spot_img
Home Blog Page 40

‘ନମାମି ଗୋଦାବରୀ’ ପ୍ରକଳ୍ପକୁ ସବୁଜ ସଙ୍କେତ! ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ତୁରନ୍ତ ପ୍ରସ୍ତୁତ ହେବ DPR

ନନ୍ଦିଘୋଷ ବ୍ୟୁରୋ: ଗୋଦାବରୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ “ନମାମି ଗଙ୍ଗେ” ଯୋଜନା ଅନୁକରଣରେ “ନମାମି ଗୋଦାବରୀ” ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତୁରନ୍ତ ଏକ ‘ବିସ୍ତୃତ ପ୍ରକଳ୍ପ ରିପୋର୍ଟ’ (DPR) ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସାଂସଦ ଡକ୍ଟର ଅଜିତ ଗୋପଚଡ୍ଡେଙ୍କ ଦୁଇ ବର୍ଷର ନିରନ୍ତର ପ୍ରୟାସ ପରେ ଏହି ସଫଳତା ମିଳିଛି। ୨୦୨୭ ସିଂହସ୍ଥ କୁମ୍ଭମେଳା ଏବଂ ନାନ୍ଦେଡ ସମେତ ଗୋଦାବରୀ କୂଳରେ ଥିବା ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯିବ।

ଏକ ଐତିହାସିକ ପଦକ୍ଷେପ

“ଦକ୍ଷିଣର ଗଙ୍ଗା” ତଥା ମହାରାଷ୍ଟ୍ରର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଆର୍ଥିକ ଜୀବନରେଖା ଭାବେ ବିବେଚିତ ପବିତ୍ର ଗୋଦାବରୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଅଧୀନରେ ନଦୀର ସ୍ଥାୟୀ ପୁନରୁଦ୍ଧାର ପାଇଁ ତୁରନ୍ତ ଏକ DPR ପ୍ରସ୍ତୁତ କରିବାକୁ ରାଜ୍ୟ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ନାନ୍ଦେଡ ଏବଂ ଶ୍ରୀ ହଜୁର ସାହିବକୁ ପ୍ରାଥମିକତା

ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପରେ ସମଗ୍ର ବିଶ୍ୱର ଶିଖ୍ ସମ୍ପ୍ରଦାୟର ପ୍ରମୁଖ ଆସ୍ଥା କେନ୍ଦ୍ର—ନାନ୍ଦେଡର ପବିତ୍ର ଐତିହାସିକ ସ୍ଥଳ ‘ତଖ୍ତ ସଚଖଣ୍ଡ ଶ୍ରୀ ହଜୁର ସାହିବ’କୁ ବିଶେଷ ପ୍ରାଥମିକତା ଦିଆଯାଇଛି।

  • ମୁଖ୍ୟ ଉଦ୍ଦେଶ୍ୟ: ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପବିତ୍ର ଉପସ୍ଥିତିରେ ପୂତ ହୋଇଥିବା ଏହି ଭୂମିକୁ ଆସୁଥିବା ଲକ୍ଷ ଲକ୍ଷ ଶିଖ୍ ଭକ୍ତ ଏବଂ ଅନ୍ୟାନ୍ୟ ତୀର୍ଥଯାତ୍ରୀଙ୍କ ସ୍ନାନ ପାଇଁ ସମ୍ପୂର୍ଣ୍ଣ ବିଶୁଦ୍ଧ, ନିର୍ମଳ ଓ ପରିଷ୍କାର ଜଳ ଯୋଗାଇଦେବା।

କୁମ୍ଭମେଳା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

୨୦୨୭ ମସିହାରେ ନାସିକ ଏବଂ ତ୍ରୟମ୍ବକେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ସିଂହସ୍ଥ କୁମ୍ଭମେଳାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ସନ୍ଥ ଏକନାଥ ମହାରାଜଙ୍କ ପବିତ୍ର କର୍ମଭୂମି ‘ପାଇଥାନ’ ସମେତ ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଯୁଦ୍ଧକାଳୀନ ଭିତ୍ତିରେ ଏହି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ତୁରନ୍ତ କାର୍ଯ୍ୟାନୁଷ୍ଠାନ: ୧୦ ଫେବୃଆରୀ ୨୦୨୬ରେ ସାଂସଦ ଡକ୍ଟର ଗୋପଚଡ୍ଡେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାକୁ ତୁରନ୍ତ ବିଚାରକୁ ନେଇ ଜଳସମ୍ପଦ ବିଭାଗ ଏହି ବିଷୟକୁ ରାଜ୍ୟ ପରିବେଶ ବିଭାଗର “ରାଜ୍ୟ ନଦୀ ସଂରକ୍ଷଣ ଯୋଜନା” ଅଧୀନରେ ଅନ୍ତର୍ଭୁକ୍ତ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଛି। ଏଥିପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ରକ୍ଷା କରାଯାଇଛି।

