spot_img
Home Blog Page 4065

ରୂପାଲି ଛକରେ ଯୁବକଙ୍କୁ ପିଟିପିଟି ହତ୍ୟା, ୨ ଗିରଫ

ଭୁବନେଶ୍ୱର: ବିଳମ୍ବିତ ରାତିରେ ରୂପାଲି ଛକରେ ମର୍ଡର । ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ, ମୃତକ ଜଣଙ୍କ ଚା ଦୋକାନୀ ହୋଇଥିବା ଜଣାପଡିଛି । ମୃତ ଯୁବକଙ୍କ ଘର ପଥରବନ୍ଧ ବସ୍ତିରେ ବୋଲି ଜଣାପଡିଛି । ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଡିସିପିଙ୍କ ସୂଚନା ଅନୁସାରେ, ବାଣୀବିହାର ଛକରେ ସୌମ୍ୟ ରଞ୍ଜନ କୁଣ୍ଡୁ ଏକ ପାନ ଦୋକାନ କରିଥିଲା । ଦୋକାନ କରିବା ନେଇ ଦୁଇ ଜଣ କାବୁ ଦାସ, ପାଉଣୀ ଦାସଙ୍କ ସହ ତାଙ୍କର ଝଗଡା ହୋଇଥିଲା । ସେମାନଙ୍କର ଘର ପଥରବନ୍ଧ ବସ୍ତି ଓ ଧିରୀକୁଟି ବସ୍ତି । ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା । ଦୋକାନ ବସାଇବାକୁ ନେଇ ବିଳମ୍ବିତ ରାତିରେ ମଦ ପିଇ ପାଟିତୁଣ୍ଡ ହୋଇଥିଲା । ଧାରୁଆ ଅସ୍ତ୍ର ଓ ବାଉଁଶରେ ସୌମ୍ୟଙ୍କୁ ଆକ୍ରମଣ ହୋଇଥିଲା । ଏମ୍ସରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ଭୁଆଶୁଣି ଡମ୍ପିଂୟାର୍ଡ ବିବାଦ; ଆଜିଠୁ ଉଠିଲା ଅଳିଆ

ଭୁବନେଶ୍ୱର: ତୁଟିଲା ବିବାଦ, ଆଜିଠୁ ଭୁଆଶୁଣି ଡମ୍ପିଂୟାର୍ଡରୁ ଉଠିଲା ଅଳିଆ । ୨୦ ଦିନ ପରେ ଗାଡକଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ । ଟ୍ରକ ଯୋଗେ ଟିଟିଏସରୁ ଭୁଆଶୁଣି ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ । ଦୈନିକ ଦୁଇ ଶହ ଟ୍ରକରେ ଉଠିବ ଅଳିଆ । ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ । ଏବଂ ୯ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ ।

ଭୁବନେଶ୍ବରର ଦୈନିକ ନିର୍ଗତ ହେଉଥିବା ଆଳିଆକୁ ଭୁବନେଶ୍ବର ଭିତରେ ଏମସିସି ଓ ଏମଆରଏଫ ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ । ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ମେୟର ଓ କମିଶନର । ଡ଼ମ୍ପିୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କ’ଣ ପଦକ୍ଷେପ ନେଉଛି ତାହାର ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ । ସେହିଭଳି ବିଏମସି କମିଶନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ବସିବ ସମନ୍ୱୟ ବୈଠକ ।

ପୂର୍ବତନ ସୋଭିଏତ ଋଷ ରାଷ୍ଟ୍ରସଂଘ ଶାସକ ମିଖାଇଲ ଗୋର୍ବାଚେଭଙ୍କ ଦେହାନ୍ତ

ମସ୍କୋ: ଆଉନାହାନ୍ତି ପେରୋସ୍ତ୍ରୋଇକା ଓ ଗ୍ଲାସନୋସ୍ତର ଜନକ ମିଖାଇଲ ଗୋର୍ବାଚେଭ । ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପୂର୍ବତନ ସୋଭିଏତ ଋଷ ରାଷ୍ଟ୍ରସଂଘ ଶାସକ । ମସ୍କୋସ୍ଥିତ ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ବିନା ରକ୍ତପାତରେ ଶୀତଳ ଯୁଦ୍ଧର ଅବସାନ ଘଟାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଗୋର୍ବାଚେଭ ।

