spot_img
Home Blog Page 3407

କିବ୍ ଆକାଶରେ ଉଡୁଥିବା ୬ଋଷୀୟ ବେଲୁନକୁ ଖସାଇଲା ୟୁକ୍ରେନ

କିବ୍: ବିଶ୍ୱରେ ବଢ଼ିଚାଲିଛି ବେଲୁନ ବିପଦ। ରାଜଧାନୀ କିବ୍ ଉପରେ ଉଡୁଥିବା ୬ଟି ଋଷୀୟ ବେଲୁନକୁ ଖସାଇଛି ୟୁକ୍ରେନ। ଏହି ବେଲୁନ ଗୁଡିକରେ ରିଫ୍ଲେକ୍ଟର ଓ ତଥ୍ୟ ସଂଗ୍ରହକାରୀ ଯନ୍ତ୍ରପାତି ରହିଥିବା ଅଭିଯୋଗ କରିଛି ୟୁକ୍ରେନ। ଏହି ବେଲୁନ ଉଡିବା ପରେ କିବରେ ଏୟାର ଆଲର୍ଟ ଜାରି କରାଯାଇଥିଲା। ବେଲୁନ ଗୁଡିକ ପବନର ଗତି ଅନୁସାରେ କିବ୍ ଚାରିପଟେ ଘୂରୁଥିବାକୁ ନେଇ ଉଦବେଗ ପ୍ରକାଶ କରିଥିଲା ୟୁକ୍ରେନ।

ବେଲୁନ ଜରିଆରେ ୟୁକ୍ରେନର ଏୟାର ଡିଫେନ୍ସ ସମ୍ପର୍କରେ ତଥ୍ୟ ହାସଲ କରାଯାଉଥିବା ନେଇ ୟୁକ୍ରେନ ଅଭିଯୋଗ କରିଛି। ନିଜର ଡ୍ରୋନ ଗୁଡିକୁ ସୁରକ୍ଷିତ ରଖି ଏହି ବେଲୁନ ଜରିଆରେ ଋଷ ବିଭିନ୍ନ ତଥ୍ୟ ହାସଲ କରୁଥିବା କହିଛି ୟୁକ୍ରେନ। ସେପଟେ ଆମେରିକା ଆକାଶରେ ଉଡୁଥିବା ଅବସ୍ଥାରେ ଖସାଯାଇଥିବା ବେଲୁନକୁ ନେଇ ନୂଆ ତଥ୍ୟ ଆସିଛି।

ଏହି ବେଲୁନଟି ଗୁଆମ ଓ ହାଓ୍ବାଲି ଅଭିମୁଖେ ଯାଇଥାନ୍ତା ବୋଲି କୁହାଯାଇଛି। ଏହି ବେଲୁନଟିକୁ ଚୀନର ଦକ୍ଷିଣ ପୂର୍ବ ଉପକୂଳର ହାଇନାନ ଦ୍ବୀପରୁ ଛଡ଼ାଯାଇଥିଲା ବୋଲି ପ୍ରମାଣିତ ହୋଇଥିଲା । ଏହି ବେଲୁନଟିକୁ ଆମେରିକା ଏଫ-୨୨ ଫାଇଟର ଜେଟ ଜରିଆରେ ଖସାଇବାକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ISIL-Kର ଧମକ

ନୂଆଦିଲ୍ଲୀ: ବଢିଲା ତାଲିବାନ ଓ ଆଇଏସଆଇଏଲ-କେ ସଂଗଠନ ମଧ୍ୟରେ ବିବାଦ । ତାଲିବାନକୁ ଏକ ଦୁର୍ବଳ ଶକ୍ତିଭାବେ ଆନ୍ତର୍ଜାତିକ ସ୍ତରରେ ପ୍ରତିପାଦିତ କରିବା ଲାଗି ଆଇଏସଆଇଏଲ-କେ ବିଭିନ୍ନ ଦେଶର ଦୂତାବାସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବୋଲି ସୂଚନା ମିଳିଛି। ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନର ଦୂତାବାସ ଉପରେ ଆକ୍ରମଣ କରିବା ଲାଗି ଧମକ ଦେଇଛି ଆଇଏସଆଇଏଲ-କେ ଆତଙ୍କବାଦୀ ସଂଗଠନ।

