spot_img
Home Blog Page 4132

ଜୁନ୍‌ରେ ବିବାହ କରିଥିଲେ, ଅଗଷ୍ଟରେ ଜୀବନ ହାରିଲେ ନବବଧୂ

ଭୁବନେଶ୍ବର: ଶାଶୂଘର ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଜିଜିପି କାଲୋନୀରେ ଘଟିଛି ଏଭଳି ଘଟଣା । ମୃତା ନବବଧୂ ହେଲେ ପ୍ରଜ୍ଞା ପାରମିତା ସ୍ବାଇଁ । ପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ୨୦୨୨ ଜୁନ ୮ ତାରିଖରେ ବିବାହ କରିଥିଲେ ପ୍ରଜ୍ଞା ।

ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବିବାହ ହୋଇଥିଲା । କ୍ୟାନସର ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂଘର ଲୋକ ଘରୁ ବାହାର କରି ଦେଇଥିଲେ । କିନ୍ତୁ କ୍ୟାନସର ନୁହେଁ, ତାଙ୍କର ଦାନ୍ତବିନ୍ଧା ହେଉଥିବା ପରେ ଜଣାପଡ଼ିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାର ତଦନ୍ତ ଆରମ୍ଭ କରିଛି  । ନବବଧୂଙ୍କ ଶାଶୂଘର ଲୋକଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚୁରା କରିପାରେ ପୋଲିସ  ।

ଘନଘନ ରକେଟ୍‌ ମାଡ଼ରେ ଘାଇଲା ଗାଜା, ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

ଜେରୁଜେଲମ: ପୁଣି ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ । ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିବା ବେଳେ ଦକ୍ଷିଣ ଇସ୍ରାଏଲ ଉପରେ ବି ହମଲା କରିଛି ପାଲେଷ୍ଟାଇନ । ପାଲେଷ୍ଟାଇନ ଜିହାଦ ସଂଗଠନର ଜଣେ ବରିଷ୍ଠ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ବଢିବାରେ ଲାଗିଛି ଟେନସନ ।

ଇସ୍ରାଏଲ ହମଲାରେ ଉତ୍ତର ଗାଜାର ଜାବାଲିୟାରେ ପ୍ରାଣ ହରାଇଥିବା ପାଲେଷ୍ଟିନୀୟଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୬ ଶିଶୁ । ହମଲାରେ ଉତ୍ତରାଞ୍ଚଳ ଗାଜାର କମାଣ୍ଡର ତାଇସିର-ଅଲ- ଜାବାରି ପ୍ରାଣ ହରାଇଛି । ଦ୍ବିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧାବସ୍ଥା ଜାରି ରହିଥିବାବେଳେ ଏହାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଛି ଅସ୍ଥିରତା । ଯଦିଓ ଗାଜାକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି ତଥାପି ଗାଜାର ସର୍ବବୃହତ ଆତଙ୍କବାଦୀ ସଂଗଠନ ହାମାସ ବର୍ତ୍ତମାନ ସୁଦ୍ଧା ନିରପେକ୍ଷ ରହିଛି ।

ବର୍ଷକ ତଳେ ଗାଜାକୁ ନେଇ ଇସ୍ରାଏଲ ଓ ହାମାସ ମଧ୍ୟରେ ତୁମୂଳ ସଂଘର୍ଷ ହୋଇଥିଲା । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ ବଢୁଥିବାବେଳେ ଗାଜାରେ ରହୁଥିବା ପ୍ରାୟ ୨୦ ଲକ୍ଷ ପାଲେଷ୍ଟିନୀୟଙ୍କ ଅବସ୍ଥା ସଙ୍କଟ ଆଡକୁ ଗତି କରିଛି । ତେଣେ ଇସ୍ରାଏଲ ଅଭିଯୋଗ କରିଛି ତେଲ ଆଭିବରେ ପାଲେଷ୍ଟାଇନ ରକେଟ ଷ୍ଟ୍ରାଇକ କରିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ସମସ୍ୟାରେ ପଡିଛନ୍ତି ଇସ୍ରାଏଲର କାମଚଳା ପ୍ରଧାନମନ୍ତ୍ରୀ ୟାର ଲାପିଦ ।

