spot_img
Home Blog Page 3420

ଅସଲି ପୋଲିସକୁ ନକଲି ପୋଲିସର ମାଡ଼ ଘଟଣା: ଅଭିଯୁକ୍ତ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଥାନାରେ ମାଗିଲେ କ୍ଷମା

ଭୁବନେଶ୍ବର: ଭିଏସଏସ ନଗର ହାଟରେ ଅସଲି ପୋଲିସଙ୍କୁ ନକଲି ପୋଲିସ ମାଡ଼ ମାରିବା ଘଟଣା । ଅଭିଯୁକ୍ତ ଜଣଙ୍କ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ନାଁ ସଂଗ୍ରାମ ବିଶ୍ବାଳ । ଘଟଣା ସ୍ଥଳରେ ନିଜକୁ ଡିଏସପି ପରିଚୟ ଦେଇ କାର୍ଯ୍ୟରତ କନଷ୍ଟେବଳଙ୍କୁ ମାଡ଼ ମାରିଥିଲେ ।

ସହିଦ ନଗର ଥାନାକୁ ନେବା ପରେ ସତ ମାନିଛନ୍ତି ସଂଗ୍ରାମ । ହାଟରେ ଡିଏସପି ବୋଲି ମିଛ ପରିଚୟ ଦେଇଥିବା ସ୍ବୀକାର କରିଛନ୍ତି ସଂଗ୍ରାମ । ଏହାସହ ଥାନା ଆଇଆଇସିଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଥାନା ଅଧିକାରୀଙ୍କୁ ନିଜ ଆଇକାର୍ଡ ଦେଖାଇବା ପରେ ସେ ବିଏସଏଫ କର୍ମଚାରୀ ବୋଲି ସ୍ପଷ୍ଟ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳ ହେଲେ ମନୋଜ ବେହେରା । ପୋଲିସ ସଂଗ୍ରାମଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଆଜି ସଂଗ୍ରାମ ଭିଏସଏସ ନଗର ହାଟରେ ମଟନ କିଣିବାକୁ ଆସିଥିଲେ । ଏହି ସମୟରେ ସେ ତାଙ୍କ ଗାଡ଼ିକୁ ରାସ୍ତା ଉପରେ ରଖିଥିଲେ । କାର୍ଯ୍ୟରତ କନଷ୍ଟେବଳ ମନୋଜ ରାସ୍ତାରୁ ଗାଡ଼ି ହଟାଇବାକୁ ସଂଗ୍ରାମଙ୍କୁ କହିଥିଲେ । ଯାହାକୁ ନେଉ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ସମୟରେ ସଂଗ୍ରାମ ନିଜକୁ ଡିଏସପି ବୋଲି ପରିଚୟ ଦେଇଥିଲେ । ହେଲେ ଥାନାରେ ମିଛ କହିଥିବା ସ୍ବୀକାର କରିଛନ୍ତି ସଂଗ୍ରାମ ।

ବକ୍ରେଶ୍ବର ମନ୍ଦିରରେ ପ୍ରସାଦ ବଣ୍ଟନ ବେଳେ ଗଣ୍ଡଗୋଳ, ଜଣେ ମୃତ

ବାଲେଶ୍ବର: ପ୍ରସାଦ ବଣ୍ଟନ ବେଳେ ବାଲେଶ୍ବର ବକ୍ରେଶ୍ବର ପୀଠରେ ଅଘଟଣ । ଗଣ୍ଡଗୋଳରୁ ଚଲା ଜଣଙ୍କ ଜୀବନ । ଗଣ୍ଡଗୋଳରେ ୫ ଜଣ ଆହତ ।

ବକ୍ରେଶ୍ବର ପୀଠରେ ଯଜ୍ଞ ପରେ ପ୍ରସାଦ ବଣ୍ଟନରେ ଧାଡ଼ିରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା । ଏହି ଠେଲାପେଲାରେ ସିମୁଳିଆ ବାଉରିପଦା ଗାଁର ସାବିତ୍ରୀ ଜେନାଙ୍କ ମୃତ୍ୟୁ ଘଟିଛି । ଗଣ୍ଡଗୋଳରେ ଭୟଭୀତ ହୋଇ ହୃଦଘାତରେ ସାବିତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗଣ୍ଡଗୋଳରେ ୫ ଜଣ ଆହତ ହୋଇଛନ୍ତି l ସମସ୍ତ ଆହତଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ଅସଲି ପୋଲିସକୁ ପିଟିଲା ନକଲି ପୋଲିସ

