spot_img
Home Blog Page 3454

ଇନ୍ଦୋର ମନ୍ଦିର ଟ୍ରାଜେଡି; ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି, ଭେଟିବାକୁ ଯାଇ ବିରୋଧର ଶିକାର ହେଲେ ମୁଖ୍ୟମନ୍ତ୍ରୀ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ମନ୍ଦିର ଟ୍ରାଜେଡି । ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି । ମାମଲାରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ସେବାରାମ ଗଲାନୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି । ୨୦ରୁ ଅଧିକ ଆହତଙ୍କ ଚିକିତ୍ସା ଏବେବି ଚାଲିଛି । ବିଳିମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲ । ରାତି ୧୨ଟାରୁ ୧.୩୦ ମଧ୍ୟରେ ୧୬ଟି ଶବ ଉଦ୍ଧାର କରାଯାଇଥିଲା । ଶୁକ୍ରବାର ସକାଳେ ଉଦ୍ଧାର ପୁଣିଥରେ ଆରମ୍ଭ କରାଯାଇଥିଲା । ମନ୍ଦିରର କାନ୍ଥ ଏବଂ କୂଅର ସ୍ଲାପ ଭଙ୍ଗାଯାଇଥିଲା । ସେନା ଏବଂ ପ୍ରଶାସନର ଅନେକ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

୫୩ ବର୍ଷୀୟ ସୁନୀଲ ନାମକ ବ୍ୟକ୍ତିଙ୍କ ଶବ ଆଜି ୧୨ଟାରେ ବାହାରକୁ ବାହାର କରାଯାଇଛି । ଏଥିସହିତ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଘଟଣାସ୍ଥଳ ପାଖରେ ଏକ ଧର୍ମଶାଳାରେ ପଟେଲ ସମାଜର ଲୋକମାନେ ରୁଣ୍ଢ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଶୁକ୍ରବାର ସକାଳେ ସେମାନଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏଠାରେ ଲୋକମାନେ ହାଏ-ହାଏ ଏବଂ ମୁର୍ଦ୍ଦାବାଦ ନାରା ଲଗାଇଥିଲେ । ଦୁର୍ଘଟଣାରେ ପଟେଲ ସମାଜର ୧୧ଜଣଙ୍କର ମୃତ୍ୟୁ ହୋଇଛି । ସମାଜର ପଦାଧିକାରୀ କହିଛନ୍ତି ଯେ, ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଆବଶ୍ୟକ ।

ପ୍ରକାଶଥାଉକି, ଗତକାଲି ଅର୍ଥାତ ଗୁରୁବାର ରାମନବମୀ ଅବସରରେ ୬୦ ବର୍ଷ ପୂରୁଣା ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିଲା । ୧୧ଟା ସମୟରେ ହୋମ ଆରମ୍ଭ ହୋଇଥିଲା । ମନ୍ଦିର ପରିସରରେ ଥିବା କୂଅ ଛାତରେ ୬୦ରୁ ଅଧିକ ଲୋକ ବସିଥିଲେ । ପ୍ରାୟ ୧୨ ଟା ୩୦ ସମୟରେ ସ୍ଲାବ ଭୁଶୁଡ଼ିପଡ଼ିଥିଲା । ଲୋକମାନେ ୬୦ ଫୁଟ ଗଭୀର କୂଅକୁ ଖସିପଡ଼ିଥିଲେ । ମୃତକଙ୍କ ମଧ୍ୟରେ ୨୧ ମହିଳାଏବଂ ୧୫ ପୁରୁଷ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ ୩ ଶିଶୁ କନ୍ୟା ଓ ଜଣେ ପୁଅ ସାମିଲ ଅଛନ୍ତି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଉତ୍କଳ ଦିବସରେ ଓଡିଶା ପାଇଁ ଖୁସି ଖବର, ଦୁବାଇକୁ ଆରମ୍ଭ ବିମାନ ସେବା

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇକୁ ଓଡ଼ିଶାର ଲମ୍ବା ଲମ୍ଫ । ମେ’ ୧୫ରୁ ଭୁବନେଶ୍ୱରରୁ ଡାଇରେକ୍ଟ ଦୁବାଇକୁ ଉଡ଼ିବ ବିମାନ । ଉତ୍କଳ ଦିବସ ଉପଲକ୍ଷେ ଓଡିଶାକୁ ଭେଟି ସ୍ବରୂପ କାଲିଠୁ ଟିକେଟ ବୁକିଂ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ବିମାନ ଉଡ଼ାଣରେ ଏହା ପ୍ରଥମ ପାହଚ ରୂପେ ସ୍ବୀକୃତି ପାଇବ । ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି

। ହେଲେ ଦୁବାଇକୁ ସିଧା ବିମାନ ଉଡାଣରେ ଏହା ହେବ ପ୍ରଥମ ଫ୍ଲାଇଟ । ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିବ ଏହି ବିମାନ ସେବା ବୋଲି ମୁଖ୍ୟମନ୍ତ୍ରୀ ଏହାର ଉଡାଣ ନେଇ ତତ୍ପର ପ୍ରକାଶ କରିଥିଲେ । ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜି ନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି 5T ସଚିବ ଭି କେ ପାଣ୍ଡିଆନ ।

ଜେଲରେ ରହିବେ ମନିଷ ସିସୋଦିଆ, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଉ ଏକ ଝଟକା । ଜେଲରୁ ଏବେ ବି ବାହାରି ପାରିବେନି ସିସୋଦିଆ । ମନିଷ ସିସୋଦିଆ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ । ହେଲେ ମନିଷ ସିସୋଦିଆଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ (ସିବିଆଇ) ଏମକେ ନାଗପିଳ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟରୁ ଜାମିନ ଆବେଦନ ଖାରଜ ପରେ ଏବେ ମନିଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟ ଯିବେ । ସୂଚନାଥାଉକି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ୨୬ ଫେବ୍ରୁଆରୀରେ ଗିରଫ କରିଥିଲା । ସିବିଆଇ ମନିଷ ସିସୋଦିଆଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା ।

କୋଟିଏ ଟଙ୍କାର ବଟି ମାଗିବା ଘଟଣାରେ ବନ୍ଧା ହେଲେ ୨ ଲେଡି ଡନ

ଭୁବନେଶ୍ବର: ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ମାଗିବା ଘଟଣାରେ ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଲେଡି ଡନଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହି ମାମଲାରେ ଗତକାଲି ୭ ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ ।

ପ୍ରେସିଡେନ୍ସି ହୋଟେଲ ପଛରେ ଏକ ବିବାଦୀୟ ଜମିକୁ ଏମାନେ ପୋଜେସନ ନେଉଥିଲେ । ପୋଜେସନ ନେବା ପାଇଁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବଳିଆର ସିଂ ଓ ଆଶିଷ ରାୟ ।

ନକୁଳ ମହାକୁଡ଼ ନାଁ ରେ ପୂର୍ବରୁ NSA ଲାଗିଥିଲା । ମାଷ୍ଟରମାଇଣ୍ଡ ଝାରପଡାର ରାଘବ ଜେନା ଏବେ ବି ଫେରାର ଅଛି । ରାଘବ ଓ କୋ’ ମହିଳାଙ୍କୁ ଢାଲ କରି ଜମି ପୋଜେସନ ଗ୍ୟାଙ୍ଗ ଚଳାଇଥିଲେ ।

ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଦିବଙ୍ଗତ ବିଜେଡି ନେତା ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି । ଆସନ୍ତା ମେ ୧୦ରେ ନିର୍ବାଚନ ହେବ । ଆଜି ପ୍ରଥମ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି । କାରଣ ଦୀପାଳି ଦାସଙ୍କୁ ଟକ୍କର ଦେଲା ଭଳି ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି ।

ସୂଚନାଥାଉକି, ଗତ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ାର ଏକ ନିର୍ବାଚନୀ ରାଲିରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଯାଇଥିଲା । ଖାଲି ଆସନକୁ ନେଇ ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବ । ସେହିପରି ୧୩ ତାରିଖରେ ପଳାଫଳ ଘୋଷଣା ହେବ । ବିଜେଡି ପ୍ରାର୍ଥୀ ହେବାପରେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୀପାଳି ଦାସ । ପ୍ରଥମେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି । ମୁଖ୍ୟମନ୍ତ୍ରୀ ବିଶ୍ବାସ ନିଶ୍ଚୟ ରଖିବେ ବୋଲି କହିଛନ୍ତି ଦୀପାଳି । ବାପାଙ୍କ ସ୍ୱପ୍ନକୁ ପୂରଣ ପାଇଁ ପ୍ରାଣପ୍ରମଣେ ଉଦ୍ୟମ କରିବେ ବୋଲି କହିଛନ୍ତି । ‘ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’ । ମୁଖ୍ୟମନ୍ତ୍ରୀଙ୍କ କାମ ଲୋକଙ୍କ ନିକଟରେ ପହଞ୍ଚାଇବି’ବୋଲି କହିଛନ୍ତି ଦୀପାଲି ।

