spot_img
Home Blog Page 42

କଲେଜ ଇଲେକ୍ସନ୍: ବିଜେପି ଉପରେ ବର୍ଷିଲା କଂଗ୍ରେସ !

ନନ୍ଦିଘୋଷ ବ୍ୟୁରୋ:  ଛାତ୍ର ସଂସଦ ନିର୍ବାଚନକୁ ନେଇ ସାରା ରାଜ୍ୟର ବିଭିନ୍ନ କଲେଜରେ ବିଶୃଙ୍ଖଳା ପରିସ୍ଥିତି ବଢି ବଢି ଚାଲିଥିବା ବେଳେ ଏବେ ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି । ପ୍ରଥମେ ବିଜେଡି ଏହାକୁ ନେଇ ସ୍ବର ଉଠାଇଥିବା ବେଳେ ଏବେ କଂଗ୍ରେସ ମଧ୍ୟ ଏଥିରେ ସାମିଲ ହୋଇଛି । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ ।

କଂଗ୍ରେସ କହିଛି ଯେ, ଦୀପ ଲିଭିଲା ବେଳେ ଜୋର ଜଳେ । ସେହି ଅବସ୍ଥାରେ ଏବେ ବିଜେପି ପହଞ୍ଚିଯାଇଛି । ଓଡ଼ିଶାରେ ବିଭିନ୍ନ କଲେଜ ହଠାତ କାହିଁକି ଅଶାନ୍ତ ହେଲା ଏବଂ କ୍ୟାମ୍ପସ ନିର୍ବାଚନରେ କାହିଁକି ଶାସକ ଦଳର ନେତା ବୁଲୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ ମାସରେ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା ବର୍ତ୍ତମାନ ନିର୍ବାଚନ ହେଲେ ବିଜେପିର ୪୮ଜଣ ବିଧାୟକ ପରାଜିତ ହେବେ । ତେଣୁ ଏଥିରୁ ବଂଚିବା ପାଇଁ ଛାତ୍ର ସଂସଦ ନିର୍ବାଚନ କରିବାକୁ ରାତି ଅଧିଆ ନିଷ୍ପତ୍ତି ନେଲେ ବୋଲି ଅଭିଯୋଗ କରିଛି କଂଗ୍ରେସ । ହାରିବେ ବୋଲି ୨୦୬ କଲେଜରେ ନିର୍ବାଚନ ବନ୍ଦ କଲେ ସରକାର । କେବଳ ସେତିକି ନୁହେଁ,  ଯେଉଁସବୁ କଲେଜରେ ଏବିଭିପିର ସଂଗଠନ ଅଛି,ସେଠି ବିଜେପି ନିର୍ବାଚନ କରୁଛି । ଛାତ୍ର ସଂସଦ ନିର୍ବାଚନରେ ବିଜେପି ଦାଦାଗିରି କରୁଛି ବୋଲି କଂଗ୍ରେସ କହିଛି । ସରକାର ନିୟମ କଲେ ଯେଉଁମାନଙ୍କର କଲେଜ ଆଇ-କାର୍ଡ ଥିବ ସେମାନେ କଲେଜ ପରିସରରେ ରହିବେ । ହେଲେ ଗେରୁଆ ଗାମୁଛା ଯେଉଁମାନେ ପକାଇଛନ୍ତି ସେମାନଙ୍କୁ ପୋଲିସ ଛାଡି ଦେଉଛି । ଏହା କି ପ୍ରକାର ନିୟମ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଚିଲର ଗୃପ କରି ବିଜେପି କର୍ମୀ ଗଣ୍ଡଗୋଳ ଆରମ୍ଭ କରିଦେଲେଣି । ଯେଉଁଠି ଶାସକ ଦଳର ପ୍ରାର୍ଥୀ ହାରିବେ ସେଠାରେ ଜାଣିଜାଣି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରୁଛନ୍ତି ସରକାର । କଲେଜ କ୍ୟାମ୍ପସକୁ ବୋମାମାଡ଼ର ପେଣ୍ଠସ୍ଥଳୀ କରିଛି ଶାସକ ଦଳ । ସେଥିପାଇଁ ବାଙ୍କୀ ରୁ ନର୍ଲା, ବାଲେଶ୍ୱରରୁ ବ୍ୟାସନଗର କଲେଜ ଯାଏ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦିଆଯାଇଛି ।  ବିଜେପି କଳ, ବଳ କୌଶଳ ଲଗାଇ ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ବିଜେପି ପ୍ରୟାସ କରୁଛି । ରମାଦେବୀ କଲେଜରେ ବାଲଟ ଏପଟ ସେପଟ କରିବା ତାର ଉଦାହରଣ । ଏଭଳି ସ୍ଥିତିରେ ଛାତ୍ର ନେତାମାନେ ନଡରି ନିର୍ବାଚନ ଲଢନ୍ତୁ ବୋଲି କଂଗ୍ରେସ ଆହ୍ବାନ ଦେଇଛି ।

ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନନୀ

ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନନୀ

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ ମା’ ଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବୀ ‘କୁଷ୍ମାଣ୍ଡା’ଙ୍କ  ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ସେ ‘କୁଷ୍ମାଣ୍ଡା’ଙ୍କ ନାମରେ ନାମିତ । ମା’ କୁଷ୍ମାଣ୍ଡା ତେଜ ଓ ପ୍ରତାପର ସ୍ଵରୂପ ଅଟନ୍ତି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଓ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି କର୍ତ୍ତା ହେଉଛନ୍ତି ଦେବୀ କୁଷ୍ମାଣ୍ଡା।

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ। ମା’ କୁଷ୍ମାଣ୍ଡାଙ୍କ ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ପ୍ରାପ୍ତ ହୁଏ । ପୌରାଣିକ ମତ ଅନୁଯାୟୀ, ଦେବୀଙ୍କ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି। ଏହି ରୂପରେ ଦେବୀ ଅଷ୍ଟଭୂଜା ସହ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।

କୁହାଯାଏ, ସୃଷ୍ଟିର ଅସ୍ତିତ୍ଵ ନଥିବା ସମୟରେ ମା’ କୁଷ୍ମାଣ୍ଡା ଏହି ସୃଷ୍ଟିର ରଚନା କରିଥିଲେ। ସେଥିପାଇଁ ଦେବୀଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି ବୋଲି କୁହାଯାଏ। ମାଙ୍କ ହାତରେ ୭ଟି କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ତେଣୁ ତାଙ୍କୁ ଅଷ୍ଟଭୂଜା’ ବୋଲି କୁହାଯାଏ ।  ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଓ ନିଧି ଦେଉଥିବା ଜପ ମାଳା ରହିଥାଏ। ବିଶ୍ବାସ ରହିଛି ଯେ, ଦେବୀଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।

 

ଏୟାର ଇଣ୍ଡିଆକୁ ହାଇଜାକ୍ ଆଲର୍ଟ, ଜୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ

ଏୟାର ଇଣ୍ଡିଆକୁ ହାଇଜାକ୍ ଆଲର୍ଟ, ଜୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ

ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆ ଫ୍ଲାଇଟ୍ AI-୨୦୩୦କୁ ହାଇଜାକ୍ ଆଲର୍ଟ । ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆକୁ ହାଇଜାକ୍ ଆଲର୍ଟ ପରେ ଫ୍ଲାଇଟ୍ ଜୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ କରିଥିଲା । ପ୍ରାଥମିକ ରିପୋର୍ଟରେ, ବୋମା ଧମକ ଓ ସମ୍ଭାବ୍ୟ ଅପହରଣ ଆଶଙ୍କା ଥିବା ନେଇ କୁହାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ଅପହରଣ ନିଶ୍ଚିତ ହୋଇନାହିଁ ବୋଲି ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏଟିସି ବିମାନ ସମ୍ପର୍କରେ ଏକ ସତର୍କ ସୂଚନା ପାଇଥିଲା । ପରେ ପାଇଲଟ୍ କିଛି ସେକେଣ୍ତ ପାଇଁ ସ୍କାକ୍-୭୫୦୦ ଘୋଷଣା କରିଥିଲେ । ବିମାନ ଚଳାଚଳରେ ଏହା ଏକ ଜରୁରୀକାଳୀନ ସଂକେତ ଅଟେ । ଯାହା ବିମାନ ଅପହରଣ ବା ବେଆଇନ ହସ୍ତକ୍ଷେପକୁ ସୂଚାଇଥାଏ । ପରେ ଫ୍ଲାଇଟ୍ ଜୟପୁର ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ତିଂ କରିଥିଲା । ଫ୍ଲାଇଟ୍ କୁ ବିମାନବନ୍ଦର ଟର୍ମିନାଲର ଏକ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଏରିଆକୁ ନିଆଯାଇଥିଲା। ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସ୍ଥାନୀୟ ପୋଲିସ, ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳର କର୍ମଚାରୀମାନେ କ୍ରୁ ଓ ଯାତ୍ରୀମାନଙ୍କ ଲଗେଜ ଯାଞ୍ଚ୍ ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ, ୪୬ଟି ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ, ୪୬ଟି ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଶିଳ୍ପ ବିକାଶର ବଢିବ ଗତି।  ଆଜି ଯାଜପୁର କଳିଙ୍ଗନଗର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଳ୍ପ ପ୍ରକଳ୍ପର ମେଗା ଶିଳାନ୍ୟାସ ଓ ଉଦ୍ଘାଟନ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିରେ ମୋଟ ୩୯ ହଜାର ୩୧୩ କୋଟି ଟଙ୍କାର ପ୍ରାୟ ୪୬ଟି ପ୍ରକଳ୍ପ ସାମିଲ ରହିଛି। ଏହି ପ୍ରକଳ୍ପ ଜରିଆରେ ରାଜ୍ୟରେ ୪୨ ହଜାର ୪୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ମୋଟ ୧୪ଟି ଜିଲ୍ଲାର ପ୍ରକଳ୍ପ ସାମିଲ ହେବ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଗୋଲଟେବୁଲ ଆଲୋଚନା, ପ୍ରତ୍ୟକ୍ଷ ଆଲୋଚନା କରିବେ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରକଳ୍ପଗୁଡ଼ିକରେ ମୋଟ ୩.୧୧ ଲକ୍ଷ କୋଟିର ନିବେଶ ଓ ୨.୪୦ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ  ସରକାର କେବଳ ପୁଞ୍ଜି ଆକୃଷ୍ଟ କରିବାରେ ସୀମିତ ନ ରହି ଶିଳ୍ପ ପ୍ରସ୍ତାବର ବାସ୍ତବ କାର୍ଯ୍ୟାନ୍ୱୟନ ଓ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଫୋକସ ରଖିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।

ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ

ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ…

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ଜେଲ୍ ଅଧୀକ୍ଷକ ନିଲମ୍ବିତ। ସୁରକ୍ଷା ତ୍ରୁଟି ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଡିଜିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ।

ବାଲେଶ୍ୱର ଜିଲ୍ଲା କାରାଗାରରେ ଦେଖାଦେଇଥିବା ଅବ୍ୟବସ୍ଥା, କର୍ତ୍ତବ୍ୟରେ ଚରମ ଅବହେଳା ତଥା ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାରାଗାର ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ବାଲେଶ୍ୱର ଜେଲ୍ ଅଧୀକ୍ଷକ ତଥା ଜେଲର୍ ପ୍ରଦୀପ୍ତ କୁମାର ମହାଳିକଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ବିନା ଅନୁମତିରେ କ୍ରମାଗତ କାର୍ଯ୍ୟରେ ଅନୁପସ୍ଥିତ ରହିବା, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କରିବା, ସରକାରୀ ନିର୍ଦ୍ଦେଶାବଳୀର ଅଣଦେଖା ତଥା ପ୍ରଶାସନିକ ବିଶୃଙ୍ଖଳା ନେଇ ପ୍ରାଥମିକ ବିଭାଗୀୟ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ତେବେ ଏହି ନିଲମ୍ବନ ପଛରେ ଅନ୍ୟ କିଛି ଗୁରୁତର କାରଣ ଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ଜେଲ୍ ଡିଆଇଜି ଅନୁସୂୟା ଜେନା ବାଲେଶ୍ୱର ଜେଲରେ ପହଞ୍ଚି ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ନିଲମ୍ବନ ଆଦେଶ ପରେ ମହାଳିକଙ୍କୁ ବିନା ଅନୁମତିରେ ନିର୍ଦ୍ଧାରିତ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରାଗାର ପରିସରରେ ଶୃଙ୍ଖଳା ଓ କଡ଼ା ସୁରକ୍ଷା ବଜାୟ ରଖିବା ପ୍ରାଥମିକତା ହୋଇଥିବାରୁ କୌଣସି ପ୍ରକାର ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

