନ ମିଲ୍ ଆଗରେ ଏଭଳି ଦେଖିବାକୁ ମିଳିଛି । ଅଧିକାଂଶ ମିଲରେ ନାହିଁ ନାମଫଳକ । ଟାର୍ଗେଟ ନଥିବା କହି ଚାଷୀଙ୍କୁ ହତାଶ କରୁଛନ୍ତି ମିଲର। ଫଳରେ ଦିନ ଦିନ ଧରି ହଜାର ହଜାର କୁଇଣ୍ଟାଲ ଧାନ ଟ୍ରାକ୍ଟରରେ ଲୋଡ ହୋଇପଡିରହିଛି।  ମଣ୍ଡିକୁ ଯାଉନାହାନ୍ତି ମିଲର୍ସ । ନିଜ ଖର୍ଚ୍ଚରେ ଧାନ ଆଣି ମିଲ୍ ସାମ୍ନାରେ ଦିନଦିନ ଧରି ଅପେକ୍ଷା କରୁଛି ଚାଷୀ। ହେଲେ ଉଠିପାରୁନି ଧାନ।

ଟାର୍ଗେଟ ଅନୁଯାୟୀ ଚାଷୀଙ୍କ ପାଖରୁ ଅଧିକାଂଶ ଧାନ ଉଠାଯାଇଥିବା ଯୋଗାଣ ବିଭାଗ ତଥ୍ୟ କହୁଛି l ହେଲେ ବାସ୍ତବ ଚିତ୍ର କିଛି ଅଲଗା l ପ୍ରଶାନ୍ତି ‘ଫୁଡ୍ସ ‘ ରାଇସ ମିଲ୍ ସାମ୍ନାରେ ଝୁଲିଛି ତାଲା । ମିଲରେ ଧାନ ବଦଳରେ ଛଣ ଗଦା ସହ  ଛିଣ୍ଡା ବସ୍ତାର ଅଳିଆ ଆବର୍ଜନା ପଡ଼ିରହିଛି l  ମୁନାଫା ପାଇଁ କେଉଁଠି ଜରି ବସ୍ତା ଭର୍ତ୍ତି ଧାନ ଗ୍ରହଣ କରାଯାଉଛି ତ ଆଉ କେଉଁଠି ଓ୍ବେ ବ୍ରିଜ ବଦଳରେ ଛୋଟ ଡିଜିଟାଲ ଓଜନ ମେସିନରେ ଧାନ ଓଜନ କରି ଚାଷୀଙ୍କୁ ଲୁଟୁଛନ୍ତି ମିଲର। ଅନ୍ୟପଟେ ମିଲରଙ୍କୁ ଧାନ ବଏଲର ଅନୁମତି ମିଳିନଥିବାବେଳେ ମିଲରେ କିଭଳି ବଏଲିଂ ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ। ପଟ୍ଟାମୁଣ୍ଡାଇ ବ୍ଲକ ଯୋଗାଣ ଅଧିକାରିଣୀ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ମିଲ ଚାଲିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମିଲରେ ବଏଲିଂ ଲାଗି ଟେଷ୍ଟ ହେଉଥିବା ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ନିଗମ ପରିଚାଳକ । ଖବର ପ୍ରସାରଣ ପରେ ଯୋଗାଣ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଓ କେବେ ଚାଷୀଙ୍କୁ ତାଙ୍କ ହକ୍ ମିଳୁଛି ତାକୁ ଅପେକ୍ଷା ।

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା ଓ କର୍ମକର୍ତ୍ତା

ବ୍ରହ୍ମପୁର : ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ସାକ୍ଷାତ କଲେ ବରିଷ୍ଠ ବିଜେଡ଼ିର ନେତା ଓ କର୍ମକର୍ତ୍ତା। ରାଜ୍ଯରୁ ଆସିଥିବା ନେତା ତାସହିତ ଗଞ୍ଜାମ ଜିଲ୍ଲାର ପୂର୍ବତନ ବିଧାୟକ, ବିଧାୟିକା ମାନେ ମେଡିକାଲ ଆସି ବିକ୍ରମଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେପଟେ ବିକ୍ରମ ପଣ୍ଡାଙ୍କ ଜୀବନ ପ୍ରତି ବିପଦ ରହିଛି । ଏନେଇ ଉତ୍ତମ ଚିକିତ୍ସା ପାଇଁ ଏକ ବେସରକାରୀ ମେଡିକାଲ କୁ ନେବା ପାଇଁ କହିଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ। ଗତକାଲି ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ ବିକ୍ରମ ପଣ୍ଡା । ଛାତି ଓ ପେଟରେ ଯନ୍ତ୍ରଣା ହେବାରୁ ବିକ୍ରମଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲକୁ ଅଣାଯାଇଥିଲା । ପ୍ରଥମେ ଏମକେସିଜି ମେଡିକାଲର ଜରୁରୀକାଳୀନ ବିଭାଗରେ ବିକ୍ରମଙ୍କ ଚିକିତ୍ସା ଚାଲିବା ପରେ ୱାଡକୁ ସିଫ୍ଟ କରାଯାଇଥିଲା। ବିକ୍ରମ ଗଲ ବ୍ଲାଡର ଷ୍ଟୋନ, ପାଇଲସ୍ ଓ ଦାନ୍ତରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ୭ ଦିନ ପୂର୍ବରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ 16 ତାରିଖରରେ ଏମକେସିଜି ମେଡିକାଲରୁ ଡିସଚାର୍ଜ ହେବା ସମୟରେ ଗଲ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ବିକ୍ରମ ରାଜି ଥିବା ବେଳେ ତାଙ୍କୁ ତରବରିଆ ଭାବେ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ଭେଣ୍ଟିଲେଟରରେ ସଲମାନ୍ ଖାନଙ୍କ ବାପା ; ଡାକ୍ତର ଦେଲେ ବଡ଼ ଅପଡେଟ୍ ..

