spot_img
Home Blog Page 4187

ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସ ୧ରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଠିକା ଶ୍ରମିକ ଦେଓଗାଁ ଅଞ୍ଚଳର ୨୨ ବର୍ଷୀୟ ଘନସିରା ମୁଣ୍ଡାରୀ ବୋଲି ରାଉରକେଲା ଇସ୍ପାତ କାରଖାନା PR ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ ଠିକା ଶ୍ରମିକ TD କନଷ୍ଟ୍ରକସନ ଠିକା ସଂସ୍ଥାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

କନଭେୟର ବେଲଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଠିକା ଶ୍ରମିକଙ୍କ ମୃତଦେହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ମୃତ ଠିକା ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା, ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଲା

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ସହର । ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ ଉତ୍ତପ୍ତ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ । ଉପକୂଳ ଓଡ଼ିଶାରେ ତାତି ନବଢ଼ିଲେ ବି ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ ।

ଓଡ଼ିଶା ଉପରେ କୌଣସି ସିଷ୍ଟମ ବା ଘୂର୍ଣ୍ଣିବଳୟ ନଥିବାରୁ ଏପରି ସ୍ଥିତି ଲାଗି ରହିବ । ଅନ୍ୟପଟେ ୪ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗିରହିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ କେରଳ ଛୁଇଁସାରିଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସଂପୂର୍ଣ୍ଣ କେରଳ ଛୁଇଁବ । ୩ ଦିନ ମଧ୍ୟରେ ଉତ୍ତରପୂର୍ବ ରାଜ୍ୟ ମିଜୋରାମ, ତ୍ରିପୁରା, ମଣିପୁରରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଜୁନ୍ ୧୦ରୁ ୧୨ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ନେପାଳରେ ଚାଲିଛି ଦୁର୍ଘଟଣାଗ୍ରସ୍ତ ବିମାନର ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସେନା । ଗତକାଲି କ୍ରାସ୍ ସାଇଟ ସମ୍ପର୍କରେ ସୂଚନା ମିଳିଥିବା ବେଳେ ଆଜି ସକାଳୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ନେପାଳ ସେନା ହେଲିକପ୍ଟର ଯୋଗେ କ୍ରାସ୍ ସାଇଟରେ ପହଞ୍ଚି ଉଦ୍ଧାର ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଗତକାଲି ପୂର୍ବାହ୍ନରେ ନେପାଳ ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ କୋଓ୍ବାଙ୍ଗରେ ତାରା ଏୟାରର 9-NAET ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲ ।

ଲାମଚେ ନଦୀ ମୁହାଣ ତଥା ମାନପଥି ପର୍ବତ ନିମ୍ନଦେଶରେ ଦୁର୍ଘଟଣା ଘଟିଥିବା ବେଳେ ସେନାର ସ୍ବତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ନେପାଳ ଆର୍ମିର ସହକାରୀ ମୁଖପାତ୍ର ରଥି ନାରାୟଣ ସିଲଓ୍ବାଲ କହିଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା କଥା ସେମାନେ ସମ୍ଭାବ୍ୟ ଦୁର୍ଘଟଣାସ୍ଥଳରେ ଏକ ଅଗ୍ନି ପିଣ୍ଡୁଳା ଖସି ପଡ଼ିଥିବା ଦେଖିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ବିହାରର ଗୋଟିଏ ପରିବାରର ୭ ସଦସ୍ୟ ଥିବା ସୂଚନା ମିଳିଛି । ସେମାନେ ମୁକ୍ତିନାଥ ଦର୍ଶନ ଉଦ୍ଦେଶ୍ୟରେ ଯାଉଥିଲେ । ବିହାର ଧନୁଷ ଜିଲ୍ଲାର ମିଥିଳିଆ ପୌରାଞ୍ଚଳର ବାସିନ୍ଦା ରାଜନ କୁମାର ଗୋଲେ ଓ ତାଙ୍କ  ପରିବାରର ଅନ୍ୟ ୬ ସଦସ୍ୟ ଏହି ବିମାନରେ ଥିଲେ ।

ବିମାନରେ ମୋଟ ୨୨ ଯାତ୍ରୀ ରହିଥିଲେ । ଓଡିଶାର ଅଶୋକ ତ୍ରିପାଠୀ ଓ ପରିବାରର ଅନ୍ୟ ତିନି ସଦସ୍ୟ ସେହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ । ଗତକାଲି ସକାଳ ୯ଟା ୫୫ ମିନଟରେ ଟ୍ବିନ ଅଟ୍ଟର 9N-AET ବିମାନ ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉଡାଣର ୧୫ ମିନିଟ ପରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଅବତରଣର ମାତ୍ର ୫ ମିନଟ ପୂର୍ବରୁ ଏହା କ୍ରାସ ହୋଇଥିବା ସୂଚନା ମିଳିଛି ।

