spot_img
Home Blog Page 4279

ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ । ପ୍ରଥମରେ ଆମେରିକାର ଆଟଲାଣ୍ଟା ଏୟାରପୋର୍ଟ ରହିଥିବା ବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି । ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଅବତରଣରେ ରେକର୍ଡ କରିଛି ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟ । ଗ୍ଲୋବାଲ ଟ୍ରାଭାଲ ଡାଟା ପ୍ରୋଭାଇଡର ଅଫିସିଆଲ ଏୟାରଲାଇନ ଗାଇଡ୍ ବା OAG ଏହି ରିପୋର୍ଟ ଦେଇଛି । ଗତ ମାସରେ ଦୁବାଇ ଦ୍ବିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିଲା । ତେବେ ଏଥର ଦୁବାଇ ତୃତୀୟ ସ୍ଥାନକୁ ଖସିଛି ।

ମାର୍ଚ୍ଚ ୨୦୧୯ରେ ଦିଲ୍ଲୀ ଏୟାରପୋର୍ଟ ୨୩ ତମ ସ୍ଥାନରେ ରହିଥିଲା । କରୋନା ମହାମାରୀ ସତ୍ତ୍ୱେ ଦିଲ୍ଲୀ ଏୟାରପୋର୍ଟ ବିରାଟ ଉପଲବ୍ଧି ହାସଲ କରିଛି । OAG ସର୍ଭେ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ଯାତୟାତ ଓ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ସୁଧାର ଆସିଛି । ମାର୍ଚ୍ଚରେ ଆମେରିକାର ଆଟଲାଣ୍ଟ ବିମାନବନ୍ଦର ଦେଇ ୪୪ ଲକ୍ଷରୁ ଅଧିକ ଲୋକ ଯିବା ଆସିବା କରିଥିବା ବେଳେ ଦିଲ୍ଲୀ ବିମାନବନ୍ଦର ଦେଇ ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତ୍ରା କରିଛନ୍ତି । ସେହିପରି UAEର ଦୁବାଇ ବିମାନବନ୍ଦର ଦେଇ ୩୫ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଥିବା ରିପୋର୍ଟ ଦେଇଛି । କରୋନା ଯୋଗୁ ଦୁଇ ବର୍ଷ ଧରି ଟ୍ରାଭେଲ ଓ ଟୁରିଜିମ ସେକ୍ଟର ବାଧାପ୍ରାପ୍ତ ହୋଇଥିଲା । ତେବେ ବିମାନ ଯାତ୍ରା ଉପରୁ କଟକଣା ହ୍ରାସ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବଢିଛି ବୋଲି ଦିଲ୍ଲୀ ବିମାନବନ୍ଦର ସିଇଓ ବିଦେହ କୁମାର ଜଇପୁରିଆର କହିଛନ୍ତି ।

ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ MNS ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ମେ’ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଉସୁକାଇବା ଭାଷଣ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ରାଜ ଠାକରେ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ, ହିଂସା ସୃଷ୍ଟି କରିବା ପାଇଁ ଜାଣିଶୁଣି ଉକ୍‌ସାଇଲା ଭଳି ଭାଷଣ ଦେବା ଅଭିଯୋଗରେ ଔରଙ୍ଗାବାଦ ପୋଲିସ ମାମଲା ରୁଜୁ କରିଛି । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି ।

