spot_img
Home Blog Page 3857

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ବେଢ଼ା ପରିକ୍ରମା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେବାୟତଙ୍କ ସହ ଶ୍ରୀମନ୍ଦିର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଏହି ଅବସରରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ରିସର୍ଟ ରିସେପସନିଷ୍ଟଙ୍କୁ ନଦୀକୁ ଠେଲି ହତ୍ୟା, ବିଜେପି ନେତାଙ୍କ ପୁଅ ଗିରଫ

ଡେରାଡୁନ୍‌: ଉତ୍ତରାଖଣ୍ଡ ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ବର ଅଞ୍ଚଳରେ ଅଭାବନୀୟ ଘଟଣା । ଏକ  ରିସୋର୍ଟରେ ରିସେପସନିଷ୍ଟ ଥିବା ଜଣେ ଯୁବତୀଙ୍କୁ ନଦୀକୁ ଠେଲି ହତ୍ୟା କରାଯାଇଛି । ୧୯ ବର୍ଷୀୟ ଅଙ୍କିତା ଗତ ୧୮ ତାରିଖରୁ ନିଖୋଜ ହୋଇଯାଇଥିଲେ । ଅଙ୍କିତାଙ୍କୁ ପାହାଡ଼ ଉପରୁ ଗଙ୍ଗା ନଦୀକୁ ଠେଲି ହତ୍ୟା କରାଯାଇଛି । ଉଦ୍ଧାରକାରୀ ଦଳ ଜିଲ୍ଲା ପାୱାର ହାଉସ୍‌ ଆଖପାଖ ଅଞ୍ଚଳରେ ତଲାସି କାର୍ଯ୍ୟ ଜାରି ରଖିଛନ୍ତି ।

୧୮ ତାରିଖ ରାତିରେ ଅଙ୍କିତାକୁ ହତ୍ୟା କରାଯାଇଥିବା ପୋଲିସ୍‌ କହିଛି । ମାମଲାରେ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟକୁ ଗିରଫ କରିଛି ପୋଲିସ । ପୁଲକିତ ଏହି ରିସୋର୍ଟର ସଂଚାଳକ ଥିଲେ । ଅଙ୍କିତା ନିଖୋଜ ହେବା ପରେ ରିସୋର୍ଟର ସଂଚାଳକ ଏବଂ ଏହାର ମ୍ୟାନେଜର ଫେରାର ହୋଇଯାଇଥିଲେ । ପରେ ସେମାନଙ୍କୁ ଗିରଫ କରାଯାଇଛି ।

ଗିରଫ ପରେ ପୁଲକିତ ପୋଲିସକୁ ମିଛ କହିଥିଲା । ଅଙ୍କିତା କିଛି ଦିନ ଧରି ମାନସିକ ଚାପରେ ରହୁଥିଲେ । ତେଣୁ ସେମାନେ ୧୮ ସେପ୍ଟେମ୍ୱରରେ ଅଙ୍କିତାକୁ ଋଷିକେଶ ବୁଲାଇ ନେଇଥିଲେ । ମଧ୍ୟ ରାତ୍ରିରେ ସେଠାରୁ ସମସ୍ତେ ଫେରିଥିଲେ । ପରେ ସମସ୍ତେ ରିସୋର୍ଟର ଅଲଗା ଅଲଗା ରୁମ୍‌ରେ ଶୋଇବାକୁ ଯାଇଥିଲେ । ହେଲେ ୧୯ ତାରିଖ ସକାଳୁ ସେମାନେ ଅଙ୍କିତା ରୁମ୍‌ରେ ନଥିବା ଦେଖିଥିଲେ ବୋଲି ପୋଲିସ୍‌କୁ କହିଥିଲା ଅଭିଯୁକ୍ତ ପୁଲକିତ । ଏହି ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ପଛରେ ପୋଲିସ୍‌ ଜାଣିବାକୁ ପାଇଥିଲା ।

କିଏ ହେବ କଂଗ୍ରେସ କିଙ୍ଗ୍‌ ? ଆଜିଠୁ ୩୦ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା

ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ  । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ  । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ  । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି  । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ  । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି  ।