ତାଲିବାନ ସରକାର ସହ ପଡୋଶୀ ରାଷ୍ଟ୍ରଗୁଡିକର ସମ୍ପର୍କ ତିକ୍ତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରିବାକୁ ଆଇଏସଆଇଏଲ-କେ ସୁଚିନ୍ତିତ ଯୋଜନା କରୁଥିବା ଜଣାଯାଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଇସଲାମିକ ଷ୍ଟେଟ ଇନ ଇରାକ ଓ ଲେଭାଣ୍ଟ-ଖୋରାସାନ ସଂଗଠନ ବା ଆଇଏସଆଇଏଲ-କେ ପକ୍ଷରୁ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ କରିବା ଲାଗି ଯୋଜନା କରାଯାଇଛି।

କେନ୍ଦ୍ର ଓ ଦକ୍ଷିଣ ଏସିଆରେ ବର୍ତ୍ତମାନ ଆଇଏସଆଇଏଲ-କେ ସଂଗଠନର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ସୃଷ୍ଟି କରିବା ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି। କାବୁଲରେ ଥିବା ବିଭିନ୍ନ ରାଷ୍ଟ୍ରର ଦୂତାବାସ ଉପରେ ହମଲା କରାଗଲେ ତାଲିବାନ ଓ ପଡୋଶୀ ରାଷ୍ଟ୍ରଗୁଡିକ ସହ ତାଲିବାନ ସରକାରର ସମ୍ପର୍କ ତିକ୍ତ ହେବ ବୋଲି ସଂଗଠନ ବିଚାର କରିଛି। ରିପୋର୍ଟରେ କୁହାଯାଇଛି- ଆଇଏସଆଇଏଲ-କେ ସଂଗଠନରେ ପ୍ରାୟ ୬ ହଜାର ସଦସ୍ୟ ରହିଛନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହଟ୍ଟହଟ୍ଟା, ଗିରଫ ଭୟରେ ସର୍କିଟ ହାଉସରେ ଲୁଚିଲେ ଜୟନାରାୟଣ

ସମ୍ବଲପୁର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହଟ୍ଟହଟ୍ଟା। ଗିରଫଦାରୀ ଭୟରେ ସ୍ଥାନୀୟ ସର୍କିଟ ହାଉସରେ ଲୁଚିଥିବା ବେଳେ, ମହିଳା ବିଜେଡି କର୍ମୀ ସର୍କିଟ ହାଉସକୁ ଘେରାଉ କରି, ଜୟନାରାୟଣ ମିଶ୍ର ମୁର୍ଦ୍ଦାବାଦ, ବିଜେପିର ଗୁଣ୍ଡାଗିରି ଚଳିବ ନାହିଁ ଭଳି ନାରା ଦେଇଥିଲେ। ଫଳରେ ସର୍କିଟ ହାଉସର ପଛପଟ ଗେଟ ଦେଇ ଜୟନାରାୟଣ ପଳେଇ ଯାଇଥିଲେ । ଗତକାଲି ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ସର୍ବସାଧାରଣରେ ଜୟନାରାୟଣ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ। ଏହାପରେ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଗତକାଲି ଆଇଆଇସି ଅନିତା ପ୍ରଧାନ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ବିଭିନ୍ନ ସଙ୍ଗୀନ ଦଫାରେ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଜି ସାରା ରାଜ୍ୟରେ ଏନେଇ ପ୍ରତିବାଦ କରାଯାଇଛି । ସମ୍ବଲପୁରରେ ଜିଲ୍ଲା ବିଜେଡି ଓ ମହିଳା ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇ ସ୍ଥାନୀୟ ଜେଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସର୍କିଟ ହାଉସ ପର୍ଯ୍ୟନ୍ତ ଯାଇଥିଲା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା, ଜଣେ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଥିବାରୁ ବିଜେପି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା, ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଇବାକୁ ଦାବି କରିଛି ବିଜେଡି ।

