spot_img
Home Blog Page 3829

ଏନଏଚ ୫୫ ପାଇଁ ଆଜି ବିଜେଡିର ଚକଅଖ ବନ୍ଦ ଡାକରା

ଭୁବନେଶ୍ୱର: ଆଜି ଏନଏଚ ୫୫ର ଦୁରାବସ୍ଥା ନେଇ ବିଜେଡିର ଚକଅଖ ବନ୍ଦ ଡକରା । ଏନଏଚ ୫୫ର ଦୁରାବସ୍ଥା ନେଇ ବିଜେଡି କରିଛି ଚକଅଖ ବନ୍ଦ। ସକାଳ ୮ଟାରୁ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଥିବା ବେଳେ ୧୨ଟା ପର୍ଯ୍ୟନ୍ତ କଟକ ସମ୍ବଲପୁର ଜାତୀୟ ରାଜପଥକୁ ଅବରୋଧ କରାଯିବ । ଆନ୍ଦୋଳନସ୍ଥଳକୁ ଆସୁଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଗାଡ଼ିକୁ ଫେରାଇ ଦେଇଥିଲେ ଆନ୍ଦୋଳନକାରୀ ।

ଦୀର୍ଘଦିନ ଧରି ରାସ୍ତା କାମ ଶେଷ ନହେବାରୁ ଜାତୀୟ ରାଜପଥ ୫୫ ଉପରେ ଯାତାୟାତ କଷ୍ଟ ସାଧ୍ୟ ହୋଇ ପଡ଼ିଛି । ରାସ୍ତା ଖରାପ ଯୋଗୁ ଅନେକ ଥର ଦୁର୍ଘଟଣା ଘଟି ବହୁ ଲୋକ ପ୍ରାଣ ହରାଉଛନ୍ତି । କେବେ କାର୍ଯ୍ୟ ସରିବ ତାର କୌଣସି ସଠିକ୍ ତଥ୍ୟ କାହା ପାଖରେ ନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ଢେ଼ଙ୍କାନାଳ କଲେଜ ବାଇପାସ୍ ଛକରେ ପ୍ରତିବାଦ ସ୍ବରୂପ 4 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରୁଛନ୍ତି ଢେ଼ଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଜେଡି କର୍ମକର୍ତ୍ତା ।

କମୁଛି ତାପମାତ୍ରା ବଢୁଛି ଶୀତ; ୪ଦିନ ପର୍ଯ୍ୟନ୍ତ ଜାଡ଼ରୁ ମିଳିବନି ତ୍ରାହି

ଭୁବନେଶ୍ୱର: ରାଜ୍ୟରେ କମୁଛି ତାପମାତ୍ରା ବଢୁଛି ଶୀତ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ କମିବ ଅଧିକାଂଶ ସହରର ତାପମାତ୍ରା । ଆସନ୍ତା ୪ଦିନ ପର୍ଯ୍ୟନ୍ତ ଜାଡ଼ରୁ ମିଳିବନି ତ୍ରାହି । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଅଧିକ ଶୀତ ହେବ । ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେଉଥିବାରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ କମିଛି । ଫଳରେ ତାପମାତ୍ରା ତଳମୁହାଁ ହୋଇଛି ।

ସେହିପରି ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିବ । କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା କମିଥିବା ଜଣାପଡ଼ିଛି। ସେପଟେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । କିନ୍ତୁ ସେହି ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ, ହୋଇପାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ଶକ୍ତି ବିଭାଗ ପ୍ରଶ୍ନକାଳ ଉପରେ ଆଲୋଚନା ରହିଛି । ସେହିପରି ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନ କାଳରେ ଆଲୋଚନା ରହିଛି । ବିଧାୟକମାନେ ଭିନ୍ନ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରିପାରିବେ। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଥମ ଦିନରୁ ଶାସକ ଓ ବିରୋଧୀ ମହାଁମୁହିଁ ହୋଇଥିବାରୁ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ ନା ହଟ୍ଟଗୋଳ ହେବ ତାହା ଉପରେ ନଜର ରହିଛି।