 

 

ଭାରତ- ୱେଷ୍ଟଇଣ୍ତିଜ ଚତୁର୍ଥ ଟି-୨୦, ବିଜୟ ଲକ୍ଷ୍ୟରେ ଶ୍ରେୟସ ବାହିନୀ

ଭାରତ- ୱେଷ୍ଟଇଣ୍ତିଜ ଚତୁର୍ଥ ଟି-୨୦, ବିଜୟ ଲକ୍ଷ୍ୟରେ ଶ୍ରେୟସ ବାହିନୀ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ୱେଷ୍ଟଇଣ୍ତିଜ ଫାଇଟ୍ । ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟି- ୨୦ର ଚତୁର୍ଥ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ । ତେବେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

ପ୍ରଥମ ତିନୋଟି ମ୍ୟାଚ୍ ରୁ ୨ଟି ମ୍ୟାଚ୍ ଜିତି ୨-୧ରେ ଆଗୁଆ ଥିବା ଭାରତ ବିଜୟ ଧାରା ବଜାୟ ରଖିବା ନେଇ ଚେଷ୍ଟା କରିବ । ଅନ୍ୟପଟେ ସିରିଜରେ ରହିବା ନେଇ ୱେଷ୍ଟଇଣ୍ତିଜ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ ହେବ । ତେବେ ହାଇଦ୍ରାବଦର ଏହି ପିଚ୍ ବଡ଼ ବଡ଼ ସ୍କୋର ପାଇଁ ବେଶ ପରିଚିତ । ଏହି ମ୍ୟାଚ୍ ରେ ଟିମ୍ ଇଣ୍ତିଆର ଓପନର ଅଭିଷେକ ଶର୍ମା ଓ ୱେଷ୍ଟଇଣ୍ତିଜର ଅଫସ୍ପିନର୍ ରସ୍ତନ ଚେଜଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ । ତେବେ ଉଭୟ ଦଳରେ କୌଣସି ବଡ଼ ପରିବର୍ତ୍ତନ ନେଇ ବିଶେଷ ସମ୍ଭାବନା ନାହିଁ । ଟିମ୍ ଇଣ୍ତିଆ ଏହି ମ୍ୟାଚ୍ ରେ ଇନ୍ଦୋରରେ ଖେଳାଇଥିବା ଦଳକୁ ଅପରିବର୍ତ୍ତିତ ରଖିପାରେ । ସ୍ପିନର କୁଲଦୀପ ଯାଦବଙ୍କ ବଦଳରେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ସୁଯୋଗ ନିଷ୍ପତ୍ତି ଇନ୍ଦୋରରେ ସଫଳ ହୋଇଥିଲା । ସେପଟେ ରାଞ୍ଚିରେ ବୋଲିଂ ବେଳେ ଆହତ ହୋଇଥିବା ଅଲ୍ ରାଉଣ୍ତର ରୋମାରିଓ ସେଫର୍ଡ଼ଙ୍କ ଫିଟନେସ ୱେଷ୍ଟଇଣ୍ତିଜର ଚିନ୍ତା ବଢାଇଛି । ଯଦିଓ ରୋମାରିଓ ସେହି ମ୍ୟାଚ୍ ରେ ବ୍ୟାଟିଂ କରି ୧୩ ବଲରୁ ଅପରାଜିତ ୩୪ ରନ୍ କରିଥିଲେ । କିନ୍ତୁ ଇନ୍ଦୋର ମ୍ୟାଚ୍ ରୁ ସେ ବାଦ ପଡ଼ିଥିଲେ । ତେବେ ଆଜିରେ ମ୍ୟାଚ୍ ସେ ଖେଳିବେ କି ନାହିଁ ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ଥାଉ କି, ହାଇଦ୍ରାବଦର ଉପଲ୍ ଷ୍ଟାଡ଼ିୟମ୍ ପିଚ୍ ବିଶାଳ ସ୍କୋର ପାଇଁ ପରିଚିତ। ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ଏହା ଘରୋଇ ଗ୍ରାଉଣ୍ଡ ଅଟେ । ଗତ କିଛି ସିଜନ ଧରି ସନରାଇଜର୍ସ ଏହି ଗ୍ରାଉଣ୍ଡରେ ନିୟମିତ ଭାବେ ବିଶାଳ ସ୍କୋର ସଂଗ୍ରହ କରି ଆସୁଛି। ଆଜିର ମ୍ୟାଚ୍ ରେ ମଧ୍ୟ ବଡ଼ ସ୍କୋର ନେଇ ସମ୍ଭାବନା ରହିଛି । ମ୍ୟାଚ୍ ପୂର୍ବରୁ ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