ଲକ୍ଷ ଲକ୍ଷ ଭକ୍ତ ପାଇବେ ସ୍ୱଚ୍ଛ ଜଳ

ଏହି ବ୍ୟାପକ ପ୍ରକଳ୍ପ ଅଧୀନରେ ଗୋଦାବରୀ ନଦୀର ପବିତ୍ରତା ବଜାୟ ରଖିବା ପାଇଁ ନଦୀ କୂଳରେ ଥିବା ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ମ୍ୟୁନିସିପାଲିଟି) ଗୁଡ଼ିକ ପାଇଁ କଠୋର ଏବଂ ସମୟସୀମାବଦ୍ଧ ନିୟମ ଲାଗୁ କରାଯିବ। ଏଣିକି ଗୋଦାବରୀ ନଦୀକୁ ସିଧାସଳଖ ଯେକୌଣସି ଅପରିଷ୍କାର ନର୍ଦ୍ଦମା ପାଣି କିମ୍ବା ଶିଳ୍ପଭିତ୍ତିକ ରାସାୟନିକ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ ହେବ।

ନେତାନ୍ୟାହୁଙ୍କ ଉପରେ ବର୍ଷିଲେ ଟ୍ରମ୍ପ ; ଆପଣଙ୍କ ପାଇଁ ବିଶ୍ଵରେ ଇସ୍ରାଏଲ ନିନ୍ଦିତ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଗତକାଲି ଫୋନରେ କଥା ହେବା ବେଳେ ଟ୍ରମ୍ପ ଭଲ କରି ନେତାନ୍ଯାହୁଙ୍କୁ ଶୁଣାଇଥିବା ଜଣାପଡ଼ିଛି। ଲେବାନନ ଉପରେ ଆକ୍ରମଣକୁ ନେଇ ଟ୍ରମ୍ପ କଡ଼ା ଭାଷାରେ ନେତାନ୍ୟାହୁଙ୍କୁ ଭର୍ତ୍ସନା କରିଛନ୍ତି। ଶାନ୍ତି ବଦଳରେ ଯୁଦ୍ଧକୁ ପ୍ରାଥମିକତା ଦେଉଛନ୍ତି ନେତାନ୍ୟାହୁ। ଏହାକୁ ନେଇ ବର୍ଷିଛନ୍ତି ଟ୍ରମ୍ପ। କହିଛନ୍ତି, ଆପଣଙ୍କ ପାଇଁ ଏବେ ସାରା ବିଶ୍ଵରେ ଇସ୍ରାଏଲ ନିନ୍ଦିତ ହେଉଛି। ଆପଣଙ୍କ କାହଁକି ଏମିତି ପାଗଳାମି କରୁଛନ୍ତି । କୃତଘ୍ନ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ । କେବଳ ସେତିକି ନୁହେଁ, ଟ୍ରମ୍ପ କହିଛନ୍ତି, ମୁଁ ସମର୍ଥନ କରିନଥିଲେ ଆପଣ ଏବେ ଜେଲରେ ଥାଆନ୍ତେ ।

