spot_img
Home Blog Page 4251

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି, ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା

ଭୁବନେଶ୍ୱର: ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି l ଉପକୂଳ ଜିଲ୍ଲାଗୁଡ଼ିକ ସହ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି ।

ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତକାଲି  ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ବାତ୍ୟା ଅସାନି ପ୍ରଭାବରେ ଏବେଠାରୁ କିଛି ସ୍ଥାନରେ ବର୍ଷା ହେବାରେ ଲାଗିଛି ।

ଜୀବନସାଥୀଙ୍କ ସହ କରିପାରନ୍ତି ଧାର୍ମିକ ଯାତ୍ରା

ମେଷ : ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଖର୍ଚ୍ଚ ବଢ଼ିପାରେ । ଭଉଣୀଙ୍କୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇପାରେ । ବନ୍ଧୁଙ୍କ ସହଯୋଗରେ ସମ୍ପତ୍ତି ଏବଂ ଆୟ ବୃଦ୍ଧି ହେବ । ପ୍ରେମ ସମ୍ୱନ୍ଧରେ ନିବିଡ଼ତା ଆସିପାରେ । ସମ୍ପର୍କୀୟଙ୍କ ସହ ବୁଝାମଣାରେ ଅସୁବିଧା ଦେଖାଦେଇପାରେ ।

ବୃଷ : କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । ମନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନ ରୁହନ୍ତୁ । କୌଣସି ପୁରୁଣା କଥାକୁ ନେଇ ପରିବାରରେ କଳହ ଦେଖାଦେଇପାରେ । ଜୀବନସାଥୀଙ୍କ ସହ ବିବାଦ ଉପୁଜିପାରେ ।

ମିଥୁନ : ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ମଧୁର ବାଣୀରେ ଅର୍ଦ୍ଧାଙ୍ଗିନୀ ପ୍ରସନ୍ନ ହେବେ । କୌଣସି ଛୋଟ ଯାତ୍ରାରେ ଯାଇପାରନ୍ତି । ବାପାଙ୍କ ଉନ୍ନତି ହୋଇପାରେ ।

କର୍କଟ : ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ । ଜୀବନସାଥୀଙ୍କଠାରୁ ଆପଣଙ୍କୁ କୌଣସି ମନଛୁଆଁ ଉପହାର ମିଳିପାରେ । ପାରିବାରିକ ଦୃଷ୍ଟିକୋଣ ଭଲ ରହିବ ଏଥିସହ ପରିବାରରେ ସୁଖ ପ୍ରାପ୍ତି ହେବ । ସାମାଜିକ କାର୍ଯ୍ୟରେ ଆପଣ ଆଗକୁ ଯିବେ ।

ସିଂହ : କୌଣସି ଯୋଜନା କରିପାରନ୍ତି । ଏଥିପାଇଁ ଖର୍ଚ୍ଚ ବଢ଼ିପାରେ । ସମ୍ପର୍କରେ ମଧୁରତା ଆସିବ । ଶୁଭ କାର୍ଯ୍ୟରେ ରୁଚି ରହିବ । ଜୀବନସାଥୀଙ୍କ ସହ କୌଣସି ମନ୍ଦିର କିମ୍ୱା ଧାର୍ମିକ ସ୍ଥାନ ଯାଇପାରନ୍ତି । ଛୋଟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆଗକୁ ବଡ଼ ସମସ୍ୟା ଦେଖାଦେଇପାରେ ।

କନ୍ୟା : ଆଜି ଆଳସ୍ୟ ଅନୁଭବ କରିପାରନ୍ତି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଏଥିପାଇଁ ଧନ ଖର୍ଚ୍ଚ ହୋଇପାରେ । ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ ।

ତୁଳା : ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ମଧୁର ବାଣୀରେ ଅର୍ଦ୍ଧାଙ୍ଗିନୀ ପ୍ରସନ୍ନ ହେବେ । କୌଣସି ଛୋଟ ଯାତ୍ରାରେ ଯାଇପାରନ୍ତି । ବାପାଙ୍କ ଉନ୍ନତି ହୋଇପାରେ ।