ଭୁବନେଶ୍ବର: ପୋଲିସକୁ ପୋଲିସର ମାଡ଼ । ଜଣେ ପୋଲିସ ପୋଷାକରେ । ଆଉ ଜଣେ ସାଧା ପୋଷାକରେ । ଖାକିରେ ଥିବା ବାବୁ କନଷ୍ଟେବଳ ହୋଇଥିବା ବେଳେ ସଧା ପୋଷାକରେ ଥିବା ବାବୁ ନିଜକୁ ଡିଏସପିର ପରିଚୟ ଦେଉଥିଲେ । ରାସ୍ତା ଉପରେ ହେଲେ ଗଡ଼ାପଡ଼ା, ଧସ୍ତାଧସ୍ତି । ତଳେ ପଡ଼ି ହେଲେ କାଦୁଆ । ପରେ ଜଣାପଡ଼ିଲା ସାଧା ପୋଷାକରେ ଥିବା ବାବୁ ଜଣଙ୍କ ନକଲି ପୋଲିସ । ପଚରା ଉପରା ପାଇଁ ଉଠାଇ ନେଲା ଅସଲି ପୋଲିସ ।

ଘଟଣା ଭୁବନେଶ୍ବର ଭିଏସଏସ ନଗର ହାଟର । ଜଣେ ବ୍ୟକ୍ତି ରାସ୍ତା ଉପରେ ଗାଡ଼ି ରଖି ମଟନ କିଣୁଥିଲେ । ଏହି ସମରେ ଡ୍ୟୁଟିରେ ଥିବା ଫାଣ୍ଡିର କନଷ୍ଟେବଳ ଆସି ବାବୁ ଜଣଙ୍କୁ ରାସ୍ତାରୁ ଗାଡି ହଟାଇବାକୁ କହିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲେ ବାବୁ ଜଣଙ୍କ । କନଷ୍ଟେବଳଙ୍କୁ ନାଲି ଆଖି ଦେଖାଇବା ସହ ନିଜକୁ ଡିଏସପି ବୋଲି ପରିଚୟ ଦେଇଥିଲେ । ଏତିକିରେ କଥା ସରି ନଥିଲା ବାବୁ ଜଣଙ୍କ ବର୍ଦ୍ଦିରେ ଥିବା କନଷ୍ଟେବଳଙ୍କୁ ହାତ ଉଠାଇବା ସହ ଠେଲାପେଲା କରିଥିଲେ । ପରେ ସ୍ଥାନୀୟ ଲୋକେ ଓ ଦୋକାନୀ ଏକାଠି ହୋଇ ଉଭୟଙ୍କୁ ଅଟକାଇଥିଲେ । ଏହାପରେ ଥାନାକୁ ଯାଇଥିଲା ଫୋନ୍ । ଥାନା କର୍ମଚାରୀ ଆସି ପହଞ୍ଚିବା ପରେ ଧରା ପଡିଥିଲା ମଟନ କିଣା ବାବୁଙ୍କ ମିଛ । ବାବୁ ଜଣଙ୍କ କୌଣସି ଥାନାର ଡିଏସପି ନଥିଲେ । ଏହାପରେ ପୋଲିସ ଗାଡ଼ିରେ ନକଲି ପୋଲିସକୁ ବସାଇ ଥାନାକୁ ନେଇଯାଇଥିଲେ ଅସଲି ପୋଲିସ ।

ତେବେ ଅସଲି ଓ ନକଲି ପୋଲିସଙ୍କ ହାତାହାତି ଭିଡିଓ ଭାଇରାଲ ହେବାରେ ଲାଗିଛି । ନକଲି ପୋଲିସ ଜଣଙ୍କ ମଦ ପିଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ITR ଗୁପ୍ତତଥ୍ୟ ଲିକ୍ ମାମଲା: ବାବୁରାମଙ୍କୁ ଘନ ଘନ ଜେରା

ବାଲେଶ୍ବର: ରିମାଣ୍ଡରେ ହନିଟ୍ରାପର ଗୁମର ଖୋଲୁଛି ବାଲେଶ୍ବର ଆଇଟିଆରର ବରିଷ୍ଠ ଟେକନିକାଲ ଅଫିସର ବାବୁରାମ ଦେ । ୪ ଦିନିଆ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି ବାଲେଶ୍ବର ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଆର୍ଥିକ ନେଣଦେଣ ସମ୍ପର୍କରେ ତଦନ୍ତ କରାଯାଉଛି ।

ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ଦେବାକୁ କେତେ ଟଙ୍କା ନେଇଛି ବାବୁରାମ ? ଆକାଉଣ୍ଟକୁ ଆସୁଥିଲା କି ବିଦେଶୀ ଅର୍ଥ ? ଆର୍ଥିକ କାରବାରର ଯାଞ୍ଚ ପାଇଁ ବ୍ୟାଙ୍କକୁ ତଥ୍ୟ ମାଗିଛି ପୋଲିସ । ଅଭିଯୁକ୍ତର ଦୁଇଟି ବ୍ୟାଙ୍କରେ ଆକାଉଣ୍ଟ ଥିବାବେଳେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ଟ୍ରାଞ୍ଜାକ୍ସନ ସମ୍ପର୍କରେ ତଥ୍ୟ ଦେବାକୁ ବ୍ୟାଙ୍କକୁ କୁହାଯାଇଛି ।

ଅନ୍ୟପଟେ ଅଭିଯୁକ୍ତର ପରିବାର ନାଁରେ ରହିଥିବା ସମ୍ପତ୍ତି ସମ୍ପର୍କରେ ସୂଚନା ଦେବାକୁ ଜଳେଶ୍ବର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ କାରବାରର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଫାଇନାନସିଆଲ ଇନଭେଷ୍ଟିଗେସନ ୟୁନିଟ ଅଫ ଇଣ୍ଡିଆକୁ ଅନୁରୋଧ କରାଯାଇଛି ।

ହନିଟ୍ରାପର ଶିକାର ହୋଇ ବାବୁରାମ ଚାନ୍ଦିପୁରରୁ ରାୱଲପିଣ୍ଡିକୁ ପଠାଇଥିଲେ କ୍ଷେପଣାସ୍ତ୍ର ସମ୍ପର୍କୀତ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେ କିଛି ଭିଡିଓ, ଫଟୋ ଓ ତଥ୍ୟ ପଠାଇଥିବା ପୋଲିସ ପ୍ରମାଣ ପାଇଛି ।

କଂଗ୍ରେସ ମହାଧିବେଶନ: ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ଗୃହିତ

ରାଇପୁର: କଂଗ୍ରେସ ମହାଧିବେଶନରେ ୫୮ ସୂତ୍ରୀ ରାଜନୈତିକ ପ୍ରସ୍ତାବ ଗୃହିତ । ନିର୍ବାଚନୀ ସଂସ୍କାର, ଇଲେକ୍ଟ୍ରୋରାଲ ବଣ୍ଡ, ଇଭିଏମ, ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଆଦି ପ୍ରସଙ୍ଗ ସମେତ ଅନ୍ୟାନ୍ୟ ପ୍ରସ୍ତାବ ରହିଛି ଏଥିରେ । ଗୃହିତ ପ୍ରସ୍ତାବରେ ବିଜେପିର ଗେମ୍ ପ୍ଲାନକୁ କରାଯାଇଛି ତୀବ୍ର ସମାଲୋଚନା ।

୨୦୨୪ରେ ବିଜେପିର ପରାଜୟ ନେଇ କଂଗ୍ରେସ ସୂଚନା ଦେବା ସହ ରାଜନୈତିକ ଦଳ ଓ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିଜେପି ଏକ ବୃହତ ଚାଲେଞ୍ଜ ବୋଲି ଦର୍ଶାଯାଇଛି । ଦଳ ପକ୍ଷରୁ କୁହାଯାଇଛି, ‘ବର୍ତ୍ତମାନ ଚାଲିଥିବା ଇଲେକ୍ଟୋରାଲ ବଣ୍ଡ ନାମରେ ବ୍ୟାପକ ଅନିୟମିତତା ହେଉଛି । ତେଣୁ ଏକ ଜାତୀୟ ନିର୍ବାଚନ ପାଣ୍ଠି ଗଠନ କରାଯାଉ । ସ୍ବଚ୍ଛତା ଭିତ୍ତିରେ ବିଭିନ୍ନ ଦଳକୁ ଏହି ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଉ । ବର୍ତ୍ତମାନ ଦେଶରେ ୧୪ଟି ରାଜନୈତିକ ଦଳ, କମ୍ପ୍ୟୁଟର ବିଜ୍ଞାନୀ ପ୍ରମୁଖ ଇଭିଏମର ଅପବ୍ୟବହାର ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଦେଶରେ ଭୋଟରଙ୍କ ଆସ୍ଥା ଲାଗି ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବରେ ଦାବି କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଉଠାଇବାକୁ ପରାମର୍ଶ ଦିଆଯାଇଛି ।’