କେତେକ ଅନ୍ତର୍ଜାତୀୟ ଗଣମାଧ୍ଯମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ବେରୁତ ଉପରେ ଆକ୍ରମଣ ନକରିବା ପାଇଁ ମଧ୍ୟ ସେ ନେତାନ୍ୟାହୁଙ୍କୁ ଚେତାବନୀ ଦେଇଛନ୍ତି । ନହେଲେ ଇସ୍ରାଏଲ ସାରା ବିଶ୍ଵରେ ଏକୁଟିଆ ହୋଇଯିବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଲେବାବନକୁ ଇସ୍ରାଏଲ ସେନା ପଠାଇବ ନାହିଁ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ । ସେ ରାଗିବାର କାରଣ ହେଲା ଲେବାନନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଥିବାରୁ ଇରାନ ସହିତ ଆମେରିକାର ଶାନ୍ତି କଥାବାର୍ତ୍ତା ହୋଇପାରୁନି । ପୂରା ମଧ୍ୟପ୍ରାଚ୍ୟ ସ୍ଥିତି ବିଗୁଡୁଛି । ଇରାନ ଆଗରୁ ହିଁ ସର୍ତ୍ତ ରଖିଛି ଯେ, ଲେବାନନ ଉପରେ ଆକ୍ରମଣ ବନ୍ଦ ନ ହେଲେ ଶାନ୍ତି ଆଲୋଚନା ହୋଇପାରିବ ନାହିଁ।

ଟ୍ରମ୍ପଙ୍କ ଏହି ଫୋନ୍ କଲ୍ ପରେ ଲେବାନନ ଉପରେ ଆକ୍ରମଣ ବନ୍ଦ ରଖିଛି ଇସ୍ରାଏଲ। ନେତାନ୍ୟାହୁଙ୍କ ସହିତ କଥା ହେବା ଆଗରୁ ହେଜବୁଲ୍ଲାର ନେତାଙ୍କ ସହିତ ମଧ୍ୟ ଟ୍ରମ୍ପ କଥା ହୋଇଥିଲେ। ଇସ୍ରାଏଲ ଉପରେ ଆକ୍ରମଣ ନ କରିବାକୁ ହେଜବୁଲ୍ଲା ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ। ଯୁଦ୍ଧ ବିରତି ଓ ଶାନ୍ତି ଉଦ୍ୟମ ପାଇଁ ନିଜ ସୋସିଆଲ ମିଡିଆରେ ଉଭୟ ଇସ୍ରାଏଲ ଓ ହେଜବୁଲ୍ଲାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏହା ସହିତ ସେ ଆଶା ପ୍ରକାଶ କରିଛନ୍ତି ଆସନ୍ତା ସପ୍ତାହରେ ମଧ୍ୟପ୍ରାଚ୍ୟ ଡିଲ୍ ହୋଇପାରେ। ହର୍ମୁଜ ମଧ୍ୟ ଖୋଲିବା ନେଇ ସେ ଆଶାବାଦୀ। ଇରାନ ସହିତ ଆଲୋଚନାରେ ଅନେକ ଅଗ୍ରଗତି ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି।

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

କନ୍ଧମାଳ:ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦ ଓ ବାଉଁଶ ବୁଦାକୁ କେନ୍ଦ୍ରକରି ହତ୍ୟା। ମୃତକ ତୁମୁଡ଼ିବନ୍ଧ ଥାନା କଦମପଦର ଗାଁର ୬୨ ବର୍ଷୀୟ ବୁଡୁ ପାତ୍ର । ଜମିବାଡ଼ି ଭାଗବଣ୍ଟା ଓ ଏକ ବାଉଁଶ ବୁଦାର ମାଲିକାନାକୁ ନେଇ ଗତ କିଛି ଦିନ ହେବ ୨ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ଏହି ବିବାଦ ଉଗ୍ରରୂପ ନେଇଥିଲା ।

ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ବଡ଼ ଭାଇ ଗାଉଁଟିଆ ପାତ୍ର ଏକ ଟାଙ୍ଗିଆରେ ସାନ ଭାଇ ବୁଡୁଙ୍କୁ ଶକ୍ତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ମୃତକଙ୍କ ପତ୍ନୀ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି ।

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍; ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ସେ ହେଲା ୪୬ ବର୍ଷୀୟ ପ୍ରଦୀପ ମଙ୍ଗରାଜ। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପର ଘର ବାଲିଅନ୍ତା ଥାନା ବେଣୁପୁର ଗାଁରେ। ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି । ମୁଖ୍ୟ ଅଭିଯୁକ୍ତମାନେ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ପାଇଁ ଅନ୍ୟମାନଙ୍କୁ ବି ଉସୁକାଇଥିଲେ ସେମାନେ ।

ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ଏକାଧିକ ଲୋକଙ୍କ ବୟାନ ରେକର୍ଡ,ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ । ଆହୁରି ୧୦ରୁ ଅଧିକ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଛି ।

