spot_img
Home Blog Page 4073

ବଲାଙ୍ଗୀର ଧୂମାମରା ଜମି କେଳେଙ୍କାରୀ ମାମଲା, ରେକର୍ଡ କିପରକୁ ରାତି ଅଧିଆ ଉଠାଇ ନେଲା ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ଧୂମାମରା ଜମି କେଳେଙ୍କାରୀ ଘଟଣା । ତହସିଲ କାର୍ଯ୍ୟାଳୟ ରେକର୍ଡ କିପର ମକରଧ୍ୱଜ କାଳସାଏକୁ ରାତିରେ ଟେକିନେଲା ସଦର ଥାନା ପୋଲିସ । ଥାନାରେ ଜମି ଠକେଇ ନେଇ ପଚାରଉଚୁରା କରୁଛି ପୋଲିସ । ଧୁମାମରା ଗାଁର ମୃତ ହର୍ଷ ଷାଣ୍ଢଙ୍କ ଜମି ଚଞ୍ଚକତା କରି ଜମି ମାଫିଆ ମାଧବ ପୃଷ୍ଟି ଉତ୍ତମ ନାଗକୁ ଢାଲ କରି ମୂଲ୍ୟବାନ୍ ଦେଢ଼ ଏକର ଜମି ସ୍ତ୍ରୀ ଲବଣି ପୃଷ୍ଟି ନାଁରେ କରିଦେଇଥିଲେ । ଏନେଇ ମୃତ ଜମି ମାଲିକ ହର୍ଷ ଷାଣ୍ଢଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ସଦର ଥାନା ପୋଲିସ ମୋଟ ୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ତିନି ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ଏହି ଜମି କେଳେଙ୍କାରୀ ଘଟଣାରେ ତହସିଲଦାର, ପୂର୍ବତନ ସବ୍ ରେଜିଷ୍ଟାର ପଦ୍ମନାଭ ପୁରୋହିତଙ୍କ ସମେତ ବହୁ ଅଧିକାରୀ, କର୍ମଚାରୀ ପୋଲିସ ସ୍କାନରରେ ଅଛନ୍ତି ।

ରାଜଧାନୀରେ ପୁଣି ରାଗିଂ, ମଦ ପିଇବାକୁ ଟଙ୍କା ନଦେବାରୁ ମାଡ଼ ମାରିଲେ ୩ ସିନିୟର

ଭୁବନେଶ୍ୱର: ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବେସିକ ସାଇନ୍ସ କଲେଜରେ ରାଗିଂକୁ ନେଇ ଏତଲା । ଖଣ୍ଡଗିରି ଥାନାରେ ଏତଲା ଦେଲେ ଛାତ୍ର ସୋମନାଥ ସେଠୀ । ସୋମନାଥ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର । ୩ ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାରିଥିବା ଅଭିଯୋଗ ହୋଇଛି । ମଦ ପିଇବାକୁ ଟଙ୍କା ନଦେବାରୁ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଅଧ ଘଣ୍ଟା ବସ ଉଠ କରାଇବା ଭଳି ସାଙ୍ଘାତିକ ଅଭିଯୋଗ ରହିଛି । ସୋମନାଥଙ୍କ ଶରୀରରେ ଲାଗିଛି ଗଭୀର ଆଘାତ ।

ଏଗ୍ରିକଲଚର ବିଭାଗ ପିଲା ବେସିକ ସାଇନ୍ସ ପିଲାକୁ ମାରିଥିବା ଅଭିଯୋଗ ହୋଇଛି । ସିନିୟରଙ୍କ ସହ ଏଗ୍ରିକଲଚର ଓ ପାସ୍ ଆଉଟ ପିଲା ମଧ୍ୟ ଥିବା ସୂଚନା ମିଳିଛି । ତେବେ ସୋମନାଥ ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ପୁଣି ବଢ଼ିଲା ଗ୍ୟାସ୍ ଦର, ଘରୋଇ ଏଲପିଜି ଦର୍ ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । ପୁଣି ବଢ଼ିଲା ଗ୍ୟାସ୍ ଦର । ଘରୋଇ ଏଲପିଜି ଦର ୫୦ ଟଙ୍କା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ହଜାରେ ୫୩ ଟଙ୍କା ହୋଇଛି । ସେହିପରି ୫ କେଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଛି । ୫ କେଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି ।

ଅନ୍ୟପଟେ ୧୯ କେଜି କମର୍ସିଆଲ ସିଲିଣ୍ଡ ମୂଲ୍ୟ ହ୍ରାସ ପାଇଛି । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ୫୦ ପଇସା କମିଛି । କିଛି ଦିନ ପୂର୍ବରୁ କମର୍ସିଆଲ ସିଲିଣ୍ଡରର ଦର ବୃଦ୍ଧି ପାଇଥିବାବେଳେ ଆଜି ୮ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ ।

