spot_img
Home Blog Page 4267

ଖଣି ସଚିବଙ୍କ ଘରୁ କୋଟି କୋଟି ଟଙ୍କା ଜବତ !

ରାଞ୍ଚି: ଖଣି ସଚିବଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ । ଟଙ୍କା ଏତେ ଏହାକୁ ଗଣିବାକୁ ମେସିନର ସାହାଯ୍ୟ ନେବାକୁ ପଡ଼ିଛି । ଝାଡ଼ଖଣ୍ତର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଜଡ଼ିତ ଥିବା ୨୫ଟି ସ୍ଥାନରେ ଶୁକ୍ରବାର ଦିନ ଇଡି ଟିମ୍ ଏକାବେଳେ ଚଢଉ କରିଛି । ଏହି ସମୟରେ ତାଙ୍କ ପାଖରୁ ନଗଦ ୧୯ କୋଟି ଟଙ୍କା ଜବତ ହୋଇଛି । ଆଉ ଏହି ଟଙ୍କାକୁ ଇଡି ଜବତ କରିବା ସହିତ ଏହାକୁ ଗଣିବା ଲାଗି ଦୁଇଟି ଟଙ୍କା ଗଣା ମେସିନ୍‌ର ସହାୟତା ନେଇଥିବା ଜଣାପଡିଛି ।

ଏହି ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ହେଉଛନ୍ତି ପୂଜା ସିଙ୍ଘଲ। ମନରେଗା ଯୋଜନାରେ ଦୁର୍ନୀତି କରିବା ନେଇ ପୂଜାଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୂଜା ଏବେ ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଅଛନ୍ତି । ଜବତ ୧୯କୋଟି ମଧ୍ୟରୁ ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ୍‌ କୁମାରଙ୍କ ଘରୁ ୧୭ କୋଟି ମିଳିଛି । ଅବଶିଷ୍ଟ ୨ କୋଟିରୁ ଅଧିକ ଟଙ୍କା ପୂଜାଙ୍କ ଘରୁ ମିଳିଛି ।

ନିକଟରେ ଇଡି ଜଣେ ବିଭାଗୀୟ ଅଧିକାରୀ ରାମ ବିନୋଦ ପ୍ରସାଦ ସିହ୍ନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ଏହି ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଝାଡଖଣ୍ଡ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ୧୬ଟି ମାମଲା ରୁଜୁ କରିଥିଲ। । ବିଭାଗୀୟ ଅଧିକାରୀଙ୍କୁ ଜେରା କରିବା ବେଳେ ଆଇଏଏସ୍‌ ପୂଜା ସିଙ୍ଗଲଙ୍କ ନାମ ସାମ୍ନାକୁ ଆସିଥିଲା।

ଏହି ଦୂର୍ନୀତି ଅଭିଯୁକ୍ତ ଆଇଏଏସ ଅଫିସରଙ୍କ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରେ ଥିବା ଫାର୍ମ ହାଉସରେ ଇଡି ରେଡ୍ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିର୍ବାଚନ କମିସନ ଖଣି ସମ୍ପର୍କିତ ଲାଇସେନ୍ସ ନେବା ଘଟଣାରେ ନୋଟିସ କରିଛନ୍ତି।

ଆଜି ସରୁଛି ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ସରୁଛି ମାଟ୍ରିକ ପରୀକ୍ଷା । ଦୁଇ ବର୍ଷ ପରେ କ୍ଲାସରେ ବସି ଅଫଲାଇନରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜି ସମ୍ମେଟିଭ୍-୨ ମାଟ୍ରିକ ପରୀକ୍ଷା ସରୁଥିବା ବେଳେ, ଆସନ୍ତା ୧୦ ତାରିଖରେ ମଧ୍ୟମା ଓ ଓପନ୍ ସ୍କୁଲର ପରୀକ୍ଷା ଶେଷ ହେବ । ୩୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ସମ୍ମେଟିଭ୍-୨ ପରୀକ୍ଷା ଦେଉଛନ୍ତି । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪୪୪୩ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି । ପ୍ରତିଦିନ ଗୋଟିଏ ଲେଖାଏଁ ପେପରରେ ପରୀକ୍ଷା ଚାଲିଛି ।

ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି । ଦ୍ବିତୀୟ ଥର ଲାଗି ଏହି ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ନିରାପତ୍ତା ବାହିନୀ କବଳକୁ ଯାଇଛି ଦେଶର କ୍ଷମତା । ସାରାଦେଶରେ ସରକାର ବିରୋଧୀ ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଯିବାରୁ ରାଷ୍ଟ୍ରପତି ନେଇଛନ୍ତି ଏହି ପଦକ୍ଷେପ । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଦେଶର ଶତାଧିକ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ହରତାଳ କରିବା ପରେ ରାଷ୍ଟ୍ରପତି ବାଧ୍ୟ ହୋଇ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି ।

ସଂସଦ ଭବନ ଆଗରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ଓ ଜଳତୋପ ପ୍ରୟୋଗ କରିଛି । ସେପଟେ ସାରା ଦେଶରେ ଖାଦ୍ୟ, ଇନ୍ଧନ, ମେଡିସିନର ଅଭାବ ଅଧିକ ଘନୀଭୂତ ହୋଇଛି । ୧୯୪୮ରେ ସ୍ବାଧୀନତା ପରେ ସବୁଠାରୁ ଗୁରୁତର ଆର୍ଥିକ ସଂକଟ ବଳୟକୁ ଠେଲି ହୋଇଯାଇଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅଧିକ ଉଦବେଗଜନକ ହେବାରେ ଲାଗିଛି ।

ଗତକାଲି ହୋଇଥିବ ଦେଶବ୍ୟାପୀ ଧର୍ମଘଟରେ ଲକ୍ଷ ଲକ୍ଷ କର୍ମଚାରୀ ଓ ଶ୍ରମିକ ଯୋଗ ଦେଇଥିବାରୁ ଉତ୍ପାଦନ ପ୍ରକ୍ରିୟା ଠପ୍ ହେବା ସହ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଛନ୍ତି ।

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ସେ ସପତ୍ନୀଙ୍କ ସହ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସକାଳୁ ପୁରୀରେ ପହଞ୍ଚି ଶ୍ରୀମନ୍ଦିରକୁ ଯାଇ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର ଫେରିଛନ୍ତି ।

 

ଆଜି ଅବପାତର ରୂପ ନେବ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ଆଜି ଅବପାତର ରୂପ ନେବ ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଅବପାତ ଓ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏହା ପୂର୍ବରୁ ଆଜି ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ । ୧୦ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ୧୦ ତାରିଖରେ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ । ତେଣୁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ତେବେ ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଓଡିଶା ଉପକୂଳ ଦେଇ ଏହା ଗତି କରେ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ୍ କରେ, ସେତେବେଳେ ଏହା ଦୁର୍ବଳ ହୋଇଯାଇଥିବ । ଏବେ କାଳବୈଶାଖୀ ପ୍ରଭାବରେ ଜଳବାୟୁ ଥଣ୍ଡା ରହୁଛି । ବାତ୍ୟା ଶକ୍ତିଶାଳୀ ହେବା ପାଇଁ ଯେଉଁ ଉଷ୍ଣତା ଆବଶ୍ୟକ ତାହା କମିଛି । ତେଣୁ ଓଡିଶା ଉପକୂଳ ପାଖେଇବା ସମୟରେ ଏହା ଦୁର୍ବଳ ହୋଇ କେବଳ ଲଘୁଚାପ ହୋଇ ରହିଯିବ ।

ତେବେ ଲଘୁଚାପ ପ୍ରଭାବରେ ୯ ତାରିଖ ରାତିରୁ ରାଜ୍ୟରେ ବର୍ଷା ହେବ । ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୧୦ ତାରିଖରେ ଉପକୂଳରେ ବର୍ଷା ହେବ । ଏହାର ପ୍ରଭାବରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ଆସିବ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବେଆଇନ୍ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ କରୁଥିଲେ ତହସିଲଦାର, ନିଲମ୍ବନ କଲେ ସରକାର

ମୟୂରଭଞ୍ଜ: ବଡସାହି ତହସିଲଦାର ମମତାଜ ମହାରଣା ଚାକିରୀରୁ ନିଲମ୍ବିତ । ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ବଡସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଦୁଇ ବାଲିଘାଟକୁ ନେଇ ଏନଜିଟି ମାମଲା ପରେ ଅଭିଯୁକ୍ତ ତହସିଲଦାରଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଏପ୍ରେଲ ୩୦ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଭିଯୋଗ କ୍ରମେ ପୃଥକ ବାଲି ଘାଟ ପାଇଁ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଥିଲା।

