ଭୁବନେଶ୍ବର : କ୍ୟାମ୍ପସରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ଜାରି କଲା SOP। ଶ୍ରେଣୀ ଗୃହରେ ଲାଗିବ କାଚ କବାଟ ଓ ଝରକା। କ୍ୟାମ୍ପସରେ ରହିବନି ଆଉ ଅନ୍ଧାରୁଆ ସ୍ଥାନ। ତା ସହିତ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯିବ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ନଥିଲେ ସଂପୃକ୍ତ ଶିକ୍ଷାନୁଷ୍ଠାନର ମାନ୍ୟତା ବାତିଲ କରିବାର କଡ଼ା ପ୍ରାବଧାନ ରହିଛି। ଏହା ସହିତ ସେହି ଶିକ୍ଷାନୁଷ୍ଠାନକୁ ନାମଲେଖାରୁ ବାଦ୍ ଦିଆଯିବ। ଫାଟକରୁ ପାର୍କିଂ ଯାଏ ସବୁ ସ୍ଥାନ ହେବ ଆଲୋକୀକରଣ। ସିସିଟିଭି ବାଧ୍ୟତାମୂଳକ, ମହିଳାଙ୍କ ପାଇଁ ସୁରକ୍ଷିତ, ସ୍ବଚ୍ଛ ଶୌଚାଳୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ସମ୍ବିଧାନ ନିୟମ ଅନୁସାରେ ବାଚସ୍ପତି ତ୍ୱରିତ ପଦକ୍ଷେପ ନିଅନ୍ତୁ । ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ୧୧ଜଣ ବିଧାୟକ କ୍ରସ ଭୋଟିଙ୍ଗ କରିଛନ୍ତି । ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ପାଖରେ ଦାବି ହୋଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ କରି ବିଧାୟକମାନେ ଅନ୍ୟ ଦଳକୁ ସମର୍ଥନ କରିଥିଲେ । ଯାହା ଦଳ ବିରୋଧୀ । ତେଣୁ ସମ୍ବିଧାନ ନିୟମ ଅନୁସାରେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ପ୍ରସନ୍ନ ଦାବି କରିଛନ୍ତି । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ । ବାଚସ୍ପତି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।
ପଶ୍ଚିମବଙ୍ଗରେ ‘ଫିସ୍ ପଲିଟିକ୍ସ’
ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗରେ ‘ଫିସ୍ ପଲିଟିକ୍ସ’ ବା ମାଛକୁ ନେଇ ରାଜନୀତି l କାହିଁକି ବିଜେପି ନେତାମାନେ ଦୁନିଆକୁ କହୁଛନ୍ତି ଯେ ସେମାନେ ମାଛ ଖାଉଛନ୍ତି l ଓଡିଶାର ପଡୋଶୀ ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ l ଦିଦି ବନାମ ମୋଦି l “ମାଛେ ଭାତେ ବଙ୍ଗାଳୀ” ନାରା କୁ ନେଇ ତୀବ୍ର ରାଜନୈତିକ ଲଢ଼େଇ l ମମତା ବନାର୍ଜୀ ଓ ତାଙ୍କ ନେତାମାନେ କହୁଛନ୍ତି ଯଦି ବିଜେପି କ୍ଷମତାକୁ ଆସେ, ତେବେ ମାଛ, ମାଂସ, ଅଣ୍ଡା ଖାଇବା ଉପରେ ନିଷେଧାଦେଶ ଲଗାଇଦେବ। ଏପଟେ ବିଜେପି ନେତା ଓ ପ୍ରାର୍ଥୀମାନେ ମଧ୍ୟ ମାଛ ହାତରେ ନେଇ ପ୍ରଚାର କରୁଛନ୍ତି।ସେମାନେ କହୁଛନ୍ତି ବିଜେପି କେବେ ବି ଖାଦ୍ୟ ଉପରେ ନିୟନ୍ତ୍ରଣ କରିବ ନାହିଁ ।
ପଶ୍ଚିମବଙ୍ଗରେ ନେତାମାନେ ‘ଫିସ୍ ପଲିଟିକ୍ସ’ରେ ଏବେ ମାତିଛନ୍ତି । ଏହା ଏକ ‘ସାଂସ୍କୃତିକ ଲଢେଇ’। ଟିଏମ୍ସି ବଙ୍ଗାଳୀ ଆତ୍ମସମ୍ମାନର କାର୍ଡ ଖେଳୁଛି, ଯେତେବେଳେ ବିଜେପି ୨୦୨୬ରେ କ୍ଷମତା ଦଖଲ କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ ଛବି ତିଆରି କରିବାକୁ ଚେଷ୍ଟା କରୁଛି। ମାଛ ଏବେ କେବଳ ଥାଳିରେ ନୁହେଁ, ଭୋଟ୍ ବ୍ୟାଙ୍କ ରାଜନୀତିରେ ସାମିଲ ହୋଇଛି । ଭୋଟ୍ ଦେବା ସମୟରେ ପଶ୍ଚିମବଙ୍ଗ ଭୋଟରଙ୍କ ମନରେ ନିଶ୍ଚୟ ମାଛର ପ୍ରଶ୍ନ ଉଠିବ। ମାଛ ପଶ୍ଚିମବଙ୍ଗର ପରିଚୟ। ପଶ୍ଚିମବଙ୍ଗର ନାମ ନେଲେ ମନକୁ ଯେଉଁ ଛବି ଆସେ , ମାଛ ସେଥିରୁ ଗୋଟିଏ। ପଶ୍ଚିମବଙ୍ଗରର ବିଧାନସଭା ନିର୍ବାଚନରେ ଅନେକ ପ୍ରସଙ୍ଗ ମଧ୍ୟରେ ମାଛ ଖାଇବା ମଧ୍ୟ ଏକ ପ୍ରସଙ୍ଗ ହୋଇଛି। ବିଜେପିର ବଡ଼ ନେତା ଅନୁରାଗ୍ ଠାକୁର ପଶ୍ଚିମବଙ୍ଗରରେ ମାଛ ଖାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଈ ସୋରେନ୍ ମାଛ ଖାଉଥିବା ଫଟୋ ଏକ୍ସରେ ପୋଷ୍ଟ କରିଛନ୍ତି।
ପଶ୍ଚିମବଙ୍ଗରରେ ‘ଫିସ୍ ପଲିଟିକ୍ସ’ କଣ? କାହିଁକି ବିଜେପି ନେତାମାନେ ଦୁନିଆକୁ କହୁଛନ୍ତି ଯେ ସେମାନେ ମାଛ ଖାଉଛନ୍ତି । ମାଛ-ଭାତ ଟିଏମ୍ସି ଏହି ନିର୍ବାଚନରେ ପଶ୍ଚିମବଙ୍ଗରର ସାଂସ୍କୃତିକ ପରିଚୟର ପ୍ରସଙ୍ଗକୁ ଜୋର୍ ଦେଇଛି। ଟିଏମ୍ସି ବିଜେପି ଉପରେ ଅଭିଯୋଗ ଲଗାଉଛି ଯେ ଯଦି ବିଜେପି କ୍ଷମତାକୁ ଆସେ ତେବେ ବଙ୍ଗାଳୀମାନଙ୍କୁ ମାଛ, ମାଂସ ଓ ଅଣ୍ଡା ଖାଇବାରୁ ବନ୍ଦ କରି ଦିଆଯିବ। ମମତା ବାନାର୍ଜୀଙ୍କ ଟିଏମ୍ସି କହୁଛି ଯେ ‘ମାଛ-ଭାତେ ବଙ୍ଗାଳୀ’ ଅର୍ଥାତ୍ ମାଛ-ଭାତ ବଙ୍ଗାଳୀର