spot_img
Home Blog Page 3441

ପିଲା ଦିନର ସ୍ମୃତି ସାଉଁଟିଲେ, ସ୍କୁଲରେ ବାସ୍କେଟବଲ ଖେଳିଲେ

କୋରାପୁଟ:  ସ୍କୁଲରେ ବାସ୍କେଟବଲ ଖେଳିଲେ । ପିଲା ଦିନର ସ୍ମୃତି ସାଉଁଟିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । କୋରାପୁଟ ଗସ୍ତରେ ଅଛନ୍ତି ଫାଇଭ-ଟି ସଚିବ । ଆଜି ସେ ୫-T କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ଆଉଁଳି ଉଚ୍ଚପ୍ରାଥମିକ ସ୍କୁଲ ପରିଦର୍ଶନରେ ଯାଇଥିଲେ । ଆଦିବାସୀ ଅଧ୍ୟୁଷିତ ଆଉଁଳିର ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା ବାସ୍କେଟବଲ କୋର୍ଟ ବୁଲି ଦେଖିଥିଲେ ।

ସ୍କୁଲର ଛାତ୍ରଛାତ୍ରୀମାନେ ଦୈନିକ ଏଠାରେ ବାସ୍କେଟବଲ ପ୍ରାକଟିସ କରନ୍ତି । ଏହି ସ୍କୁଲ ପରିଦର୍ଶନ ସମୟରେ ନିଜେ ଫାଇଭ-ଟି ସଚିବ ପଡିଆକୁ ଓହ୍ଲାଇଥିଲେ । ଆଉ ବଲକୁ ଡ୍ରିବଲିଂ କରି ବାସ୍କେଟବଲ ରିଙ୍ଗକୁ ବଲ ଥ୍ରୋ କରିଥିଲେ । ୩-୪ ଥର ଖେଳିବା ପରେ ସେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଡ୍ରଇଂ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ କିଛି ସମୟ କଟାଇବା ପରେ ସେଲଫି ନେଇଥିଲେ ।

ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମ

ନନ୍ଦିଘୋଷ ବ୍ୟୁରୋ: ଆଉନାହାନ୍ତି ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମ । ୭୮ ବର୍ଷ ବୟସରେ ଚେନ୍ନାଇସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଭାରତୀୟ ସିନେମା ସଂଗୀତ ଜଗତରେ ୫ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଥିବା ବାଣୀ ଜୟରାମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । କେବଳ ହିନ୍ଦୀ ସିନେମା ନୁହେଁ ଓଡିଆ ସମେତ ବିଭିନ୍ନ ଭାଷାରେ ସଂଗୀତ ପରିବେଷଣ କରି ସେ କୋଟି କୋଟି ଭାରତୀୟଙ୍କ ପ୍ରିୟପାତ୍ରୀ ହୋଇଥିଲେ । ପ୍ରାୟ ୧ ହଜାର ମୁଭି ଲାଗି ସେ ୧୦ ହଜାରରୁ ଅଧିକ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ ।

ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ବାଣୀ ଜୟରାମ ଇହଲୀଳା ସମ୍ବରଣ କରିଛନ୍ତି । ଓଡ଼ିଆ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଆଦି ୧୮ଟି ଭାଷାରେ ହଜାର ହଜାର ସଙ୍ଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ । ୧୯୭୧ମସିହାରେ, ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ ହୋଇଥିଲା ଓ ବାଣୀ ଜୟରାମଙ୍କୁ ସମଗ୍ର ଦେଶରେ ଖୁବ ପରିଚିତି ଆଣିଦେଇଥିଲା ।

୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶଙ୍ଖ ମହୂରୀରେ ସେ ଗାଇବାର ସୁଯୋଗ ପାଇଥିଲେ ଓ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ଏହାପରେ ବଳିଦାନ, ତପସ୍ୟା, ଶଙ୍ଖା ସିନ୍ଦୂର ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି । ୧୯୮୧ରେ ନିର୍ମିତ ଦେବଯାନୀ ଚଳଚ୍ଚିତ୍ର ପାଇଁ, ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।

