spot_img
Home Blog Page 4277

ଫୋନ ପେ’ରେ ଲାଞ୍ଚ ନେଲେ ଅସ୍ତରଙ୍ଗ ତହସିଲ କର୍ମଚାରୀ

କୋଣାର୍କ: ଏବେ ହାତକୁ ହାତ ନୁହେଁ ଫୋନ ପେ’ରେ ହେଉଛି ଲାଞ୍ଚ କାରବାର । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲଦାର କାର୍ଯ୍ୟାଳୟରୁ । ସିସିଟିଭିରେ ଧାରା ପଡ଼ିଯିବା ଭୟରେ ଅସ୍ତରଙ୍ଗ ତହସିଲର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଅଫିସର ପ୍ରଶାନ୍ତ କୁମାର ପାତ୍ର ଫୋନ ପେ’ରେ ଲାଞ୍ଚ ନେଉଥିବା ଅଭିଯୋଗ ଆସିଛି । ଏକ ଭାଇରାଲ ଭିଡିଓରେ ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, RIଙ୍କ ନାଁ ନେଇ ସାଧାରଣ ଲୋକଙ୍କୁ ସିଧା ଲାଞ୍ଚ ମାଗୁଛନ୍ତି ।

ସୂଚନା ଅନୁସାରେ ନୂଆଗଡ଼ ଗ୍ରାମର ଅଶୋକ କୁମାର ବାରିକଙ୍କ ପତ୍ନୀ ଭାରତୀ ବାରିକଙ୍କ କୋଭିଡରେ ମୃତ୍ୟୁ ହୋଇଥିଲା । ସରକାରଙ୍କ ଅନୁକମ୍ପା ପାଇବାକୁ ତହସିଲର ଯାଞ୍ଚ ପାଇଁ ଯାଇଥିବା ବେଳେ ତାଙ୍କୁ ସେଠି ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, RI ନାଁ କହି ୫୦୦ ଟଙ୍କା ମାଗିଥିଲେ । ଅଶୋକ ଟଙ୍କା ଆଣି ନଥିବା କହିବା ସତ୍ତ୍ୱେ ମଧ୍ୟ ପ୍ରଶାନ୍ତ ବାଧ୍ୟ କରି ଫୋନ ପେ’ରେ ନେଇଥିଲେ । ଯାହା ଭାଇରାଲ ଭିଡିଓରେ ପ୍ରଶାନ୍ତ ଓ ଅଶୋକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରୁ ସ୍ପଷ୍ଟ ହେଉଛି । ପ୍ରଶାନ୍ତ ତାଙ୍କ ଫୋନ ପେ’ ନମ୍ବର ୭୭୩୫୩୯୧୩୦୦ ଦେଇ RI ତପନ ବାବୁଙ୍କୁ ଡକାଯିବ । ମାଇଣ୍ଡ କୁଲ୍ ନ ରହିଲେ ଅତିରିକ୍ତ ଜିଲ୍ଲାପାଳ ଆପତ୍ତି କରିବେ ବୋଲି ଅଶୋକଙ୍କୁ କହୁଛନ୍ତି । ଏମିତି ଅନେକ କଥା କହି ଧମକ ଦେଇ ସାଧାରଣ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରିବା ଘଟଣା ଅସ୍ତରଙ୍ଗ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ମାଲିକ ପାଇଁ ଜୀବନ ଦେଲା ’ଟାଇସନ୍‌’

କୋରପୁଟ: ମାଲିକ ପାଇଁ ଜୀବନ ଦେଲା ଟାଇସନ୍‌ । କୋରାପୁଟ ଜିଲ୍ଲା ସୁନାବେଡ଼ା ପବ୍ଲିକ ସ୍କୁଲରେ ରହୁଥିଲା ଅଢ଼େଇ ବର୍ଷର କୁକୁର ଟାଇସନ୍ । ଗତକାଲି ସନ୍ଧ୍ୟାରେ ଗ୍ୟାରେଜକୁ ଏକ ନାଗସାପ ପଶିଥିଲା । ମାଲିକ ପାଇଁ ବିଷଧର ନାଗ ସହ ଲଢିଥିଲା ବକ୍ସର ବ୍ରିଡର ଏହି କୁକୁର । ସାପ ଥିବା ଦେଖି ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲେ । ସାପକୁ ଦେଖି ସ୍କୁଲ କର୍ମଚାରୀ ୪ଟି ଯାକ କୁକୁରଙ୍କୁ ଘରେ ଭର୍ତ୍ତି କରି ଦେଇଥିଲେ । କିନ୍ତୁ ସାପଟି ସେତେବେଳକୁ ଟାଇସନର ମୁହଁକୁ ଚୋଟ ମାରିସାରିଥିଲା ।