ଅଙ୍କ କହୁଛି ନିକଟତମ ବଡ଼ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁରଙ୍କ ଠାରୁ ଗେହଲଟଙ୍କ ପଲ୍ଲା ଭାରି  । ତାଙ୍କୁ ଦଳର ଅନେକ ବଡ଼ବଡିଆଙ୍କ ପ୍ରଚ୍ଛନ୍ନ ସମର୍ଥନ ରହିଛି । ତେବେ ଅଶୋକ ଗେହଲଟ ଦଳର ସଭାପତି ହେଲେ କିଏ ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ  । ଏନେଇ ନିଷ୍ପତ୍ତି ନେବେ ସୋନିଆ ଗାନ୍ଧୀ । ସଚିନ ପାଇଲଟଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି  । ଅକ୍ଟୋବର ୧୭ରେ ନିର୍ବାଚନ ହେବ ୧୯ରେ ପ୍ରକାଶ ପାଇବ ଫଳାଫଳ । ଯଦି ଜଣେରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତାହେଲେ ନିର୍ବାଚନ ହେବ   ।

ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ, ନାଗପୁର ମ୍ୟାଚ୍ ୬ ଓ୍ବିକେଟରେ ଜିତିଲା ମେନ୍‌ ଇନ୍‌ ବ୍ଲୁ

ନାଗପୁର: ନାଗପୁରରେ ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ରେ କଙ୍ଗାରୁ ଟିମ୍‌କୁ ୬ ୱିକେଟରେ ହରାଇଛି ଭାରତ  । ବର୍ଷା କାରଣରୁ ନାଗପୁରରେ ୮ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା  । ଭାରତୀୟ କ୍ୟାପଟେନ୍‌ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ  । ଟିମ୍‌ ୧୧ରେ କିଛି ପରିବର୍ତ୍ତନ କରିଥିଲା ଭାରତୀୟ ଦଳ  । ଉମେଶ ଯାଦବଙ୍କ ସ୍ଥାନରେ ଟିମ୍‌କୁ ଫେରିଥିଲେ ଜଶପ୍ରୀତ ବୁମରାହ  । ଆଘାତ ପରେ ବି ପଡିଆକୁ ଓହ୍ଲାଇଥିଲେ ବୁମରାହ  ।

ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୫ ୱିକେଟ୍‌ ହରାଇ ୯୦ ରନ ସଂଗ୍ରହ କରିଥିଲା ଅଷ୍ଟ୍ରେଲିଆ ଟିମ  । ଏହାର ଜବାବରେ ଭାରତୀୟ ଟିମ୍‌ ୪ ୱିକେଟରେ ହିଁ ଟାର୍ଗେଟ ହାସଲ କରିଥିଲା  । ୨୦ ବଲ୍‌ରେ ରୋହିତ ନଟ୍‌ଆଉଟ୍‌ ରହି ୪୬ ରନ୍‌ ସଂଗ୍ରହ କରିଥିଲେ  । ୪ ଚଉକା ଓ ୪ ଛକା ସହ ନାଗପୁର ମ୍ୟାଚ୍‌ର ଷ୍ଟାର ସାଜିଥିଲେ ରୋହିତ  ।

ଏହା ସହ ଭାରତ ୧-୧ରେ ନାଗପୁରରେ ସିରିଜ ବରାବର କରିଛି  ।

୨୬ ଯାଏଁ ଗୁଳୁଗୁଳି, ସ୍ବାଭାବିକ ଠାରୁ ୨ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ଶୁଖିଲା ପାଗ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୁତ ହେବ । ଆଜି, କାଲି ଏବଂ ୨୬ ତାରିଖରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ ।

ଫଳରେ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୮ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୨୭ ତାରିଖରୁ ରାଜ୍ୟରେ ବର୍ଷାର ବସ୍ତୃତି ବୃଦ୍ଧି ହେବ । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ତେବେ ଘୂର୍ଣ୍ଣିବଳୟଟି କେତେ ଘନୀଭୁତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଯଦି ଘୂର୍ଣ୍ଣିବଳୟଟି ଅଧିକ ଘନୀଭୁତ ହୁଏ ତେବେ ଦଶହରା ପୂର୍ବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ବରିଷ୍ଠ ଡାକ୍ତରଙ୍କ ନାଁରେ ରୋଗୀଙ୍କୁ ଚୂନ ଲଗାଇଲେ ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ସାଇବର ଠକ । ଠକେଇର ଶିକାର ହେଲେ ସମ୍ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ପ୍ରଫେସର ସୂର୍ଯ୍ୟପ୍ରକାଶ ଚୌଧୁରୀ । ସୋସିଆଲ ମିଡିଆରେ ଡାକ୍ତରଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ରୋଗୀଙ୍କ ନିକଟରୁ ଲୁଟି ନେଇଛି ଅଦୃଶ୍ୟ ଲୁଟେରା ।