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ୨୭୯ ବୁଥରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ବ୍ରଜରାଜନଗର: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ୨୭୯ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ଉପନିର୍ବାଚନ ପାଇଁ ୨୨ଟି ନୂଆ ବୁଥ୍ ହୋଇଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଏହି ବୁଥ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ସେହିପରି ୫୦ ପ୍ରତିଶତ ବୁଥରେ ଓ୍ୱେବକାଷ୍ଟିଂ କରାଯିବ ।

୩୦ଟି ମଡେଲ ପୋଲିଂ ବୁଥ ହୋଇଥିବା ବେଳେ ୫ଟି ପିଙ୍କ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ଆଇଶୃଙ୍ଖଳା ସ୍ଥିତି ପାଇଁ ଏକ ହଜାର ପୋଲିସ କର୍ମଚାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୩୧୨ ଜଣ ବାଲଟ୍ ପେପରରେ ଭୋଟ ଦେଇଛନ୍ତି । ରାଜ୍ୟରେ କୋଭିଡ ପ୍ରଭାବ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ସେହିପରି ଗ୍ରୀଷ୍ମ ପ୍ରବାହ ପାଇଁ ବୁଥ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ନିର୍ବାଚନ ମଣ୍ଡଳୀର ବାହାର ଲୋକ ରହିବେ ନାହିଁ । ହୋଟେଲ, ଲଜ୍ ସବୁ ଚେକିଂ କରାଯିବ। ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଗତକାଲିଠାରୁ ସମସ୍ତ ମଦ ଦୋକାନ ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଭୋଟରମାନେ ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । କୌଣସି ସମସ୍ୟାର ସାମଧାନ ପାଇଁ ଟୋଲ୍ ଫ୍ରି ନମ୍ବର-୧୯୫୦ ଜାରି ହେବା ସହ ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା ହୋଇଛି । କାଲି ନିର୍ବାଚନ ପରେ ଜୁନ୍‌ ୩ରେ ଫଳାଫଳ ପ୍ରକାଶ ପାଇବ ।

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ଯମରାଜଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ସକାଳୁ ସକାଳୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ସଜାଡିଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ ।

ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି, କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ମହିଳା । ସାବିତ୍ରୀ ପୂଜା ପାଇଁ ବିଭିନ୍ନ ମନ୍ଦିରରେ ସଧବାଙ୍କ ଭିଡ ଦେଖିବାକୁ ମିଳିଛି । ଗତ ଦୁଇବର୍ଷ ଧରି କରୋନା ପାଇଁ କଟକଣାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିଲା । ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା । କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ମନ୍ଦିରରେ ପୂଜା କରିବାର ଅନୁମତି ମିଳିଛି ।

 

ଗଣମାଧ୍ୟମ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ । ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସେ ଏହି ପଦରୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ଦାୟିତ୍ୱମୁକ୍ତ କରାଯାଇଛି ।

ଡେବ୍ୟୁ ସିଜିନରେ ଦମ୍ ଦେଖାଇଲେ ହାର୍ଦ୍ଦିକ ବ୍ରିଗେଡ୍, ପଦାର୍ପଣ ସଂସ୍କରଣରେ ଜିତିଲେ ଟ୍ରଫି

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ପଦାର୍ପଣ ସିଜିନରେ ପ୍ରଶଂସନୀୟ ପ୍ରଦର୍ଶନ ଦେଖାଇଛି ଗୁଜରାଟ ଟାଇଟନ୍ସ । ଡେବ୍ୟୁ ସିଜିନରେ ଚମତ୍କାର ପ୍ରଦର୍ଶନ କରି ଟ୍ରଫି ହାତେଇଛି ଗୁଜୁରାଟ । ସିଜିନ ଆରମ୍ଭରୁ ଟିମ୍ ଭଲ ପ୍ରଦର୍ଶନ କରୁଥିବା ବେଳେ ଫାଇନାଲ ମ୍ୟାଚରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ନୂଆ ଚାମ୍ପିୟନ ହୋଇଛି ଗୁଜରାଟ ଟିମ୍ । ଅହମ୍ମଦାବାଦଠାରେ ରବିବାର ଆୟୋଜିତ ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ହରାଇଛି ଗୁଜରାଟ । ଫଳରେ ୧୪ ବର୍ଷ ପରେ ଫାଇନାଲକୁ ଯାଇଥିବା ରାଜସ୍ଥାନ ଟିମର ଦ୍ୱିତୀୟ ଥର ଚାମ୍ପିୟନ ହେବା ଆଶା ଧୂଳିସାତ ହୋଇଛି ।