ଭୁଶୁଡ଼ା ଅର୍ଥନୀତିରେ ଯୁଝି ହେଉଛି ପାକିସ୍ତାନ, ପେଟ୍ରୋଲ ଲିଟର ପିଛା ଛୁଇଁଲା ୨୭୨ ଟଙ୍କା

ଇସଲାମାବାଦ: ଭୁଶୁଡ଼ା ଅର୍ଥନୀତିରେ ଯୁଝି ହେଉଛି ପାକିସ୍ତାନ । ଆଇଏମଏଫର ବେଲଆଉଟ ପ୍ୟାକେଜ ସର୍ତ୍ତ ପାଇଁ ଆହୁରି ଭୟଙ୍କର ହୋଇଛି ସ୍ଥିତି । ହୁହୁ ହୋଇ ବଢ଼ୁଛି ଦରଦାମ । ମିନି ବଜେଟ ପରେ ରେକର୍ଡ ଛୁଇଁଛି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର । ପେଟ୍ରୋଲ ଲିଟର ପିଛା ପୁଣି ୨୨ ଟଙ୍କା ୨୦ ପଇସା ବୃଦ୍ଧି କରାଯାଇଛି । ଯାହାଫଳରେ ପେଟ୍ରୋଲ ଲିଟର ୨୭୨ ଟଙ୍କା ଛୁଇଁଛି । ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହ୍ରାସ ଯୋଗୁ ସରକାର ପେଟ୍ରୋଲିୟମ ସାମଗ୍ରୀ ଦର ବଢ଼ାଇଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇଛି । ନୂଆ ଦର ଲାଗୁ ପରେ ହାଇସ୍ପିଡ ଡିଜେଲ ଦାମ ଲିଟର ପିଛା ୨୮୦ ଟଙ୍କା ଓ କିରୋସିନ ୨୦୨ଟଙ୍କା ୭୩ ପଇସା ହୋଇଛି ।

ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପାକିସ୍ତାନ ଅତି ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ଦରଦାମ ବୃଦ୍ଧି ମୁଦ୍ରାସ୍ଫୀତି ଆହୁରି ବଢ଼ାଇବା ଆଶଙ୍କା କରାଯାଉଛି । ଗତକାଲି ପାକିସ୍ତାନରେ ମିନି ବଜେଟ ଉପସ୍ଥାପନ ହୋଇଥିବା ବେଳେ ଜେନେରାଲ ସେଲ୍ସ ଟାକ୍ସକୁ ୧୭ ପ୍ରତିଶତରୁ ୧୮ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । ଏହାସହ ସୌକିନ ସାମଗ୍ରୀ ଉପରେ ୨୫ ପ୍ରତିଶତ ବଢ଼ାଇ ଦିଆଯାଇଛି । ଏହାସହ ସିଗାରେଟ ଓ ମିଠା ପାନୀୟ ଉପରେ ଏକ୍ସାଇଜ ଡ୍ୟୁଟି ମଧ୍ୟ ବଢ଼ାଇ ଦିଆଯାଇଛି । ପରଫ୍ୟୁମ, ଏଲଇଡି ଟିଭି, ଏଲସିଡି ଟିଭି, ସ୍ମାର୍ଟ ଫୋନ, ଆଇପ୍ୟାଡ, ଜୁସର ଓ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ୧୮ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରାଯାଇଛି ।

ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ପରେ ତେଜୁଛି ଅସନ୍ତୋଷ, ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର: ମହିଳା IICଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିଛନ୍ତି । ଆଇନ ଅନୁଯାୟୀ ଜୟନାରାୟଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ବିଜେପି ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜୁ ମହିଳା ଜନତା ଦଳ କହିଛି ।

ଜୟନାରାୟଣ ସବୁ ସୀମା ଉଲଘଂନ କରିଛନ୍ତି । ଜଣେ କାର୍ଯ୍ୟରତ ଆଇଆଇସିକୁ ଯେଉଁଭଳି ଭାବେ ଧକ୍କା ମାରିଛନ୍ତି ତାହା ଅତି ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ନେତା । ଖାଲି ଜୟନାରାୟଣ ନୁହେଁ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ତାଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଯାହାକୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ଏଥିସହ ଜୟନାରାୟଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।

କୃଷି ଓଡ଼ିଶା-୨୦୨୩ ଉଦଘାଟିତ, ଗଛରେ ପାଣି ଦେଇ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ’କୃଷି ଓଡ଼ିଶା’ ଆରମ୍ଭ ହୋଇଛି । ନିଆରା ଢ଼ଙ୍ଗରେ ଏକ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା । ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ’କୃଷି ଓଡ଼ିଶା’ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଚଳିତ ବର୍ଷର ରାଜ୍ୟ କୃଷି ମହୋତ୍ସବର ଶୀର୍ଷକ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’ ।

ରାଜ୍ୟର କୋଣ ଅନୁକୋଣରୁ ଚାଷୀ ଏହି ମହୋତ୍ସବକୁ ଆସୁଛନ୍ତି । ବିଭିନ୍ନ କମ୍ପାନୀ ଦ୍ବାରା ପ୍ରଦର୍ଶିତ ହେଉଥିବା କୃଷିକ୍ଷେତ୍ରରେ ମେସିନ ଓ ଯନ୍ତ୍ରାଂଶ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ତିନି ଦିନ ଭିତରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳରେ କିପରି ଚାଷ କରାଯିବ ଶେଷ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସମୀକ୍ଷା ମଧ୍ୟ ଏହି କୃଷି ମହୋତ୍ସବରେ ହେବ । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁବ୍ରତ ବାଗଚୀ, ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ପଙ୍କୋଦ୍ଧାର ଏକାଦଶୀ, ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ପୁରୀ: ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଚ୍ଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ଆଜି ବାହାର କରାଯାଇଛି ।

ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୁଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୧୨ଟାରୁ ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପଙ୍କୋଦ୍ଧାର ଶେଷ ପରେ ମାଘ ସ୍ନାନ ହୋଇ ଟିକେଟ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ଚାଲିଛି । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ଦାମ୍ ୧୦୦ ଟଙ୍କା ରଖାଯାଇଛି ।

 

ଆସନ୍ତା ଦୁଇଦିନ ମଧ୍ୟରେ ବଢ଼ିବ ପାରଦ, ଉପାନ୍ତରୁ ଉପକୂଳ ସବୁଠି କଲବଲ କରିବ ଖରା

ଭୁବନେଶ୍ୱର: ଦିନରେ ତାତି, ରାତିରେ ଶୀତ । ଉପାନ୍ତରୁ ଉପକୂଳ ସବୁଠି ଏଭଳି ରହିଛି ପାଗ । ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ତାପମାତ୍ରା । ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବୃଦ୍ଧି ସହ କଲବଲ କରିବ କୁହୁଡି । ଆଜି ୭ଟି ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର,ଭଦ୍ରକ, ଖୋର୍ଦ୍ଧା ଏବଂ ଢେଙ୍କାନାଳକୁ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ ଏବଂ ଢେଙ୍କାନାଳରେ ଘନ କୁହୁଡି ଦେଖାଦେବ । ୧୮ ତାରିଖ ପରେ ବଦଳିବ ପାଣିପାଗ । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସହ କିଛି ସ୍ଥାନରେ ୩୮ ରୁ ୪୦ ଡିଗ୍ରୀ ପାରା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ମେଘମୁକ୍ତ ଆକାଶ ଏବଂ ଟାଣ ଖରାପାଇଁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