40ରୁ 50 ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲେ ବି ଫେକ୍ ଆକାଉଣ୍ଟଟି ବନ୍ଦ କରାଯାଇନି । ଲୋକଙ୍କ ନିକଟରୁ ଏବେବି ଟଙ୍କା ଠକେଇ ହେଉଥିବା ଅଭିଯୋଗ କରିଛନ୍ତି ଡାକ୍ତର ସୂର୍ଯ୍ୟପ୍ରକାଶ । ତୁରନ୍ତ ଠକକୁ ଧରିବା ସହ ରୋଗୀଙ୍କ ଟଙ୍କା ଫେରାଇବାକୁ ସାଇବର ଥାନାକୁ ଜଣାଇଛନ୍ତି ସୂର୍ଯ୍ୟ ପ୍ରକାଶ ଚୌଧୁରୀ ।

ମେଡିସିନ ଦୋକାନ କର୍ମଚାରୀଙ୍କୁ ଲୁଟିଦେଲେ..

ଢେଙ୍କାନାଳ: ଲୁଟର ଶିକାର ହୋଇ ଏ ଥାନାରୁ ସେ ଥାନାକୁ ବୁଲିଲେ ମେଡିସିନ ଦୋକାନ କର୍ମଚାରୀ । ଅଭିଯୋଗ ପରେ ବି ଶୁଣିଲାନି ପୋଲିସ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା । କଙ୍କଡ଼ାହାଡରୁ ମେଡିସିନ ଟଙ୍କା କଲେକ୍ସନ କରି ଫେରିବାବେଳେ ବାଙ୍କମଞ୍ଜରୀ ନିକଟରେ ଦୁଇ କର୍ମଚାରୀଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇଥିଲେ ଦୁର୍ବୃତ୍ତ ।

ଗନ ପଏଣ୍ଟରେ ଲୁଟି ନେଇଥିଲେ ୯୧ ହଜାର ୫ଶହ ଟଙ୍କା । ଏନେଇ ଉଭୟ କଙ୍କଡ଼ାହାଡ଼ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ଘଟଣାସ୍ଥଳ ତାଙ୍କ ଥାନା ଅଧୀନରେ ନଥିବା କହି କାମାକ୍ଷାନଗର ଥାନା ଯିବାକୁ କହିଥିଲେ । ପରେ ଉଭୟ କର୍ମଚାରୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ସେଠି ମଧ୍ୟ ସମାନ ଅବସ୍ଥା । ଶେଷରେ ଅଭିଯୋଗ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଲୁଟର ଶିକାର ବ୍ୟକ୍ତି ।

ଧାମରା ବନ୍ଦର ଏବଂ ଆରଡ଼ି ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରକ ଧାମରା ରେଳଲାଇନ୍ ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି । ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ ।

ପରେ ପରେ ଏହି ଟିମ୍ ଆରଡ଼ିଧାମ ଯାଇ ଆଖଣ୍ଡଳମଣି ମନ୍ଦିର ଏବଂ ଚର୍ତୁପାର୍ଶ୍ୱ ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ଯ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ଯ୍ୟ ଆରମ୍ଭ କରାଯାଇଛି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେ ଶ ଦେଇଥିଲେ ।

ପ୍ରକଳ୍ପର ୨ ୟ ପର୍ଯ୍ୟାୟ ପାଇଁ  ମହାପାତ୍ର ଏବଂ  ପାଣ୍ଡିଆନ୍ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମ୍ଙ୍କୁ ଜଣାଇଥିଲେ । ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ । ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗିନ ବିକାଶ ପାର୍ଇ ୫-ଟି ଶାସନ ସଚିବ ପାଣ୍ଡିଆନ୍ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ  ସିଦ୍ଧେଶ୍ୱର ବଳିରାମ ,ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

ଆଖଣ୍ଡଳମଣି ପୀଠର ହେବ ନବକଳେବର

ନନ୍ଦିଘୋଷ ବ୍ୟୁରୋ: ଆଖଣ୍ଡଳମଣି ପୀଠର ହେବ ନବକଳେବର। ଶୈବପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ। ବଦଳିବ ମନ୍ଦିର, ସୁନ୍ଦର ହେବ ପରିସର । ସାଇନ୍ସ ସିଟି, ଶିବଗଙ୍ଗା ପୋଖରୀର ପୁନରୁଦ୍ଧାର। ଆରଡ଼ି ବାବା ଆଖଣ୍ଡଳମଣି ପୀଠରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ। ବିକାଶର ବ୍ଲୁପ୍ରିଣ୍ଟ ନେଇ ସେବାୟତଙ୍କ ସହ ଟିକିନିଖି ଆଲୋଚନା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ ପୀଠର ବିକାଶ ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି।

