ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା। କୋର୍ଟରେ ହାଜର ହେବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାର ଆତ୍ମହତ୍ୟା ଉଦ୍ୟମ। କାଚରେ ହାତ ଓ ଗଳା କାଟି ଅମିତ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସୂଚନା ଦେଇଛି। ଅପହରଣ ଓ ହତ୍ୟା ମାମଲାରେ ଝରସୁଗୁଡ଼ା ପୋଲିସ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲକୁ ତିନିଦିନ ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡର ଶେଷ ଦିନରେ ଦୁଇ ଅଭିଯୁକ୍ତଙ୍କୁ SDJM କୋର୍ଟରେ ହାଜର କରିଛି ପୋଲିସ l ତେବେ କାହିଁକି ସମର୍ଥଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ, ଏହାର କାରଣ ଏବେବି ଅସ୍ପଷ୍ଟ ରହିଛି ।
ବୁଲନ୍ଦସହରରୁ କାବୁ ହେଲା କୋଝିକୋଡ ଅଗ୍ନିକାଣ୍ଡର ଅଭିଯୁକ୍ତ, ସ୍କେଚ୍ ଜରିଆରେ ଧରିଲା ATS
ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରୁ ATS ଗାଜିଆବାଦ ଶାହରୁଖ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଛି। ଶାହରୁଖ ହେଉଛି କେରଳ କୋଝିକୋଡ ଅଗ୍ନିକାଣ୍ଡର ଅଭିଯୁକ୍ତ । ସ୍କେଚ୍ ଜରିଆରେ ତାକୁ ଧରିବା ପାଇଁ ସକ୍ଷମ ହୋଇଥିଲା ଏଟିଏସ୍ ।
ସୂଚନା ଅନୁଯାୟୀ, ଚଳନ୍ତା ଟ୍ରେନରେ ସିଟକୁ ନେଇ ବିବାଦ ପରେ ସମ୍ପୃକ୍ତ ଯୁବକ ଜଣେ ଯାତ୍ରୀଙ୍କ ଉପରେ କେମିକାଲ୍ ପକାଇଥିଲା। ଯାହାପରେ ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ବୁଲନ୍ଦସହରର ସ୍ୟାନାରୁ ଏଟିଏସ୍ ଶାହରୁଖଙ୍କୁ ଧରିବା ସହ ଗିରଫ କରିଛି । ପରେ ପଚରାଉଚରା ପାଇଁ ତାକୁ ଗାଜିଆବାଦ ନିଆଁଯାଇଛି । ତେବେ ଅଗ୍ନିକାଣ୍ଡରେ ଶାହରୁଖଙ୍କ ସମ୍ପୃକ୍ତି ଅଛି କି ନାଁ ନାହିଁ । ଯଦି ଅଛି ସେ ଏପରି କାହିଁକି କଲେ, ସେନେଇ ତଦନ୍ତରୁ ଜଣାପଡିବ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ: ସିଟ ପାଇଁ ପାଟିତୁଣ୍ଡ: ଟ୍ରେନ ଭିତରେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ
ଧାମରା ବନ୍ଦରରେ ଲାଗିଲା CNG କାର୍ଗୋ ଜାହାଜ, ଗାଁରେ ମନା ହେଲା ରୋଷେଇ
ଧାମରା: ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦରରେ ଏଲଏନଜି ଗ୍ୟାସ୍ ଆମଦାନୀ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି । ଏହି ଏଲଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ ବିଶୋଧିତ କରାଯାଇ ପ୍ରାକୃତିକ ଗ୍ୟାସ୍ ଏବଂ ରୋଷେଇ ଗ୍ୟାସ୍ ମଧ୍ୟ ତିଆରି କରାଯାଇ ପାରିବ । ଏହି ଗ୍ୟାସ୍ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ୍ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍ କ୍ଷମତାକୁ ବୃଦ୍ଧି କରାଯିବ। ଆସିଥିବା ଜାହାଜରେ ୧୩୫ ହଜାର ଘନ ମିଟର ଗ୍ୟାସ୍ କୋଲକାତାରୁ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ ତାରିଖରେ ପହଞ୍ଚିଥିଲା ।
ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ୍ ବୁକ୍ କରିଥିଲେ । ଏହି ଗ୍ୟାସ୍ ପହଞ୍ଚିବା ପରେ ଏହାକୁ ବିଶୋଧନ କରି ପୁନଃଗ୍ୟାସ୍ ପାଇପ୍ ଲାଇନ୍ ଯୋଗେ ଇସ୍ପାତ ଏବଂ ସାର କାରଖାନା ଯୋଗାଯିବ । ଧାମରା ବନ୍ଦରରେ ୨ଟି ଗ୍ୟାସ୍ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ, ଏହାର କ୍ଷମତା ୩୬୦ ହଜାର ଘନ ମିଟର । ଗ୍ୟାସ୍ ବୋଝେଇ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମରେ ସତର୍କତା ପାଇଁ ରୋଷେଇ ନ କରିବାକୁ ସୂଚନା ଦିଆଯାଇଛି । ଧାମରା ବନ୍ଦର ପକ୍ଷରୁ ୫ ଦିନ ବ୍ୟାପୀ ରନ୍ଧା ଖାଦ୍ୟ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ ।
ଝାରସୁଗୁଡ଼ାରେ ବଡ଼ ବିଜୟ ପାଇଁ ବିଜେଡିର ରଣନୀତି, ୩ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି
ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜୁ ଜନତା ଦଳ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆସନ୍ତ ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ରେ ଭୋଟ୍ ଗଣତି ହେବ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।
ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ଶାଶୂଘରୁ ବାପଘରକୁ ଆସିବେ ମା’
ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ। ଶାଶୂଘରୁ ବାପଘରକୁ ଆସିବେ ମା’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ମେ ମାସ ୧ ତାରିଖରେ ବାପଘରୁ ବିଦାୟ ନେବେ । ଏଥିପାଇଁ ଚଳଚଞ୍ଚଳ ଦେଶୀ ବେହେରା ସାହି । ପ୍ରାୟ ୧ ମାସ ଧରି ଚାଲିବ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବ୍ୟାପକ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରାପଡ଼ାରେ ଅଜଣା ଜନ୍ତୁ ଆକ୍ରମଣରେ ୮ ମେଣ୍ଢା ମୃତ୍ୟୁ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ପୁଣି ୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ, ୮ ମେଣ୍ଢା ଗୁରୁତର ଅଛନ୍ତି । ଗାଁର ମହନି ଦାସ ପ୍ରାୟ ୮୦ଟି ମେଣ୍ଢା ପାଳିଥିଲେ । ଗତ ଶନିବାର ବିଳମ୍ବିତ ରାତିରେ ମହନି ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୩୫ଟି ମେଣ୍ଢା ମାରି ଦେଇଥିଲା । ରାତି ଅନିଦ୍ରା ହୋଇ ପରିବାର ଲୋକ ଜଗିଥିଲେ । ହେଲେ ଗତକାଲି ରାତିରେ ପୁଣି ଅଜଣା ଜନ୍ତୁ ଗୁହାଳେ ପଶି ୬ଟି ଛୁଆ ମେଣ୍ଢା ଓ ୨ଟି ବଡ ମେଣ୍ଢାକୁ ମାରି ଦେଇଛି । ୮ଟି ମେଣ୍ଢା ମରିବା ସହିତ ଆଉ ୮ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛନ୍ତି ।
ଅଜଣା ଜନ୍ତୁ ପାଇଁ ଏବେ କଳାଗଡ଼ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁରେ ଛୋଟ ଛୋଟ ପିଲା ବୁଲାବୁଲି କରୁଛନ୍ତି । ସେମାନେ ବି ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ଅଜଣା ଜନ୍ତୁକୁ ଧରିବାକୁ ବନ ବିଭାଗ କ୍ୟାମେରା ଲଗାଉ ବୋଲି ଲୋକ ଦାବି କରିଛନ୍ତି ।