ପରିଚୟ। ଲଗାତାର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ମମତା ଚେତାବନୀ ଦେଇଛନ୍ତି ଯେ ବିଜେପି ପଶ୍ଚିମବଙ୍ଗରର ଜୀବନଶୈଳୀ ପାଇଁ ବିପଦ। ସେ ମାଛ ଓ ଭାତକୁ ନେଇ ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଏପରି ଜିନିଷ କହିଛନ୍ତି ଯାହା ଉପରେ ଏବେ ଜୋରଦାର ଚର୍ଚ୍ଚା । ଏକ ନିର୍ବାଚନୀ ସଭାରେ ମମତା କହିଥିଲେ, “ବିଜେପି ତୁମକୁ ମାଛ ଖାଇବାକୁ ଦେବ ନାହିଁ। ମାଂସ ଖାଇବାକୁ ଦେବ ନାହିଁ , ଅଣ୍ଡା ଖାଇବାକୁ ଦେବ ନାହିଁ।”ଆଉ ଏକ ସଭାରେ ବିଜେପିକୁ ଆକ୍ରମଣ କରି ମମତା କହିଥିଲେ, ” ପଶ୍ଚିମବଙ୍ଗରରେ ଲୋକ ମାଛ ଓ ଭାତ ଉପରେ ନିର୍ଭର କରନ୍ତି। ବିଜେପି ପଶ୍ଚିମବଙ୍ଗରର ଲୋକଙ୍କୁ କହୁଛ ଯେ ସେମାନେ ମାଛ ଖାଇପାରିବେ ନାହିଁ, ମାଂସ ଖାଇପାରିବେ ନାହିଁ, ଅଣ୍ଡା ଖାଇପାରିବେ ନାହିଁ, ତେବେ ସେମାନେ କଣ ଖାଇବେ?” ମମତା କହୁଛନ୍ତି ଯେ ବିଜେପି ପଶ୍ଚିମବଙ୍ଗର ସଂସ୍କୃତି ଉପରେ ଆକ୍ରମଣ କରୁଛି ।
ଏପଟେ ବିଜେପି ପ୍ରାର୍ଥୀଙ୍କ ହାତରେ ମାଛ ମମତାଙ୍କ ଅଭିଯୋଗର ଜବାବ ଦେବା ପାଇଁ ବିଜେପି ପଶ୍ଚିମବଙ୍ଗରରେ ବଡ଼ ସ୍ତରରେ ‘ଫିସ୍ ପଲିଟିକ୍ସ’ ଆରମ୍ଭ କରିଛି। ବିଜେପି ନେତା ଓ ପ୍ରାର୍ଥୀମାନେ ଖୋଲାଖୋଲି ମାଛ ଖାଉଛନ୍ତି, ହାତରେ ବଡ଼ ବଡ଼ ମାଛ ଧରି ପ୍ରଚାର କରୁଛନ୍ତି ଏବଂ ମାଛ ବଜାରରେ ବୁଲୁଛନ୍ତି ।କୋଲକାତା ପୋର୍ଟରୁ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ୁଥିବା ରାକେଶ୍ ସିଂ ଦୁଇ ହାତରେ ମାଛ ଧରି ଘର ଘର ବୁଲୁଛନ୍ତି ।ଏହି ଅବସ୍ଥା କୌସ୍ତଭ ବାଗଚୀଙ୍କର ମଧ୍ୟ। ବାଗଚୀ ହାତରେ ମାଛ ଧରି ଧଳା ଓ ଲାଲ୍ ପୋଷାକ ପିନ୍ଧି ଘର ଘର ବୁଲୁଛନ୍ତି । ତାଙ୍କ ପଛରେ ଢୋଲ ବାଜୁଛି ଏବଂ ସମର୍ଥକମାନେ ତାଙ୍କୁ ଜୟଧ୍ୱନି ଦେଉଛନ୍ତି। ବୈରାକପୁରରୁ ବିଜେପି ପ୍ରାର୍ଥୀ ବାଗଚୀ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମାଛ ଉପରେ ଜୋର ଦେଉଛନ୍ତି ।