ଔରଙ୍ଗାବାଦ ପୋଲିସ କମିଶନର ରାଜ ଠାକରେଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମହାରାଷ୍ଟ୍ର ପୋଲିସ ଡିଜି ରଜନୀଶ ସେଠ୍ କହିଛନ୍ତି  । ଶନିବାର ଔରଙ୍ଗାବାଦ ରାଲିରେ ଭାଷଣ ଦେଇ ଆଜି ସୁଦ୍ଧା ରାଜ ଠାକରେ ଲାଉଡସ୍ପିକର ହଟାଇବା ପାଇଁ ଆହ୍ବାନ ଦେଇଥିଲେ । ଯଦି ଲାଉଡସ୍ପିକର ହଟା ନ ଯାଏ, ତାହା ହେଲେ ହନୁମାନ ଚାଳିଶା ଗାଇବା ପାଇଁ ଲୋକଙ୍କୁ ଅପିଲ କରିଥିଲେ ରାଜ୍ ଠାକରେ । ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ଓ୍ୱାଲସେ ପାଟିଲ ଓ ଡିଜିପି ରଜନୀଶ ସେଠ୍ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଭକ୍ତଙ୍କ ଗହଣରେ ଚାପ ଖେଳୁଛନ୍ତି ମହାପ୍ରଭୁ, ମାନବୀୟ ଲୀଳା ଦେଖୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜିଠୁ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡବ । ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ଅନୁଷ୍ଠିତ ହୋଇଛି ।

ପୂର୍ବରୁ ମହାପ୍ରଭୁଙ୍କ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସଜ୍ଜୀତ ହୋଇ ରହିଥିଲେ ନନ୍ଦା ଓ ଭଦ୍ରା । ସୁସଜ୍ଜୀତ ନୌକାରେ ବିଜେ କରିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଆଜିଠାରୁ 21ଦିନ ଧରି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବାବେଳେ ଚାପ ଡଙ୍ଗାରେ ବିଜେ କରି ଜଳକ୍ରୀଡା କରିଛନ୍ତି ମହାପ୍ରଭୁ । ପ୍ରବଳ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବା ପାଇଁ ଏହି ଜଳକ୍ରୀଡା ମାଧ୍ୟମରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

କରୋନା କଟକଣା ହଟିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉତ୍ସାହର ସହ ଏହି ଗନ୍ଧ ଯାତ୍ରାରେ ସାମିଲ ହୋଇ ଦର୍ଶନ କରି ନିଜକୁ ଧନ୍ୟ ମନେକରିଛନ୍ତି । ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟ ହୋଇଛି  । ମହାପ୍ରଭୁଙ୍କୁ ଚାପକ୍ରୀଡ଼ା ଦେଖିବାକୁ ଧାଇଁ ଆସିଛନ୍ତି ଶହ ଶହ ଶ୍ରଦ୍ଧାଳୁ  । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ , ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

IPL ୨୦୨୨: ଆଜି ପଞ୍ଜାବ କିଙ୍ଗ୍ସକୁ ଟକ୍କର ଦେବ ଗୁଜରାଟ ଟାଇଟନ୍ସ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୪୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ମୁମ୍ବାଇର ଡି ଓ୍ୱାଇ ପଟେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଏହି ମ୍ୟାଚ ଜିତିଲେ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବରେ ପ୍ଲେ-ଅଫରେ ପ୍ରବେଶ କରିବ । ସେହିପରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚରେ ବିଜୟ ଲାଭ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଅପ୍ରତିଦ୍ୱନ୍ଦୀ ସାବ୍ୟସ୍ତ ହୋଇଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ ଆଇପିଏଲରେ ଗୁଜରାଟ ୯ଟି ମ୍ୟାଚ ଖେଳି ୮ଟି ମ୍ୟାଚରେ ବିଜୟ ଲାଭ କରିଛି । ୮ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ୧୬ ପଏଣ୍ଟ ହାସଲ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଗୁଜରାଟ । ଲଗାତର ପାଞ୍ଚଟି ମ୍ୟାଚରେ ବିଜୟ ଲାଭ କରି ଆସିଛି ଗୁଜରାଟ ଟାଇଟନ୍ସ । ଆଜିର ମ୍ୟାଚରେ ବିଜୟ ଲାଭ କରି ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଗୁଜରାଟ ।

