ମୁମ୍ବାଇ: ଇନଭେଷ୍ଟରର୍ସ ମିଟ୍ ପୂର୍ବରୁ ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ନିବେଶ ପାଇଁ ବ୍ୟବସ୍ଥା ସମ୍ପର୍କରେ ଶିଳ୍ପପତିଙ୍କୁ ବୁଝାଇ କହିଥିଲେ ସୁରେଶ ମହାପାତ୍ର । ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିବେଶ ପାଇଁ ରାଜ୍ୟରେ ଉତ୍କୃଷ୍ଟ ବାତାବରଣ ସୃଷ୍ଟି ହୋଇଛି । ୧୫ଟି ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।
ଋଷିଆକୁ ପୁଣି ୟୁକ୍ରେନର ଝଟକା, ଆଉ ଏକ ବଡ଼ ସହରକୁ କବଜା କଲା ସେନା
କିଭ୍: ଋଷ ଓ ୟୁକ୍ରେନ୍ ଯୁଦ୍ଧ ଭିତରେ ପୁଟିନ୍ ସରକାରଙ୍କୁ ପୁଣି ଝଟକା । ଆଉ ଏକ ବଡ଼ ସହରକୁ ନିଜ ଅଧିନକୁ ନେଲା ୟୁକ୍ରେନ୍ । ଉତ୍ତରପୂର୍ବ ଅଞ୍ଚଳରେ ବଡ଼ ଆକ୍ରମଣ କରି ନିଜ ସହରକୁ ନିଜ ଅଧିନକୁ ନେଇଛି ୟୁକ୍ରେନ୍ । ସେଠାରେ ଋଷ୍ ସେନା ଥିଲେ ମଧ୍ୟ ୟୁକ୍ରେନ୍ ସେନାଙ୍କ ଆକ୍ରମଣର ସାମ୍ନା କରିପାରିନଥିଲେ । ଏଥିରେ ୫୯ ଜଣ ଋଷ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଟ୍ୟାଙ୍କକୁ ଧ୍ୱଂସ କରାଯାଇଛି । ସହରର ୫୦୦ ବର୍ଗ କିଲୋମିଟର ଅଞ୍ଚଳରେ ଏବେ ୟୁକ୍ରେନର କବଜା ରହିଛି ।
ସେପ୍ଟେମ୍ବର ମାସ ଆରମ୍ଭରୁ ୟୁକ୍ରେନ୍ ସେନା ସ୍ୱତନ୍ତ୍ର ଅପରେସନ ମାଧ୍ୟମରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି । କିଛି ଦିନ ତଳେ ଖାରକିଭ୍ ସହରକୁ ନିଜ ଅଧିନକୁ ନେଇଥିଲା ୟୁକ୍ରେନ୍ । ରାଷ୍ଟ୍ରପତି ଜେଲେନସ୍କି ଏଭଳି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ ଋଷିଆ ୟୁକ୍ରେନ୍ ବିରୋଧରେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବା ପାଇଁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।
ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ, ନିୟମ ନମାନିବାରୁ ଆପାର୍ଟମେଣ୍ଟ ଭିତରେ ଆବର୍ଜନା ପକାଇଲା BMC
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ନିୟମ ଉଲଂଘନ । ନିୟମ ନମାନିବାରୁ ଆପାର୍ଟମେଣ୍ଟ ଭିତରେ ଆବର୍ଜନା ପକାଇଲା ବିଏମସି । ଘର ଘର ବୁଲି ବିଏମସି ପକ୍ଷରୁ ଅଳିଆ ସଂଗ୍ରହ କରାଯାଉଛି । ବାରମ୍ବାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପରେ ବି କିଛି ବ୍ୟକ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନ ଅବହେଳା କରୁଛନ୍ତି । ଏଥିରେ ଖିଲାପ କରିବା ଅଭିଯୋଗରେ ୬୦ ନମ୍ବର ଓ୍ୱାର୍ଡର କୈଳାଶ ଆପାର୍ଟମେଣ୍ଟ ବିରୋଧରେ ବିଏମସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି ।