କେନ୍ଦ୍ରର ମିଥ୍ୟା ପ୍ରତିଶ୍ରୁତି ନେଇ ଗର୍ଜିଲା ବିଜେଡି; ଭୁବନେଶ୍ୱର ରେଳ ଷ୍ଟେସନ କେବେ ହେବ ବିଶ୍ୱସ୍ତରୀୟ ?

ଭୁବନେଶ୍ୱର: କେନ୍ଦ୍ରର ମିଥ୍ୟା ପ୍ରତିଶ୍ରୁତି ନେଇ ଗର୍ଜିଲା ବିଜେଡି । ନିର୍ବାଚନ ଆସିଲେ କେନ୍ଦ୍ରମନ୍ତ୍ରୀ ଆସି ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେବେ । ହେଲେ ନିର୍ବାଚନ ସରିଗଲେ ସବୁ ଭୁଲି ଯାଆନ୍ତି କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱର ରେଳଷ୍ଟେସନକୁ ମଡେଲେ ଷ୍ଟେସନ କରିବା କଥା ଧୂଆଁବାଣ ପାଲଟିଛି । ୨୦୧୬ରେ କହିଥିଲେ ଭୁବନେଶ୍ୱରକୁ ମଡେଲ ଷ୍ଟେସନ କରିବେ । ହେଲେ ଆଜି ପର୍ଯ୍ୟନ୍ତ ଏଦିଗରେ କୌଣସି ପଦକ୍ଷେପ କାହିଁକି ଆରମ୍ଭ ହୋଇନି ବୋଲି ବିଜେଡି ପ୍ରଶ୍ନ କରିଛି । ବଡ଼ ବଡ଼ ପ୍ରତିଶ୍ରୁତି ଦେବାରେ କେନ୍ଦ୍ରମନ୍ତ୍ରୀ ସିଦ୍ଧହସ୍ତ ।

କେନ୍ଦ୍ରର ବିଜେପି ସରକାରରେ ଓଡ଼ିଶାର କିଛି ଲାଭ ନାହିଁ । ବିଜେପିକୁ ଓଡ଼ିଶାବାସୀ ଉଚିତ ଜବାବ ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଉଚିତ ଜବାବ ଦେବେ ବୋଲି କହିଛି ବିଜେଡି । ଓଡ଼ିଶାବାସୀ ଜଗନ୍ନାଥପ୍ରେମୀ କିନ୍ତୁ ବୋକା ନୁହଁନ୍ତି । ୨୦୧୪ ଓ ୨୦୧୯ରେ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ବାରମ୍ବାର ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଲେ ଜଗନ୍ନାଥ ବି କ୍ଷମା ଦେବନି । ପ୍ରତିବର୍ଷ ୨୫ହଜାର କୋଟି ରାଜସ୍ୱ ନେଉଛି ରେଳ ମନ୍ତ୍ରାଳୟ । ଓଡ଼ିଶାକୁ ବର୍ଷକୁ ଦେଉଛି ମାତ୍ର ୨ହଜାର କୋଟି । ମୋବାଇଲ ରିଚାର୍ଜ, ଖଣି ରିଅଲିଟି, ଆୟକର ।