 

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ରହିଛି ପ୍ରଶ୍ନକାଳ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବେଶ୍ ସରଗରମ ରହିବ ଗୃହ । ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ରହିଛି ପ୍ରଶ୍ନକାଳ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଶୂନ୍ୟ କାଳରେ ହାତୀ ମୃତ୍ୟୁ, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିରୋଧୀ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ । ଅପରାହ୍ନରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପରେ ଆଲୋଚନା ହେବ ।

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ନନ୍ଦିଘୋଷ ରଥ କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ଗତକାଲି ପବିତ୍ର ହେରା ପଞ୍ଚମୀ ନୀତି ଅବସରରେ ରାଗ ଜର୍ଜରିତ ମା’ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀମନ୍ଦିରରୁ ଆସିଥିଲେ । ଆସିବା ସମୟରେ ବାଟରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୋଇଥିଲା । ଭକ୍ତ ବିଭୋର ହୋଇଯାଇଥିଲେ ଏହି ଅନନ୍ୟ ନୀତି ବା ମହାଲକ୍ଷ୍ମୀଙ୍କୁ ଦେଖିବା ପାଇଁ । ରଥ ସମ୍ମୁଖରେ ମା’ ପହଞ୍ଚିବା ପରେ ରଥ କାଠ ଭାଙ୍ଗିଥିଲେ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି ଆଦି ସମସ୍ଥ ନୀତିକାନ୍ତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା ।

ଏହା ପରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାଧୂପ ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ତେବେ ରାଗ ପରବସ ହୋଇ ନାକଚଣା ଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ମା’ । ଫେରିବା ବାଟରେ ହେରାଗୋହିରୀ ସାହି ଦେଇ ଫେରିଥିଲେ । ମା ମହାଲକ୍ଷ୍ମୀଙ୍କ ରାଗ ପରବସ ଖବର ମହାପ୍ରଭୁ ପାଇବା ପରେ ଆଜି  ଆଜ୍ଞାମାଳ ବିଜେ ପରେ ରଥକୁ ଦକ୍ଷିଣ ମୋଡ଼ କରାଯିବ । ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଲଘୁଚାପ, ଟ୍ରାପଲାଇନ ଏବଂ ଘୂର୍ଣ୍ଣିବଳୟର ମିଳିତ ପ୍ରଭାବରେ ଜାରି ରହିଛି ଅବିଶ୍ରାନ୍ତ ବର୍ଷା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ । ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ସତର୍କ କରାଯାଇଛି ।

ସେପଟେ ଆଗକୁ ଆସୁଛି ଆଉ ୨ଟି ଲଘୁଚାପ । ୯ ଓ ୧୩ ତାରିଖରେ ଦୁଇଟି ଲଘୁଚାପ ସୂଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମ ଲଘୁଚାପ ପ୍ରଭାବରେ ୮ରୁ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପରେ ୧୩ ତାରିଖରେ ସୃଷ୍ଟି ହେବାକୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । ଫଳରେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।

ରାଇସିନା ରେସ୍: ଆଜି ସମର୍ଥନ ଜୁଟାଇବାକୁ ଓଡ଼ିଶା ଆସୁଛନ୍ତି ଯଶଓ୍ୱନ୍ତ ସିହ୍ନା

ଭୁବନେଶ୍ୱର: ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଓଡ଼ିଶା ଆସିବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଥିବା ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ମତ ଦେବା ପାଇଁ ଅନୁରୋଧ କରିବେ ଯଶଓ୍ୱନ୍ତ ସିହ୍ନା । ସେପଟେ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଜେଡିର ସାଂସଦ ଏବଂ ବିଧାୟକମାନଙ୍କୁ ଭେଟି ସମର୍ଥନ ମାଗିବେ ଦ୍ରୌପଦୀ । ଏଥିପାଇଁ  ବିଜେଡିର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାନସଭାର ସମ୍ମିଳନୀ କକ୍ଷର ଉପରମହଲାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ଆତ୍ମହତ୍ୟା କଲେ ରଶ୍ମିରେଖାଙ୍କ ପୁରୁଷବନ୍ଧୁ ସନ୍ତୋଷ ପାତ୍ର

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା । ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନିଜ ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘରେ ବାପା ମା’ ଥିବା ବେଳେ ଗତକାଲି ରାତି ସାଢ଼େ ୧୦ଟା ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେପଟେ ମାସେ ପୂର୍ବରୁ ପୁଅ ଠିକଠାକ୍ ଥିବା କହିଛନ୍ତି ସନ୍ତୋଷଙ୍କ ବାପା ସୁରେନ୍ଦ୍ର । ୧୫ ଦିନ ହେବ ମରିଯିବି ମରିଯିବି କହୁଥିଲେ ସନ୍ତୋଷ। ଭୁବନେଶ୍ୱରର ଜଣେ ଝିଅକୁ ଭଲ ପାଉଥିଲେ ବୋଲି ବାପା କହିଛନ୍ତି । ଝିଅ ମରିଯିବା ପରେ ସନ୍ତୋଷ ମରିଯିବି କହୁଥିଲା ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି ।