ଆଉ ଚାରିଦିନ ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ, କୋର୍ଟରେ ହୋଇଥିଲା ହାଜର

ନନ୍ଦିଘୋଷ ବ୍ୟୁରୋ: ଆଉ ଚାରିଦିନ ରିମାଣ୍ଡରେ ଯିବ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ । ଆଜି ପୂର୍ବ ରିମାଣ୍ଡ ଅବଧି ସରିବା ପରେ ଗୋପାଳକୁ ଝାରସୁଗଡା ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ସମସ୍ତ ପ୍ରମାଣ ଦସ୍ତାବିଜ କୋର୍ଟରେ ଦାଖଲ ପରେ ଅଧିକ ଚାରିଦିନ ରିମାଣ୍ଡ ଆବେଦନ କରାଯାଇଥିଲା । ଏନେଇ ପୁଣି କ୍ରାଇବ୍ରାଞ୍ଚକୁ ଅଧିକ ଚାରିଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ଚାରିଦିନ ରିମାଣ୍ଡ ବେଳେ ଅଧିକ ପ୍ରମାଣ ଯୋଗାଡ ପାଇଁ ଗୋପାଳକୁ ଘନ ଘନ ଜୋରା କରାଯିବ ।

ସେପଟେ ଆଜି ପୁଣି ଥରେ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ଆଙ୍କୁଲି ସ୍ଥିତ ଘରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍ । ଏମକେସିଜି ମେଡିକାଲରେ ଏସବିଆଇ ଶାଖାରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଓ ତା ପରିବାରର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି । ଗତକାଲି ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି । ଗୁଳିମାଡ଼ରେ ଆହତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଜବତ ହୋଇଥିବା ଗୋପାଳର ହାତଲେଖା କାଗଜକୁ ଯାଞ୍ଚ କରାଯାଉଛି । ସେଠାରୁ ୨୨ ଖଣ୍ଡ ଟୁକୁଡା କାଗଜ ଜବତ ହୋଇଛି । ଏହାକୁ ସଜାଇବା ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଏଗୁଡିକ ଅଭିଯୁକ୍ତର ବୋଲି ପ୍ରମାଣିତ କରିବାକୁ ହସ୍ତଲିଖନ ବ୍ୟୁରୋକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି ।

ପ୍ରମାଣ ପାଇଁ ଚାଲିଛି ଛାନବିନ, ଶେଷ ଦିନରେ ଗୋପାଳକୁ ଘନାଘନ ଜେରା

ନନ୍ଦିଘୋଷ ବ୍ୟୁରୋ: ନବ କିଶୋର ଦାସ ହତ୍ୟା ମାମଲାର ତଥ୍ୟ ପ୍ରମାଣ ହାସଲ ପାଇଁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ୪ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଚାଲିଛି ଘନଘନ ଜେରା । ରିମାଣ୍ଡର ଆଜି ହେଉଛି ଶେଷଦିନ । ଅନ୍ତିମ ଦିନରେ ତଦନ୍ତକୁ ଆହୁରି ଜୋରଦାର କରିଛି ତଦନ୍ତକାରୀ ଟିମ୍ । ପୁଣି ଥରେ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ଆଙ୍କୁଲି ସ୍ଥିତ ଘରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍ । ଏମକେସିଜି ମେଡିକାଲରେ ଏସବିଆଇ ଶାଖାରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଓ ତା ପରିବାରର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ।

