spot_img
Home Blog Page 4074

SIଙ୍କ ଆତ୍ମହତ୍ୟା ଘଟଣା, IICଙ୍କ ନାମରେ ସଙ୍ଗୀନ ଅଭିଯୋଗ

ଟାଙ୍ଗୀ: ମହିଳା ଏସଆଇଙ୍କ ଆତ୍ମହତ୍ୟା ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଲେ ଏସଆଇଙ୍କ ଭାଇ । ଥାନା ଆଇଆଇସି ଦେଉଥିଲେ ମାନସିକ ନିର୍ଯାତନା । କଥା କଥାକେ ଗାଳିଗୁଲଜ କରୁଥିଲେ । ପ୍ରତିଦିନ ଏସଂପର୍କରେ ସ୍ବାଗତିକା କାନ୍ଦି କାନ୍ଦି ଘରକୁ ଫୋନ କରୁଥିଲେ ବୋଲି ତାଙ୍କ ଭାଇ କହିଛନ୍ତି ।

ଗତକାଲି ରାତିରେ ମଧ୍ୟ ଅନ୍ୟ କର୍ମଚାରୀଙ୍କ ସ୍ମୁଖରେ ଗାଳିଗୁଲଜ କରିବା ସହ ଥାନାରୁ ବାହାରିଯିବାକୁ କହିଥିଲେ ଆଇଆଇସି । ମୃତ ସ୍ବାଗତିକାଙ୍କ ଏହା ଥିଲା ପ୍ରଥମ ପୋଷ୍ଟିଂ । ପୋଲିସ ଟ୍ରେନିଂ ସାରି ଜି ଉଦୟଗିରୀ ଥାନାରେ କିଛି ମାସ ତଳେ କାର୍ଯ୍ୟରେ ଯୋଗଦେଇଥିଲେ । ଥାନାରୁ ନ୍ୟାୟ ମିଳିବ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତରେ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ମୃତ ଏସଆଇଙ୍କ ଭାଇ ମୋନରଞ୍ଜନ ।

୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ଦେଓରଂଜନ କୁମାର ସିଂଙ୍କୁ ଅବକାରୀ ବିଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଛି । ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଦେଓରଞ୍ଜନ ।

ସେହିପରି ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ବିଭାଗରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂଜୟ କୁମାର ସିଂଙ୍କୁ ବାଣିଜ୍ୟ କର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ନେହେରୁ ବଙ୍ଗଳାରେ ଆଶାକର୍ମୀଙ୍କୁ ଦୁଷ୍କର୍ମ !

 ପାରାଦୀପ: ପାରାଦୀପରେ ଆଶାକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପାରାଦୀପ ଆଦର୍ଶ ଥାନାରେ ଏନେଇ ପୀଡ଼ିତା ଏତଲା ଦେଇଛନ୍ତି । ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଡଗ୍ ସ୍କ୍ୱାଡ୍‌ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗକୁ ଗୁରୁତର ସହ ନେଇଛି ପୋଲିସ  ।

ମିଳିଥିବା ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ସନ୍ଧ୍ୟାରେ ଏକ ନାଲିରଙ୍ଗର କାରରେ ଆଶାକର୍ମୀଙ୍କୁ ଅପହରଣ କରି ନେହେରୁ ବଙ୍ଗଳା ଅଞ୍ଚଳରେ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । କାରରେ ୪ ଜଣ ଯୁବକ ଥିଲେ । ଜଣେ ଯୁବକକୁ ପୋଲିସ ଥାନାରେ ଅଟକ ରଖିଛି।

ଫ୍ଲିପକାର୍ଟକୁ ଜରିମାନା କଲେ କଟକ ଜିଲ୍ଲା ଖାଉଟି ଅଦାଲତ

କଟକ: ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା କଲେ କଟକ ଜିଲ୍ଲା ଖାଉଟି ଅଦାଲତ । କଟକ ସିଡିଏର ସୀମାଞ୍ଚଳ ରଥ ୨୦୧୯ ନଭେମ୍ବର ୧୫ ତାରିଖରେ 7 ହଜାର 999 ଟଙ୍କାରେ ଏକ LED ଟିଭି କିଣିଥିଲେ । ଟିଭିଟି ଦୁଇମାସ ଚାଲିବା ପରେ ଖରାପ ହୋଇଯାଇଥିଲା ପରେ ମାମଲା କୋର୍ଟରେ ପହଁଚିଥିଲା  ।