ସେହିପରି ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ଗୁଜରାଟ ଟାଇଟନ୍ସକୁ ହରାଇବାକୁ ହେଲେ ପଞ୍ଜାବକୁ ସଂଘର୍ଷ କରିବାକୁ ପଡ଼ିବ । ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି ପଞ୍ଜାବ । ଚଳିତ ଆଇପିଏଲରେ ପଞ୍ଜାବ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେବେ ଯଦି ଚଳିତ ଆଇପିଏଲର ପ୍ଲେ-ଅଫରେ ରହିବାକୁ ହେଲେ ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେବ । ପୂର୍ବରୁ ଗୁଜରାଟ ଟାଇଟନ୍ସଠାରୁ ପରାଜିତ ହୋଇସାରିଥିବାରୁ ପଞ୍ଜାବ ଏହି ମ୍ୟାଚରେ ବିଜୟ ଲାଭ କରି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।

‘ମୋ କଲେଜ’ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

ଭୁବନେଶ୍ଵର: ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ।

’ମୋ କଲେଜ’ ଅଭିଯାନ ଅଧୀନରେ ୨୦୨୧ ଅକ୍ଟୋବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ମହାବିଦ୍ୟାଳୟ ଏବଂ ୨ଟି ବିଶ୍ୱବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ମିଳିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ପ୍ରଦାନ ବେଳେ ରାଜ୍ୟର ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି । ମୋ କଲେଜ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଅର୍ଥ ମିଳୁଛି ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସାହାଯ୍ୟରେ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଭିନବ ପରିକଳ୍ପନା ହେଉଛି ‘ମୋ କଲେଜ’ ଅଭିଯାନ । ଏହି ଅଭିଯାନ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ପୁରାତନ ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ଯୋଡ଼ି ହୋଇ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶ ଯାତ୍ରାରେ ସାମିଲ ହେଉଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବର୍ତ୍ତମାନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର କିପରି ବୌଦ୍ଧିକ ବିକାଶ ହୋଇପାରିବ ସେ ଦିଗରେ ମୋ କଲେଜ ଅଭିଯାନ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ। ସେ ଆହୁରି କହିଛନ୍ତି ଯେ, କଲେଜ ଜୀବନରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟର କ୍ୟାରିୟରକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ତେଣୁ ଏହାକୁ ସାକାର କରିବା ଲାଗି ମୋ କଲେଜ ଅଭିଯାନ ମାଧ୍ୟମରେ ପ୍ରୟାସ କରାଯାଉଛି । ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରାଯାଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷା ଭିତ୍ତିଭୂମିରେ ଉନ୍ନତି କରାଯିବା ସହିତ ଦକ୍ଷତା ବିକାଶ, କ୍ୟାରିୟର କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵ ଦିଆଯାଉଛି ।

ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୧୮ଟି ମହାବିଦ୍ୟାଳୟ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟକୁ ଆର୍ଥିକ ଅନୁଦାନ ମିଳିଛି। ଏହି ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ରହିଛି – କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵରସ୍ଥିତ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ଜିଲ୍ଲାର କିଶୋରନଗର ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ଵର ଜିଲ୍ଲାର ରେମୁଣା ଡିଗ୍ରୀ ମହାବିଦ୍ୟାଳୟ, କଟକ ଜିଲ୍ଲାର ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିରେନ ମିତ୍ର ମେମୋରିଆଲ ମହିଳା ମହାବିଦ୍ୟାଳୟ।

ସେହିପରି ଗଞ୍ଜାମ ଜିଲ୍ଲାର ରାମଜୀ ଡିଗ୍ରୀ ମହାବିଦ୍ୟାଳୟ, ଜଗତସିଂହପୁର ଜିଲ୍ଲାର ପାରାଦୀପ ଡିଗ୍ରୀ ମହାବିଦ୍ୟାଳୟ, ଯାଜପୁର ଜିଲ୍ଲାର ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଏବଂ ବରୁଣେଶ୍ଵର ମହାବିଦ୍ୟାଳୟ, ଝାରସୁଗୁଡ଼ା ଜିଲ୍ଲାର ମହିଳା ଡିଗ୍ରୀ ମହାବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ମୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ବାସୁଦେବ ଗୋଦାବରି ଡିଗ୍ରୀ ମହାବିଦ୍ୟାଳୟ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଭୋକେସନାଲ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ମହାବିଦ୍ୟାଳୟ, ରାଉରକେଲାସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀ ଜିଲ୍ଲାର ବଳଙ୍ଗା ମହାବିଦ୍ୟାଳୟ, ଯାଜପୁର ଜିଲ୍ଲାର ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।