ମାତ୍ର ନିଜର ଦୁଇ ବିବାଦୀୟ ନୀତି ଯୋଗୁ ପୂର୍ବତନ ସୋଭିଏତ ଋଷର ପତନର ସେ ଥିଲେ ମୁଖ୍ୟ କାରଣ । ଆମେରିକା ଓ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ସହ ସମଝୋତା କରି ଅସ୍ତ୍ର ପ୍ରତିଯୋଗିତା ହ୍ରାସ କରିବା ତଥା ଜର୍ମାନୀର ଏକତ୍ରୀକରଣର ପ୍ରମୁଖ ନାୟକ ଥିଲେ ସୋଭିଏତ ଋଷର ଶେଷ ରାଷ୍ଟ୍ରପତି । ତତକାଳୀନ ସୋଭିଏତ ଋଷର ଗଣତନ୍ତ୍ରବାଦୀ ଆନ୍ଦୋଳନକୁ ଦମନ ନ କରି ନୀରବଦ୍ରଷ୍ଟା ସାଜିବା, ଅନ୍ୟାନ୍ୟ କମ୍ୟୁନିଷ୍ଟ ରାଷ୍ଟ୍ରରେ ହେଉଥିବା ଆନ୍ଦୋଳନକୁ ଦବାଇବା ଲାଗି ପଦକ୍ଷେପ ନ ନେବା ଥିଲା ସୋଭିଏତ ପତନର ମୁଖ୍ୟ କାରଣ । ଏଥିଲାଗି ସୋଭିଏତ ଖଣ୍ଡବିଖଣ୍ଡିତ ହେବା କ୍ଷେତ୍ରରେ ଦାୟୀ ଥିଲେ ଗୋର୍ବାଚେଭ ।

ଏହିକାରଣରୁ ୧୯୯୧ ଡିସେମ୍ବରରେ ବିଶ୍ବର ସର୍ବଶକ୍ତିଶାଳୀ ରାଷ୍ଟ୍ର ସୋଭିଏତ ଋଷ ୧୫ଟି ପ୍ରଜାତନ୍ତ୍ରରେ ବିଭାଜିତ ହୋଇଯାଇଥିଲା । ପେରୋସ୍ତ୍ରାଇକା ବା ପୁନର୍ଗଠନ ଓ ଗ୍ଲାସନୋସ୍ତ ବା ବାକ୍ ସ୍ବାଧୀନତା ନୀତି ଯୋଗୁ ସେ ବିଭିନ୍ନ ସ୍ତରରେ ସମାଲୋଚିତ ହୋଇଥିଲେ । ୧୯୯୦ରେ ଗୋର୍ବାଚେଭଙ୍କୁ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର । ୧୯୨୨ରୁ ୧୯୨୪ ଭ୍ଲାଦିମିର ଇଲିଚ ଲେନିନ ପୂର୍ବତନ ସୋଭିଏତ ଋଷର ପ୍ରଥମ ଶାସକ ଥିବାବେଳେ ୧୯୮୫ରୁ ୧୯୯୧ ଯାଏ ଗୋର୍ବାଚେଭ ଥିଲେ ଶେଷ ଶାସକ । ତାଙ୍କ ମ଼ୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

 