ଦୁଇ ବର୍ଷରୁ ଅଧିକ ସମୟ ମାମଲା କୋର୍ଟରେ ଚାଲିବା ପରେ ଗ୍ରାହକ ସୀମାଞ୍ଚଳ ରଥଙ୍କୁ ବାର୍ଷିକ 9 ପ୍ରତିଶତ ସୁଧରେ ମୋଟ 45 ହଜାର 159 ଟଙ୍କା ଦେବାପାଇଁ ଫ୍ଲିପକାର୍ଟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି  । କାରଣ ଏକ ବଡ଼ କମ୍ପାନୀକୁ ଜରିମାନା ଶୁଣାଇଛନ୍ତି କଟକ ଜିଲ୍ଲା ଖାଉଟି ଅଦାଲତ  ।

ରବିବାର ଧ୍ବଂସ ହେବ ନଏଡା ସୁପରଟେକ ଟାଓ୍ବାର

ନୂଆଦିଲ୍ଲୀ: ଧ୍ବଂସ ହେବ ନଏଡା ସୁପରଟେକ ଟାଓ୍ବାର । ଅପରାହ୍ଣ ସାଢେ ୨ଟାରେ ହେବ ବିସ୍ଫୋରଣ । କେଇକ୍ଷଣିରେ ମାଟିରେ ମିଶିବ ୪୦ ମହଲା ବିଶିଷ୍ଟ ଟାଓ୍ବାର । ପ୍ରାୟ ୧୦ ବର୍ଷର ବିବାଦ ପରେ ମାତ୍ର ୧୦ ସେକେଣ୍ଡରେ ଧୂଳିସାତ ହେବ ଟାଓ୍ବାର । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତବର୍ଷ ଅଗଷ୍ଟରେ ସୁପରଟେକର ଟୁଇନ ଟାଓ୍ବାରକୁ ଧ୍ବଂସ କରିଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ । ଏହି ୧୦୦ ମିଟର ଟାଓ୍ବାରର ଧ୍ବଂସ ଲାଗି ବଟନ ଦବାଇବେ ବ୍ଲାଷ୍ଟର ୪୯ ବର୍ଷ ବୟସ୍କ ଚେତନ ଦତ୍ତ । ହରିଆଣା ହିସାରର ଚେତନ କହିଛନ୍ତି ତାଙ୍କର ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ ।

ଧ୍ବଂସ କାର୍ଯ୍ୟ ସମ୍ପନ୍ନ କରିବାକୁ ଯାଉଥିବା ଏଡିଫାଇସ ଇଞ୍ଜିନିୟରିଂର ଅନୁରୋଧ କ୍ରମେ ଚେତନ ଏହି ବଟନ ଦବାଇବେ । ଗତ ୧୦ ଦିନ ଧରି ଚେତନ ଓ ତାଙ୍କ ଟିମ୍ ଟୁଇନ ଟାଓ୍ବାରର ବିଭିନ୍ନ ସ୍ଥାନରେ ବିସ୍ଫୋରକ ରଖିଆସୁଛନ୍ତି । ଦିଲ୍ଲୀର ଐତିହ୍ୟ କୁତବ ମିନାର ସହ ଉଚ୍ଚତାରେ ସମାନ ଥିବା ସୁପରଟେକ ଟାଓ୍ବାର ନଏଡାର ୯୩-ଏ ସେକ୍ଟରରେ ନିର୍ମିତ ହୋଇଥିଲା । ବିସ୍ଫୋରଣ ଲାଗି ବ୍ୟବହୃତ ହେବ ପ୍ରାୟ ୩ ହଜାର ୭୦୦ କେଜି ବିସ୍ଫୋରକ । ରବିବାର ଦିନ ସ୍ଥାନାନ୍ତରିତ ହେବେ ୫ ହଜାର ବାସିନ୍ଦା ।

ଧ୍ବଂସ ବେଳେ କୋଠାରୁ କୌଣସି ଖଣ୍ଡ ପଦାକୁ ଫିଙ୍ଗି ହେବ ନାହିଁ । କେବଳ କିଛି ଧୂଳି ଉଡିବ ବୋଲି କୁହାଯାଇଛି । ଟାଓ୍ବାର ନିକଟରେ ଥିବା ଏମାରଲଡ କୋର୍ଟ, ଏଟିଏସ ଭିଲେଜ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ । ପ୍ରାୟ ୨ ହଜାର ୭୦୦ ଯାନ, ପ୍ରାୟ ୨୦୦ ଗୃହପାଳିତ ପ୍ରାଣୀଙ୍କୁ ବି ଅନ୍ୟସ୍ଥାନକୁ ନିଆଯିବ । ୫୦୦ ମିଟର ଯାଏ ଏକ୍ସକ୍ଲୁସନ ଜୋନ ପ୍ରତିଷ୍ଠା ହେବ । ବିସ୍ଫୋରଣ ପରେ ପ୍ରାୟ ୮୦ ହଜାର ଟନ୍ ଧ୍ବଂସାବଶେଷ ସୃଷ୍ଟି ହେବ । ସେପଟେ ସେହି ଅଞ୍ଚଳରେ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି  ।

