spot_img
Home Blog Page 3745

ମଦ ବାରକୁ ବିରୋଧ କରି ମହିଳାଙ୍କ ରାସ୍ତାରୋକ

ବାଲିପାଟଣା: ମଦ ବାରକୁ ବିରୋଧ କରି ରାସ୍ତା ରୋକ୍ କଲେ ମହିଳା ମହାସଂଘ । ବାଲିପାଟଣା ଥାନା ବାଲିପାଟଣା-ବନମାଳିପୁର ରାସ୍ତା ସରିପୁର ଛକ ନିକଟରେ ଶତାଧିକ ମହିଳା ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ବାଲିପାଟଣା ଥାନା ଅଧିକାରୀ ପହଁଞ୍ଚି ମହିଳାଙ୍କୁ ବୁଝାସୁଝା କରୁଛନ୍ତି । ମାତ୍ର ରାସ୍ତା ଅବରୋଧ ହଟି ନାହିଁ । ଶତାଧିକ ମହିଳା ବର୍ତ୍ତମାନ ଓପନ୍ ବାର୍ ସମ୍ମୁଖରେ ହୋ ହଲା କରିବା ସହ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁସାରେ ବାଲିପାଟଣା ଥାନା ସରିପୁର ଛକ ନିକଟରେ ଏକ ଓପନ ବାର୍ ଖୋଲାଯାଇଛି । ଏହାକୁ ସ୍ଥାନୀୟ ଅଂଚଳର ଶତାଧିକ ମହିଳା ବିରୋଧ କରିଛନ୍ତି । ଗ୍ରାମାଞ୍ଚଳରେ ଏଭଳି ବାର୍ ଯୋଗୁ ଅଂଚଳରେ ବିଶୃଙ୍ଖଳା ବଢ଼ିବା ସହ ପରିବାର ଭିତରେ ଅଶାନ୍ତି ସୃଷ୍ଟି ହେଉଛି । ବାଲିପାଟଣା ବ୍ଳକର ଅଠାନ୍ତର, ଗାରେଡ଼ିପାଞ୍ଚଣ ଏବଂ ପମ୍ପାଲୋ ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ରାସ୍ତା ଉପରେ ବସି ବାରକୁ ବିରୋଧ କରୁଛନ୍ତି ।

ହକି ବିଶ୍ବକପ ପୂର୍ବରୁ ସଜେଇ ହେଉଛି ରାଉରକେଲା, ଚକାଚକ୍ ରାସ୍ତା ସାଙ୍ଗକୁ ରଙ୍ଗୀନ ଆଲୋକରେ ଝଟକୁଛି ସହର

ରାଉରକେଲା: ଝଟକୁଛି ରାଉରକେଲା । ପାର୍କ, ଓ୍ବାଟର ଫାଉଣ୍ଟେନ ସାଙ୍ଗକୁ ଚକାଚକ୍ ରାସ୍ତା । ରଙ୍ଗୀନ ଆଲୋକରେ ଚିକମିକ୍ କରୁଛି ରାସ୍ତା ପାର୍ଶ୍ବ । ସୁନ୍ଦର ସୁନ୍ଦର ପ୍ରତିକୃତି ଓ ଚିତ୍ର କଳା ଲୋକଙ୍କୁ ଆକୃଷ୍ଟ କରୁଛି । ବିଶ୍ବକପ ପୂର୍ବରୁ ରିଙ୍ଗ୍ ରୋଡର ସୌନ୍ଦର୍ଯ୍ୟକରଣ ସହ ସହରର ବିଭିନ୍ନ ରାସ୍ତା କଡ଼କୁ ଆଲୋକମାଳାରେ ସଜେଇ ହୋଇଛି । ସହରର ଟ୍ରାଫିକ୍ ଗେଟ ଛକ ନିକଟରେ ନିର୍ମାଣ କରାଯାଇଛି ସେନସୋରୀ ପାର୍କ । ଏହି ପାର୍କରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମନୋରଞ୍ଜନ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପରିତ୍ୟକ୍ତ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ କରାଯାଇ ଲାଇଟ ସହିତ ଓ୍ବାଟର ଫାଉଣ୍ଟେନର ବ୍ୟବସ୍ଥା କରାଯାଇଛି । ପାର୍କରେ ଭର୍ଟିକାଲ ଗାର୍ଡେନରେ କାନ୍ଥରେ ଲାଗିଛି ବିଭିନ୍ନ ଗଛ । ପୁରୁଣା ଅଦରକାରୀ ଟାୟାରରେ ବାଘ, ବିଭିନ୍ନ ଅଦରକାରୀ ସ୍କ୍ରାପ, ଲୁହା ଚେନ୍ ପୁରୁଣା ଗାଡିର ପାର୍ଟିରେ ୨୫ ଫୁଟର ଦୁଇଟି ହକି ଷ୍ଟିକ ନିର୍ମାଣ କରାଯାଇଛି ।

