spot_img
Home Blog Page 4067

ଗୁଜୁରାଟ ଦଙ୍ଗା ମାମଲା: ସମସ୍ତ ମାମଲାର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ଟି ମାମଲା ମଧ୍ୟରୁ ୮ଟି ମାମଲା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ମାମଲା ସହ ସମ୍ବନ୍ଧିତ ଅନେକ ଯାଚିକା ସୁପ୍ରିମକୋର୍ଟରେ ବିଚାରଧୀନ ଥିଲା । ନବନିଯୁକ୍ତ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱାଧୀନ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଛନ୍ତି, ଏତେ ସମୟ ବିତିଯିବା ପରେ ମଧ୍ୟ ଏହି ମାମଲାର ଶୁଣାଣି କରିବାର କୌଣସି କାରଣ ନାହିଁ । ଆବେଦନକାରୀ ମାନେ ମଧ୍ୟ ଏଥିରେ ସମହମତି ଦେଇଛନ୍ତି ।

ସେହିପରି ଅନ୍ୟ ମାମଲାରେ କୋର୍ଟ ସାମାଜିକ କର୍ମୀ ତିସ୍ତା ସୀତଲଭାଡଙ୍କୁ ଜାମିନ ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ ମାମଲା ମଧ୍ୟରୁ ୮ ମାମଲାର ନିମ୍ନ ଅଦାଲତ ରାୟ ଶୁଣାଇ ସାରିଛନ୍ତି । ଏଥିରେ ଜାତୀୟ ମାନବାଧିକାର କମିଶନର ଯାଚିକା ମଧ୍ୟ ସାମିଲ ଅଛି । ଏଥିରେ ଦଙ୍ଗା ସମୟରେ ହୋଇଥିବା ହିଁସାର ତଦନ୍ତ ଦାବି କରାଯାଇଥିଲା । କୋର୍ଟ ଦଙ୍ଗା ପୀଡିତ ଏବଂ ସିଟିଜେନ ଫର୍ ଜଷ୍ଟିସ ଏନଜିଓର ରିଟ ଆବେଦନ ଉପରେ ମଧ୍ୟ ବିଚାର କରିଛନ୍ତି ।

ଏନଜିଓ ୨୦୦୩-୨୦୦୪ରେ ଦାଖଲ କରିଥିବା ଆବେଦନରେ ଦଙ୍ଗାର ଯାଞ୍ଚ ଗୁଜୁରାଟ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା । ସୁପ୍ରିମକୋର୍ଟ ଆଜି ଶୁଣାଣି ସମୟରେ କହିଥିଲେ, କୋର୍ଟ ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠିତ କରିସାରିଛି । ଏଥିମଧ୍ୟରୁ ୮ ମାମଲାର ଟ୍ରାଏଲ ସରିଯାଇଛି । ନରୋଦା ଗାଁ ସହ ସମ୍ବନ୍ଧିତ ମାମଲାର ଶୁଣାଣି ଏବେ ଜାରି ରହିଛି ।

ଖଣ୍ଡପୀଠ କହିଥିଲେ, ପୀଡିତ ପରିବାରର ଓକିଲ ଅପର୍ଣ୍ଣା ଭଟ୍ଟ, ଏଜାଜ ମକବୁଲ ଏବଂ ଅମିତ ଶର୍ମା ମଧ୍ୟ ଏସଆଇଟିର ବୟାନ ସହ ସହମତି ପ୍ରକାଶ କରିସାରିଛନ୍ତି । ଏପରି ସ୍ଥିତିରେ ସବୁ ମାମଲାର କୌଣସି କାରଣ ରହିଯାଇନାହିଁ । ଏଥିପାଇଁ ଅଦାଲତ ଭାବୁଛି ଯେ ଏହି ଆବେଦନଗୁଡିକ ଉପରେ ଆଗକୁ ବିଚାର କରିବାର ଆବଶ୍ୟକତା ନାହିଁ ।

ଏସଆଇଟି ଓକିଲ ମୁକୁଲ ରୋହତାଗୀ କୋର୍ଟଙ୍କୁ କହିଥିଲେ ୯ ମାମଲା ମଧ୍ୟରୁ କେବଳ ନାରୋଦା ଗାଁ ଅଞ୍ଚଳରେ ହୋଇଥିବା ହିଁସା ମାମଲା ବିଚାରଧୀନ ଅଛି ଏବଂ ଏଥିରେ ମଧ୍ୟ ଶେଷ ଦଲିଲ ହିଁ ବାକି ଅଛି । ବାକି ୮ ମାମଲାରେ ଶୁଣାଣି ସରିଛି ଏବଂ ସେଗୁଡିକ ସୁପ୍ରିମକୋର୍ଟ ବା ହାଇକୋର୍ଟରେ ଅପିଲେଟ ଷ୍ଟେଜରେ ଅଛି । କୋର୍ଟ ଏହା ଉପରେ କହିଥିଲେ ଯେ, ଆଇନ ଆଧାରରେ ନରୋଦା ଗାଁ ମାମଲାର ଟ୍ରାଏଲ ଜାରି ରହିବ ।

ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ, ପୀଡିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ବରଗଡ଼: ବରଗଡ଼ ଅମ୍ବାଭୋନାରେ ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା । ପକ୍ସୋ କୋର୍ଟରେ ରାୟ ପ୍ରକାଶ । ଦୋଷୀକୁ ଆଜୀବନ କାରାଦଣ୍ଡ ସହ ପୀଡିତା ନାବାଳିକାଙ୍କୁ ୭ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଗତ ୨୦୧୮ ଜୁନ୍ ୧ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ନାଗେଶ୍ବର ଦାସ ନାବାଳିକାର ବାପାକୁ ହତ୍ୟା ପରେ ଝିଅକୁ ଆକ୍ରମଣ କରି ଅଚେତ କରିଦେଇଥିଲା ।

ପରେ ନାବଳିକା ସହ ଦୁଷ୍କର୍ମ କରିଥିଲା ନାଗେଶ୍ବର । ଦୁଷ୍କର୍ମ ପରେ ନାଗେଶ୍ୱର ଚମ୍ପଟ ମାରିଥିଲା ।  ଏହି ଘଟଣାରେ ପକ୍ସୋ କୋର୍ଟ ୩୪ ଜଣ ସାକ୍ଷ ଗ୍ରହଣ କରିବା ପରେ ଆଜି ରାୟ ଶୁଣାଇଛନ୍ତି । ଦୋଷୀ ନାଗେଶ୍ବର ନାଁରେ ଆଇପିସି ଧାରା 302, 376, 307, 452ରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ଡିଏସପି ନଗେନ୍ଦ୍ର ପ୍ରସାଦ ନାୟକ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ ।

ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିକୁ ନେଇ କେଜ୍ରିୱାଲ ସରକାର ହରଡଘଣାରେ ପଡ଼ିଛନ୍ତି । ବିଜେପି ଲଗାତାର ସରକାରଙ୍କୁ ଏନେଇ ଟାର୍ଗେଟ କରିଆସିଛି । ଅନ୍ୟପକ୍ଷରେ ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ମଧ୍ୟ ଅବକାରୀ ନୀତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । କେଜ୍ରିୱାଲଙ୍କୁ ଚିଠି ଲେଖି ଭର୍ତ୍ସନା କରିଛନ୍ତି । ଆନ୍ନା ହଜାରେ ଚିଠି ଲେଖି କହିଛନ୍ତି, ସେ ଦିଲ୍ଲୀରେ ମଦ ଦୋକାନଗୁଡିକୁ ବନ୍ଦ କରିଦିଅନ୍ତୁ ।

ଅରବିନ୍ଦ କେଜ୍ରିୱାଲ ସ୍ୱରାଜ ପୁସ୍ତକରେ ବଡ଼ ବଡ଼ କଥା କହିଥିଲେ, କିନ୍ତୁ ତାଙ୍କ ଆଚରଣରେ ଏହାର ପ୍ରଭାବ ଦେଖାଯାଉନାହିଁ । ସ୍ୱରାଜ ପୁସ୍ତକ ପାଇଁ ଆପଣଙ୍କ ଉପରେ ଲୋକମାନଙ୍କ ଭରସା କରିଥିଲେ । କିନ୍ତୁ ରାଜନୀତିକୁ ଯାଇ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ଆଦର୍ଶ ଆଚରଣକୁ ଭୁଲିଯାଇଛନ୍ତି । ଯେଉଁଭଳି ମଦ ନିଷା ହୋଇଥାଏ, ସେହିଭଳି କ୍ଷମତାର ମଧ୍ୟ ନିଶା ଥାଏ । ଆପଣ ମଧ୍ୟ ଏହିଭଳି ନିଶାରେ ଡୁବିଯାଇଛନ୍ତି ।

