spot_img
Home Blog Page 4266

ବିଲୀନ ହେଲେ ରାଇମୋହନ, ସ୍ୱର୍ଗଦାର ସାଜିଲା ଶେଷ ଠିକଣା

ପୁରୀ: ବିଦାୟ ନେଲେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ।  ପଞ୍ଚଭୂତରେ ବିଲୀନ ହେଲା ରାଇଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ରାଇମୋହନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସାନ ଝିଅ ଉଦିତା ପରିଡ଼ା ମୁଖାଗ୍ନୀ ପ୍ରଦାନ କରିଥିଲେ । ଅନ୍ତିମ ସଂସ୍କାର ସମୟରେ ବହୁ କଳାକାରଙ୍କ ସମେତ ଶହଶହ ପ୍ରଶଂସକ ଆତ୍ମୀୟ ଓ ପରିଜନ ଉପସ୍ଥିତ ଥିଲେ । ଆଜି ପୂର୍ବାହ୍ନରେ ଆତ୍ମହତ୍ୟା କରିଥିଲେ ଭେଟରାନ କଳାକାର ରାଇମୋହନ । ବଡ଼ ଝିଅକୁ ଏକ ମେସେଜ କରିଥିଲେ  । ଆଉ ସେଇଟି ଥିଲା ବାଏ  ।  ଦଶନ୍ଧି ଦଶନ୍ଧି ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା  ଦୁର୍ଦ୍ଦଶ ଖଳନାୟକ ଆଜି ବିଦାୟ ନେଇଗଲେ  ।

ମେସେଜରେ ପତ୍ନୀ ଓ ସାନ ଝିଅଙ୍କୁ ବି ଜଣାଇଛନ୍ତି ବିଦାୟ । ପରିବାର ଲୋକ ଘରେ ନଥିବାବେଳେ ଝୁଲି ପଡ଼ିଛନ୍ତି ଏହି ବରିଷ୍ଠ ଅଭିନେତା । ମୃତ୍ୟୁ ପରେ ତାଙ୍କର ଚକ୍ଷୁ ଦାନ କରାଯାଇଛି । ରାଇଙ୍କ ଆତ୍ମହତ୍ୟା ନେଇ ଉଠିଛି ଅନେକ ପ୍ରଶ୍ନ । ସୁସ୍ଥ ଓ ଶକ୍ତ ମାନସିକତାର ଲୋକ କାହିଁକି କଲେ ଆତ୍ମହତ୍ୟା ? ଚରମ ନିଷ୍ପତ୍ତି ପଛରେ ରହିଛି କି ପାରିବାରିକ ଅଶାନ୍ତି । ଏନେଇ ପୋଲିସ ତଦନ୍ତ କରୁଥିବାବେଳେ ସତ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି କଳାକାର ଓ ଶୁଭେଚ୍ଛୁ ।

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେବା ମହଙ୍ଗା ପଡିଲା

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବୁଧବାର ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏକ ଟ୍ୱିଟ କରିଥିଲେ  । ଯାହାକୁ ନେଇ ବିବାଦ ଦେଖା ଦେଖାଦେଇଛି  । ହାଇଦ୍ରାବାଦ ପୋଲିସ ଶୁକ୍ରବାର କହିଛି,  ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ  ବିରୋଧରେ ଖୁବଶୀଘ୍ର ଏକ ଅପରାଧିକ ମାମଲା ରୁଜୁ କରାଯିବ  ।