ଅଭିଯୋଗ ଶୁଣାଣି ବିଲ୍-୨୦୧୧କୁ ପୁଣି ଥରେ ଉପସ୍ଥାପିତ କରିବା, ସ୍ବାସ୍ଥ୍ୟସେବା ଲାଗି ପ୍ରତି ନାଗରିକଙ୍କୁ ଗ୍ୟାରେଣ୍ଟି ଦେବା, ୨୦୨୪-୨୫ରେ ସ୍ବାସ୍ଥ୍ୟ ସେବା ଲାଗି ଜିଡିପିର ୩ ପ୍ରତିଶତ ବ୍ୟୟ କରିବା, ଜାମ୍ମୁ ଓ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି ପ୍ରସ୍ତାବରେ ରହିଛି । ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଦଳରେ ନୂଆ କର୍ମୀଙ୍କୁ ସାମିଲ କରିବା, ଦଳବଦଳ ନିରୋଧ ପ୍ରସଙ୍ଗରେ ପଦକ୍ଷେପ ନେବା, ପୋଲିସ ବାହିନୀର ଆଧୁନିକୀକରଣ, ଏସସି ଓ ଏସଟି, ମହିଳା, ସଂଖ୍ୟାଲଘୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ପ୍ରସ୍ତାବ ଗୃହିତ ହୋଇଛି ।

ସଞ୍ଜ ନଇଁଲେ ଗାଁରେ ବୁଲୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ଆନନ୍ଦନପୁର: ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଳତି, ବେଲସୁନ୍ଦରୀ, ଅଙ୍ଗାରୁଆ, ପୁରୁଣା ବାନ୍ଧଗୋଡା ଗାଁରେ ଭାଲୁ ଆତଙ୍କ । ସଞ୍ଜ ନଇଁଲେ ଏସବୁ ଗାଁ ଭିତରକୁ ପଶୁଛନ୍ତି ଭାଲୁ ଦଳ । ଲୋକଙ୍କ ମଧ୍ୟରେ ଭୟର ଆତଙ୍କ । ସୂର୍ଯ୍ୟାସ୍ତ ପରେ ଗାଁଗୁଡିପରେ ପଡି ଯାଉଛି ତାଟି କବାଟ ।

ଖରା ଦିନରେ ଲୋକଙ୍କ ବାଡ଼ି ବଗିଚାରେ ଫଳୁଥିବା ବରକୋଳି, ବେଲ, କାଜୁ ଖାଇବାକୁ ସନ୍ଧ୍ୟା ପରେ ଗାଁ ଗୁଡିକରେ ଭାଲୁ ପଶିବା ସହ ଏଣେ ତେଣେ ଧାଁଦୌଡ କରୁଛନ୍ତି ।

ଗତକାଲି ରାତି ଅଳତି ଗ୍ରାମର ମଦନମୋହନ ବରାଳଙ୍କ ଗଛରୁ ପଡୁଥିବା ବେଲ ଖାଇବାକୁ ଅଗଣାକୁ ପଶିଥିଲେ ୩ଟି ଭାଲୁ । କିଛି ସମୟ ସେଠାରେ ରହି ବେଲ ଖାଇବା ପରେ ଭାଲୁ ଗୁଡିକ ବେଲସୁନ୍ଦରି ଗାଁ ଭିତରକୁ ପଶି ଥିଲେ । ଗାଁ ଲୋକେ ହୋହାଲ୍ଲା କରିବାରୁ ଭାଲୁ ଗୁଡିକ ସେଠାରୁ ଅଙ୍ଗାରୁଆ ଗ୍ରାମକୁ ପଳାଇ ଯାଇଥିଲେ । ସେଠାରେ ମହିରଞ୍ଜନ କରଙ୍କ ଘରେ ପଶି ହାଣ୍ତିରୁ ତୋରାଣୀ ପାଣି ପିଇଥିଲେ । ଏହି ସମୟରେ ମହିରଞ୍ଜନଙ୍କ ପରିବାର ଲୋକେ ନିଦରୁ ଉଠି ପଡି ପାଟି କରିବାରୁ ଭାଲୁ ଗୁଡିକ ଜଙ୍ଗଲକୁ ପଳାଇ ଯାଇଥିଲେ ।