ରିମାଣ୍ଡର ତୃତୀୟ ଦିନରେ ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି । ଗୁଳିମାଡ଼ରେ ଆହତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଜବତ ହୋଇଥିବା ଗୋପାଳର ହାତଲେଖା କାଗଜକୁ ଯାଞ୍ଚ କରାଯାଉଛି । ସେଠାରୁ ୨୨ ଖଣ୍ଡ ଟୁକୁଡା କାଗଜ ଜବତ ହୋଇଛି । ଏହାକୁ ସଜାଇବା ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଏଗୁଡିକ ଅଭିଯୁକ୍ତର ବୋଲି ପ୍ରମାଣିତ କରିବାକୁ ହସ୍ତଲିଖନ ବ୍ୟୁରୋକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି ।

ଜାମିଆ ଦଙ୍ଗା ଅଭିଯୁକ୍ତ ଦୋଷମୁକ୍ତ, ଜେଏନୟୁ ଛାତ୍ର ସରଜିଲ ଇମାମ, ଛାତ୍ର ନେତା ଆସିଫ ନିର୍ଦ୍ଦୋଷ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୧୯ ଜାମିଆ ହିଂସା ମାମଲାରେ ଜେଏନୟୁ ଛାତ୍ର ସରଜିଲ ଇମାମ ଓ ଛାତ୍ର ନେତା ଆସିଫ ଇକବାଲ ତନହାଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀର ସାକେତ କୋର୍ଟ । ୨୦୧୯ରେ ଜାମିଆରେ ଦଙ୍ଗା ସୃଷ୍ଟି ମାମଲାରେ ଇମାମ ଓ ଆସିଫଙ୍କୁ ଦୋଷମୁକ୍ତ କରାଯାଇଛି । ଆଡିସନାଲ ସେସନ ଜଜ୍ ଅରୁଣ ବର୍ମା ଏହି ରାୟ ଶୁଣାଇଛନ୍ତି । ଦଙ୍ଗା ଭିଆଇବା, ବେଆଇନ ଭାବେ ବହୁ ଲୋକଙ୍କୁ ଏକାଠି କରିବା ଓ ଦେଶଦ୍ରୋହ ଭଳି ଅତି ସଙ୍ଗୀନ ଦଫା ଇମାମଙ୍କ ବିରୋଧରେ ଲାଗିଥିଲା ।

ଇମାମ CAA ଓ NRC କୁ ନେଇ ୨୦୧୯ରେ ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମାତ୍ର ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଇମାମ କ୍ୟାମ୍ପେନିଂ କରୁଥିଲେ ବୋଲି ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଯାହାକୁ କୋର୍ଟରେ ପ୍ରମାଣିତ ହେବା ପରେ ଇମାମ ଓ ଆସିଫଙ୍କୁ ଦୋଷମୁକ୍ତ କରାଯାଇଛି । ତେବେ ଦୋଷମୁକ୍ତ ହେବା ପରେ ବି ଇମାମ ଜେଲରେ ରହିବେ । ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗାକୁ ନେଇ ହୋଇଥିବା ଏଫଆଇଆର ଆଧାରରେ ଇମାମ ଜେଲରେ ରହିବେ ବୋଲି ଜଣାପଡ଼ିଛି ।

ରେଳ ବଜେଟକୁ ନେଇ ବିଜେଡି ସାଂଗଠନିକ ସଂପାଦକ ଖପ୍ପା, କହିଲେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ କେନ୍ଦ୍ର

ଭୁବନେଶ୍ୱର: ପୁଣି ଥରେ ରେଳ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି । ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ଦାବି ମୁତାବକ ପ୍ରସ୍ତାବକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଗ୍ରହଣ କରୁନାହିଁ । ବରଗଡ଼-ନୂଆପଡ଼ା ଭାୟା ପଦମପୁର ରେଳ ଲାଇନକୁ ମଧ୍ୟ ମଂଜୁରୀ ମିଳନି । ରେଳବାଇରେ ଓଡ଼ିଶାକୁ ହୋଇଥିବା ଅବହେଳାକୁ ନେଇ ବର୍ଷିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ଆବଣ୍ଟନ ହୋଇଥିବା କହି ବାହା ବାହା ନେବା ଛାଡ଼ ବୋଲି ଟ୍ବିଟ୍ କରି କହିଛନ୍ତି ବିଜେଡି ପ୍ରଣବ ପ୍ରକାଶ ଦାସ । ବାସ୍ତବତା କ’ଣ ଓଡ଼ିଶାବାସୀ ବହୁତ ଭାଲଭାବେ ବୁଝି ସାରିଛନ୍ତି ।