ଏହାକୁ ନେଇ ବଡସାହି ପୁଲିସ ଲିଜଧାରୀ ପ୍ରଦୀପ ବିନ୍ଧାଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ୩୦ତାରିଖ ଶନିବାର ଅପରାହ୍ନ ଠାରୁ ଜିଲ୍ଲା ଛାଡି ତହସିଲଦାର ପଳାଇଯାଇଛନ୍ତି । ସରକାରରେ ଯିଏ ଯେକୌଣସି ପଦବୀରେ ଥିଲେ ମଧ୍ୟ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତିରୁ ବାଦ ପଡୁନାହାଁନ୍ତି କେହି  । ଘଟଣାରେ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି  ।

ମୃତ୍ୟୁ ପୂର୍ବରୁ ଭିଡିଓରେ କହିଲେ ମିଛ ମାମଲାର ସତ କାହାଣୀ…

ରାଉରକେଲା: ମିଛ ଯୈାତୁକ ମାମଲାରେ ଛନ୍ଦି ହୋଇଯିବା ପରେ ସ୍ୱାମୀଙ୍କ ଆତ୍ମହତ୍ୟା । ଭାଇରାଲ୍ ହେଲା ମୃତ୍ୟୁ ପୂର୍ବର ଭିଡିଓ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ। ରାହୁଲ ଅଗ୍ରୱାଲ ନାମକ ଏହି ଯୁବକ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସିଭିଲ ଟାଉନସିପ୍ ଅଚଂଳରେ ରହୁଥିଲେ ୩୫ ବର୍ଷୀୟ ରାହୁଲ ଅଗ୍ରୱାଲ । ତାଙ୍କ ମୃତଦେହକୁ ଜାମସେଦପୁର ନିକଟରୁ ଉଦ୍ଧାର କରାଯାଇଛି। ମୃତ୍ୟୁ ପୁର୍ବରୁ ସେ ନିଜ ପରିବାର, ଵାପା, ମାଆ, ଭାଈ, ଭଉଣୀ, ପତ୍ନୀ ଓ ପୁଅ ଝିଅଙ୍କୁ କେତେ ଭଲ ପାଉଛନ୍ତି ତାହା ଭିଡିଓ ରେକର୍ଡ କରି ଦର୍ଶାଇବା ସହ ମିଛ ଯୈାତୁକ ମାମଲା ଯୋଗୁଁ ସେ ଓ ତାଙ୍କ ପରିବାର ଲୋକେ କିପରି ହଇରାଣ ହେଉଛନ୍ତି ସେନେଇ ବର୍ଣ୍ଣନା କରିଛନ୍ତି।

୨୦୧୨ ମସିହାରେ ରାହୁଲ ଅଗ୍ରୱାଲ ଜାମସେଦପୁର ଅଞ୍ଚଳରେ ବିବାହ କରିଥିଲେ। ତେବେ ୨୦୨୨ ଫେବୃଆରୀ ୧୪ରେ ତାଙ୍କ ପତ୍ନୀ ଯୈାତୁକ ମାମଲା ରୁଜୁ କରି ବାପଘରକୁ ଚାଲି ଯାଇଥିଲେ। ଏହାପରେ ମାମଲା ଚାଲିଥିଲା କୋର୍ଟରେ। ସ୍ତ୍ରୀଙ୍କ ସହ ତାଙ୍କ ସଂପର୍କ ବହୁତ ଭଲ ଥିଲା ବୋଲି ଭିଡିଓରେ ରାହୁଲ କହିଛନ୍ତି। ହେଲେ ଶାଶୂ, ଶ୍ବଶୁର ଓ ଶଳାଙ୍କ କଥାରେ ପଡି ସ୍ତ୍ରୀ ତାଙ୍କ ନାଁରେ ମିଛ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏଥିରେ ତାଙ୍କର ଓ ପରିବାର ଲୋକଙ୍କ ମର୍ଯାଦାହାନୀ ହୋଇଛି । ତେଣୁ ସେ ବାଧ୍ୟ ହୋଇ ମୃତ୍ୟୁର ରାସ୍ତାକୁ ବାଛିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଶଶୁର, ଶାଶୁ ଓ ଶଳା ଦାୟୀ ରହିଵେ ବୋଲି ରାହୁଲ ଭିଡିଓରେ କହିଛନ୍ତି।