ବଡ ଭଉଣୀ ବର୍ଷାଙ୍କ ପାଇଁ ପ୍ରଚାର କଲେ ଭାଇ ଭୋଜରାଜ

ପଦମପୁର: ବଡ ଭଉଣୀ ବର୍ଷାଙ୍କ ପାଇଁ ପ୍ରଚାର କଲେ ଭାଇ ଭୋଜରାଜ  । ପଦମପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ତାଙ୍କ ଭାଇ ଭୋଜରାଜ ସିଂ ବରିହା । ଝାରବନ୍ଧ ବ୍ଲକ କୁମୁରି ପଞ୍ଚାୟତ ମୁଖ୍ୟାଳୟଠାରେ ସନ୍ଧ୍ୟାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ଭୋଜରାଜ ସିଂ ବରିହା ପହଞ୍ଚିବା ପରେ ଗ୍ରାମବାସୀମାନେ ଢୋଲ ଓ ସଂକୀର୍ତନ ତାଳେତାଳେ ତାଙ୍କୁ ପାଛୋଟି ନେଇଥିଲେ  ।

ନୀଳଗିରି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ଭୋଜରାଜ ସିଂ ବରିହା ଅଞ୍ଚଳର ବିକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସ୍ବର୍ଗତ ପିତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅବଦାନକୁ ମନେ ପକାଇଥିଲେ । ଏହାସହ ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ବଡ ଭଉଣୀ ବର୍ଷା ସିଂ ବରିହାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ ଭୋଜରାଜ  ।

ପାଇଲଟଙ୍କୁ ଗେହଲଟଙ୍କ ଆକ୍ଷେପ, କହିଲେ ଗଦ୍ଦାର କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ

ଜୟପୁର: ବଢ଼ିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ । ଏପରିକି ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ହେବାର  ସ୍ୱପ୍ନ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ଗେହଲଟ । ସେ କହିଛନ୍ତି ଜଣେ ଗଦ୍ଦାର କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଏଆଇସିସି ସଭାପତି ନିର୍ବାଚନ ପ୍ରସଙ୍ଗରେ ରାଜସ୍ଥାନ ରାଜନୀତି ଅସ୍ଥିରତା ବଳୟ ଆଡକୁ ଚାଲିଯାଇଥିବାବେଳେ ଗେହଲଟଙ୍କୁ ସମର୍ଥନ କରି ପ୍ରାୟ ୯୦ ବିଧାୟକ ଇସ୍ତଫା ଧମକ ଦେଇଥିଲେ ।

ଏହି ବିଦ୍ରୋହ ପରେ ପାଇଲଟ ବାରମ୍ବାର ଦିଲ୍ଲୀ ଯାଇଥିଲେ । ଗେହଲଟ କହିଛନ୍ତି- ପାଇଲଟଙ୍କୁ କଂଗ୍ରେସ ହାଇକମାଣ୍ଡ କେବେ ବି ମୁଖ୍ୟମନ୍ତ୍ରୀ କରିବେ ନାହିଁ । ଯେଉଁ ନେତାଙ୍କ ନିକଟରେ ୧୦ ବିଧାୟକ ନାହାନ୍ତି ସେ କିପରି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ଗେହଲଟ ।

୨୦୨୦ରେ ପାଇଲଟ କରିଥିବା ବିଦ୍ରୋହର ସ୍ମୃତି ଏବେ ବି ଜୀବିତ ରହିଛି । ଜଣେ ପିସିସି ସଭାପତିଙ୍କ ନେତୃତ୍ବରେ ଦେଶରେ ପ୍ରଥମ ଥର ଲାଗି ବିଦ୍ରୋହ ହୋଇଥିଲା ବୋଲି କହିଛନ୍ତି ଗେହଲଟ । ସେପଟେ ମଧ୍ୟପ୍ରଦେଶରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ପାଇଲଟ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ।

ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଦିବସ

ଭୁବନେଶ୍ୱର: ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଛି ଓଡ଼ିଶା ଦିବସ । ଦିଲ୍ଲୀ ଦେଖିଲା ଓଡିଶା କଳା ସଂସ୍କୃତିର ଝଲକ । ଏହା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କଲେ ଦିଲ୍ଲୀବାସୀ । ଚଳିତ ବର୍ଷର ଥିମ ରହିଛି ଲୋକାଲ ଭର ଭୋକାଲ, ଭୋକାଲ ଟୁ ଲୋକାଲ । ଓଡ଼ିଶୀ, ସମ୍ବଲପୁରୀ, ବଜାସାଲ ଏବଂ ଆଧୁନିକ ନୃତ୍ୟ ପ୍ରଦର୍ଶିତ କରାଯାଇଛି ।

ରୁଦ୍ରାକ୍ଷ ଫାଉଣ୍ଡେସନର କଳାକାର ଓଡ଼ିଶୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ବଜାସାଲ, ସମ୍ବଲପୁର ଲହରୀ ଅନୁଷ୍ଠାନର କଳାକାର ଡାଲଖାଇ ପରିବେଶଣ କରିଥିଲେ । ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ଉନ୍ମୋଚନ କରାଯାଇଛି। କରୋନା ପାଇଁ ଦୁଇବର୍ଷ ପରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆୟୋଜିତ ହୋଇଛି ଓଡିଶା ଦିବସ ।

ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ଦିଲ୍ଲୀ ଆବାସିକ କମିସନର ରବି କାନ୍ତ , ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମାନନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲେଲିନ୍ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଆଇଟି କ୍ଷେତ୍ରରେ ନୂଆ ଅଧ୍ୟାୟ, IBM ପରେ ଭୁବନେଶ୍ୱରରେ ହାପିଏଷ୍ଟ ମାଇଣ୍ଡସ

ଭୁବନେଶ୍ୱର: ରାଜ୍ୟରେ ଆଇଟି ଇକୋସିଷ୍ଟମ କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ । IBM ପରେ ଭୁବନେଶ୍ୱରରେ ପାଦ ଥାପିଛି ଆଇଟି କମ୍ପାନୀ ହାପିଏଷ୍ଟ ମାଇଣ୍ଡସ । ଜୟଦେବବିହାରସ୍ଥିତ ଫରଚ୍ୟୁନ ଟାଓ୍ବାରରେ ହାପିଏଷ୍ଟ ମାଇଣ୍ଡସ ଆଇଟି ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରେ ୧ ହଜାରରୁ ଅଧିକ ଆଇଟି କର୍ମଚାରୀ ନିଯୁକ୍ତି ସୁଯୋଗ ପାଇବେ । ଆଗାମୀ ଦିନରେ ଏହି କମ୍ପାନୀ ବିଶ୍ବସ୍ତରରେ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ହାପିଏଷ୍ଟ ମାଇଣ୍ଡସ ଆଇଟି ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିବା ଅବସରରେ ରାଜ୍ୟ ଆଇଟି ସେକ୍ଟର କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲଗାତାର ସଫଳତା ମିଳୁଥିବାରୁ ଏହା ଆଇଟି କମ୍ପାନୀଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଛି । ଆଇଟି କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାରେ ଓଡ଼ିଶା ସାରାଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଓଡ଼ିଶା ବର୍ତ୍ତମାନ ଭାରତରେ ପ୍ରମୁଖ ପ୍ରଯୁକ୍ତି ସମ୍ବଳ ହବ୍ ଭାବେ ପରିଣତ ହେବାରେ ଲାଗିଛି । ସବୁପ୍ରକାର ସୁବିଧା ଉପଲବ୍ଧ ହେଉଥିବାରୁ ଅଧିକାଂଶ ବଡ଼ ବଡ଼ ଆଇଟି କମ୍ପାନୀ ରାଜଧାନୀ ଭୁବନେଶ୍ବରେ ପହଞ୍ଚି ସାରିଛନ୍ତି । ରାଜ୍ୟରେ ଆଇଟି ସେକ୍ଟର ପାଇଁ ଉପଯୁକ୍ତ ପରିବେଶ, ପ୍ରତିଭା ରହିଥିବାରୁ ଆଗାମୀ ଦିନରେ ଓଡ଼ିଶା ଏକ ପ୍ରତିଷ୍ଠିତ ଆଇଟି ହବ୍ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍‍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ । ଏହି କେନ୍ଦ୍ର ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।”