ଓଡ଼ିଶାର ହକର ପଇସା ଓଡ଼ିଶା ପାଇପାରୁନି । କେନ୍ଦ୍ରର ଏ ଅତ୍ୟାଚାର ବଢ଼ିଚାଲିଲେ ତୀବ୍ର ଆନ୍ଦୋଳନ ହେବ । କେନ୍ଦ୍ର ସରକାରର ଖାଲି ବଡ଼ ବଡ଼ କଥା, କାମରେ ଶୂନ । କେନ୍ଦ୍ର ଖାଲି କଥା କୁହେ, କାମରେ ବିଗ୍ ଜିରୋ । ପଦମପୁରବାସୀ ଖୋଜୁଛନ୍ତି କୁଆଡେ ଗଲା ରେଳଲାଇନ । ୨୦୧୬ରେ ୧୧ଷ୍ଟେସନକୁ ବିକଶିତ କରିବା କହିଥିଲେ କେନ୍ଦ୍ର ସରକାର । ହେଲେ ଏ ଦିଗରେ କିଛି ବି କାର୍ଯ୍ୟ ହୋଇନି । ବିଜେପି ଦଳ କେବଳ ମିଛ କହି ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛି । ସାଧାରଣ ଜନତା ଏବେ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛି ବିଜେଡି ।

୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ କିସ୍ତି, ଝାରସୁଗୁଡାକୁ ବାଦ୍‌ ଦେଲେ ସରକାର

ଭୁବନେଶ୍ବର: ଉତ୍କଳ ଦିବସରେ ମିଳିବ କାଳିଆ କିସ୍ତି । ଆସନ୍ତାକାଲି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ଭିସି ମାଧ୍ୟମରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ତେବେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷିତ ହୋଇନଥିବାରୁ ଏହି ଜିଲ୍ଲାର ହିତାଧିକାରୀଙ୍କୁ କିସ୍ତି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।

୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।

ଲଡ଼ୁରୁ ଆୟ ୫ଶହ କୋଟି, ବ୍ୟାଙ୍କରେ ଅଛି ୧୦ ଟନ୍ ସୁନା- ୧୬ ହଜାର କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଲଡୁରୁ କୋଟି କୋଟି ଆୟ। ମନ୍ଦିରକୁ ଧନୀ କରୁଛି ଲଡୁ। ଭାରତରେ ରହିଛି ଅନେକ ପ୍ରସିଦ୍ଧ ମନ୍ଦିର । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାର ତିରୁମାଳ ପର୍ବତରେ ଅବସ୍ଥିତ ତିରୁପତି ବାଲାଜୀଙ୍କ ମନ୍ଦିର। ଏଠାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତିରୁପତି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି କୁହାଯାଏ। ଏଠାରେ ତିରୁପତି ବାଲାଜୀଙ୍କ ମୂର୍ତ୍ତିକୁ ଭେଙ୍କଟେଶ୍ୱର ସ୍ୱାମୀ କୁହାଯାଇଥାଏ। ଏହା ଭାରତର ମୁଖ୍ୟ ତୀର୍ଥ ସ୍ଥଳରୁ ଗୋଟିଏ। ତେବେ ଏହି ମନ୍ଦିରକୁ କାହିଁକି ଧନୀ ମନ୍ଦିର ବୋଲି କୁହାଯାଏ, ତାହା ଆପଣ ଜାଣିଛନ୍ତି କି? ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ସମ୍ବନ୍ଧରେ କିଛି ଅଲୌକିକ କାହାଣୀ।

ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଖରେ ଲଡୁ ଭୋଗ ଲାଗି ହୋଇଥାଏ। ଏହି ପ୍ରସାଦ ପାଇବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଲଡୁରୁ ବାର୍ଷିକ ଆୟ ୫ଶହ କୋଟି ଟଙ୍କା ମିଳିପାରେ। ଏହାସହ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଏଠି ସୁନା, ରୂପା, ହୀରା, ଟଙ୍କା ଆଦି ଦାନ କରିଥାନ୍ତି । ବର୍ତ୍ତମାନ ବ୍ୟାଙ୍କରେ ମନ୍ଦିରର ୧୦ ଟନରୁ ଅଧିକ ସୁନା ଥିବା ବେଳେ ୧୬ ହଜାର କୋଟି ଟଙ୍କା ଅର୍ଥ ରାଶି ଜମା ହୋଇଛି।

କୁହାଯାଏ ଯେ, ତିରୁପତି ମନ୍ଦିରରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ରୂପରେ ସ୍ବୟଂ ବିଷ୍ଣୁ ବିରାଜମାନ ଅଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ, ମାତା ଲକ୍ଷ୍ମୀ ମଧ୍ୟ ଭଗବାନଙ୍କ ଏହି ରୂପରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି କାରଣ ଯୋଗୁଁ ପ୍ରଭୁଙ୍କୁ ଉଭୟ ପୁରୁଷ-ସ୍ତ୍ରୀଙ୍କ ପୋଷାକ ପରିଧାନ କରାଯାଇଥାଏ। ଭକ୍ତ ଏଠି ନିଜ ମନସ୍କାମନା ପୂରଣ  ପାଇଁ ମୁଣ୍ଡନ କରିଥାନ୍ତି।