ଗତକାଲି ଫାଇନାଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ ମାତ୍ର ୧୩୦ ରନ କରିବାରେ ସଫଳ ହୋଇଥିଲା । ରାଜସ୍ଥାନ ପକ୍ଷରୁ ଜଶ୍ ବଟଲର ୩୯ ରନ କରିଥିବାବେଳେ ୟଶ୍ୱସୀ ଜୟସ୍ୱାଲ ୨୨ ରନ କରିଥିଲେ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ୱିକେଟ ନେଇଥିବାବେଳେ ସାଇ କିଶୋର ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୩୧ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଗୁଜରାଟ ସହଜରେ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା । ଫାଇନାଲ ମ୍ୟାଚକୁ ୭ ଓ୍ୱିକେଟରେ ନିଜ ନାମରେ କରିଥିଲା ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ୍ ୪୫ ରନ କରିଥିବାବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ରନ କରିଥିଲେ । ତେବେ ଶେଷରେ ଡେଭିଡ ମିଲର ଦ୍ରୁତ ୩୨ ରନ କରି ଗୁଜରାଟକୁ ଟାଇଟଲ ଭେଟି ଦେଇଥିଲେ ।

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ନବୀନ । ୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ବଳକା ଉଷୁନା ଚାଉଳ ଉଠାଇବା ସହିତ ଜିଏସଟି ବକେୟା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବଳକା ଆବାସ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଏହି ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଛୁରୀରେ ଆକ୍ରମଣ କଲା ଯୁବକ, ଜଣେ ମୃତ

ଦିଗପହଣ୍ଡି: ବଚସାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀରେ ଆକ୍ରମଣ କଲେ ଯୁବକ । ଜଣେ ମୃତ, ଜଣେ ଗୁରୁତର ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁରେ ଘଟିଛି ଘଟଣା । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏମକେସିଜିକୁ ସ୍ଥାନାନ୍ତର ବେଳେ ଜଣକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବାବୁ ଗୌଡ଼ ହୋଇଥିବା ବେଳେ ଗୁରୁତର ଯୁବକ ଜଣକ ପ୍ରଦୀପ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ କୌଣସି ଏକ କାରଣରୁ ଯୁବକଙ୍କ ମଧ୍ୟରେ ହୋଇଥିଲା ବଚସା  । ପରବର୍ତ୍ତୀ ସମୟରେ ଏହି ସାମାନ୍ୟ ବଚସା ନେଇଥିଲା ସାଙ୍ଘାତିକ ରୂପ  । ଜଣେ ଯୁବକ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ  ।  ଆକ୍ରମଣ କରିଥିବା ଯୁବକ ଜଣକ ଫେରାର ହୋଇଯାଇଛି । ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, ୫୦ ଲକ୍ଷ କ୍ଷତିପୂରଣ ମାଗିଲେ ପରିବାର

ଝାରସୁଗୁଡା:  ବନ୍ଧବାହାଲ ସ୍ଥିତି ସାପଡାରେ ଅଘଟଣ । ବିଦ୍ୟୁତ ଆଘାତରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ  ଘଟିଛି । ମୃତ କର୍ମଚାରୀ ଜଣକ ଅଢାପଡ଼ା ଗ୍ରାମର ଜଗଦିଶ ପ୍ରଧାନ । ଏଭି ସ୍ଵିଚ ପରିଚାଳନା ବେଳେ ଜଗଦୀଶଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଚେତାଶୁନ୍ୟ ହୋଇପଡିବା ପରେ ତାଙ୍କୁ ସାଥୀ କର୍ମଚାରୀ ଓ ପରିବାର ଲୋକେ ବେଲପାହାଡ ସ୍ଥିତ ଟିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜଗଦିଶ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୁମାଡେରା ସ୍ଥିତ ଟିଆରଏଲ ଚିକିତ୍ସାଳୟ ସମ୍ମୁଖରେ ଶବ ରଖି ରାସ୍ତା ରୋକ କରିଥିଲେ ଉତ୍ୟକ୍ତ ଲୋକେ । ମୃତକଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।