ସଙ୍କଟରେ ସୋରେନ ସରକାର, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଥିବାବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଆଜି ସୋରେନଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବୈଠକ । ଉଭୟ ଜେଏମଏମ ଓ କଂଗ୍ରେସର ବିଧାୟକମାନେ ଛତିଶଗଡ଼ ଚାଲିଯିବା ନେଇ ସୂଚନା ମିଳିଛି । ଏପରିକି ପ୍ରାୟ ସମସ୍ତ ବିଧାୟକ ନିଜ ନିଜର ଜିନିଷପତ୍ର ସୁଟକେଶ୍‌ ଆଣିଥିବା ଦେଖାଯାଇଛି ।

ସରକାରରେ ସଙ୍କଟ କାଳରେ ବିଧାୟକମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଛତିଶଗଡ଼ ନିଆଯିବ । ୮୧ ଆସନ ବିଶିଷ୍ଟ ବିଧାନସଭାରେ ମହାଗଠବନ୍ଧନ ସରକାରରେ ଜେଏମଏମର ୩୦, କଂଗ୍ରେସ ୧୯, ଆରଜେଡିର ଜଣେ, ଏନସିପିର ଜଣେ, ସିପିଆଇଏମଏଲର ଜଣେ ବିଧାୟକ ଅଛନ୍ତି । ସେହିପରି ଏନଡିଏରେ ବିଜେପିର ୨୬, ଅଜସୁର ୨ ବିଧାୟକ ଅଛନ୍ତି ।

ଗତକାଲି ସୋରେନଙ୍କ ବାସଭବନରେ ଆୟୋଜିତ ବୈଠକରେ ଉଭୟ ଜେଏମଏମ ଓ କଂଗ୍ରେସ ବିଧାୟକମାନେ ଯୋଗଦେଇ ସ୍ଥିତି ସମୀକ୍ଷା କରିଥିଲେ । ତେଣେ ଯଦି ହେମନ୍ତ ଇସ୍ତଫା ଦିଅନ୍ତି ତେବେ ପତ୍ନୀ କଳ୍ପନା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଚାଲିଛି କଳ୍ପନାଜଳ୍ପନା । ମୟୂରଭଞ୍ଜରେ ଜନ୍ମିତ କଳ୍ପନା ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତଙ୍କୁ ବିବାହ କରିଥିଲେ । ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ନାଳା, ଜାରମୁଣ୍ଡି କିମ୍ବା ଦୁମ୍ରିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଛି ।

 

 

 

 

 

 

କୁବେର ଇଞ୍ଜିନିୟରଙ୍କ ଘରୁ ମିଳିଲା ପାଞ୍ଚକୋଟି, ଏବେବି ଚାଲିଛି ଗଣତି

ପାଟନା: କୁବେର ଇଞ୍ଜିନିୟରଙ୍କ ଘରୁ ମିଳିଲା ୫ କୋଟି ନଗଦ ଟଙ୍କା । ବିହାରର ସରକାରୀ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ । ପାଟନା କିଷନଗଞ୍ଜର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟର ସଞ୍ଜୟ ରାୟଙ୍କ ଘରେ ରେଡ୍ ବେଳେ ୫ କୋଟିର ନଗଦ ଟଙ୍କା ଜବତ ହୋଇଛି ।

ପାଟନାର ରୂପେଶପୁର ସମେତ କିଷନଗଞ୍ଜର କିଛି ସ୍ଥାନରେ ମଧ୍ୟ ରେଡ୍ ହୋଇଛି । ନଗଦ ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ସୁନା ଗହଣା ମଧ୍ୟ ଜବତ କରାଯାଇଛି । ଆୟ ବହିଃର୍ଭୂତ ସମ୍ପତି ଠୁଳ ମାମଲାରେ ଇଞ୍ଜିନିୟର ସଞ୍ଜୟ ରାୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏବେ ବି ମେସିନ ଯୋଗେ ଟଙ୍କା ଗଣତି ଜାରି ରହିଛି ।