ଏହାପରେ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପରାମର୍ଶ କ୍ରମେ ଟାଇସନକୁ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଟାଇସନର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟି ଚାଲିଲା । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଟାଇସନର ଜୀବନ । ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ କହିଛନ୍ତି, ସରକାରୀ ଡାକ୍ତରଖାନାରେ ଆଣ୍ଟିଭେନମ ଅଛି, ହେଲେ କେବଳ ମଣିଷଙ୍କ ପାଇଁ । ଆଣ୍ଟିଭେନମ ଯୋଗାଡ ହୋଇନପାରିବାରୁ ଏମିତି ଅନେକ ପଶୁଙ୍କ ଜୀବନ ସାପ କାମୁଡାରେ ଯାଇଛି ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

 

 

 

କରୋନାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ବାୟୁମଣ୍ଡଳରେ ଘୂରିବୁଲୁଛି ଭାଇରସ

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମାରାତ୍ମକ ଭାଇରସ ବାୟୁମଣ୍ଡଳରେ ଘୂରିବୁଲୁଛି । ଏହାସହ ଲୋକଙ୍କୁ କରିପାରେ ସଂକ୍ରମିତ । ଏହି ତଥ୍ୟକୁ ପ୍ରମାଣିତ କରିଛନ୍ତି ବୈଜ୍ଞାନିକ । ପୂର୍ବରୁ ଏକ ଧାରଣା ରହିଥିଲା ଯେ, ସାର୍ସ କୋଭିଡ ଭୂତାଣୁ ବିଭିନ୍ନ ବସ୍ତୁର ପୃଷ୍ଠଦେଶରେ ରହି ସଂକ୍ରମଣ ସୃଷ୍ଟି କରୁଥିଲା । ମାତ୍ର ସେହି ଧାରଣା ଏବେ ଭ୍ରାନ୍ତ ପ୍ରମାଣିତ ହୋଇଛି । ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ଯେଉଁଦେଶରେ ଲୋକମାନେ କୋଭିଡ ସମୟରେ ମାସ୍କ ବିଶେଷ ଭାବେ ବ୍ୟବହାର କରୁଥିଲେ ସେହି ଦେଶରେ ସଂକ୍ରମଣ ଅପେକ୍ଷାକୃତ କମ୍ ଥିଲା ।

ହାଇଦ୍ରାବାଦସ୍ଥିତ CSIR-CCMB ଓ ଚଣ୍ଡିଗଡ଼ସ୍ଥିତ CSIR-IMTech ପ୍ରତିଷ୍ଠାନର ମିଳିତ ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ, କୋଭିଡ ଭୂତାଣୁ ବାୟୁ ମଣ୍ଡଳରେ ଘୂରିବୁଲିବାର ପ୍ରମାଣ ମିଳିଛି । ଗବେଷଣାର ତଥ୍ୟ ଏରୋସଲ ସାଇନ୍ସ ମାଗାଜିନରେ ପ୍ରକାଶ ପାଇଛି । ଗବେଷକମାନେ ସଂକ୍ରମିତ ରୋଗୀ ଥିବା ସ୍ଥାନରୁ ବାୟୁ ନମୁନା ସଂଗ୍ରହ କରିଥିଲେ ଏବଂ ସେଥିରେ କରୋନା ଭାଇରସର ଜିନୋମକୁ ଗବେଷଣା କରିଥିଲେ । ବିଭିନ୍ନ ହସ୍ପିଟାଲ, ବନ୍ଦ ଥିବା କୋଠରି, ହୋମ କ୍ୱାରେଣ୍ଟାଇନରେ ଥିବା ଘର ଆଦିରୁ ବାୟୁ ନମୁନା ସଂଗ୍ରହ କରାଯାଇଥିଲା ।

ଆଜିଠୁ ଆରମ୍ଭ ଶ୍ରୀଲଙ୍କା ସଂସଦ ଅଧିବେଶନ, ପ୍ରଧାନମନ୍ତ୍ରୀ ମହିନ୍ଦାଙ୍କ ବିରୋଧରେ ଅନାସ୍ଥା ଆଣିପାରନ୍ତି ବିରୋଧୀ