ତେଲେଙ୍ଗାନା ବିଜେପିର ବରିଷ୍ଠ ନେତା ଜୀ ନାରାୟଣ ରେଡ୍ଡୀ ପୋଲିସ ଥାନାରେ ରାମଗୋପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି  । ଅଭିଯୋଗରେ ଦର୍ଶାଯାଇଛି ଯେ, ରାମ ଗୋପାଳ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଛନ୍ତି  । ରାମ ଗୋପାଳଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି (ପ୍ରିଭେନ୍ସନ ଅଫ ଆଟ୍ରୋସିଟିଜ) ଆଇନ ଆଧାରରେ ମାମଲା ରୁଜୁ କରାଯାଉ  । ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରି କହିଥିଲେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ? ତାଙ୍କର ଏପରି ଟ୍ୱିଟ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି  । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ସେ କୌଣସି ଓଡିଆଙ୍କୁ ଅପମାନିତ କରିଛନ୍ତି  । ପୂର୍ବରୁ ମଧ୍ୟ ଓଡିଶାକୁ ଜାଣି ନଥିବା କଥା କହି ବିବାଦ ଘେରକୁ ଆସିଥିଲେ  ।

ଜୀ ନାରାୟଣ ରେଡ୍ଡୀ କହିଛନ୍ତି, ଟ୍ୱିଟରରେ ଜଣେ ବରିଷ୍ଠ ମହିଳା ରାଜନେତା ଓ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳଙ୍କୁ ନେଇ ରାମ ଗୋପାଳଙ୍କ ଏପରି ଟିପ୍ପଣୀ ଅତ୍ୟନ୍ତ ଅପମାନଜନକ ଅଟେ  । ବିବାଦ ବଢିବା ପରେ ଆଉ ଏକ ଟ୍ୱିଟ କରି ସଫେଇ ଦେଇଛନ୍ତି ରାମ ଗୋପାଳ  । ଟ୍ୱିଟରେ କହିଛନ୍ତି ମୋ କଥାକୁ ଅନ୍ୟ କୌଣସି ଅର୍ଥରେ ନିଅନ୍ତୁ ନାହିଁ, ମହାଭାରତର ଚରିତ୍ରକୁ କେବେଳ ମନେ ପକାଉଥିଲି  । କାହା ମନକୁ ଆଘାତ କରିବାର ଉଦ୍ଦେଶ୍ୟ ନଥିଲା  ।  ସୂଚନାଯୋଗ୍ୟ ଶୁକ୍ରବାର ଓଡିଶାର ଝିଅ ତଥା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି  ।

୯ ମାସ ମଧ୍ୟରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ୱର: ଆସନ୍ତା ୯ ମାସ ମଧ୍ୟରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଫାଷ୍ଟଟ୍ରାକ୍‌ରେ ଚାଲିଛି ପରିକ୍ରମା ପ୍ରକଳ୍ପ କାମ । ପ୍ରକଳ୍ପର ଅନୁଧ୍ୟାନ କରି ଇଂଜିନିୟର ଓ ଓ୍ବାର୍କରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗୁରୁବାର ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଇଂଜିନିୟରଙ୍କ ସହ ଆଲୋଚନା କରିଛନ୍ତି । ଏହି ଐତିହ ପ୍ରକଳ୍ପ କାମ ସରିଲେ ଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ରିତିନୀତି ଓ ପର୍ବପର୍ବାଣୀ ଅତି ସହଜରେ ପାଳନ ହେବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରହିଛି ପାଞ୍ଚୋଟି ଜୋନ୍‌ । ପ୍ରବେଶ ନିଷେଧ ଜୋନ୍‌, ଭିତର ପ୍ରଦକ୍ଷିଣ ଜୋନ୍‌, ଶ୍ରୀମନ୍ଦିର ପରିସର, ବାହାର ପ୍ରଦକ୍ଷିଣ ଜୋନ୍‌, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ଜୋନ୍‌ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତ୍ୱରାନ୍ୱିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ  । ପୁରୀ ପରିକ୍ରିମା ପ୍ରକଳ୍ପ ଦ୍ୱାରା ଶ୍ରଦ୍ଧାଳୁ ସହଜରେ ମନ୍ଦିର ଚତୁପାର୍ଶ୍ୱ ପରିଭ୍ରମଣ କରିବାରେ ସୁବିଧା ହେବ  । ଐତିହ୍ୟ କରିଡର ନିର୍ମାଣକୁ ରାଜ୍ୟ ସରକାର ଫୋକସ ଦେଇଛନ୍ତି  ।