୨୦୧୨୧-୨୨ରେ ଓଡ଼ିଶା ପାଇଁ ରେଳ ବଜେଟରେ ଆବଣ୍ଟିତ ହୋଇଥିବା ଅର୍ଥ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି, ତାକୁ ହିସାବକୁ ନେଲେ ଆବଣ୍ଟିତ ସ୍ବପ୍ନର ବାସ୍ତବତା ପ୍ରତିଫଳତି ହେବ । ତେଣୁ ଓଡ଼ିଶାବାସୀଙ୍କୁ ଆଉ ଭୂଆଁ ବୁଲାନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ଯଦି କାମ କରିପାରୁନାହାନ୍ତି ତେବେ ଚୁପ୍ ରୁହନ୍ତୁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ଆବଣ୍ଟନର ସ୍ବପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣିସାରିଛନ୍ତି । ଉଦାହରଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ । ଯାହା କେନ୍ଦ୍ରର ବିଜେପି ସରକାର ପୂର୍ବରୁ କାମ ଆରମ୍ଭ ହୋଇଥିଲା । ୯ ବର୍ଷରେ ମାତ୍ର ଖୋର୍ଦ୍ଧାରୁ ନୟାଗଡ଼ ରେଳ ଚାଲିପାରିଛି ବୋଲି ସେ କହିଛନ୍ତି ।

 

ହିଣ୍ଡେନବର୍ଗ ଇଫେକ୍ଟ, ୧୦ ଦିନରେ ୧୧୮ ବିଲିୟନ ଡଲାର କ୍ଷତି ସହିଲାଣି ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଇଫେକ୍ଟ । ୧୦ ଦିନରେ ୧୧୮ ବିଲିଅନ ଡଲାରର କ୍ଷତି ସହିଲାଣି ଆଦାନୀ ଗ୍ରୁପ । ବିଶ୍ବର ଅନ୍ୟତମ ପ୍ରମୁଖ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଭୁଶୁଡ଼ାଇ ଦେଇଛି ଆମେରିକାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ । ଗ୍ଲୋବାଲ ମାର୍କେଟରେ ୨୧୭ ବିଲିଅନ ଡଲାର ବିଜନେସ କରୁଥିବା ଆଦାନୀ ଗ୍ରୁପର ନେଟଓ୍ୱର୍ଥ ୯୯ ବିଲିଅନ ଡଲାରରେ ପହଞ୍ଚିଛି । ଆଦାନୀ ଗ୍ରୁପ ନାଁରେ ମନି ଲଣ୍ଡରିଂ, ଟିକସ ଫାଙ୍କି, ଷ୍ଟକ ମାନିପୁଲେସନ, ଜାଣିଶୁଣି ଋଣ ବଢ଼ାଇବା ଭଳି ଅତି ସଙ୍ଗୀନ ତଥ୍ୟ ଦେଇଥିଲା ହିଣ୍ଡେନବର୍ଗ । ଆମେରିକାର ହିଣ୍ଡେନବର୍ଗ ଫାର୍ମ ଫରେନସିକ ଫାଇନାନସିଲ ରିସର୍ଚ୍ଚ କରିଥାଏ । ବଡ଼ ବଡ଼ କମ୍ପାନୀଗୁଡ଼ିକର ଭ୍ରଷ୍ଟାଚାର ଓ ଠକେଇ ଉପରେ ଏହି ଫାର୍ମ ନଜର ରଖିଥାଏ । ହିଣ୍ଡେନବର୍ଗ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ଏକାଧିକ କଂପାନୀର ସେୟାରରେ ଭୂକମ୍ପ ଆସିଛି ।

