spot_img
Home Blog Page 4278

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ମେ’ ୩୧ରେ ପଡ଼ିବ ବାଇ-ଇଲେକ୍ସନ ଭୋଟ୍

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଦ୍ଧିବଦ୍ଧ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ମେ’ ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ । ବ୍ରଜରାଜନଗର ଆସନରେ ଆସନ୍ତା ମେ’ ୩୧ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଜୁନ ୩ ତାରିଖରେ ଗଣତି ହେବ ।

ଚଳିତ ଥର ବ୍ରଜରାଜନଗର ଦେଖିବ ବଡ଼ ଫାଇଟ୍ । ଆଜିଠୁ ନାମାଙ୍କନ ଦାଖଲ ହେଉଥିବାବେଳେ ସବୁ ରାଜନୈତିକ ଦଳ ଆରମ୍ଭ କରିଦେଲେଣି କସରତ୍ । ଲଢ଼େଇ ପାଇଁ ବିଜେଡି ପ୍ରସ୍ତୁତ ଥିବା କହିଛି । କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ । ଉପନିର୍ବାଚନ ନେଇ ଆଜି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ସମ୍ଭାବନା ରହିଛି  । ସେପଟେ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା କହିଛି । ଦିନେ ଦୁଇଦିନ ଭିତରେ ପ୍ରଭାରୀ ଓ ସହ-ପ୍ରଭାରୀ ଓଡ଼ିଶା ଆସି ଉପନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ । ଏହାପରେ ଦଳର ସଂସଦୀୟ ବୋର୍ଡ ପ୍ରାର୍ଥୀଙ୍କ ନାଁରେ ମୋହର ମାରିବ । ଅନ୍ୟପଟେ କଂଗ୍ରେସ ମଧ୍ୟ ଉପନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛି ।

ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ

ଭୁବନେଶ୍ୱର: ଆସୁଛି ବାତ୍ୟା । ଧୀରେ ଧୀରେ ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବାୟୁମଣ୍ଡଳର ଆର୍ଦ୍ରତା ସହ ସମୁଦ୍ରର ତାପମାତ୍ରା ବାତ୍ୟା ସୃଷ୍ଟି କରିବା ପାଇଁ ଉପଯୁକ୍ତ ରହିଛି । କିନ୍ତୁ ଲଘୁଚାପ କେତେ ଘନୀଭୂତ ହେଉଛି ଏବଂ ତାହାର ତୀବ୍ରତା କେତେ ରହିବ ତାହା ଆସନ୍ତା ୬ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେପଟେ ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି ବୋଲି ପାଣିପାଗ ସଂସ୍ଥା ଓ୍ୱିଣ୍ଡ୍ ମଡେଲରୁ ଜଣାପଡ଼ିଛି । ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି । ସେପଟେ ରାଜ୍ୟରେ ଆଜିଠୁ ଅଧିକ ସକ୍ରିୟ ହେବ କାଳବୈଶାଖୀ । ଉପକୂଳ ଓଡ଼ିଶା ସମେତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।

ଅକ୍ଷୟ ତୃତୀୟାରେ BJDର ମିଶ୍ରଣ ପର୍ବ, ଦଳରେ ଯୋଗଦେଲେ ଶତାଧିକ ଲୋକ

କଣ୍ଟାବାଞ୍ଜି : ଅକ୍ଷୟ ତୃତୀୟା ଅବସରେ ବଙ୍ଗୋମୁଣ୍ଡା ସ୍ଥିତ ପଥପ୍ରାନ୍ତ ସୁବୁଧା କେନ୍ଦ୍ର ପରିସରରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ । ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣ ପର୍ବ । ବଙ୍ଗୋମୁଣ୍ଡା ସଦର ମହକୁମାର ବିରଷ୍ଠ ସାମ୍ବାଦିକ, ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ଜଗଦିଶ ସୁନାଙ୍କ ଉପସ୍ଥିତିରେ ବଙ୍ଗୋମୁଣ୍ଡା ବ୍ଲକର ଦେଢଗାଁ, ଖଇଁରା, ବଲଧା, ଚୁଲିଫୁଙ୍କା, ବଙ୍ଗୋମୁଣ୍ଡା ସଦର ଗ୍ରାମ ପଞ୍ଚାୟତର ଶତାଧିକ ଲୋକ ବିଜେଡିରେ ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବୀ ନେତୃତ୍ୱ ନୂତନ କରି ଯୋଗଦେଇଥିବା ଲୋକଙ୍କୁ ପ୍ରଭାବିତ କରିଛି  । ଲୋକକଲ୍ୟାଣକାରୀ ଯୋଜନା ମଧ୍ୟ ବିଜେଡ଼ିରେ ସାମିଲ ହେବାର ମୁଖ୍ୟ କାରଣ ବୋଲି କହିଛନ୍ତି ଯୋଗଦେଇଥିବା ନେତା  ।