5T ସତିବ ଭିକେ ପାଣ୍ଡିୟାନ ବିଭିନ୍ନ ସମୟରେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି  । କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମଧ୍ୟ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି  । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପୁରୀ ଗସ୍ତ କରିଥିବାବେଳେ ରଥଯାତ୍ରା ସୁରୁକ୍ଷୁରରେ ହେବା ନେଇ ସମୀକ୍ଷା କରିଥିଲେ  । ଅନ୍ୟପଟେ ପରିକ୍ରମା ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଅର୍ଥାତ ଆଉ ୯ ମାସ ମଧ୍ୟରେ ବହୁ ପ୍ରତିକ୍ଷୀତ ପ୍ରକଳ୍ପ କାର୍ଯ୍ୟକୁ ସାରିବାକୁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି  ।

ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ-ପୱାରଙ୍କ ମଧ୍ୟରେ ଦୁଇଘଣ୍ଟା ଆଲୋଚନା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି  । ଗୋଟିଏ ପଟେ ଶିବସେନାର ବିଦ୍ରୋହୀ ନେତା ଦଳଠୁ ଅଲଗା ହୋଇ ଗୌହ୍ୱାଟିରେ ରହି ସରକାର ଭାଙ୍ଗିବାକୁ ରଣନୀତି କରୁଛନ୍ତି  । ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ସହ ସିନ୍ଦେ ଗୋଟିଏ ପରେ ଗୋଟିଏ ଝଟକା ଠାକରେଙ୍କୁ ଦେଉଛନ୍ତି  । ପୂର୍ବରୁ ଅସହାୟ ପଡିଥିବା ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମନାଇବା ପାଇଁ ନରମି ଯାଇଥିଲେ  । ହେଲେ ଆଜି ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଦେଖାଯାଇଛି  । କାଲି ନିବେଦନ କରୁଥିଲେ କିନ୍ତୁ ଆଜି ସିଧାସଳଖ ଚେତାବନୀ ଦେଇଛନ୍ତି ସେ  ।

ମହାରାଷ୍ଟ୍ର ସଙ୍କଟର ସମାଧାନ ପାଇଁ ଏନସିପି ମୁଖ୍ୟ ଶରଦ ପୱାର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ଆଲୋଚନା କରିଛନ୍ତି  । ମାତୋଶ୍ରୀ ସ୍ଥିତ ଉଦ୍ଧବଙ୍କ ବାସଭବନରେ ଏହି ବୈଠକ ପ୍ରାୟ ଦୁଇଘଣ୍ଟା ଚାଲିଥିଲା  । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର, କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ପାଟିଲ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଏବଂ ସଞ୍ଜୟ ରାଉତ ସାମିଲ ଥିଲେ  ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୈଠକରେ ଉଦ୍ଧବଙ୍କୁ ଶରଦ ପୱାର ସ୍ପଷ୍ଟ ଭାବେ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୦ରୁ ଅଧିକ ରହିଛି  । ଏପରି ସ୍ଥିତିରେ ଫ୍ଲୋର ଟେଷ୍ଟ କରି ବହୁମତ ସାବ୍ୟସ୍ତ କରିବା ସମ୍ଭବ ନୁହେଁ  । ଏହାଦ୍ୱାରା ମେଣ୍ଟ ଉପରେ ଖରାପ ପ୍ରଭାବ ପଡିବ  । ତେଣୁ ଶରଦ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିବା କଥା ରିପୋର୍ଟରୁ ଜଣାପଡିଛି  । ଅନ୍ୟପକ୍ଷରେ ଠାକରେ ଶନିବାର ମଧ୍ୟାହ୍ନ ୧ଟାରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି  ।  ଆଗକୁ କଣ ପଦକ୍ଷେପ ନିଆଯିବ ଏହି ବୈଠକରେ ନିଷ୍ପତ୍ତି ହେବ  ।