ଏହା ପୂର୍ବରୁ ବିହାରରେ ଇଡି ଓ ସିବିଆଇ ସ୍କାନରରେ ଥିଲେ ବିରୋଧୀ କ୍ୟାମ୍ପ  । ତଦନ୍ତକାରୀ ସଂସ୍ଥା ବିହାରରୁ ଝାଡଖଣ୍ଡ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଚଢାଉ କରିଥିଲା  । ନିଯୁକ୍ତି ବଦଳରେ ଜମି ଦୁର୍ନୀତିରେ ସାମିଲ ଅଭିଯୋଗରେ ଆରଜେଡିର ୪ ଜଣ ନେତାଙ୍କ ଘରେ ଚଢାଉ କରାଯାଇଥିଲା  । ବିହାରରେ ଫ୍ଲୋରଟେଷ୍ଟ ପୂର୍ବରୁ ସିବିଆଇ ଟିମ ଆରଜେଡି କୋଷାଧ୍ୟକ୍ଷ, ପୂର୍ବତନ ଏମଏଲସି, ଦୁଇ ରାଜ୍ୟସଭା ସାଂସଦଙ୍କ ବାସଭବନରେ ଚଢାଉ କରିଥିଲା  ।

 

 

ହଟିଲା ପ୍ରତିବନ୍ଧକ, ଭାରତରେ ଆୟୋଜନ ହେବ ଅଣ୍ଡର ୧୭ ମହିଳା ବିଶ୍ବକପ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ମହାସଙ୍ଘ ଉପରେ ଆସିଥିବା ସଙ୍କଟ ଦୂର ହୋଇଛି  । ବିଶ୍ବ ଫୁଟବଲକୁ ସଞ୍ଚାଳିତ କରୁଥିବା ସଂସ୍ଥା ଫିଫା ଅଖିଳ ଭାରତୀୟ ଫୁଟବଲ ମହାସଙ୍ଘ (AIFF) ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି  । ଏହା ସହ ଭାରତ କୁ ଦେଇଛି ଖୁସି ଖବର  । ଅଣ୍ଡର ୧୭ ମହିଳା ବିଶ୍ବକପ ୨୦୨୨ ଆୟୋଜନ ଦାୟିତ୍ବ ଭାରତକୁ ଦେଇଛି ଫିଫା ।

ଅଖିଳ ଭାରତୀୟ ଫୁଟବଲ ଫେଡେରେସନ (ଏଆଇଏଫଏଫ)କୁ ବିଶ୍ୱର ସବୁଠୁ ବଡ଼ ଫୁଟବଲ ପରିଚାଳକ ସଂଘ ଫିଫା ବହିଷ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କେନ୍ଦ୍ର । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଏହି ମାମଲାରେ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଶୁଣାଣି ପାଇଁ ନିବେଦନ କରିଥିଲେ । ତୃତୀୟ ପକ୍ଷର ଅନୁଚିତ ହସ୍ତକ୍ଷେପ ଏବଂ ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନର ଅଧିକାର ଛଡାଇନେବା ସମ୍ବନ୍ଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଅକ୍ଟୋବର ୧୧ ରୁ ୩୦ ପର୍ଯ୍ୟନ୍ତ ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା ।

ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠକୁ ସଲିସିଟର ଜେନେରାଲ ତୁଷାର ମେହତା କେନ୍ଦ୍ର ପକ୍ଷରୁ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶୁଣାଣି ପାଇଁ ନିବେଦନ କରିଥିଲେ । ତେବେ ୮୫ ବର୍ଷରେ ପ୍ରଥମ ଥର ପାଇଁ ଫିଫା ଭାରତୀୟ ଫୁଟବଲ ଫେଡେରେସନକୁ ବ୍ୟାନ କରିଥିଲା ।

ସୂଚନାଥାଉକି ମଙ୍ଗଳବାର ସକାଳେ ଫିଫା ଏକ ପ୍ରେସ ରିଲିଜ୍ ଜାରି କରି ବ୍ୟାନ ସମ୍ପର୍କରେ ସୂଚନା ଦେଇଥିଲା । ପ୍ରେସ ରିଲିଜରେ ଲେଖାଥିଲା ଭାରତୀୟ ସଂଘରେ ତୃତୀୟ ପକ୍ଷର ଅନୁଚିତ ହସ୍ତକ୍ଷେପ କାରଣରୁ ଏହି ପଦକ୍ଷେପ ନିଆଯାଇଛି । କୌଣସି ଜାତୀୟ ଫୁଟବଲ ସଂଘରେ ତୃତୀୟ ପକ୍ଷର ହସ୍ତକ୍ଷେପ ଫିଫା ଆଇନର ଉଲ୍ଲଂଘନ ଅଟେ ।