ମୁମ୍ବାଇ : ବଲିଉଡର ବରିଷ୍ଠ ଚିତ୍ରନାଟ୍ୟ ଲେଖକ ସଲିମ ଖାନ ବର୍ତ୍ତମାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାନୁଆରୀ ୧୭ ତାରିଖ ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ବର୍ତ୍ତମାନ ସେ ଡାକ୍ତରଙ୍କ କଡ଼ା ନିରୀକ୍ଷଣରେ ଅଛନ୍ତି । ସମଗ୍ର ପରିବାର ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ, ଏବଂ ସଦସ୍ୟମାନେ ଗତ କିଛି ଦିନ ଧରି ବାରମ୍ବାର ହସ୍ପିଟାଲକୁ ଆସୁଛନ୍ତି। ଏପରିକି ସଞ୍ଜୟ ଦତ୍ତ ଏବଂ ଜାଭେଦ ଅଖତର ମଧ୍ୟ ସଲିମ ଖାନଙ୍କୁ ଭେଟିଥିଲେ। ବର୍ତ୍ତମାନ ଡାକ୍ତର ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଏକ ବଡ଼ ଅପଡେଟ୍ ପ୍ରଦାନ କରିଛନ୍ତି ।

ଡାକ୍ତର ଜଲିଲ ପାରକରଙ୍କ ତତ୍ତ୍ବାବଧାନରେ ସଲିମ ଖାନଙ୍କ ଚିକିତ୍ସା କରାଯାଉଛି। ଏହି ସମୟରେ ତାଙ୍କ ସହିତ ଡାକ୍ତରଙ୍କ ଏକ ଦଳ ଉପସ୍ଥିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ସଲିମ ଖାନ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି। ତଥାପି ତାଙ୍କ ସ୍ୱାସ୍ଥ୍ୟରେ ବର୍ତ୍ତମାନ ଉନ୍ନତି ହେଉଛି। ତାଙ୍କର ମିନିମିୟଲ ବ୍ରେନ ହାମରେଜ  ସାମାନ୍ୟ ହୋଇଛି, ଯାହା ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ନାହିଁ। ଏଥିପାଇଁ ଏକ ପ୍ରକ୍ରିୟା (DSA) କରାଯାଇଛି। ଡାକ୍ତରମାନେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଯଦି ଆସନ୍ତାକାଲି ସୁଦ୍ଧା ସବୁକିଛି ଠିକ୍ ରହିଥାଏ, ତେବେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯିବ।

ଡାକ୍ତର ଜଲିଲ ପାରକର କହିଛନ୍ତି ଯେ ଜାନୁଆରୀ ୧୭ ତାରିଖ ସକାଳେ ସଲିମ ଖାନଙ୍କୁ ତାଙ୍କ ପାରିବାରିକ ଡାକ୍ତର ଚୋପ୍ରା ଲୀଳାବତୀ ହସ୍ପିଟାଲକୁ ଆଣିଥିଲେ। ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତା’ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ରକ୍ତଚାପ ମଧ୍ୟ ଅଧିକ ଥିଲା, ତେଣୁ ସୁରକ୍ଷା ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେ ବର୍ତ୍ତମାନ ପାଇଁ ଭେଣ୍ଟିଲେଟରରେ ଅଛନ୍ତି, କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ଅଛି। ଯଦି ଆସନ୍ତାକାଲି ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ଭଲ ରହେ, ତେବେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯିବ । ସେ ଏବେ ଭଲ ହେଉଛନ୍ତି କିନ୍ତୁ ବୟସ ବୃଦ୍ଧି ଯୋଗୁଁ ଆରୋଗ୍ୟ ଧୀରେ ଧୀରେ ହେଉଛି।