ସହରର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ନୂତନ ପାର୍କ ନିର୍ମାଣ ଓ ପୁରାତନ ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୃତ ଗତିରେ କରାଯାଉଛି । ପାଦଚଲା ରାସ୍ତା ନିର୍ମାଣ ସହ ରାସ୍ତା କଡ଼ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ମହଙ୍ଗା ପଡ଼ିଲା କ୍ୟାରି ବ୍ୟାଗ୍ ବିକ୍ରି, ୬ ଟଙ୍କାର ବ୍ୟାଗ୍ ପାଇଁ ଦେବାକୁ ପଡ଼ିଲା ୨୫ ହଜାର ଫାଇନ୍

କଟକ: କ୍ୟାରି ବ୍ୟାଗ୍ ପାଇଁ ଫାଇନ୍ ଦେଲା ସପିଙ୍ଗ୍ ମଲ୍‌ । ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍ ପାଇଁ ଗଣିବାକୁ ପଡ଼ିଛି ୨୫ ହଜାର ଟଙ୍କା । ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ ଧରାଇ ଗ୍ରାହକଙ୍କୁ ହନ୍ତସନ୍ତ କରୁଥିବା କଟକର ଏକ ସପିଙ୍ଗ୍ ମଲକୁ କଟକ ଜିଲ୍ଲା ଖାଉଟି ଅଦାଲତ ୨୫ ହଜାର ଟଙ୍କା ଫାଇନ୍ କରିଛନ୍ତି । କଟକର ଜଣେ ଗ୍ରାହକ ଦୋଳମୁଣ୍ଡାଇ ଅଂଚଳରେ ଥିବା ବଜାର କୋଲକାତା ନାମକ ସପିଙ୍ଗ୍ ମଲକୁ ପୋଷାକ କିଣିବା ବେଳେ ତାଙ୍କୁ କ୍ୟାରି ବ୍ୟାଗ ନେବେ କି ନାହିଁ ପଚରା ଯାଇଥିଲା । ଏପରିକି ଏଥିପାଇଁ ଟଙ୍କା ପଡ଼ିବ ବୋଲି କାଉଣ୍ଟରରେ ଥିବା କର୍ମଚାରୀ କହିନଥିଲେ ।

ପୂରା ମଲରେ ମଧ୍ୟ ଏ ସଂପର୍କରେ କୌଣସି ସ୍ଥାନରେ ସୂଚନା ନଥିଲା । ଫଳରେ ଅସନ୍ତୁଷ୍ଟ ହୋଇ ଗ୍ରାହକ ଦୋକାନୀଙ୍କ ସହ ଯୁକ୍ତିତର୍କ କରିବା ପରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ମାମଲା ବିଚାର କରି ସଂପୃକ୍ତ ମଲକୁ ଏକ ମାସ ମଧ୍ୟରେ ୨୫ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫାଇନ ବାବଦରେ ୧୦ ହଜାର ଓ ଅଦାଲତି ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କଟକ ଖାଉଟି ଅଦାଲତଙ୍କ ଏଭଳି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ସାଧାରଣ ଗ୍ରାହକା ।