ଏହି ଆର୍ଥିକ ଅନୁଦାନ ଫଳରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରାଯିବା ସହିତ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି ଏବଂ କଲେଜର ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଫିଟନେସ୍ ପାଇଁ ରହିଥିବା ଅତ୍ୟାଧୁନିକ ଜିମର ନବୀକରଣ କରାଯିବ। ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ।

’ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହା ଅଧୀନରେ ୭୫୦ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ପ୍ରଥମ ନୌସେନା MCPO ଓଡ଼ିଆ ପୁଅ ରାଜେନ୍ଦ୍ର କୁମାର ବେହେରା

ଭୁବନେଶ୍ୱର: ଭାରତୀୟ ନୌସେନାରେ ଓଡ଼ିଆ ପୁଅର ଯଶ  । ପ୍ରଥମଥର ପାଇଁ ଓଡ଼ିଆ ପୁଅ ରାଜେନ୍ଦ୍ର କୁମାର ବେହେରା ନୌସେନାରେ MCPO ଭାବେ ନିଯୁକ୍ତ ହୋଇଛନ୍ତି  । ୧୯୯୫ ମସିହା ଜାନୁଆରୀ ୩୧ରେ ନୌସେନାରେ ଯୋଗ ଦେଇଥିଲେ ରାଜେନ୍ଦ୍ର  । ପୂର୍ବରୁ ନିଜର କର୍ତ୍ତବ୍ୟବୋଧତା ଏବଂ ଦକ୍ଷତା ପାଇଁ ଅନେକ ପ୍ରଂଶସା ଯୋଗ୍ୟ ହୋଇଛନ୍ତି  । ଭାରତୀୟ ନାଭିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ମଧ୍ୟ କାର୍ଯ୍ୟକାଳ ସମାପନ୍ନ କରିଛନ୍ତି ରାଜେନ୍ଦ୍ର କୁମାର ବେହେରା  ।

INS ନିଶଙ୍କ, ବିନ୍ୟାଶ, ଖୁକ୍ରି, ଚାମକ, କୋରା, ଦିଲ୍ଲୀ ଏବଂ କୁଥରରେ ନିଜର କାର୍ଯ୍ୟକାଳ ସମାପନ୍ନ କରିଛନ୍ତି  । ଉପକୂଳ ଭାରତରେ INS ଆଙ୍ଗ୍ରେ, ସର୍କର୍ସ ଏବଂ ଭାରତରେ ମଦ୍ୟ ସେବା କରିବାର ସୁଯୋଗ ପାଇଛନ୍ତି ସେ  । ସୂଚନା ମୁତାବକ ଆଇଏନଏରେ ପ୍ରାୟ ୨୫୦୦ ଅଫିସର କ୍ୟାଡେଟଙ୍କୁ ଟ୍ରେନିଂ ପ୍ରଦାନ କରିଛନ୍ତି  । ଏଥି ସହିତ ସେ ଆଇଏନଏସ ଚିଲିକାରେ ମଧ୍ୟ ୧୫ ହଜାର ନାବିକଙ୍କୁ ଦକ୍ଷତା ଭିତ୍ତିକ ଟ୍ରେନିଂଦେବାର କୃତୀତ୍ୱ ଅର୍ଜନ କରିଛନ୍ତି ରାଜେନ୍ଦ୍ର  ।