ସେପଟେ ଦୋଛକିରେ ପଡିଛି ହାମାସ । ଗାଜାରେ ଦାରିଦ୍ର୍ୟ ଓ ବେକାରୀ ଚରମ ସୀମାରେ ପହଞ୍ଚିଛି । ଗତ ୨୦୦୭ରେ ଗାଜାକୁ ହାମାସ ନିଜ ଅଧୀନକୁ ନେବା ପରେ ଇସ୍ରାଏଲ ଓ ଇଜିପ୍ଟ ନିଜର ସୀମାକୁ ସିଲ୍ କରିସାରିଛନ୍ତି । ଯୁଦ୍ଧରୁ ହାମାସକୁ ବିରତ ରଖିବା ଲାଗି ଆମେରିକା ସମେତ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହୋଇଛି । ହାମାସ ତୁଳନାରେ କ୍ଷୁଦ୍ର ସଂଗଠନ ଇସଲାମିକ ଜିହାଦ ସଂଗଠନକୁ ସମର୍ଥନ କରୁଛି ଇରାନ ।

ଇଟା ଫ୍ୟାକ୍ଟ୍ରି ଯାଇ ଫେରିଲେନି ଯୁବକ, ଆଜି ମିଳିଲା ମୃତଦେହ

ଯାଜପୁର: ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର  । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁଭଦ୍ରାପୁର ନିକଟରେ ଏକ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ହେଲେ ଆରୁଆ ପଞ୍ଚାୟତ କୋହ୍ଲା ଗାଁର ମକର ଚନ୍ଦ୍ର ସାହାଣୀ ।

ସେ ଆରୁହା ଅଞ୍ଚଳରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମକରଙ୍କୁ ପାଇ ନଥିଲେ । ଏନେଇ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ । ପରେ ସୁଭଦ୍ରାପୁର ନିକଟରେ ଏକ ନାଳରୁ ମକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମକର ସାହାଣୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

ଭୁବନେଶ୍ବର: ଗୃହରକ୍ଷୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୩୮ ପ୍ରତିଶତ ବଢ଼ିଲା ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍‌ ଆଲାଉନ୍ସ । ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ଟଙ୍କା ହେଲା ଡ୍ୟୁଟି କଲ୍ ଅପ୍‌ ଆଲାଉନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ପୂର୍ବରୁ ଗୃହରକ୍ଷୀମାନଙ୍କୁ ଡ୍ୟୁଟି କଲ୍ ଅପ୍‌‌ ଆଲାଉନ୍ସ ଭାବରେ ମାସିକ ୯ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କା ହିସାବରେ ମାସିକ ୧୨ ହଜାର ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଛଡ଼ା ଗୃହରକ୍ଷୀଙ୍କୁ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବଭଳି ମିଳିବ।

CWG 2022: ରିଲେ ଫାଇନାଲରେ ଆଜି ଦୌଡିବେ ଦୂତୀ-ଶ୍ରାବଣୀ

ବର୍ମିଂହାମ: ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟ୍ରାକରେ ଦୌଡ଼ିବେ ଦୁଇ ଓଡ଼ିଆ  । ସ୍ପ୍ରିଣ୍ଟର ଦୂତୀଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଉପରେ ଦେଶବାସୀଙ୍କ ନଜର । ସନ୍ଧ୍ୟା ୫ଟା ୨୦ରେ ଟ୍ରାକରେ ଦୌଡ଼ିବେ ଦୁଇ ଓଡ଼ିଆ  । ୪×୧୦୦ ରିଲେ ଫାଇନାଲରେ ଦୌଡ଼ିବେ । ଦୂତୀଚାନ୍ଦ ଓ ଶ୍ରାବଣୀଙ୍କ ସହ ହିମା ଦାସ ଓ ଜ୍ୟୋତି ୟାରାଜି ମଧ୍ୟ ୪×୧୦୦ ରିଲେ ଫାଇନାଲରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ରିଲେ ପ୍ରଥମ ହିଟରେ ଭାରତ ଭଲ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଟିକେଟ୍ ହାତେଇଛି  ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଚାଲିଛି ସଫଳତା । ମୋଟ୍ ୪୦ଟି ପଦକ ସହ ମେଡାଲ ତାଲିକାରେ ପଞ୍ଚମ ସ୍ଥାନରେ ଭାରତ । ଏ ପର୍ଯ୍ୟନ୍ତ ମୋଟ୍ ୧୩ଟି ସୁନା, ୧୧ଟି ରୂପା ଓ ୧୬ଟି ବ୍ରୋଞ୍ଜ ପଦକ ଦେଶ ନାଁରେ ହୋଇଛି । କମନୱେଲ୍ଥ ଗେମ୍ସର ନବମ ଦିନରେ ସର୍ବାଧିକ ୧୪ଟି ମେଡାଲ ଜିତି ରେକର୍ଡ କରିଛି ଦେଶ ।