ଏହି କାରଣରୁ ଦିଲ୍ଲୀରେ ଆପଣଙ୍କ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ଏପରି ଲାଗୁଛି ଯେ ନୂଆ ନୀତି ଦ୍ୱାରା ମଦ ର ବିକ୍ରି ଏବଂ ମଦ ପିଇବାକୁ ଉତ୍ସାହିତ କରାଯଉଛି । ନୂଆ ମଦ ନୀତି ଦ୍ୱାରା ପ୍ରତି ଗଳିରେ ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହାଫଳରେ ଦୁର୍ନୀତି ଆହୁରି ବୃଦ୍ଧି ପାଇବ । ଏହା ଜନତାଙ୍କ ହିତରେ ନୁହେଁ । ଐତିହାସିକ ଆନ୍ଦୋଳନକୁ କ୍ଷତି ପହଞ୍ଚାଇ ଯେଉଁ ଦଳ ଗଠିତ ହୋଇଥିଲା ।

ସେ ମଧ୍ୟ ଅନ୍ୟ ଦଳ ରାସ୍ତାରେ ଯାଉଛି । ବଡ଼ ଦୁଃଖର କଥା ବୋଲି ଆନ୍ନା ହଜାରେ କହିଛନ୍ତି । ସୂଚନାଥାଉକି ବିଜେପି ଲଗାତାର ନୂଆ ମଦ ନୀତିକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଆସିଛି । ନୂଆ ମଦ ନୀତି ସରକାରଙ୍କ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଲାଭ ଦେବା ପାଇଁ କରାଯାଇଛି ବୋଲି ଅଭିଯୋଗ କରିଥିଲା ବିଜେପି ।

୩୦ ହଜାର ଲାଞ୍ଚ ନେବା ବେଳେ ଡିଏସପିଙ୍କୁ ଧରିଲା ଭିଜିଲାନ୍ସ ଟିମ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ୩ଟି କୋଇଲା ବୋଝେଇ ଟ୍ରକରୁ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିଲେ ବାବୁ । ଆହୁରି ଅର୍ଥ ଦାବି କରିଥିଲେ ।

ଟ୍ରକ୍ ମାଲିକ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଟ୍ରାପ୍ କରିଛି । ଆଜି ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ଧରାପଡିଛନ୍ତି ଢେଙ୍କାନାଳ ଡିଏସପି ଅଭିନବ ଡାଳୁଆ । ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଭିଜିଲାନସ ଡିଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀଙ୍କ ନେତୃତ୍ଵରେ ୧୧ ଜଣିଆ ଟିମ ସଦର ଥାନା ଓ ଅମଲାପଡ଼ା ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଛି ।

ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜଟଣୀ ରାମଚନ୍ଦ୍ରପୁରର ଘର, ଢେଙ୍କାନାଳର ୪ଟି ସ୍ଥାନରେ ଚାଲିଛି ରେଡ୍ । ବାଲେଶ୍ବରର ପୈତୃକ ଘର, କେନ୍ଦୁଝର ସ୍ଥିତ ଶ୍ବଶୁର ଘରେ ଚାଲିଛି ଚଢ଼ାଉ । କଟକ ଜିଲ୍ଲା ନରସିଂହପୁରରେ ଥିବା ଘରେ ଚାଲିଛି ରେଡ୍ । ରେଡରେ ୮ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି , ୯ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । କୋଇଲା ବୋଝେଇ ଟ୍ରକ ପାର କରିବାକୁ ଟ୍ରକ ମାଲିକ ମାନଙ୍କୁ ଧମକାଇ ଲାଞ୍ଚ ନେଉଥିଲେ ଡିଏସପି ଡାଳୁଆ । ଡିଏସପି ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଦାୟିତ୍ବରେ ଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼୍ଡ଼ାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି । ବିଜେପି ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ରହିଛି । ତେଣୁ ଜେପି ନଡ଼ାଙ୍କ ପରେ ସେ ଦଳର ମଙ୍ଗ ଧରିବେ । ବିଜେପିର ପ୍ରଭାବଶାଳୀ ନେତାଭାବେ ନିଜର ଦକ୍ଷତା ଦେଖାଇଥିବା ଧର୍ମେନ୍ଦ୍ର ପ୍ରଧାନ ଅନେକ ସମୟରେ ଦଳର କ୍ରାଇସିସ୍ ମ୍ୟାନେଜର ଭାବେ ଉଭା ହୋଇ କାମ କରିଛନ୍ତି ।

ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟରେ ଦାୟିତ୍ବ ନେଇ ସେ ଦଳକୁ ସଫଳତା ଆଣି ଦେଇଛନ୍ତି । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, କଣ୍ଣାଟକର ଦାୟିତ୍ବ ନେଇ ସେ ନିଜର ଦକ୍ଷତା ଦେଖାଇଛନ୍ତି । ଏମିତିକି ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ କୋର ଟିମରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବେଶ ପ୍ରଭାବ ରହିଛି । ଦଳର ଯେଉଁ କେତେଜଣ ପ୍ରଭାବଶାଳୀ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ।

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରି ଦଳର ବିଭିନ୍ନ ଦାୟିତ୍ବ ତୁଲାଇବା ସହ ଦୁଇଥର କେନ୍ଦ୍ରମନ୍ତ୍ରୀ ଭାବେ ଦାୟି୍ତ୍ବ ସଫଳତାର ସହ ତୁଲାଇଛନ୍ତି ଆଜିଯାଏ । ଓଡ଼ିଶା ବିଜେପି ରାଜନୀତିରେ ମଧ୍ୟ ତାଙ୍କର ବେଶ ପ୍ରଭାବ ରହିଛି । ସାଂଗଠନିକ ଦକ୍ଷତା ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଭ୍କ ବିଶ୍ସ୍ତ ହୋଇଥିବା ଧମେର୍ନ୍ଦ୍ର ପ୍ରଧାନ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଚର୍ଚ୍ଚାକୁ ରାଜ୍ୟ ବିଜେପି ନେତାମତ ରଖିଛନ୍ତି ।

ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ୍‌ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସେ ଉପରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସବୁ ସମୟରେ ସଂସଦରେ ଏକ ଶୃଙ୍ଖଳିତ ଦଳ ଭାବେ କାର୍ଯ୍ୟ କରୁଛି ।

ଉପରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ଆଚରଣକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉପରାଷ୍ଟ୍ରପତିଙ୍କୁ ଆଶ୍ବାସନା ଦେଇଥିଲେ ଯେ ରାଜ୍ୟସଭାରେ ବିଜେଡି ଶୃଙ୍ଖଳିତ ଗୃହ ପରିଚାଳନାରେ ସହଯୋଗ କରିବ ।

ସଂସଦରେ ଓଡିଶା ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦଳ ଆଲୋଚନା ଓ ବିତର୍କକୁ ଗୁରୁତ୍ବ ଦେବ ବୋଲି ସେ କହିଛନ୍ତି । ସସ୍ମିତ ସାଢେ ଚାରି କୋଟି ଓଡିଶାଙ୍କ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନ ଏବଂ କାର୍ଯ୍ୟ ଉପରେ ଆଧାରିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍’ ଉପରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ ।

ତୁଟିବ ଭୁଆଶୁଣୀ ଡମ୍ପିଂୟାର୍ଡ ବିବାଦ, ବୈଠକରେ ବିଏମସିକୁ ୯ ମାସର ମହଲତ

ଭୁବନେଶ୍ୱର: ଭୁଆଶୁଣୀ ଡମ୍ପିଂୟାର୍ଡ ବିବାଦ ପ୍ରସଙ୍ଗରେ ବସିଥିବା ବୈଠକ ଶେଷ । ବିଏମ୍‌ସିକୁ ୯ମାସର ମହଲତ ଦିଆଯାଇଛି । ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯିବ । ଏହାପରେ ଆଜି ସନ୍ଧ୍ୟା ସୁଦ୍ଧା ଅଳିଆ ଉଠିବ । ଆଲୋଚନା ସଫଳ ହୋଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ବିଏମସି ୯ମାସର ସମୟ ମାଗିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଆରମ୍ଭ ହେବ । ବିବାଦ ସମାଧାନ ପାଇଁ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସମସ୍ୟାର ସମାଧାନ ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଓ ମନ୍ତ୍ରୀ ଉଷା ଦେବୀଙ୍କ ହସ୍ତକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ୩ ସପ୍ତାହରୁ ଅଧିକ ସମୟ ଧରି ଭୁଆଶୁଣୀ ଡମ୍ପିଂୟାର୍ଡ ନେଇ ଅଚଳାବସ୍ଥା ଲାଗି ରହିଛି ।