କଲୋମ୍ବୋ: ରାଜନୈତିକ ସଂକଟ ଭିତରେ ଆଜିଠାରୁ ଆରମ୍ଭ ହେବ ଶ୍ରୀଲଙ୍କା ସଂସଦ ଅଧିବେଶନ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବା ଲାଗି ବିରୋଧୀ ମେଳି କରିଥିବା ବେଳେ ସରକାର ରହିଛନ୍ତି ଅବିଚଳ । ସେପଟେ ଶ୍ରୀଲଙ୍କାକୁ ବିଶ୍ୱବ୍ୟାଙ୍କ ୬୦୦ ନିୟୁତ ଡଲାର ଆର୍ଥିକ ସହାୟତା ଦେବ ବୋଲି କହିଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ନନ୍ଦଲାଲ ଓ୍ୱିକ୍ରମସିଂ । ଏହି ଅର୍ଥରୁ କମ୍ ଆୟକାରୀ ବର୍ଗଙ୍କୁ ୩ ହଜାରରୁ ୭ ହଜାର ୫୦୦ ଟଙ୍କା ଲେଖାଁଏ ସହାୟତା ଦେବାକୁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଦେଶର ଆର୍ଥିକ ସ୍ଥିତି ସଂଗୀନ ହୋଇଥିବା ବେଳେ ନିମ୍ନ ଆୟବର୍ଗର ଲୋକଙ୍କ ଲାଗି ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ମନ୍ତ୍ରୀ ଶେଷାନ ସେମାସିଙ୍ଘେ । ପ୍ରାୟ ୩୩ ଲକ୍ଷ ପରିବାରକୁ ମେ’ ମାସରୁ ଜୁଲାଇ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଗୁରୁତର ରୋଗୀ, ବୟସ୍କ, କିଡନୀ ରୋଗୀ, ଭିନ୍ନକ୍ଷମଙ୍କୁ ମଧ୍ୟ ସହାୟତା ଦିଆଯିବ । ବିଶ୍ବବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସହାୟତାକୁ ଡିବିଟି ଜରିଆରେ ଆକାଉଣ୍ଟକୁ ଦିଆଯିବ । ୬୦୦ ନିୟୁତ ଡଲାରରୁ ୩୦୦ ନିୟୁତ ଡଲାର ଡିବିଟି ଜରିଆରେ ଗରିବ ଲୋକଙ୍କୁ ପ୍ରଦାନ କରାଯିବ । ଅବଶିଷ୍ଟ ଅର୍ଥରେ ଜରୁରୀ ସାମଗ୍ରୀ କିଣାଯିବ ।

ସେହିପରି ମେଡିସିନ, ଖାଦ୍ୟ, ଇନ୍ଧନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଲାଗି ଚୀନ ୩୦୦ ନିୟୁତ ୟୁଆନ ସହାୟତା କରିବାକୁ ସମ୍ମତି ପ୍ରଦାନ କରିଛି ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ । ତୁରନ୍ତ ସମସ୍ୟାର ସମାଧାନ ଲାଗି ଶ୍ରୀଲଙ୍କା ୪ ବିଲିୟନ ଡଲାର ଆବଶ୍ୟକ କରୁଛି । ସେପଟେ ଶ୍ରୀଲଙ୍କାକୁ ୫୦୦ ନିୟୁତ ଡଲାର ଅତିରିକ୍ତ ଋଣ ସହାୟତା ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ଉଚ୍ଚାୟୁକ୍ତ । ପୂର୍ବରୁ ଗତ ସୋମବାର ଭାରତ ଘୋଷଣା କରିଥିଲା ୨୦୦ ନିୟୁତ ଡଲାର ଋଣ ସହାୟତା । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାକୁ ଭାରତ ୪ ଲକ୍ଷ ମେଟ୍ରିକ ଟନ୍ ଇନ୍ଧନ ଯୋଗାଇ ସାରିଛି ।

ରାଜସ୍ଥାନର ଯୋଧପୁରେ ଉତ୍ତେଜନା ଜାରି, ହିଂସାରେ ଜଡ଼ିତ ୯୭ ଅଭିଯୁକ୍ତ ଗିରଫ

ଯୋଧପୁର: ସୁଧୁରୁନି ରାଜସ୍ଥାନ ଯୋଧପୁର ସ୍ଥିତି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେବା ସହ ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଉତ୍ତେଜନା ଯେପରି ନ ବ୍ୟାପିବ ସେଥିଲାଗି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି । ଯୋଧପୁର ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଛନ୍ତି ୯୭ ଅଭିଯୁକ୍ତ । ଇଦ୍ ପାଳନ ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁଁ ସହରରେ ସୃଷ୍ଟି ହୋଇଥିଲ ଉତ୍ତେଜନାପୂର୍ଣ୍ଣ ସ୍ଥିତି । ସହରର ଜାଲୋରୀ ଗେଟ୍ ଅଞ୍ଚଳରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପତାକା ଲଗାଇବା ଓ ହଟାଇବାକୁ କେନ୍ଦ୍ର କରି ସୋମବାର ଦେଖାଦେଇଥିଲା ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ ।

