spot_img
Home Blog Page 4103

ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ପୁରୀ: ରଥଯାତ୍ରା ନେଇ ପୁରୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ସୂଚନା ଦେଲେ ଡିଜିପି ସୁନୀଲ ବଂଶଲ । ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି  । ରଥଯାତ୍ରା ପାଇଁ ପୁରୀରେ ୧୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ  । ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅନୁରୋଧ କଲେ ଡିଜିପି ।

ସେହିପରି ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ବଡ଼ଦାଣ୍ଡକୁ ଯାଇ ଦେଖି ପାରିନଥିଲେ ରଥଯାତ୍ରା। ଏଥର ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ ।

ମହାପ୍ରଭୁଙ୍କ ଦୟାରେ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି। ରଥଯାତ୍ରା ନେଇ ସବୁ ବିଭାଗର ବୈଠକ ନିଆଯାଇଛି। ସମସ୍ତେ ସଜାଗ ଅଛନ୍ତି। ଭଲ ଭାବେ କିପରି ରଥଯାତ୍ରା ହେବ, ମୁଖ୍ୟମନ୍ତ୍ରୀ ସେ ଦିଗରେ ଦୃଷ୍ଟି ଦେଉଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଧର୍ମର ଜୟ ହୋଇଛି, ମହାପ୍ରଭୁଙ୍କ ଜୟ ହୋଇଛି ବୋଲି ଜଗନ୍ନାଥ ସାରକା କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ସେବାକୁ ଗୁରୁତ୍ୱ ଦିଆଯିବା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି  ।

 

ସଞ୍ଜୟ ରାଉତଙ୍କୁ ଇଡିର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । MVA ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏକନାଥ ସିନ୍ଦେ । ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ଦାବି କରି ସମର୍ଥନ ପ୍ରତ୍ୟାହାର କରିଛନ୍ତି ସିନ୍ଦେ ଗୋଷ୍ଠୀ । ୩୮ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ସଂଖ୍ୟାଲଘୁରେ ପରିଣତ ହୋଇଛି ଉଦ୍ଧବ ସରକାର । ତେବେ ଏହି ସଙ୍କଟ ମଧ୍ୟରେ ସରକାର ବଞ୍ଚାଇବା ପାଇଁ ଫୁଲ୍ ଦମରେ ଲାଗିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ।

କିନ୍ତୁ ଏହାରି ମଧ୍ୟରେ ସଞ୍ଜୟ ରାଉତଙ୍କୁ ହୋଇଛି ଇଡିର ସମନ । ଆସନ୍ତାକାଲି ଇଡିରେ ହାଜର ହେବାକୁ ସମନ୍ କରିଥିବା ସୂଚନା ମିଳିଛି । ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଇଡି ସମନ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ସଞ୍ଜୟ ରାଉତ ଓ ତାଙ୍କ ପରିବାରଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।  ସଂଜୟ ରାଉତଙ୍କୁ ଇଡି ନୋଟିସର ଟାଇମିଂ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ।

 

ସୁପ୍ରିମକୋର୍ଟ ଶୁଣାଣି ଆଗରୁ MVAକୁ ଝଟକା, ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେଙ୍କ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଂକଟ ଘନୀଭୂତ । MVA ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ଏକନାଥ ସିନ୍ଦେ ଗୋଷ୍ଠୀ । ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ଦାବି କରି ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ଗୋଷ୍ଠୀ । ୩୮ ଜଣ ବିଧାୟକ ଉଦ୍ଧବ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କଲେ । ସମର୍ଥନ ପ୍ରତ୍ୟାହାର ନେଇ ପିଟିସନରେ ସୁପ୍ରିମକୋର୍ଟକୁ ଜଣାଇଲେ । ସିନ୍ଦେ ଗୋଷ୍ଠୀଙ୍କ ସମର୍ଥନ ପ୍ରତ୍ୟାହାର ପରେ ସଂଖ୍ୟାଲଘୁରେ ପରିଣତ ହେଲା ଉଦ୍ଧବ ସରକାର ।