ମିଳୁନି ଭତ୍ତା ଟଙ୍କା ଚିନ୍ତାରେ ହିତାଧିକାରୀ ; ପରିଣତ ବୟସରେ ଭତ୍ତା ପାଇଁ ସଂଘର୍ଷ

ଗଞ୍ଜାମ :କିଏ ବଙ୍କୁଲି ବାଡ଼ି ଧରି ନଇଁ ନଇଁ ଚାଲୁଛି ଆଉ କିଏ ଚମ ଧୁଡୁ ଧୁଡୁ ପରିଣତ ବୟସରେ ଭତ୍ତା ପାଇଁ ସଂଘର୍ଷ କରୁଛନ୍ତି l ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୃଦ୍ଧ ବୃଦ୍ଧା ମାନଙ୍କ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି l ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ଘାରିଛି ଭତ୍ତା ଚିନ୍ତା l ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି l ପୂର୍ବ ସରକାର ଙ୍କ ସମୟରେ ମାସକୁ ମାସ ଭତା ଟଙ୍କା ମିଳୁ ଥିଲା କିନ୍ତୁ ସରକାର ବଦଳିବା ପରେ ଭତ୍ତା ଠିକ ସମୟରେ ମିଳୁନାହିଁ । ଯାହାକୁ ନେଇ ପରିଣତ ବୟସରେ ଦହଗଞ୍ଜ ହେଉଛନ୍ତି।

 

CBSEର ପୁନଃମୂଲ୍ଯାୟନ ପୋର୍ଟାଲ ଲାଇଭ; ଜୁନ ୬ ତାରିଖ ଯାଏ ଆବେଦନ କରିହେବ

ଭୁବନେଶ୍ବର : ଶେଷରେ ସିିବିଏସଇର ପୁନଃମୂଲ୍ଯାୟନ ପୋର୍ଟାଲ ଲାଇଭ ଆସିଛି । ଏହି ପୋର୍ଟାଲ ଜରିଆରେ ଦ୍ଵାଦଶ ଛାତ୍ରଛାତ୍ରୀମାନେ ପୁନଃମୂଲ୍ଯାୟନ ପାଇଁ ଆବେଦନ କରିପାରିବେ । ଜୁନ ୬ ତାରିଖ ଯାଏ ପିଲାମାନେ ଆବେଦନ କରିପାରିବେ । କେମିତି ଆବେଦନ କରିବେ,ତାର ଏକ ଭିଡିଓ ବି ସୋସିଆଲ ମିଡିଆ ଏକ୍ସରେ ଅପଲୋଡ୍ କରିଛି ସିବିଏସଇ । ଏବର୍ଷ ବହୁ ପିଲା ଅଭିଯୋଗ କରିଛନ୍ତି, ଠିକରେ ମୂଲ୍ୟାୟନ ହୋଇନାହିଁ । ଏଥର ଅନସ୍କ୍ରିନ ମାର୍କିଂ ହୋଇଛି ।

କେତେକ ପିଲା ଅଭିଯୋଗ କରିଛନ୍ତି, ଭଲରେ ସ୍କାନିଂ ବି ହୋଇନାହିଁ ସେମାନଙ୍କର ଉତ୍ତରଖାତା। କିନ୍ତୁ ସେମାନେ ଅନଲାଇନରେ ଆବେଦନ କରିପାରୁନଥିଲେ। ଏହାକୁ ନେଇ ସାରା ଦେଶରେ ଘୋର ଅସନ୍ତୋଷ ଦେଖା ଦେଇଥିଲା । କାରଣ ସିବିଏସଇର ପୁଃନମୂଲ୍ୟାୟନ ପୋର୍ଟାଲ ଚାଲୁ ନଥିଲା । ଶେଷରେ ଏହାର ସମାଧାନ ହୋଇଛି । ପୋର୍ଟାଲ ଲାଇଭ ଆସିଛି ।

ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଘାଣ୍ଟୁଛନ୍ତି ଜାତୀୟ ମାନବାଧିକାର କମିଶନ ; ଆଜି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି NHRC ଟିମ୍