ନିଜ ପରିବାରକୁ ଵହୁତ ଭଲ ପାଉଥିଲେ ରାହୁଲ। ସ୍ତ୍ରୀ ମିଛ ଯୈାତୁକ ଅଭିଯୋଗ ଆଣିବା ପରେ ରାହୁଲଙ୍କ ପରିବାର ଲୋକେ ମାନସିକ ନିର୍ଯାତନା ପାଇଵା ସହ ପୋଲିସ, କୋର୍ଟ କଚେରୀ ଦଉଡି ନୟାନ୍ତ ହୋଇଥିଲେ । ଏପରିକି ଗିରଫ ଭୟରେ ଦୁଇ ମାସ ହେଲା ଘର ବାହାରେ ରହୁଥିବା ରାହୁଲ କହିଛନ୍ତି। ତିନି ମାସ ହେଲା ପୁଅ ଝିଅଙ୍କୁ ଦେଖି ନଥିବାରୁ ମରିବା ପୁର୍ବରୁ ପୁଅ ଝିଅଙ୍କୁ ଦୂରରୁ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ମରିଯିଵା ପରେ ଅସ୍ଥି ହରିଦ୍ଵାରରେ ବିସର୍ଜନ ନକରି ବ୍ୟାଙ୍କ ଲକରରେ ରଖିବାକୁ ସେ କହିଛନ୍ତି।

ଏହାସହ ସ୍ତ୍ରୀ କଥାରେ ପଡି ନିଜର ୨୦ ଜଣ ପରିବାର ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ଦାଦାଙ୍କ ସହ ୧୦ ଜଣଙ୍କୁ ପରିବାରରୁ ବାହାର କରିଥିବାରୁ ପରିବାରକୁ ଏକଜୁଟ କରି ରଖିବା ପାଇଁ ସେ ଅନୁରୋଧ କରିଛନ୍ତି। ସେପଟେ ଯୈାତୁକ କେସ ମିଛ ବୋଲି ମୃତ ରାହୁଲଙ୍କ ବାପା କହିଛନ୍ତି। ଛାଡ଼ପତ୍ର ପାଇଁ ରାହୁଲଙ୍କ ପତ୍ନୀ ଓ ତାଙ୍କ ବାପଘର ଲୋକେ ୫କୋଟି ଟଙ୍କା ଦାବି କରୁଥିବା ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି। ଏହାସହ ରାହୁଲଙ୍କୁ ହତ୍ୟା କରାଯାଇଥିଵା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏନେଇ ରାହୁଲଙ୍କ ପତ୍ନୀ କିମ୍ବା ଶ୍ବଶୂର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

ଛଅଟି ନୂଆ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ୪୯୩ କୋଟି ୬୨ ଲକ୍ଷ ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଆଉ ଏକ ସଫଳତା । ଛଅଟି ନୂଆ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥୋରିଟି ବୈଠକରେ ମଞ୍ଜୁରୀ ଦିଆଯାଇଛି । ଏହି ଛଅଟି ପ୍ରକଳ୍ପ ଜରିଆରେ ୪୯୩ କୋଟି ୬୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଉ ୧୩ ଶହ ୧୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହିସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ।

ଏହିସବୁ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଆନୁସଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଚିଲିକାରେ ପର୍ଯ୍ୟଟନର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ମଧ୍ୟ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଜାଟିଆ ଷ୍ଟିଲର ୨ଲକ୍ଷ ୫୦ହଜାର ମେଟ୍ରିକ ଟନ ୱେୟାର ରଡ୍ ମିଲ୍ । କଳିଙ୍ଗ ନଗରରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୨୫ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ।