ସେପଟେ ଆଦାନୀ ସମୂହ ବିରୋଧରେ ଆସିଥିବା ଅଭିଯୋଗ ଯାଞ୍ଚ ପାଇଁ ବିରୋଧୀ ଜିଦ୍ ଧରିଥିବା ବେଳେ ଦୁଇ ଦିନ ଧରି ସଂସଦରେ କାର୍ଯ୍ୟକାଳ ବାଧାପ୍ରାପ୍ତ ହୋଇଛି । ଜେପିସି ବା ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଯୋଗେ ଯାଞ୍ଚ କରିବାକୁ ବିରୋଧୀ ଦାବି କରିଛନ୍ତି । ଯେକୌଣସି ମାଧ୍ୟମରେ ପ୍ରମାଣ ଯୋଗାଡ଼ କରିବାର କ୍ଷମତା ଜେପିସି ପାଖରେ ରହିଥାଏ । କୌଣସି ସଂସ୍ଥାକୁ ଡାକି ପଚରାଉଚରା କରିପାରିବାର କ୍ଷମତା ମଧ୍ୟ ଜେପିସି ପାଖରେ ରହିଛି । ଜେପିସି କୌଣସି ମାମଲାର ଯାଞ୍ଚ ପରେ ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଥାଏ ।

କୋରାପୁଟରେ 5T ସଚିବ, ଦେଓମାଳି ଓ କୋଟିଆରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଆଲୋଚନା

ଜୟପୁର: କୋରାପୁଟର ବିକାଶ ଲାଗି 5T ସଚିବଙ୍କ ବିଭିନ୍ନ ସ୍ପଟକୁ ଗସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ ପାଣ୍ଡିଆନ ନାରାୟଣପାଟଣା ବ୍ଲକ ଗସ୍ତ କରିଛନ୍ତି । ସେଠାରେ ପ୍ରଥମେ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପୂଜାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିରର ଉନ୍ନତି ନେଇ ଆଲୋଚନା କରିଛନ୍ତି । ଏହାପରେ ସେ ଜିଲ୍ଲାପାଳଙ୍କୁ ମାଷ୍ଟରପ୍ଲାନ ପ୍ରସ୍ତୁତକରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଜଗନ୍ନାଥ ମନ୍ଦିର ସହ ସଂଲଗ୍ନ ଅଞ୍ଚଳର ମଧ୍ୟ ବିକାଶ ପ୍ଲାନ କରାଯିବ । ଏଠାରୁ ବାହାରି 5T ସଚିବ ଝଞ୍ଜାବତୀ ଡ୍ୟାମ ପରିଦର୍ଶନ କରିଥିଲେ । କ୍ଷୁଦ୍ର ଜଳସେଚନ ଅଧିକାରୀଙ୍କ ସହ ଆଲୋଚନ କରି ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଜମି ଅଧିଗ୍ରହଣ କାମ ଆରମ୍ଭ କରିବାକୁ ମଧ୍ୟ ସଂପୃକ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଳସେଚନ ଦ୍ୱାରା ବନ୍ଧୁଗାଁ ଓ ନାରାୟଣପାଟଣାର ଚେହେରା ବଦଳିଯବ । ଏଠାକାର ସାମାଜିକ ଓ ଆର୍ଥିକକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଆଶା କରିଛନ୍ତି 5T ସଚିବ ।