କିଛିଦିନ ହେଲା ଗାଁ ଦାଣ୍ତରେ ଭାଲୁ ପଲଙ୍କ ସହ ଲୋକଙ୍କ ମୁହାଁମୁହିଁ ହେଉଥିବା ଦେଖାଯାଇଛି । ଭାଲୁ ହିଂସ୍ର ବନ୍ଯ ଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା’ଠାରୁ ଦୂରେଇ ରହିବା ସହ ତାକୁ ତା’ ବାଟରେ ଯିବାକୁ ଦେବାକୁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଉଛି । ଏହାସହ ଭାଲୁଙ୍କୁ ଘଉଡାଇବାକୁ ସ୍ଥାନୀୟ ବନ କର୍ମଚାରୀଙ୍କ ସାହାଯ୍ଯ ନେବାକୁ ପରାମର୍ଶ ଦିଆଯାଇଛି ।

XIM ୟୁନିଭର୍ସିଟି ଅଡିଟୋରିୟମ ଉଦଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଜଟଣୀ: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଶ୍ବବିଦ୍ୟାଳୟ ଅଡିଟୋରିୟମ ଉଦଘାଟିତ । ଉଦଘାଟନୀ ସମାରୋହରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ XIM ୟୁନିଭର୍ସିଟି କର୍ମକର୍ତ୍ତାଙ୍କୁ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ କରିବା ସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ବିଭିନ୍ନ ସମ୍ମିଳନୀ, କାର୍ଯ୍ୟକ୍ରମ ହୋଇପାରିବ ଓ ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଉପହାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୃଷି ଅଭିବୃଦ୍ଧିରେ ଦେଶଠୁ ଆଗରେ ଓଡିଶା

ଭୁବନେଶ୍ବର: କୃଷିକୁ ଶିଳ୍ପ ମାନ୍ୟତା ଦେବା ସହ କୃଷକଙ୍କ ଆୟ ବୃଦ୍ଧି ପାଇଁ ସଶକ୍ତୀକରଣ ଯୋଜନା ପ୍ରଣୟନ କରି ରାଜ୍ୟ ସରକାର କୃଷିର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ସ୍ବତନ୍ତ୍ର କୃଷି ନୀତି ଯୋଗୁଁ ଓଡ଼ିଶାର କୃଷି ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଆଗରେ ରହିଛି । ଦେଶର କୃଷି ଅଭିବୃଦ୍ଧି ହାର ୫.୯୮% ଥିବା ବେଳେ ଓଡ଼ିଶାରେ ଏହା ୨୨.୫୨% ହୋଇଛି ।

ଗତ ଆର୍ଥିକ ବର୍ଷରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାରଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ ରହିଛି । ୨୦୨୧-୨୨ ବର୍ଷରେ ଓଡ଼ିଶାର କୃଷି କ୍ଷେତ୍ର ଜିଡିପିର ୨୨ ଦଶମିକ ୯୧ ପ୍ରତିଶତ ରହିଥିବା ବେଳେ, ଜାତୀୟ ସ୍ତରରେ ଏହା ଥିଲା ମାତ୍ର ୨ ଦଶମିକ ୩୮ ପ୍ରତିଶତ । ୨୦୧୬-୧୭ ବର୍ଷଠାରୁ ଆରମ୍ଭ କରି ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ କୃଷି କ୍ଷେତ୍ରରେ ଦେଶଠାରୁ ଭଲ ପ୍ରଦର୍ଶନ କରି ଆସୁଛି ରାଜ୍ୟ ।

ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ସହାୟକ ମୂଲ୍ୟଠାରୁ ଆରମ୍ଭ କରି କୃଷକ କଲ୍ୟାଣ କାର୍ଯ୍ୟକ୍ରମ, ଜଳସେଚନ, ସାର ଓ କୀଟନାଶକ ଯୋଗାଣ, ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଓଡ଼ିଶାର କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି । ଉପଯୁକ୍ତ ପ୍ରୋତ୍ସାହନ ମିଳିବା ହେତୁ ଅଣଧାନ ଫସଲ ପ୍ରତି ଚାଷୀମାନେ ଆଗ୍ରହ ଦେଖାଉଛନ୍ତି ।