ପଶ୍ଚିମବଙ୍ଗରରେ ଶାକାହାରୀ ଛବିରୁ ମୁକ୍ତି ପାଇବାର ବିଜେପିର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ନିଜକୁ ‘ବାହାରୁ ଆସିଥିବା’, ‘ହିନ୍ଦୀ ପାର୍ଟି ‘ ଏବଂ ‘ଶାକାହାରୀ’ ଦଳର ଛବିରୁ ମୁକ୍ତ କରିବା। ମାଛ ଖାଉଥିବା ସମୟରେ ଅନୁରାଗ୍ ଠାକୁର ସାମ୍ବାଦିକଙ୍କୁ କହିଥିଲେ, “ଏଠାରେ ମାଛ ଅଛି, ଭାତ ଅଛି, ସମସ୍ତେ ଖାଉଛନ୍ତି। ବିଜେପିର ସରକାର ୧୬ଟି ରାଜ୍ୟରେ ଅଛି, ଏନ୍ଡିଏର ୨୦ଟି ରାଜ୍ୟରେ ସରକାର ଅଛି, କିନ୍ତୁ କୌଣସି ଜାଗାରେ କାହାରି ବକ୍ତବ୍ୟ, ଖାଦ୍ୟ, ପୂଜା-ପାଠ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ମମତା ବାନାର୍ଜୀ ଭୟ, ବିଭ୍ରାନ୍ତି ଏବଂ ଗୁଜବ ସୃଷ୍ଟି କରୁଛନ୍ତି ।”
ଏହି ମାଛ ପ୍ରସଙ୍ଗ ନିର୍ବାଚନରେ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ପ୍ରସଙ୍ଗକୁ ସ୍ପର୍ଶ କରିଛନ୍ତି। ପିଏମ୍ ଏକ ସଭାରେ କହିଥିଲେ, “୧୫ ବର୍ଷ କ୍ଷମତାରେ ଥାଇ ତୃଣମୂଳ କଂଗ୍ରେସ୍ ମାଛ ପରି ଏକ ସାଧାରଣ ଜିନିଷ ମଧ୍ୟ ଯୋଗାଇ ଦେବାରେ ବିଫଳ ହୋଇଛି। ମାଛ ମଧ୍ୟ ରାଜ୍ୟ ବାହାରୁ ଆଣିବାକୁ ପଡ଼ୁଛି।”
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରାଉ କରିଛି ବିଜେଡି
ଭୁବନେଶ୍ୱର :ନିଜ ଘରେ, ନିଜ ମାଟିରେ ଭୋଟରଙ୍କୁ ଶରଣାର୍ଥୀ କରିବାକୁ ଉଦ୍ୟମ। ଏହି ସଂଗୀନ ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରାଉ କରିଛି ବିଜେଡି। ପ୍ରାକ୍ SIR ରେ ରାଜ୍ୟର ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରଙ୍କୁ ବାଦ୍ ଦିଆଯାଇଛି। ଓଡ଼ିଶାରେ ବିରୋଧୀଙ୍କ ଗଡ଼ ଭାଙ୍ଗିବାକୁ ଏହା ବିଜେପି ସରକାରର ଷଡଯନ୍ତ୍ର। ଯେଉଁଠି ବିରୋଧୀଙ୍କ ଗଡ଼, ସେଠି ଭୋଟରଙ୍କୁ ବାଦ ପକାଇ ବୁଥ କବଜା କରିବାକୁ ରାଜ୍ୟ ସରକାର କରୁଛନ୍ତି ହୀନ ଚକ୍ରାନ୍ତ। ନିର୍ବାଚନ କମିଶନ ସ୍ୱଚ୍ଛତା ଅଵଲମ୍ବନ କରନ୍ତୁ ବୋଲି ଦାବି କରିଛି ବିଜେଡି। ପୁଣି ଥରେ ଯାଞ୍ଚ କରି ବାଦ ପଡ଼ିଥିବା ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ଦାବି କରାଯାଇଛି। ନ ହେଲେ ଲୋକସେବା ଭବନ ଘେରାଉ କରାଯିବ। ଆବଶ୍ୟକ ପଡିଲେ, ବାଦ ପଡ଼ିଥିବା ଭୋଟରଙ୍କୁ ନେଇ ଆନ୍ଦୋଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି।