ଏହାପରେ ସେ ଦଣ୍ଡାବାଦିର ଏସଏସଡି ସ୍କୁଲ ଓ ପାଞ୍ଚିଙ୍ଗିର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପିଲାମାନଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ବିଷୟରେ ପଚାରି ବୁଝିଥିଲେ । ପାଞ୍ଚିଙ୍ଗିର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ 5T ଅଧୀନରେ ଚାଲିଥିବା କାମର ତଦାରଖ ସହ ପିଲାମାନଙ୍କୁ ଜୀବନରେ ବଡ଼ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ସରକାର ସମସ୍ତ ସୁବିଧା ଯୋଗାଇଦେବେ ବୋଲି 5T ସଚିବ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କ୍ରୀଡା ସଚିବ ଭିନିଲ କ୍ରିଷ୍ଣା 5T ସଚିବଙ୍କ ସହ ଉପସ୍ଥିତ ଥିଲେ ।

ପଟାଙ୍ଗି ବ୍ଲକର ଦେଓମାଳି ଶୃଙ୍ଗ ବୁଲିବାପରେ ସ୍ଥାନୀୟ ଏସଏଚଜି ସହ ଆଲୋଚନା କରିଥିଲେ 5T ସଚିବ । କାଫେ ଖୋଲିବା ନେଇ ଗ୍ରୁପ ସଦସ୍ୟଙ୍କୁ ପରାମର୍ଶ ଦେବା ସହ ମାନ ଓ ଶୁଦ୍ଧତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏଠାରେ ଚାଲିଥିବା ଇକୋ ରିସର୍ଟ ମଧ୍ୟ ପରିଦର୍ଶନ କରି ଡେଡଲାଇନ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦେଓମାଳିରେ ଦୁଃସାହସିକ କ୍ରୀଡା ଏବଂ ପୁନଃନବୀକରଣ ଉତ୍ସକୁ ସରକାରୀ ସହାୟତାରେ କାମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଯାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ନବ ଦାସ ହତ୍ୟା ମାମଲା, ଜଷ୍ଟିସ ଜେପି ଦାସଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରା

କଟକ: ଜଷ୍ଟିସ ଜେପି ଦାସଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକ CDA ସ୍ଥିତ ବାସଭବନରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଛନ୍ତି ଅରୁଣ ବୋଥ୍ରା । ତଦନ୍ତର ଅଗ୍ରଗତି ସମ୍ପର୍କରେ ଜଷ୍ଟିସ ଜେପି ଦାସଙ୍କୁ ଅବଗତ କରାଇବାକୁ ପହଞ୍ଚିଥିବା ସୂଚନା ମିଳିଛି । ଜଷ୍ଟିସ ଦାସଙ୍କ ତଦାରଖରେ ଚାଲିଛି ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ।

ଅନ୍ୟପଟେ ଡିଜିପି ସୁନୀଲ ବଂଶଲଙ୍କ କ୍ୟାମ୍ପ ଅଫିସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜିପିଙ୍କୁ ଭେଟିଲେ ଆଇନ ଶୃଙ୍ଖଳା ଏଡିଜି ଆର.କେ. ଶର୍ମା । ଝାରସୁଗୁଡ଼ାରୁ ଫେରିବା ପରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା ।

ଭାରତୀୟ ଆଇଡ୍ରପକୁ ନେଇ ଆମେରିକାରେ ଆତଙ୍କ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହ କିଛି ଲୋକ ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ଆଇ ଡ୍ରପକୁ ନେଇ ଆମେରିକାରେ ଆତଙ୍କ । ଲୋକେ ଦୃଷ୍ଟିଶକ୍ତି ହରାଇବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏହାକୁ ନେଇ ଚେନ୍ନାଇସ୍ଥିତ ଗ୍ଲୋବାଲ ଫାର୍ମା ହେଲଥକେୟାର ପ୍ରାଇଭେଟ ଲିମିଟେଡରେ ତାମିଲନାଡୁ ଡ୍ରଗ କଣ୍ଟ୍ରୋଲର ଓ ସେଣ୍ଟ୍ରାଲ ଡ୍ରଗ କଣ୍ଟ୍ରୋଲ ଅଥରିଟିର ଚଢ଼ାଉ । କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏଜ୍ରିକେୟାର ଆର୍ଟିଫିସିଆଲ ଟିୟର୍ସ ଆଇ ଡ୍ରପର ବିଷାକ୍ତ ପ୍ରକ୍ରିୟା ପ୍ରକାଶ ପାଇବା ପରେ ଆମେରିକାରୁ ଏହି ଔଷଧକୁ ପ୍ରତ୍ୟାହାର କରିନେଇଛି କମ୍ପାନୀ । ଏହି ଆଇ ଡ୍ରପ ବ୍ୟବହାର କରିବା ପରେ ଆମେରିକାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବଂ କେତେକ ବ୍ୟକ୍ତି ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥିବା ନେଇ ଅଭିଯୋଗ ଆସିଥିଲା ।