୨୦୨୩ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଓଡ଼ିଶା ମିଲେଟ୍ ମିଶନରେ ୨ ଲକ୍ଷ ୬୬ ହଜାର ହେକ୍ଟର ଜମିରେ ମିଲେଟ୍ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ, ୨ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଯୋଜନା କାର୍ଯ୍ୟକ୍ଷମ ହୋଇଛି । ସେହିଭଳି ସଘନ କୃଷି କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖାଯାଇଥିବା ସମସ୍ତ ୧୯ ହଜାର ୫୪୯ ହେକ୍ଟର ଜମି କାର୍ଯ୍ୟକ୍ଷମ ହୋଇସାରିଛି ।

ସିବିଆଇ କାର୍ଯ୍ୟାଳୟରେ ମନୀଷ ସିସୋଦିଆ, ମଦ ଦୁର୍ନୀତି ମାମଲାରେ ହେବ ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଲୋଦି ରୋଡସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ନିଜ କ୍ବାର୍ଟର୍ସରୁ ସିସୋଦିଆ ସିବିଆଇ କାର୍ଯ୍ୟାଳୟ ଅଭିମୁଖେ ବାହାରିବା ବେଳେ, ଶହ ଶହ ଆପ୍ କର୍ମୀ ପ୍ଲାକାର୍ଡ ଦେଖାଇ ସିବିଆଇ ବିରୋଧରେ ନାରାବାଜି କରିଥିଲେ ।

ପ୍ରଥମେ ସିସୋଦିଆ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସିସୋଦିଆ କହିଛନ୍ତି, ‘ସିବିଆଇ ଯାଞ୍ଚ ପ୍ରକ୍ରିୟାରେ ସେ ପୂର୍ଣ୍ଣ ସହଯୋଗ କରିବେ । ତାଙ୍କ ପ୍ରତି ଦେଶବାସୀ ଓ ଲକ୍ଷ ଲକ୍ଷ ଶିଶୁଙ୍କ ଶ୍ରଦ୍ଧା ରହିଛି । ଦେଶ ଲାଗି ସହିଦ ହୋଇଥିବା ଭଗତ ସିଂଙ୍କ ସେ ଅନୁଗାମୀ ।’

ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ‘ମନୀଷଙ୍କ ସହ ଭଗବାନ ଅଛନ୍ତି । ଲକ୍ଷ ଲକ୍ଷ ଶିଶୁ ଓ ସେମାନଙ୍କ ପିତାମାତାଙ୍କ ଆଶୀର୍ବାଦ ରହିଛି । ଏହା ଏକ ଅଭିଶାପ ନୁହେଁ ବରଂ ଏକ ଶୌର୍ଯ୍ୟର ପ୍ରତୀକ ।’

ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି ସିସୋଦିଆଙ୍କ ବିରୋଧରେ ସିବିଆଇକୁ ଲଗାଇବା ଲାଗି ଲେଫଟନାଣ୍ଟ ଜେନେରାଲ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ ପଛରେ କେନ୍ଦ୍ରର ହାତ ଥିଲା । ଗତ ୧୯ ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ । ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି । ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

କୋଟିଆରେ ମୁଖ୍ୟ ଶାସନ ସଚିବ

କୋରାପୁଟ: ବିକାଶ ପଥେ କୋରାପୁଟ ଜିଲ୍ଲା । ଚାଲିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସମସ୍ତ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗସ୍ତର ଦ୍ଵିତୀୟ ଦିନରେ ଆଜି ଦେଓମାଳି, କୋଟିଆ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଦେଓମାଳିରେ ଇକୋ ରିସୋର୍ଟ ସହିତ ଦେଓମାଳିର ବିକାଶ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି । ଏହାସହ କୋଟିଆର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । କୋଟିଆରେ ଷ୍ଟ୍ରବେରୀ ଚାଷ ସଫଳତା ହାସଲ କରିଥିବା ବେଳେ, ଏହାକୁ ନେଇ କୋଟିଆ ପଞ୍ଚାୟତବାସୀ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେ ନେଇ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ।

ଗତକାଲି ବିମାନ ବନ୍ଦର ବିକାଶର ଅଗ୍ରଗତି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵର ପୀଠ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।