ବିଛା : ଅଧିକ ଧନ ଖର୍ଚ୍ଚ ହୋଇପାରେ । ଏଥିପାଇଁ ସାବଧାନ ରୁହନ୍ତୁ । ପରିବାର ସଦସ୍ୟଙ୍କ ପାଇଁ କୌଣସି ଜିନିଷ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଆଜି ଆପଣଙ୍କ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ଧନୁ : ଭରଷାଯୋଗ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ, ନଚେତ୍ କେହି ଠକିଦେଇପାରନ୍ତି । ବାପା, ମା’ଙ୍କ କୌଣସି କଥାକୁ ନେଇ ରାଗିଯାଇପାରନ୍ତି । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ବିବାହିତ ଦାମ୍ପତ୍ୟଙ୍କ ମଧ୍ୟରେ ଅଯଥା କଳହ ଦେଖାଦେଇପାରେ ।

କୁମ୍ଭ : ଆଜି ମନରେ କ୍ରୋଧ ରହିପାରେ ଏଥିସହ କ୍ରୋଧରେ କୌଣସି ଭୁଲ୍ ନିଷ୍ପତ୍ତି ନେଇପାରନ୍ତି । ଯେ କୌଣସି ନିଷ୍ପତ୍ତି ନେବା ଆଗରୁ ଭାବିଚନ୍ତି ନିଷ୍ପତ୍ତି ନିଅନ୍ତୁ । ଜୀବନସାଥୀଙ୍କ ସହ କଳହ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ର ଏବଂ ପରିବାର ଉଭୟ ସ୍ଥାନରେ ସନ୍ତୁଳନ ରକ୍ଷା କରନ୍ତୁ ।

ମୀନ : ନୂଆ ବନ୍ଧୁଙ୍କ ସହ ପରିଚୟ ହେବ । ଘରେ କଳହ ଦେଖାଦେଇପାରେ । ଏଥିପାଇଁ ଘରର ଯେ କୌଣସି ନିଷ୍ପତ୍ତି ଭାବିଚିନ୍ତି ସ୍ଥିର କରନ୍ତୁ । ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆଗକୁ ବିବାଦ ଉପୁଜିପାରେ

ଏଲନ ମସ୍କଙ୍କ ଭୟ,ହୋଇପାରେ ହତ୍ୟା !

ୱାସିଂଟନ: ଟ୍ୱିଟର କିଣିବା ପର ଠାରୁ ଆହୁରି ଅଧିକ ଚର୍ଚ୍ଚାରେ ଏଲନ୍ ମସ୍କ । ଟେଲସା ସିଇଓ ଏଲନ୍ ମସ୍କ ଗୋଟିଏ ଦିନରେ ଏକାଧିକ ଟ୍ୱିଟ୍ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ତେବେ ଏଲନ୍ ମସ୍କଙ୍କ ଏଭଳି ସିରିୟସ୍ ଟ୍ୱିଟ୍ ସମସ୍ତଙ୍କୁ ଚକିତ କରିଛି । ଯେଉଁ ଟ୍ୱିଟରେ ମସ୍କ, ତାଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ କଥା କହିଛନ୍ତି । ଯାହାକି ମସ୍କଙ୍କ ମାଆଙ୍କୁ ପସନ୍ଦ ଆସିନାହିଁ । ତାଙ୍କ ମାଆ ଲେଖିଛନ୍ତି, ଏଭଳି ମଜା କରିବା ଠିକ୍ ନୁହେଁ । ଯାହାର ରିପ୍ଲାଏ ଦେଇ ମସ୍କ କହିଛନ୍ତି, ସରି- ମୁଁ ବଞ୍ଚି ରହିବାକୁ ସମସ୍ତ ଚେଷ୍ଟା କରିବି ।