ଫିଫା ପରିଷଦର ବ୍ୟୁରୋମାନେ ସର୍ବସମ୍ମତିକ୍ରମେ ତୃତୀୟ ପକ୍ଷର ଅନୁଚିତ ପ୍ରଭାବ କାରଣରୁ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନକୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରିବାର ନିଷ୍ପତ୍ତି ନେଇଥିଲା । ଫିଫା କହିଥିଲା ଏହି ବ୍ୟାନ୍ ସେତବେଳେ ପ୍ରତ୍ୟାହାର କରାଯିବ ଯେବେ ସୁପ୍ରିମକୋର୍ଟ ଦ୍ୱାରା କମିଟି ଅଫ ଆଡମିନିଷ୍ଟେଟର୍ସକୁ ହଟାଯିବ ।

ଏଆଇଏଫଏଫ  ପ୍ରଶାସନକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଗଲେ ହିଁ ନିଲମ୍ବନ ପ୍ରତ୍ୟାହର ହେବ । ସର୍ବଭାରତୀୟ ଫୁଟବଲ ଫେଡେରେସନର ଅଧ୍ୟକ୍ଷ ପଦରୁ ପ୍ରଫୁଲ ପଟେଲଙ୍କୁ ବହିଷ୍କାର କରାଯିବା ପରେ ଫିଫା ଏହି ପଦକ୍ଷେପ ନେଇଥିଲା । ଡିସେମ୍ବର ୨୦୨୦ରେ ଭାରତୀୟ ଫେଡେରେସନରେ ନିର୍ବାଚନ ନ କରାଇବା ନେଇ ସୁପ୍ରିମକୋର୍ଟ ତାଙ୍କୁ ବହିଷ୍କାର କରିଥିଲେ । ଅନ୍ୟ ଏକ କମିଟି ଗଠନ କରି ଏହାର ପରିଚାଳନା ଦାୟିତ୍ୱ ଦେଇଥିଲେ । ଯାହାକୁ ଫିଫା ନିଜ ନିୟମର ଉଲ୍ଲଂଘନ ବୋଲି ମାନୁଛି ।

ପତ୍ନୀଙ୍କ ମାଡ ଭୟରେ ତାଳଗଛରେ ଚଢିଗଲେ ପତି, ଖାଇବା ଶୋଇବା ସବୁ ସେଇଠି

ଲକ୍ଷ୍ନୌ: ପତ୍ନୀଙ୍କ ଡରରେ ଗଛ ଉପରେ ଚଢିଗଲେ ପତି । ମାଡ ଭୟରେ ୧୦୦ ଫୁଟ ଉଚ୍ଚ ଗଛ ଉପରେ ଚଢି ବସିଛନ୍ତି ଉତ୍ତର ପ୍ରଦେଶର ରାମ ପ୍ରବେଶ  । ଗଛ ହି ସାଜିଛି ରାମଙ୍କ ଘର ଠିକଣା  । ସେଇଠି ଖାଇବା, ରହିବା, ଶୋଇବା  । ରାମଙ୍କ ସବୁକିଛି ବିତୁଛି ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ତାଳ ଗଛ ଉପରେ  । ଏମିତି ବିଚିତ୍ର ଘଟଣା ମଉ ଜିଲ୍ଲା କୋପାଗଞ୍ଚର ବସାରଥପୁରରେ ଦେଖିବାକୁ ମିଳିଛି  । ଏଠାରେ ରହୁଥିବା ରାମ ପ୍ରବେଶଙ୍କ ତାଙ୍କ ପତ୍ନୀଙ୍କ ସହ ସବୁବେଳେ ଝଗଡା ଲାଗି ରହୁଥିଲା  ।

ବେଳେବେଳେ ଏହି ବିବାଦ ମାଡଗୋଳରେ ବି ପହଞ୍ଚି ଯାଉଥିଲା  । ପତ୍ନୀଙ୍କ ମାଡରୁ ରକ୍ଷା ପାଇବା ପାଇଁ ଦିନେ ପତି ଘର ପାଖରେ ଥିବା ଏକ ତାଳ ଗଛରେ ଚଢି ଯାଇଥିଲେ  । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତାଳଗଛର ଉଚ୍ଚତା ପାଖାପାଖି ୧୦୦ ଫୁଟ ହେବ  ।  ରାତି ହେଲେ ରାମ ଗଛରୁ ଓହ୍ଲାଇ ନିଜ ନିତ୍ୟକର୍ମ ସାରି ପୁଣି ଗଛ ଉପରେ ଚଢି ଯାଆନ୍ତି  ।