ବିଜେପି ନେତ୍ରୀଙ୍କ ବର୍ବରତା, ଦିବ୍ୟାଙ୍ଗ ସହାୟିକାଙ୍କୁ ବନ୍ଧକ ରଖିଥିଲେ ୮ ବର୍ଷ

ରାଞ୍ଚି: ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କ ପତ୍ନୀ ତଥା ବିଜେପି ନେତ୍ରୀଙ୍କ ଅମାନୁଷିକ କାଣ୍ଡ । ଆଦିବାସୀ ଦିବ୍ୟାଙ୍ଗ ସହାୟିକାଙ୍କୁ ବନ୍ଧକ ରଖିଥିଲେ ୮ ବର୍ଷ । ପରିସ୍ରା ପିଆଇବା ସହ ଜିଭରେ ଟଏଲେଟର ଚଟାଣ ସଫା କରାଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଦେହରେ ଗରମ ଚେଙ୍କ ଦେଉଥିଲେ ମାଲିକାଣି । ନିର୍ଯାତନାର ମାତ୍ରା ଏତେ ଥିଲା ଯେ, ସୂର୍ଯ୍ୟକିରଣ ଦେଖିନଥିଲେ ମହିଳା । ପୋଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଞ୍ଚିର ବିଜେପି ନେତ୍ରୀ ସୀମା ପାତ୍ର ନିଷ୍ଠୁରତାର ସବୁ ସୀମା ଉଲ୍ଲଂଘନ କରିଛନ୍ତି। ଜଣେ ମହିଳା ହୋଇ ଅନ୍ୟଜଣେ ମହିଳାଙ୍କୁ ଅସହ୍ୟ କଷ୍ଟ ଦେଇଛନ୍ତି । ଜଣେ ୨୯ ବର୍ଷୀୟ ଦିବ୍ୟାଙ୍ଗ ମହିଳା ମହିଳା ସୁନୀତାଙ୍କୁ ଉଦ୍ଧାର କରାଯାଇଛି । ୮ବର୍ଷ ଜୋର ଜବରଦସ୍ତ ବନ୍ଧକ ରଖିଥିଲେ ସୀମା ପାତ୍ର । ପେଟ ପୁରା ଖାଇବାକୁ ଦିଆଯାଉନଥିଲା । ଲୁହା ଛଡ଼ରେ ମାଡ଼ ମାରି ଦାନ୍ତ ଭାଙ୍ଗି ଦେଇଥିଲେ ନିଷ୍ଠୁର ସୀମା ପାତ୍ର । ତତଲା ତାୱାରେ ହାତ ଜଳାଇ ଦେଉଥିଲେ । ନିର୍ଯାତନାର ଶିକାର ହୋଇଥବା ସୁନୀତା ପୋଲିସ ଆଗରେ କହିଥିଲେ ମାଲିକାଣୀର ବର୍ବରତା । ଚାକିରି ଛାଡ଼ିବାକୁ ଚାହିଁଲେ ବି ତାଙ୍କୁ ଘରୁ ବାହାର କରାଯାଉନଥିଲା ।

ତେବେ ଏଭଳି ଘଟଣା ଜଣାପଡ଼ିବା ପରେ ସୀମାଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଛି । ବିଜେପିରୁ ନିଲମ୍ବନ ପରେ ସୀମାଙ୍କୁ ଗିରଫ କରିଛି ପୋଲିସ । ପାତ୍ର ଦମ୍ପତି ରାଞ୍ଚିର ଭିଭିଆଇପି ଅଶୋକ ନଗରରେ ରୁହନ୍ତି ।

Asia Cup: ଆଜି ମୁହାଁମୁହିଁ ହେବେ ଭାରତ ଓ ହଂକଂ

ଏସିଆ କପରେ ଭାରତ ପାକିସ୍ତାନକୁ ମାତ୍ ଦେଇ ନିଜର ଅଭିଯାନ ଆରମ୍ଭ କରିଛି । ଭାରତୀୟ ଟିମ୍ ଆଜି ହଂକଂ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ଏହି ମୁକାବିଲା ଜିତି ସୁପର ୪ରେ ପ୍ରବେଶ କରିବାକୁ ଚେଷ୍ଟା କରିବ ଭାରତ । ତେବେ ଏହି ମୁକାବିଲାରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ । ପାକିସ୍ତାନ ବିପକ୍ଷରେ ବିଜୟ ପରେ ରୋହିତ ଅଧିନାୟକ ଭାବେ ଏସିଆ କପରେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି ।

ତେବେ ଏହାପୂର୍ବରୁ ରୋହିତଙ୍କ ବ୍ୟତୀତ ଏମଏସ ଧୋନୀ ଓ ମୋଇନ୍ ଖାନ ଅଧିନାୟକ ଭାବେ ଲଗାତର ୬ଟି ମ୍ୟାଚ୍ ଜିତିଥିଲେ । ଯଦି ଭାରତ ହଂକଂକୁ ପରାସ୍ତ କରିଦିଏ ତେବେ ରୋହିତ, ଧୋନୀ ଓ ମୋଇନ୍ ଖାନଙ୍କୁ ପଛରେ ପକାଇଦେବେ । ଗତକାଲିର ମ୍ୟାଚ୍‌ରେ ଆଫଗାନିସ୍ତାନ ବାଙ୍ଗଲାଦେଶକୁ ୭ ଓ୍ବିକେଟରେ ପରାସ୍ତ କରିଛି । ବାଙ୍ଗଲାଦେଶ ୭ ଓ୍ବିକେଟ ହରାଇ ୧୨୭ ରନ୍‌ କରିଥିବା ବେଳେ ୩ ଓ୍ବିକେଟ ହରାଇ ଆଫଗାନିସ୍ତାନ ୧୩୧ ରନ୍‌ କରିଥିଲା ।

ରାଜଧାନୀରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଖାରବେଳ ନଗର ଥାନା ଶାସ୍ତ୍ରୀ ନଗର ଅଞ୍ଚଳରେ ଚାଞ୍ଚଲ୍ୟ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ । ସ୍ୱାମୀଙ୍କ ଅନୁପସ୍ଥିତିରେ କେହି ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅନନ୍ତ ନାରାୟଣ ନାଥ ।

ତେବେ ବେକରେ ଦାଗ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ମୃତ ଶୁଭଶ୍ରୀ ମହାପାତ୍ରଙ୍କ ମରଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ତୁଟିଲା ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦ, ଆଜିଠୁ ଉଠିବ ଅଳିଆ

ଭୁବନେଶ୍ୱର: ତୁଟିଲା ବିବାଦ, ଆଜିଠୁ ଉଠିବ ଅଳିଆ । ୯ ମାସ ପରେ ବିଏମସିର ଅଳିଆ ଭୁବନେଶ୍ୱରରେ ହେବ ପରିଚାଳନା। ଏଥିପାଇଁ ବିଏମସି ନେବ ଆବଶ୍ୟକ ପଦକ୍ଷେପ। ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ବସିବ ସମନ୍ୱୟ ବୈଠକ । ଭୁବନେଶ୍ୱର ମହାନଗର ନିଗମରୁ ନିର୍ଗତ ଅଳିଆର ପରିଚାଳନା ପାଇଁ ପ୍ରତିଷ୍ଠା ହେବ ୪୭ଟି MCC ବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ।

ବର୍ତ୍ତମାନ ସୁଦ୍ଧା ୩୨ଟି କାର୍ଯ୍ୟକ୍ଷମ ଥିବା ବେଳେ ୬ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଖୁବଶୀଘ୍ର ଅବଶିଷ୍ଟ MCC ପ୍ରତିଷ୍ଠା ହେବ। ଲିଖିତ ପ୍ରତିଶ୍ରୁତି ପାଇବା ପରେ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ସାମୟିକ ଭାବେ ଅଳିଆ ପକାଇବାକୁ ଅନୁମତି ଦେଲେ ଦାରୁଠେଙ୍ଗ ପଞ୍ଚାୟତବାସୀ। ଦୀର୍ଘ ୨୦ଦିନ ପରେ ତୁଟିଛି ବିବାଦ। ସମାଧାନ ଦିଗରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲେ ବିଏମସି କର୍ତ୍ତୃପକ୍ଷ ।

ଆଜି ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ । ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଳନ ହେବ ସ୍ୱାୟତ୍ତ ଶାସନ ଦିବସ। ବିଭିନ୍ନ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରିବା ସହ ଲୋକଙ୍କ ସେବା କରିବା ଦିଗରେ ଅଧିକ ସକ୍ରୀୟ ଭୂମିକା ନେବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ। ୩ବର୍ଷ ପରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ୱାରା ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ।

୪ଦିନ ଧରି ଆୟୋଜିତ ହେବ ସ୍ୱାୟତ୍ତ ଶାସନ ଦିବସ । ଆଜି ପ୍ରଥମ ଦିନରେ ବିଏମସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ପରେ ଚିକିତ୍ସାଳୟରେ ଓ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ କରାଯିବ। ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ଭୁବନେଶ୍ୱରର ସମସ୍ତ ୩ଜଣ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ଓ ୨ତାରିଖରେ ବିଭିନ୍ନ ୱାର୍ଡରେ ପ୍ରାୟ ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି ପ୍ରକଳ୍ପ ଜରିଆରେ ରାଜଧାନୀବାସୀଙ୍କୁ ବିଏମସି ଭେଟି ଦେବାକୁ ଯୋଜନା ରଖିଛି । କାର୍ଯ୍ୟକ୍ରମରେ ୪ଜଣ ମନ୍ତ୍ରୀ ଓ ୩ଜଣ ବିଧାୟକ ସାମିଲ ହେବେ । ଏହାସହ ମେଗା ରକ୍ତଦାନ ଶିବିରର ଆୟୋଜନ ସହ ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଏମସି ପକ୍ଷରୁ କର୍ମଚାରୀ ଓ କର୍ପୋରେଟରଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ପ୍ରବଳ ବନ୍ୟାରେ ଉବୁଟୁବୁ ପାକିସ୍ତାନ, ୧୨ ଶହ ଟପିଲାଣି ମୃତ୍ୟୁ ସଂଖ୍ୟା