ଭୁବନେଶ୍ବର : ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଘାଣ୍ଟୁଛନ୍ତି ଜାତୀୟ ମାନବାଧିକାର କମିଶନ। ଭିଡ଼ ହିଂସା ଘଟଣାର ବିଭିନ୍ନ ଦିଗକୁ ନେଇ ଏନଏଚଆରସିର ଦୁଇ ଜଣିଆ ସଦସ୍ୟ ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର ଶୁଣାଣି ଜାରି ରଖିଛନ୍ତି । ଆଜି ଶୁଣାଣିର ଦ୍ବିତୀୟ ଦିନରେ ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଏନଏଚଆରସି ଟିମ୍ ।

ରାଜ୍ୟ ଅତିଥି ଭବନରେ ଚାଲିଥିବା ଶୁଣାଣିରେ ଏନଏଚଆରସି ସଦସ୍ୟଙ୍କ ନିକଟରେ ଆଜି ହାଜର ହୋଇପାରନ୍ତି ପୋଲିସ କମିଶନର, ଡିସିପି, ଆଇପିଏସ୍ ଦୟାଲ ଗଙ୍ଗୱାର, କ୍ୟାପିଟାଲ ହସ୍ପିଟାଲର ମେଡିକାଲ ଅଫିସର, ପୋଷ୍ଟମର୍ଟମ କରିଥିବା ସର୍ଜନ ଓ ପୂରା ଘଟଣାକ୍ରମ ସହ ଜଡ଼ିତ ଥିବା ସମସ୍ତ ସରକାରୀ ଅଧିକାରୀ । ପରିବାର ସଦସ୍ୟ ମଧ୍ୟ ଆଜି ଏନଏଚଆରସି ସଦସ୍ୟଙ୍କ ନିକଟରେ ହାଜର ହୋଇପାରନ୍ତି । ଶୁଣାଣି ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଗତକାଲି ଜିଆରପି ଏସପି ଭବାନୀ ଶଙ୍କର ଉଦଗାତା, ଜିଆରପି ରିଜର୍ଭ ଇନ୍ସପେକ୍ଟର ଏବଂ ତତକାଳୀନ ଥାନା ଅଧିକାରୀ ଅନିଲ ପରିଡାଙ୍କୁ ପଚରାଉଚରା କରିଛି NHRC ଟିମ୍ । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଅନିରୁଦ୍ଧ ରାଉତରାୟଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ସୋସିଆଲ ମିଡିଆର ଭାଇରାଲ ଭିଡିଓ, ପୀଡିତାଙ୍କ ବୟାନ, ପ୍ରତ୍ୟକ୍ଷଦର୍ଶୀଙ୍କ ମତକୁ ନେଇ ଚାଲିଛି ଖୋଳତାଡ଼ । ପୋଲିସର ଅବହେଳା ପଛର କାରଣ ମଧ୍ୟ ଖୋଜିପାରେ NHRC ଟିମ ।

ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ବଢିଲା ଅଡ଼ୁଆ ; ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ତାଳଚୁଆ ଥାନାରେ ଏହି ମାମଲା ରୁଜୁ ହୋଇଛି । କେସ ନଂ ୧୨୪/୨୦୨୬ ରେ ଧାରା ୨୯୬, ୭୪, ୧୧୫, ୩୫୧, ୩୦୮ ରେ ମାମଲା ରୁଜୁ କରିଛି ପୋଲିସ। ଏବେ ତଦନ୍ତର ସମ୍ମୁଖୀନ ହେବେ ସଂଧ୍ୟାରାଣୀ ଜେନା। ଆଗରୁ ତାଙ୍କୁ ନିଲମ୍ଵିତ କରାଯାଇଥିଲା। ଗତ ୨୫ ତାରିଖରେ ଥାନାରେ ମାଆ ପୁଅଙ୍କୁ ତତ୍କାଳୀନ ଆଇଆଇସି ସଂଧ୍ୟାରାଣୀ ଜେନା ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏକ ପାରିବାରିକ କଳହକୁ ନେଇ ଅଭିଯୋଗ କରିବାକୁ ଆସିଥିଲେ ଗିରିଆପାହୀ ଗାଁର ୫୮ ବର୍ଷୀୟ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ ।