ଯଦି କେହି ଗ୍ରାମବାସୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି ତା କଥା ବି ଶୁଣିବାକୁ ନାରାଜ୍‌ ରାମ  । ଗଛରୁ ଓହ୍ଲାଇବା ତ ଦୂରର କଥା ବରଂ ସେ ଗ୍ରାମବାସୀଙ୍କୁ ଟେକା ପଥର ମାଡ କରିଥାନ୍ତି  । ସେପଟେ ରାମ ଗଛ ଉପରେ ରହୁଥିବାରୁ ତାଙ୍କ ବିରୋଧରେ ବି ଅଭିଯୋଗ କରିବା ଆରମ୍ଭ କଲେଣି ସ୍ଥାନୀୟ ମହିଳା  ।

କାରଣ ଏତେ ଉଚ୍ଚତାରେ ରହୁଥିବାରୁ ନିକଟସ୍ଥ ଘରର ଅଗଣା ଗୁଡିକ ଗଛ ଉପରୁ ଦେଖାଯାଇଥାଏ  । ଯେଉଁଠାରେ ସାଧାରଣତଃ ମହିଳା ମାନେ ନିତ୍ୟକର୍ମ ସାରିଥାନ୍ତି  । ରାମଙ୍କ ଏଭଳି କାର୍ଯ୍ୟକଳାପରେ ଉତକ୍ଷିପ୍ତ ହୋଇ ଗାଁ ମୂରବୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା  ।

ପାକିସ୍ତାନରେ ଜଳପ୍ରଳୟ, ଭାସିଗଲେଣି ଏକ ହଜାରରୁ ଅଧିକ

କରାଚୀ: ଭୟଙ୍କର ହେବାରେ ଲାଗିଛି ପାକିସ୍ତାନ ବନ୍ୟା । ଅଭୁତପୂର୍ବ ବନ୍ୟାରେ ହଜାର ହଜାର ଘର ଭାସିଯାଇ ଥିବାବେଳେ ବାସହୀନ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ପ୍ରାୟ ୧ ହଜାର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩୫୦ରୁ ଅଧିକ ଶିଶୁ । ବାସହୀନ ହୋଇଛନ୍ତି ପ୍ରାୟ ୩ କୋଟି ଲୋକ । ବନ୍ୟାର ଭୟଙ୍କର ଛାତିଥରା ଦୃଶ୍ୟ ବିଶ୍ବବାସୀଙ୍କୁ କରିଛି ବିଚଳିତ ।

ବନ୍ୟାର ଭୟଙ୍କାରିତାକୁ ନେଇ ପାକିସ୍ତାନ ସରକାର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିନ୍ଧ ପ୍ରଦେଶ । ଏଠାରେ ବନ୍ୟା ନାହିଁ ନଥିବା କ୍ଷତି କରିଛି ବୋଲି ସୂଚନା ଦେଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ସିନ୍ଧୁ ଓ ସ୍ବାତ ନଦୀରେ ବନ୍ୟା ପ୍ରକୋପ ରହିଥିବାବେଳେ ଅବବାହିକାରେ ଜାରି ରହିଛି ଜଳପ୍ରଳୟ ।

ବେଲୁଚିସ୍ତାନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୫୦ ହୋଇଥିବାବେଳେ ଖାଇବର ପଖତୁନଖାଓ୍ବା, ପଞ୍ଜାବରେ ମଧ୍ୟ ନାହିଁ ନଥିବା କ୍ଷତି ଘଟିଛି । ଚଳିତ ମାସରେ ପାକିସ୍ତାନରେ ବର୍ଷା ପରିମାଣ ୨୪୧ ପ୍ରତିଶତ ବଢିବା ଯୋଗୁଁ ଅଧିକାଂଶ ନଦୀରେ ଘଟିଛି ଜଳପ୍ରଳୟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସିନ୍ଧ ପ୍ରଦେଶ ଗସ୍ତ କରି ୧୫ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି  । ସେପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଡେରା ଇସମାଇଲ ଖାନ ଓ ଟାଙ୍କ୍‌ ଯାଇ ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି  ।