ତେବେ ମସ୍କ ଏଭଳି ଟ୍ୱିଟ୍ କରିବା ପଛର କାରଣ କଣ ? କାହାକୁ ଇଙ୍ଗିତ କରି ମସ୍କ ରହସ୍ୟମୟ ମୃତ୍ୟୁ କଥା ଲେଖିଛନ୍ତି ? ସତରେ କଣ କେହି ମସ୍କଙ୍କୁ ମାରିବାକୁ ଚକ୍ରାନ୍ତ କରୁଛି ? କାରଣ ମସ୍କ ଟ୍ୱିଟ୍ କରି ଲେଖିଛନ୍ତି, ଯଦି ମୁଁ ରହସ୍ୟମୟ ପରିସ୍ଥିତିରେ ମରିଯାଏ, ଏହା ଜାଣି ଖୁସି ଲାଗିଲା । ଏହା ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ରୋଗୋଜିନ ମସ୍କଙ୍କୁ ଧମକ ଦେଇଥିବା ନେଇ ତଥ୍ୟ ସେୟାର କରିଥିଲେ । ଯେଉଁଥିରେ ୟୁକ୍ରେନ୍ ସୈନିକଙ୍କୁ ଯୋଗାଯୋଗ ଯନ୍ତ୍ରପାତି ଦେଇଥିବାରୁ ମସ୍କଙ୍କୁ ଧମକ ଦେଇଥିଲେ ରୋସ୍କୋସ୍ମୋସର ନିର୍ଦ୍ଦେଶକ ଓଲେଗୋବିଚ୍ ରୋଗୋଜିନ ।

ରୋସ୍କୋସ୍ମୋସର ନିର୍ଦ୍ଦେଶକ ରୋଗୋଜିନ ଋଷ ମିଡିଆକୁ କହିଥିଲେ, ୟୁକ୍ରେନ୍ ନୌସେନାର ୩୬ ଜଣ ସୈନିକ, କର୍ଣ୍ଣେଲ ଦିମିତ୍ରୀ କୋମ୍ର୍ୟାନକୋବ ଧରାପଡ଼ିଛନ୍ତି । ଚିଫ୍ ଅଫ୍ ଷ୍ଟାଫଙ୍କ ବୟାନରୁ ଜଣାପଡ଼ିଛି ମସ୍କଙ୍କ ସାଟେଲାଇଟ୍ କନଷ୍ଟେଲେସନ୍ ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଇଣ୍ଟରନେଟ୍ ପ୍ରଦାନ କରୁଛି । ଯେଉଁଥିରେ ସେ ମସ୍କଙ୍କୁ ଉତ୍ତର ମାଗିବାକୁ କହୁଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନରେ ଋଷ ଆକ୍ରମଣ କରିବା ପରେ ଇଣ୍ଟରନେଟ୍ ସେବାକୁ ଧ୍ୱଂସ କରି ଦେଇଥିଲା । ଯାହାପରେ ସେଠାରେ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ସେନାକୁ ଯୋଗାଇଥିଲା ଇଣ୍ଟରନେଟ୍ । ଯେଉଁଥିପାଇଁ ଟେଲସା ସିଇଓଙ୍କୁ ଋଷ ଧମକ ଦେଉଥିବା କୁହାଯାଉଛି । ଏବେ ମସ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଟ୍ୱିଟ୍ କରିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିବାରେ ଲାଗିଛି ।

ବାଟରେ ଜଗିଥିଲା କାଳରୂପୀ ଟ୍ରକ୍, ସ୍କୁଲରୁ ଫେରିଲାନି ନନ୍ଦିନୀ..

ନିମାପଡ଼ା: ସବୁଦିନ ପରି ଆଜି ବି ସ୍କୁଲ ବାହାରିଯାଇଥିଲା ନନ୍ଦିନୀ । ନବମରୁ ଦଶମକୁ ଏଇ ନିକଟରେ ଉତ୍ତୀର୍ଣ୍ଣ ହୋଇଛି । ଆଖିରେ ଆଖିଏ ସ୍ୱପ୍ନ, ଅଭିଳାଷାର ଅଳନ୍ଧି ଭିତରେ ସାଇକେଲ ଧରି ବାହାରି ପଡିଥିଲା । ସାଙ୍ଗସାଥିଙ୍କ ଗହଣରେ ଖେଳିଥିଲା  । କ୍ଲାସରେ ପଢିଥିଲା । ଆଉ ଯେତେବେଳେ ଘଣ୍ଟାକଣ୍ଟା ବାଜିଥିଲା, ବସ୍ତାନୀ ଧରି ଘରକୁ ଛୁଟିଥିଲା  । ସେପଟେ ସକାଳୁ ସ୍କୁଲକୁ ଯାଇଥିବା ଝିଅର ଫେରିବା ବାଟକୁ ଚାହିଁରହିଥିଲେ ପରିବାର ଲୋକ  । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା  । କିଏ ଜାଣିଥିଲା ଝିଅ ଆଉ ଫେରିବନି ବୋଲି ? ଖୁସି ମିଜାଜର ନନ୍ଦିନୀ ଯେ, ଆଜି ସ୍କୁଲରୁ ଆଉ ଫେରିବନି ଏ କଥା କାହାକୁ ଜଣା ନଥିଲା  । କାଳର କରାଳ ଗତି କେଇଟି ଘଣ୍ଟା ଭିତରେ ସବୁ କିଛି ଓଲଟପାଲଟ କରିଦେଲା  ।

ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ନିମାପଡ଼ା ଥାନା ଡେଣୁଅଁବସ୍ତ ଗ୍ରାମରେ । ଡେଣୁଅଁବସ୍ତ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କ ଝିଅ ନନ୍ଦିନୀ ବେହେରା ସ୍ଥାନୀୟ ଡେଣୁଅଁ ହାଇସ୍କୁଲରେ ପାଠପଢୁଥିଲେ । ସ୍କୁଲ ଖୋଲିବା ପରେ ପ୍ରତିଦିନ ନନ୍ଦିନୀ ସକାଳୁ ସାଇକେଲ ଧରି ସ୍କୁଲ ଧାଇଁଯାଏ  । ଆଜି ମଧ୍ୟ ସକାଳୁ ନିତ୍ୟକର୍ମ ସାରି ସ୍କୁଲ ବାହାରି ବାହାରିପଡିଥିଲା ନନ୍ଦିନୀ  । କିନ୍ତୁ ଫେରିବା ବାଟରେ ଜଗିରହିଥିଲା କାଳରୂପୀ ଟ୍ରକ । ନନ୍ଦିନୀ ଘରକୁ ଫେରୁଥିବାବେଳେ ନିମାପଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା  । ଫଳରେ ନନ୍ଦିନୀ ଚେତାଶୂନ୍ୟ ହୋଇପଡିଥିଲା  ।

ସ୍ଥାନୀୟ  ଲୋକ ନନ୍ଦିନୀକୁ ଗୁରୁତର ଭାବେ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ  । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରିଦେଇଥିଲେ  । ସେପଟେ  କ୍ୟାପିଟାଲ ହସ୍ପିଟାଲରେ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି  । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଦେଇଛି  । ସଭିଙ୍କ ଆଗରେ ନାଚି ଖେଳିଥିବା ଚୁଲବୁଲି ନନ୍ଦିନୀର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁନାହାଁନ୍ତି ଗ୍ରାମବାସୀ  । ୧୫ ବର୍ଷ ବସୟର ଝିଅର ବିୟୋଗରେ ଭାଙ୍ଗି ପଡିଛନ୍ତି ବାପା-ମାଆ  । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି  । ପ୍ରତିବାଦରେ  ସ୍ଥାନୀୟ ଲୋକେ ନିମାପଡ଼ା-ବନମାଳିପୁର ରାସ୍ତାକୁ ବନ୍ଦ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି  । ପ୍ରଶାସନ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି  ।

 

ଡ୍ୟୁଟି ବେଳେ ଦୁର୍ଘଟଣା, ସିଲଂରେ ଓଡ଼ିଆ ଯବାନ ସହିଦ

ଟାଙ୍ଗୀ: ଦେଶ ସେବା କରିବାକୁ ଯାଇ ସହିଦ ହେଲେ ଓଡ଼ିଆ ଯବାନ । ଆସାମ ସିଲଂରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅରାଞ୍ଚଳ ଗାଁର ଜୟ ପ୍ରକାଶ  ମହାପାତ୍ର ଓରଫ୍ କାଳିଆ । ସୀମା ସୁରକ୍ଷା ବାହିନୀରେ କର୍ତ୍ତବ୍ୟରତ ଥିବା ବେଳେ ଦୁର୍ଘଟଣା ଘଟି ସହିଦ ହୋଇଛନ୍ତି ।

Odia BSF Jawan Martyred On Duty Shillong

ଡ୍ୟୁଟିରେ ଜୟ ପ୍ରକାଶଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତାକାଲି ସହିଦ ଯବାନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବ । ଜୟ ପ୍ରକାଶଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ଓ ଏକମାତ୍ର କନ୍ୟା ଭାଙ୍ଗି ପଡ଼ିଛନ୍ତି ।

ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ ଡିଜି ରେଳ ଓ ତଟ ସୁରକ୍ଷା ଡ. ସୁଧାଂଶୁ ଷଡ଼ଙ୍ଗୀ, ଆରପିଏଫ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Be Ready For Car Festivals Says Odisha DGP

ରାଜ୍ୟରେ ରେଳ ସୁରକ୍ଷାର ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଆଗାମୀ ଦିନରେ ସରକାରୀ ରେଲୱେ ପୋଲିସର ଭିତ୍ତି ଭୂମିର ଆଧୁନିକୀକରଣ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଓ ଟ୍ରେନ ମାନଙ୍କରେ ସିସିଟିଭି ସଂଯୋଗ, ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆ ଯାଇଥିଲା । ଦୁଇ ବର୍ଷ ପରେ ଏଥର ପୁରୀରେ ରଥ ଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେଉଥିବା ଯୋଗୁଁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ପୋଲିସ ଡିଜି ବନସଲ୍ ନିର୍ଦ୍ଦେଶ ଦେଇଛନ୍ତି ।

Be Ready For Car Festivals Says Odisha DGP

ଏହି ବୈଠକରେ କେନ୍ଦ୍ରୀୟ ରେଳ ସୁରକ୍ଷା ବାହିନୀ ତରଫରୁ IRPFS, IG- PCSC/SEC Railway ଏନ୍.ସିହ୍ନା, IRPFS, IG- PCSC/SE Railway ଡି. ବି. କସର୍, IG-PCSC/ECO Railway, ଯୁଗୋଳ କିଶୋର ଯୋଶୀ,‌ ଏଡିଆରଏମ୍ ଖୋର୍ଦ୍ଧା, ଅଶୋକ କୁମାର, Dy. (C.E) (T.P) Bbsr ଏମ୍.ଭି ସତ୍ୟ ନାରାୟଣ , SRP Rourkela ଅରୁଣ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଆଇନର ପରିସର ମଧ୍ୟରେ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ: ପିନାକୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍‌ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ୍ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

Puri Heritage Corridor Work Going On Under Law Says Puri MP Pinaki Mishra

ଗଣମାଧ୍ୟମରେ ମତ ରଖି ଶ୍ରୀ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମସାର ଆଇନ୍ ପରିସରରେ ଆସୁନାହିଁ । ତେଣୁ ଏହି ସବୁ କାମ କରାଯାଇ ପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି । ଏହାଛଡ଼ା ଏନ୍‌ଏମ୍‌ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍‌ଓସି ଦେଇଛନ୍ତି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଏଏସ୍‌ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ୍‌ଭୋକେଟ୍ ଜେନେରାଲ ମାନ୍ୟବର ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି ।

Puri Heritage Corridor Work Going On Under Law Says Puri MP Pinaki Mishra

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍‌ଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେଉ ବୋଲି ଚାହୁଁଛନ୍ତି ବୋଲି ଦର୍ଶାଇ ଶ୍ରୀ ମିଶ୍ର କହିଛନ୍ତି, ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସ୍ପର୍ଶକାତର ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍‌ଏମ୍‌ଏର ଏନ୍‌ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି ।

Puri Heritage Corridor Work Going On Under Law Says Puri MP Pinaki Mishra

ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ପରେ ଏନେଇ ଏଏସ୍‌ଆଇ ସତ୍ୟପାଠରେ ଯେଉଁ ସବୁ ବିଷୟ ଉଲ୍ଲେଖ କରିଛି, ହାଇକୋର୍ଟ ଏହାକୁ ଅସ୍ପଷ୍ଟ ବୋଲି ଦର୍ଶାଇଛନ୍ତି ଏବଂ ଏହି ନିର୍ମାଣ କାର୍ଯ୍ୟ ମନ୍ଦିର ଉପରେ କ୍ଷତି ପହଞ୍ଚାଇବ କି ନାହିଁ ତାହା ଉପରେ ଅଧିକ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ ପାଇଁ ସମୟ ଦେବା ସହ କାମ ଜାରି ରଖିବାକୁ କହିଛନ୍ତି । ହାଇକୋର୍ଟ ସ୍ପଷ୍ଟ ଭାବେ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍‌ ସାହାସ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମରେ ଏନେଇ ମତ ରଖିବା ପରେ ଶ୍ରୀ ମିଶ୍ର ତାଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି ଏବଂ ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ ବୋଲି କହିଛନ୍ତି ।

ଜାରି ରହିବ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସଠିକ ଦର୍ଶାଇଲେ ଆଇନଜୀବୀ

ପୁରୀ: ଅଟକିବନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାର୍ଗ କାମ । ଏଏସ୍ଆଇର ସତ୍ୟପାଠ ଓ ତଥ୍ୟରେ ତାଳମେଳ ନଥିବା ଦେଖି ହାଇକୋର୍ଟ ନିର୍ମାଣ କାମରେ ରହିତାଦେଶ ଜାରି ନେଇ ସେପରି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । କୋର୍ଟଙ୍କ ଏପରି ନିଷ୍ପତ୍ତି ଆବେଦନକାରୀ ଓ ଚକ୍ରାନ୍ତକାରୀଙ୍କୁ ହତାଶ କରିଥିବା ବେଳେ ଅନ୍ୟପଟେ ହାଇକୋର୍ଟଙ୍କ ନିଷ୍ପତ୍ତି ଜାଣିବା ପରେ ଏହାକୁ ଉଚିତ୍ ବୋଲି କହିଛନ୍ତି ଆଇନଜୀବୀ । ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ବିକାଶ କାମରେ ରୋକ୍ ଲାଗି ପାରବନି ବୋଲି ସୁପ୍ରିମକୋର୍ଟ ମୃଣାଳିନୀ ପାଢୀଙ୍କ ମାମଲାକୁ ଦର୍ଶାଇ ଏହା ସଠିକ୍ ବୋଲି କହିଛନ୍ତି ଆଇନଜୀବୀ ।

Puri Heritage Corridor Work To Be Continued High Court

ହାଇକୋର୍ଟ ଦେଲେନି ରହିତାଦେଶ । ଜାରି ରହିବ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଏଏସ୍ଆଇର ରିପୋର୍ଟ ଓ ତଥ୍ୟରେ ନାହିଁ ତାଳମେଳ । ନିର୍ମାଣ କାର୍ଯ୍ୟ ବନ୍ଦ ସଂକ୍ରାନ୍ତ ପିଟିସନ ଖାରଜ । କୁଚକ୍ରୀଙ୍କୁ ପୂରା ଚୂପ୍ କରିଦେଲା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବେ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ କାମ ଆଗେଇ ଚାଲିବ । କାମରେ ବାଧା ରହିବା ନେଇ ଟଳିଛି ଆଶଙ୍କା । ନିର୍ମାଣ କାମ ଆମସାର ଆକ୍ଟ ଅନୁଯାୟୀ ହେଉଥିବା ଆଡଭୋକେଟ ଜେନେରାଲ ଯୁକ୍ତି ବାଢ଼ି ଥିବାବେଳେ ଏଏସ୍ଆଇର ସତ୍ୟପାଠରେ ପ୍ରକଳ୍ପ ନିର୍ମାଣ ନେଇ ଅନୁମତି NMA ଠାରୁ ଅଣାଯାଇଥିବା ଦର୍ଶାଯାଇଛି । ସତ୍ୟପାଠର ପାରା ୧୮ ଓ ୧୯ରେ ସରକାର ଓ ଏଏସ୍ଆଇ ଉଭୟ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଦର୍ଶାଇଛନ୍ତି ।

Puri Heritage Corridor Work To Be Continued High Court

ଯାହାକୁ ହାଇକୋର୍ଟରେ କାର୍ଯ୍ୟରତ ଆଇନଜୀବୀ ଉଚିତ୍ ବୋଲି ଦର୍ଶାଇଛନ୍ତି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମା ମାର୍ଗ ପ୍ରକଳ୍ପ କରାଯାଉଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସରକାର କାହିଁକି ଅନୁମତି ନେବେ ? ସରକାର ଯଦି ଭୁଲ୍ କରୁଛନ୍ତି ତେବେ ଏଏସ୍ଆଇ କାହିଁକି ଏତେ ଦିନ ଧରି ଏସବୁ ସୁବିଧା ପ୍ରତି ଆଖି ବୁଜି ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ । ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପ୍ରକ୍ରିୟାକୁ ବେଆଇନ୍ । ଏପରି ଅବାନ୍ତର ଯୁକ୍ତିକୁ ପ୍ରମାଣ କରିପାରିନି ଏଏସ୍ଆଇ । ସତ୍ୟପାଠରେ ବିଭିନ୍ନ ଦିଗକୁ ନେଇ ଉପସ୍ଥାପନ କରିଥିବା ଟିପ୍ପଣୀ ଅସ୍ପଷ୍ଟ ଥିବାରୁ ହାଇକୋର୍ଟ ପୁନର୍ବାର ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨ତାରିଖକୁ ଘୁଞ୍ଚିଛି । କୋର୍ଟ ମଧ୍ୟ ଜୁନ୍ ୨୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ।

Puri Heritage Corridor Work To Be Continued High Court

ହେଲେ ନିର୍ମାଣ କାମ ବନ୍ଦ କରିବାକୁ କେଉଁଠି ବି ନିର୍ଦ୍ଦେଶ ଦେଇନାହାନ୍ତି । କୋର୍ଟଙ୍କ ଏପରି ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି ପୁରୀ ବିଧାୟକ ଓ ସେବାୟତ । କରିଡର ନିର୍ମାଣ ବନ୍ଦ ନେଇ କୁଚକ୍ରୀ କରୁଥିବା ଯୋଜନା ଭଣ୍ଡୁର ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ପ୍ରକଳ୍ପ କାର୍ଯ୍ୟକୁ ପ୍ରଭୁ ଶ୍ରୀଜଗନ୍ନାଥ ନିଜେ କରୁଥିବା ସେବାୟତ ମତ ରଖିଛନ୍ତି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଯେତେ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ପୁରୀ ବିଧାୟକ ନିବେଦନ କରିଛନ୍ତି । ୨୦୧୯ରେ ସୁପ୍ରିମକୋର୍ଟ ମୃଣାଳିନୀ ପାଢ଼ୀ ମାମଲାରେ କୁହାଯାଇଛି ଯେ, ହାଇକୋର୍ଟ ଲୋକଙ୍କ ହିତରେ କରାଯାଉଥିବା ବିକାଶ କାମକୁ ଅଟକାଇ ପାରିବେନି । ଆଇନଜୀବୀଙ୍କ ମତରେ ଶ୍ରୀମନ୍ଦିରରେ କରା ଯାଉଥିବା ଉନ୍ନତିମୂଳକ କାର୍ଯ୍ୟ ପାଇଁ ମଧ୍ୟ ଏହା ଲାଗୁ ବୋଲି କାହିଁକି ବିରୋଧୀ ବୁଝି ପାରୁନାହାନ୍ତି ?

ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବା ଅଭିଯୋଗକୁ ରାହୁଲଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଅଧିବେଶନରେ ଯୋଗଦେବେ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ।

ଦ୍ରାବିଡ ନ୍ୟୁଜ ଏଜେନ୍ସି ANIକୁ କହିଛନ୍ତି – ମିଡିଆର ଏକ ରିପୋର୍ଟ କରି କହୁଛି କି ମୁଁ ୧୨ରୁ ୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ହେବାକୁ ଥିବା ଏକ ସଭାରେ ଯୋଗଦେବି । ତେବେ ଏହି ରିପୋର୍ଟ ଭୁଲ ବୋଲି ଦ୍ରାବିଡ କହିଛନ୍ତି । ଧର୍ମଶାଳାର ବିଜେପି ବିଧାୟକ ବିଶାଲ ନେହରିଆ ଦାବି କରି କହିଥିଲେ କି ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟ କମିଟି ଅଧିବେଶନରେ ରାହୁଲ ଦ୍ରାବିଡ ଅଂଶ ଗ୍ରହଣ କରିବେ ।

ନେହରିଆ କହିଥିଲେ କି ବିଜେପି ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କମିଟିର ଅଧିବେଶନ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିଜେପିର ଜାତୀୟ ନେତୃତ୍ୱ ଏବଂ ହିମାଚଳ ପ୍ରଦେଶର ସମସ୍ତ ପ୍ରମୁଖ ନେତା ଅଂଶଗ୍ରହଣ କରିବେ । ତେବେ ଧର୍ମଶାଳାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦ୍ରାବିଡ ଉପସ୍ଥିତି ରହି ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ କରିବାକୁ ଏକ ବାର୍ତ୍ତା ପଠାଇବେ ବୋଲି କହିଥିଲେ ନେହରିଆ ।

ଶ୍ରୀଲଙ୍କାରେ ଥମୁନି ହିଂସା, ନୌସେନାର ଶିବିରରେ ଶରଣ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ଥମିବାରେ ନାଁ ନେଉନାହିଁ ସଙ୍କଟ । ଦିନକୁ ଦିନ ବଢ଼ିବାରେ ଲାଗିଛି ହିଂସା । ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀ ତାଙ୍କ ବାସ ଭବନ ଉପରେ ବୋମାମାଡ଼ କରିଥିଲେ । ତେବେ ପରିସ୍ଥିତି ଏପରି ହୋଇଛି କି ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ତାଙ୍କ ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇତ୍ରିଙ୍କୋମାଲିରେ ଥିବା ନୌସେନାର ଶିବିରରେ ଆଶ୍ରୟ ନେଇଛନ୍ତି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ନୌସେନାର ଶିବିରରେ ଶରଣ ନେଇଥିବା ଖବର ସାମ୍ନାକୁ ଆସିବା ପରେ ସେଠାରେ ମଧ୍ୟ ଲୋକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ତୁଷ୍ଟ ନଥିବା ନାଗରିକ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିଲେ,ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କଲେ । ଏହାପରେ ଆରମ୍ଭ ହୋଇଥିଲା ହିଂସାର ଚକ୍ର । ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କ ହିଂସାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ ଓ ସାଧାରଣ ନାଗରିକ । ରାଜପକ୍ଷେଙ୍କ ସମର୍ଥକ ରାଜଧାନୀ କଲମ୍ବୋରେ ହିଂସା ଭିଆଇ ଫେରୁଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ପାଲଟା ଆକ୍ରମଣ ।

ଏହାପରେ ହିଂସା ଦେଶର ଅନ୍ୟ ଭାଗକୁ ବ୍ୟାପିଥିଲା । କଲମ୍ବୋରେ ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କୁ ହିଂସ୍ର ଭିଡ଼ ହତ୍ୟା କରିଛି । ଜନସନଙ୍କ କାରକୁ ବିକ୍ଷୋଭକାରୀ ଘେରି ଯାଇଥିଲେ । ସେମାନେ କାର ସମେତ ଜନସନଙ୍କୁ ରାସ୍ତା କଡ଼ରେ ଥିବା ହ୍ରଦକୁ ଫୋପାଡି ଦେଇଥିଲେ । ସେହିଭଳି ଜଣେ ସାଂସଦକୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିବା ମହଙ୍ଗା ପଡିଛି । ସାଂସଦ ଅମରକିର୍ତ୍ତି ଅଥୁରକୋଲା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ପରେ ବିକ୍ଷୋଭକାରୀଙ୍କ କବଳରୁ ବଂଚିବା ପାଇଁ ସେ ଗୋଟିଏ କୋଠାରେ ଲୁଚିଥିଲେ । ମଙ୍ଗଳବାର ଦିନ ସେହି କୋଠାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିକ୍ଷୋଭକାରୀ ମୋଟ ୧୨ ଜଣ ମନ୍ତ୍ରୀଙ୍କ ଘର ଜାଳିଦେଇଥିବା ବେଳେ କିଛି ସାଂସଦ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ବିରୋଧି ଦଳ ଦେଶବ୍ୟାପୀ ହିଂସା ପାଇଁ ସରକାରକୁ ଦାୟୀ କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କାରଣରୁ ହିଂସା ବଢିଛି ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏଣେ ଭାରତ ସରକାର ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ଜାରି କରିଛନ୍ତି ।