ବାଣୀବିହାରରେ ବୁଲିଲା ଖଣ୍ଡା- ଭୁଜାଲି, ଆତାଙ୍କ ରଚାଇଲେ ଅଣଛାତ୍ରଙ୍କ

ଭୁବନେଶ୍ୱର: ବାଣୀବିହାରରେ ଆତଙ୍କ । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବୁଲିଲା ଖଣ୍ଡା ଓ ଭୁଜାଲି । ଆକ୍ରମଣ ପରେ କ୍ୟାମ୍ପସରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଆକ୍ରମଣ ପରେ ଏଣେ ତେଣେ ଛାତ୍ରଛାତ୍ରୀ ଦୌଡୁଥିବା ଦେଖିବାକୁ ମିଳିଥିଲା ।  ମିଳିଥିବା ସୂଚନା ମୁତାୂବକ କଲେଜ କ୍ୟାମ୍ପସରେ  କିଛି ଅଣଛାତ୍ର ପ୍ରବେଶ କରିଥିଲେ  । ଉତ୍କଳ ବିଶ୍ୱ ବିଦ୍ୟାଳୟର କିଛି ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ସହିଦନଗର ପୋଲିସ୍ ପହଞ୍ଚି ତଦନ୍ତ କରୁଥିବାବେଳେ ଆକ୍ରମଣ କରିଥିବା ଛାତ୍ରମାନେ ଫେରାର ହୋଇଯାଇଛନ୍ତି । ଘଟଣା ପରେ ବାଣୀବିହାର ଗେଟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଓ ଗୁଣ୍ଡାରାଜ ବନ୍ଦ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଅଭିଯୁକ୍ତ ଗିରଫ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଆମେରିକୀୟ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଆଉ ଗର୍ଭନଷ୍ଟ କରିପାରିବେନି ମହିଳା

ୱାଶିଂଟନ: ଆମେରିକୀୟ ସୁପ୍ରିମକୋର୍ଟଙ୍କ ବଡ ରାୟ  । ଏବେ ଆଉ ଗର୍ଭ ନଷ୍ଟ କରିପାରିବେନି ମହିଳା  । ଶୁକ୍ରବାର ବଡ ଫୈସଲା ଶୁଣାଇବା ସହ ଗର୍ଭନଷ୍ଟ ଅଧିକାରକୁ ରଦ୍ଦ ଘୋଷଣା କରିଛନ୍ତି କୋର୍ଟ । ଏହି ଆଇନ ଆଧାରରେ ଆମେରିକୀୟ ମହିଳାମାନଙ୍କ ପାଖରେ ଗର୍ଭନଷ୍ଟ କରିବା ବା ନକରିବା ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଥିଲା  । ୫୦ ବର୍ଷ ହେବ ଚାଲିଥିବା ସାମ୍ବିଧାନିକ ଅଧିକାରକୁ ଆଜି ସମାପ୍ତ କରାଯାଇଛି  ।

କୋର୍ଟ ୧୯୭୩ ମସିହାରେ ଐତିହାସିକ ‘ରୋ ବନାମ ୱାଡେ’ ମାମଲାରେ ରାୟ ଶୁଣାଇ ଗର୍ଭନଷ୍ଟ ଆଇନକୁ ବୈଧ ବୋଲି କହିଥିଲେ  । ୧୯୭୩ର ଏହି ଆଇନ ମହିଳାଙ୍କ ଗର୍ଭନଷ୍ଟ ଅଧିକାର ସାବ୍ୟସ୍ତ କରୁଥିଲା ଏବଂ ରାଜ୍ୟମାନେ ଏହି ନିଷ୍ପତ୍ତି ନେବାକୁ ସ୍ୱତନ୍ତ୍ର ଥିଲେ ଯେ ଅନୁମତି ଦେବେ କି ପ୍ରତିବନ୍ଧକ ଲଗାଇବେ  । କିନ୍ତୁ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇ ଏହି ଅଧିକାରକୁ ରଦ୍ଦ କରିଛନ୍ତି  ।