ବିନ୍ଦୁସାଗରରେ ଚାପ ଖେଳିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ । ବିନ୍ଦୁସାଗରରେ ଚାପ ଖେଳିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ମନ୍ଦିରରୁ ପାଟ ପଟୁଆରରେ ବାହାରି ବିନ୍ଦୁ ସାଗର ଅଭିମୁଖେ ଯାତ୍ରା କରି ଚାପ ଖେଳିଥିଲେ ବାବା । ଏଥିପାଇଁ ବିନ୍ଦୁସାଗରକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିଲା । ଦୀର୍ଘ 22 ଦିନ ଧରି ଶ୍ରୀଲିଙ୍ଗରାଜ ଚାପ ଖେଳିବେ ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୨ ଦିନ ଯାଏଁ ମା’ ପାର୍ବତୀଙ୍କୁ ସାଙ୍ଗରେ ନେଇ ବିନ୍ଦୁ ସାଗରରେ କରିବେ ଜଳକ୍ରୀଡା । ସେପଟେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ମହାପ୍ରଭୁ ଚାପ ଖେଳିଛନ୍ତି  । ପ୍ରଭୁ ମଦନ ମୋହନ ନନ୍ଦା ଭଦ୍ରାରେ ବିଜେ ହୋଇଛନ୍ତି  । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳୁଛନ୍ତି  । ରାତୀନିତୀ ଅନୁଯାୟୀ ମହାପ୍ରଭୁଙ୍କୁ ଦୋଳରେ ନିଆଯାଇଥିଲା  ।

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ବୈଠକ

କୋପେନହେଗେନ: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡରିକସନଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ମଧ୍ୟ ହୋଇଛି । ଗ୍ରୀନ ଷ୍ଟ୍ରାଟେଜିକ୍ ପାର୍ଟନରସିପର ଅଗ୍ରଗତିର ସମୀକ୍ଷା କରିଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । କୌଶଳ ବିକାଶ, ଜଳବାୟୁ ପରିବର୍ତ୍ତନ ଓ ଅକ୍ଷୟ ଶକ୍ତି ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି ।

ୟୁକ୍ରେନ ସଂକଟ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ ସ୍ଥାନ ପାଇଥିଲା । ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ଦୃଢୀଭୂତ ହେବା ଦରକାର ବୋଲି ଦୁଇ ନେତା କହିଛନ୍ତି । ୟୁରୋପୀୟ ଗସ୍ତର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଡେନମାର୍କ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ମୋଦି ।

ସୋସିଆଲ ମିଡିଆରେ କଂଗ୍ରେସ-ବିଜେପି ୱାର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ଥିବା ଦୃଶ୍ୟକୁ ବିଜେପି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସରଗରମ ହୋଇଛି ରାଜନୀତି । ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପର ପର୍ବ । ଇଟାର ଜବାବ ପଥରରେ ଦେବା ଭଳି କଂଗ୍ରେସ ମଧ୍ୟ ଏକ ଫଟୋ ସେୟାର କରିଛି । ଏହି ଫଟୋରେ ବିଜେପିର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ପେନ ବୋତଲ ଖୋଲୁଥିବା ଦେଖାଯାଇଛି ।

କଂଗ୍ରେସ ନେତା ବି.ଭି ଶ୍ରୀନିବାସ ଏହି ଫଟୋ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନ ରଖିଛନ୍ତି ପହଚାନ କୌନ ? ଆଜି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କାଠମାଣ୍ଡୁ ନାଇଟ କ୍ଲବରେ ରାହୁଲ ଗାନ୍ଧି ଥିବା ଏକ ଫଟୋ ସେୟାର କରିଥିଲେ । ଏଥିସହ ରାହୁଲଙ୍କୁ ତାତ୍ସଲ୍ୟ କରିଥିଲେ । ତାଙ୍କ ପାର୍ଟି ଭାଙ୍ଗି ଯାଉଥିବା ବେଳେ ରାହୁଲ ଗାନ୍ଧି ନାଇଟ୍ କ୍ଲବରେ ମଜା କରୁଛନ୍ତି କହି ତାତ୍ସଲ୍ୟ କରିଥିଲେ । ଏହାର ଜବାବରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲା କଂଗ୍ରେସ । ନିମନ୍ତ୍ରଣ ରକ୍ଷା କରି ବନ୍ଧୁଙ୍କ ବାହାଘରେ ଯୋଗ ଦେବାକୁ ରାହୁଲ କାଠମାଣ୍ଡୁ ଗସ୍ତରେ ଯାଇଥିଲେ । ଏଥିରେ କାହାର ଅନୁମତି କି ଆବଶ୍ୟକ କି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ପ୍ରଶ୍ନ କରିଛନ୍ତି ।

ତାତିରୁ ତ୍ରାହି ଦେଲା କାଳବୈଶାଖୀ, ବର୍ଷାରେ ଭିଜିଲା ଭୁବନେଶ୍ୱର

ଭୁବନେଶ୍ୱର: ତାତିରୁ ଆସ୍ୱସ୍ତି  । କାଳବୈଶାଖୀର ବର୍ଷାରେ ଭିଜିଲା ଭୁବନେଶ୍ୱର  ।   ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ  ବର୍ଷା ମଧ୍ୟ ହୋଇଛି । ରାଜଧାନୀ ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ସାଙ୍ଗକୁ ପବନ ହୋଇଛି  ।  ୪୫ରୁ ୫୫ କିମି ବେଗରେ ପବନ ବହିବା ନେଇ ସୂଚନା ମିଳିଛି । କେତେକ ସ୍ଥାନରେ ବି ଭାଙ୍ଗିଛି ଗଛ । ସେପଟେ ରାଜ୍ୟର କେତେକ ସ୍ଥାନରେ କୈଳ ବୈଶାଖୀ ହୋଇଥିବା ସୂଚନା ରହିଛି  । ଫଳରେ କେତେକ ସ୍ଥାନରେ ଗଛ ଭାଙ୍ଗିବା ସହ ଅନେକ ଅଘଟଣ ମଧ୍ୟ ଘଟିଛି  ।

ମିଳିଥିବା ସୂଚନା ମୁତାବକ ଜଳେଶ୍ବର ବାଲିଆପାଳ ଡଗରା ଗ୍ରାମରେ ବଜ୍ରପାତରେ ଜଣେ ପ୍ରାଣ ହରାଇଛନ୍ତି ।  ସେହିପରି ଏକ ଭୋଜି ଚାଲିଥିବାବେଳେ  ପ୍ରବଳ ପବନ ସାଙ୍ଗକୁ ବର୍ଷା  ହୋଇଥିଲା । ବଲାଙ୍ଗୀର ଜିଲ୍ଲା ଆଗଲପୁର ମନୁପାଲି ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ବେଦି ଓ ଟେଣ୍ଟ ଭାଙ୍ଗି ଥିବା ବେଳେ ଟେଣ୍ଟର ଲୁହା ପଡିଯିବାରୁ ଜଣେ ୧୨ ବର୍ଷର ବାଳକ ଗୁରୁତର ହୋଇଛି ।

କଳାହାଣ୍ଡିରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି  ।  ନର୍ଲା ବ୍ଲକ ପଲମ ଗାଁରେ କାଳବୈଶାଖିର ମହାପ୍ରଳୟ ଦେଖିବାକୁ ମିଳିଛି । ଅନେକ ଝାଟିମାଟିର ଘର ଭାଙ୍ଗିବା ସହିତ ପବନରେ ଉଡି ଯାଇଛି ଅନେକ ଦୋକାନ ଗୃହର ଆଜବେଷ୍ଟ୍ । ଅନେକ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଫଳରେ ଯାନବାହନ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ଆସନ୍ତା ୨ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।

ଚାଷୀ ଅର୍ଥନୀତିର ମୁଖ୍ୟ ଆଧାର, କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି। ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ (Rejuvenating Watershed for Agricultural Resilience through Innovative Development) କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିଶନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ (Special Programme for Promotion of Integrated Farming)ର ପ୍ରସାର ମଧ୍ୟ କରାଯାଉଛି ।

ସୂଚନାଯୋଗ୍ୟ ଯେ ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀ ମାନଙ୍କ ପାଇଁ ୨୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ବିତ କୃଷିର ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ୪ଟି ଯୋଜନା ପାଇଁ ୩୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।

ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

କୃଷି ମନ୍ତ୍ରୀ  ଅରୁଣ ସାହୁ କହିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଲେ ମଧ୍ୟ ମୂଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ଼ ନେତୃତ୍ୱ ପାଇଁ ଓଡ଼ିଶା ଆଜି କୃଷି କ୍ଷେତ୍ରରେ ଅଗ୍ରଣୀ ହୋଇ ପାରିଛି। କୃଷି କ୍ଷେତ୍ର ରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆ ଯାଉଛି। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଚାଷୀ ନିର୍ମଳ ନାୟକ, ବାଲେଶ୍ବରର ବଇଦ ନାୟକ ଓ ସୁନ୍ଦରଗଡ ଜିଲ୍ଲାର ଚାଷୀ ମେନକା ଭୋଇ ପ୍ରମୁଖ କାଳିଆ ଯୋଜନା ଯୋଗୁ ସେମାନଙ୍କ ଚାଷ କାମରେ କିପରି ଉନ୍ନତି ଆସିଛି, ସେ ବିଷୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କାଲିଆ ସହାୟତା ପାଇଁ ସେମାନେ ସାର, ବିହନ ଆଦି ସହଜରେ କିଣି ଚାଷ କରିପାରୁଛନ୍ତି। ଏଥିପାଇଁ ମୂଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରକାଶ କରି ପ୍ରଭୁ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ ବୋଲି ସେମାନେ କହିଥଲେ।

ଏହି କାର୍ଯ୍ୟକ୍ରମରେ ଏହିସବୁ ନୂଆ ଯୋଜନା ଓ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍‌ନୋଲୋଜିର ପ୍ରୟୋଗ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ।କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ସଂଜୀବ ଚୋପ୍ରା ସ୍ବାଗତ ଭାଷଣ ଦେଇଥିଲେ। କୃଷି ବିଭାଗର ସ୍ବତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲପାଳ ଓ ଚାଷୀ ମାନେ ଉପସ୍ଥିତ ଥିଲେ।

ତାଲା ଭାଙ୍ଗି ଚୋରି କଲେ, ନୂଆ ତାଲା ପକାଇ ଛୁ ମାରିଲେ..

ରାଉରକେଲା: ଲୁଟ କରିବା ନେଇ ଲୁଟେରାଙ୍କ ନୂଆ ତରିକା । ବନ୍ଦ ଘରୁ ତାଲା ଭାଙ୍ଗି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର । ଏମିତି ଅଭିନବ ଲୁଟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୪ ଅଞ୍ଚଳରେ । ବନ୍ଦ ଥିବା ଘରୁ ତାଲା ଭାଙ୍ଗି ଘରର ସବୁ ମୂଲ୍ୟବାନ ସମ୍ପତି ଲୁଟି ନେବାପରେ ଲୁଟେରାମାନେ ଘରେ ନୂଆ ତାଲା ପକାଇ ଚମ୍ପଟ ମାରିଛନ୍ତି । ଘର ମାଲିକ ପହଞ୍ଚି ନୂଆ ତାଲା ପଡିଥିବାଦେଖି ପୋଲିସକୁ ଖବର ଦେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା ।