ସେପଟେ ମହିଳା କ୍ରିକେଟ୍ ଟିମ୍, ପୁରୁଷ ହକି ଟିମ୍ ଫାଇନାଲରେ ପହଞ୍ଚିଛନ୍ତି । ହକି ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲରେ ହରାଇ ଫାଇନାରେ ପହଞ୍ଚିଛି ଭାରତ । ସେପଟେ କ୍ରିକେଟ ଫାଇନାଲରେ ଆଜି ରାତି ସାଢେ ୯ଟାରେ ମହିଳା ଇଣ୍ଡିଆ ଟିମ୍  ଅଷ୍ଟ୍ରେଲିଆ ଟିମ୍କୁ ଭେଟିବ ।

ଲଘୁଚାପ ବର୍ଷାରେ ବେହାଲ ଓଡିଶା, ଆହୁରି ତିନି ଦିନ ଅବିଶ୍ରାନ୍ତ ବର୍ଷିବ

ଭୁବନେଶ୍ବର: ଅବିଶ୍ରାନ୍ତ ବର୍ଷାରେ ବେହାଲ ଓଡ଼ିଶା । ଗତକାଲି ଠୁ ଲାଗି ରହିଛି ପ୍ରବଳ ବର୍ଷା  । ଆଜିଠୁ ବର୍ଷାର ପରମାଣ  ବଢିବ  । ଓ୍ବେଲମାର୍କ ଲୋ’ପ୍ରେସରରେ ପରିଣତ ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଆଜି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି  । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ବୌଦ୍ଧ ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସମୁଦ୍ର ଅଶାନ୍ତ ରହିବା ଯୋଗୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ଗତକାଲି (ଶନିବାର) ଲଗାଣ ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଥିଲା । ରାଜଧାନୀର ଅନେକ ଜନଗହଳି ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ଯୋଗୁଁ ବୁଡ଼ିଯାଇଥିଲା ମୋ ବସ୍ ।

ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ ନବୀନ

ଭୁବନେଶ୍ବର: ଆଜି ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ  ।  ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ବୈଠକ ବସିବ । କେନ୍ଦ୍ର-ରାଜ୍ୟ ସମ୍ପର୍କ ନେଇ ଏଥିରେ ହେବ ବିଶଦ ଆଲୋଚନା । ତୈଳବୀଜ, ଡାଲିଜାତୀୟ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ଉନ୍ନତ ଶସ୍ୟ ପରିଚାଳନା, କୃଷକ ସମ୍ପ୍ରଦାୟର ବିକାଶ, ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ପରିଚାଳନା ଆଦି ପ୍ରସଙ୍ଗରେ ହେବ ଆଲୋଚନା ।

ନୀତି ଆୟୋଗର ବିଭିନ୍ନ ପ୍ରସ୍ତାବର ରୂପାୟନ ଲାଗି ଗତ ଜୁନରେ ହିମାଚଳ ପ୍ରଦେଶ ଧର୍ମଶାଳାରେ ଆୟୋଜିତ ହୋଇଥିଲା ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମିଳନୀ । ଆସନ୍ତା ବର୍ଷ ହେବାକୁ ଯାଉଥିବା ଗ୍ରୁପ-୨୦ ବୈଠକ ପୂର୍ବରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।

ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ  । ବୈଠକରେ ମୁଖ୍ୟମନ୍ତ୍ରୀ ଉଠାଇବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ  । ବିଶେଷକରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇବେ ନବୀନ । ପ୍ରତିବର୍ଷ ବନ୍ୟା, ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି । ଏଣୁ ରାଜ୍ୟର ବିକାଶ ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି  । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଜରୁରୀ  ।