ଏଫଆଇଏଚ୍ ପ୍ରୋ ଲିଗ୍ ହକି: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଭୁବନେଶ୍ୱର: କମ୍ପୁଛି କଳିଙ୍ଗ । ରାଜଧାନୀରେ ଦେଖୁବାକୁ ମିଳିଛି ହକି କ୍ରେଜ୍ । ଚଳିତ ଏଫଆଇଏଚ୍‌ ‌ପ୍ରୋ ଲିଗର ଆଜି ସନ୍ଧ୍ୟାରେ ଆଉ ଏକ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ସ୍ପେନ୍‌ ନିକଟରୁ ୩-୪ ଗୋଲରେ ହାରିଯାଇଥିଲା ଭାରତ ।

ତେବେ ଆଜିର ମ୍ୟାଚରେ ପୁଣିଥରେ ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇବାକୁ ଆଶା ରଖିଛି ଭାରତ । ପୂର୍ବ ମ୍ୟାଚରେ ରହିଥିବା ଦୋଷ, ଦୁର୍ବଳତାକୁ ଦୂର କରି ଆଜି ମ୍ୟାଚରେ ଭାରତ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ ମ୍ୟାନ ଇନ୍ ବ୍ଲୁ ।

ନଭେମ୍ବର ୨୩ରୁ ୩୦ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧, ପରୀକ୍ଷା ଦେବେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

କଟକ: ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ରାଜ୍ୟର ୩ ହଜାର ୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ମେଟିଭ୍ ପରୀକ୍ଷା ଚାଲିବ । ନଭେମ୍ବର ୨୩ରେ ଇଂରାଜୀ, ୨୫ରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟିକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଓ ୩୦ରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜିଠାରୁ ଆଡମିଟ୍ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ । ବୋର୍ଡ ଓ୍ବେବସାଇଟରୁ ଆଜିଠୁ ଛାତ୍ରଛାତ୍ରୀ ଡାଉନଲୋଡ କରିପାରିବେ । ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ସେହିପରି ୩୧୬ ନୋଡାଲ ସେଣ୍ଟର ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ । ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି, ମାସିକ ପାରିଶ୍ରମିକ ୩ ହଜାର ୨୦୦ ଟଙ୍କାରୁ ୫ ହଜାର ୩୭୯ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି । ରାଜ୍ୟ ସରକାର ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମାସିକ ଦରମା ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମାସିକ ୩୨୦୦ ଟଙ୍କାରେ ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିଲେ । ସେମାନେ ନିଜର ଦାୟିତ୍ବକୁ ସୁଚାରୁରୂପେ ନିର୍ବାହ କରୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

୨୦୦୭-୦୮ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅନୁକୁଳ ଶିକ୍ଷାଦାନ ଏବଂ ଅନୁସୁଚିତ ଜାତି ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ୨୨୧ ଜଣ ବହୁଭାଷୀ ଶିକ୍ଷକ ନିଯୁକ୍ତି ହୋଇଥିଲେ । ସେମାନେ କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଚ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସୁଚାରୁରୂପେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି ।

ବର୍ଷାରେ ବେହାଲ ପରେ ଚେନ୍ନାଇରେ ଚାଲିଛି ମାଛଧରା

ଚେନ୍ନାଇ: ବର୍ଷାରେ ବେହାଲ ହେବା ପରେ ଚେନ୍ନାଇରେ ଚାଲିଛି ମାଛଧରା । ମେଟ୍ରୋରେ ଲଗାତାର ବର୍ଷା ହେବାରୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଥିବାବେଳେ ସହର ଉପକଣ୍ଠରେ ରହିଥିବା କେତେକ ରିଜର୍ଭରରୁ ପାଣି ପ୍ରବାହିତ ହୋଇଛି । ସେପଟେ ରିଜର୍ଭରରୁ ପ୍ରଚୁର ମାଛ ପଦାକୁ ଆସୁଥିବା ବେଳେ ଧରିବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଶହ ଶହ ଲୋକ ବିଭିନ୍ନ ଉପାୟରେ ମାଛ ଧରିବାର ଦୃଶ୍ୟ କଏଦ ହୋଇଛି ।

ସେପଟେ ରାମେଶ୍ବରମେ ବି ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ପ୍ରବାହିତ ହୋଇଛି । ସହରର ଗଳିକନ୍ଦିରେ ପାଣି ପଶିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛ । ବର୍ଷା ଯୋଗୁ ତାମିଲନାଡ଼ୁରେ ଆଜି ସମସ୍ତ ସ୍କୁଲ ବନ୍ଦ ରହିଛି ।

ପ୍ରଦୀପ ମାଝୀଙ୍କୁ ନୂଆ ଦାୟିତ୍ୱ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନେଲେ ଦାୟିତ୍ୱ

ଭୁବନେଶ୍ୱର: ପ୍ରଦୀପ ମାଝୀଙ୍କୁ ନୂଆ ଦାୟିତ୍ୱ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଲେ ବିଜେଡି ନେତା ପ୍ରଦୀପ ମାଝୀ । ରାଜ୍ୟର ୯ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ କରୁଛି । ରାଜ୍ୟ ସରକାର ସର୍ବଦା ଆଦିବାସୀ ଓ ଜନଜାତି ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ, ପ୍ରଦୀପ ମାଝୀ ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟକୁ ନୂଆ ଦିଗ ଦେବେ ।

ଗାଧ୍ବୀ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଇସୁଦାନ ଗାଧ୍ବୀ। ଏନେଇ ଘୋଷଣା କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ । ଭୋଟରଙ୍କ ଚଏସ ଅନୁସାରେ ଗାଧ୍ବୀଙ୍କୁ ସିଏମ ପ୍ରାର୍ଥୀ ଘୋଷଣା କରାଯାଇଛି ।

ଗାଧ୍ବୀ ହେଉଛନ୍ତି ଗୁଜରାଟର ଜଣେ ଲୋକପ୍ରିୟ ଟିଭି ସାମ୍ବାଦିକ ଓ ଆଙ୍କର। ଭିଟିଭି ନ୍ୟୁଜ୍‌ରେ ତାଙ୍କର କାର୍ଯ୍ୟକ୍ରମ ମହାମନ୍ଥନ ରାତି ୮ଟାରୁ ୯ଟା ଯାଏ ଚାଲୁଥିଲା କିନ୍ତୁ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ତାହା ୯ଟା ୩୦ ଯାଏ ଚାଲିଲା। ଏହି କାର୍ଯ୍ୟକ୍ରମର ଲକ୍ଷ ଲକ୍ଷ ଦର୍ଶକ ଥିଲେ।

ଗାଧ୍ବୀ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ସେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ କରିଛନ୍ତି।

ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍‌ର ଏଡିଟର ହୋଇପାରିଛନ୍ତି। ୨୦୦୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍‌ରେ ଯୋଗ ଦେଇଛନ୍ତି। ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା ।

ଜନ ଔଷଧି କେନ୍ଦ୍ରରେ ବି ନକଲି ଔଷଧ

ଭୁବନେଶ୍ବର: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ । ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜନ ଔଷଧି କେନ୍ଦ୍ରରେ ମିଳୁଥିବା ବିପି ବା ରକ୍ତ ଚାପ ଔଷଧ ଟେଲମିସର୍ଟନ 40 ଔଷଧ ନକଲି ଥିବା ଅଭିଯୋଗ ହୋଇଛି ।

ଔଷଧର ଖୋଳରେ ଥିବା ବାର କୋଡକୁ ସ୍କାନ କଲେ ତାହା ଔଷଧ କମ୍ପାନୀ ବଦଳରେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି । ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର୍ କୋଡ୍ ଆଦୌ ସ୍କାନ ହେଉନାହିଁ ।

ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ନିର୍ଦ୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂ ଲ୍ୟାବକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ, ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି ।

ହେଲେ ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି । ତୁରନ୍ତ ଘଟଣାର ତଦନ୍ତ କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସେସିଏସନର ସଭାପତି ଦାବି କରିଛନ୍ତି । ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ରାଜ୍ୟ ଔଷଧ ନିୟନ୍ତ୍ରକ ।