ନୌସେନାରେ ରାଜେନ୍ଦ୍ରଙ୍କ ସପଳତା ପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା ଏବଂ ସମ୍ମାନ  ।  2004 ରେ ନାଭାଲ୍ ଷ୍ଟାଫ୍ ପ୍ରଶଂସା ଏବଂ 2008, 2018 ଏବଂ 2019 ରେ C-in-C ପ୍ରଶଂସା ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜେନ୍ଦ୍ର କୁମାର ବେହେରା, MCPOରେ ନିଯୁକ୍ତ ହୋଇଛନ୍ତି  । ଯାହା ଓଡ଼ିଶା ପାଇଁ ଅପାର ଗୌରବାନ୍ୱୀତ ଖବର  । ଏହା ବ୍ୟତୀତ ସେ ଜଣେ ଭଲ ସନ୍ତରଣକାରୀ, ଫୁଟବଲ୍ ଖେଳାଳୀ ଏବଂ ବାଇକ୍ ରାଇଂଡିରେ ମଧ୍ୟ ପ୍ରତିଭା ପ୍ରଦର୍ଶିତ କରିଛନ୍ତି  ।

 

ଚାଷୀ ଭାଇ ଖୁସ୍, ୪୦ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା କାଳିଆ ଟଙ୍କା

ଭୁବନେଶ୍ୱର: ଚାଷୀଙ୍କ ଖାତାକୁ ଆସିଲା ‘କାଳିଆ’ ଟଙ୍କା  ।  ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୮୦୪ କୋଟି ଟଙ୍କା ସହାୟତା ଦିଆଯାଇଛି    । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଆର୍ଥିକ ସହାୟତା ଦ୍ୱାରା ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ  ଉପକୃତ ହୋଇଛନ୍ତି । ସେହିପରି କୃଷି ବିଭାଗ ପକ୍ଷରୁ ‘ପଣସ ମିଶନ’ ଓ ଅଧିକରୁ ଅଧିକ ବାଜରା ଚାଷ କରାଯିବା ପାଇଁ ମିଲେଟ ମିଶନକୁ ସଂପ୍ରସାରିତ କରାଯଇଛି । ଏହାସହ କୃଷକ ଓ କୃଷି ଉଦ୍ୟୋଗୀଙ୍କୁ ସବୁ ସହାୟତାକୁ ଗୋଟିଏ ପ୍ଲାଟ ଫର୍ମରେ ଯୋଗାଇଦେବା ପାଇଁ ସୁଗମ ପୋର୍ଟାଲ ଓ କୃଷକ ଓଡ଼ିଶା ପୋର୍ଟାଲ ଲୋକାର୍ପଣ  କରିଛନ୍ତି ମୁଖ୍ୟମନ୍ତ୍ରୀ  ।

୨୪ ଦିନରେ ପହଞ୍ଚିଲା ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

କଲମ୍ବୋ: ଆର୍ଥିକ ସଂକଟଗ୍ରସ୍ତ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ୨୪ ଦିନରେ ପହଞ୍ଚିଛି  । ଶ୍ରୀଲଙ୍କାର ଆର୍ଥିକ ଦୁର୍ଦ୍ଦଶା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି ଲୋକେ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ମାହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି ଜୋରଦାର ହୋଇଛି । କଲମ୍ବୋ ଓ ବିଭିନ୍ନ ସହରରେ ସରକାରୀ ବିରୋଧୀ ବିକ୍ଷୋଭରେ ସବୁ ବର୍ଗର ଲୋକ ସାମିଲ ହୋଇଛନ୍ତି । ରାଜପକ୍ଷ ସରକାର ବିରୋଧରେ ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସାଂସଦମାନଙ୍କୁ ଅନୁରୋଧ କରି ଏକ ଅଭିଯାନ ଆରମ୍ଭ କରାଯାଇଛି । ଶ୍ରୀଲଙ୍କାରେ ଗତକାଲି ରାଷ୍ଟ୍ରପତି ଭବନ ଆଗରେ ଜୋରଦାର ବିକ୍ଷୋଭ ହୋଇଛି । ଆନ୍ଦୋଳନରେ ଧାର୍ମିକ ନେତା, ଛାତ୍ରଛାତ୍ରୀ, ସାମଜିକ କର୍ମୀ, ସାମ୍ବାଦିକ ଓ କଳାକାର ସାମିଲ ଅଛନ୍ତି । ଆର୍ଥିକ ଓ ରାଜନୈତିକ ସଂକଟ ମଧ୍ୟରେ ଆସନ୍ତାକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟର ଅଧିବେଶନ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ମାହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ । ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ଏ ବାବଦରେ ସୂଚନା ଦେଇଛନ୍ତି ।