ଯୁଦ୍ଧ ବିରତି ଅବଧି ବଢ଼ାଇଛନ୍ତି ଡୋନାଲଡ ଟ୍ରମ୍ପ
ନନ୍ଦିଘୋଷ ବ୍ୟୁରୋ : ସଙ୍କଟ ଭିତରେ ବିଶ୍ୱ । ଆମେରିକା ଇରାନ ଭିତରେ ସମ୍ପର୍କ ସୁଧୁରିବା ଏବେ ବି କଷ୍ଟ । ଶାନ୍ତି ଆଲୋଚନା ବିଫଳ ହେଉଛି । ଆମେରିକା ସର୍ତ୍ତରେ ଇରାନ ରାଜି ହେବା ଭଳି ମନେ ହୁଏନାହିଁ । ମଧ୍ୟପ୍ରାଚ୍ୟ ସଂକଟ ନେଇ ପୁଣି ଆଲୋଚନାର ବାତାବରଣ କିନ୍ତୁ ସୃଷ୍ଟି ହୋଇଛି । ଯୁଦ୍ଧ ବିରତି ଅବଧି ବଢ଼ାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସୋସିଆଲ ମିଡିଆରେ ଏ ସଂପର୍କରେ ସେ ସୂଚନା ଦେଇ ଲେଖିଛନ୍ତି, ଯୁଦ୍ଧ ବିରତି ଅବଧି ବୃଦ୍ଧି ପାଇଁ ପାକିସ୍ତାନ ଅନୁରୋଧ କରିଥିଲା ତେଣୁ ସେ ଏହି ପଦକ୍ଷେପ ନେଇଛନ୍ତି। କିନ୍ତୁ ହର୍ମୁଜ ଅବରୋଧ ଜାରି ରହିବ। ଇରାନର ସମସ୍ତ ବନ୍ଦରକୁ ଅବରୋଧ ଜାରି ରହିବ।
କଥାବାର୍ତ୍ତା ପାଇଁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଇସଲାମାବାଦ ଆସିବେନି ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ। ସେପଟେ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। କହିଛି, ଟ୍ରମ୍ପ ନିଜେ ନିଜେ ଏହି ଘୋଷଣା କରିଛନ୍ତି। ଆଲୋଚନା ପାଇଁ କୌଣସି ସର୍ତ୍ତରେ ମଂଜୁର ନୁହେଁ ବୋଲି ଇରାନ ପକ୍ଷରୁ କୁହାଯାଇଛି। ଦୁଇ ସପ୍ତାହ ଧରି ଯୁଦ୍ଧ ବନ୍ଦ ଥିଲା। ଶାନ୍ତି ପାଇଁ ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହା ଫେଲ୍ ମାରିଥିଲା। କୌଣସି ଡିଲ୍ ହୋଇପାରିନଥିଲା। ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ଟିମ୍ ପାକିସ୍ତାନ ଆସିବାର ଥିଲା। କିନ୍ତୁ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏପରିକି ନିଜ ଟିମ୍ ବି ପଠାଇନଥିଲା। ଆଜି ଯୁଦ୍ଧ ବିରତିର ଶେଷ ଦିନ ଥିଲା। କଣ ହେବ ବୋଲି ବିଶ୍ଵ ସମୁଦାୟ ଚିନ୍ତିତ ଥିବା ବେଳେ ଟ୍ରମ୍ପ ଯୁଦ୍ଧ ବିରତିକୁ ବୃଦ୍ଧି କରିଛନ୍ତି। ଏହା ଦ୍ଵାରା ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଆଲୋଚନାର ବାଟ ଫିଟିବ ବୋଲି ଆଶା କରାଯାଉଛି।