ବାଲିଜୀ ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ସେଥି ମଧ୍ୟରୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଉପରେ ଯେଉଁ ଚୁଟି ଲାଗିଛି, ତାହା ଅସଲି ଏବଂ ଏହା କେବେବି ଅଡୁଆ ହୁଏ ନାହିଁ ବୋଲି କୁହାଯାଏ । ମାନ୍ୟତା ଅଛି ଯେ, ଭଗବାନଙ୍କ ମୂର୍ତ୍ତିରୁ ଝାଳ ବାହାରିଥାଏ । ଏଥିପାଇଁ ମନ୍ଦିରର ଗର୍ଭଗୃହରେ ତାପମାତ୍ରା କମ୍ ରଖାଯାଇଥାଏ।

ମନ୍ଦିର ଠାରୁ କିଛି ଦୂରରେ ଏକ ଗାଁ ରହିଛି । ସେହି ଗାଁର ଲୋକେ ଶୃଙ୍ଖଳିତ ଏବଂ ଅନୁଶାସିତ ଜୀବନଯାପନ କରିଥାନ୍ତି । ଏହି ଗାଁକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଏହା ଉପରେ ନିଷେଦ୍ଧାଦେଶ ରହିଛି । ପ୍ରଭୁଙ୍କ ପାଖରେ ଲାଗି କରାଯାଉଥିବା  କଦଳୀ, କ୍ଷୀର, ଦହି, ସର ଆଦି ଏହି ଗାଁରୁ ଆସିଥାଏ । କୁହାଯାଏ ଯେ, ମନ୍ଦିରରେ ସବୁବେଳେ ଗୋଟିଏ ଦୀପ ଜଳି ରହିଥାଏ । ଏଥିରେ କେହି କେବେ ତେଲ କିମ୍ବା ଘିଅ ଢାଳି ନଥାନ୍ତି, ଦୀପ ମନକୁ ଜଳିରହୁଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏକଥା କେହି ଜାଣି ନହାନ୍ତି ଏହି ଦୀପ କେବେଠୁ ଜଳୁଛି ଓ କିଏ ଲଗାଇଛି ।

ଖାଇବାକୁ ଦେଉ ନଥିଲେ ଆଇଏଏସ୍ ; ଆତ୍ମହତ୍ୟା କଲେ ଜେଜେବାପା- ଜେଜେମା’

ଚଣ୍ଡିଗଡ଼ :  ପୁଅମାନଙ୍କ ପାଖରେ ଅଚଳାଚଳ ସମ୍ପତ୍ତି । ଆଉ ନାତି ଆଇଏଏସ୍ ଅଧିକାରୀ । ସମ୍ପତ୍ତି ୩୦ କୋଟି ଟଙ୍କାରୁ ଅଧିକ ହେବ । ହେଲେ ଏଭଳି ଘରେ ଘଟିଛି ହୃଦୟ ବିଦାରକ ଘଟଣା । ଦିମୁଠା ଦାନା ପାଇଁ ହାତ ପତାଇବାକୁ ପଡୁଥିଲା ଏଠି । ଆଉ ସେହି ଘରେ ଦି’ ମୁଠା ଦାନା ନପାଇ ଜୀବନ ହାରିଛନ୍ତି ବୃଦ୍ଧ ଦମ୍ପତ୍ତି ।