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ , ଅପରାହ୍ନ ୨ଟାରୁ ଓ୍ୱେବସାଇଟରେ ଉପଲବ୍ଧ ହେବ ଫଳ

କଟକ: ବଢ଼ୁଛି ହାର୍ଟବିଟ୍ । ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ । ମାଟ୍ରିକ୍ ସହ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଫଳ ପ୍ରକାଶ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅପରାହ୍ନ ୧ଟାରେ ଫଳ ପ୍ରକାଶ ପାଇବା ପରେ ଅପରାହ୍ନ ୨ଟାରୁ ଓ୍ୱେବସାଇଟରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ୨ଟି ଓ୍ୱେବସାଇଟ ଜାରି କରିଛି ବୋର୍ଡ । www.bseodisha.ac.inwww.bseodisha.nic.inରେ ଲଗଇନ କରି ଫଳ ପାଇପାରିବେ ପରୀକ୍ଷାର୍ଥୀ । SMS ଜରିଆରେ ବି ରେଜଲ୍ଚ ପାଇପାରିବେ ଛାତ୍ରଛାତ୍ରୀ ।

୨ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ୪ଟି ଆସେସମେଣ୍ଟ ଓ ପରେ ବୋର୍ଡ ଅଧିନରେ ଦୁଇଟି ସମ୍ମିଟିଭ୍ ପରୀକ୍ଷା ହୋଇଥିଲା । ୩ଟି ପଦ୍ଧତିରେ ପ୍ରକାଶିତ ହେବ ପରୀକ୍ଷା ଫଳ । ଚଳିତ ବର୍ଷ ଭଲ ରେଜଲ୍ଟ ହେବ ବୋଲି ଆଶା ରଖିଛନ୍ତି ଶିକ୍ଷକ ଓ ଅଭିଭାବକ ।

ବ୍ରିଟେନ ଅର୍ଥ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା

ଲଣ୍ଡନ: ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭେଦ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ମତଭେଦ କାରଣରୁ ଇସ୍ତଫା ଦେଇଥିବା କୁହାଯାଉଛି  । ଦୁଇଜଣଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାର ଏବେ ସଙ୍କଟରେ ପଡିଯାଇଛି । ଜାଭେଦ କହିଛନ୍ତି ଜନସନ ଦୁର୍ନୀତି ପରେ ଦୁର୍ନୀତି କରି ଦେଶ ହିତରେ ଶାସନ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇଛନ୍ତି । ସେଥିପାଇଁ ଜନସନଙ୍କ ସରକାରରୁ ଇସ୍ତଫା ଦେଇଛି ।

ସେ ଆଗକୁ କହିଥିଲେ ଅନେକ ସାଂସଦ ଏବଂ ଜନତା ଜନସନଙ୍କ ଦେଶ ହିତରେ ଶାସନ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇଛନ୍ତି । ସରକାରଙ୍କ ଉପରେ ଲୋକମାନେ ଯେଉଁ ଆଶା ଆଉ ଭରସା ରଖିଥିଲେ ସେସବୁକୁ ଧୀରେ ଧୀରେ ହରାଉଛନ୍ତି ଜନସନ  । ଋଷି ସୁନକ ଚାନ୍ସଲର ପଦରୁ ଇସ୍ତଫା ଦେଇ କହିଛନ୍ତି, ସରକାର ସଠିକ ଢଙ୍ଗରେ ଏବଂ ଲୋକଙ୍କ ହିତରେ ଚାଲିବା ଦରକାର । ଯେଉଁ ବିଶ୍ୱାସର ସହ ଆମକୁ ଲୋକମାନେ ନିର୍ବାଚିତ କରିଛନ୍ତି ଆମେ ତାକୁ ଭାଙ୍ଗିବା କଥା ନୁହେଁ  । ମୁଁ କିନ୍ତୁ ସଠିକ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ପାଇଲି ନାହିଁ ଏବଂ ଏହି କାରଣରୁ ଇସ୍ତଫା ଦେଉଛି  ।

ଏହାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହର ବଡ ଆହ୍ୱାନ ବୋଲି ଆଶଙ୍କା କରାଯାଉଛି । ନିକଟରେ ଦୁଇଟି ଉପନିର୍ବାଚନ ହୋଇଥିଲା, ଯେଉଁଥିରେ କ୍ଷମତାସୀନ କନଜରଭେଟିବ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରଠୁ ମନ୍ତ୍ରୀମାନଙ୍କ ମଧ୍ୟରେ ବିରୋଧର ସ୍ୱର ଉଠିଥିଲା  ।