ଝାଡ଼ଖଣ୍ଡ ସଙ୍କଟ: ରାଞ୍ଚିରୁ ରାୟପୁର ସିଫ୍ଟ ହେଉଛନ୍ତି ମେଣ୍ଟ ବିଧାୟକ

ରାଞ୍ଚି: ଝାଡ଼ଖଣ୍ଡ ରାଜନୈତିକ ସଙ୍କଟ ମଧ୍ୟରେ ମେଣ୍ଟ ଦଳର ବିଧାୟକମାନଙ୍କୁ ରାୟପୁର ନିଯାଉଛି । ଘୋଡ଼ା ବେପାର ଭୟରେ ମେଣ୍ଟ ଦଳ ଚିନ୍ତାରେ ଅଛନ୍ତି । ଗୋଟିଏ ପଟେ ବିଜେପି ଅପରେଶନ ଲୋଟସ୍ ଚଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କୁ ନେଇ ଏକ ହୋଟେଲକୁ ଯାଇଥିଲେ । ଘୋଡ଼ା ବେପାରକୁ ଦୃଷ୍ଟିରେ ରଖି ସନ୍ଧ୍ୟାରେ ବିଧାୟକମାନେ କଂଗ୍ରେସ ଶାସିତ ଛତିଶଗଡର ରାଜଧାନୀ ରାୟପୁର ଯିବେ ।

ରାଞ୍ଚି ବିମାନବନ୍ଦରରେ ଏଥିନେଇ ଚଳଚଞ୍ଚଳ ଦେଖାଦେଇଛି । ତିନୋଟି ଗାଡ଼ିରେ ବିଧାୟକମାନଙ୍କ ଜିନିଷ ବିମାନବନ୍ଦରରେ ପହଞ୍ଚିଛି । ସନ୍ଧ୍ୟା ସାଢ଼େ ୪ ଟା ସମୟରେ ବିଧାୟକ ରାଞ୍ଚିରୁ ରାୟପୁର ଅଭିମୁଖେ ବାହାରିବେ । ଏହା ପୂର୍ବରୁ ଅପରାହ୍ନ ସାଢ଼େ ୧୨ ଟା ସମୟରେ ସମସ୍ତ ବିଧାୟକ ଓ ମନ୍ତ୍ରୀ ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ଭବନ ପହଞ୍ଚିଥିଲେ । କୁହାଯାଉଛି ଏଠାରୁ ବସ ଜରିଆରେ ବିଧାୟକଙ୍କୁ ବିମାନବନ୍ଦର ନିଆଯିବ । ବିଧାୟକମାନଙ୍କୁ ବସ୍ ଜରିଆରେ ନୂଆ ରାୟପୁରର ମେଫେୟାର ରିସର୍ଟ ନିଆଯିବ ।

ତେବେ ସନ୍ଧ୍ୟା ସାଢ଼େ ୫ ଟା ସୁଦ୍ଧା ବିଧାୟକମାନେ ରାୟପୁରରେ ପହଞ୍ଚିବେ ବୋଲି କୁହାଯାଉଛି । ମେଫେୟାର ରିସର୍ଟରେ ୩୦ ଏବଂ ୩୧ ତାରିଖ ପାଇଁ ବୁକିଂ କରାଯାଇଛି । ତେବେ ରାୟପୁର ଯାଉଥିବା ମେଣ୍ଟ୩୨ ବିଧାୟକମାନଙ୍କ ମଧ୍ୟରେ କଂଗ୍ରେସର ୧୨, ଜେଏମଏମର ୧୯ ଏବଂ ଆରଜେଡିର ଜଣେ ବିଧାୟକ ସାମିଲ ଅଛନ୍ତି । ସୂଚନାଥାଉକି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଫିସ୍ ଅଫ ପ୍ରଫିଟ ମାମଲାରେ ଫଶିଛନ୍ତି । ନିର୍ବାଚନ କମିଶନ ତାଙ୍କ ବିଧାୟକ ସଦସ୍ୟତା ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି । ଏହାପରେ ତାଙ୍କ ରାଜନୈତିକ କ୍ୟାରିଅର ଉପରେ ଖଣ୍ଡା ଝୁଲୁଥିବା ଦେଖାଯାଇଛି ।

ଗୁଲାମନବୀଙ୍କ ସମର୍ଥନରେ କଂଗ୍ରେସରୁ ଇସ୍ତଫା ଦେଲେ ୫୧ ନେତା

ନୂଆଦିଲ୍ଲୀ: କଂଗ୍ରେସକୁ ଆଜାଦଙ୍କ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ଜାମ୍ମୁ କାଶ୍ମୀରର ୫୧ ନେତା । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡ଼ିବା ପରେ ତାଙ୍କ ସମର୍ଥକମାନେ ଦଳରୁ ଇସ୍ତଫା ଦେଇଛନ୍ତି । ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପୂର୍ବତମ ମନ୍ତ୍ରୀ ଅବଦୁଲ ମଜିଦ ଓ୍ବନି, ମନୋହରଲାଲ ଶର୍ମା, ଘରୁରାମ ଓ ପୂର୍ବତନ ବିଧାୟକ ବଲଓ୍ବନ ସିଂଙ୍କ ସମେତ ୫୧ଜଣ ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି ।