ଷଡଙ୍ଗୀ ମେଟାଲ ୱାର୍କସ୍ ପକ୍ଷରୁ କଳିଙ୍ଗ ନିଗରରେ ଆନୁସଙ୍ଗିକ ଶିଳ୍ପ ପାଇଁ ୬୫ କୋଟି ୩୭ ଲକ୍ଷ ଟଙ୍କାର ପୁଂଜିନିବେଶ କରାଯିବ । ଜେଆରଏସ୍ ଭେନଚର ପକ୍ଷରୁ ସୋନପୁରରେ ପ୍ରତିଷ୍ଠା ହେବ ଇଥାନଲ୍ ପ୍ଲାଣ୍ଟ । ଗଂଜାମ ଜିଲ୍ଲାରେ ହୋଟେଲ ଶିଳ୍ପରେ ପୁଂଜି ନିବେଶ କରିବ ଏସ୍ଏନ୍ଏମ ହୋଟେଲ ଆଣ୍ଡ ରେସ୍ତୋରାଁ ପ୍ରାଇଭେଟ ଲିମିଟେଡ । ଖୋର୍ଦ୍ଧାରେ କାର୍ବନ ଓ ଗ୍ରାଫାଇଟ କଟିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିସହିତ କଟକ ଜିଲ୍ଲା ଟାଙ୍ଗି ଠାରେ ଆଶିର୍ବାଦ ପାଇପସ୍ ପକ୍ଷରୁ ପ୍ରତିଷ୍ଠା ହେବ ପିଭିସି ପାଇପ ଉତ୍ପାଦନ ୟୁନିଟ୍ ।

କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ UNDP ସହ ରାଜ୍ୟ ସରକାରଙ୍କ ଚୁକ୍ତି

ଭୁବନେଶ୍ୱର: କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ୟୁଏନ୍ଡିପି ସହ ଚୁକ୍ତି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଆସନ୍ତା ଚାରି ବର୍ଷ ପାଇଁ ୟୁଏନ୍ଡିପି ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ଯୋଗାଇଦେବ । କଠିନ ଓ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଏଣିକି ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ଦକ୍ଷତା ବୃଦ୍ଧି ସହ କମ୍ୟୁଟିନି ପାର୍ଟିସିପେସନ ମଧ୍ୟ ବୃଦ୍ଧି କରାଯିବ ।

ଏହି କାର୍ଯ୍ୟକ୍ରମରେ ନିଯୋଜିତ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦିଆଯିବ । ବର୍ଯ୍ୟବସ୍ତୁ ସଂଗ୍ରହକାରୀ ଓ ମିଶନ ଶକ୍ତିର ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ଅତିରିକ୍ତ ରୋଜଗାର ସୁଯୋଗ ସୃଷ୍ଟି କରାଯିବ । ସହରାଞ୍ଚଳରେ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ରାଜ୍ୟ ସରକାର ଅନେକ ସଫଳତା ପାଇଛନ୍ତି । କିନ୍ତୁ ଆଜିର ଏହି ଚୁକ୍ତି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବର୍ଯ୍ୟ ପରିଚାଳନାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଅଧିକ ସୁନିଶ୍ଚିତ କରିବ ।

ଝାଡଖଣ୍ଡର ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ଘରେ EDର ଚଢାଉ

ରାଞ୍ଚି: ଝାଡଖଣ୍ଡର ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ। ବେଆଇନ୍ ଖଣି ମାମଲାରେ ପୂଜା ସିଂଘଲଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହି ଆଇପିଏସ ଅଧିକାରୀ ପୂଜାଙ୍କ ସରକାରୀ ବାସଭବନ ସହ ୨୦ଟି ଠିକଣା ଉପରେ ଚଢାଉ ହୋଇଛି। ରେଡ୍ ବେଳେ ମିଳିଛି ପୁଳା ପୁଳା ଟଙ୍କା । ପ୍ରାୟ ନଗଦ ୨୫ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟଙ୍କା ଗଣିବା ପାଇଁ ଇଡି ପକ୍ଷରୁ ମେସିନ ମଗାଯାଇଥିଲା ।

ଝାଡଖଣ୍ଡ କ୍ୟାଡରର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ବିରୋଧରେ ପୂର୍ବରୁ ଝାଡଖଣ୍ଡ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରାଜୀବ କୁମାର ଅଭିଯୋଗ କରିଥିଲେ। ପୂଜା ବର୍ତ୍ତମାନ ଖଣି ଓ ଭୂବିଜ୍ଞାନ ବିଭାଗର ସଚିବ ଓ ଝାଡଖଣ୍ଡ ରାଜ୍ୟ ଖଣିଜ ବିକାଶ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।

ସୂଚନା ଅନୁଯାୟୀ, ଅବୈଧ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ରାଞ୍ଚି, ଧାନବାଦ, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ଓ ଗୁରଗ୍ରାମ, ପଶ୍ଚିମବଙ୍ଗର କୋଲକାତା, ବିହାରର ମୁଜାଫରପୁର ଓ ଦିଲ୍ଲୀ-ଏନସିଆରରେ ଚଢାଉ କରାଯାଇଥିଲା।