ଦୀର୍ଘ ଦୁଇ ଦଶଦ୍ଧି ଧରି କେନ୍ଦ୍ର ନିକଟରେ ଏହି ଦାବି ରଖାଯାଉଥିଲେ ବି ପ୍ରତିଶ୍ରୁତି ଦେଇ କେନ୍ଦ୍ର ଅଣଦେଖା କରୁଛି  । ଆଜି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବିକୁ ପୁଣି ଦୋହରାଇବେ ନବୀନ  । ଏହା ସହିତ କୃଷି, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ସହାୟତା ପାଇଁ ଦାବି ରଖିବେ  । ରେଳବାଇ, ବ୍ୟାଙ୍କିଂ, ମୋବାଇଲ ଯୋଗାଯୋଗ ପ୍ରସଙ୍ଗ ଉଠାଇ ରାଜ୍ୟର ହକ ମାଗିବେ ମୁଖ୍ୟମନ୍ତ୍ରୀ  ।

ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ SSLVର ସଫଳ ଉତକ୍ଷେପଣ

ଅମରାବତୀ: ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ପକ୍ଷରୁ ଦେଶର ସବୁଠୁ ଛୋଟ ରକେଟ୍‌ SSLV-D1ର ସଫଳ ଉତ୍‌କ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶ ଶୀହରିକୋଟାସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ରକେଟ୍ SSLV-D1କୁ ଲଞ୍ଚ କରାଯାଇଛି । ଏହି ରକେଟରେ EOS2 ଓ ଆଜାଦି ସାଟ୍‌ ନାମରେ ଦୁଇଟି ସାଟେଲାଇଟ ମହାକାଶକୁ ପଠାଯାଇଛି ।

ଦୁଇ ସାଟେଲାଇଟ ଅରବିଟରେ ପହଞ୍ଚିଥିବା ବେଳେ ଶେଷ ମୁହୂର୍ତ୍ତରେ ସମ୍ପର୍କ ଛିନ୍ନ ହୋଇଥିବା ଜଣାପଡ଼ିଛି । ସାଟେଲାଇଟ ଡାଟା ଲିଙ୍କ ପାଇବା ପାଇଁ ଇସ୍ରୋ କଣ୍ଟ୍ରୋଲ ସେଣ୍ଟର ପକ୍ଷରୁ ଲଗାତାର ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ଇସ୍ରୋର ସବୁଠୁ ଭରସାଯୋଗ୍ୟ ରକେଟ୍ ହେଉଛି SSLV ବା ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ ।  SSLV ହେଉଛି ଏକ ଛୋଟ ଲିଫ୍ଟ ଲଞ୍ଚ ମହାକାଶଯାନ । ଏହାର ଲମ୍ବ 34 ମିଟର ରହିଥିବା ବେଳେ ବ୍ୟାସ ରହିଛି 6 ଦଶମିକ 7 ଫୁଟ । ଏହାର ମୋଟ ଓଜନ 120 ଟନ୍ ।

ଏହା PSLV ରକେଟ୍ ଅପେକ୍ଷା ଆକାରରେ ବହୁତ ଛୋଟ । ଏହାର ଚାରୋଟି ଅଂଶ ଅଛି । ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ । ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ । ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ । ଏହା ମାଧ୍ୟମରେ 500 କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ନିମ୍ନ କକ୍ଷପଥକୁ ପଠାଯିବ । ଏହି ସାଟେଲାଇଟରେ ପଠାଯାଇଥିବା EOS2 ହେଉଛି ଏକ ଆର୍ଥ ଅବଜରବେସନ ସାଟେଲାଇଟ ।

ଏହା ଆସନ୍ତା ୧୦ ମାସ ଧରି କାମ କରିବ ।  ସେହିପରି ଆଜାଦି ସାଟ୍ ସାଟେଲାଇଟକୁ ସ୍ପେସକିଡସ୍ ଇଣ୍ଡିଆ ନାମକ ଏକ ଭାରତୀୟ ସ୍ପେସ ଏଜେନ୍ସି ପକ୍ଷରୁ ପ୍ରସ୍ତୁତ କରାଯାଇଛି । ୭୫୦ ଭାରତୀୟ ଛାତ୍ରୀମାନେ ଏହି ସାଟେଲାଇଟ ପ୍ରସ୍ତୁତ କରିଛନ୍ତି ।

ରବିବାର କେମିତି ରହିବ ଦିନ ?