ତେବେ ସେମାନେ ବିଜେପିରେ ସାମିଲ ହେବେ ନାହିଁ । ଗୁଲାମ ନବୀଙ୍କ ନୂଆ ଦଳରେ ସାମିଲ ହେଇ ନିର୍ବାଚନ ଲଢ଼ିବେ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି । ୫୧ନେତା ଏକକାଳୀନ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ସୂଚନାଥାଉକି ଗତ ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଥିଲେ ।

ଇସ୍ତଫା ଦେବା ସହ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ । କହିଥିଲେ ରାହୁଲ ଦଳର କୌଣସି ପଦବୀରେ ନଥିଲେ ମଧ୍ୟ ଦଳର ସବୁ କାର୍ଯ୍ୟରେ ମୁଣ୍ଡ ପୁରାଉଛନ୍ତି । ରାହୁଲଙ୍କ ପିଲାଳିଆମି ପାଇଁ ଦଳ ଧୀରେ ଧୀରେ ତଳକୁ ଖସୁଛି । ତେବେ ଆଜାଦ ଖୁବଶୀଘ୍ର ଜାତୀୟ ସ୍ତରୀୟ ଦଳ ଜମ୍ମୁକାଶ୍ମୀରରୁ ଲଞ୍ଚ୍ କରିବେ ବୋଲି କହିଥିଲେ ।

ଲିକର ସ୍କାମରେ ଲକର ଯାଞ୍ଚ, ନିଜକୁ କ୍ଲିନ ଚିଟ୍‌ ଦେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ସିସୋସିଆଙ୍କ ଲକର ଯାଞ୍ଚ ଶେଷ । ଲିକର ସ୍କାମ ମାମଲାରେ ଯାଞ୍ଚ ପରେ ନିଜକୁ କ୍ଲିନ ଚିଟ୍ ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଘରେ ଯାଞ୍ଚ ବେଳେ ସିବିଆଇକୁ କିଛି ମିଳି ନଥିବା ବେଳେ ଲକର ଯାଞ୍ଚରେ ବି ସିବିଆଇ ଟିମକୁ ଖାଲି ହାତରେ ଫେରିବାକୁ ପଡ଼ିଛି ବୋଲି ସିସୋଦିଆ କହିଛନ୍ତି । ମୁଁ ଓ ପରିବାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲୁ । ସତ୍ୟର ସବୁବେଳେ ଜୟ ବୋଲି ସିସୋଦିଆ ଗଣମାଧ୍ୟମକୁ କହିଛନ୍ତି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଥିବା ବେଳେ ଆଜି ତାଙ୍କ ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲା । ଗାଜିଆବାଦ ସେକ୍ଟର ୪ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଲକର ଯାଞ୍ଚ କରିଥିଲା ଟିମ୍ । ଦିଲ୍ଲୀରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ବିରୋଧ କରି ଦାଏର ମାମଲାରେ ଅଭିଯୁକ୍ତ ରହିଛନ୍ତି ସିସୋଦିଆ ।

ଏହି ମାମଲାରେ ପୂର୍ବରୁ ଅବକାରୀ କମିସନରଙ୍କ ଆବାସ ସମେତ ୨୧ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଉପରାଜ୍ୟପାଳଙ୍କ ବିନା ଅନୁମତିରେ ନୂଆ ନୀତି ଲାଗୁ କରାଯାଇଥିବା ବେଳେ ଏଥିରେ ଅନେକ ଅଯୋଗ୍ୟଙ୍କୁ ଲାଇସେନ୍ସ ଦିଆଯାଇଥିବା ଜାଣିପାରିଛି । ଦିଲ୍ଲୀରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ବିରୋଧ କରି ସିବିଆଇ ଯାଞ୍ଚ କରିବାକୁ ଦାବି କରିଥିଲେ ଉପରାଜ୍ୟପାଳ । ସେପଟେ ଉପରାଜ୍ୟପାଳଙ୍କ ଇସ୍ତଫା ଦାବି କରି ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।