ଭୁବନେଶ୍ୱରରେ ଉପଲବ୍ଧ ଆଇଟି ଅନୁକୂଳ ଇକୋସିଷ୍ଟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । ‘‘ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଖୋଲିବାଦ୍ୱାରା ଆଇ.ଟି. କ୍ଷେତ୍ରରେ ଆଉ ଏକ ସ୍ଵତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି ।’’ ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ନିରବଚ୍ଛିନ୍ନ ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଉଦ୍ୟୋଗଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନ ସମାଧାନ ବିତରଣ କରିବା ଲାଗି କ୍ଷମତା ବିସ୍ତାର କରିବା ପାଇଁ ଏହି ନୂତନ ଶାଖାକୁ ସକ୍ଷମ କରିବ । କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍, ଡିଜିଟାଲ୍ ପ୍ରକ୍ରିୟା ସ୍ୱୟଂକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ରୋବୋଟିକ୍ସ/ଡ୍ରୋନ୍, ସୁରକ୍ଷା ଏବଂ ଭର୍ଚୁଆଲ୍/ଅଗ୍‍ମେଣ୍ଟେଡ୍‍ ରିଆଲିଟି କ୍ଷେତ୍ରରେ ନିଜର ବଳୟକୁ ସମୃଦ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଚଳିତ ଆର୍ଥିକ ବର୍ଷ ପାଇଁ ୧୬,୮୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ  । ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ  । ଚଳିତବର୍ଷ ପାଇଁ ବଜେଟରେ ମୋଟ ୧୬,୮୦୦ କୋଟିର ବ୍ୟୟ ବରାଦ କରାଯାଇଛି  । ଯେଉଁଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୪୯୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି ରହିଛି  ।

ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୧୦୧.୫୧ କୋଟି, ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି, ପଞ୍ଚୟତିରାଜ ଓ ପାନୀୟଜଳ ବିଭାଗ ଲାଗି ୮୫୪.୯୫ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  ।

ଅତିରିକ୍ତ ବଜେଟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା, ଶିକ୍ଷା ରୂପାନ୍ତରକୁ ଗୁରୁତ୍ୱ ଦିଆଯାଇଛି । ମହିଳା ସଶକ୍ତୀକରଣ, ଗ୍ରାମୀଣ ସଂଯୋଗୀକରଣ ଓ କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡ଼ାକୁ ଫୋକସ୍ କରାଯାଇଛି । ବଜେଟର ୫୫ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ଥିବା ବେଳେ ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିରିକ୍ତ ୮୬୭କୋଟି ଟଙ୍କା ରହିଛି ।  ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ଗ୍ରାମୀଣ ସଂଯୋଗୀକରଣ ପାଇଁ ୫୫୨କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୭୨କୋଟି ଏସସି/ଏସଟି ବିକାଶ ପାଇଁ ୪୩୮କୋଟି ଥିବାବେଳେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୫୦୮କୋଟି ଟଙ୍କା ରହିଥିବାବେଳେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୨୬୩୫ କୋଟି ଟଙ୍କା ବଜେଟରେ ଉପସ୍ଥାପିତ ହୋଇଛି ।