ମେଷ : ଚାକିରି, ବ୍ୟବସାୟ ଓ କ୍ୟାରିୟରରେ ଉନ୍ନତି କରିବାର ଏହା ଉପଯୁକ୍ତ ସମୟ । ମେଷ ରାଶିର ବ୍ୟକ୍ତିମାନେ ଆଜି ଛୋଟବଡ଼ ଅସୁବିଧାର ସମ୍ମୁଖୀନ କରିପାରନ୍ତି । ବାପାମାଆଙ୍କ ଯତ୍ନ ନିଅନ୍ତୁ । କର୍ମକ୍ଷେତ୍ରରେ କାମ କରିବାକୁ ମନ ଲାଗି ରହିବ । ଆପଣଙ୍କ ସନ୍ତାନ ଆପଣଙ୍କ ଖୁସିର କାରଣ ହୋଇପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଗୋଲମରିଚକୁ ଫୁଟାଇ ରାସ୍ତାରେ ଫୋପାଡ଼ି ଦିଅନ୍ତୁ । କୌଣସି ସମାରୋହରେ ସାମିଲ ହେଲେ ସମ୍ମାନ ମିଳିପାରେ ।

ଶୁଭ ରଙ୍ଗ- ବାଇଗଣୀ

ବୃଷ : ବ୍ୟବସାୟକୁ ନେଇ ଯତ୍ନଶୀଳ ହେବେ । ଦାୟିତ୍ୱ ବଢ଼ିବା କାରଣରୁ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ବୁଦ୍ଧି ବିକଶିତ ହେବା ସହ ସରକାରୀ ଚାକିରି କରିଥିବା ବ୍ୟକ୍ତିଙ୍କର ପ୍ରମୋସନ ହୋଇପାରେ । ବୃଷ ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କ ସହ ମନୋରଞ୍ଜନ ସମୟ ଅତିବାହିତ କରିବେ । ପାରିବାରିକ ଜୀବନ ସୁଖମୟ ହେବା ସହ ଜମିବାଡ଼ି ମାମଲାରେ ଲାଭ ମିଳିବାର ସମ୍ଭାବନା ରହିଛି । କଦଳୀ ଗଛରେ ଜଳ ସହ ହଳଦୀ ମିଶାଇ ଅର୍ପଣ କରନ୍ତୁ । କୌଣସି ଧାର୍ମିକ ଯାତ୍ରା କରିପାରନ୍ତି ।

ଶୁଭ ରଙ୍ଗ- ଲାଲ

ମିଥୁନ : ଧନ ସମ୍ୱନ୍ଧୀୟ ମାମଲାରେ ସଫଳତା ହାସଲ କରିବେ । ପୂର୍ବରୁ ସମାପନ କରିଥିବା କୌଣସି କାର୍ଯ୍ୟରୁ ଲାଭ ମିଳିପାରେ । ଜୀବନସାଥୀଙ୍କ ସହ ମତାନ୍ତର ଦେଖାଦେଇପାରେ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ୭ଟି ପାନ ପତ୍ର ଭଗବାନ ବିଷ୍ଣୁଙ୍କୁ ଚଢ଼ାନ୍ତୁ ।

ଶୁଭ ରଙ୍ଗ- ଲାଲ

କର୍କଟ : ଧନ ଅର୍ଜନ ପାଇଁ କିଛି ନୂଆ ଯୋଜନା କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ମନ ଧ୍ୟାନ ଦେଇ କାମ କରନ୍ତୁ । ପରିଶ୍ରମର ଫଳ ନିଶ୍ଚୟ ମିଳିବ । ପ୍ରେମ ସମ୍ପର୍କ ଭଲ ରହିବ । ବନ୍ଧୁପରିଜନଙ୍କ ସହ ଆନନ୍ଦମୟ ସମୟ ଅତିବାହିତ କରିବେ । ଗଣେଶ ଭଗବାନଙ୍କୁ ଦୁବ ଅର୍ପଣ କରନ୍ତୁ । ଶୁଭ କାର୍ଯ୍ୟରେ ମନ ଲାଗିରହିବ ।

ଶୁଭ ରଙ୍ଗ- ପାଉଁଶିଆ

ସିଂହ : ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଭଲ । ସନ୍ତାନ ପକ୍ଷରୁ ଦୁଃଖଦ ଖବର ମିଳିପାରେ । ଆଜି କୌଣସି ନୂଆ ଚାକିରି ଆରମ୍ଭ କରିପାରନ୍ତି । ବୈବାହିକ ଜୀବନରେ କଳହ ଦେଖାଦେଇପାରେ । ଚିନ୍ତାରେ ରହୁଥିବାରୁ ମନରେ ନକାରତ୍ମକ ଭାବନା ଆସିପାରେ । ମା’ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଚଢ଼ାନ୍ତୁ । ଦାମ୍ପତ୍ୟ ଜୀବନରେ କଷ୍ଟ ଦେଖାଦେଇପାରେ ।