ନାମାଙ୍କନ ଦାଖଲ କଲେ UPA ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା

ନୂଆଦିଲ୍ଲୀ: ପ୍ରାର୍ଥିପତ୍ର ଦାଖଲ କଲେ ଯଶଓ୍ୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଶ୍ୱନ୍ତ ସିହ୍ନା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ମମତା ବାନାର୍ଜୀ, ଅଶୋକ ଗେହଲଟ, ଅଖିଳେଶ ଯାଦବଙ୍କ ପରି ବିରୋଧୀ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଗତ ସପ୍ତାହରେ ମିଳିତ ବିରୋଧୀ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ର ବୈଦେଶିକ ଓ ଅର୍ଥ ମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା ।

ଶରଦ ପାଓ୍ୱର ଓ ଗୋପାଳକ୍ରିଷ୍ଣା ଗାନ୍ଧି ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିବା ପରେ ତୃଣମୂଳ କଂଗ୍ରେସ ପକ୍ଷରୁ ସିହ୍ନାଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ପରେ ୧୯ଟି ବିରୋଧୀ ଦଳର ବୈଠକରେ ସିହ୍ନାଙ୍କ ନାଁରେ ମୋହର ବାଜିଥିଲା । ରାଷ୍ଟ୍ରପତି ନିର୍ବାଚନରେ ସିହ୍ନାଙ୍କ ପ୍ରତିଦ୍ୱନ୍ଦିତା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ  ।

ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରଶଂସା

ଭୁବନେଶ୍ୱର: ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ ପ୍ରଶଂସା । ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ପରିଚାଳନାରେ ରାଜ୍ୟକୁ ପ୍ରଶଂସା କରିଛନ୍ତି। ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି । ରାଜ୍ୟ ସରକାର ସିଙ୍ଗିଲ୍ ନୋଡାଲ୍ ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରିଛନ୍ତି । ଏହାକୁ ପ୍ରଶଂସା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ସାରା ଦେଶରେ ଓଡ଼ିଶା ମଡେଲକୁ ଉଦାହରଣ ଭାବେ ନିଆଯାଉଛି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହାର ଅନୁସରଣ କରିପାରିବେ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ, କୋଭିଡ୍‌ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପୁରୀ ମନା       

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଥଯାତ୍ରା ମନା । କାଶ, ଜ୍ୱର, ଥଣ୍ଡା ଓ ଛିଙ୍କ ହେଉଥିଲେ ପୁରୀ ନଯାଇ ଘରେ ବସି ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରଥଯାତ୍ରା ପାଇଁ ପୁରୀରେ ପର୍ଯ୍ୟାପ୍ତ ପରିମାଣର ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ । ପୁରୀକୁ ଯାଉଥିବା ଭକ୍ତଙ୍କୁ ମାସ୍କ ଯୋଗାଇବ ସ୍ୱାସ୍ଥ୍ୟ ବିଭାଗ । ଏହାସହ ଭିଡ଼ ସ୍ଥାନକୁ ନଯିବାକୁ ଅନୁରୋଧ କରାଯାଇଛି । କେବଳ କୋଭିଡ ନୁହେଁ ଝାଡା, ବାନ୍ତି ଭଳି ରୋଗ ପାଇଁ ସଚେତନ ରହିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ ।

ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସାବଧାନ, ଦଳର ପଞ୍ଜୀକରଣ ପ୍ରତ୍ୟାହାର କରିପାରନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସାବଧାନ । ନିର୍ବାଚନ ନଲଢ଼ି କାଗଜ କଲମରେ ସୀମିତ ଥିବା ଦଳ ଗୁଡ଼ିକର ପଞ୍ଜିକରଣ ପ୍ରତ୍ୟାହୃତ କରିପାରନ୍ତି ନିର୍ବାଚନ କମିଶନ । ଏହି ଧରଣର ଦଳର ପଞ୍ଜିକରଣ ପ୍ରତ୍ୟାହାର କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ । ଏହି ଦଳଗୁଡ଼ିକ ଅନେକ ସମୟରେ ନିର୍ବାଚନ ନ ଲଢ଼ି ବିଭିନ୍ନ ଦୁର୍ନୀତିରେ ସାମିଲ ହେଉଥିବାରୁ ଉଗ୍ର ପଦକ୍ଷେପ ନେଇପାରନ୍ତି କମିଶନ । ବର୍ତ୍ତମାନର ନିର୍ବାଚନ ଆଇନ ଅନୁସାରେ ଏକ ରାଜନୈତିକ ଦଳକୁ ପଞ୍ଜିକରଣ କରିବା କ୍ଷମତା ନିର୍ବାଚନ କମିଶନ ନିକଟରେ ଥିବାବେଳେ, କୌଣସି ଦଳର ପଞ୍ଜିକରଣକୁ ପ୍ରତ୍ୟାହାର କରିବାର କ୍ଷମତା ଇସି ନିକଟରେ ନାହିଁ । ତେଣୁ ଏହି କ୍ଷମତା କମିଶନ ହାତରେ ଦେବା ଲାଗି କେନ୍ଦ୍ର ବିଧେୟକ ସଚିବଙ୍କ ନିକଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ପ୍ରସ୍ତାବ ରଖିଛନ୍ତି ।

ଜନପ୍ରତିନିଧି ଆଇନ ଅନୁସାରେ କୌଣସି ଦଳର ମାନ୍ୟତା ପ୍ରତ୍ୟାହାର ଲାଗି କ୍ଷମତା ଦେବା ସକାଶେ ସରକାରଙ୍କ ନିକଟକୁ ପତ୍ର ଲେଖିଛନ୍ତି ରାଜୀବ କୁମାର । ଦେଶରେ ଅନେକ ରାଜନୈତିକ ଦଳ ପଞ୍ଜିକୃତ ହୋଇଥିଲେ ମଧ୍ୟ ସେମାନେ ନିର୍ବାଚନ ଲଢୁ ନଥିବା ଦେଖାଯାଉଛି । କାଗଜ କଲମରେ ସେମାନଙ୍କ କାର୍ଯ୍ୟକାଳପ ସୀମିତ ରହୁଛି । ସେହିପରି ନିର୍ବାଚନ ସମୟରେ ଅନେକ ପ୍ରକାର ଦୁର୍ନୀତିରେ ଲିପ୍ତ ହେବା ଦେଖାଯାଉଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ନିର୍ବାଚନ କମିଶନ ସ୍ୱାଧୀନ ଭାବେ କାର୍ଯ୍ୟ କରିବ ଏବଂ ମୁକ୍ତ ଓ ଅବାଧ ନିର୍ବାଚନକୁ ଗୁରୁତ୍ୱ ଦେବ । ଏହି ନୀତି ଅନୁସାରେ ଲୋକଙ୍କ ଲାଗି କାର୍ଯ୍ୟ କରିବା ବା ଆଦର୍ଶଗତ ରାଜନୈତିକ କାର୍ଯ୍ୟକ୍ରମ ଦୃଷ୍ଟିରୁ ବିଭିନ୍ନ ଦଳକୁ ଇସି ପଞ୍ଜିକୃତ କରିଥାନ୍ତି ।

କିଛି ଦିନ ତଳେ ଏପରିକି ବିଭିନ୍ନ ଆର୍ଥିକ ଅନିୟମିତତା ସମ୍ପର୍କରେ ଖବର ମିଳିବା ପରେ ୩ଟି ଦଳ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ଆରମ୍ଭ କରିବା ଲାଗି ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ବର୍ତ୍ତମାନ ଦେଶରେ ୮ଟି ପଞ୍ଜିକୃତ ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳ ରହିଥିବା ବେଳେ, ୫୦ରୁ ଅଧିକ ପଞ୍ଜିକୃତ ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ଦଳ ରହିଛନ୍ତି । ଦେଶରେ ପ୍ରାୟ ୨୮୦୦ ଅଣସ୍ୱୀକୃତିପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳ ରହିଛନ୍ତି ।