ଆଜିଠୁ ଆରମ୍ଭ ହେବ ଦେଶର ସର୍ବବୃହତ LIC IPO, ପ୍ରତ୍ୟେକ ସେୟାର ମୂଲ୍ୟ ରହିବ ୯୦୨ରୁ ୯୪୯ ଟଙ୍କା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେଉଛି ଦେଶର ସର୍ବବୃହତ୍ IPO । ସର୍ବବୃହତ୍ ଇନ୍ସୁରାନ୍ସ କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା LIC ତା’ର ପ୍ରଥମ ଇନିସିଆଲ୍ ପବ୍ଲିକ୍ ଅଫରିଙ୍ଗ୍ସ ଆଜିଠାରୁ ଆରମ୍ଭ କରୁଛି । ମେ’ ୯ ପର୍ଯ୍ୟନ୍ତ ଓପନ୍ ରହିବ LICର ଆଇପିଓ । ନିବେଶକ ଏହି ସମୟ ମଧ୍ୟରେ LICର IPO ପାଇବାକୁ ଆବେଦନ କରିପାରିବେ । LIC ତା’ର IPOର ମୂଲ୍ୟ ୯୦୨ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରଖିବାକୁ ଘୋଷଣା କରିଛି । ଜଣେ ଗୋଟିଏ ଲଟରେ ୧୫ଟି ସେୟାର ପାଇବ । ଅପର ପ୍ରାଇସ୍ ବ୍ରାଣ୍ଡ ହିସାବରେ ଦେଖିଲେ ମୋଟ୍ ଗୋଟିଏ ଲଟ୍ ପାଇଁ ୧୪ ହଜାର ୨୩୫ ଟଙ୍କାର ନିବେଶ କରିପାରିବ ।

ରିଲେଟ୍ କ୍ଷେତ୍ରରେ ମୋଟ୍ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶର ସୀମା ରହିଛି । LIC ପଲିସିଧାରୀଙ୍କ ପାଇଁ ସେୟାର ଉପରେ ୬୦ ଟଙ୍କାର ଡିସକାଉଣ୍ଟ ଦେଇଥିବା ବେଳେ ରିଟେଲ୍ ନିବେଶକଙ୍କ ପାଇଁ ମୋଟ୍ IPO ମୂଲ୍ୟରେ ୩୫ ପ୍ରତିଶତର ସଂରକ୍ଷଣ ମଧ୍ୟ କରିଛି । ଅର୍ଥାତ୍ ରିଟେଲ୍ ଇନଭେଷ୍ଟରମାନେ ଏହି ୩୫ ପ୍ରତିଶତ ନିଶ୍ଚୟ ପାଇବେ ।

କାଳବୈଶାଖୀ ସାଜିଲା କାଳ, ନିଆଁ ଲାଗି ଜଳିଗଲା ୬ ବଖରା

ଟାଙ୍ଗୀ: କାଳ ବୈଶାଖୀ ସାଜିଲା କାଳ । ନିଆଁ ଲାଗି ୬ ବଖରା ଘର ପୋଡ଼ି ପାଉଁଶ । ଖୋର୍ଦ୍ଧା ଟାଙ୍ଗୀ ଥାନା ହରିପୁର ଗାଁର ଘଟଣା । ଗତକାଲି କାଳବୈଶାଖୀ ପବନ ବର୍ଷା ଓ ବଜ୍ରପାତରେ ହରିପୁର ଗାଁର କୁମର ସ୍ୱାଇଁଙ୍କର ଘରେ ଲାଗିଥିଲା ନିଆଁ । ବର୍ଷା ପବନ ଯୋଗୁ୍ଁ ନିଆଁକୁ ଆୟତ୍ତ କରାଯାଇ ପାରିଲା ନାହିଁ । ପବନର ତିବ୍ରତା ଯୋଗୁଁ ନିଆଁର ପ୍ରକୋପ ବଢ଼ିବାରେ ଲାଗିଥିଲା । ନିଆଁ ଲିଭାଇବାକୁ ଯାଇ ଚାଳ ଉପରୁ ପଡ଼ି ଜଣେ ଯୁବକ ଆହତ ହୋଇଛନ୍ତି । ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁ ଲିଭିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ବର୍ଷକର ଧାନ ଚାଉଳ, ମୁଗ ବିରି ସହ ଆସବାବ ପତ୍ର ନିଆଁର ପୋଡ଼ି ହୋଇଯାଇଛି ।