ଏ ହେଉଛନ୍ତି ଆଇଏଏସ୍  ଅଧିକାରୀ ବିବେକ ଆର୍ଯ୍ୟଙ୍କ ଜେଜେ ବାପା ଓ ଜେଜେମାଆ । ସୁଇସାଇଡ୍ ନେଟରେ ନିଜ ଦାରୁଣ ଦୁଃଖ ବଖାଣି ସବୁଦିନ ପାଇଁ ବିଦାୟ ନେଇଯାଇଛନ୍ତି ବୃଦ୍ଧ ଦମ୍ପତି  । ଆତ୍ମହତ୍ୟା କରିଥିବା ଏହି ବୃଦ୍ଧ ଦମ୍ପତି ହେଲେ ହରିୟାଣା ଗୋପୀ ଗ୍ରାମର ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଏବଂ ଭାଗଲୀ ଦେବୀ । ସେମାନେ ବାଢଡାସ୍ଥିତ ନିଜ ପୁଅ ପାଖରେ ରହୁଥିଲେ । ଗତ ରାତି ପ୍ରାୟ ସାଢେ ଦୁଇଟା ବେଳେ ସେମାନେ ବୀରେନ୍ଦ୍ରଙ୍କ ବାସ ଭବନରେ ଆତ୍ମହତ୍ୟା କରିଥିଲେ ।

ହରିୟାଣାର ଚରଖୀ ଦାଦ୍ରି ସହରରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ଏବେ ପୋଲିସ ବୃଦ୍ଧ ବୃଦ୍ଧାଙ୍କ ପୁଅ, ଦୁଇ ବୋହୂ ଓ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦୁଃଖ ସହି ନପାରି ବିଷପାନ କରି ଆତ୍ମହତ୍ୟା କରିଥିଲେ ଏହି ବୃଦ୍ଧ ଦମ୍ପତି । ସୁଇସାଇଡ୍ ନୋଟରେ ସେମାନେ ଲେଖିଥିଲେ କି, ଆମ ପୁଅ ମାନଙ୍କ ପାଖରେ ୩୦କୋଟି ଟଙ୍କାର ସମ୍ପତ୍ତି ଅଛି । କିନ୍ତୁ ସେମାନେ ଆମ ବୁଢାବୁଢୀଙ୍କୁ ଦିନକୁ ଦୁଇ ଓଳି ରୁଟି ଦେଲେ ନାହିଁ । ଭୋକ ଜ୍ବାଳା ଅସହ୍ୟ ହେବାରୁ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛୁ ।

ମାଗଣା ଅଟା ବଣ୍ଟା ବେଳେ ଦଳାଚକଟାରେ ୧୧ ମୃତ

ଇସଲାମାବାଦ: ପାକିସ୍ତାନରେ ଅଟା ପାଇଁ ଏମର୍ଜେନ୍ସି । ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ଭିତରେ ଆକାଶ ଛୁଆଁ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଗରିବ ଲୋକଙ୍କୁ ସରକାର ମାଗଣାରେ ଅଟା ବାଣ୍ଟୁଥିବା ବେଳେ ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁହୋଇଛି । ସାହିବାଲ, ବହାବଲପୁର, ମୁଜାଫରଗଡ଼ରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଟ୍ରକରେ ଅଟା ପ୍ୟାକେଟ ଭର୍ତ୍ତି କରାଯାଇ ବାଣ୍ଟିବାକୁ ନେଉଥିବା ବେଳେ ଲୁଟ ହେବା ଆଶଙ୍କାରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ପଞ୍ଜାବରେ ଅଟା କିଲୋଗ୍ରାମ ୧୪୫ରୁ ୧୬୦ ଟଙ୍କା ଛୁଇଁଛି । ହେଲେ ଖେବର, ବାଲୁଚିସ୍ତାନ ପ୍ରାନ୍ତରେ ଦର ଆହୁରି ଅଧିକ ରହିଛି । ଦେଶରେ ଅଟା ସଙ୍କଟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦାୟୀ କରୁଥିବା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ଓ ୨୦୨୨ରେ ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଆଫଗାନିସ୍ତାନରେ ଗହମ ଚୋରାଚାଲାଣ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ବିଦେଶର ଋଣ ବୋଝରେ ବୁଡିଥିବା ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ୧୨୦ ଆରବ ଡଲାରର ଋଷ ବୋଝ ପାକିସ୍ତାନ ଉପରେ ରହିଥିବା ବେଳେ ମାତ୍ର ୩ ଆରବ ଡଲାର ବିଦେଶୀ ମୁଦ୍ରା ରାଜକୋଷରେ ରହିଛି । ସାଧାରଣ ଲୋକ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶ ଛୁଆଁ ଦରରେ କିଣୁଥିବା ବେଳେ ନେତା, ମନ୍ତ୍ରୀମାନେ ଆର୍ଥିକ ସହାୟତା ବିଦେଶ ଗସ୍ତ ଜାରି ରଖିଛନ୍ତି ।