କାର୍ଯ୍ୟରତ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର: କାର୍ଯ୍ୟରତ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ। ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ। ଦେଓଗାଁ ବଜାରରେ ଘଷିପୁରା ଥାନାର ହୋମଗାର୍ଡ ସୁରେଶ ରାଉତ ଗତକାଲି ଡ୍ୟୁଟିରେ ଥିଲେ। ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝଇ ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସୁରେଶଙ୍କ ଘର ନିକଟସ୍ଥ ତରିମୁଳ ଗାଁର ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କ ଉପରେ ଗାଡ଼ି ମାଡ଼ିଗଲା ତା’ର ତଦନ୍ତ କରୁଛି।

ଜୟନାରାୟଣ ମିଶ୍ରଙ୍କୁ ଚାରିଆଡ଼ୁ ବିରୋଧ, ହିତାହିତ ଜ୍ଞାନ ଭୁଲିଗଲେ ବିରୋଧୀ ଦଳ ନେତା

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଚାରିଆଡ଼ୁ ବିରୋଧ । ଜଣେ କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ଶାରୀରିକ ଆକ୍ରମଣ କରିବା ବିରୋଧୀ ଦଳ ନେତାଙ୍କ ପକ୍ଷେ ଅଶୋଭନୀୟ । ମହିଳା ସଶକ୍ତିକରଣ ଡିଣ୍ଡିମ ପିଟୁଥିବା ଓଡ଼ିଶା ବିଜେପି ଜୟନାରାୟଣଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେବ । ଗତକାଲି ହିତାହିତ ଜ୍ଞାନ ଭୁଲି ଧନୁପାଲି ଥାନା ମହିଳା ଆଇଆଇସି ଅନିତା ପ୍ରଧାନଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଜୟନାରାୟଣ । ଆନ୍ଦୋଳନ ସରିବା ବେଳକୁ ଦଳ ବଳ ଧରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ଜୟନାରାୟଣ  । ବ୍ୟାରିକେଡ ପାଖରେ ଜୟନାରାୟଣ ପହଞ୍ଚି ବିନା କିଛି କାରଣରେ ଆଇଆଇସିଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବା ଅନିତା କହିଛନ୍ତି। ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କିଛି ଶୁଣିନଥିଲେ। ଗାଳିଗୁଲଜ ସହ ଥାନା ପୋଡିବା ଏବଂ ସସପେଣ୍ଡ କରିବା ନେଇ ଧମକ ଦେଇଥିଲେ। ଏଭଳି ଗାଳିଦେବା ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହ ମିଡିଆ, ପବ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ ଜୟନାରାୟଣ ।

ଆଇଆଇସିଙ୍କ ଏତଲା ପରେ ଜୟନାରାୟଣଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ ଭଳି ଦଫା ଜୟନାରାୟଣଙ୍କ ବିରୋଧରେ ଲାଗିଛି । ଜୟନାରାୟଣଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି । ବିରୋଧୀ ଦଳ ନେତା ପଦରୁ ତୁରନ୍ତ ବହିଷ୍କାର ପାଇଁ ଦାବି କରିଛି ବିଜେଡି । ଏହା ସହ  ରାଜ୍ୟର ମା’ମାନଙ୍କୁ କ୍ଷମା ପାର୍ଥନା କରିବାକୁ ଦାବି ହୋଇଛି । ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁଠି ଦାବି ହୋଇଛି । ସେପଟେ ଓଡ଼ିଶା ପୋଲିସ ସେବା ସଂଘର ସମ୍ବଲପୁର ଶାଖା ଓ ଓଡ଼ିଶା ହାବିଲଦାର ଓ କନେଷ୍ଟବଳ ମହାସଂଘ ତରଫରୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।