ଶୁଭ ରଙ୍ଗ- ଲାଲ

କନ୍ୟା : ନୂଆ କାମ ଆରମ୍ଭ କରିବାର ଏହା ଉପଯୁକ୍ତ ସମୟ । ମାନସିକ ଭାବେ ଖୁବ୍ ଦୃଢ଼ ରହିବେ । କାର୍ଯ୍ୟରେ ଅଧିକ ସମୟ ଧ୍ୟାନ ଦିଅନ୍ତୁ । ଆଳସ୍ୟଠୁ ଦୂରେଇ ରୁହନ୍ତୁ । ଅଚାନକ ଜୀବନସାଥୀଙ୍କଠାରୁ ଲାଭ ମିଳିପାରେ । ମନର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ସାମାନ୍ୟ ଚିନ୍ତାଗ୍ରସ୍ତ ଏବଂ ବିଚଳିତ ହୋଇପାରନ୍ତି । ସରକାରୀ କର୍ମଚାରୀମାନଙ୍କର ଚାକିରିରେ କୌଣସି ପରିବର୍ତ୍ତନ ଦେଖାଦେଇପାରେ । ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ ।

ଶୁଭ ରଙ୍ଗ- ଆକାଶୀ

ତୁଳା : ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଲିପାରେ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ କାରଣ ସ୍ୱାସ୍ଥ୍ୟ ବିଗିଡ଼ିପାରେ । ପୂର୍ବରୁ ନିବେଶ କରିଥିବା ଧନରୁ ଲାଭ ମିଳିପାରେ । ଆଜିର ଦିନରେ ସମ୍ପର୍କରେ ବିବାଦ ଦେଖାଦେଇପାରେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଏବଂ ସୁଖମୟ ହେବ । ବର ଗଛ ତଳେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଚାକିରି କରିଥିବା ବ୍ୟକ୍ତି ବାହାରକୁ ନ ଗଲେ ଭଲ ।

ଶୁଭ ରଙ୍ଗ- ହଳଦିଆ

ବିଛା : ବ୍ୟବସାୟରେ ଉନ୍ନତି କରିବେ ଏବଂ କୌଣସି ନୂଆ ଡିଲ୍ ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କଠାରେ ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କ ଜଟିଳ ହେବ । ସାମାଜିକ କାର୍ଯ୍ୟକେରମରେ ଭାଗ ନେବେ ଓ ପାରିବାରିକ ଜୀବନ ସୁସ୍ଥ ରହିବ । ସୂର୍ଯ୍ୟୋଦୟ ପୂର୍ବରୁ ଜଳ ଅର୍ପଣ କରନ୍ତୁ । ଆଜିର ଦିନରେ ମନରେ କୌଣସି ସକାରତ୍ମର ପରିବର୍ତ୍ତନ ଆସିପାରେ ।

ଶୁଭ ରଙ୍ଗ- ଲାଲ

ଧନୁ : ଧୌର୍ଯ୍ୟ ବଜାୟ ରଖନ୍ତୁ । କାରଣ ନିଜର ବୁଦ୍ଧି ଓ ପ୍ରୟାସରେ ସଫଳତା ହାସଲ କରିବେ । ଆଇନଗତ କାର୍ଯ୍ୟରେ ସଫଳ ହେବ । ଧନପ୍ରାପ୍ତିର ସୁଯୋଗ ରହିଛି । ଜୀବନସାଥୀଙ୍କ କ୍ରୋଧକୁ ସହିବାର ଶକ୍ତି ରଖନ୍ତୁ । ବାଡ଼ି ପଟେ କଦଳୀ ଗଛ ରୋପଣ କରନ୍ତୁ । ଫଳରେ ଆର୍ଥିକ ସ୍ଥିତି ମଜବୁତ ରହିବ ।

ଶୁଭ ରଙ୍ଗ- ସବୁଜ

ମକର : ବ୍ୟବସାୟରେ ଉନ୍ନତି କରିବା ସହ ବର୍ତ୍ତମାନ ପରିସ୍ଥିତରେ ସୁଧାର ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । ସମ୍ପର୍କକୁ ସୃଦୃଢ଼ କରିବେ । ପରିବାରରେ କୌଣସି ସମାରୋହ ଆୟୋଜନ ହୋଇପାରେ । ପଞ୍ଚମୁଖୀ ଦୀପ ଠାକୁର ଘରେ ପ୍ରଜ୍ଜ୍ୱଳନ କରନ୍ତୁ ।