ମନ୍ଦିର ପାଇଁ ୬କୋଟି, ସାଇନ୍ସ ସିଟି ପାଇଁ ୬କୋଟି ୬୦ ଲକ୍ଷ, ପାନ୍ଥନିବାସ ପାଇଁ ୩କୋଟି ୫୦ ଲକ୍ଷ, ଦୋକାନ ଘର ପାଇଁ ୪କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ । ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମାଷ୍ଚରପ୍ଲାନ ପ୍ରସ୍ତୁତ ହୋଇଚି । ଏନେଇ ସମୀକ୍ଷା କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ।

ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ନେଇ ମଧ୍ୟ ଆଲୋଚନା କରାଯାଇଛି। ଯାତ୍ରୀ ବିଶ୍ରାମାଗାର, ଆରଡ଼ି ବସଷ୍ଟାଣ୍ଡର ଉନ୍ନତିକରଣ, ବୈତରଣୀ-ସାଳନ୍ଦୀ ତିନିତର ଘାଟ ଉପରେ ବ୍ରିଜ୍ ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି। ଏହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦା। ମଧ୍ୟାହ୍ନରେ ଧାମରା ବିକାଶ ନେଇ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ। କଇଁଥଖୋଲାରେ ପହଞ୍ଚିବା ପରେ ଜାମୁଝାଡ଼ି-ଧାମରା ରାସ୍ତାକାମର ସମୀକ୍ଷା କରିଛନ୍ତି। କାମ ତ୍ବରାନ୍ବିତ କରି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୭୫୦ଏକର ଜମିରେ ନିର୍ମାଣ ହେବାକୁ ଥିବା ଇଣ୍ଡଷ୍ଟ୍ରି ପାର୍କ ନେଇ ମଧ୍ୟ ସମୀକ୍ଷା ହୋଇଛି। ସେଠାରେ ଶିଳ୍ପ ଅନୁଷ୍ଠାନ ପାଇଁ ଆବଶ୍ୟକ ରାସ୍ତା, ବିଦ୍ୟୁତ, ପାଣି ଆଦି ଆନୁଷଙ୍ଗିକ ସହଯୋଗ ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଦୁଇ ସଚିବ । ଧାମରା ପୋର୍ଟର କମ୍ୟୁନିଟି ହଲରେ ଆଦାନି ପୋର୍ଟର ସିଇଓ ଓ ମ୍ୟାନେଜରଙ୍କ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନକୁ ଫୋକସ୍ କରି ମନ୍ଦିର ଓ ଧାର୍ମିକ ପୀଠର ବିକାଶ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଶିଷ୍ଟ ଶୈବପୀଠ ଆରଡ଼ିକୁ ପର୍ବପର୍ବାଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ପର୍ଯ୍ୟଟକଙ୍କୁ ଆଧ୍ୟାତ୍ମିକ ପରିବେଶରେ ଅନୁଭୁତି ଦେବା ସହ ପୀଠର ଶ୍ରୀ ବୃଦ୍ଧି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର।

କଟକ ଭରତିଆ ଟାୱାରରେ  ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: ଭରତିଆ ଟାୱାରରେ  ବଡ଼ ଧରଣର ଅଗ୍ନିକାଣ୍ଡ  ।  ପଞ୍ଚମ ମହଲାରେ ଲାଗିଛି ଭୟଙ୍କର ନିଆଁ  ।  ନିଆଁ ଲାଗିବାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି  ।  ଟାଓ୍ବାରରେ ଶତାଧିକ ଦୋକାନ ରହିଥିବାବେଳେ ଭିତରେ ଲାଗିଛି ନିଆଁ  । ସେପଟେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି  ।

ଗୋଟିଏ ଦମକଳ ବାହିନୀ ନିଆଁ ଲିଭା କାମରେ ନିୟୋଜିତ ରହିଛି  । ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ସୂଚନା ରହୁଛି  । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି  । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜାଣିବାକୁ ମିଳିଛି  ।