ତାମିଲନାଡୁ ଡ୍ରଗ କଣ୍ଟ୍ରୋଲର ଡାକ୍ତର ପି.ଭି. ବିଜୟଲକ୍ଷ୍ମୀ କହିଛନ୍ତି ଆମେରିକାକୁ ପଠାଯାଇଥିବା ଆଇ ଡ୍ରପର ନମୁନା ସଂଗ୍ରହ କରାଯାଇଛି । କମ୍ପାନୀରେ ଚଢ଼ାଉ କରାଯିବା ସହ ଏହି ଔଷଧର ଉତ୍ପାଦନ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆମେରିକାକୁ ପଠାଯାଇଥିବା ତଥା ସିଲ୍ ଖୋଲାଯାଇ ନଥିବା ଆଇ ଡ୍ରପକୁ ଫେରାଇ ଅଣାଯାଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ସେପଟେ ଗ୍ଲୋବାଲ ଫାର୍ମା ପକ୍ଷରୁ କୁହାଯାଇଛି- ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ସହ ଯୋଗସୂତ୍ର ରଖାଯାଇଛି । ଏହି ପ୍ରଡକ୍ଟକୁ ବ୍ୟବହାର ନକରିବା ଲାଗି ମଧ୍ୟ ଆମେରିକାର ଉପଭୋକ୍ତାମାନଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ।

ତେଣେ ଆମେରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି ପକ୍ଷରୁ ଏଜିକେୟାର ଆର୍ଟିଫିସିଆଲ ଟିୟର୍ସ ଆଇ ଡ୍ରପର ନମୁନାକୁ ପରୀକ୍ଷା କରିଛି । ସେହିପରି ଏହି ଡ୍ରପର ଆମଦାନୀ ଉପରେ କଟକଣା ଜାରି କରିଛି ଏଫଡିଏ । ଏହି ଡ୍ରପ ବ୍ୟବହାର କରିବାପରେ ଲୋକମାନେ ସ୍ୟୁଡୋମୋନାସ ଏରୋଗିନୋସା ନାମକ ରୋଗର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ସହ ଅନ୍ୟାନ୍ୟ ସମସ୍ୟାରେ ପଡ଼ିଥିଲେ । ଏପରିକି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିବା ଅଭିଯୋଗ ହୋଇଥିଲା । ସ୍ୟୁଡୋମୋନାସ ଏରୋଗିନୋସା ଏପରି ଏକ ରୋଗ ଯାହା ରକ୍ତ, ଫୁସଫୁସରେ ସଂକ୍ରମଣ କରିଥାଏ । ଭାରତୀୟ କଫ ସିରପ ଖାଇ ଗତବର୍ଷ ଗାମ୍ବିଆ ଓ ଉଜବେକିସ୍ତାନରେ ୮୦ରୁ ଅଧିକ ଶିଶୁ ପ୍ରାଣ ହରାଇବା ପରେ ଆଇଡ୍ରପକୁ ନେଇ ଏବେ ପୁଣି ବିପଦ ମୁଣ୍ଡ ଟେକିଛି ।