ଶୁଭ ରଙ୍ଗ- ପାଉଁଶିଆ

କୁମ୍ଭ : ନୂଆ ଲୋକଙ୍କ ସହ କାର୍ଯ୍ୟ ଆରମ୍ଭ କରପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସମ୍ପର୍କ ମଜବୁତ କରନ୍ତୁ । ପରିବାରରେ ଖୁସିର ବାତାବରଣ ବଜାୟ ରହିବ । ଆର୍ଥିକ ସ୍ଥିତି ଦୂର କରିବାକୁ ହେଲେ ବର ଗଛର ୫ଟି ଲେଖାଏ ପତ୍ର ପୂଜା ଘରେ ରଖନ୍ତୁ ।

ଶୁଭ ରଙ୍ଗ- ଘିଅ

ମୀନ : ଭ୍ରମଣ ସମ୍ପର୍କିତ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜିର ଦିନଟି ସ୍ୱତନ୍ତ୍ର ରହିବ । ଜୀବନସାଥୀଙ୍କୁ ମନର କଥା କହିପାରନ୍ତି । ବାପାମାଆଙ୍କ ସହ ତୀର୍ଥସ୍ଥଳ ଯିବାର ଯୋଗ ରହିଛି । ନିଜ ଲୋକଙ୍କ ସହାୟତା ମିଳିବ । ଆର୍ଥିକ ଚିନ୍ତା ଦୂର କରିବାକୁ ଚାହୁଁଥିଲେ ହନୁମାନଙ୍କ ନାଁରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ଶୁଭ ରଙ୍ଗ- ଲାଲ

‘ହର ହର ଶମ୍ଭୁ’ ଗାଇ ଚର୍ଚ୍ଚାରେ ଥିବା ଅଭିଲିପ୍ସାଙ୍କ ଆଉ ଏକ ଗୀତ ରିଲିଜ୍ ହେବ

ନନ୍ଦିଘୋଷ ବ୍ୟୁରୋ: ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚାରେ ରହିଥିବା ଅଭିଲିପ୍ସା ପଣ୍ଡା ଲୋକମାନଙ୍କୁ ଆଉ ଏକ ଗୀତ ଭେଟି ଦେବାକୁ ଯାଉଛନ୍ତି । ତାଙ୍କର ଭୋଲେନାଥ ଇଜ୍ ଲାଇଫ ଗୀତ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ପୁଣିଥରେ ଇଣ୍ଟରନେଟରେ ପ୍ରଶଂସାର ପାତ୍ର ପାଲଟିବେ ଅଭିଲିପ୍ସା । ଅଭିଲିପ୍ସାଙ୍କ ନିଜ ସହଯୋଗୀ ଜିତୁ ଶର୍ମାଙ୍କ ସହ ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ । ଦେଶ ବିଦେଶରେ ପ୍ରଶଂସା କରାଯାଇଥିଲା । ତାଙ୍କ ଗୀତର ଦିୱାନା ସମସ୍ତେ ରହିଥିଲେ ।

କେଉଁଝରରେ ଜନ୍ମିତ ଓଡିଆ ଝିଅ ଅଭିଲିପ୍ସା ଏବେ ସାରା ଦେଶରେ ନିଜ ଗୀତ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଗୀତକୁ ଅନେକ ଭଲ ପାଉଥିବା ଦେଖାଯାଇଛି । ତାଙ୍କର ଆଉ ଏକ ଗୀତ ରିଲିଜ୍ ହେବା ଖବର ଶୁଣି ଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ତେବେ ତାଙ୍କର ନୂଆ ଗୀତ ଶ୍ରାବଣ ମାସ ଭିତରେ ରିଲିଜ ହେବ ବୋଲି କୁହାଯାଉଛି । ତେବେ ଅଭିଲିପ୍ସା କରାଟେରେ ବ୍ଲାକ ବେଲ୍ଟ ଅଛନ୍ତି ଏବଂ ଜାତୀୟ ସ୍ତରରେ ସୁନା ପଦକ ମଧ୍ୟ ଜତିଛନ୍ତି । ୮ଟି ଭାଷାରେ ସେ ଗୀତ ଗାଇବାର ଦକ୍ଷତା ରଖିଛନ୍ତି ।