 

ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ୍ ଘଟଣା, ଝାଡ଼ଖଣ୍ଡରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ତନାଘନା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଝାଡଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ବିକାଶ କୁମାରଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକାକୁ ଗିରଫ କରାଯାଇଥିଲା । କୋର୍ଟ ଚାଲାଣ ପରେ ବିକାଶ କୁମାରଙ୍କୁ ୫ ଦିନିବ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ । ଯୁବତୀ ଜଣକ ସମ୍ପୃକ୍ତ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ଟ୍ୟୁସନ ଓ ଆଡମିଶନ ଫି’ ଟଙ୍କାକୁ ବୟଫ୍ରେଣ୍ଡ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ଯୁବତୀ । ଉଭୟଙ୍କୁ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିବ ପୋଲିସ । ପ୍ରେମିକାଠାରୁ ଟଙ୍କା ନେଇ ଅନଲାଇନ୍ ଜୁଆରେ ବିନିଯୋଗ କରିଥିଲା ପ୍ରେମିକ ବିକାଶ କୁମାର । ୬୦ରୁ ୬୫ ଲକ୍ଷ ଟଙ୍କା ଅନଲାଇନ୍ ଜୁଆରେ ବିନିଯୋଗ କରିଥିଲା ବିକାଶ । ମଝିରେ ପ୍ରେମିକାକୁ ମାତ୍ର ୮୦ ହଜାର ଟଙ୍କା ଫେରାଇଥିଲା ବିକାଶ ।

ଆସନ୍ତାକାଲି ଆସିବ LIC IPO, ମେ’ ୯ ପର୍ଯ୍ୟନ୍ତ ଓପନ୍ ରହିବ ଏହି IPO

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ସର୍ବବୃହତ୍ IPO ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ସର୍ବବୃହତ୍ ଇନ୍ସୁରାନ୍ସ କଂପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା LIC ତା’ର ପ୍ରଥମ ଇନିସିଆଲ୍ ପବ୍ଲିକ୍ ଅଫରିଙ୍ଗ୍ସ ମେ’ ୪ରୁ ଆରମ୍ଭ କରୁଛି । ମେ’ ୯ ପର୍ଯ୍ୟନ୍ତ ଓପନ୍ ରହିବ LICର ଆଇପିଓ । ନିବେଶକ ଏହି ସମୟ ମଧ୍ୟରେ LICର IPO ପାଇବାକୁ ଆବେଦନ କରିପାରିବେ ।  LIC ତା’ର IPOର ମୂଲ୍ୟ ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରଖିବାକୁ ଘୋଷଣା କରିଛି । ଜଣେ ଗୋଟିଏ ଲଟରେ ୧୫ଟି ସେୟାର ପାଇବ । ଅପର ପ୍ରାଇସ୍ ବ୍ରାଣ୍ଡ ହିସାବରେ ଦେଖିଲେ ମୋଟ୍ ମୋଟିଏ ଲଟ୍ ପାଇଁ ୧୪ ହଜାର ୨୩୫ ଟଙ୍କାର ନିବେଶ କରିପାରିବ ।

ରିଲେଟ୍ କ୍ଷେତ୍ରରେ ମୋଟ୍ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶର ସୀମା ରହିଛି । LIC ପଲିସିଧାରୀଙ୍କ ପାଇଁ ସେୟାର ଉପରେ ୬୦ ଟଙ୍କାର ଡିସକାଉଣ୍ଟ ଦେଇଥିବା ବେଳେ ରିଟେଲ୍ ନିବେଶକଙ୍କ ପାଇଁ ମୋଟ୍ IPO ମୂଲ୍ୟରେ ୩୫ ପ୍ରତିଶତର ସଂରକ୍ଷଣ ମଧ୍ୟ କରିଛି । ଅର୍ଥାତ୍ ରିଟେଲ୍ ଇନଭେଷ୍ଟରମାନେ ଏହି ୩୫ ପ୍ରତିଶତ ନିଶ୍ଚୟ ପାଇବେ । ବଡ଼ ବଡ଼ କଂପାନୀ, ମ୍ୟୁଚୁଆଲ୍ ଫଣ୍ଡ, ବିଦେଶି ପୁଞ୍ଜି ନିବେଶକାରୀ ସଂସ୍ଥା ଏହି କାଟାଗୋରୀରେ ରହିବେ ନାହିଁ । ମେ’ ୨ ତାରିଖରେ ଆଙ୍କର ଇନଭେଷ୍ଟରମାନଙ୍କ ପାଇଁ LIC IPO ଓପନ୍ କରିଛି । ଏହା ପ୍ରଥମକୁ କୋଟା ଫୁଲ୍ କରିବା ସହ ଓଭର୍ ସବସ୍କ୍ରାଇବ୍ ହୋଇଛି । ସବୁଠାରୁ ବଡ଼ ଆଙ୍କର ଇନଭେଷ୍ଟର ଭାବରେ ଉଭା ହୋଇଛି SBI ମ୍ୟୁଚୁଆଲ ଫଣ୍ଡ । SBI ୧ ହଜାର ୬ କୋଟି ୮୯ ଲକ୍ଷ ଟଙ୍କା ନିବେଶ କରିଥିବା ବେଳେ ICICI ପ୍ରୁଡେନସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ ୭୨୫ କୋଟି ଟଙ୍କାର ନିବେଶ କରିଛି ।

ସେହିପରି HDFC ମ୍ୟୁଚୁଆଲ୍ ଫଣ୍ଡ ୫୨୫ କୋଟି ଟଙ୍କାର ନିବେଶ କରିଛି । ସିଙ୍ଗାପୁର ସରକାର ୧୫୧ କୋଟି ୬୭ ଲକ୍ଷ ଟଙ୍କାର ନିବେଶ କରିଥିବା ବେଳେ, BPN ଇନଭେଷ୍ଚମେଣ୍ଟ ୪୪୯ କୋଟି ୯୯ ଲକ୍ଷ ଟଙ୍କା ନିବେଶ କରିଛି । ମୋଟ୍ ୫ ହଜାର ୬ ଶହ ୨୭ କୋଟି ଟଙ୍କାର ନିବେଶ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ  LICର କିଛି ଅଂଶଧନ ସାଧାରଣ ଲୋକଙ୍କୁ ବିକି, IPOରୁ ସରକାର ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ସଫଳ ହେଲେ ଗତ ବର୍ଷର PAYTM IPO ଠାରୁ ଏହା ଅଧିକ ବଡ଼ ଓ ସଫଳ ହେବ ।

ତେବେ ଆପଣ LICର IPO ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଡି ମାର୍ଟ ଆକାଉଣ୍ଟ ଖୋଲି KYC ଅପଡେଟ୍ କରି ଏହାକୁ ଆବେଦନ କରିପାରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରି, TCS, HDFC, ଇନଫୋସିସ୍ ପରେ ଦେଶର ପଞ୍ଚମ ବୃହତ୍ତର କଂପାନୀ ଭାବେ LICର ନାଁ ରହିବ । ଏହାର ମାର୍କେଟ ଭେଲ୍ୟୁଏସନ୍ ୬ ଲକ୍ଷ କୋଟି ଟଙ୍କା ରଖାଯାଇଛି ।