 ଯଦି କେହି ମହିଳା ଏବେ ଗର୍ଭନଷ୍ଟ କରନ୍ତି ତେବେ ଏହାକୁ ବେଆଇନ ବୋଲି ବିବେଚନା କରାଯିବା ସହ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବ  ।  ସୂଚନାଯୋଗ୍ୟ ଦୀର୍ଘଦିନ ହେବ ଏହି ୫ଦଶକ ପୂରୁଣା ରାଏକୁ ଲୋକମାନେ ବିରୋଧ କରିଆସୁଥିଲେ  । ରାୟକୁ ଫେରାଇନେବାକୁ ଆମେରିକୀୟ ସମାଜର କିଛି ଲୋକ ଆନ୍ଦୋଳନ କରୁଥିବା ବେଳେ ସମର୍ଥନ କରୁଥିବା ଲୋକ ଏହି ଅଧିକାର ଜାରି ରହୁ ବୋଲି ଦାବି କରିଆସୁଥିଲେ  । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା  । ଆଜି ରାୟ ପ୍ରକାଶ ପାଇଛି  ।

ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ଓଡିଶା, ଆଶ୍ଚର୍ଯ୍ୟ ବିଶ୍ୱବାସୀ

ରୋମ୍: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା । ୨୦ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରିବା ଶିଖିବା ସହ ଅନ୍ୟକୁ ଶିଖାଇପାରୁଛି ଏବଂ ବିପଦ ବେଳେ ସାହାଯ୍ୟ କରିପାରୁଛି, ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୯୯୯ ମହାବାତ୍ୟାର ମହାତାଣ୍ଡବ ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ସୁଦୃଢ଼ ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ, ସ୍ଥାନୀୟ ଲୋକଙ୍କ ସହାଭାଗିତା, ବୈଷୟିକ ଜ୍ଞାନ କୌଶଳର ସଠିକ୍ ଉପଯୋଗ ଫଳରେ ଓଡ଼ିଶା ଆଜି ନମ୍ବର ଓ୍ବାନ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ଦୂରଦୃଷ୍ଟି ସହ ମିଶନ ଜିରୋ କାଜୁଆଲଟି ବିଶ୍ବ ଦରବାରରେ ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ ।୧୯୯୯ ଅକ୍ଟୋବର ମହାବାତ୍ୟା ବେଳେ ନା ଥିଲା ଆଗୁଆ ସୂଚନା, ନା ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ।