 

 

 

ନବରାତ୍ରୀର ଚତୁର୍ଥ ଦିନ: ଆଜି ମାଆଙ୍କ ‘ନାଲିକଲି ବେଶ’

ନନ୍ଦିଘୋଷ ବ୍ୟୁରୋ: ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ। ଆଜି ନବରାତ୍ରୀର ଚତୁର୍ଥ ଦିନ। ଘଣ୍ଟ, ଘଣ୍ଟା, ମୃଦଙ୍ଗ ସହ ଭକ୍ତଙ୍କ ଭିଡ଼ରେ ପ୍ରକମ୍ପିତ ମାଆ ମଙ୍ଗଳାଙ୍କ ପୀଠ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ନାଲିକଲି ବେଶ।

କାକଟପୁର ପ୍ରାଚୀ ତଟବାସିନୀ ମାଆ ମଙ୍ଗଳାଙ୍କ ପୀଠ ଏବେ ଶାରଦୀୟ ଉତ୍ସବରେ ଚଳଚଞ୍ଚଳ। ନବରାତ୍ରୀର ତୃତୀୟ ଦିନ ବିଳମ୍ବିତ ରାତ୍ରରେ ନାଲିକଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମାଆ । ଏହି ବେଶ ସମୟରେ ମା’ଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ମହିଷାସୂରକୁ ସନ୍ଧାନ ପାଇଁ ରତ୍ନଗିରିକୁ ନିଆଯାଏ। ପରେ ମନ୍ଦିର ଭିତରେ ଥିବା ଦୁର୍ଗା ପ୍ରତିମାକୁ ରତ୍ନବେଦୀରୁ ବାହାରକୁ ଆଣି ଖଟୁଲିରେ ଏକତ୍ର ପୂଜା କରାଯାଏ, ଯାହାକୁ ‘ଜଗତି ପୂଜା’ କୁହାଯାଏ। ଜଗତି ପୂଜା ପରେ ଚଳନ୍ତି ପ୍ରତିମାକୁ ପୁନଃ ରତ୍ନ ସିଂହାସନରେ ସ୍ଥାପନ କରାଯାଇ ବେଶ ଲାଗି ହୁଏ। ଦେବୀ ପକ୍ଷର ନଅ ଦିନ ମାଆ ନଅ ରୂପରେ ପୂଜା ପାଆନ୍ତି, ଯାହା ‘ନବଦୁର୍ଗା’ ନାମରେ ପ୍ରସିଦ୍ଧ। ଆଜି ବିଳମ୍ବିତ ରାତ୍ରରେ ମା’ କଳାକଲି ବେଶରେ ଦର୍ଶନ ଦେବେ। ଭକ୍ତମାନେ ପରିବାରର ମଙ୍ଗଳ ପାଇଁ ଏହି ବ୍ରତ ରଖିଥାଆନ୍ତି।