ରାଉରକେଲା ସହରର ସେକ୍ଟର ୪ ସି- ୧୨ କ୍ବାର୍ଟର୍ସରେ ରୁହନ୍ତି RSP GM ଗୈାତମ ଗାଙ୍ଗୁଲି । ଗତକାଲି ସେ ଘରକୁ ଫେରି ଦେଖନ୍ତି ତ ଘରେ ନୂଆ ତାଲା ପଡିଛି । ସନ୍ଦେହ ହେବାରୁ ସେ ସେକ୍ଟର ୩ ଥାନାକୁ ଖବର ଦେଇଥିଲେ । ପୋଲିସ୍ ତାଲା ଭାଙ୍ଗି ଘରେ ପଶିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଲୁଟେରାମାନେ ପୁରୁଣା ତାଲା ଭାଙ୍ଗି ଘରର ମୂଲ୍ୟବାନ ସମ୍ପତି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର ହୋଇଯାଇଥିଲେ । ସାଇଣ୍ଟିଫିକ ଟିମ ସହ ସେକ୍ଟର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳ ଲୁଟେରାଙ୍କ ଟେର ମିଳିନି । ସେପଟେ ଏହି ଘଟଣା ପରେ ପୋଲିସର ପାଟ୍ରୋଲିଂ ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ । ପ୍ରଥମରେ ଆମେରିକାର ଆଟଲାଣ୍ଟା ଏୟାରପୋର୍ଟ ରହିଥିବା ବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି । ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଅବତରଣରେ ରେକର୍ଡ କରିଛି ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟ । ଗ୍ଲୋବାଲ ଟ୍ରାଭାଲ ଡାଟା ପ୍ରୋଭାଇଡର ଅଫିସିଆଲ ଏୟାରଲାଇନ ଗାଇଡ୍ ବା OAG ଏହି ରିପୋର୍ଟ ଦେଇଛି । ଗତ ମାସରେ ଦୁବାଇ ଦ୍ବିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିଲା । ତେବେ ଏଥର ଦୁବାଇ ତୃତୀୟ ସ୍ଥାନକୁ ଖସିଛି ।

ମାର୍ଚ୍ଚ ୨୦୧୯ରେ ଦିଲ୍ଲୀ ଏୟାରପୋର୍ଟ ୨୩ ତମ ସ୍ଥାନରେ ରହିଥିଲା । କରୋନା ମହାମାରୀ ସତ୍ତ୍ୱେ ଦିଲ୍ଲୀ ଏୟାରପୋର୍ଟ ବିରାଟ ଉପଲବ୍ଧି ହାସଲ କରିଛି । OAG ସର୍ଭେ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ଯାତୟାତ ଓ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ସୁଧାର ଆସିଛି । ମାର୍ଚ୍ଚରେ ଆମେରିକାର ଆଟଲାଣ୍ଟ ବିମାନବନ୍ଦର ଦେଇ ୪୪ ଲକ୍ଷରୁ ଅଧିକ ଲୋକ ଯିବା ଆସିବା କରିଥିବା ବେଳେ ଦିଲ୍ଲୀ ବିମାନବନ୍ଦର ଦେଇ ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତ୍ରା କରିଛନ୍ତି । ସେହିପରି UAEର ଦୁବାଇ ବିମାନବନ୍ଦର ଦେଇ ୩୫ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଥିବା ରିପୋର୍ଟ ଦେଇଛି । କରୋନା ଯୋଗୁ ଦୁଇ ବର୍ଷ ଧରି ଟ୍ରାଭେଲ ଓ ଟୁରିଜିମ ସେକ୍ଟର ବାଧାପ୍ରାପ୍ତ ହୋଇଥିଲା । ତେବେ ବିମାନ ଯାତ୍ରା ଉପରୁ କଟକଣା ହ୍ରାସ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବଢିଛି ବୋଲି ଦିଲ୍ଲୀ ବିମାନବନ୍ଦର ସିଇଓ ବିଦେହ କୁମାର ଜଇପୁରିଆର କହିଛନ୍ତି ।