କରାଚି: ପ୍ରବଳ ବନ୍ୟାରେ ବୁଡିଗଲାଣି ପାକିସ୍ତାନ। ଭୟଙ୍କର ବନ୍ୟାରେ ଧ୍ବଂଶ ବିଧ୍ବସ୍ଥ ହୋଇଗଲାଣି ପାକିସ୍ତାନ । ସାରାଦେଶରେ ମୃତ୍ୟୁ ସଂଖ୍ୟା ୧୨ ଶହ ଟପିଥିବା ବେଳେ ଲୋକଙ୍କର ଜୀବନ ଯାକର ସମ୍ପତ୍ତି ଭାସିଗଲାଣି । ସହାୟତା ନାଁରେ କାଣିଚାଏ ବି ପ୍ରଭାବିତଙ୍କ ପାଖରେ ପହଞ୍ଚିପାରିନାହିଁ । ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଆର୍ଥିକ ସଙ୍କଟ ଭିତରେ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏଭଳି ସ୍ଥିତିର ମୁକାବିଲା କରିବା ଭାରି କାଠିକର ପାଠ ଦେଖାଦେଲାଣି ।

ଲୋକଙ୍କ ପାଖରେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଚଳିତ ମୌସୁମୀରେ ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନରେ ଭୟଙ୍କର ବନ୍ୟା ଦେଖାଦେଇଛି । ଜାତିସଂଘ ପକ୍ଷରୁ ଏନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ଅନ୍ୟ ଦେଶ ମାନଙ୍କୁ ସହାୟତା ପାଇଁ ଅପିଲ୍‌ କରାଯାଇଛି । ପାକିସ୍ତାନରେ ଏଭଳି ସ୍ଥିତି ପାଇଁ ପାଣିପାଗ ପରିବର୍ତ୍ତନର ଭୟଙ୍କର ରୂପକୁ ଦର୍ଶାଇଛନ୍ତି ଜାତିସଂଘର ସଚିବ ଆଣ୍ଟୋନିଓ ଗୁଟ୍ଟେରେସ୍‌ । ଦକ୍ଷିଣ ଏସିଆ କ୍ଲାଇମେଟ କ୍ରାଇସିସର ହଟସ୍ପଟ ପାଲଟିଥିବା ସେ କହିଛନ୍ତି ।

ଏବେ ସମୟ ଆସିଛି ପାଣିପାଗ ପରିବର୍ତ୍ତନକୁ ଗୁରତର ସହ ନିଆଯାଉ ନହେଲେ ଆଜି ପାକିସ୍ତାନ କାଲି ଆଉ କେଉଁ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଧଂସଲୀଳା ଖେଳିବ ବୋଲି ସେ କହିଛନ୍ତି । ପାକିସ୍ତାନରେ ୩ କୋଟିରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପ୍ରତି ସାତ ଜଣରେ ଜଣେ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ସହୁଛି । ବାଲୁଚିସ୍ଥାନରେ ଏମିତି ଗୋଟିଏ ବି ଘର ନାହିଁ ଯାହା ନିରାପଦ ରହିଛି । ସେମାନଙ୍କୁ ଅତିଶୀଘ୍ର ସହାୟତାର ଆବଶ୍ୟକ ରହିଛି ବୋଲି ଜାତିସଂଘର ପକ୍ଷରୁ କୁହାଯାଇଛି ।

ଆଜି ଗଣେଶ ଚତୁର୍ଥୀ, ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ ।  ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ନାନା ରୂପରେ ଅବତିର୍ଣ୍ଣ ହେବେ ପ୍ରଭୁ ଶ୍ରୀ ଗଣେଶ। ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ହେଉଛି ଗଣେଶ ପୂଜା ।

ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ ।

ସର୍ପ ଗଣେଶ, ସିଂହ ଗଣେଶ, ଚକେଲଟ ଗଣେଶ । ଯିଏ ଯେମିତି ସଜାଇଛି ପ୍ରଭୁ ସେମିତି ଶୋଭାବର୍ଦ୍ଧନ କରିବେ । ସ୍କୁଲଠୁ ଆରମ୍ଭ କରି ଗାଁ ଛକ, ବିଭିନ୍ନ ପ୍ରତିଷ୍ଠାନ ଓ ସହରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଗଣେଶ ପୂଜା । ଏଥିପାଇଁ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି ନିଆରା ଭକ୍ତିପୂତ ଉତ୍ସାହ । ଅପରପକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଗଜାନନଙ୍କର ବାଲୁକା ମୂର୍ତ୍ତି । ସେପଟେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନିଆରା ବାଲୁକା କଳା ବେଳାଭୂମିର ଶୋଭାବର୍ଦ୍ଧନ କରୁଛି ।