ଆପାର୍ଟମେଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଜେସିବି ଜରିଆରେ ବାହାରର ଅଳିଆ ନେଇ ପକାଇ ଦେଇଛି ବିଏମସି । ଫଳରେ ଆପାର୍ଟମେଣ୍ଟର ବାସିନ୍ଦା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନିଜ ଭୁଲ ବୁଝିବା ସହ ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସେମାନେ କହିଛନ୍ତି । ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି ଅନୁରୁପ ଘଟଣା ଘଟିଥିଲା । ବିଏମସି ପକ୍ଷରୁ ଜାରି ହୋଇଥିବା ୫ ମିଟର ପରିଧିର ପରିମଳ ଦାୟିତ୍ତ୍ୱ ନିଜେ ନେବାକୁ ପରାମର୍ଶ ଦିଆଯାଇଛି । ଏଥିରେ ଖିଲାପ କଲେ ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ।
ଜୋରଦାର ହେବ ଟ୍ରାଫିକ୍ ଚେକିଂ, NH ଓ ଭୁବନେଶ୍ୱରର ସମସ୍ତ ଛକରେ କଡ଼ାକଡ଼ି ହେବ ଯାଞ୍ଚ
ଭୁବନେଶ୍ୱର: ଆଗକୁ ଜୋରଦାର ହେବ ଟ୍ରାଫିକ ଚେକିଂ । ନିସ୍ତାର ପାଇବେନି ନିୟମ ଖିଲାପକାରୀ । ହେଲମେଟଠାରୁ ଗାଡ଼ି କାଗଜପତ୍ର ହେବ ଚେକିଂ । NH ଓ ଭୁବନେଶ୍ୱରର ସମସ୍ତ ଛକରେ କଡ଼ାକଡ଼ି ଯାଞ୍ଚ ହେବ । ବିଶେଷ କରି ମଦ୍ୟପ ଗାଡ଼ି ଚାଳକ ସାବଧାନ ହେବାକୁ ଚେତାଇ ଦେଇଛି ପରିବହନ ବିଭାଗ । ପରିବହନ ବିଭାଗ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭରରେ ଗତ ଦୁଇ ଦିନରେ ଧରା ପଡିଛନ୍ତି ୫୯୯ ଜଣ ମଦ୍ୟପ ଡ୍ରାଇଭର । ଏହା ସହ ଗତ ଦୁଇ ଦିନ ମଧ୍ୟରେ ୩୩୮ଟି ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ସେହିପରି ୨୨୨ ଜଣ ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି । ମୋଟ ୧୫୬୮ ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୩୨ ଟି ଇ- ଚାଲାଣ କଟାଯାଇଛି ।
ପଶ୍ଚିମବଙ୍ଗ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ
କୋଲକାତା: ମମତାଙ୍କ ବିରୋଧରେ ବିଜେପିର ମୋର୍ଚ୍ଚା । ପଶ୍ଚିମବଙ୍ଗ ସରକାର ବିରୋଧରେ ବିଜେପିର ହଲ୍ଲାବୋଲ । ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ନବାନ୍ନ ଅଭିଯାନର ଆୟୋଜନ କରିଛି ବିଜେପି । ସରକାର ବିରୋଧୀ ବିକ୍ଷୋଭ ବେଳେ ବହୁ ବିଜେପି ନେତାଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ । ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ ।
ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲକେଟ ଚାଟାର୍ଜୀ ଓ ବହୁ ନେତା ଏହି ବିକ୍ଷୋଭରେ ସାମିଲ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି । ଶହ ଶହ ବିଜେପି କର୍ମୀ ଟ୍ରେନରେ କୋଲକାତା ଅଭିମୁଖେ ଯାଉଥିବାରୁ ରେଲଓ୍ବେ ଷ୍ଟେସନ ଆଖପାଖରେ ବ୍ୟାରିକେଡ ଲଗାଇଛି ପୋଲିସ ।