ସାଉଦି ଆରାମକୋ ହେଡ଼କ୍ବାର୍ଟର୍ସ ଉପରେ ହୁତିର ମିସାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁଣି ହୁତି ଟାର୍ଗେଟରେ ସାଉଦି ଆରବ। ଆରାମକୋ ହେଡ଼କ୍ବାର୍ଟର୍ସ ଉପରେ ହୁତିର ମିସାଇଲ ହମଲା। ଆକ୍ରମଣରେ କମ୍ପ୍ଲେକ୍ସର ସାମାନ୍ୟ କ୍ଷତି ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ୟେମେନସ୍ଥିତ ତଥା ଇରାନ ସମର୍ଥିତ ହୁତି ସହ ସାଉଦି ଆରବର ଉତ୍ତେଜନା ତୀବ୍ର ହୋଇଛି। ଆରାମକୋ ହେଉଛି ବିଶ୍ବର ସବୁଠାରୁ ବୃହତ ତୈଳ କମ୍ପାନି ଓ ସାଉଦିଆରବର ଅର୍ଥନୀତିର ପ୍ରମୁଖ ଚାଳିକା ଶକ୍ତି। ତୈଳ ଉତ୍ପାଦନ, ରିଫାଇନେରୀ ଓ ରପ୍ତାନି କ୍ଷେତ୍ରରେ ଏହି କମ୍ପ୍ଲେକ୍ସ ନେଇଥାଏ ପ୍ରମୁଖ ଭୂମିକା। ସେପଟେ ହୁତିର କିଛି କ୍ଷେପଣାସ୍ତ୍ର ଓ ଡ୍ରୋନକୁ ନିଷ୍ଟ୍ରିୟ କରାଯାଇଛି ବୋଲି ଦାବି କରିଛି ସାଉଦି ଆରବ। ତେବେ ଏହି ଆକ୍ରମଣର ଫଳ ହୁତି ଭୋଗିବ ବୋଲି ସାଉଦି ଆରବର କ୍ରାଉନପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ହୁତିର ଘନଘନ ଆକ୍ରମଣରେ ଅତିଷ୍ଠ ସାଉଦି ଆରବ । ଏପରିକି ଦେଶରେ ବର୍ତ୍ତମାନ ଇଣ୍ଟରସେପ୍ଟର ମିସାଇଲର ଘୋର ଅଭାବ ଦେଖା ଦେଇଥିବା କୁହାଯାଉଛି। ଫଳରେ ହୁତି ବିଦ୍ରୋହୀଙ୍କ ମିସାଇଲକୁ ରୋକିବା କଷ୍ଟକର ହୋଇପଡ଼ିଛି । ଗତ ରବିବାର ରିୟାଦସ୍ଥିତ କିଙ୍ଗ ଖଲିଦ ବିମାନବନ୍ଦର ଉପରେ ହୁତିର ମିସାଇଲ୍ ମାଡ଼ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।  ହୁତିର ବାରମ୍ବାର ଆକ୍ରମଣ ଯୋଗୁଁ ସାଉଦି କର୍ତ୍ତୃପକ୍ଷ ଏବେ ଦେଶର ବିଭିନ୍ନ ସ୍ଥାନକୁ ଏୟାର ଡିଫେନ୍ସ ବ୍ୟାଟେରୀ ସ୍ଥାନାନ୍ତର ଆରମ୍ଭ କରିଛନ୍ତି । ଦେଶର ପ୍ରମୁଖ ତୈଳ ପ୍ରତିଷ୍ଠାନ, ବିମାନବନ୍ଦର ଓ ରାଜପ୍ରସାଦର ସୁରକ୍ଷା ନିମନ୍ତେ ଏହି ବ୍ୟାଟେରୀ ଏବେ ମୁତୟନ କରାଯାଇଛି ।

ପ୍ରକାଶ ଥାଉ କି, ସାଉଦି ପାଖରେ ବର୍ତ୍ତମାନ ଆଡ଼ଭାନ୍ସ ପ୍ୟାଟ୍ରିଅଟ୍ ଓ ଥାର୍ଡ ମିସାଇଲ୍ ସିଷ୍ଟମ ରହିଛି । କିନ୍ତୁ ଏତେ ବଡ଼ ଦେଶକୁ ଲଗାତାର ଭାବେ ମିସାଇଲ୍ ଆକ୍ରମଣରୁ ସୁରକ୍ଷିତ ରଖିବା କଷ୍ଟକର । ହୁତିର କ୍ରମାଗତ ଆକ୍ରମଣ ଫଳରେ ଇଣ୍ଟରସେପ୍ଟର ମିସାଇଲ୍ ଶେଷ ହେବାରେ ଲାଗିଛି । ୟେମେନରେ ବହୁବର୍ଷ ହେବ ଚାଲିଥିବା ସଂଘର୍ଷ ଯୋଗୁଁ ସାଉଦିରେ ହୁତିର ଆକ୍ରମଣ ବଢିଛି । କାରଣ ସାଉଦି ଆରବ ୟେମେନ୍ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଇରାନ ହୁତି ବିଦ୍ରୋହୀଙ୍କୁ ସମର୍ଥନ ଯୋଗାଉଛି ।