ନା ଥିଲା ଆଶ୍ରୟ କେନ୍ଦ୍ର ନା ଥିଲା ରିଲିଫ୍ । ୧୦ହଜାର ଲୋକଙ୍କ ଜୀବନ ଯାଇଥିଲା ୩୦୦ କିଲୋମିଟର ବେଗରେ ଆସିଥିବା ମହାବାତ୍ୟାରେ । ଏହା ପରେ ନିଜେ ନିଜେ ଶିଖିବାକୁ ଆରମ୍ଭ କଲା ଓଡ଼ିଶା । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାର ଯୋଜନା ପ୍ରସ୍ତୁତ କଲେ । ୨୦୦୧ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ପାଇଁ ନିଜର ଟିମ୍ ଗଢ଼ିଲା । ଆରମ୍ଭ ହେଲା ODRAF- ୨୦୦୧ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA ଗଢିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେଲା । ଓଡ଼ିଶା ଢାଞ୍ଚାରେ ଜାତୀୟ ସ୍ତରରେ ୨୦୦୬ରେ ଗଢ଼ାହେଲା NDMA ଏବଂ NDRF । ରାଜ୍ୟରେ ଥିବା ସରକାରୀ ପ୍ରତିଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବା ସାଙ୍ଗକୁ ବିପର୍ଯ୍ୟୟ ବେଳେ ସ୍ଥାନୀୟ ଲୋକଙ୍କ ସହଭାଗିତାକୁ ଗୁରୁତ୍ବ ଦିଆଗଲା ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମିଶନ ଜିରୋ କାଜୁଆଲଟି ମନ୍ତ୍ରରେ କାମ କଲେ ସରକାର । ୧୮ଟି ସମୁଦ୍ର କୂଳିଆ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ୟୁନେସ୍କୋରୁ ସ୍ବୀକୃତି ପାଇଛି । ଏବେ ପ୍ରତ୍ୟେକ ପଞ୍ଚାୟତ ସହ ୨୩ ହଜାର ଗାଁ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମପ୍ରାପ୍ତ । ୩୨ଟି ଆବଶ୍ୟକ ଉପକରଣ ସହ ୧ ହଜାର ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧି ସମସ୍ତେ ଏବେ ତାଲିମପ୍ରାପ୍ତ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ସ୍ଥାନୀୟ ଲୋକଙ୍କ ଭାଗିଦାରୀରେ ପ୍ରସ୍ତୁତ ହୋଇଛି ବିପର୍ଯ୍ୟୟ ମୁକାବିଲାର ବ୍ଲୁ ପ୍ରିଣ୍ଟ । ୨୦୧୯ରେ ଆସିଥିବା ଫନି ବାତ୍ୟାରେ ୨୪ ଘଣ୍ଟା ମଧ୍ୟରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ କରିଛି ଓଡ଼ିଶା ।

ବିଶ୍ୱକପ ପୂର୍ବରୁ ସଜେଇ ହେଇଛି ଷ୍ଟିଲ ସିଟି

ରାଉରକେଲା: ବିଶ୍ୱକପ ପୂର୍ବରୁ ସଜେଇ ହେଇଛି ରାଉରକେଲା ସହର । ବିଭିନ୍ନ ସ୍ଥାନରେ ସୈନ୍ଦର୍ଯ୍ୟକରଣ ସହ କୋଏଲ ନଗର ଠାରେ ୩୨ ଏକର ଜମିରେ ନିର୍ମାଣ ହେଉଛି ପାର୍କ । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଅଲଗା ଅଲଗା ବୋଟିଂ ଵ୍ୟଵସ୍ଥା ସହ ଫୁଡ ପ୍ଲାଜା, ମଲ୍ଟି ପର୍ପଜ ମଣ୍ଡପ, ପିକନିକ୍ ପିଣ୍ଡି, ଯୋଗ କରିବା ସ୍ଥାନ ନିର୍ମାଣ କରାଯାଉଛି ।

ଗୋଟିଏ ସ୍ଥାନରେ ସହରଵାସୀଙ୍କୁ ସୁଲଭ ମୂଲ୍ୟରେ ମନୋରଞ୍ଜନର ସମସ୍ତ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ହକି ବିଶ୍ଵ କପ ପୁର୍ବରୁ ରାଉରକେଲା ସହରର ସୈନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବାରୁ ରାଉରକେଲା ସହରବାସୀ ଏହାକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶା ସରକାର ରାଜ୍ୟରେ ବିଶ୍ୱକପ ହକି ଆୟୋଜନ କରି ସଫଳ ହୋଇଥିବାବେଳେ ପୁନର୍ବାର ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ  । ତେବେ ବିଶ୍ୱକପ ପାଇଁ ଓଡିଶା ସରକାର ରାଉରକେଲାରେ ଏକ ଷ୍ଟାଡିୟମ ନିର୍ମାଣ କରୁଥିବାବେଳେ କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ କରିଛନ୍ତି ସରକାର  । ତେବେ ଆଗକୁ ରାଉରକେଲାରେ ହିଁ ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବାବେଳେ ସଜେଇ ହେଉଛି ରାଉରକେଲା  ।