ୟୁକ୍ରେନ ରାଜଧାନୀ କିଭରେ ଋଷର ଜୋରଦାର ଷ୍ଟ୍ରାଇକ, ସାମରିକ କେନ୍ଦ୍ର ଉପରେ ଆକ୍ରମଣ

କିଭ୍: ପ୍ରାୟ ୩ ସପ୍ତାହ ପରେ ପୁଣି ୟୁକ୍ରେନ ରାଜଧାନୀ କିଭ୍ ଉପରେ ଋଷର ଜୋରଦାର ଷ୍ଟ୍ରାଇକ । ଜର୍ମାନୀରେ ଗ୍ରୁପ-୭ ବୈଠକ ଚାଲିଥିବା ବେଳେ କିଭ୍ ଉପରେ ଆକ୍ରମଣ କରିଛି ଋଷ । ପୂର୍ବ ୟୁକ୍ରେନର ସେଭେରୋ ଡୋନେସ୍କକୁ ଅକ୍ତିଆର କରିବା ପରେ କିଭ୍ ଉପରେ ଆକ୍ରମଣ ହୋଇଛି । ସେପଟେ ପୋଲାଣ୍ଡ ସୀମା ଅନ୍ତର୍ଗତ କେତେକ ସାମରିକ କେନ୍ଦ୍ର ଉପରେ ବି ଆକ୍ରମଣ ହୋଇଛି । ଆକ୍ରମଣ ଯୋଗୁ କେତେକ ବୃହତ ଅସ୍ତ୍ର ଗୋଦାମ ଧ୍ୱଂସ ପାଇଥିବା ସୂଚନା ମିଳିଛି । ଗ୍ରୁପ-୭ ବୈଠକରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଇଟାଲି, ଫ୍ରାନ୍ସ, ଜାପାନ ଯୋଗ ଦେଇଥିବା ବେଳେ ଏହି ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଉଦବୋଧନ ଦେବେ ।

କିଭ୍ ଉପରେ ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ବୈଠକରେ ଋଷ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସମ୍ଭାବନା ରହିଛି । ଏହାସହ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ନିଷ୍ପତ୍ତି ଗ୍ରହଣ କରାଯିବ । ଅସ୍ତ୍ରଶସ୍ତ୍ର ଅଭାବରୁ ପୂର୍ବ ୟୁକ୍ରେନର ସେଭେରୋ ଡୋନେସ୍କ ହାତଛଡ଼ା ହେଲା ବୋଲି ଗ୍ରୁପ-୭ରେ ମତପ୍ରକାଶ ପାଇଛି । ସେପଟେ ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି କେନ୍ଦ୍ର ଏସିଆ ଅନ୍ତର୍ଗତ ଦୁଇ ପ୍ରଜାତନ୍ତ୍ର ତାଜିକିସ୍ତାନ ଓ ତୁର୍କମେନିସ୍ତାନକୁ ଗସ୍ତ କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେଠାରେ ସେ କାସ୍ପିଆନ ରାଷ୍ଟ୍ର ସମୂହ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯୁଦ୍ଧ ପରିପ୍ରେକ୍ଷୀରେ ଦୁଇ ରାଷ୍ଟ୍ରଙ୍କୁ ସାହାଯ୍ୟ ଭିକ୍ଷା ଲାଗି ପୁଟିନ କରିପାରନ୍ତି ଅନୁରୋଧ । ଏହି ଦୁଇ ରାଷ୍ଟ୍ର ଅତୀତରେ ସୋଭିଏତ ରାଷ୍ଟ୍ରସଂଘର ଅନ୍ତର୍ଭୁକ୍ତ ଥିବା ବେଳେ ଋଷ ସହ ଦୁଇ ରାଷ୍ଟ୍ରର ଉତ୍ତମ ସମ୍ପର୍କ ରହିଛି ।

ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି, ଲୁଟିନେଲେ ଅଧାକିଲୋ ସୁନା ଓ ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ଅଭିଯୋଗ । ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲା ଲୁଟେରା । ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି । ଚନ୍ଦକା ଥାନା ହରିପୁର ଗାଁରେ ଘଟିଛି ଏହି ଘଟଣା । ଘର ମାଲିକ ତଥା ଅବସରପ୍ରାପ୍ତ କିରାଣି ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା ।

ଶନିବାର ରାତି ପ୍ରାୟ ୩ଟା ସମୟରେ ଲୁଟେରାମାନେ ପାଚେରି ଡେଇଁ ଘର ଭିତରେ ପ୍ରବେଶ କରିବା ସହିତ ଗ୍ୟାସ କଟର ସାହାଯ୍ୟରେ ଝରକା କାଟିଥିଲେ । ଘର ଭିତରକୁ ଯାଇ ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ଘରକୁ ବାହାର ପଟରୁ ତାଲା ପକାଇ ଦେଇଥିଲେ । ଘରେ ଥିବା ଦୁଇଟି ଆଲମିରା ଲକ୍ ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ସୁନା ଚୁଡି, ମୁଦି, କାନଫୁଲ ଲୁଟି ନେଇଛନ୍ତି ଲୁଟେରା । ଜମି କିଣିବା ପାଇଁ ଆଲମିରାରେ ରଖିଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା ।

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ସଂକଟ, ବିଧାୟକଙ୍କ ସଦସ୍ୟତା ରଦ୍ଧ୍ ଉଦ୍ୟମ ବିରୋଧରେ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ସଂକଟ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନାର ଉଦ୍ୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏକନାଥ ସିନ୍ଦେ । ଏହାଛଡ଼ା ଅଜୟ ଚୌଧୁରୀଙ୍କୁ ଶିବସେନା ବିଧାୟକ ଦଳ ନେତା ନିଯୁକ୍ତି ଓ ଉପବାଚସ୍ପତି ନରହରି ଜିରଓ୍ୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ସିନ୍ଦେ ଶିବିର । ଏଣେ ବିଦ୍ରୋହୀ ଶିବିରରେ ଥିବା ସିନ୍ଦେ ଓ ଅନ୍ୟ ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଚାର କରୁଛି ଶିବସେନା ।

ଏପଟେ ଅନାସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ହେଲେ ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ବିଧାୟକ । ସିନ୍ଦେ ଗୋଷ୍ଠୀର ବିଧାୟକ  କୌଣସି ବି ସମୟରେ ବିଧାନସଭାରେ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ । ହେଲେ ସର୍ତ୍ତ ରଖିଛନ୍ତି ଯେ, ଅନାସ୍ଥା ଭୋଟ୍ ସମୟରେ ପ୍ରଥମେ ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ସିନ୍ଦେ ଗୋଷ୍ଠୀଙ୍କୁ ଦେବା ଉଚିତ୍ । ବିଦ୍ରୋହୀ ବିଧାୟକ ମହାବିକାଶ ଅଘାଡି ସରକାରକୁ ଆଉ ଯିବେ ନାହିଁ । ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଆଉ ଦୁଇ ଜଣ ବିଧାୟକ ସାମିଲ୍ ହେବେ ବୋଲି ସେମାନେ ଦାବି କରିଛନ୍ତି । ସେମାନଙ୍କ ସମର୍ଥନ ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କୁ ମିଶାଇ ବିଦ୍ରୋହୀଙ୍କ ସଂଖ୍ୟା ବଳ ୫୧ରେ ପହଞ୍ଚିବ । ଆଗାମୀ ତିନି ଚାରି ଦିନରେ କୌଣସି ନିଷ୍କର୍ସରେ ପହଞ୍ଚିବା ସହ ମହାରାଷ୍ଟ୍ର ଯିବୁ ବୋଲି ବିଦ୍ରୋହୀ ବିଧାୟକ କହିଛନ୍ତି ।