ଅଭିଯୋଗ ଅନୁସାରେ ସଂଧ୍ୟାରାଣୀ ଏତଲା ନରଖି ମାଆ ପୁଅଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ନିସ୍ତୁକ ମାଡ଼ ମାରିଥିଲେ । ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ଚାପୁଡା ମାରିବା ସହିତ ମହିଳାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିଲେ । ପୁଅ ଅନନ୍ତଙ୍କୁ ଥାନାର ପାଇଖାନା ଭିତରେ ପୁରାଇ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ ଓ ମିଛ କେସରେ ଫସାଇ ଦେବାକୁ ଧମକ ଦେଇଥିଲେ। ଏସବୁର ଭିଜୁଆଲ ଭାଇରାଲ ହୋଇଥିଲା। ଏସପିଙ୍କ ତଦନ୍ତ ବେଳେ ସିସିଟିଭି ଫୁଟେଜ ଥାନାରୁ ହଟାଇ ଦେଇଥିବାର ପ୍ରମାଣ ମିଳିଥିଲା। ଗତ ୨୭ ତାରିଖରେ ସଂଧ୍ୟାରାଣୀଙ୍କୁ ଡିଜିପି ସସପେଣ୍ଡ କରିଥିଲେ। କିନ୍ତୁ ମାମଲା ରୁଜୁ ହୋଇନଥିଲା। ଏତେ ଦିନ ପରେ ମାମଲା ରୁଜୁ ହୋଇଛି।

ସାହିକୁ ନାହିଁ ପକ୍କା ରାସ୍ତା : ବଣଜଙ୍ଗଲ ଘେରା ପରିବେଶ ଦେଇ ଯାଆସ କରୁଛନ୍ତି ଲୋକେ

ସାହିକୁ ନାହିଁ ପକ୍କା ରାସ୍ତା । ବଣଜଙ୍ଗଲ ଘେରା ପରିବେଶ ଦେଇ ଯାଆସ କରୁଛନ୍ତି ଲୋକେ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାରିଆ ଚିଲିଆ ସାହିକୁ ନାହିଁ ରାସ୍ତା । ସାହିରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ସାହିକୁ ରାସ୍ତା ଖଣ୍ଡିଏ ନାହିଁ । ବାରିଆ ଠାରୁ ୨ କିଲୋମିଟର ଦୂରରେ ଥିବା ଚିଲିଆ ସାହିକୁ ଯିବାକୁ ହେଲେ ଜଙ୍ଗଲିଆ ପାଦ ଚଲା ରାସ୍ତାରେ ଯିବାକୁ ପଡ଼େ । ଖରାଦିନେ ଯେଣତେଣ ପ୍ରକାରେ ଲୋକେ ଯାଆସ ତ କରିଦିଅନ୍ତି । ବର୍ଷା ଦିନେ ଯାତାୟତ କରିବା ମୁସ୍କିଲ ହୋଇଯାଏ । ଛାତ୍ରଛାତ୍ରୀଙ୍କ ପାଠପଢା ଏକ ପ୍ରକାର ଠପ ହୋଇପଡ଼େ । ଆମ୍ବୁଲାନ୍ସ ଯାଇ ପାରେ ନାହିଁ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ । ଅନ୍ୟପଟେ ଜଙ୍ଗଲ ପାଇଁ ରାସ୍ତା ନିର୍ମାଣ ହୋଇପାରିନାହିଁ । ଏନେଇ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସରପଞ୍ଚ ।

ଭତ୍ତା ପାଇଁ ହୀନସ୍ତା, ହିତାଧିକାରୀଙ୍କୁ ମିଳୁନି ଦୁଇ ମାସର ଭତ୍ତା ଟଙ୍କା

ପିପିଲି  : ଭତ୍ତା ପାଇଁ ହୀନସ୍ତା । ହିତାଧିକାରୀଙ୍କୁ ମିଳୁନି ଦୁଇ ମାସର ଭତ୍ତା ଟଙ୍କା । ଡହ ଡହ ଖରାରେ ବ୍ଲକ, ପଞ୍ଚାୟତ ଅଫିସ ଓ ବ୍ୟାଙ୍କକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି ହିତାଧିକାରୀ । ପିପିଲି ବ୍ଲକର ପ୍ରାୟ ୯ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇନାହିଁ ଭତ୍ତା ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଉଥିବା ହିତାଧିକାରୀଙ୍କ ଟଙ୍କା ଅଟକି ରହିଛି । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୃଦ୍ଧ ଓ ବୃଦ୍ଧା । ହିତାଧିକାରୀଙ୍କୁ ଏକକାଳୀନ ଦୁଇ ମାସର ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପିପିଲି ବିଡ଼ିଓ ।