ରାହୁଲ ଗାନ୍ଧୀଙ୍କ ୱାୟନାଡ ସ୍ଥିତ କାର୍ଯ୍ୟାଳୟରେ ଭଙ୍ଗାରୁଜା

ୱାୟନାଡ:  କଂଗ୍ରେସ ନେତା ତଥା ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀଙ୍କ କେରଳର ୱାୟନାଡ କାର୍ଯ୍ୟାଳୟରେ କିଛି ଦୁର୍ବୁର୍ତ୍ତ ଭଙ୍ଗାରୁଜା କରିଛନ୍ତି । ତେବେ କଂଗ୍ରେସ ଭଙ୍ଗାରୁଜା ପଛରେ ଷ୍ଟୁଡେଣ୍ଟସ ଫେଡେରେସନ ଅଫ୍ ଇଣ୍ଡିଆ (ଏସଏଫଆଇ)ର ହାତ ଥିବା ଅଭିଯୋଗ କରିଛି  । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି  । ଯେଉଥିରେ ସ୍ପଷ୍ଟ ଜଣାପଡୁଛି କିଛି ଦୁର୍ବୁର୍ତ୍ତ କାର୍ଯ୍ୟାଳୟ ଭିତରେ ପସି ଭଙ୍ଗା ରୁଜା କରୁଥିବାର  ।

ଏସଏଫଆଇର କିଛି ସଦସ୍ୟ ହାତରେ ପତାକା ଧରି ଝରକା ଦେଇ କାର୍ଯ୍ୟାଳୟ ଭିତରେ ପସି ଭଙ୍ଗାରୁଜା କରିଥି୍ବା କଂଗ୍ରେସ କହିଛି  । କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମଧ୍ୟ ମାରପିଟ କରାଯାଇଥିବା କଂଗ୍ରେସ ଅଭିଯୋଗ ଆଣିଛି  । ଭଙ୍ଗାରୁଜା କଥା ପୋଲିସ ମଧ୍ୟ ସ୍ୱୀକାର କରିଛି  । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ  । ତେବେ କଣ ପାଇଁ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନେ ଏପରି କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣା ପଡିନାହିଁ  । ଅନ୍ୟପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟାନ କହିଛନ୍ତି ହିଁସା ଘଟାଇଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।

ୟୁରୋପରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ମୁଁ ବେସ୍ ଆନନ୍ଦିତ

ଭୁବନେଶ୍ୱର: ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ସ୍ଵତନ୍ତ୍ର । ୟୁରୋପରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବେସ ଆନନ୍ଦିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ରୋମରେ ସାକ୍ଷାତ କରି ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହା ସହିତ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସେମାନେ ଅବଗତ ଥିବା ଏବଂ ଗର୍ବ ଅନୁଭବ କରୁଥିବା ଜାଣି ଖୁସି ହେଲି ।
ସେହିପରି ବିଦେଶ ମାଟିରେ ଓଡ଼ିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରୁଛନ୍ତି  । ବେସ ଭଲ କାର୍ଯ୍ୟ କରୁଛନ୍ତି  । ଅନ୍ୟ ଦେଶରେ ଓଡିଶାର ପରିଚୟକୁ ପ୍ରବାସୀ ଓଡିଆ ପ୍ରତିପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି  ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ରହିଥିବାବେଳେ ଏହି ଅବସରରେ ରାଜ୍ୟର ବିକାଶରେ ଭାଗିଦାର ହେବାକୁ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି  । ସେହିପରି ବ୍ରିଟେନରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନେଇ ଗୁରୁବାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା କରିଥିଲେ ନବୀନ  ।  ମନ୍ଦିର ନିର୍ମାଣରେ ସମସ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ  ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।