spot_img
Home Blog Page 4068

ଲାଞ୍ଚ ନେଇ ଗିରଫ ହେଲେ ଘଟଗାଁ ବିଇଓ, ବକେୟା ଦରମା ପାଇଁ ମାଗିଥିଲେ ୯୦ ହଜାର ଟଙ୍କା ଲାଞ୍ଚ

କେନ୍ଦୁଝର: ଲାଞ୍ଚନେଇ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଏଜୁକେସନ ଅଫିସର ଅଭୟ କୁମାର ବେହେରା । ୨୦୧୫ ବ୍ୟାଚର ୩୩ ଜଣ ଶିକ୍ଷକଙ୍କ ବକେୟା ଦରମା ଦେବା ପାଇଁ ୯୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଇଓ । ୬୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା । ଜଣେ ସହକାରୀ ଶିକ୍ଷକଙ୍କଠାରୁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏହା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଗାଁ ବିଇଓ କାର୍ଯ୍ୟାଳୟ ସମେତ ଯାଜପୁର୍ ଟାଉନ୍ ଏବଂ ବିଂଝାରପୁରରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ | ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡିଏସପି ଏସକେ ସାମନ୍ତରାୟଙ୍କ ନେତୃତ୍ୱରେ ତିନିଜଣ ଇନସ୍ପେକ୍ଟରଙ୍କ ସହିତ ମିଳିତ ଚଢ଼ାଉ ଚାଲିଛି । ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି ।

ବିଶ୍ୱର ତୃତୀୟ ଧନୀ ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ:ବିଶ୍ୱର ତୃତୀୟ ଧନୀ ଭାବରେ ସ୍ଥାନ ପାଇଛନ୍ତି ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ । ସେ ଫ୍ରାନ୍ସର ବନାଡ୍ ଆଲନଙ୍କୁ ଅତିକ୍ରମ କରି ବିଶ୍ୱର ତୃତୀୟ ଧନୀ ଭାବରେ ପରିଗଣିତ ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସର ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଜଣେ ଏସୀଆ ମହାଦେଶର ବ୍ୟକ୍ତି ସ୍ଥାନୀତ ହେବାର ଏହା ହେଉଛି ପ୍ରଥମ ଘଟଣା । ଚୀନ୍ ’ଅଲିବାବା ଗ୍ରୁପ୍’ର ଚେୟାରମ୍ୟାନ ଜାକ୍ ମା ଓ ମୁକେଶ ଅମ୍ବାନୀଙ୍କ ଭଳି ଧନୀ ମଧ୍ୟ ଶ୍ରେଷ୍ଠ ୩ ଜଣ ଧନୀଙ୍କ ମଧ୍ୟରେ କେବେ ଆସିନାହାନ୍ତି ।

ଗୌତମ ଆଦାନୀଙ୍କ ଉପରେ ଏବେ ଆମେରିକାର ଏଲନ ମସ୍କ ଓ ଜେଫ୍ ବେଜସ ରହିଛନ୍ତି । ଦେଶର ଶ୍ରେଷ୍ଠ ବନ୍ଦର ଅପରେଟର ଓ କୋଇଲା ବ୍ୟବସାୟ ସଂସ୍ଥାନ ’ଆଦାନୀ ଗ୍ରୁପ’ର ସହ ସଂସ୍ଥାପକ ହେଉଛନ୍ତି ଗୌତମ ଆଦାନୀ । ଆଦାନୀଙ୍କ ବ୍ୟତୀତ ୯୧.୯ ବିଲିୟନ ଡଲାର ସମ୍ପତ୍ତି ସହ ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ’ର ୧୧ ତମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ।

ଚମକିଲେ ଓଡ଼ିଆ ପୁଅ, ଅଣ୍ଡର-୧୯ କ୍ରିକେଟ ଟିମରେ ରାୟଗଡ଼ାର ମାନସ ଖରା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରର ପୁଅ, ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଜୁନିଅର ଟିମରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ପଞ୍ଚାଲି ଗାଁ’ର ମାନସ ଖରା । ଶ୍ରୀଲଙ୍କା ସହିତ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ମାନସଙ୍କୁ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଚୟନ କରିଛି । ମାନସ ଏବେ ହାଇଦ୍ରାବାଦରେ ରହି ଅଭ୍ୟାସ କରୁଛନ୍ତି ।

୧୫ ଅକ୍ଟୋବରରୁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଆରମ୍ଭ ହେବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ଜୁନିଅର ଟିମରେ ସ୍ଥାନ ପାଇଥିବାରୁ ମାନସ ଖୁସି ପ୍ରକାଶ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି ।

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ, ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ

ଭୁବନେଶ୍ୱର: ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବନ୍ୟା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଚଳିତ ବନ୍ୟାରେ ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟା ଓ ବର୍ଷାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲାର ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା ଓ ପ୍ରବଳ ବର୍ଷାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଅଧିକ ଚାଷଜମିରେ ଫସଲ ନଷ୍ଟ ହୋଇଛି ରିପୋର୍ଟରେ ଦର୍ଶାଯାଇଛି । ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷଜମିରେ ଫସଲ କ୍ଷତି ହୋଇଛି । ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ, ଦ୍ୱାଦଶ ଓ JEEରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ବିଭାଗରେ ବିଭକ୍ତ କରାଯାଇଥିବା ୟଙ୍ଗ ଚାମ୍ପିଅନଙ୍କ ସଫଳତାର ଷ୍ଟୋରୀ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ  । ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । JEE ମେନରେ ଟପ୍ପର ହୋଇଥିବା ୧୦ ଛାତ୍ରଛାତ୍ରୀ, ଦ୍ବାଦଶ ଶ୍ରେଣୀରେ ୯୫ ପ୍ରତିଶତ ଉପରେ ରଖିଥିବା ୫ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ।

ସେହିପରି ଦଶମ ଶ୍ରେଣୀରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ୨ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଓ 5T ସଚିବ । ଛାତ୍ରଛାତ୍ରୀଙ୍କୁ ଆଗକୁ ଆହୁରି ଭଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଦେଶରେ ବଢ଼ୁଛି ଆତ୍ମହତ୍ୟା ମାମଲା, ପ୍ରେମ ପାରିବାରିକ ସମସ୍ୟା ହିଁ ମୁଖ୍ୟ କାରଣ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଆତ୍ମହତ୍ୟା ମାମଲା । ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା । ୨୦୨୧ରେ ଦେଶରେ ୧ ଲକ୍ଷ ୬୪ ହଜାର ୦୩୩ ଜଣ ଆତ୍ମହତ୍ୟା କରିଛନ୍ତି । ୫ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ୫୦ ପ୍ରତିଶତରୁ ଅଧିକ ଆତ୍ମହତ୍ୟା ହୋଇଛି ବୋଲି ଏନସିଆରବି ରିପୋର୍ଟ ଜଣାପଡ଼ିଛି । ରିର୍ପୋଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ମହାରାଷ୍ଟ୍ର ପରେ ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୨୧ରେ ପ୍ରତି ୧ ଲକ୍ଷରେ ୧୨ ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣା ପଡ଼ିଛି । ଚାକିରି, କ୍ୟାରିୟର, ଏକଲାପଣ, ପରିବାରରେ ବିବାଦ, ନିର୍ଯାତନା, ହିଂସା, ମାନସିକ ଅସୁସ୍ଥତା, ନିଶା, ଆର୍ଥିକ ସଙ୍କଟ ଏବଂ ଦୀର୍ଘଦିନ ଧରି ଯନ୍ତ୍ରଣା ଆତ୍ମହତ୍ୟାର କେତେକ ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି ।

NCRB ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୦୭ ଆତ୍ମହତ୍ରା ହୋଇଥିବାବେଳେ ତାମିଲନାଡୁରେ ୧୮ ହଜାର ୯୨୫, ମଧ୍ୟପପ୍ରଦେଶରେ ୧୪ ହଜାର ୯୬୫, ପଶ୍ଚିମବଙ୍ଗରେ ୧୩ ହଜାର ୫୦୦, କର୍ଣ୍ଣାଟକରେ ୧୩ ହଜାର ୦୫୬ ଆତ୍ମହତ୍ୟା ମାମଲା ରହିଛି । ସେହିପରି ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶରେ ଆତ୍ମହତ୍ୟା ପ୍ରତିଶତ କମ୍ ରହିଛି । ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ସର୍ବାଧିକ ୨,୮୪୦ ଆତ୍ମହତ୍ୟା ମାମଲା ଥିବାବେଳେ ପୁଡୁଚେରୀରେ ୫୦୪ ଆତ୍ମହତ୍ୟା ମାମଲା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ଚାଷୀଙ୍କୁ ମିଳିବ କାଳିଆ ସହାୟତା । ୮ ଶହ ୬୯ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ । କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ କିଛି ଭୂମିହୀନଙ୍କୁ ମିଳିବ କାଳିଆ ସହାୟତା ରାଶି । ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା ।