ଲାଉଡସ୍ପିକର ବିବାଦ: ରାଜ ଠାକରେଙ୍କ ଧମକ, ଆଜି ଯେଉଁ ସ୍ଥାନରେ ନମାଜ ପାଠ ହେବ ସେଠାରେ ବୋଲାଯିବ ହନୁମାନ ଚାଳିଶା

ମୁମ୍ବାଇ: ଘନେଇଲା ଲାଉଡ ସ୍ପିକର ବିବାଦ । ଯେଉଁ ଯେଉଁ ସ୍ଥାନରେ ଆଜି ନମାଜ ପାଠ ହେବ ସେହି ସବୁ ସ୍ଥାନରେ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହନୁମାନ ଚାଳିଶା ପାଠ ହେବ ବୋଲି ଧମକ ଦେଇଛନ୍ତି ସଂଗଠନ ନେତା ରାଜ୍ ଠାକରେ । ସେ କହିଛନ୍ତି ଲାଉଡ ସ୍ପିକର ବାଜିବା ଯୋଗୁ ଦୁର୍ବଳ ବର୍ଗର ଲୋକ, ଶିଶୁ, ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ୁଛନ୍ତି । ରାତି ୧୦ରୁ ଭୋର ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବନ୍ଦ ଲାଗି ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଛନ୍ତି, ତାହାକୁ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ସେପଟେ ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଉସୁକାଇବା ଭାଷଣ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ଔରଙ୍ଗାବାଦ ପୋଲିସ କମିଶନର ରାଜ ଠାକରେଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମହାରାଷ୍ଟ୍ର ପୋଲିସ ଡିଜି ରଜନୀଶ ସେଠ୍ କହିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ମେ’ ୩୧ରେ ପଡ଼ିବ ବାଇ-ଇଲେକ୍ସନ ଭୋଟ୍

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଦ୍ଧିବଦ୍ଧ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ମେ’ ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ । ବ୍ରଜରାଜନଗର ଆସନରେ ଆସନ୍ତା ମେ’ ୩୧ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଜୁନ ୩ ତାରିଖରେ ଗଣତି ହେବ ।

ଚଳିତ ଥର ବ୍ରଜରାଜନଗର ଦେଖିବ ବଡ଼ ଫାଇଟ୍ । ଆଜିଠୁ ନାମାଙ୍କନ ଦାଖଲ ହେଉଥିବାବେଳେ ସବୁ ରାଜନୈତିକ ଦଳ ଆରମ୍ଭ କରିଦେଲେଣି କସରତ୍ । ଲଢ଼େଇ ପାଇଁ ବିଜେଡି ପ୍ରସ୍ତୁତ ଥିବା କହିଛି । କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ । ଉପନିର୍ବାଚନ ନେଇ ଆଜି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ସମ୍ଭାବନା ରହିଛି  । ସେପଟେ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା କହିଛି । ଦିନେ ଦୁଇଦିନ ଭିତରେ ପ୍ରଭାରୀ ଓ ସହ-ପ୍ରଭାରୀ ଓଡ଼ିଶା ଆସି ଉପନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ । ଏହାପରେ ଦଳର ସଂସଦୀୟ ବୋର୍ଡ ପ୍ରାର୍ଥୀଙ୍କ ନାଁରେ ମୋହର ମାରିବ । ଅନ୍ୟପଟେ କଂଗ୍ରେସ ମଧ୍ୟ ଉପନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛି ।

ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ

ଭୁବନେଶ୍ୱର: ଆସୁଛି ବାତ୍ୟା । ଧୀରେ ଧୀରେ ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବାୟୁମଣ୍ଡଳର ଆର୍ଦ୍ରତା ସହ ସମୁଦ୍ରର ତାପମାତ୍ରା ବାତ୍ୟା ସୃଷ୍ଟି କରିବା ପାଇଁ ଉପଯୁକ୍ତ ରହିଛି । କିନ୍ତୁ ଲଘୁଚାପ କେତେ ଘନୀଭୂତ ହେଉଛି ଏବଂ ତାହାର ତୀବ୍ରତା କେତେ ରହିବ ତାହା ଆସନ୍ତା ୬ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେପଟେ ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି ବୋଲି ପାଣିପାଗ ସଂସ୍ଥା ଓ୍ୱିଣ୍ଡ୍ ମଡେଲରୁ ଜଣାପଡ଼ିଛି । ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି । ସେପଟେ ରାଜ୍ୟରେ ଆଜିଠୁ ଅଧିକ ସକ୍ରିୟ ହେବ କାଳବୈଶାଖୀ । ଉପକୂଳ ଓଡ଼ିଶା ସମେତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।