ଜନବସତି ଭିତରେ ବାଘ ଆତଙ୍କ, ତିନି ଜଣଙ୍କୁ କଲା ଘାଇଲା

ମୁମ୍ବାଇ: ଜନବସତି ଇଲାକାରେ ପଶିଗଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୩ ଜଣ ଆହତ । ଘଟଣା ଘଟିଛି ମୁମ୍ବାଇ ନିକଟସ୍ଥ କଲ୍ୟାଣରେ । ଏକ ଘରର ଝରକା ଦେଇ ବାଘଟି ଘରେ ପଶିଯିବା ପରେ ଲୋକଙ୍କୁ ଆକ୍ରମଣ କରିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ବାଘକୁ ଉଦ୍ଧାର କରିଛନ୍ତି ବନବିଭାଗ ଅଧିକାରୀ । ମୁମ୍ବାଇର ପୋଓ୍ବାଲି ଇଲାକାରେ ଥିବା ଆଇଆଇଟି ବମ୍ବେ କ୍ୟାମ୍ପସରେ ତିନି ଦିନ ତଳେ ପଶିଯାଇଥିଲା ବାଘ ।

କ୍ୟାମ୍ପସରେ ଥିବା ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା ବାଘ ।   ଜଙ୍ଗଲ ବିଭାଗ ଅଧିକାରୀଙ୍କ ଉଦ୍ୟମ ପରେ ବାଘକୁ କାବୁ କରାଯାଇଥିଲା । ବାଘ ଯେତିକି ସମୟ ରହିଥିଲା, ସମଗ୍ର ଅଞ୍ଚଳରେ ଆତଙ୍କ ରଚିଥିଲା  । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାଘଟି ରକ୍ତମୁଖା ରହିଥିଲା, ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଥିଲା  । ଯାହାକୁ ଦେଖୁଥିଲା ଝାମ୍ପ ମାରୁଥିଲା  ।

ତେବେ ଏନେଇ ଖବର ପାଇଥିଲେ ବନବିଭାଗ କର୍ମଚାରୀ  । ପରେ ସ୍ଥାନୀୟ ଅ଼ଞ୍ଚଳରେ ପହଁଚିଥିଲେ  । ବାଘ ପଶିଥିବା ଘର ଚାରିପାଖରେ ଜାଲ ବିଛାଇଥିଲେ କର୍ମଚାରୀ  । ସତର୍କତାର ସହ ବାଘକୁ କାବୁ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ  । ପରବର୍ତ୍ତୀ ସମୟରେ ବାଘକୁ ମଧ୍ୟ କାବୁ କରିନେଇଥିଲେ ବନ ବିଭାଗ କର୍ମଚାରୀ  । ବାଘର ଆକ୍ରମଣରେ ତିନି ଜଣ ଆହତ ହୋଇଥିବାବେଳେ, ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  ।

ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ

ଭୁବନେଶ୍ୱର: ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ । ମହେନ୍ଦ୍ରଙ୍କୁ ଦଳ ପକ୍ଷରୁ ନୂତନ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ । କିଛିଦିନ ତଳେ ମହେନ୍ଦ୍ର ବଢେଇ OAS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ଦଳ ପାଇଁ କାର୍ଯ୍ୟ କରିବେ ବୋଲି ସେ ଚାକିରୀ ଛାଢିଥିଲେ  ।

ବର୍ତ୍ତମାନ ପଦମପୁର ନିର୍ବାଚନୀ ପ୍ରଚାରରେ ନିୟୋଜିତ ଅଛନ୍ତି ମହେନ୍ଦ୍ର କୁମାର ବଢେଇ  । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ମହେନ୍ଦ୍ର  । ତେବେ ଦଳ ତାଙ୍କ ଗୁରୁତ୍ୱକୁ ପରିଲିଖିତ କରି ଦଳର ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି  । ଆଗକୁ ଏହି ଦାୟିତ୍ୱକୁ ସଠିକ ଭାବେ ପରିଚାଳନା କରିବେ ବୋଲି ଆଶା ପ୍ରକଟ କରିଛି ଦଳ  ।