ଫସାଇଲା ଦୁଇ ବର୍ଷ ତଳର ବିବାଦୀୟ ଟୁଇଟ୍, ପୁଣି ବନ୍ଧା ହେଲେ କେଆରକେ

ନୂଆଦିଲ୍ଲୀ: ଫସାଇଲା ଦୁଇ ବର୍ଷ ତଳର ବିବାଦୀୟ ଟୁଇଟ୍ । ପୁଣି ବନ୍ଧା ହେଲେ ହିନ୍ଦୀ ଫିଲ୍ମ ଅଭିନେତା କେଆରକେ । ୨୦୨୦ରେ କରିଥିବା ଏକ ଟୁଇଟକୁ ନେଇ କେଆରକେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ମୁମ୍ବାଇର ମଲାଡ ପୋଲିସ । ସୋସିଆଲ ମିଡିଆରେ ଧର୍ମକୁ ନେଇ ବିବାଦୀୟ ବୟାନ ରଖିଥିଲେ କେଆରକେ । ୨୦୨୦ରେ ଏ ନେଇ ଯୁବ ସେନା ସଦସ୍ୟ ରାହୁଲ କନାଲ କେଆରକେଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରିଥିଲା ।

ଏହାଛଡ଼ା ଟ୍ବିଟରେ ଦିବଂଗତ ଅଭିନେତା ଋଷି କାପୁର ଓ ଇରଫାନ ଖାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ରଖିଥିଲେ । ଏୟାରପୋର୍ଟରେ କେଆରକେଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । କିଛି ସମୟ ପରେ ତାଙ୍କୁ ବୋରିବଲି କୋର୍ଟରେ ହାଜର କରାଯିବ । ପୂର୍ବରୁ ମଧ୍ୟ ବିବାଦୀୟ ଟ୍ବିଟକୁ ନେଇ ଗିରଫ ହୋଇଛନ୍ତି କେଆରକେ । ସଲମାନ ଖାନ ଓ ମନୋଜ ବାଜପେୟୀଙ୍କ ନାମରେ ଅପମାନଜନକ ବୟାନ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ଭୁଆଶୁଣି ଡମ୍ପିଂୟାର୍ଡ ପ୍ରସଙ୍ଗରେ ଆଜି ଲୋକସେବା ଭବନରେ ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଭୁଆଶୁଣି ଡମ୍ପିଂୟାର୍ଡ ବିବାଦ ପ୍ରସଙ୍ଗରେ ଆଜି ହେବ ଚୂଡାନ୍ତ ନିଷ୍ପତ୍ତି । ବିବାଦର ସମାଧାନ ପାଇଁ ଆଜି ଲୋକସେବା ଭବନରେ ବସିବ ଉଚ୍ଚସ୍ତରୀୟ ବୈଠକ । ଆୟୋଜିତ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଉପସ୍ଥିତ ରହିବେ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି । ଏହି ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ।

୩ ସପ୍ତାହରୁ ଅଧିକ ଦିନ ଧରି ଅଚଳ ପଡ଼ିଛି ଭୁଆଶୁଣି ଡମ୍ପିଂୟାର୍ଡ । ବିବାଦର ସମାଧାନ ହେଲେ ସୁଧୁରିବ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା । ଦିନକ ପରେ ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ । ଆଜି ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି ବୋଲି କୁହାଯାଉଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧନ ପାଇଁ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଥିଲେ ଦାରୁଠେଙ୍ଗ ସରପଞ୍ଚ ଓ ଜଟଣୀ ବିଧାୟକ ।

ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ୨ ମତ୍ସ୍ୟଜୀବୀ, ଜଣେ ମୃତ

ଧାମରା: ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ୨ ମତ୍ସ୍ୟଜୀବୀ । ଜଣେ ମୃତ, ଅନ୍ୟଜଣେ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ଧାମରା ନିକଟ କରଞ୍ଜମାଳ ପଞ୍ଚାୟତର ୨ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଉଚ୍ଚ ଜୁଆର ମାଡରେ ଭାସିଯାଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ସମୁଦ୍ରକୁ ମାଛ ମାରିବାକୁ ଧାନକୁଟାର ଲକ୍ଷ୍ମୀଧର ଦାସ ଓ ପ୍ରଶାନ୍ତ ଦାସ ଯାଇଥିଲେ । ସେ ନିକଟସ୍ଥ ବଙ୍ଗୋପସାଗରକୂଳଠାରୁ କିଛି ଦୂରରେ ବେଢ଼ ଜାଲ ମାରିଥିଲେ ।

ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚ ଜୁଆରରେ ଲକ୍ଷ୍ମୀଧର ଦାସ ଭାସି ଯାଇଥିଲେ । ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ସଙ୍ଗେସଙ୍ଗେ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ। ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ । ଧାମରା ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ବି ଅଶାନ୍ତ ସମୁଦ୍ର ଯୋଗୁ ପାଣିକୁ ଯାଇନଥିଲେ । ପରେ ସ୍ଥାନୀୟ ଲୋକ ଲକ୍ଷ୍ମୀଧରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସେପଟେ ପାଣିରେ ବୁଡି ଶ୍ୱାସ ରୁଦ୍ଧ ହୋଇଥିବା ପ୍ରଶାନ୍ତଙ୍କୁ ଚିକିତ୍ସା କରିବା ପାଇଁ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।