 

ବୌଦ୍ଧରେ ଯୁବକଙ୍କୁ ଛୁରାମାଡ଼, ଏମ୍ସ ସ୍ଥାନାନ୍ତର

ବୌଦ୍ଧ: ବୌଦ୍ଧ ସହରର ଭୈରବୀ ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼। ଗୁରୁତର ଯୁବକଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଯୁବକ ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଭୈରବୀ ଛକ ନିକଟରେ ହଠାତ୍ ଏକ ଧଳା ରଙ୍ଗର ଇନୋଭା କାର୍ ଆସି ଅଟକିଥିଲା। ଏହାପରେ ଗାଡ଼ିରୁ ୩ ରୁ ୪ ଜଣ ବ୍ୟକ୍ତି ବାହାରି ଯୁବକଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଏମ୍ସକୁ ସ୍ଥାନାନ୍ତର ଯୁବକଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପରେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ପଠା ଯାଇଛି। ଆହତ ଯୁବକଙ୍କ ନାମ ସୋରାଜ ଗାଇଗୋରିଆ ଏବଂ ତାଙ୍କ ବୟସ ୨୪ ବର୍ଷ ବୋଲି ସୂଚନା ମିଳିଛି।ଅଭିଯୋଗ ଆଧାରରେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ କରୁଛି।

ନନ୍ଦନକାନନରେ ସିଂହୀ ଶ୍ରେୟା ମା’, ୨୦ ଦିନରେ ୫ କୁମ୍ଭୀର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନନ୍ଦନକାନନରେ ନୂଆ ଅତିଥି, ମା’ ହୋଇଛି ସିଂହୀ ଶ୍ରେୟା । ମାତ୍ର ଦୁଇ ବର୍ଷ ଦେଢ଼ ମାସ ବୟସରେ ମା’ ହୋଇଛି ସିଂହୀ ଶ୍ରୀୟା। ଶ୍ରୀୟା ଜନ୍ମ ଦେଇଛି ଗୋଟିଏ ଶାବକ। କମ୍ ବୟସ ହୋଇଥିବାରୁ ଶ୍ରୀୟା ଶାବକକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ଶାବକକୁ ଏବେ ଶିଶୁ ଲାଳନପାଳନ କେନ୍ଦ୍ରକୁ ନିଆଯାଇଛି। ଅନ୍ୟପଟେ ଏହି ଖୁସି ଖବର ମଧ୍ୟରେ ନନ୍ଦନକାନନରୁ ଆସିଛି ଚିନ୍ତାଜନକ ଖବର। ଘଡ଼ିଆଳ ଖୁଆଡ଼ରେ ପୁଣି ଦୁଇ ଛୁଆଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ସୂଚନା ମିଳିଛି। ମାତ୍ର ୨୦ ଦିନରେ ୫ କୁମ୍ଭୀରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି। ଗତ ମେ ୨୪ରୁ ଜୁନ୍ ୧ ମଧ୍ୟରେ ନନ୍ଦନକାନନରେ ୭୧ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। ହେଲେ ଏବେ ଲଗାତାର ମୃତ୍ୟୁ ଚିନ୍ତା ବଢ଼ାଇଛି। ମୃତ ୫ କୁମ୍ଭୀରଙ୍କ ମଧ୍ୟରେ ୩ଟି ପ୍ରାୟ ୪ ମାସର ଛୁଆ, ଗୋଟିଏ ବୟସ୍କ ଓ ଗୋଟିଏ ବଉଳା କୁମ୍ଭୀର ଥିବା ସୂଚନା ମିଳିଛି। ଖୁଆଡ଼ର ପାଣି ଓ ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଛି।