ପଟ୍ଟାମୁଣ୍ଡାଇ: ମଝି ସମୁଦ୍ରରେ ବୁଡ଼ିଲା ଟ୍ରଲର । ପଟ୍ଟାମୁଣ୍ଡାଇ ଅବଦୁଲ କାଲାମ ଦ୍ୱୀପରେ ଅଘଟଣ । ମାଛ ମାରିବାକୁ ଯାଇଥିବା ବେଳେ ବୁଡ଼ିଗଲା ଉପାସନା ଟ୍ରଲର । ୧୩ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିବା ବେଳେ ମଝି ସମୁଦ୍ରରେ ଟ୍ରଲରଟି ନିଖୋଜ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିପାରିନି । ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଏବେ ବି ଖୋଜାଖୋଜି ଜାରି ରହିଛି । କୋଷ୍ଟଗାର୍ଡ, ଧାମରା, ତାଳଚୁଆ ଓ ପାରାଦ୍ୱୀପ ମେରାଇନ ପୋଲିସ ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରାଜଧାନୀରେ ନାବାଳକଙ୍କୁ ହତ୍ୟା !
ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ପଣ୍ଡା ପାର୍କରୁ ନାବାଳକର ମୃତଦେହ ଉଦ୍ଧାର । ମୃତକ ହେଲେ ଯୁଧିଷ୍ଠିର ନାୟକଙ୍କ ପୁଅ ଦୈତରାଜ ନାୟକ । ସେ ଗତ ସୋମବାରଠୁ ନିଖୋଜ ଥିଲେ । ପୁଅକୁ ହତ୍ୟା ପରେ ଅଖା ବ୍ୟାଗରେ ଭର୍ତ୍ତି କରି ପାର୍କକୁ ଲାଗିଥିବା ଜଙ୍ଗଲକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଯୁଧିଷ୍ଠିରଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ରାତିରେ ପୁଅର ସାଙ୍ଗ ଗେଡ଼ୁ ଘରେ ଆଣି ମୋବାଇଲ ଦେଇ ଯାଇଥିଲେ । ପରଦିନ ୧୦ଟା ପର୍ଯ୍ୟନ୍ତ ଦୈତରାଜ ଘରକୁ ନଫେରିବାରୁ ଗେଡ଼ୁଙ୍କ ଘରେ ପଚାରିଥିଲେ ଯୁଧିଷ୍ଟିର । ଗେଡୁ ସହ ସେ ପୁରୀ ଯାଇଥିବା କଥା କହିଥିଲେ ଗେଡ଼ୁର ପରିବାର । ଅପରାହ୍ନ ପର୍ଯ୍ୟନ୍ତ ପୁଅ ନଫେରିବାରୁ ପୁଣି ଗେଡ଼ୁ ଘରେ ପଚାରିବାରୁ ସେ ଘରେ ଶୋଇଥିବା କଥା କହିଥିଲେ । ଏହାପରେ ସନ୍ଧ୍ୟା ସୁଦ୍ଧା ପୁଅ ନ ଆସିବାରୁ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଟିର । ପୁଅର ମୃତ୍ୟୁ ପଛରେ ସାଙ୍ଗ ଗେଡ଼ୁର ହାତ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏପରିକି ଗେଡୁର ପରିବାର ବ୍ରାଉନସୁଗାର କାରବାର କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି ।
ରାହୁଲଙ୍କ ଅନୁରୋଧ ରଖିଲା ଇଡି: ଆସନ୍ତାକାଲି ନୁହେଁ, ୨୦ ତାରିଖରେ ପୁଣି ପଚରାଉଚରା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡୁଆ ସରୁନି । ସୋନିଆ ଗାନ୍ଧିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆସନ୍ତା ୨୦ ତାରିଖ ଯାଏଁ ତାଙ୍କୁ ଆଉ ପଚରାଉଚରା ନ କରିବାକୁ ଇଡିକୁ ଅନୁରୋଧ କରିଥିଲେ ରାହୁଲ । ରାହୁଲଙ୍କୁ ଲଗାତର ୩ ଦିନ ଜେରା କରିବା ପରେ ଆସନ୍ତାକାଲି ପୁଣି ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରେ ଇଡି ରାହୁଲଙ୍କ ଅନୁରୋଧ ରକ୍ଷା କରିଥିବା ଜଣାପଡିଛି । ଗତକାଲି ବଦଳରେ ଆସନ୍ତା ୨୦ ତାରିଖରେ ରାହୁଲଙ୍କୁ ପୁଣି ପଚରାଉଚରା କରିବ ଇଡି । ବର୍ତ୍ତମାନ ସୁଦ୍ଧା ନ୍ୟାସନାଲ ହେରାଲଡ ମାମଲାରେ ରାହୁଲଙ୍କୁ ୩୦ରୁ ଅଧିକ ଘଣ୍ଟା ଜେରା କରିସାରିଛି ଇଡି ।
ସେପଟେ ଆଜି ମଧ୍ୟ ଇଡି ବିରୋଧରେ ଦେଶବ୍ୟାପୀ କଂଗ୍ରେସର ଧାରଣା ଓ ବିକ୍ଷୋଭ ଜାରି ରହିଥିଲା । କେନ୍ଦ୍ର ସରକାର ଆକ୍ରୋଶମୂଳକ ରାଜନୀତି କରି ବିରୋଧୀଙ୍କୁ ଦମନ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ ନେତା । ପଞ୍ଜାବ, ଦିଲ୍ଲୀ, ବେଙ୍ଗାଳୁରୁରେ କଂଗ୍ରେସ କର୍ମୀ କରିଛନ୍ତି ବିକ୍ଷୋଭ । ସେପଟେ ଏଏଜଏଲ ପ୍ରସଙ୍ଗରେ ସ୍ବର୍ଗତ ମୋତିଲାଲ ଭୋରାଙ୍କୁ ରାହୁଲ ଦାୟୀ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ଅରୁଣ ଭୋରା । ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ସହ ସମ୍ପର୍କ କ୍ଷେତ୍ରରେ ବାପାଙ୍କ ଭୂମିକା ନଥିଲା ବୋଲି କହିଛନ୍ତି ଅରୁଣ ।

